ପର୍ଯ୍ୟଟନ କ୍ଷେତ୍ର

ଦ୍ୱିତୀୟ ଶ୍ରୀକ୍ଷେତ୍ର ଓ ଶିମିଳିପାଳର ସମ୍ପର୍କ

ଲେଖା: ଋଷିରାଜ ପଟ୍ଟନାୟକ

ଆମ ଭଞ୍ଜଭୂମଣ୍ଡଳ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର ଜୈବବିବିଧତା ସମଗ୍ର ବିଶ୍ୱର ପ୍ରକୃତିପ୍ରେମୀ ତଥା  ପର୍ଯ୍ୟଟକଙ୍କୁ ସବୁ ସମୟରେ ଆକୃଷ୍ଟ କରିଆସିଛି । ଶିମିଳିପାଳରେ ଥିବା ଅନେକ ଛୋଟ ପାହାଡ଼, ଉପତ୍ୟକା, ଅଧିତ୍ୟକା ଘଞ୍ଚ ଅରଣ୍ୟାନୀ ପରିବେଷ୍ଟିତ । ଜାତୀୟ ସର୍ବେକ୍ଷଣ ସଂସ୍ଥା, ଡେରାଡୁନ ପକ୍ଷରୁ ପ୍ରକାଶିତ ‘ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ’ରେ ଦର୍ଶାଯାଇଛି, ଶତକଡ଼ା ୭୦ ଭାଗରୁ ଅଧିକ ସାନ୍ଧ୍ରତା ଥିବା ଜଙ୍ଗଲ ଶିମିଳିପାଳ ଜୈବ ମଣ୍ଡଳରେ ରହିଛି। ଶିମିଳିପାଳ ଜୈବମଣ୍ଡଳ ଉତ୍ତର ପାଶ୍ୱର୍କୁ ରହିଛି ଆଂଶିକ ଚିରହରିତ ଅରଣ୍ୟ ଓ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ । ଉଚ୍ଚଭୂମି ବା ଢାଲୁ ଅଞ୍ଚଳରେ ଦୀର୍ଘକାୟ, ସୁଉଚ୍ଚ ଶାଳ ଜଙ୍ଗଲରେ ରହିଥିବା ସ୍ଥଳେ ପୂର୍ବ ଓ ଦକ୍ଷିଣ ପାଶ୍ୱର୍ରେ ରହିଛି ଶୁଷ୍କ ପର୍ଣ୍ଣମୋଚୀ ଜଙ୍ଗଲ ଏବଂ ଶୁଷ୍କ ଶାଳବଣ । ସ୍ଥାନେ ସ୍ଥାନେ ବିସ୍ତୀର୍ଣ୍ଣ ତୃଣଭୂମି ଓ ସାଭନା। ବିଭିନ୍ନ ଶ୍ରେଣୀର ଜଙ୍ଗଲର ସମାହାର ହେତୁ ଏଠାରେ ଭରି ରହିଛି ଭିନ୍ନଭିନ୍ନ ପ୍ରଜାତିର ବୃକ୍ଷଲତା, ଔଷଧୀୟ ଗଛ, ଅର୍କିଡ଼ ବା ଚିତ୍ରା ଜାତୀୟ ଉଦ୍ଭିଦ ଓ ଗୁଳ୍ମରାଜି। ପୂର୍ବଘାଟ ପର୍ବତମାଳାର ପୂର୍ବପ୍ରାନ୍ତକୁ ଲାଗି ରହିଥିବା  ପ୍ରାୟ ୨୭୫୦ ବର୍ଗ କି.ମି. ଘଞ୍ଚ ଜଙ୍ଗଲ ପରିବ୍ୟାପ୍ତ ଶିମିଳିପାଳ ବନାଞ୍ଚଳଟି ଅଭୟାରଣ୍ୟ, ବ୍ୟାଘ୍ରପ୍ରକଳ୍ପହସ୍ତୀପ୍ରକଳ୍ପ ଭାବେ ପରିଗଣିତ ହେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ ହୋଇ ରହିଛି ।

ଭାରତରେ ପ୍ରାୟତଃ ୧୫୦୦୦ ସପୁଷ୍ପକ ଉଦ୍ଭିଦ ଦେଖିବାକୁ ମିଳୁଥିବା ବେଳେ ଶିମିଳିପାଳରେ ଏହାର ୭.୧%, ଅର୍ଥାତ ୧୦୭୬ ପ୍ରଜାତିର ଉଦ୍ଭିଦ ଦେଖାଯାଆନ୍ତି । ତନ୍ମଧ୍ୟରୁ ୫୦% ଭାଗ ଗଛ ହେଉଛି ଶାଳଗଛ। ଏହା ବ୍ୟତୀତ ଶିମୁଳି, ଅର୍ଜୁନ, ଅସନ, ଅଶୋକ, ଚମ୍ପା, ଜାମୁ, ମାଙ୍କଡ଼ା କେନ୍ଦୁ, ମହୁଲ, ଶିଶୁ, ପିଆଶାଳ ଆଦି ମୂଲ୍ୟବାନ ବୃକ୍ଷରାଜି ମଧ୍ୟ ଦେଖିବାକୁ ମିଳେ । ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ଔଷଧୀୟ ବୃକ୍ଷଲତା ଓ ଗୁଳ୍ମ ଏଠାରେ ରହିଛି । ଚିତ୍ରା ଜାତୀୟ ଉଦ୍ଭିଦ ‘ଅର୍କିଡସ୍‌’ ପାଇଁ ଶିମିଳିପାଳ ପ୍ରସିଦ୍ଧ । ସମଗ୍ର ଓଡ଼ିଶାରେ ମିଳୁଥିବା ୧୨୩ ପ୍ରକାର ଚିତ୍ରା ମଧ୍ୟରୁ ୯୪ ପ୍ରକାର ଆକର୍ଷଣୀୟ ରଙ୍ଗବେରଙ୍ଗ ଫୁଲ ଫୁଟିଥିବା ଚିତ୍ରା ଏହି ଅଭୟାରଣ୍ୟରେ ଚିହ୍ନଟ କରାଯାଇଛି। ତନ୍ମଧ୍ୟରୁ ତିନୋଟି ପ୍ରଜାତିର ଚିତ୍ରା କେବଳ ଶିମିଳିପାଳ ଜଙ୍ଗଲରେ ଦେଖିବାକୁ ମିଳେ। ସେଗୁଡ଼ିକ ହେଲା ଏରିଆ ମେଘାସନିଏନ୍‌ସିସ୍‌ (Eria meghasaniensis), ଟିନା ହୁକେରିଆନା (Tainia hookeriana) ଏବଂ ବଲ୍‌ବୋଫାଇଲମ୍‌ ପାନିଗ୍ରହିଆନମ୍‌ (Bulbophyllum panigrahianum )

ଏଠାରେ ୫୫ ପ୍ରଜାତିର ସ୍ତନ୍ୟପାୟ ପ୍ରାଣୀ, ୩୦୪ ପ୍ରଜାତିର ପକ୍ଷୀ ପ୍ରଜାପତି ୬୪ ପ୍ରକାରର ସରୀସୃପ ଏବଂ ୨୦ ପ୍ରକାରର ଉଭୟଚର ଜୀବ ଦେଖାଯାଆନ୍ତି। ମହାବଳ ବାଘ ଓ ହାତୀ ଏହି ଜଙ୍ଗଲର ମୁଖ୍ୟପ୍ରାଣୀ । ଏହାବ୍ୟତୀତ ଚିତାବାଘ, ହେଟାବାଘ, ଗୟଳ, ସମ୍ବର, କୁଟ୍‌ରା, ବାର୍ହା, ବନ୍ୟ କୁକୁର, ଗାଡ଼ଭାଲୁ, ଚଉଶିଂଗା, ହନୁମାନ ଓ ରିସ୍‌ସ ମାଙ୍କଡ଼, ଉଡ଼ନ୍ତା ଗୁଣ୍ଡୁଚି, ବଜ୍ରକାପ୍ତା, ମୟୂର, ଝିଙ୍କ ପକ୍ଷୀ, ଗୋଧି, ଶାଳିଆପତନି ଇତ୍ୟାଦି ବାସ କରନ୍ତି । ଶିମିଳିପାଳ ବିଶେଷକରି “ଶାରୀ’ ବା “ମଇନା ପକ୍ଷୀ” ପାଇଁ ପ୍ରସିଦ୍ଧ । ଅନ୍ୟ ପକ୍ଷୀଙ୍କ ଭିତରେ ଅଛନ୍ତି କାଠହଣା, କୋଚିଳାଖାଇ, ଗୋବରା, ଚନ୍ଦନା, ବାଜପକ୍ଷୀ, ଭଦଭଦଳିଆ, ଟିନ୍‌ଥିନ୍‌, ଭୂଇଁ ଛାପୁଲି ଇତ୍ୟାଦି । ସରସୃପଙ୍କ ମଧ୍ୟରେ ଅଛନ୍ତି ବିଲୁପ୍ତପ୍ରାୟ ଅହିରାଜ, ଅଜଗର, ନାଗ, ବଉଳା କୁମ୍ଭୀର ।

ଶିମିଳିପାଳରେ ଦେଖାଯାଉଥିବା ଉଦ୍ଭିଦ ଓ ଜୀବଜନ୍ତୁଙ୍କ ମଧ୍ୟରୁ କେତେକ କେବଳ ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଥାଆନ୍ତି । ଭାରତୀୟ ପ୍ରାଣୀବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସର୍ଭେ ସମୟରେ ଯୋରନ୍ଦା ଜଳପ୍ରପାତ ଅଞ୍ଚରେ ଏକ ପ୍ରଜାତିର ଶାଳିଆପତନି ଆବିଷ୍କାର କରାଯାଇଥିଲା । ତା’ ନାଁ ରଖାଯାଇଥିଲା “ପାରାଡକ୍ସରସ ଯୋରେନେ୍ଦନସିସ୍‌’ । ଆଙ୍ଗୁଠି ଟିପ ଆକୃତିର ବେଙ୍ଗ “ଫିଲାଟ୍‌ସ୍‌ ଶିମିଳିପାଲେନସିସ’ ୧୯୮୦ ମସିହାରେ ଶିମିଳିପାଳର ଖେଜୁରି ପାହାଡ଼ରେ ପ୍ରଥମଥର ପାଇଁ ରେକର୍ଡ କରାଯାଇଥିଲା ।

ସମଗ୍ର ଉତ୍ତର ଓଡିଶା ତଥା ପଡୋଶୀ ଝାରଖଣ୍ଡ ଓ ପଶ୍ଚିମବଙ୍ଗର କିଛି କିଛି ଅଞ୍ଚଳର ପାଣିପାଗ ଓ ଜଳବାୟୁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଥିବା ଶିମିଳିପାଳ ଜାତୀୟ ଉଦ୍ୟାନକୁ ୨୦୦୯ ମେ ୨୬ ତାରିଖରେ ମିଳିତ ଜାତି ସଂଘର ଶିକ୍ଷା ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଦ୍ୱାରା ବିଶ୍ୱ ଐତିହ୍ୟର ମାନ୍ୟତା ଦିଆଯାଇଛି। ଓଡ଼ିଶାର କୋଣାର୍କକୁ ବିଶ୍ୱ ଐତିହ୍ୟକେନ୍ଦ୍ର ଭାବେ ମର୍ଯ୍ୟାଦା ଦେଇଥିବା ବେଳେ ଶିମିଳିପାଳ ଜୈବମଣ୍ଡଳକୁ ଅନୁରୂପ ସମ୍ମାନ ପ୍ରଦାନ କରାଯାଇଅଛି । ଏହା ବାଦ ଶିମିଳିପାଳ ଏକ ଦେବଭୂମି ରୂପେ ମଧ୍ୟ ଆଖ୍ୟା ପାଇଅଛି ।

ଉତ୍ତର ଓଡିଶାରେ ବସବାସ କରୁଥିବା ବାଥୁଡି ସମ୍ପ୍ରଦାୟର ପବିତ୍ର ପୀଠ ଅଠର ଦେଉଳ ପୂଜା ଉପାସନା ସ୍ଥଳୀ ଏହି ଶିମିଳିପାଳ ମଧ୍ୟରେ ଅବସ୍ଥିତ । ଏହା ସହିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିରର ନୀତିକାନ୍ତି ସହ ଶିମିଳିପାଳ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ।

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ହେଉଥିବା ନୀତି ଦିନିଆ ମହାପ୍ରସାଦକୁ ଶିମିଳିପାଳରୁ ସଂଗ୍ରହ ହୋଇ ଆସୁଥିବା ଶାଳପତ୍ର ଖଲି ଓ ବ୍ୟଞ୍ଜନକୁ ଶାଳପତ୍ର ଚଉତି (ଦନା)ରେ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ । ଗରମ ମହାପ୍ରସାଦ ଶାଳପତ୍ରରେ ବଢ଼ା ହେବା ସମୟରେ ଏଥିରୁ ଏକ ରୁଚିକର ମହକ ନିର୍ଗତ ହୋଇଥାଏ, ଯାହାର ସ୍ୱାଦ ନିଆରା । ପ୍ରତି ବୈଶାଖରେ ଏହି ମନ୍ଦିରରେ ହେଉଥିବା ଦହି ପଖାଳ ଭୋଗକୁ ମଧ୍ୟ ଶିମିଳିପାଳରୁ ସଂଗୃହୀତ ଶାଳପତ୍ର ଠୋଲାରେ ଠାକୁରଙ୍କୁ ସମର୍ପଣ କରାଯାଇଥାଏ । ଠୋଲାଟି ଅତି ସୁନ୍ଦର ଭାବେ ବାଉଁଶ ଖଡିକା ଦ୍ୱାରା ସିଲାଇ କରା ଯାଇଥାଏ, ଯାହାର ଓସାର ଓ ଗଭୀର ପ୍ରାୟ ଏକ ଚାଖଣ୍ଡ ହୋଇଥାଏ ।


ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଅନୁଷ୍ଠିତ ହେଉ ଥିବା ବିଶ୍ୱର ଦ୍ୱିତୀୟ ପୁରାତନ ରଥଯାତ୍ରା ସମୟରେ ନିର୍ମାଣ ହେଉ ଥିବା ତିନୋଟି ଯାକ ରଥ ପ୍ରାୟତଃ ଶାଳକାଠରେ ନିର୍ମିତ ହୋଇ ଥାଏ । ଶିମିଳିପାଳରେ ପର୍ଯ୍ୟାପ୍ତ ଶାଳ ଗଛ ଥିବାରୁ ଏଥିରେ ବ୍ୟବହୃତ ହେଉ ଥିବା ସମସ୍ତ କାଠ ଶିମିଳିପାଳରୁ ଆସି ଥାଏ । ରାଜାରାଜୁଡା ସମୟରେ ରଥ ଟାଣିବା ନିମନ୍ତେ ରଥ ଦଉଡି ସବୁ ଶିଆଳି ଲତାରେ ପ୍ରସ୍ତୁତ ହେଉ ଥିଲା । ମୟୂରଭଞ୍ଜର ମାଙ୍କଡିଆ ଆଦିବାସୀ ମାନେ ଶିମିଳିପାଳରୁ ଶିଆଳି ଲତା ସଂଗ୍ରହ କରି ସେଥିରୁ ଛାଲ ଉତାରି ଦଉଡି ପ୍ରସ୍ତୁତ କରି ପ୍ରତି ବର୍ଷ ରଥ ଯାତ୍ରା ସମୟ ରେ ଶଗଡ଼ରେ ବାରିପଦାକୁ ଆଣୁଥିଲେ । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ ଆସି ଅଛି ।ବାରିପଦା ଜଗନ୍ନାଥ ମନ୍ଦିରର ରଥ ପଡିଆ ପରିସରରେ ସୁନିଆଁ ଦିନ ଇନ୍ଦ୍ରତ୍ସବ ପର୍ବ ପାଳନ କରାଯାଏ । ଅତୀତରେ ଏଥିପାଇଁ ମନ୍ଦିରର ପୂଜକ, ସୁଆର, ଟହଲିଆ (ଶବର), ମହାରାଜାଙ୍କର ପ୍ରତିନିଧି, ରଥ ମହାରଣା ଓ ରଥ ବଢ଼େଇମାନଙ୍କର ଏକ ପଟୁଆର ସପ୍ତପୁରୀ ଅମାବାସ୍ୟା ଦିନ ଶିମିଳିପାଳକୁ ବନଯାଗ ଯାତ୍ରା କରୁଥିଲେ ।ଶିମିଳିପାଳ ଅଞ୍ଚଳ ବାଥୁଡି ସମ୍ପ୍ରଦାୟ ଇଷ୍ଟ ବଡାମ ଠାକୁରଙ୍କ କ୍ଷେତ୍ର ହୋଇ ଥିବାରୁ ବନଯାଗ ଦୋଳ ଚାଲି ଚାଲି ଅଠର ଦେଉଳ ପାଖକୁ ଯାଇ ପ୍ରଭୁ ବଡାମଙ୍କର ଶରଣ ପଶୁ ଥିଲେ ଓ ସେଠାରେ ବାଥୁଡି ମହାପାତ୍ରଙ୍କ ଦ୍ୱାରା ପୂଜାକାର୍ଯ୍ୟ କରାଇ ରାତ୍ରିଯାପନ କରୁଥିଲେ । ରାତ୍ରି ଯାପନ କାଳରେ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ବଳରେ ମହାଶାଳ ବୃକ୍ଷ ଅବସ୍ଥିତି ସମ୍ପର୍କରେ ସୂଚନା ପାଉଥିଲେ । ସ୍ୱପ୍ନାଦେଶ ପରେ ବନଯାଗ ଦୋଳ ଶିମିଳିପାଳରେ ଥିବା ସବୁଠୁ ଲମ୍ବା ଓ ମୋଟା ଶାଳଗଛ ମଧ୍ୟରୁ ଗୋଟିକୁ ଚିହ୍ନଟ କରୁଥିଲେ । ନିୟମ ଅନୁଯାୟୀ ସେହି ଗଛରେ କଟା ଦାଗ ନ ଥିବ, ତା’ର ଡାଳ ଭାଙ୍ଗି ନ ଥିବ କିମ୍ବା କୌଣସି ଚଢ଼େଇ ବସା ନଥିବ ।

ଭାଦ୍ରବ ମାସ ଶୁକ୍ଳ ଏକାଦଶୀ ଦିନ ଶାଳବୃକ୍ଷ ମୂଳରେ ପୂଜା କରି ବୃକ୍ଷ ଛେଦନ କାରା ଯାଉଥିଲା । ବୃକ୍ଷଟିକୁ କଟାଯିବା ପରେ ପ୍ରାୟ ୧୦ରୁ ୧୨ଟି ହାତୀ ଦ୍ୱାରା ଲୁହା ଶିକୁଳିରେ ବନ୍ଧାହୋଇ ଶିମିଳିପାଳରୁ ବାରିପଦାକୁ ଅଣା ହେଉଥିଲା । ତାପରେ ଗଛର ଅଗ୍ରରେ ଏକ ବାଉଁଶ ସୋଲ ଓ ଫୁଲ ନିର୍ମିତ ଛତା ବନ୍ଧା ହେଉଥିଲା । ତା ପରେ ହଜାର ହଜାର ଲୋକ ଏକତ୍ରିତ ହୋଇ  ହୁଳହୁଳି, ହରିବୋଲ  ଶଙ୍ଖ ଓ ଘଣ୍ଟ ଘଣ୍ଟାନାଦ ଦେଇ ଶିଆଳିଲତା ସାହାଯ୍ୟରେ ଟାଣି ଓ କାଠଠେସା ଦେଇ ଛିଡା କରାଇ ଇନ୍ଦ୍ରତ୍ସବ ପାଳନ ହେଉଥିଲା । ଏବେ କିନ୍ତୁ ଜଙ୍ଗଲ ବିଭାଗର କଟକଣା ହେବା ପରେ ଏହି ପରମ୍ପରା ବନ୍ଦ ହୋଇ ଯାଇଛି ।

ବାରିପଦାରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବା ପରଠାରୁ ପ୍ରଭୁ ଜଗନ୍ନାଥଙ୍କୁ ଲାଗି ହଉଥିବା ବାରିପଦା ପ୍ରସିଦ୍ଧ ଆରିସା ଓ  ଗୂଡ଼ଲଡୁକୁ ଶିମିଳିପାଳର ମହୁ ଦ୍ୱାରା ସୁମିଷ୍ଟ କରାଯାଉଥିଲା । କାରଣ ମୟୂରଭଞ୍ଜ ସେତେ ବେଳେ ବହୁ ଦୁର୍ଗମ ଅଞ୍ଚଳ ଥିବାରୁ ଏଠାରେ ଗୂଡ଼ ଅପେକ୍ଷା ମହୁ ସହଜରେ ମିଳୁଥିଲା । ଶିମିଳିପାଳର ଖଡ଼ିଆ ସମ୍ପ୍ରଦାୟର ଲୋକଙ୍କୁ ମୟୂରଭଞ୍ଜ ମହାରାଜ ଶ୍ରୀମନ୍ଦିରକୁ ମହୁଯୋଗାଣ ନିମନ୍ତେ ଜାଗିରି ପ୍ରଦାନ କରିଥିଲେ ।

ସ୍ନାନପୂର୍ଣ୍ଣିମା ଦିନ ତିନି ଦିଅଁଙ୍କ ସ୍ନାନକାର୍ଯ୍ୟ ନିମନ୍ତେ ପ୍ରାୟ ତିନି ବାଲଟିରୁ ଅଧିକ ଚନ୍ଦନ ପ୍ରଲେପ ଆବଶ୍ୟକ ହୋଇ ଥାଏ । ଏହି ପ୍ରଲେପକୁ ମନ୍ଦିରର ଟହଲିଆ (ଶବର) ମାନେ ଦୁଇ ତିନି ଦିନ ପୂର୍ବରୁ ଚନ୍ଦନ କାଠକୁ ପଥରରେ ଘୋରି ପ୍ରସ୍ତୁତ କରିଥାଆନ୍ତି । ଚନ୍ଦନ ଏକ ବିରଳ ଗଛ ହୋଇ ଥିବାରୁ ପ୍ରାୟତଃ ସମସ୍ତ ଜଙ୍ଗଲରେ ଦେଖାଯାଏ ନାହିଁ । କିନ୍ତୁ ଶିମିଳିପାଳରେ ଏହା ପ୍ରଚୁର ମାତ୍ରା ଦେଖା ଯାଇଥାଏ । ପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଶିମିଳିପାଳରୁ ହିଁ ଚନ୍ଦନ କାଠ ଆସିଥାଏ ।

ଶିମିଳିପାଳ ଜଙ୍ଗଲ ଅନେକ ଔଷଧୀୟ ବୃକ୍ଷର ଗନ୍ତାଘର । ବାରିପଦା ଶ୍ରୀମନ୍ଦିରରେ ଅଣସର ସମୟରେ ତିନି ଠାକୁର ଅସୁସ୍ଥ ଥିଲା ବେଳେ ତାଙ୍କର ସୁସ୍ଥ ହେବା ପାଇଁ ଦଶ ପ୍ରକାର ଗଛର ମୂଳରୁ ପ୍ରସ୍ତୁତ ଦଶମୁଳାରିଷ୍ଟ ମହୌଷଧି ଦିଆ ଯାଇଥାଏ । ଏଥି ପାଇଁ ବ୍ୟବହୃତ ହେଉ ଥିବା ଶାଳପର୍ଣ୍ଣି, କୃଷ୍ଣପର୍ଣ୍ଣି, ଗମ୍ଭାରୀ, ପଣପଣା, ପାଟଳି, ଅଙ୍କରାନ୍ତି, ଗୋଖରା, ଖଣି ବଥୁ, ଲବାଙ୍ଗ କୋଳି ଓ ବେଲ ଗଛର ମୂଳ ସବୁ ଶିମିଳିପାଳ ଜଙ୍ଗଲରୁ ହିଁ ସଂଗୃହୀତ ହୋଇ ଥାଏ ।

ଯୋଡ଼ା ଆଷାଢ଼ ପଡିଲେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ନବକଳେବର ହୁଏ କିନ୍ତୁ ଏଠାରେ ଦିଅଁଙ୍କର ବ୍ରହ୍ମ ପରିବର୍ତ୍ତନ ପରମ୍ପରା ନାହିଁ । ଦାରୁବ୍ରହ୍ମ ଉପରେ ଥିବା ଆବରଣର ୨୧ ପରସ୍ତ ଟସର ବସ୍ତ୍ର ସହିତ ଲାଖ ଓ ଝୁଣାର ଏକ ପ୍ରଲେପ ଥାଏ । ନବକଳେବର ସମୟରେ ଏହି ଆବରଣକୁ ଛଡାଇ ପୁଣି ଏକ ନୂଆ ଟସର ବସ୍ତ୍ର ସହିତ ଲାଖ ଓ ଝୁଣାର ଏକ ପ୍ରଲେପ ଦେଇ ତା’ର ଉପରେ ପୁଣି ତେନ୍ତୁଳି ମଞ୍ଜିର ଅଠା ଦେଇ ଏକ ଶୁଦ୍ଧ ଧଳା କପାସୁତାର ବସ୍ତ୍ରର ଆବରଣ ଦେଇ ରଙ୍ଗର ଆକୃତି ଦିଆଯାଇ ଥାଏ । ନବକଳେବରରେ ବ୍ୟବହୃତ ହେଉଥିବା ଟସର ମୟୂରଭଞ୍ଜର ଖଡ଼ିଆ ସମ୍ପ୍ରଦାୟ ଦ୍ୱାରା ଶିମିଳିପାଳ ଜଙ୍ଗଲରୁ ସଂଗୃହିତ ହୋଇ ମୟୂରଭଞ୍ଜର ଡ଼ିହିରାକୂଳ ପାଟରା ମାନଙ୍କ ଦ୍ଵାରା ଟସର ବସ୍ତ୍ର ବୁଣାହୋଇ ମନ୍ଦିରକୁ ଆସିଥାଏ । ସେହିପରି ପ୍ରଲେପ ପାଇଁ ବ୍ୟବହୃତ ଝୁଣା ଶିମିଳିପାଳର ଶାଳଗଛ ଠାରୁ ସଂଗୃହିତ ହୋଇଥାଏ ଏବଂ ଲାଖ ମଧ୍ୟ ଶିମିଳିପାଳ ଜଙ୍ଗଲର କୁସୁମଗଛ ଡାଳରେ ହେଉଥିବା ଏକ ପ୍ରକାର ପୋକର ମୂଳରୁ ସଂଗ୍ରହ କରାଯାଇଥାଏ।

ଶିମିଳିପାଳ ଓ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ମଧ୍ୟରେ ଗଢି ଉଠି ଥିବା ଏହି ବିରଳ ସାଂସ୍କୃତିକ ଓ ପାରମ୍ପରିକ ସମ୍ପର୍କ ବାସ୍ତବରେ ଅତ୍ୟନ୍ତ ନିଆରା ଓ ବିରଳ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago