ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଓଡ଼ିଆ ଭାଷାରେ ମାନକ ଵା ସଂସ୍କୃତ ଶବ୍ଦ ଯେତିକି ମହତ୍ତ୍ୱପୂର୍ଣ୍ଣ ସେତିକି ଆଵଶ୍ୟକତା ଦେଶଜ ଶବ୍ଦର ମଧ୍ୟ ରହିଛି । ଗୋଟିଏ ଭାଷାରେ କୌଣସି ମାନକ ଶବ୍ଦର ଅନେକ ଦେଶଜ ପ୍ରତିରୂପ ଥାଇପାରେ । ଏମିତିରେ କେଵଳ ମାନକ ଶବ୍ଦଟିକୁ ଠିକ୍ କହି ଵାକି ଆଞ୍ଚଳିକ ଶବ୍ଦ ଗୁଡ଼ିକୁ ଭୁଲ୍ କହିଵା ଆରମ୍ଭ କଲେ ଆଞ୍ଚଳିକତା ବୃଦ୍ଧି ପାଇଥାଏ । ମାନକ ଓଡ଼ିଆରେ ସାମଞ୍ଜସ୍ୟ ଶବ୍ଦ ଵ୍ୟଵହୃତ ହୋଇଥାଏ କିନ୍ତୁ ଏ ଶବ୍ଦର ଅନେକ ଦେଶଜ ରୂପର ଉଲ୍ଲେଖ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ଅନେକ ଅଭିଧାନରେ ଦେଖିଵାକୁ ମିଳିଯାଏ । ‛ସାମଞ୍ଜସ୍ୟ’ ଶବ୍ଦର ଅର୍ଥ ଗୁଡ଼ିକ ଯଥା ମେଳ, ଔଚିତ୍ଯ ଉପଯୋଗିତା, ସଦ୍ଭାବ, ଐକମତ୍, ସମତା ଓ ଉତ୍କର୍ଷ ।

ଏ ଶବ୍ଦଟି ସଂସ୍କୃତର ‛ସମଞ୍ଜସ’ ଶବ୍ଦରେ ଭାଵାର୍ଥେ ‛ଯ’ ଲାଗି ନିଷ୍ପନ୍ନ କରାଯାଇଛି ।

ଏହାର କେତେକ ଅର୍ଥ ଯଥା:
(ଵିଶେଷଣ)
ସମୀଚୀନ, ଉପଯୁକ୍ତ, ଅଭ୍ଯସ୍ତ, ଅଭିଜ୍ଞ, ସୁପରିଚି, ସ୍ବଜନ, ଉତ୍କୃଷ୍ଟ, ଯଥାର୍ଥ, ସତ୍ଯ, ତୁଲ୍ଯ; ସଦୃଶ; ସମାନ, ବିବାଦର ସମାଧାନ; ମେଣ୍ଟାମେଣ୍ଟି,

(ଵିଶେଷ୍ଯ)
ସ୍ଥିର: ସିଦ୍ଧାନ୍ତ, ସୁଜନ ବ୍ଯକ୍ତି, ଉତ୍ତମ ବ୍ଯକ୍ତି, ଉପଯୁକ୍ତତା, ଯଥାର୍ଥ, ସଂପୂର୍ଣ୍ଣରୂପେ ମିଳନ, ଦୁଇ ଜଣଙ୍କର ପରସ୍ପର ବୁଝାବୁଝି ହେବା ପରେ ମୀମାଂସା ଇତ୍ୟାଦି


ମାନକ ‛ସମଞ୍ଜସ’ ଓ ‛ସାମଞ୍ଜସ୍ୟ’ ସହିତ ସମଧୃତ ଅନେକ ଦେଶଜ ଓଡ଼ିଆ ଶବ୍ଦ ମଧ୍ୟ ପ୍ରଚଳିତ, ଯେପରିକି,୧. ‛ସମଜସ’ (ପୂ.ଭା. ୮୧୬୦)
ଏହା ଏକ ଦେଶଜ ଵିଶେଷ୍ୟ (ଏହାର ସଂ. ସାମଞ୍ଜସ୍ଯ ଓ ସମଞ୍ଜସ)
ଅର୍ଥ
( ଵିଶେଷ୍ୟ; ସମଞ୍ଜସ୍ୟ)
→ସମାଧାନ, ବିବାଦଭଞ୍ଜନ, ବୁଝାଇବା
(ଵିଶେଷଣ; ସମଞ୍ଜସ)
→ସମୀଚୀନ, ସମୁଚିତ୨. ‛ସମୁଝସ’ (ପୂ.ଭା. ପୃ ―୮୧୬୦)
ଏ ଶବ୍ଦର ଅର୍ଥ ମଧ୍ୟ ‛ସମଜସ’ ସହିତ ସମାନ ଅଟେ, ଯଥା:
ସମାଧାନ, ବିବାଦଭଞ୍ଜନ, ବୁଝାଇବା, ସମୀଚୀନ ଓ ଉଚିତ ଇତ୍ୟାଦି୩. ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପୃଷ୍ଠା ୮୪୧୫ରେ ‛ସମାଜସ’ ବୋଲି ଆଉ ଏକ ଶବ୍ଦର ଉଲ୍ଲେଖ ରହିଛି । ଏ ଶବ୍ଦଟି ମଧ୍ୟ ସାମଞ୍ଜସ୍ଯ ସହିତ ସମଧୃତ ଅଟେ । ଏହାର ଅର୍ଥ
(ଵିଶେଷ୍ୟ)
●ବିବାଦ ପରେ ମେଳାପ
●ବିବାଦର ଆପୋସ ମୀମାଂସା ବା ସମାଧାନ
●ସଦ୍ଭାବ; ଦୁଇଜଣଙ୍କ ମଧ୍ଯରେ ମେଳ

(ଵିଶେଷଣ)
●ଯେଉଁ ବ୍ଯକ୍ତି ବିବାଦକୁ ମିଳାଇଦିଏ

୪. ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପୃଷ୍ଠା ୮୪୧୫ରେ ‛ସମାଞ୍ଜସ’ ବୋଲି ଆଉ ଏକ ଦେଶଜ ପ୍ରତିରୂପ ସ୍ଥାନିତ ହୋଇଛି, ଏହାର ଅର୍ଥ ପ୍ରୋକ୍ତ ‛ସମାଜସ’ ସହିତ ସମ୍ପୂର୍ଣ୍ଣ ସମାନ ଅଟେ ।

୫. ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପୃଷ୍ଠା ସଂଖ୍ୟା ୮୧୬୧ରେ ସମଞ୍ଜସ ଓ ସାମଞ୍ଜସ୍ୟ ଶବ୍ଦ ସହିତ ସମଧୃତ ଆଉ କେତେକ ଶବ୍ଦ ମିଳେ ଯଥା: ‛ସମଜାଇସ’, ‛ସମଜାସି’, ‛ସମୁଜାସି’, ‛ସମୁଜାଇସ’, ସମଜାସି, ସମୁଜାସି ଇତ୍ୟାଦି ।

ଏ ଶବ୍ଦଗୁଡି଼କର ଏକ ଅର୍ଥ ସମଜସ ସହିତ ସମାନ ଅନ୍ୟ ଏକ ଅର୍ଥ କୈଫିୟତ ଵା ଵାଖ୍ୟା ଥିଵା ଭାଷାକୋଷରେ ଉଲ୍ଲେଖ କରାଯାଇଛି ।

ପ୍ରୋକ୍ତ ଆଲୋଚନାରୁ ଆମେ କ’ଣ ଜାଣିଲେ ?

★୧. ସାମଞ୍ଜସ୍ୟର ଅନେକ ଦେଶଜ ଶବ୍ଦ ବି ରହିଛି
★୨. ସାମଞ୍ଜସ୍ୟ ଓ ସମଞ୍ଜସ ଶବ୍ଦରେ ଥିଵା ଯୁକ୍ତାକ୍ଷର ‛ଞ୍ଜ’ ଯାହାକି ‛ଞ+ଜ’ ହୋଇ ଗଠିତ ତହିଁର ଦେଶଜ ଶବ୍ଦଗୁଡ଼ିକ ମଧ୍ୟରେ କେଉଁଠି ‛ଜ’ର ପ୍ରାଧାନ୍ୟ ରହିଛି ତ କେଉଁଠି ‛ଝ’ ଓ ଆଉକେଉଁଠି ‛ଞ୍ଜ’ ଲୋପ ନହୋଇ ରହିଥାଉଛି (ଯଥା-(ଜ)ସମଜସ,ସମାଜସ/(ଝ)ସମୁଝସ/ସମାଞ୍ଜସ ଇତ୍ୟାଦି

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‛ସାମଞ୍ଜସ୍ୟ’ ଶବ୍ଦର ଆଉ ଏକ ଦେଶଜ ପ୍ରତିରୂପ ସ୍ଥାନିତ ହୋଇନାହିଁ ଯାହା ଆଜି କଥିତ ଓ ଲିଖିତ ଭାଷାରେ ବହୁପ୍ରଚଳିତ ହେଲାଣି ତାହା ହେଉଛି ‛ସାମଜସ୍ୟ’ । ‛ସାମଜସ୍ୟ’ ଶବ୍ଦ କ୍ଷେତ୍ରରେ ମଧ୍ୟ ‛ସମଜସ’ ଓ ‛ସାମଜସ’ ଶବ୍ଦ ଭଳି ‛ଞ୍ଜ’ ଯୁକ୍ତାକ୍ଷରରେ ଥିଵା ‛ଜ’ କୁ ମହତ୍ତ୍ଵ ମଳିଛି ଓ ‛ଞ’ ଲୋପ ପାଇଛି ।

ତେବେ କିଛି ଲୋକ ‛ସାମଜସ୍ୟ’ ଶବ୍ଦଟି ଗ୍ରହଣୀୟ ନୁହେଁ ବୋଲି ଓକିଲାତି କରୁଛନ୍ତି ତାଙ୍କ ମତରେ
୧. ସାମଞ୍ଜସ୍ୟ ହିଁ ଠିକ୍
୨. ସାମଜସ୍ୟ ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନିତ ହୋଇନି ଇତ୍ୟାଦିତେବେ ଏଠାରେ ବୁଝିବାକୁ ହେଵ ଯେ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରାୟ ଦେଢ଼ ଶତ ଵର୍ଷ ପୂର୍ବର ଏକ ଵିଶାଳ ଅଭିଧାନ ଏଵଂ ଏଥିରେ ଥିଵା ସମସ୍ତ ଶବ୍ଦ ଠାରୁ ଆହୁରି ଶତଗୁଣ ଅଧିକ ଶବ୍ଦ ଓଡ଼ିଆ ଭାଷାରେ ଵିଭିନ୍ନ ଅର୍ଥରେ ଚଳୁଅଛି ଯାହା ଏ ଭାଷାକୋଷ ମଧ୍ୟରେ ସ୍ଥାନ ପାଇନାହିଁ । ଉଦାହରଣ ସ୍ୱରୂପ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନଥିଵା ଅସରପା ଅର୍ଥରେ ଵ୍ୟଵହୃତ ‛କବାଟକଣିଆ’ ଶବ୍ଦ ଢେଙ୍କାନାଳରେ ବହୁପ୍ରଚଳିତ । ଯଦି କେହି କୁହେ ଯେ ଏ ଶବ୍ଦ ତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅସରପା ଅର୍ଥରେ ନାହିଁ ତେଣୁ ଓଡ଼ିଆ ଶବ୍ଦ ନୁହେଁ ତେବେ ତାହା ଗ୍ରହଣୀୟ ହେଵ କି ? ଅସ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପୁନଃ ସମ୍ପାଦନ ଓ ମୁଦ୍ରଣର ନିହାତି ଆଵଶ୍ୟକତା ରହିଛି ଏଵଂ ଯେଉଁମାନେ ଵର୍ଣ୍ଣ ପରିବୃତ୍ତି ଯୋଗୁଁ ସୃଷ୍ଟ ସାମଜସ୍ୟ ଶବ୍ଦକୁ ଏକ ଶବ୍ଦ ମାନୁନାହାନ୍ତି ସେମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନିତ ଅନ୍ୟ ଦେଶଜ ଶବ୍ଦ ଗୁଡି଼କୁ (ଯଥା ‛ସମଜସ’, ‛ସମୁଝସ’, ‛ସମାଜସ’, ‛ସମାଞ୍ଜସ’, ‛ସମଜାଇସ’, ‛ସମଜାସି’, ‛ସମୁଜାସି’, ‛ସମୁଜାଇସ’, ସମଜାସି’) କେମିତି ଗ୍ରହଣ କରିପାରିବେ କାରଣ ‛ସାମଜସ୍ୟ’ ଭଳି ଏ ଶବ୍ଦ ଗୁଡ଼ିକ ମଧ୍ୟ ସାମଞ୍ଜସ୍ୟ କିମ୍ବା ଏହାର ପ୍ରାକୃତ ରୂପରୁ ଵର୍ଣ୍ଣ ପରିବୃତ୍ତି ଯୋଗୁଁ ଜାତ ହୋଇଛନ୍ତି ।ସୁତରାଂ ଯଦି ସାମଞ୍ଜସ୍ୟର ପ୍ରୋକ୍ତ ଦେଶଜ ପ୍ରତିରୂପ ମାନ ଗ୍ରହଣୀୟ ତେବେ ଆଜିକାଲି ବହୁପ୍ରଚଳିତ ‛ସାମଜସ୍ୟ’ ମଧ୍ୟ ଗ୍ରହଣୀୟ ଅଟେ ।(ତଥ୍ୟ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ)

© ଶିଶିର ସାହୁ ମନୋଜ)

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago