ଜଣା ଅଜଣା

ସ୍ଵାଧୀନୋତ୍ତର ଓଡ଼ିଶାରେ ଓଡ଼ିଆ ଚଳଚିତ୍ର ଓ ଏହାର ସୁବର୍ଣ୍ଣଯୁଗ

ଲେଖା: ଦେଵ ତ୍ରିପାଠୀ

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାର୍ଘ ସ୍ବାଦ ଅନୁଭବ କରିବାର ସୁଯୋଗ ପାଇଥିବା ସମୟରେ କବି କାମପାଳ ମିଶ୍ର, ମୋହନ ସୁନ୍ଦର ଦେବ ଗୋସ୍ୱାମୀ, ପ୍ରିୟନାଥ ଗାଙ୍ଗୁଲି, ହରିଚରଣ ମହାନ୍ତି, ଚଣ୍ଡୀଚରଣ ସାହା ଉଗେରଙ୍କ ସାଧନାର ଫଳସ୍ବରୂପ ସୃଷ୍ଟି ହୋଇଥିଲା ଓଡ଼ିଆ କଥାଚିତ୍ର ସୀତାବିବାହ । ତେବେ ଏତେ ନିଷ୍ଠା ଓ ତ୍ୟାଗର ଫଳସ୍ବରୂପ, ଓଡ଼ିଆ ଜାଗରଣର ଇଷ୍ଟପୁରୁଷ କୁଳବୃଦ୍ଧଙ୍କ ଜନ୍ମଜୟନ୍ତୀରେ ଲୋକାର୍ପିତ ହୋଇଥିବା ଚଳଚ୍ଚିତ୍ରଟି ଯେ ଆର୍ଥିକ ଦୃଷ୍ଟିରୁ ସଫଳ ହୋଇ ପାରି ନ ଥିଲା, ଏହା ନିଃସନ୍ଦେହ । ହୁଏତ ସେଥିପାଇଁ ଓଡ଼ିଆଙ୍କୁ ନିଜ ମାତୃଭାଷାରେ ଆଉ ଗୋଟିଏ ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିଲାବେଳକୁ ଓଡ଼ିଶା ମାଟିରେ ସ୍ବାଧୀନତାର ନୂତନ ସୂର୍ଯ୍ୟ ଉଇଁ ସାରିଲାଣି ।

ଗୁଣାତ୍ମକ ଦିଗରେ ଉତ୍କର୍ଷତା ଲାଭ ତଥା ଜନମାନସରେ ଚର୍ଚ୍ଚିତ ସୋଇଥିବା ସତ୍ତ୍ୱେ ସୀତାବିବାହ ଚଳଚ୍ଚିତ୍ରର ଆର୍ଥିକ ଦୁର୍ଦ୍ଦଶାକୁ ଦେଖି ସେପରି ଦୁଃସାହସିକ ପଦକ୍ଷେପ ନେବାକୁ ଓଡ଼ିଶା ମାଟିରେ କେହି ନ ଥିଲେ ! ତେବେ ଦେଶ ସ୍ବାଧିନତା ପ୍ରାପ୍ତିର ପରବର୍ଷ ଚଳଚ୍ଚିତ୍ରଟିଏ ନିର୍ମାଣର ଯୋଜନା କଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ । କଟକରେ ନୂତନ ଭାବେ ଗଠିତ Great Eastern Moviton କମ୍ପାନୀ ଦ୍ଵାରା ଆରମ୍ଭ ହେଲା ସ୍ଵାଧୀନୋତ୍ତର ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ଲଳିତା । କହିବା ବାହୁଲ୍ୟ, ଚିତ୍ରଟିର କଥାବସ୍ତୁ ଥିଲା ଶ୍ରୀଜଗନ୍ନାଥଙ୍କ ଗାଥା ଆଧାରିତ ।

ତେବେ ସେଇ ବର୍ଷର ଶେଷ ଆଡ଼କୁ କଟକର ଅନ୍ୟ ଏକ ନବଗଠିତ କମ୍ପାନୀ ରୂପଭାରତୀ ବହୁ କଷ୍ଟ ସ୍ବୀକାର କରି ସହର ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କ ଠାରୁ ୧୦ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅଂଶଧନ ବିକ୍ରୟ କରି ଚଳଚ୍ଚିତ୍ରଟିଏ ପ୍ରସ୍ତୁତିରେ ଲାଗିପଡିଲେ । ଏଭଳି ଅଭିନବ ଉପାୟରେ ପ୍ରସ୍ତୁତ ହେବାକୁ ଯାଉଥିବା ଚିତ୍ରଟିର ନାମ ଦିଆଗଲା ଶ୍ରୀଜଗନ୍ନାଥ

‘ଲଳିତା’ ଓ ‘ଶ୍ରୀଜଗନ୍ନାଥ’ ଚିତ୍ରଦ୍ଵୟର କାହାଣୀରେ ସାଦୃଶ୍ୟ ଥିବା ଦେଖି ଗ୍ରେଟ୍ ଇଷ୍ଟର୍ଣ୍ଣ କମ୍ପାନୀ ତରବରିଆ ଭାବେ ଚିତ୍ର ନିର୍ମାଣ ଶେଷ କରି ସିନେମାହଲକୁ ଆଣିପାରିଥିଲେ, ମାତ୍ର ଦୁର୍ବଳ ନିର୍ଦ୍ଦେଶନା ଏବଂ ଅନ୍ୟାନ୍ୟ କାରଣରୁ ଦର୍ଶକୀୟ ସ୍ବୀକୃତି ନ ପାଇ ଲଳିତା ଚଳଚ୍ଚିତ୍ର ମଧ୍ୟ ସୀତାବିବାହ ଚିତ୍ରର ଦଶା ଭୋଗିଥିଲା ! ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରି ଯେ କାଙ୍ଗାଳ ହେବା ସୁନିଶ୍ଚିତ ଏଭଳି ଏକ ଆଶଙ୍କା ବଳବତ୍ତର ହେବାକୁ ଯାଉଥିବା ବେଳେ କଟକ ସହର ଏବଂ ପରେ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯଥେଷ୍ଟ ଦର୍ଶକୀୟ ଆଦର ଲାଭ କରି ରୂପଭାରତୀ କମ୍ପାନୀର ଶ୍ରୀଜଗନ୍ନାଥ ଓଡ଼ିଆ ଭାଷାର ପ୍ରଥମ ସଫଳ ଚଳଚ୍ଚିତ୍ରର ମାନ୍ୟତା ଲାଭ କଲା । ଶ୍ରୀଜଗନ୍ନାଥର ଅଦ୍ଭୁତପୂର୍ବ ସଫଳତା ଓଡ଼ିଆ ଚିତ୍ରପ୍ରେମୀଙ୍କ ସମେତ କଳାପ୍ରେମୀ ଆଶାୟୀ ନିର୍ମାତା/ନିର୍ଦ୍ଦେଶକଙ୍କ ପାଇଁ ଆଣିଦେଇଥିଲା ନୂତନ ସମ୍ଭାବନା ! ଆଗେଇ ଆସିଲେ ଜଣେ ଯୁବ ଚିତ୍ରନିର୍ମାତା !

ଦର୍ଶକଙ୍କୁ ନୂତନ ସ୍ବାଦର ଚିତ୍ରଟିଏ ପ୍ରଦାନ କରିବା ଲକ୍ଷ୍ୟରେ ରତିକାନ୍ତ ପାଢ଼ୀ ମହାଶୟ ନିର୍ମାଣ କଲେ କଥାଚିତ୍ର ରୋଲ୍ସ୍ ଟୁ ଏଣ୍ଡ୍ ଏଇଟ୍ (Rolls 2 & 8) । ଇଂରାଜୀ ନାମକରଣ, ଆଧୁନିକ ଚିନ୍ତାଚେତନା ସମ୍ବଳିତ ଚିତ୍ରଟି କିନ୍ତୁ ଦର୍ଶକଙ୍କ ମନକୁ ଛୁଇଁ ପାରି ନ ଥିଲା ! ଦ୍ବୈତ ଭୂମିକାରେ ଅଭିନୟ ସହିତ ପ୍ରଯୋଜକ ଦାୟିତ୍ଵ ନିର୍ବାହ କରିଥିବା ପାଢ଼ୀ ମହାଶୟ ଦ୍ଵିତୀୟ ଚିତ୍ର ନିର୍ମାଣ ପାଇଁ ସାହସ କରି ନ ଥିଲେ ।

ଇତି ମଧ୍ୟରେ, ପ୍ରଥମ ଚଳଚ୍ଚିତ୍ରରେ ବ୍ୟାପକ କ୍ଷତି ଏବଂ ଏକାଧିକ ଅଂଶୀଦାରଙ୍କ ସହଯୋଗର ଅଭାବ ସତ୍ତ୍ୱେ ଗ୍ରେଟ୍ ଇଷ୍ଟର୍ଣ୍ଣ ମୁଭିଟୋନ୍ କମ୍ପାନୀ ଜଣେ କଟକୀ ବଙ୍ଗାଳୀ ନିର୍ଦ୍ଦେଶକଙ୍କୁ ନେଇ ତିଆରି କଲେ ସାମାଜିକ କଥାବସ୍ତୁର ଚଳଚ୍ଚିତ୍ର ସପ୍ତଶଯ୍ୟା ! କିନ୍ତୁ ଏ ଚିତ୍ରର ବିଫଳତା ଭାଙ୍ଗିଦେଲା କମ୍ପାନୀର ସବୁ ଦମ୍ଭ ଓ ସାହସ । ଲଳିତା ଓ ସପ୍ତଶଯ୍ୟା ପରି ଦୁଇଟି ଚଳଚ୍ଚିତ୍ର ରେ ଅପୂରଣୀୟ କ୍ଷତି ସହି ଗ୍ରେଟ୍ ଇଷ୍ଟର୍ଣ୍ଣ କମ୍ପାନୀ ଚିତ୍ର ଦୁନିଆଁରୁ ବିଦାୟ ନେଲା । କ୍ରମାଗତ ତିନୋଟି ଚଳଚ୍ଚିତ୍ରର ନୈରାଶ୍ୟଜନକ ବ୍ୟବସାୟ ହେତୁ ଚିତ୍ର ନିର୍ମାଣ ପାଇଁ ଆଉ କାହାର ସ୍ପୃହା କିମ୍ବା ସାହସ ନ ଥିଲା !

ଓଡ଼ିଆ ଭାଷାରେ ଚିତ୍ର ନିର୍ମାଣ ଯେ ନିତାନ୍ତ କ୍ଷତିକାରୀ ଓ ଅଭିଶପ୍ତ ବ୍ୟବସାୟ, ସେ ଧାରଣା ପୁନଃ ବଳବତ୍ତର ହେବାକୁ ଲାଗିଲା ! ତଥାପି ନୂତନ ଆଶା ଓ ସମ୍ଭାବନାର ସୂର୍ଯ୍ୟ ଉଇଁ ଆସୁଥିଲା ଓଡ଼ିଆ କଥାଚିତ୍ର ଦୁନିଆଁରେ ! ଗୌରବୋଜ୍ଜ୍ୱଳ ଦିଗକୁ ପାଦ ବଢ଼ାଉଥିଲା ଓଡ଼ିଆ ଚଳଚ୍ଚିତ୍ର !

ଆଗେଇ ଆସୁଥିଲେ କେଇଜଣ ଓଡ଼ିଆ ପୁଅ ! ସେମାନଙ୍କ ହାତରେ ଲେଖା ହେବାକୁ ଚିତ୍ର ଦୁନିଆଁର ନୂତନ ସ୍ବର୍ଣ୍ଣିମ ଅଧ୍ୟାୟମାନ !

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago