ଲେଖା: ଦେଵ ତ୍ରିପାଠୀ

ଆମ ଭାରତବର୍ଷର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣାଞ୍ଚଳର ପ୍ରାଣକେନ୍ଦ୍ର ରୂପେ ଚତୁର୍ଧାମର ପରିକଳ୍ପନା ଯେପରି ପ୍ରେରଣାପ୍ରଦ, ସେପରି ଭୌଗୋଳିକ ଅବସ୍ଥିତି ନେଇ ବଡ ବୈଚିତ୍ର୍ୟପୂର୍ଣ୍ଣ । ଉତ୍ତରରେ ହିମାଦ୍ରି ଶିଖରରେ ବଦ୍ରିଧାମ, ଅନ୍ୟ ତିନୋଟି ଧାମ – ଦ୍ଵାରକା, ରାମେଶ୍ୱରଶ୍ରୀକ୍ଷେତ୍ର ସମୁଦ୍ର ଉପକଣ୍ଠରେ ।

ନୀଳସମୁଦ୍ର ଏବଂ ତୁଷାରାବୃତ ନୀଳପର୍ବତରେ ଲୀଳା କରନ୍ତି ନୀଳଦେହୀ ପରମପୁରୁଷ ଭିନ୍ନ ଭିନ୍ନ ରୂପରେ । ବଦ୍ରିନାଥ – ବିଷ୍ଣୁଙ୍କ ସ୍ବରୂପ; ରାମେଶ୍ବରରେ ରାମନାଥ ଶିବ ରୂପରେ ପୂଜିତ; ଦ୍ଵାରକାରେ ଶ୍ରୀକୃଷ୍ଣ ଏବଂ ନୀଳାଚଳରେ ଶ୍ରୀଜଗନ୍ନାଥ । ବଡ଼ ବିଚିତ୍ର ମଧ୍ୟ ସେମାନଙ୍କ ପୂଜାପଦ୍ଧତିର ଧାରା – ବଦ୍ରିନାଥରେ ତୁଷାରାଚ୍ଛନ୍ନ ଗିରିକନ୍ଦରରେ ବିଷ୍ଣୁ ବର୍ଷର ଆଠମାସ ଅବଧି କରନ୍ତି ଅନନ୍ତ ଶୟନ; ରାମେଶ୍ବରରେ ଦିନଭରି ଚାଲିଥାଏ ଅବାରିତ ସ୍ନାନ; ଦ୍ଵାରକା ପୀଠରେ ମୂହୁର୍ମୁହୁଃ ବଦଳାଇ ଚାଲିଥାନ୍ତି ପରିଧାନ; ଏବଂ ଶ୍ରୀକ୍ଷେତ୍ରରେ ଚାଲିଥାଏ ଷାଠିଏ ପଉଟି ଅନ୍ନବ୍ୟଞ୍ଜନର ନିରତ ସେବନ ।

ମଣିଷ ସହିତ ଏକାତ୍ମ ହେବା ଲକ୍ଷ୍ୟରେ ମଣିଷ ପରି ଜୀଇଁବାକୁ ହୁଏ ଭଗବାନଙ୍କୁ – ସ୍ନାନ, ପରିଧାନ, ଭୋଜନ, ଶୟନରେ ବାନ୍ଧି ହୋଇ ।

ଆମ ଶ୍ରୀକ୍ଷେତ୍ର ପୁରୀ ଧାମରେ ରହିଛି ଏକ ପ୍ରାଣସ୍ଫୂର୍ତ୍ତିମୟ, ଆବେଗମୟ, ଭାବମୟ ଜୀବନଯାତ୍ରାଭାବର ଠାକୁର ଜଗନ୍ନାଥ ଏଠି ଓଡ଼ିଆ ଜାତିର ମାନ, ଅଭିମାନ, ଓଡ଼ିଆର ଗର୍ବ, ଓଡ଼ିଆର ଆତ୍ମା

ଯେଉଁ ଅଚଳ ଅଟଳ ମୂକବଧିର ଦାରୁବିଗ୍ରହମାନେ ନୀଳାଚଳର ପ୍ରସ୍ତର ବେଷ୍ଟନୀ ମଧ୍ୟରେ ରତ୍ନସିଂହାସନରେ ବିରାଜମାନ, ସେ ମାନବ ନ ହେଲେ ମଧ୍ୟ ତାଙ୍କଠାରେ ସାଧାରଣ ମାନବ ପରି ଦନ୍ତମାର୍ଜନ, ସ୍ନାନ, ଚନ୍ଦନଧାରଣ, ଭୋଜନ, ଶୟନଠାରୁ ଆରମ୍ଭ କରି ମାନସିକ ତୃପ୍ତି ନିମନ୍ତେ ବାହ୍ୟ ଭ୍ରମଣ ଏବଂ ଅନ୍ୟାନ୍ୟ ଆମୋଦପ୍ରମୋଦ ଆଦି ଚଳଣି ପରିଲକ୍ଷିତ ହୁଏ ।

ପ୍ରତ୍ୟହ ତାଙ୍କର ସେବାରେ ଲିପ୍ତ ରହିଥା’ନ୍ତି ହଜାର ହଜାର ନିଯୋଗ।

ଶ୍ରୀଜଗନ୍ନାଥ ଦିନକରେ ପ୍ରାୟ ୭ ଥର ଭୋଜନ କରନ୍ତି ଏବଂ ୫୬ ପ୍ରକାରର ଭୋଗ ତାଙ୍କୁ ଅର୍ପଣ କରାଯାଇଥାଏ । ୬୪ ଉପଚାରରେ ପୂଜା ନୈବେଦ୍ୟ ମଧ୍ୟ କରାଯାଇଥାଏ ।

ସେ ପୁଣି ପିନ୍ଧନ୍ତି ପାଟପୀତାମ୍ବରୀ, ଭୂଷିତ ହୁଅନ୍ତି ନାନା ମୂଲ୍ୟବାନ ଅଳଙ୍କାରରେ । ଆକୁମାରୀହିମାଳୟରୁ ପ୍ରତି ଦିନ ହଜାର ହଜାର ଆବାଳବୃଦ୍ଧବନିତା ତାଙ୍କୁ ସାକ୍ଷାତ କରନ୍ତି, ଗୁହାରି କରନ୍ତି ।

ଜଗତରେ ଏତେ ଦିଅଁ ଥାଇ କେବଳ ଏହାଙ୍କଠାରେ ହିଁ ଦେଖିବାକୁ ମିଳେ ଏପରି ମହାଡମ୍ବରପୂର୍ଣ୍ଣ ଜୀବନଯାପନ, ସେଥିପାଇଁ ତ ଶ୍ରୀଜଗନ୍ନାଥ ଜଗତଠାକୁର, ଜଗତର ମଣି, ଓଡିଆର ଗଣଦେବତା, ବିଚିତ୍ର ତଥା ସଦା ରହସ୍ୟମୟ ।

ଇଏ ଏମିତି ଏକ ଠାକୁର ଯାହା ପାଇଁ ଓଡ଼ିଆଣୀ ମା’ଟିଏ କହିପାରେ “ମୋ ପିଲା ପଛେ ଭୋକରେ ମରୁ, କିନ୍ତୁ ମୋ କାଳିଆର ଷାଠିଏ ପଉଟି ମଣୋହି ହେଉ . . !”

ଆଉ ସେଇ ଠାକୁର କହେ “ମୋର ଷାଠିଏ ପଉଟି ମଣୋହି ପଛେ ନହେଉ, କିନ୍ତୁ ମୋ ଓଡ଼ିଆ ପୁଅଝିଅ ମାନଙ୍କ ପେଟ ପୁରୁ . . “

 

ସେହି ଭାବର ଠାକୁର ପ୍ରତିବର୍ଷ ଓହ୍ଲାଇ ଆସନ୍ତି ଅଗଣିତ ମଣିଷର ଅଭ୍ୟନ୍ତରକୁ, ମଣିଷର ଶ୍ରଦ୍ଧାମୟ ପ୍ରାଣସତ୍ତାର ଅନୁପମ ସ୍ପର୍ଶ ଲଭିବାକୁ । ସେହି ରଙ୍ଗମୟ, ଆବେଗମୟ, ବୈଚିତ୍ର୍ୟମୟ କୋଳାହଳର ନାମ ରଥଯାତ୍ରା

ଆଉ ସେଇ ଭାବ, ଆବେଗରେ ବନ୍ଧା ଠାକୁର ଭକ୍ତପ୍ରିୟ ଶ୍ରୀଜଗନ୍ନାଥ । ସେହି ଜଗନ୍ନାଥ ଏକ ସ୍ପନ୍ଦନ, ଆବେଦନ, ଆଲୋଡନ ଯାହା ଆଜି ବିଶ୍ୱରେ ପ୍ରସାରିତ ଓ ପରିବ୍ୟାପ୍ତ ।

#ମଣିମା

#ଦାରୁବ୍ରହ୍ମ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago