ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ସାର୍ଟ ଅର୍ଥରେ ଵ୍ୟଵହୃତ ଏହି ‛ଅଙ୍ଗା’ ଵା ‛ଅଙ୍ଗି’ ଶବ୍ଦଟି ଓଡ଼ିଶାର ଏକ ବହୁପ୍ରଚଳିତ ଦେଶଜ ଶବ୍ଦ ଏଵଂ ଏହାର ସଂସ୍କୃତ ସମଧୃତ ପ୍ରତିଶବ୍ଦ ହେଲା ‛ଅଙ୍ଗିକା’ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‛ଅଙ୍ଗା’ ଵା ‛ଅଙ୍ଗି’ ଶବ୍ଦର ନିମ୍ନଲିଖିତ ଅର୍ଥ ପ୍ରଦାନ କରାଯାଇଛି ।
◆ ଅଙ୍ଗରଖା; କୁରୁତା
[ଉଦାହରଣ: ସମସ୍ତଙ୍କ ଅଙ୍ଗେ ଗୈରିକ ‛ଅଙ୍ଗା’ ଆକଣ୍ଠ ପଦଲମ୍ବିତ। ଫକୀରମୋହନ, ଗଳ୍ପସ୍ବଳ୍ପ]

◆ ଦେହ; ଦେହର ଅଂଶ; ଅଵୟଵ
ସଂ ଅଙ୍ଗ ଶବ୍ଦର ଦେଶଜ ରୂପ ଵିଶେଷ

[ଉଦାହରଣ: ପୂର୍ଵରୁ ଵସୁଷେଣ ନାମ ବହିଥିଲେ, ‛ଅଙ୍ଗା’ କାଟି ଦେଵାରୁ କର୍ଣ୍ଣ ବୋଲାଇଲେ । କୃଷ୍ଣସିଂହ ମହାଭାରତ, ଆଦି]

◆ ଭାରଯଷ୍ଟି ଵା ବାହୁଙ୍ଗିରେ ବୁହାଯିଵା ଭାରର ଗୋଟିଏ ମୁଣ୍ଡରେ ଝୁଲୁଥିବା ବୋଝ ।
ଭାର ବୋହିବା ଲୋକ ଗୋଟିଏ ବାଉଁଶ ବା କାଠ ଯଷ୍ଟିର ମଝିଠାରେ କାନ୍ଧ ଲଗାଇଥାଏ । ଏହି ଯଷ୍ଟିକୁ ‘ବାହୁଙ୍ଗି’ କହନ୍ତି । ବାହୁଙ୍ଗିର ଦୁଇ ମୁଣ୍ଡରେ ଦିଓଟି ଶିକା ଝୁଲୁଥାଏ । ଏହି ଦୁଇ ଶିକାରେ ଦୁଇଟି ବୋଝ ରଖାଯାଏ । ପ୍ରତ୍ଯେକ ପାଖର ବୋଝକୁ ‘ଅଙ୍ଗା’ କହନ୍ତି । ଏ ଶବ୍ଦ ମଧ୍ୟ ଅଙ୍ଗ ଶବ୍ଦଜ ଅଟେ । 2 ଅଙ୍ଗା=1 ଭାର।]

◆ (ସଂ. ଅଙ୍ଗ) ବାହୁଙ୍ଗିଦ୍ବାରା ବୁହା ହେବା ଭାରର ଅଧେ ପରିମିତ ବସ୍ତୁ; ଏକ ବୋଝ

◆ (ସଂ.ଅଙ୍ଗ) ମଞ୍ଜ କଦଳି ପତ୍ରର ପୃଷ୍ଠଦଣ୍ଡର ଦୁଇ ପାଖରେ ଥିବା ପତ୍ରର ଏକ ଫାଳ

ତେବେ ଅଙ୍ଗା ଶବ୍ଦର ଦକ୍ଷିଣ ଓ ଦକ୍ଷିଣପୂର୍ବ ଓଡ଼ିଶାରେ ଵସ୍ତ୍ର ଅର୍ଥରେ ଵ୍ଯଵହାର ଲୋକପ୍ରିୟ ହୋଇଥିଵାଵେଳେ ଅନ୍ୟ ଅର୍ଥରେ ଵ୍ୟଵହାର ଗୌଣ ଅଟେ ।

ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଏ ଶବ୍ଦଟି ଵିଭିନ୍ନ ରୂପ ଓ ଅର୍ଥରେ ମିଳିଯାଏ । ଯଥା-
୧. ଅଙ୍ଗି (ଗଞ୍ଜାମ, ଗଜପତି)
କ. କାଞ୍ଚଲା; ସ୍ତ୍ରୀଲୋକମାନଙ୍କର ଅଧାହାତିଆ ଜାକେଟ (bodice)
ଖ. କୁରୁତା; ଗନ୍ତା
ଗ. ଫତେଇ; ଅଧାହାତିଆ କୁରୁତା

୨. ଅଙ୍ଗିଆ (ଜଗତସିଂହପୁର)
ଜାମା (କିନ୍ତୁ ଗଞ୍ଜାମରେ ବାତରୋଗକୁ ଅଙ୍ଗିଆ କୁହାଯାଏ)

୩. ଅଙ୍ଘି (କନ୍ଧମାଳ)
ସାର୍ଟ ଵା ଜାମା

୪. ଆଙ୍ଗଡା଼ (ଅନୁଗୋଳ)
ଜାମା, କୁରୁତା

୫. ଆଙ୍ଗି (ରାୟଗଡ଼ା, ନଵରଙ୍ଗପୁର)
ସାର୍ଟ

୬. ଆଙ୍ଗୁ (ରାୟଗଡ଼ା)
ହ୍ୟାପ ପ୍ୟାଣ୍ଟ୍

ଅଵିଭକ୍ତ କୋରାପୁଟର ଲୋକ ସଂସ୍କୃତିରେ ଅଙ୍ଗା ଶବ୍ଦର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଏଠାକାର ଗଣ୍ଠ ଜନଜାତୀୟ ଦେଵତା ‛ବୁଢ଼ା ଦେଓ’ଙ୍କ ଵସ୍ତ୍ରକୁ ‛ଅଙ୍ଗା’ କୁହାଯାଇଥାଏ । ଵିଭିନ୍ନ ପର୍ଵପର୍ଵାଣୀ ଵିଶେଷତଃ ‛ମଣ୍ଡେଇପର୍ଵ’ରେ ଗଣ୍ଡଗୋଷ୍ଟୀ ‛ବୁଢ଼ା ଦେଓ’ଙ୍କୁ ନଟଵସ୍ତ୍ର ଅର୍ପଣ କରିଥାନ୍ତି । ଏହି ଵସ୍ତ୍ର ନାଲି, କଳାରଙ୍ଗର ହୋଇଥାଏ ଏଵଂ ଏହି ଵସ୍ତ୍ରରେ କଉଡି଼ ଖଞ୍ଜା ଯାଇଥାଏ । ଏହି ‛ଅଙ୍ଗା’ ଗଣ୍ଡ ଜନଜାତୀୟ ସଂସ୍କୃତିର ଏକ ପ୍ରତୀକ ଏଵଂ କେଵଳ ଦେଵଵସ୍ତ୍ର ଭାଵରେ ଵ୍ୟଵହୃତ ହୋଇଥାଏ ।

ଅସ୍ତୁ ଅଙ୍ଗି ଶବ୍ଦର ଵିଭିନ୍ନ ଅର୍ଥ ଥିଲେ ହେଁ ଏହାର ଵସ୍ତ୍ର ଅର୍ଥରେ ଵ୍ୟଵହାର ଉଭୟ ସାହିତ୍ୟ ଓ କଥିତ ଭାଷା ରହିଥିଲା । ଓଡ଼ିଶାର ଗୋଟିଏ ଅଞ୍ଚଳରେ ଏକ ଶବ୍ଦର ଅର୍ଥ ଅନ୍ୟ ଅଞ୍ଚଳରେ ଭିନ୍ନ ହୋଇଥାଇପାରେ ଜଣେ ଲୋକ ଯଦି ଅନ୍ୟ ଅଞ୍ଚଳରେ ପ୍ରଚଳିତ ଉକ୍ତ ଶବ୍ଦର ଭିନ୍ନ ଅର୍ଥ ନ ଜାଣିଥାଏ ତେବେ ତାହା ତା’ର ଭୁଲ୍ ନୁହେଁ କିନ୍ତୁ କୌଣସି ଶବ୍ଦ ଵା ଵାକ୍ୟର ଅର୍ଥକୁ ନବୁଝି କହୁଥିଵା ଲୋକକୁ ଅଵିଵେକୀ, ଅଯୋଗ୍ୟ ଆଦି ପ୍ରମାଣିତ କରିଵାକୁ ଚେଷ୍ଟା କରିଵା ଆମ୍ଭ କଳିଙ୍ଗୀ ଜାତୀୟତା ପ୍ରତି ଵିପଦଜନକ ହୋଇପାରେ ।

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago