ଲେଖା: ଦେଵ ତ୍ରିପାଠୀ

କଟକ ସାହେବଜାଦା ବଜାରର ସେଇ ପୁରୁଣା ଦୁଇ ମହଲା କୋଠା ! ଅଗଷ୍ଟ ୧୫ କି ଜାନୁୟାରୀ ୨୬ ଆସିଲେ ଏଇ କୋଠାଟି ବିସ୍ମୃତିର ବହଳ ଚାଦର ଭିତରୁ ଉଙ୍କି ମାରି ଉଠେ । ଏଇ କୋଠାର ଛାତି ଉପରେ ତ୍ୟାଗ, ଆଦର୍ଶ, ସାଧନାର ଝାଞ୍ଜପିଟା ହୁଏ, ଏଇ କୋଠା ସହିତ ଜଡ଼ିତ ମହାମାନବମାନଙ୍କର ମହାନତା ଓ ମହାର୍ଘତାର ମୃଦଙ୍ଗ ବଜାଯାଏ, କୃତି ଓ କୀର୍ତ୍ତିର କୀର୍ତ୍ତନ ହୁଏ ! ପରବର୍ତ୍ତୀ ଦିବସ ପାଇଁ ବିସ୍ମୃତିର ବହଳ ଚାଦରଟିଏ ଢ଼ାଙ୍କି ଦିଆଯାଏ ପୁଣି !

ସରକାରୀ କାଗଜପତ୍ରରେ ‘ହେରିଟେଜ୍ ବିଲଡ଼ିଂ’ର ଆଖ୍ୟା ପାଇଥିବା ସେଇ ମଳିନ କୋଠାଟି ଉପଯୁକ୍ତ ମର୍ଯ୍ୟାଦାର ଅଭାବରେ ତିଷ୍ଠି ରହିଛି କେବଳ !


ସ୍ବରାଜ ଆଶ୍ରମ । ବହନ କରେ ସ୍ବାଧୀନତା ଆନ୍ଦୋଳନ ସମୟର ଅନେକ ବ୍ୟଥାବେଦନାର କାହାଣୀ, ଆଶା ଓ ଆଶଙ୍କା ଭିତରେ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ମାନଙ୍କର ବିତିଛି କେତେ କେତେ ବିନିଦ୍ରରଜନୀ ! ଭାରତମଣି ଗୋପବନ୍ଧୁଙ୍କ ଠାରୁ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମାଳତୀଦେବୀ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ଭାଗିରଥୀ ମହାପାତ୍ର, ନିତ୍ୟାନନ୍ଦ କାନୁନଗୋଙ୍କ ଭଳି ଅନେକ ମୁକ୍ତିଯୋଦ୍ଧାଙ୍କ ସଂଗ୍ରାମର ରଣନୀତି ସବୁ ଦେଖିଚି ଏଇ ଆଶ୍ରମ, ସଂଗ୍ରାମୀଙ୍କ ତପ୍ତ ମାନସିକତାର ଉଷ୍ମ ହୋଇଛି ସେ ! ସର୍ଦ୍ଦାର ପଟେଲ, ମୋତିଲାଲ ନେହେରୁ, ରାଜଗୋପାଳାଚାରୀ, ନେତାଜୀ ସୁଭାଷଙ୍କ ଚରଣରେଣୁରେ ମହିମାମଣ୍ଡିତ ହୋଇଛି ଏ ଆଶ୍ରମ !


ଗାନ୍ଧିଜୀ ଏହିଠାରେ ହିଁ ରଚିଛନ୍ତି ଅସହଯୋଗ, ଭାରତଛାଡ଼ ଓ ଆଇନ ଅମାନ୍ୟ ପରି ତିନୋଟି ସତ୍ୟାଗ୍ରହର ରୂପରେଖ ! ନିଶା ନିବାରଣ, ବିଦେଶୀ ଦ୍ରବ୍ୟ ବର୍ଜନ ଓ ଅରଟ ପ୍ରଚଳନ ଭଳି ଗାନ୍ଧିଜୀଙ୍କ ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ଦଶନ୍ଧି ଧରି ପ୍ରମୁଖ ଭୂମିକା ନିର୍ବାହ କରିଆସିଛି ଏଇ ସ୍ବରାଜ ଆଶ୍ରମ !

ତେବେ ଦୁଃଖ ଓ କ୍ଷୋଭର କଥା, ଏତେ ଗୁରୁତ୍ଵପୂର୍ଣ୍ଣ ସ୍ମୃତି ବୁକୁ ଧରି ରଖିଥିବା ଓଡ଼ିଶା ମାଟିରେ ସ୍ବାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ଏଇ ଆଶ୍ରମ ସରକାର ତଥା ବୁଦ୍ଧିଜୀବିମାନଙ୍କ ଉଦାସୀନତା କାରଣରୁ ଅବହେଳିତ ହୋଇ ପଡ଼ିରହିଛି, ଆଶ୍ରମଟିର ମର୍ଯ୍ୟାଦା ବୃଦ୍ଧିକୁ ନେଇ କେତେ କେତେ ସ୍ବପ୍ନିଳ ଯୋଜନାର ପ୍ରଣୟନ ସତ୍ତ୍ୱେ !



ହେଜିବାର କଥା ଯେ, ଏଇ ସ୍ବରାଜ ଆଶ୍ରମ ସହ ଜଡ଼ିତ କଟକ ନଗରରେ ରହିଛି ଅନେକ ଛୋଟବଡ଼ ସ୍ମୃତିବହୁଳ ସ୍ଥାନ, ଯେପରି କି, ବାଖରାବାଦର ଗାନ୍ଧୀଘର, ଏହିଠାରେ ହିଁ ଗାନ୍ଧୀ ବହୁବାର ବିଶ୍ରାମର ଛଳରେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି, ଯାହାର ସ୍ମୃତି ସ୍ବରୁପ ସେଇ ଚାଳିଆଘରେ ଆଜି ମଧ୍ୟ ଦଶହରାରେ ପୂଜା ପାଇଆସୁଛନ୍ତି ଭାରତମାତା ।

ଚିତ୍ର: Fjr Sashanka, Deba Prasad Swain 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago