ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଭାଵରେ ‘ଶ୍ରୀଜୀଉ’ ସମ୍ଭୋଧନ କରାଯାଏ । ଏ ଶବ୍ଦ ସମ୍ବନ୍ଧରେ କେତେକ ଗଵେଷକ ମତଦିଅନ୍ତି ଯେ ମଧ୍ଯଯୁଗରେ ରାମାନନ୍ଦୀ ନିମ୍ବାର୍କ ଆଦି ଵୈଷ୍ଣଵମତ ପ୍ରଚାରକମାନଙ୍କ ପ୍ରଭାବରେ ତାଙ୍କର ବିଷ୍ଣୁଙ୍କୁ “ଶ୍ରୀଜୀ” ସମ୍ବୋଧନଟି ବୋଧହୁଏ ପୂର୍ଵଭାରତରେ “ଶ୍ରୀଜୀଉ” ହୋଇଯାଇଛି । ତେଵେ କେତେ ଶତାବ୍ଦୀ ପୂର୍ଵରୁ ଉତ୍ତରଭାରତରେ ଏହି “ଶ୍ରୀଜୀ” କିଂଵା “ଜୀ” ଶବ୍ଦ ଵ୍ଯଵହାର ହେଉଅଛି ଏଵଂ କେଵେ ଓ କେଉଁ ଵ୍ଯାକରଣ ନିୟମାନୁସାରେ ଏହି ଶବ୍ଦ ଓଡି଼ଆ ଭାଷାରେ ଆସି ପ୍ରଚଳିତ ହୋଇଛି ତାହାର କୌଣସି ସନ୍ତୋଷଜନକ ଉତ୍ତର ମିଳିପାରେ ନାହିଁ । ଆଉ କିଛି ଲୋକଙ୍କ ମତରେ “ଦେଓ”, “ଦେଵ” କିଂଵା “ଦିଅଁ” ଆଦି ଶବ୍ଦର ଆଉ ଏକ ଭିନ୍ନ ସମଦ୍ଧୃତ ରୂପ ସମ୍ଭଵତଃ “ଜୀଉ” ହୋଇଥିଵ ଏଵଂ ଏ ଶବ୍ଦ ସହ “ଶ୍ରୀ” ଲାଗି “ଶ୍ରୀଜୀଉ” ଶବ୍ଦଟି ସୃଷ୍ଟି ହୋଇଥିଵ ଯେମିତିକି “ଶ୍ରୀମନ୍ଦିର” ଓ “ଶ୍ରୀକ୍ଷେତ୍ର” ଆଦି ଶବ୍ଦ ସୃଷ୍ଟି ହୋଇଅଛି । ତେଵେ ଓଡ଼ିଆ ଭାଷାରେ ଶ୍ରୀଜଗନ୍ନାଥଙ୍କୁ ‘ଶ୍ରୀଜୀ’ କୁହାଯାଏ ନାହିଁ, ‘ଶ୍ରୀଜୀଉ’ କୁହାଯାଏ । ଅନ୍ଯ ଏକ ମତ ଅନୁସାରେ ‘ଶ୍ରୀଜୀଉ’ ଶବ୍ଦର ମୂଳ ସମ୍ଭଵତଃ ‘ଜୀଵ’ ଶବ୍ଦ ହୋଇଥାଇପାରେ । କେମିତି ? ‘ଜୀଵ’ ଶବ୍ଦର ଅର୍ଥ ଜାଣିଲେ ଆମେ ଏହାର ଉତ୍ତର ପାଇଯିଵା । ଜୀଵ ଶବ୍ଦକୁ ‘ଜୀଵ୍’ ଧାତୁରୁ ନିଷ୍ପନ୍ନ କରାଯାଇଛି ଏଵଂ ଏହାର ଅର୍ଥଗୁଡ଼ିକ ଯଥା: (ଜୀଵ—ଵିଶେଷ୍ଯ) ଜୀଵ ଶବ୍ଦଟି ଵିଶେଷଣ ଭାଵରେ ଜୀଵିତ ଅର୍ଥରେ ଵ୍ୟଵହୃତ ହୋଇଥାଏ । ସେହିପରି ସଂ କ୍ରିୟା ଶବ୍ଦ ଭାଵେ ଏହା ‘ବଞ୍ଚିରୁହ’ ଅର୍ଥରେ ପ୍ରୟୋଗ କରାଯାଇଥାଏ । ଯଥା: ଚିରଂଜୀଵ; ସତ୍ଯଂଜୀଵ ଇତ୍ୟାଦି । ଆଗେ କୌଣସି ଵ୍ଯକ୍ତି ଵିଶେଷତଃ ଵାଳକ ବା ଵାଳିକା ଛିଙ୍କିଲେ—ପାଖରେ ଥିଵା ଅନ୍ଯ ବ୍ଯକ୍ତି ଛିଙ୍କିବା ଲୋକର ଅମଙ୍ଗଳ ହେବା ବୋଲି ଆଶଙ୍କା କରି ସେହି ଅମଙ୍ଗଳ ନିଵାରଣାର୍ଥ ଆଶୀର୍ଵାଦ ସୂଚକ ‘ଜୀଵ’, ‘ସତ୍ଯଜୀଵ’ ଓ ‘ଚିରଂଜୀଵ’ ଆଦି ଵାକ୍ଯ ଉଚ୍ଚାରଣ କରୁଥିଲେ ପୁଣି ଆଶିର୍ଵାଦ ଦେଵାକାଳରେ ମଧ୍ୟ ଏ ଶବ୍ଦ ଵ୍ଯଵହାର କରାଯାଏ । ଜୀଵ ଶବ୍ଦର ପ୍ରୋକ୍ତ ଅର୍ଥଗୁଡି଼କ ମଧ୍ଯରୁ ଗୋଟିଏ ଅର୍ଥ ‘ଵିଷ୍ଣୁ’ ଏଵଂ ବହୁତ ସମ୍ଭଵ ଏହି ଅର୍ଥରେ ଯେତେଵେଳେ ଏ ଶବ୍ଦ ଶ୍ରୀଜଗନ୍ନାଥଙ୍କ ପାଇଁ ଵ୍ୟଵହୃତ ହେଲା, ବଡ଼ ଲୋକପ୍ରିୟ ହେଲା । ସମୟ ସହିତ ଓଡ଼ିଆ ଭାଷାରେ ପ୍ରଚଳିତ ଅଧିକାଂଶ ତତ୍ସମ ଶବ୍ଦରେ ଅଵର୍ଗ୍ଯ ଵର୍ଣ୍ଣଗୁଡି଼କ ଵିଶେଷତଃ ଅଵର୍ଗ୍ଯ ‘ଵ’ ଵର୍ଣ୍ଣ – ‘ଅ’, ‘ଆ’, ‘ଇ’, ‘ଉ’, ‘ଓ’, ‘ଏ’ ଆଦି ସ୍ଵରଵର୍ଣ୍ଣରେ ପରିଵର୍ତ୍ତିତ ହେଵାକୁ ଲାଗିଲା । ଦେଵ ଶବ୍ଦ ଦେଓ/ଦେଉ ହେଲା, ଦେଵକୁଳ ଶବ୍ଦ ଦେଉଳ ହେଲା । ସମ୍ଭଵତଃ ଏହି ପରିବୃତ୍ତି ନିୟମାନୁସାରେ ଶ୍ରୀଜଗନ୍ନାଥଙ୍କ ପାଇଁ ‘ଵିଷ୍ଣୁ’ ଅର୍ଥରେ ସମ୍ବୋଧିତ ‘ଜୀଵ’ ଶବ୍ଦଟି ‘ଜୀଉ’ରେ ପରିବୃତ୍ତ ହୋଇଯାଇଥିଲା । ଜଗନ୍ନାଥଙ୍କ ନାମ ପୂର୍ଵରୁ ‘ଶ୍ରୀ’ ଲାଗେ, ତାଙ୍କ ମନ୍ଦିର ଓ କ୍ଷେତ୍ର ପୂର୍ଵରେ ‘ଶ୍ରୀ’ ଲାଗେ । ଏହି ‘ଶ୍ରୀ’ ଶବ୍ଦ ଏଠାରେ ଶ୍ରୀ ଲକ୍ଷ୍ମୀଙ୍କୁ ବୁଝାଇଥାଏ । ବହୁତ ସମ୍ଭଵ ଯେତେଵେଳେ ପ୍ରାଚୀନ କଳିଙ୍ଗରେ ଶ୍ରୀଜଗନ୍ନାଥ ସ୍ଵୟଂ ଶ୍ରୀଵିଷ୍ଣୁଙ୍କ ଅଵତାରୀ ଭାଵରେ ପୂଜା ପାଇଵାକୁ ଲାଗିଲେ ସେତେଵେଳେ ସଂସ୍କୃତର “ଜୀଵ” ଶବ୍ଦଟି “ଶ୍ରୀଜୀଵ” ରୂପେ “ଶ୍ରୀଵିଷ୍ଣୁ”ଙ୍କ ଅର୍ଥରେ ଵ୍ଯଵହାର ହେଵା ଆରମ୍ଭ ହୋଇଥିଵ । ପରଵର୍ତ୍ତୀକାଳରେ ତାହା ଓଡି଼ଶାରେ “ଶ୍ରୀଜୀଉ” ହୋଇଯାଇଥିଵା ଵେଳେ ଭାରତର ଅନ୍ଯ କେତେକ ଅଞ୍ଚଳରେ “ଶ୍ରୀଜୀ” ହୋଇ ଚଳିଥିଵ । © ଶିଶିର ସାହୁ ମନୋଜ | |
~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ…
~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ…
View Comments
ଅନେକ ଦିନ ହେବ ମୁଁ ଏହି ଶବ୍ଦ ର ଅର୍ଥ ଖୋଜୁଥିଲି। ଆପଣଙ୍କ ଲେଖା ରୁ ଉତ୍ତର ଟି ପାଇଲି। ମହାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରୁଥନ୍ତ୍ତୁ।