ଲେଖା: ଅମ୍ରିତେଶ ଖଟୁଆ

“ବିଚକ୍ଷଣ ରାଜଗୁରୁ ହେ ଶ୍ୟାମସୁନ୍ଦର,
ଆଦ୍ୟ ଗ୍ରାଜୁଏଟ ତୁମ୍ଭେ ଗଞ୍ଜାମ ଜିଲ୍ଲାର।
ଗଞ୍ଜାମ ବାସୀଏ ଏଣୁ ଥିଲେ ଆଶା କରି,
ସର୍ବକାର୍ଯ୍ୟେ ହେବ ତୁମ୍ଭେ ଅଗ୍ରଣୀ ଏପରି।
           
ସେଥିରୁ ଚିହ୍ନ ସ୍ଵରୂପ ବୋଲା ଯାଇପାରେ,
ସଭାପତି ହେଲ ଆଦ୍ୟ ଗଞ୍ଜାମ ସଭାରେ।
×     ×      ×     ×    
ସମାଜ ଆଭ୍ୟନ୍ତରିତ ରହସ୍ୟ ସକଳ
ବିଦୂରିତ କରି ତା’କୁ କର ସୁନିର୍ମଳ।

ଅଟ ତୁମ୍ଭେ ଉତ୍କଳର କୃତୀ ପୁତ୍ର ଜଣେ
ଏହି କଥା ଭାଇ ସଦା ରଖିଥିବ ମନେ।
ବିଶେଷେ ଗଞ୍ଜାମ ପୁଣି ସମଗ୍ର ଉତ୍କଳେ,
ତୁମ୍ଭ ମୁଖାପେକ୍ଷୀ ହୋଇ ରହିଛି କେବଳେ। “
(କବିଶେଖର ଚିନ୍ତାମଣି ମହାନ୍ତି, ‘ଗଞ୍ଜାମ ଭ୍ରମଣ’, ୧୯୦୬)

ଊନବିଂଶ ଶତାବ୍ଦୀରେ ଇଂରେଜ ସଂସ୍ରବଣ ଓଡ଼ିଆ ଭାଷାକୁ ଏକ ନୂଆ ଆୟାମ ପ୍ରଦାନ କରିଛି। ୧୮୩୮ ମସିହାରେ ପ୍ରଥମ ମୁଦ୍ରଣଯନ୍ତ୍ରର ସ୍ଥାପନା ସହ ବିଭିନ୍ନ ଭାଷାର ଗ୍ରନ୍ଥମାନଙ୍କର ପ୍ରକାଶନ ଘଟେ। ‘ଜ୍ଞାନାରୁଣ’, ‘ପ୍ରବୋଧଚନ୍ଦ୍ରିକା’‘ଅରୁଣୋଦୟ’ ଶୀର୍ଷକରେ ତିନୋଟି ପତ୍ରିକା ପ୍ରକାଶ ପାଇଥାଏ। ଦେଶୀୟ ଓ ବୈଦେଶିକ ରୁଚିଶୀଳତାର ଯୁଗ୍ମ ଉଦ୍ୟମରେ ଭାଷା ଓ ସାହିତ୍ୟର ଚର୍ଚ୍ଚା ନିମନ୍ତେ ଆଧୁନିକ ଚୈତ୍ୟ-ଯାତ୍ରାର ଶୁଭଲଗ୍ନ ଘଟିଛି – ପୁନଶ୍ଚ ପ୍ରବନ୍ଧ ବା ଗଦ୍ୟ ଶୈଳୀରେ। ସେତେବେଳେ ଏହି ପ୍ରବନ୍ଧ ରଚନାର ମୁଖ୍ୟ ଉଦ୍ଦେଶ୍ୟ ଏପରି ଥିଲା :
                          
(କ) ଆପଣା ଭାଷା ଓ ସାହିତ୍ୟର ଚର୍ଚ୍ଚା ଦ୍ଵାରା ପ୍ରତିବେଶୀଙ୍କ ଆତ୍ମଶ୍ଲାଘାକୁ ପ୍ରତିହତ କରିବା।

(ଖ) ଶିକ୍ଷା ବ୍ୟବସ୍ଥାରେ ମାତୃଭାଷାରେ ପାଠ୍ୟପୁସ୍ତକ ପ୍ରଣୟନ ପାଇଁ କ୍ଷେତ୍ର ପ୍ରସ୍ତୁତି।

(ଗ) ସମ୍ବାଦ ଓ ସାହିତ୍ୟ ପତ୍ରିକା ମାଧ୍ୟମରେ ଏକ ବୃହତ୍ତର ନବଶିକ୍ଷିତ ପାଠକ ଗୋଷ୍ଠୀର ସଂସୃଷ୍ଟି।

(ଘ) ପ୍ରାଚୀନ ତଥା ମଧ୍ୟଯୁଗୀୟ ସାହିତ୍ୟ ଗ୍ରନ୍ଥମାନଙ୍କର ମୁଦ୍ରଣ ସମେତ ବିଷେଷ ଚର୍ଚ୍ଚା

(ଙ) ଅତୀତର ପଟ୍ଟଭୂମି ଉପରେ ବର୍ତ୍ତମାନର ସାହିତ୍ୟ ଚର୍ଚ୍ଚା ମାଧ୍ୟମରେ ବିଭିନ୍ନ ଅଞ୍ଚଳର କଥିତ ଓ ବ୍ୟବହୃତ ସାହିତ୍ୟ ଆଧାରରେ ସର୍ବଗ୍ରାହ୍ୟ ଭାଷାର ସଂରଚନା।

ଏହି କ୍ରମରେ କଟକର ଡିବେଟିଂ କ୍ଲବ ୧୮୬୮ ମସିହା ଡିସେମ୍ବରରେ ପ୍ରତିଷ୍ଠା ଲାଭ କରିବା ସହ କଟକ ଟ୍ରେନିଂ ସ୍କୁଲରୁ ପରବର୍ତ୍ତୀ ସମୟରେ ଜନ୍ମ ନେଇଛି ପ୍ରଖ୍ୟାତ ସାରସ୍ଵତ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’। ସେତେବେଳେ ଜନ୍ ବୀମ୍ସ, ଗ୍ରୀୟରସନ୍ ତଥା ଓଡିଆଭାଷାପ୍ରେମୀ ଗବେଷକ ମନମୋହନ ଚକ୍ରବର୍ତ୍ତୀଙ୍କ ସମୁଦ୍ୟମ ଫଳରେ ଓଡ଼ିଆ ଭାଷାର ଶ୍ରେଷ୍ଠ ମାନଦଣ୍ଡ ନିରୂପିତ ହେବା ସହ ସମଗ୍ର ଭାରତବର୍ଷର ସାହିତ୍ୟରେ ଭାଷା ବିକୃତିକୁ ନିରୂପିତ କରିବା ପାଇଁ ଏହାର ସମୁଦ୍ୟମ ଉଲ୍ଲେଖଯୋଗ୍ୟ। ସେତେବେଳେ ଚନ୍ଦ୍ରମୋହନ ମହାରଣା, ଗୋପୀନାଥ ନନ୍ଦ, ମୃତ୍ୟୁଞ୍ଜୟ ରଥ, ଗୌରୀଶଙ୍କର ରାୟ, ମଧୁସୂଦନ ରାଓ, ଲାଲା ରାମନାରାୟଣ ରାୟ ଇତ୍ୟାଦି ଆଗେଇ ଆସିଛନ୍ତି।

ଆଜିର ମହାମହିମ ଆଲୋଚନା କ୍ଷେତ୍ରରେ ଆଧୁନିକ ହେଲେ ହେଁ, କବିତା ରଚନା କ୍ଷେତ୍ରରେ ସେ ଥିଲେ ପ୍ରାଚୀନପନ୍ଥୀ। ଏକାଧାରରେ ଜଣେ ଗବେଷକ, ଭାଷାତତ୍ତ୍ଵବିତ, ସମାଲୋଚକ, କବି ଏବଂ ସର୍ବୋପରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କାଳର ଜଣେ ବଦାନ୍ୟ ମହାମହିମ, ପାରଳାଖେମୁଣ୍ଡି ରାଜଗୁରୁ ବଂଶର ଅନ୍ୟତମ ସୂତ୍ରଧର – ଶ୍ୟାମସୁନ୍ଦର ରାଜଗୁରୁ। ପ୍ରାଚୀନ ଓ ବିସ୍ମୃତିପ୍ରାୟ କବି ଓ ଅନ୍ୟ କାବ୍ୟ ଗୁଡିକୁ ଲୋକଲୋଚନକୁ ଆଣିବା ପାଇଁ ନିଜ ପ୍ରତିଷ୍ଠିତ ରାଜକୀୟ ଗ୍ରନ୍ଥାଗାରର ତାଳପତ୍ର ପାଣ୍ଡୁଲିପିଗୁଡିକର ଛୁଞ୍ଚି ମାଛି ପରୀକ୍ଷା କରିଛନ୍ତି। ସତ୍ୟନିଷ୍ଠ ଅନୁଶୀଳନକାର ଏବଂ ନିରପେକ୍ଷ ଓ ରସଗ୍ରାହୀ ସାହିତ୍ୟ ଆଲୋଚକ ରୂପେ ସେ ପ୍ରଥିତଯଶା।
                   
ଶ୍ୟାମସୁନ୍ଦର ରାଜଗୁରୁଙ୍କ ସମୟ ଥିଲା ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ସମୟରୁ – ଅର୍ଥାତ୍, ତାଙ୍କ ରଚନାବିଷ୍ଟ ସମୟର ପରିଧି ୧୮୭୦ – ୧୯୦୩ ପର୍ଯ୍ୟନ୍ତ ପ୍ରଲମ୍ବିତ। ଏହି ସମୟରେ ଆଧୁନିକ ସାହିତ୍ୟରେ ସମାଲୋଚନାର ମହତ୍ତରିତ ଆଲୋଚନା ବେଶ୍ ଦ୍ରଷ୍ଟବ୍ୟ। କାରଣ, ସେ ସମୟରେ ପ୍ରାକ୍ତନ ରଚନାବିଶେଷର ଆଲୋଚନା ସହ ନାନାବିଧ ସମ୍ଵାଦପତ୍ରରେ ସମାଲୋଚନାର ସଂଜ୍ଞା ବୋଲିବାକୁ ଯାଇ ଏକାଧିକ ଆଲେଖ୍ୟର ଆତ୍ମପ୍ରକାଶ ଘଟିଅଛି – ଆଉ ଏହି ସମୟର ସବୁଠାରୁ ବଡ଼ ସାରସ୍ଵତ ତର୍କର କେନ୍ଦ୍ର ଥିଲା “ଇନ୍ଦ୍ରଧନୁ-ବିଜୁଳି” ତର୍କ। ରାଧାନାଥୀୟ ଓ ଭଞ୍ଜଙ୍କ ଶୈଳୀକୁ ନେଇ ହୋଇଥିବା ବିବଦମାନ ସଂରଚନାକୈନ୍ଦ୍ରିକ ଓଡ଼ିଆ ସମାଲୋଚନା ଇତିହାସରେ ଗୁରୁତ୍ଵପୂର୍ଣ୍ଣ।

ଏଠାରେ ଏହି ଆଲୋଚନା ଏଥିପାଇଁ ଦ୍ରଷ୍ଟବ୍ୟ କାରଣ ଏଥିରେ ସ୍ଵୟଂ ରାଜଗୁରୁଙ୍କର ଏକ ସ୍ଵଳ୍ପ ହେଲେ ହେଁ ନିର୍ଣ୍ଣାୟକ ଭୂମିକା ଅବହିତ । କାରଣ, ଯେତେବେଳେ ଲୀଳାଯାତ୍ରା, ପାଲା, ଦୋଳଯାତ୍ରା, ସୁଆଙ୍ଗ ପରିବେଷଣ ହୁଏ, ସେତେବେଳେ ଅଶ୍ଳୀଳତା ଏବଂ ତଦନୁରୂପ କୁପ୍ରଥାକୁ ପ୍ରବର୍ତ୍ତି ଦିଆଗଲା, ଯାହା ଫଳରେ ଲୀଳାଯାତ୍ରାର ମହତ୍ତ୍ଵ ଓ ଶ୍ଳୀଳତା କ୍ଷୁଣ୍ଣ ହୋଇଥିଲା। ଏହାକୁ ତୀବ୍ର ସମାଲୋଚନା କରି ‘ଉତ୍କଳ ଦୀପିକା’‘ସମ୍ଵଲପୁର ହିତୈଷିଣୀ’ ଭଳି ସମ୍ବାଦପତ୍ର ଘୋର ଆପତ୍ତି ଉତ୍ଥାପିତ କରିଥିଲେ। ଯାହା ଫଳରେ ସେତେବେଳେ, ପ୍ରାଚୀନ କାବ୍ୟକୁ କେନ୍ଦ୍ର କରି ହେଉଥିବା ଆଲୋଚନାରେ କାବ୍ୟବିକୃତିକୁ ନିରୂପିତ କରାଗଲା ଓ ଏହାକୁ ଲୋକାଭିମୁଖୀ ବଦଳେ ଶ୍ଳୀଳ ଓ ଅଶ୍ଳୀଳ ବୋଲି ବିଭାଜିତ କରି ଆଲୋଚନା କରାଯାଏ।

୧୮୯୩ ମସିହା ଅଗଷ୍ଟ ମାସ ୧୭ ତାରିଖ କଟକର ପ୍ରିଣ୍ଟିଂ କମ୍ପାନୀର ମୁଦ୍ରଣାଳୟରୁ ଆତ୍ମପ୍ରକାଶ ପାଏ ‘ଇନ୍ଦ୍ରଧନୁ’। ଏହି ପତ୍ରିକା ଥିଲା ଭଞ୍ଜୀୟ କାବ୍ୟଶୈଳୀର ଉଦ୍ଘୋଷକ ଏବଂ ଏହାର ବିଷୋଦ୍ଗାର କରିଥିଲେ ସମକାଳୀନ ବାମଣ୍ଡାରୁ ପ୍ରକାଶିତ ‘ବିଜୁଳି’ ପତ୍ରିକା। ଡ଼ଃ ମାୟାଧର ମାନସିଂହଙ୍କ ଅନୁସାରେ ଏହା କେବଳ ଦୁଇ ପତ୍ରିକା ଭିତରର ସଂଘର୍ଷ ନଥିଲା ବରଞ୍ଚ ଅର୍ବାଚୀନ ଏବଂ ଆଧୁନିକ ରୁଚି ମଧ୍ୟରେ ହୋଇଥିବା ସଂଘାତର ଏକ ବଳିଷ୍ଠ ଦ୍ୟୋତକ। ବିଜୁଳି ପତ୍ରିକା ଭଞ୍ଜୀୟ ଶୈଳୀକୁ ଆଦିରସାତ୍ମକ ଏବଂ ଅଶ୍ଳୀଳ ବ୍ୟାଖ୍ୟା କରି ରାଧାନାଥୀୟ ଶୈଳୀର ସ୍ତବ କରିଆସିଛି। ସ୍ଵଳ୍ପ ଅବଧି ପାଇଁ ଥିଲେ ମଧ୍ୟ ଏହି ସାରସ୍ଵତ ବିତର୍କ ଓଡ଼ିଆ ସମ୍ଵାଦପତ୍ରର ଇତିହାସରେ ଏକ ଅବିସ୍ମରଣୀୟ ଘଟଣାକ୍ରମ ଥିଲା।

୧୮୯୭ ମସିହାରେ ଏହାର ଶେଷ ସଂଖ୍ୟା ପ୍ରକାଶନ ପୂର୍ବରୁ ହୋଇଥିବା ଏହି ସାରସ୍ଵତ ତର୍କରେ ‘ବିଜୁଳି’ ପତ୍ରିକାର ସମ୍ପାଦନା କରୁଥିଲେ ଦାଶରଥି ରାଉତ ଏବଂ ପୃଷ୍ଠପୋଷକ ଥିଲେ ସ୍ଵୟଂ ବାମଣ୍ଡାଧିପତି ବାସୁଦେବ ସୁଢଳଦେବ। ମାତ୍ର, ଏଥିରେ ପ୍ରକାଶିତ ଅଧିକାଂଶ ଭଞ୍ଜ-ବିରୋଧୀ ମନ୍ତବ୍ଯ ଓ ଆଲେଖ୍ୟ ଥିଲା ପ୍ରତିକ୍ରିୟାଶୀଳ ଓ ବ୍ୟକ୍ତିକୈନ୍ଦ୍ରିକ ମତବାଦ।
                          
କିନ୍ତୁ, ତଦାନୀନ୍ତନ ‘ଇନ୍ଦ୍ରଧନୁ’ର ଏକ ବିଶେଷ ଗୁଣ ହେଉଛି, ଏଥିରେ ଅଧିକାଂଶ ଆଲେଖ୍ୟ କେବଳ ଯେ ଭଞ୍ଜୀୟ-ଶୈଳୀକୁ ସମର୍ଥନ କରିନଥିଲେ, ଅଧିକନ୍ତୁ, ଆଧୁନିକ ତତ୍ତ୍ଵ ପରିପ୍ରେକ୍ଷୀରେ ଭଞ୍ଜଙ୍କ ରଚନାକୁ ବିଜ୍ଞାନସମ୍ମତ, ତଥ୍ୟଭିତ୍ତିକ ଏବଂ ଯୁଗୋପଯୋଗୀ ବୋଲି ମଧ୍ୟ ଦର୍ଶାଇବାରୁ ପଲ୍ଲୀକବି ନନ୍ଦକିଶୋର, ସ୍ଵୟଂ ଶ୍ୟାମସୁନ୍ଦର ରାଜଗୁରୁ ଏବଂ ରାଧାନାଥ ରାୟଙ୍କ ଭଞ୍ଜାନୁରାଗୀ ଅଭିବ୍ୟକ୍ତି ପରେ ଏହି ସାରସ୍ଵତ ତର୍କରେ ଯବନିକା ପଡିଛି। ଆଉ ଏଥିରେ ଶ୍ୟାମସୁନ୍ଦର ରାଜଗୁରୁଙ୍କ ସମର୍ଥନ ତାଙ୍କ ସାରସ୍ଵତ ପରିଚିତି ପାଇଁ ସହାୟକ ହୋଇଥିଲା।

୧୮୬୬ ମସିହା ଫେବୃଆରୀ ୧୨ ତାରିଖରେ ତତ୍କାଳୀନ ପାରଳାଖେମୁଣ୍ଡିର ଚିତ୍ରକାର ସାହିର ସ୍ଵନାମଧନ୍ୟ ରାଜଗୁରୁ କୁଟୁମ୍ଵେ ପିତା ରଘୁନାଥ ରାଜଗୁରୁ ଓ ମାତା ରାଧିକାଦେବୀଙ୍କ କୋଳମଣ୍ଡନ କରିଥିଲେ ଶ୍ୟାମସୁନ୍ଦର ରାଜଗୁରୁ। ବାଲ୍ଯାବସ୍ଥାରୁ କୁଟୁମ୍ଵ ମଧ୍ୟେ ସଂସ୍କୃତ ଓ ପୁରୋହିତୋଚିତ ବୈଦିକ କର୍ମକାଣ୍ଡ ଅଧ୍ୟୟନ କରି ସେ ୧୮୮୨ ମସିହାରେ ଇଂରାଜୀ ଶିକ୍ଷା ଆରମ୍ଭ କରି ୧୮୮୭ ମସିହାରେ ପାରଳାଖେମୁଣ୍ଡି ହାଇସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୁଅନ୍ତି। ଏହା ପରେ ସେ ୧୮୯୦ ମସିହାରେ ବ୍ରହ୍ମପୁରର ଖଲ୍ଲିକୋଟ କଲେଜରୁ ଏଫ୍.ଏ. ସମାପନ ଅନ୍ତେ ୧୮୯୨ ମସିହାରେ ରାଜମହେନ୍ଦ୍ରୀ ସରକାରୀ କଲେଜରୁ ବି.ଏ. ଉତ୍ତୀର୍ଣ୍ଣ ହୋଇ ସେ ହୋଇଯାଇଥିଲେ ଗଞ୍ଜାମ ଜିଲ୍ଲାର ସର୍ବପ୍ରଥମ ଗ୍ରାଜୁଏଟ୍ !
                       
ଏଥି ସହ ତତ୍କାଳୀନ ରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ଦେବ ଏବଂ ତାଙ୍କ ଅନୁଜ ପଦ୍ମନାଭ ନାରାୟଣ ଦେବଙ୍କ ସଂସର୍ଗରେ ଆସି ୧୮୯୨ ମସିହାରେ ସେ ପଦ୍ମନାଭ ନାରାୟଣ ଦେବଙ୍କ ଗୃହଶିକ୍ଷକ ରୂପେ ନିଯୁକ୍ତି ପାଇବାର ଗୌରବ ଅର୍ଜଳ କରିଥିଲେ ଶ୍ୟାମସୁନ୍ଦର ରାଜଗୁରୁ। ୧୮୮୫ ମସିହାରେ ସେ ଏହା ପୂର୍ବରୁ ଗଙ୍ଗାଧର ଖାଡଙ୍ଗା ଓ ଦ୍ଵୈପାୟନ ରାଓଙ୍କ ସହଯୋଗରେ ପାରଳାଖେମୁଣ୍ଡିରେ “ଉତ୍କଳ ହିତୈଷିଣୀ ସମାଜ” ଗଠନ କରିଥିଲେ। ସେତେବେଳେ ମାନ୍ଦ୍ରାଜ ପ୍ରେସିଡେନ୍ସି (Madras Presidency) ଅନ୍ତର୍ଗତ ଗଞ୍ଜାମରେ ଓଡିଆ ଭାଷାର ପ୍ରଚଳନ ପାଇଁ ଏହାର ଆଭିମୁଖ୍ୟ ସହ ‘ଗଞ୍ଜାମ ନିଉଜ୍‘ ନାମକ ଏକ ସାପ୍ତାହିକ ପତ୍ରିକା ସେ ଏଥି ପକ୍ଷରୁ ପ୍ରକାଶ କରେଇଥିଲେ। ଏହି ଇଂରାଜୀ ପତ୍ରିକାର ଜଣେ ସୁଯୋଗ୍ୟ ସମ୍ପାଦକ ଥିଲେ ଆପନ୍ନା ପଣ୍ଡା।

ଅବସରକାଳରେ ତାଳପତ୍ର ପୋଥି ସଂଗ୍ରହ କରିବା ଓ ବିଭିନ୍ନ ପୁସ୍ତକାଦି ସଂଗ୍ରହ କରି ତହିଁର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ସେ କରୁଥିଲେ। ଏହା ସହ  ଏହି ‘ଉତ୍କଳ ହିତୈଷିଣୀ ସମାଜ’ର ପୃଷ୍ଠପୋଷକତା ପାଇଁ ଆଗଭର ହୋଇଥିଲେ ତତ୍କାଳୀନ ପାରଳା ଗଜପତି ଗୌରଚନ୍ଦ୍ର ଦେବ, ରାଜା ବିକ୍ରମଦେବ ବର୍ମା ଏବଂ ଗୁମ୍ମା, ଜିରାଙ୍ଗ, ସେରଙ୍ଗ ପ୍ରଭୃତି ବିଷୟୀମାନେ ରାଇଲା ଓ ସିପାହିପାଲିର ମଖସାଦାର ଏହାର ପୃଷ୍ଠପୋଷକତା କରୁଥିଲେ। ଓଡିଆମାନଙ୍କ ସାମାଜିକ ଜୀବନ ଉପରେ ସେ “Feasts and Fasts of the Oriyas” ଏକ ଉପାଦେୟ ଇଂରାଜୀ ପୁସ୍ତକ ପ୍ରକାଶ କରେଇଥିଲେ।

ଏଥି ପୂର୍ବରୁ “ଉତ୍କଳ ହିତୈଷିଣୀ ସମାଜ” ପକ୍ଷରୁ ଆପନ୍ନା ପଣ୍ଡା ଏକ ପ୍ରସ୍ତାବ ହେଲା – “ଗଞ୍ଜାମ ଜିଲ୍ଲାର ପ୍ରତି ଗଭର୍ଣ୍ଣମେଣ୍ଟ ଅଫିସରେ ଭାଷା ପରି ଓଡ଼ିଆ ଭାଷା ବ୍ୟବହୃତ ହେବା ସକାଶେ ଜିଲ୍ଲାର ଉତ୍କଳୀୟ ରାଜା ପ୍ରଜା ସମସ୍ତଙ୍କ ଠାରୁ ଏକ ଲକ୍ଷ ସ୍ଵାକ୍ଷର ସଂଗ୍ରହ କରି ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟକୁ ଏକ ଆବେଦନପତ୍ର ପ୍ରଦାନ କରାଯାଉ। “
                        
ଏହି ଅନୁସାରେ ପତ୍ରଟି ଗୃହୀତ ହୋଇ ଚାନ୍ଦା ଗ୍ରହଣ କରାଯାଇ କଟକରେ ଆବେଦନପତ୍ରର ମୁଦ୍ରଣ କରାଗଲା। ତିନି ବର୍ଷ ଲାଗିଥିବା ଏହି ଆବେଦନପତ୍ର ପରିଶେଷରେ ୧୮୮୯ ମସିହାରେ ତତ୍କାଳୀନ ସୋମପେଣ୍ଠ (ବର୍ତ୍ତମାନର କାନମୋରା କାଞ୍ଚିଲି) ଠାରେ ଦରବାରରେ ଶ୍ୟାମସୁନ୍ଦର ରାଜଗୁରୁ ଗଭର୍ଣ୍ଣମେଣ୍ଟଙ୍କୁ ଅର୍ପଣ କରିବା ପରେ ୧୮୯୦ ମସିହାରେ ଜାନୁଆରୀ ମାସରୁ ଜିଲ୍ଲାର ସମସ୍ତ ଗଭର୍ଣ୍ଣମେଣ୍ଟ ଅଫିସ୍ ଓଡିଆ ଭାଷାର ପ୍ରଚଳନ କଲା ! ଏଥି ସହ ଦକ୍ଷିଣ ଓଡିଶାର ଦୁରବସ୍ଥା ପ୍ରତିକାରପୂର୍ବକ ଓଡିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ସେ ଛାତ୍ରାବସ୍ଥାରୁ ହିଁ ପ୍ରୟାସ କରିଆସୁଥିଲେ।

୧୮୮୬ ମସିହାରେ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ରୂପେ ସ୍ଥାପିତ ହେବା ପରେ ଏହାର ପ୍ରଥମ ବେସରକାରୀ ଚେୟାରମ୍ଯାନ ରୂପେ ଶ୍ୟାମସୁନ୍ଦର ରାଜଗୁରୁ ୧୮୯୪ ମସିହାରେ ମନୋନୀତ ହୋଇଥିଲେ। ପନ୍ଦର ବର୍ଷ ମଧ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ଯସାଧନ ପରେ ଗଞ୍ଜାମ ଜିଲ୍ଲା ବୋର୍ଡ ଓ ଜିଲ୍ଲାର ଶ୍ରୀକାକୁଲମ୍ ବୋର୍ଡର ମଧ୍ଯ ସଭ୍ୟ ରହି ଆସିଥିଲେ। ସେଠାରେ ନିଜର ଅଧ୍ୟବସାୟ ବଳରେ ସ୍ଥାନୀୟ ‘ପଦ୍ମନାଭ ରଙ୍ଗାଳୟ’ର ସକଳ ପ୍ରକାରର ପରିଚାଳନା କରିଥିଲେ। ଏଠାରେ ପ୍ରଥମ କରି ପ୍ରହ୍ଲାଦ ନାଟକର ପରିବେଷଣ ହୋଇଥିବାର ଜଣାଯାଏ । ଏହାର ଅନ୍ୟତମ ପରିଚାଳକ ଥିଲେ ନାଟ୍ଯକାର ଆପନ୍ନା ପରିଚ୍ଛା ଏବଂ ନୀଳମଣି ପରିଚ୍ଛା। ଗଜପତି ପଦ୍ମନାଭଙ୍କ ଦ୍ଵାରା ରଚିତ ଅନେକ ନାଟକ ସେଠାରେ ପରିବେଷିତ ମଧ୍ୟ ନିୟମିତ ହେଉଥିଲା।

ଏହାପରେ ୧୮୯୫ ମସିହାରେ ପଦ୍ମନାଭ ନାରାୟଣ ଦେବଙ୍କ ସହ ଭାରତର ଅନେକ ପର୍ଯ୍ୟଟନସ୍ଥଳୀ ଓ ତୀର୍ଥକ୍ଷେତ୍ର ପରିଦର୍ଶନ କରି ଶେଷରେ ୧୮୯୭ ମସିହାରେ ଅମରାବତୀଠାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ଯୋଗଦେଇ ଏହାର ସବଜେକ୍ଟ କମିଟିର ସଦସ୍ୟ ରୂପେ ସେ ମନୋନୀତ ହୋଇଥିଲେ। ଏହା ପୂର୍ବରୁ ସେ ଆହ୍ଲାବାଦ ଅଧିବେଶନରେ ବିହାରୀ ଲାଲ ପଣ୍ଡିତ, ଜଗମୋହନ ଲାଲ୍, ମୁନିସ୍ ମହମ୍ମଦ ଅତାହାର, ଶ୍ୟାମସନ୍ ରାଉତ, ମଧୁବାବୁଙ୍କ ସହ ଶ୍ୟାମସୁନ୍ଦର ରାଜଗୁରୁ ମଧ୍ୟ ଯୋଗ ଦେଇଥିଲେ। ସେତେବେଳେ, ପାରଳାର ପ୍ରସିଦ୍ଧ ‘ଗଜପତି ପ୍ରେସ୍’ ପରିଚାଳନା ଦାୟିତ୍ୱ ମଧ୍ଯ ବହନ କରିଛନ୍ତି। ଆଉ ଏହି ‘ଗଞ୍ଜାମ ନ୍ୟୁଜ୍’ ପତ୍ରିକା ସେହିଠାରୁ ହିଁ ପ୍ରକାଶ ପାଇଥିଲା।

ପଦ୍ମନାଭ ଗଜପତି, ଆପନ୍ନା ପରିଚ୍ଛାଙ୍କ ରଚନାମାନ ପ୍ରକାଶ ପାଇବା ପରେ ଏହି ପ୍ରେସ୍’ର ନାମ ପରବର୍ତ୍ତୀ ସମୟରେ “ସମସ୍ଥାନ ପ୍ରେସ୍” ହୋଇଯାଇଥିଲା। ସେତେବେଳେ ଏହି ପ୍ରେସ୍’କୁ ଫକୀରମୋହନ ନିଜ ‘ଉତ୍କଳ ଭ୍ରମଣଂ’ରେ ଭୂୟସୀ ପ୍ରଶଂସା କରିଛନ୍ତି।

ପଣ୍ଡିତ ନୀଳକଣ୍ଠ ଦାସଙ୍କ ମତେ, ଓଡିଆ ଭାଷାରେ ସ୍ଵତନ୍ତ୍ର ଓ ସମୂହ ଭାବର ଭାଷାତତ୍ତ୍ଵ ତଥା ବ୍ୟାକରଣରେ ସମ୍ଯକ ସ୍ଵାଧୀନ ପରିଶୀଳନର ପ୍ରଥମ ଉଦ୍ୟମ ଶ୍ୟାମସୁନ୍ଦର ରାଜଗୁରୁ ହିଁ କରିଥିଲେ। ଆଉ, ତାଙ୍କ ପାଇଁ ସବୁଠାରୁ ଅଭୂତପୂର୍ବ ଗୌରବ ଥିଲା – ସେ ପାରଳାର କୃଷ୍ଣଚନ୍ଦ୍ର ଗଜପତିଙ୍କୁ ବାଲ୍ଯକାଳରେ ଶିକ୍ଷାଦାନ କରି ତାଙ୍କ ମନରେ ସେ ଦେଶାତ୍ମବୋଧର ବୀଜ ବପନ କରନ୍ତି !

୧୯୦୩ ମସିହା ଏପ୍ରିଲ ୩ ତାରିଖରେ ଗଞ୍ଜାମଠାରେ ଅନୁଷ୍ଠିତ “ଗଞ୍ଜାମ ଜାତୀୟ ସମ୍ମିଳନୀ”ର ସଭାପତିତ୍ଵ କରିଥିଲେ ଶ୍ୟାମସୁନ୍ଦର ରାଜଗୁରୁ। ସେହିଦିନ ବିଭିନ୍ନ ଓଡିଆ ଭାଷାଭାଷୀ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ଯକ୍ତି ଆସିଥିବାର ଦେଖି ଭାବପ୍ରବଣ ହୋଇପଡିଥିଲେ। ସମଗ୍ର ଓଡିଶାର ବିଭିନ୍ନ ସମସ୍ୟା ଆଲୋଚନା ସହ ଏହାର ଏକାତ୍ମ ଆଭିମୁଖ୍ୟକୁ ଅଙ୍ଗୀଭୂତ କରାଯାଇ ପ୍ରଥମ ଥର ପାଇଁ ମଧୁବାବୁଙ୍କ ଦ୍ଵାରା ଏହା “ଉତ୍କଳ ସମ୍ମିଳନୀ” ଭାବେ ଅଭିହିତ ହୁଏ ! ଆଉ ଏହି “ଉତ୍କଳ ସମ୍ମିଳନୀ”ର ପ୍ରଥମ ଅଧିବେଶନ ୧୯୦୩ ମସିହା ଡିସେମ୍ବର ୩୦ ତାରିଖରେ କଟକର ଇଦଗା ପଡିଆରେ ଅନୁଷ୍ଠିତ ହୋଇଥିଲା। ଆଉ ଏଥି ସହ ବ୍ରିଟିଶମାନଙ୍କୁ ଓଡିଆମାନଙ୍କ ସମସ୍ୟାର ଅବଗାହନ ପାଇଁ ମୁଦ୍ରଣାଳୟର ପ୍ରତିଷ୍ଠା ସହ ପାରଳା ରାଜପ୍ରାସାଦରେ ବିରାଟ ଗ୍ରନ୍ଥାଗାର ସ୍ଥାପିତ ହୋଇଛି !

ଶ୍ୟାମସୁନ୍ଦର ରାଜଗୁରୁଙ୍କର “ପ୍ରବନ୍ଧାବଳୀ” ହେଉଛି ବାଗ୍ମୀ ବିଶ୍ଵନାଥ କରଙ୍କ ସମ୍ପାଦିତ “ଉତ୍କଳ ସାହିତ୍ୟ”ରେ ପ୍ରକାଶିତ ପ୍ରାଚୀନ ସାହିତ୍ୟ ଓ ବ୍ୟାକରଣ ତତ୍ତ୍ଵକୁ ନେଇ ସନ୍ନିବେଶିତ ସମାଲୋଚନା ଗ୍ରନ୍ଥ। ଏହା ୧୯୧୭ ମସିହାରେ ପ୍ରଥମ ଥର କୃଷ୍ଣଚନ୍ଦ୍ର ଗଜପତିଙ୍କ ଦ୍ଵାରା ପ୍ରକାଶିତ ହେବା ସହ ୧୯୬୪ ତଥା ୧୯୯୪ ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ଵାରା ପୁନଃମୁଦ୍ରିତ ହୋଇଛି। ସାରଳା ଦାସ, ଦୀନକୃଷ୍ଣ ଦାସ, ଓଡ଼ିଆ ସାହିତ୍ଯରେ ଦୁଇଟି “ବ୍ରଜବିହାର“ର ରଚୟିତା – କୃପାସିନ୍ଧୁ ଏବଂ ଦାଶରଥି ଦାସଙ୍କ ସମ୍ପର୍କରେ, ନିଶଙ୍କରାୟ ରାଣୀ, କବି ହରିକୃଷ୍ଣଙ୍କ ସମ୍ପର୍କରେ ବିଶଦ ଉଲ୍ଲେଖ ଦେଇଛନ୍ତି। ଏଥି ସହ ଓଡ଼ିଆ ଛାନ୍ଦ, ବ୍ୟାକରଣର ବିଭକ୍ତି, ସର୍ବନାମ, ଅବ୍ୟୟ ପଦର ମଧ୍ୟ ବ୍ୟାଖ୍ୟା କରିଛନ୍ତି।

କବିବର ରାଧାନାଥ ରାୟ ତାଙ୍କର ଏହି କୃତୀତ୍ଵର ଧନ୍ୟବାଦନା କରି ‘ଉତ୍କଳ ସାହିତ୍ୟ ସମାଜ’ର ବାର୍ଷିକ ଅଧିବେଶନରେ ଅଭିଭାଷଣରେ କହିଥିଲେ, “ଓଡିଶାର ଅନ୍ୟାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସୁପଣ୍ଡିତ ବାବୁ ଶ୍ୟାମସୁନ୍ଦର ରାଜଗୁରୁ ବି.ଏ. ମହାଶୟ ଏ ବିଷୟରେ (ଉତ୍କଳ ସାହିତ୍ୟ ଇତିହାସ ପ୍ରଣୟନ ବିଷୟରେ) ପ୍ରଶଂସନୀୟ ଅଧ୍ୟବସାୟ ପ୍ରଦର୍ଶନ କରି ଆମ୍ଭମାନଙ୍କ ଧନ୍ୟବାଦ ହୋଇ ଅଛନ୍ତି। ମାତ୍ର ଏପରି ଦୁର୍ବହ ଭାର ତାହାଙ୍କ ଉପରେ ଅଥବା ଅପର କୌଣି ଯୋଗ୍ୟ ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ କରି କେବଳ ଧନ୍ୟବାଦ ଦେଇ ନିଶ୍ଚିନ୍ତ ରହିଲେ ଚ଼ଳିବ ନାହିଁ।” ସତ୍ୟ କହିଛନ୍ତି କବିବର, ତେଣୁ ଏହାର ଏକ ସଂକ୍ଷିପ୍ତ ଆଲୋଚନା ଏଠାରେ ପୁନଶ୍ଚ ଉପସ୍ଥାପିତ ମଧ୍ୟ ହେଉଛି।

ବାରଜଣ ବିଖ୍ୟାତ କବିଙ୍କ ସମ୍ପର୍କରେ ସେ ଆଲୋଚନା କରିବାକୁ ଯାଇ ସେ ମଧ୍ୟ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ‘ଧ୍ରୁବ ନାଟକ’ର ସମାଲୋଚନା ମଧ୍ୟ କରିଛନ୍ତି। ସମସାମୟିକ ସମୟରେ ଏ ପ୍ରକାରର ଗବେଷଣା ଓ ଅଧ୍ୟବସାୟର ଏକ ଚମତ୍କାର ଅନୁମାନ କରାଯାଇପାରେ। ଅଧୁନାତନ ସମାଜର ପ୍ରଯୁକ୍ତି ବିଜ୍ଞାନ ମାଧ୍ୟମରେ ଅନେକ ନୂତନ ତଥ୍ଯ ଉନ୍ମୀଳିତ ହେଉଥିଲେ ମଧ୍ୟ ତାଙ୍କର ପଥୀକୃତ ଗବେଷଣା ଓ ଅଭିମତର ଆଦର୍ଶ-ଚୟନ ସବୁବେଳେ ଗବେଷକଙ୍କ ପାଇଁ ଯୁଗୋପଯୋଗୀ ଦୃଷ୍ଟାନ୍ତ ହୋଇ ରହି ଆସିଛି। ଓଡ଼ିଆ ଛନ୍ଦର ବିଭାଗୀକରଣ ସହ ପାରଳାଖେମୁଣ୍ଡିର ଗାୟକମାନଙ୍କ ଦ୍ଵାରା ଗାନ କରାଯାଉଥିବା ଛାନ୍ଦର ମଧ୍ୟ ବର୍ଣ୍ଣନା ଦିଅନ୍ତି: “ତ୍ର୍ୟକ୍ଷର ଛନ୍ଦଠାରୁ ଷଡକ୍ଷର ଛନ୍ଦ ପର୍ଯ୍ୟନ୍ତ କୌଣସି କବି କୌଣସି ଗ୍ରନ୍ଥରେ ବ୍ୟବହାର କରିନାହାନ୍ତି। ସପ୍ତାକ୍ଷର ବୃତ୍ତରେ ମାତ୍ର ହରିଦାସନାମା କୌଣସି କବି ଗୋଟିଏ ଚଉତିଶା ରଚନା କରିଛନ୍ତି। ଏହି ଚଉତିଶା ବାଳକମାନେ ବର୍ଣ୍ଣଶିକ୍ଷା ସମୟରେ ଚାଟଶାଳୀରେ ପଢନ୍ତି। ଉକ୍ତ ଚଉତିଶାରୁ କିୟଦଂଶ ନିମ୍ନରେ ଉଦ୍ଧୃତ ହେଲା –

         “କ, କ କାଳିନ୍ଦୀ ତୀରେ । ଖ, ଖ ଖେଳନ୍ତି ଧୀରେ।
          ଛ, ଛ, ଛଇଳ କାହ୍ନୁ । ଜ, ଜ, ଜଗଜୀବନୁ ।
          ଡ, ଡ, ଡମିଆ ମେରୁ । ଢ, ଡ ଢାଙ୍କଇ ଭୂରୁ।
          ବ, ବ ବାଙ୍କ ଚାହାଣୀ । ଭ, ଭ, ଭାଙ୍ଗଇ ଟାଣି।
          ର, ର ରସିକବନ୍ଧୁ । ଲ, ଲ, ଲାବଣ୍ୟସିନ୍ଧୁ ।
          ବ, ବ, ବଂଶିଧାରିଆ । ଶ, ଶ, ଶ୍ୟାମଘନିଆ।
          ଷ, ଷ, ସାରଙ୍ଗପାଣି। ସ, ସ, ସୁନ୍ଦରମଣି ।
          ହ, ହ, ହରିଦାସିଆ । କ୍ଷ, କ୍ଷ, କ୍ଷମାକାରିଆ ।”

ପଦ୍ମନାଭ ନାରାୟଣ ଦେବଙ୍କ ଧ୍ରୁବନାଟକରେ ମାତ୍ରାତିରିକ୍ତ ଆଞ୍ଚଳିକତାକୁ ଗୁରୁତ୍ଵ ଦିଆଯାଇଥିବାର ଶ୍ୟାମସୁନ୍ଦର ସମାଲୋଚନା କରି ବର୍ତ୍ତମାନର ପରିପ୍ରେକ୍ଷୀରେ ଏହାକୁ ପ୍ରତ୍ୟକ୍ଷୀଭୂତ କରିବାକୁ ଦର୍ଶାଇଛନ୍ତି ।
        
ଏହା ପରବର୍ତ୍ତୀ ସମୟରେ ୧୯୦୪ ମସିହାରେ ପଦ୍ମନାଭ ନାରାୟଣ ଦେବଙ୍କ ଦେହାବସାନ ପରେ ସେ ମର୍ମାହତ ହୋଇପଡି କ୍ରମେ ରୁଗ୍ଣ ହେଇପଡିଲେ। ୧୯୧୪ ମସିହାରେ ବିକ୍ରମଦେବ ବର୍ମାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପାରଳାଖେମୁଣ୍ଡି ଉତ୍କଳ ସମ୍ମିଳନୀ ଅଧିବେଶନରେ ଶ୍ୟାମସୁନ୍ଦର ରାଜଗୁରୁ ଯୋଗଦେଇଥିଲେ ମଧ୍ୟ ସେ ଆଉ ପରବର୍ତ୍ତୀ ପାରଳା ଯୁବରାଜଙ୍କୁ ଶିକ୍ଷା ଦେଇ ପାରିବାର ସୁଯୋଗ ହରେଇଲେ। ଏଥିରେ ରୁଗ୍ଣ ହୋଇ ସେ ମାତ୍ର ୪୩ ବର୍ଷ ବୟସରେ ୧୯୦୯ ମସିହା ଜୁଲାଇ ୧୭ ତାରିଖରେ ବହୁମୂତ୍ର ରୋଗରେ ଇହଧାମ ତ୍ୟାଡ କରିଲେ।

ତାଙ୍କର ପରଲୋକ ଦୁଃଖରେ ଜିଲ୍ଲା କଲେକ୍ଟର ମ୍ଯୁନିସିପାଲିଟିର ବାର୍ଷିକ ପରିଚାଳନା ରିପୋର୍ଟରେ ଉଲ୍ଲେଖ କରିଥିଲେ ‘ଶ୍ୟାମସୁନ୍ଦର ରାଜଗୁରୁଙ୍କର ଅକାଳ ବିୟୋଗରେ କେବଳ ପାରଳାଖେମୁଣ୍ଡି ମ୍ଯୁନିସିପାଲିଟି ନୁହେଁ ମାତ୍ର, ସମଗ୍ର ଗଞ୍ଜାମ କ୍ଷତିଗ୍ରସ୍ତ ହୋଇଅଛି।’

admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

2 weeks ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

2 weeks ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

2 weeks ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago