ଉପସ୍ଥାପନା: ଶିଶିର ସାହୁ ମନୋଜ

ହିଆ ଶବ୍ଦଟି ଓଡ଼ିଆଭାଷାର ପ୍ରାଚୀନ ଶବ୍ଦ ମଧ୍ୟରୁ ଅନ୍ଯତମ ଏଵଂ ଏହା ପୁରାତନ ସାହିତ୍ୟରେ ବହୁଳ ଭାବରେ ଵ୍ଯଵହୃତ ହୋଇଛି । ପ୍ରାଚୀନ ପ୍ରାକୃତ ଭାଷାରେ “ହୃଦୟ” ପାଇଁ “ହିଅଅ” ଓ “ହିଅୟ” ଶବ୍ଦ ଚଳୁଥିଲା । ଓଡ଼ିଆ ଭାଷାରେ ସେଇ ପ୍ରାକୃତ ଶବ୍ଦରୁ ହିଆ ଶବ୍ଦ ହୋଇଥିଵା ଵେଳେ ହିନ୍ଦୀରେ हिया ଓ ମରାଠୀ ଭାଷାରେ हियें ଶବ୍ଦ ଆସିଅଛି ।

ସେଇଭଳି ମରାଠୀରେ “हरडें” ଶବ୍ଦ ସଂସ୍କୃତ “ହୃଦୟ”ର ତଦ୍ଭଵ ରୂପ ଯେମିତି ଓଡ଼ିଶାରେ ହୃଦୟ ଶବ୍ଦରୁ “ହୁରୁଦ୍” ଶବ୍ଦ ସୃଷ୍ଟି ହୋଇଛି ।  ଏ ସମସ୍ତ ଶବ୍ଦ ପରସ୍ପର ସମଦ୍ଧୃତ ହେଲେ ହେଁ ପୁରାତନ ସାହିତ୍ୟରେ ବହୁଳ ଓ ପ୍ରାଚୀନ ଵ୍ଯଵହାର ଦୃଷ୍ଟିରୁ ଏହି ହିଆ ଶବ୍ଦ ଯେ ଓଡ଼ିଆ ଲୋକେ ଅତ୍ୟଳ୍ପେ ୧୦୦୦ ଵର୍ଷ ପୂର୍ଵେ ଵ୍ଯଵହାର କରୁଥିଲେ ଏ ମତର ଯଥେଷ୍ଟ ପ୍ରମାଣ ରହିଛି ।

କୃଷ୍ଣସିଂହ କୃତ ମହାଭାରତର ଵନପର୍ଵରେ ଏହି ଅର୍ଥରେ ହିଆ ଶବ୍ଦର ପ୍ରୟୋଗ ହୋଇଛି:
“ଏହା ଶୁଣି ସୁଖୀ ହୋଇଲା ମୋର ହିଆ”

ଓଡ଼ିଆ ଭାଷାରେ ହିଆ ଶବ୍ଦର ବକ୍ଷସ୍ଥଳ, ବୁକୁ ଵା ଛାତି ଅର୍ଥରେ ପ୍ରୟୋଗ ମଧ୍ୟ ଦେଖାଯାଏ । ସାଧାରଣତଃ ହୃଦୟ ଛାତିରେ ରହିଥାଏ ତେଣୁ ଛାତିକୁ ସଂସ୍କୃତରେ ହୃଦ୍ଦେଶ ମଧ୍ୟ କୁହାଯାଏ ।  ଏକ ପ୍ରାଚୀନ ଢଗରେ ଏହି ଅର୍ଥରେ ହିଆ ଶବ୍ଦର ପ୍ରୟୋଗ ହୋଇଥିଵା ଦେଖାଯାଏ:
“କୁଞ୍ଚୁ କୁଞ୍ଚିଆ, ମାଗୁର ନିଶୁଆ, ହିଆରେ ନ ଥାଏ ବାଳ
ଏ ତିନିଙ୍କି ପରତେ ନ ଯିବ ଜୀଇଁଥିବ ଯେତେକାଳ”

ଅନେକ ଶହ ଵର୍ଷ ହେଵ ହୃଦୟକୁ ମନ ସହିତ ତୁଳନା କରି ଦେଖାଯାଉଛି । ମନ ଵା ଚିତ୍ତକୁ = ହୃଦୟ ବୋଲି ଅନେକ ଵିଶ୍ଵାସ କରନ୍ତି । ତେଣୁ ଓଡ଼ିଆ ଭାଗଵତରେ ହିଆ ଶବ୍ଦର ଧୈର୍ଯ୍ୟ ଅର୍ଥରେ ମଧ୍ୟ ଵ୍ଯଵହାର ହୋଇଛି, ଯଥା:
“ଯଶୋଦା ନ ଜାଣଇ ଏହା,
କେମନ୍ତେ ଧରିବଟି ହିଆ ।।”

ତେଵେ ଓଡ଼ିଆ ଭାଷାରେ ପ୍ରାକୃତ ଭାଷାର “ଇହହ” ଶବ୍ଦ  “ହିଆ” ହୋଇ ଇଦମ୍,ଏହା; ତାହା; ଆଦି ଅର୍ଥରେ ଏକ ସର୍ଵନାମ ଭାଵେ ପ୍ରୟୋଗ ହେଉଥିଲା ।

ସାଧାରଣତଃ କୌଣସି ଵସ୍ତୁର ନାମ ମନେ ନ ପଡ଼ିଲେ ତହିଁସ୍ଥଳରେ ଏହି ହିଆ ସର୍ଵନାମ ଵ୍ଯଵହୃତ ହେଉ ଥିଲା । ଏହି ହିଆ ଶବ୍ଦଟି  ଅଶ୍ଳୀଳ ଶବ୍ଦ ଵା ବାକ୍ଯ, ମୁହଁରେ ନ ଧରି ତତପରିଵର୍ତ୍ତରେ ମଧ୍ୟ ଵ୍ଯଵହୃତ  ହେଉଥିଲା । ଯଥା: ମୁଁ ତାକୁ ଏତେ ଖୋସାମତ କଲି ଯେ ସେ ଶୁଣିଲା ନାହିଁ ମୁଁ ଆଉ ତା ପାଖକୁ ନ ଆସିଲେ ସେ ମୋର ହିଆ’ କରି ପକାଇବ ।

ଏହି ସ୍ଥଳରେ ଆଜିକାଲି ହଁତା, ଇଏ, ‘ଅମୁକ, ଅମୁକେଇ, ଅମୁକ ନେଇ ସମୁକ, ଫଲଣା ଇତ୍ୟାଦି ଶବ୍ଦ ଵ୍ଯଵହାର ହେଉଅଛି । ସର୍ଵନାମ ଭାଵେ ଆଜି ହିଆ ଶବ୍ଦର ପ୍ରୟୋଗ ଆଉ ସେତେ ନାହିଁ । ଏଵେ ଏହାର ସ୍ଥାନ ସାର୍ଵତିକ ସର୍ଵନାମ ‛ଇଏ’ ନେଇଯାଇଛି ଏଵଂ ଓଡ଼ିଆ ଶାସ୍ତ୍ରୀୟ କଥିତ ଭାଷାରେ ପ୍ରୟୋଗ ହେଉଅଛି ।

~ ଓଡ଼ିଆ ସାହିତ୍ୟରେ ହିଆ ଶବ୍ଦର ପ୍ରୟୋଗ ~
ଶୁଭ ଶୈଳ ସମ ବିଶାଳ ସଉଧ,
ଶିର ଟେକି ଦିନେ ଭେଦିଣ ବଉଦ ।
ଗମ୍ଭୀର ଗରବେ ହୋଇଥିଲା ଠିଆ,
ଦେଖି ଯାହା ଥରୁଥିଲା ଶତ୍ରୁ-ହିଆ ।
(ଵିଂଶ ଶତାବ୍ଦୀର ପ୍ରଥମ ଦିନ ବାରବାଟୀ ଦର୍ଶନ, ଗୋପବନ୍ଧୁ ଦାସ)

ବୁକୁ ଫାଟିଣ ଶସ୍ତ୍ର ଯାଇଅଛି ଗଳି ।
ଏଥକୁ ମନରେ ଭ୍ରାନ୍ତି କରେ ମହାବଳି ॥
ଶୁଣି କରି ଶ୍ରୀରାମ ଯେ ଅନାଇଲେ ହିଆ ।
ଅନ୍ଧକାର ହେତୁ ବାରି ନ ପାରିଲେ ତାହା ॥
(ଲକ୍ଷ୍ମଣ ଶକ୍ତି ଭେଦରେ ଶ୍ରୀରାମଙ୍କ ଶୋକ)

ତାହା ସୁମରିଲେ ହିଆ ହୁଏ ବିଦାରି
ବିଚାରିଲେ ତାହା କେ ଦେବ
ଏ ବିଚ୍ଛେଦ ଦଶା କିପାଁ ଦେଲା ଦଇବ ।।
(ଶୋଭାବଲ୍ଲରୀ- ୪/୧୯) 

ତଥାପି ସେ ଗାଥା ରଖିଅଛି ଗିରି।
କାଳ ପରାଭବେ ଦେଖାଇ ହିଆ ।।
ଅତି ନାରଖାର ରାଣୀହଂସପୁର ।
ସାକ୍ଷ୍ୟ ଦେବାଲାଗି ଅଦ୍ୟାପି ଠିଆ ।।
(ଦେଖିନାହିଁ କେତେଦିନୁଁ ଖଣ୍ଡଗିରି, ଗୋପବନ୍ଧୁ ଦାସ)

“ଘଡ଼ିଘଡ଼ି ଉପରେ ପଡଇ ଚଡ଼ଚଡ଼ି
ଚଡ଼ଚଡ଼ି ଉପରେ ନିର୍ଘାତ ପଡ଼େ ମାଡ଼ି ।
ବିଜୁଳି ଝମକେ ଗୋ ଚମକି ଉଠେ ହିଆ
କେସନେ ବିଂଚିବି ମୋର କୋଳେ ନାହିଁ ନାହା ।
କମଳିନୀ ବିଙ୍ଘସିଲେ ଅବନୀ ଉଲ୍ଲାସି 
ମାତିଲେ ମଣ୍ଡୂକେ ଯେ ଡାହୁକ ଡାକେ ମିଶି ।
ନଦୀ ଯୋଡେ ବତିଲେ; ଜଡ଼ିଲେ ସୁନାଗରୀ
ସୁବେଶ ଯୁବତୀ କାନ୍ତ ପଥ ଅନୁସରି ।”
(ରହସ୍ଯମଞ୍ଜରୀ, କଵି ଦେଵଦୁର୍ଲଭ ଦାସ)

ହିଆକୁ ହିଆ ଲଗାଇ ଉରୁଜ ଠେସିଲା,
ହସ ହସ ହୋଇ ମୁନି ଵାକ୍ଯ ପଚାରିଲା ।।
×××   ×××   ×××
ହିଆକୁ ଭିଡି଼ଣ ସେ ଆଣିଲା କୋଳ କରି,
ହସିଣ ଚୁମ୍ବନ ସେ ଦିଅଇ ପ୍ରେମ କରି ।।
(ଦାଣ୍ଡି ରାମାୟଣ, ବଳରାମ ଦାସ)

ଶ୍ୱେତ ପଦ୍ମ ଆଖି ଦେଖିଲେ ଗୋ
ସଖି ଚିତ୍ତ କି ବାହୁଡ଼େ ଆଉ
କର୍ଣ୍ଣରେ କୁଣ୍ଡଳ ଦିଶେ
ଝଲଝଲ କଉସ୍ତୁଭ ଦାଉ ଦାଉ ।
ସେ ଯେ ହିଆ ବୃଷାଳ
ମିଶାମିଶି ବାରାନିଧି-ଫଳ ।।
(ଚାଲ ସଖି ଆମ୍ଭେ ଦର୍ଶନ କରିଵା, ସାଲଵେଗ)

ଏଇଭଳି ସହସ୍ରାଧିକ ଉଦାହରଣ ଦିଆଯାଇପାରେ । ଆଜି ବି ଏ ଶବ୍ଦ ଊଣା ଅଧିକେ ସାହିତ୍ୟ କ୍ଷେତ୍ରରେ ପ୍ରୟୋଗ ହୋଇଥାଏ । ତେଵେ ଇଣ୍ଡୋନେସିଆ ସମେତ ଵିଶ୍ଵର କେତେକ ଦେଶର ଲୋକଙ୍କ ଉପନାମ (surname) ମଧ୍ୟ ହିଆ ଥିଵା ଦେଖାଯାଏ । ଵିଶେଷତଃ ଇଣ୍ଡୋନେସିଆରେ ହିଆ ଉପନାମଧାରୀ ଲୋକ ସର୍ଵାଧିକ ରହୁଥିଵା ଜଣାପଡିଛି ।

ଓଡ଼ିଆ ଭାଷାର ହିଆ ଶବ୍ଦଟି  ହିନ୍ଦିଭାଷାରେ ହିୟା ଭାଵେ ଚଳୁଥିଲାଵେଳେ ମରାଠୀରେ ହିୟେଁ ହୋଇ ରହିଥିଲା । ତେଵେ ଯେଉଁ ଦିନଠାରୁ ହୃଦୟର ପାର୍ସୀ ସମଦ୍ଧୃତ ରୂପ ଦିଲ୍ ଆସିଯାଇଛି କି ଓଡ଼ିଆ ବଙ୍ଗାଳୀ ହିନ୍ଦୀ ମରାଠୀ ସଭିଏଁ ସେ ଶବ୍ଦର ପ୍ରେମରେ ପାଗଳ ହୋଇ ଏଵେକୁ ଦିଲ୍ ଦିୱାନା ଆଶିକୀ କରୁଛନ୍ତି ।

ଆଗେ ଆମ ସମ୍ବଲପୁରୀରେ ହୁରୁଦ୍ ଶବ୍ଦଟି ଵିଶେଷ ଭାଵରେ ଚଳୁଥିଲା କିନ୍ତୁ ଆଜି ଆଧୁନିକ ସମ୍ବଲପୁରୀ ଗୀତରେ ହୁରୁଦ୍ ଶବ୍ଦ ପରିଵର୍ତ୍ତେ ଦିଲ୍ ଶବ୍ଦର ବହୁଳ ପ୍ରୟୋଗ ହେଉଛି । ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ଆଧୁନିକ ଗୀତରେ ମଧ୍ୟ ଏ ଶବ୍ଦର ଅନୁରୂପ ଵ୍ଯଵହାର କରାଗଲାଣି ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago