ଆମ କଥା

ହଁ ମୁଁ କଟକ କହୁଛି

ଲେଖା: ଈଶ୍ୱର ଗୁରୁ

ମୁଁ ଓଡ଼ିଶାର ଗର୍ବ !
ମୋରି ଛାତିରେ ଲେଖାଯାଇଛି ଓଡ଼ିଶାର ଇତିହାସ, ମୁଁ ହିଁ ତିଆରିଛି ଓଡ଼ିଶାର ଭବିଷ୍ୟତ !
ମୋରି ବୁକୁରେ ପାଦ ଥାପି ଓଡ଼ିଆ ପୁଅ ଲଙ୍ଘିବାର ଯୋଜନା କରିଛି ସାତ ସମୁଦ୍ର ତେର ନଈ !
ମୋରି ମାଟିକୁ ମଥାରେ ମାରି ଓଡ଼ିଆ ବୀର ଜିଣିଛି ଗଙ୍ଗାରୁ ଗୋଦାବରୀ !
ମୁଁ ଦେଖିଛି ଓଡ଼ିଶାର ଶୌର୍ଯ୍ୟକୁ, ବୀରତ୍ୱକୁ, ଓଡିଆର ପରାକ୍ରମକୁ !
ମୁଁ ହସିଛି ଓଡିଆର ହସରେ, ମୁଁ ବି କାନ୍ଦିଛି ନଅଙ୍କ ଦୁର୍ଭିକ୍ଷର ଛାତିଥରା ଦୃଶ୍ୟରେ !
ମୋରି କୋଳରେ ବଢିଛନ୍ତି ଗୋପମଧୁ, ମୋରି କୋଳରେ ବସିଛନ୍ତି ଜଗତର ବନ୍ଧୁ !
ମୁଁ ଓଡ଼ିଶାର ସୁଖଦୁଃଖର ସାଥୀ, ମୁଁ ମହାର୍ଘ ଇତିହାସର ସାକ୍ଷୀ !
ହଁ, ମୁଁ କଟକ !
ମୋରି କଥା ମୋ ସନ୍ତାନର ତୁଣ୍ଡରେ ! ହଁ ମୁଁ କଟକ କହୁଛି !

~ ହଁ ମୁଁ କଟକ କହୁଛି ~

ମୁଁ ପାହାନ୍ତି ଆକାଶ ପୂରୁବତାରା
ମୁଁ ଦୂର ପାହାଡ଼ରେ ରବିର ଖରା
ମୁଁ ଅନେକ ସ୍ବପ୍ନର ପଦ୍ମପାଖୁଡ଼ା
ମୁଁ ଯୁବକ ଉତ୍ସାହ ଆଳସ୍ୟଛଡ଼ା
ମୁଁ ପ୍ରଳୟ ଅଗ୍ନିରୁ ଜାତ ହୋଇଛି
ମୁଁ ଦୁଃଖ ଦୁର୍ଦ୍ଦଶାରେ ହସି ଶିଖିଛି
ହଁ ମୁଁ କଟକ କହୁଛି।।

(Image: © dreamstime.com)

ମୁଁ ଉତ୍କଳଦେଶର ମଉଡ଼ମଣି
ମୁଁ ସାଧବବୋହୂର ପାଟଓଢଣୀ
ମୁଁ ବୀରସନ୍ତାନଙ୍କ ଜନମ ଭୂମି
ମୁଁ ଯୋଗୀ ମୁନିଙ୍କର କରମଭୂମି
ମୁଁ ନିଜର ସୁଖକୁ ଦାନ ଦେଇଛି
ମୁଁ ପରର ଦୁଃଖକୁ ତୋଳି ଧରିଛି
ହଁ ମୁଁ କଟକ କହୁଛି।।

ମୁଁ ଶାଖା ବ୍ରହ୍ମାଣ୍ଡ ବଟବୃକ୍ଷର
ମୁଁ ଅଶାନ୍ତ ଲହରୀ ରତ୍ନାକରର
ମୁଁ ପ୍ରଚଣ୍ଡ ଆଲୋକ ସୌଦାମିନୀର
ମୁଁ ଅନଳ ଦାହକ ଦିବାକରର
ମୁଁ ମସ୍ତକେ ଐତିହ୍ୟ ତୋଳି ଧରିଛି
ମୁଁ ଭେଦଭାବ ଘୃଣା ପୋଡ଼ି ଦେଇଛି
ହଁ ମୁଁ କଟକ କହୁଛି ।।

ମୁଁ ସ୍ନେହଶ୍ରଦ୍ଧା ପ୍ରୀତି ସୌଦାଗର
ମୁଁ ସମସ୍ତଙ୍କର, ସମସ୍ତେ ମୋ ନିଜର
ମୁଁ ଭାଈ ଭାଈ ବାର୍ତ୍ତା ପ୍ରଚାରକର୍ତ୍ତା
ମୁଁ ସ୍ଵାଭିମାନର ଗୌରବବାର୍ତ୍ତା
ମୁଁ ମାନବ କଲ୍ୟାଣ ଚିହ୍ନିଯାଇଛି
ମୁଁ ପ୍ରଭୁଙ୍କ ସନ୍ଦେଶ ବୁଝିଯାଇଛି
ହଁ ମୁଁ କଟକ କହୁଛି।।

ମୁଁ କାଠଯୋଡ଼ି ନଦୀ ଶୀତଳବାଲି
ମୁଁ ମହାନଦୀର ଗଜଗାମିନୀ ଚାଲି
ମୁଁ ଧବଳେଶ୍ଵରଙ୍କ ଡମ୍ବୁରୁ ନାଦ
ମୁଁ କଟକ ଚଣ୍ଡିଙ୍କ ପଙ୍କଜପାଦ
ମୁଁ ମସ୍ତକେ ସଦ୍ଭାବ ମଣି ପିନ୍ଧିଛି
ମୁଁ ମାନବ ମାଧବ ବୋଲି ଜାଣିଛି
ହଁ ! ମୁଁ କଟକ କହୁଛି।।

ମୁଁ ଦୋଳମୁଣ୍ଡାଇରେ ନୀଳାଚଳ ଦେଖିଛି
ମୁଁ ଯୋବରା ଘାଟରେ ସାଧବପୁଅ ହୋଇଛି
ମୁଁ ତାଳଦଣ୍ଡା କୂଳେ ଖେଳ ଖେଳିଛି
ମୁଁ ବାରବାଟୀରେ ଶତ୍ରୁ ନାଶ କରିଛି
ମୁଁ ବିଜୟ କେତନ ଉଡ଼ାଇ ଅଛି
ମୁଁ ସମର ଶଙ୍ଖ ବଜାଇ ଅଛି
ହଁ ମୁଁ କଟକ କହୁଛି।।

ମୁଁ ତୁଳସୀପୁରର ତୁଳସୀପତ୍ର
ମୁଁ ପରିବାହାଟ ଛତ୍ରବଜାର
ମୁଁ ରେଭନ୍ସା କଲେଜ ପଢୁଆପିଲା
ମୁଁ ବାଦାମବାଡ଼ିର ବସ୍ ବାଲା
ମୁଁ କଚେରି ଛକରେ ଓକିଲ ଅଛି
ମୁଁ ନିତିଦିନ ସତ ମିଛ ଦେଖୁଛି
ହଁ ମୁଁ କଟକ କହୁଛି।।

ମୁଁ ଖାନନଗର ମାଛ ମାର୍କେଟଭିଡ଼
ମୁଁ ବଡ଼ ମେଡ଼ିକାଲ ଜୀବନମୃତ୍ୟୁ ଦୌଡ଼
ମୁଁ ଷ୍ଟେସନର କୁଲି କର୍ମଠ ମେଳ
ମୁଁ ବାରବାଟୀ ପଡ଼ିଆ ଖେଳାଳୀ ଖେଳ
ମୁଁ ଚୌଧୁରୀ ବଜାରରେ ବେପାରୀ ଅଛି
ମୁଁ ଅଭାବୀର ଭୋକ ବୁଝିପାରୁଛି
ହଁ ମୁଁ କଟକ କହୁଛି।।

ମୁଁ ଶଙ୍କରପୁରର ମାଛ ଆମ୍ବିଳ
ମୁଁ ମହାନଦୀ ପଠା ଆମ୍ବବଉଳ
ମୁଁ ଓଡ଼ିଆ ବଜାରରେ ସୁଭାଷଚନ୍ଦ୍ର
ମୁଁ ମଧୁ ବାରିଷ୍ଟର ଜ୍ଞାନୀଙ୍କ ଇନ୍ଦ୍ର
ମୁଁ ବକ୍ସିବଜାରରେ ଜଗବନ୍ଧୁ ହୋଇଛି
ମୁଁ ପ୍ୟାରୀମୋହନ ପରି ଭାଇ ପାଇଛି
ହଁ ମୁଁ କଟକ କହୁଛି।।

ମୁଁ ନରାଜ ଘାଟର ଅସ୍ତ ଗୋଧୂଳି
ମୁଁ ମାଲଗୋଦାମର ଉଡନ୍ତା ଧୂଳି
ମୁଁ ଦଶହରା ପର୍ବ ସମୟ ରୋଳ
ମୁଁ ବାଲିଯାତ୍ରା ଭିଡ଼ କେଁକଟର ଗୋଳ
ମୁଁ ହୋଲିର ରଙ୍ଗରେ ରଙ୍ଗେଇ ଅଛି
ମୁଁ ପ୍ରେମ ବର୍ଷାରେ ତନୁ ଭିଜାଇ ଅଛି
ହଁ ମୁଁ କଟକ କହୁଛି।।

ମୁଁ ଭାରତ ଭିତରେ ଅମୃତକୁମ୍ଭ
ମୁଁ ଅଶ୍ୱର ଶକ୍ତି, ସିଂହର ଦମ୍ଭ
ମୁଁ ପ୍ରବଳ ପରାକ୍ରମୀ ସମରବୀର
ମୁଁ ଅଟଇ ଅଟଳ ଗୌରବଶିଳ
ମୁଁ ଗଗନେ ସୁଗନ୍ଧ ଭରି ଦେଇଛି
ମୁଁ ସମସ୍ତଙ୍କୁ ସହୋଦର ଭାବିଛି
ହଁ ମୁଁ କଟକ କହୁଛି।।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago