ଲେଖା: ଦେଵ ତ୍ରିପାଠୀ

ସେ ଏକ ଦେବଭୂମି !

ଦେବଗଣ ଓହ୍ଲାଇ ଆସନ୍ତି ସେ ପୁଣ୍ୟଭୂମିକୁ, ଘନ କୁହୁଡ଼ିର ଛାୟାରେ, ନିରବତାରେ, ନୂପୁରର ନିକ୍ୱଣରେ ଅବା କୀର୍ତ୍ତନର କୋଳାହଳରେ ! ଚମ୍ପା ଓ ବଣମଲ୍ଲୀର ମହକରେ ମହମହ ହୋଇ ମହକେ ସେ ପୁଣ୍ୟଭୂମିର ତୁଷାର ଆନତ ଧବଳ ପାର୍ବତୀୟ ଶୃଙ୍ଗ।

ସେ ଭୂମିରେ ବର୍ଷକରେ ଥରେ ହୁଏ ଦେବମେଳା ! ଟିମେଇ ଦେଉଳ, ଅଠର ଦେଉଳ ପରି କେତେ ଦେଉଳ ସେଠି ! ଦେଉଳରେ କଂସା କବାଟ ଅଛି, ସ୍ବତଃ ଖୋଲେ ବିନାଶବ୍ଦରେ, ବନ୍ଦ ହୁଏ ପ୍ରଚଣ୍ଡ ଶବ୍ଦ କରି ! ସେ ଶବ୍ଦରେ ଥରିଉଠେ ପାହାଡ଼ ତଳି ଗାଁ ! ଗାଁ ଲୋକଙ୍କ ଦେହ ଶିତେଇ ଉଠେ, ମନରେ ଛନକା ପଶେ !

ପାହାଡି ଦେହୂରୀ ଫି ବରଷ ଯାଏ ଦେବମେଳାକୁ, ମା’ପୁରୁଙ୍କୁ ପ୍ରାର୍ଥନା କରେ କ୍ରୋଧ ପ୍ରଶମିବା ପାଇଁ, ବୋଦା କୁକୁଡ଼ା ବଳି ଦିଏ ! ମା’ପୁରୁ ଦେହୂରୀର କଥା ରଖନ୍ତି, ଗାଁ ଲୋକେ ଶାନ୍ତିରେ ନିଃଶ୍ୱାସ ମାରନ୍ତି !

ଏ କଥା କେଉଁ ରହସ୍ୟ କାହାଣୀର ନୁହେଁ, ବରଂ ୟେ ପ୍ରକୃତି କୋଳର ମଣିଷମାନଙ୍କର ଶ୍ରଦ୍ଧା, ଭକ୍ତି, ବିଶ୍ୱାସର କଥା !  ଏ କଥା ସେ ଭୂମିର ଗାରିମାମୟ ଐତିହ୍ୟର, ସେ ମାଟି ସହ ଜଡ଼ିତ ଧାର୍ମିକ ଭାବନାର ! ଦିଅଁ ଦେବତାଙ୍କ ଲୀଳାଖେଳାର ସେ ମହାନ ଭୂମି ହେଉଛି ଦେବଥାଳୀ ଯାହାର ସଦ୍ୟତମ ନାମ ଦେବସ୍ଥଳୀ !

ଦେବସ୍ଥଳୀ ନିକଟସ୍ଥ ମୁନିଋଷିମାନଙ୍କ ତପସାଧନାର ପୀଠ ଭାବେ ପରିଚିତ ସେ ସ୍ଥାନ ଟିର ନାମ ମୁନିଧର

ଭଞ୍ଜବଂଶୀରାଜା ଶିକାର କରିବାକୁ ଆସି ସଉକରେ ଉଆସଟିଏ ବନାଇଥିଲେ ବୋଲି ଜାଗାଟିର ନାମ ହୋଇଛି ଭଞ୍ଜବସା

ପାଖ ଝରଣାରେ ମିଳୁଥିବା ନାଲିନେଳି ମାଛ ଓ ଚିଙ୍ଗୁଡ଼ି ରାଜାଙ୍କ ପ୍ରିୟଭୋଜନ ହୋଇଥିବା କାରଣରୁ ସେ ଜାଗାଟି ଚିଙ୍ଗୁଡ଼ିଖିଆ

ରାଜାଙ୍କ ଗତିବିଧି ଓ ଘୋଡାକୁ ଦେଖି କୁକୁର ମାନେ ପ୍ରତିକ୍ରିୟା ପ୍ରକାଶ କରିବା କାରଣରୁ କୁକୁରଭୁକା ନାମରେ ପରିଚିତ ସ୍ଥାନଟିଏ !

ରାଜାଙ୍କ ହଜିଲା ଘୋଡ଼ା କୁ ବାର୍ହା କାମୁଡି ଥିବା ଜାଗାଟି ବର୍ହାକାମୁରା !

ପ୍ରଚୁର ପରିମାଣରେ ମହୁ ମିଳୁଥିବାରୁ ନଦୀକୁଳିଆ ଗାଁ ଟିର ନାମ ହୋଇଛି ମହୁଭଣ୍ଡାର !

ଏପରି ଅସୁମାରୀ କଥାକାହାଣୀ, କିମ୍ବଦନ୍ତୀ, ଇତିହାସର ଏ କ୍ଷେତ୍ର ହେଉଛି ଆମ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟପ୍ରାପ୍ତି ଓ ବଦାନ୍ୟତାର ପରିପୂର୍ଣ୍ଣ ପରିଭାଷା ସୁନ୍ଦରୀ ଶିମିଳିପାଳ

ରାଜ୍ୟର ସର୍ବବୃହତ ତଥା ଦେଶର ଅନ୍ୟତମ ବିଷୁବମଣ୍ଡଳୀୟ ଅରଣ୍ୟ । ଦିନ ଥିଲା, କ୍ରାନ୍ତିମଣ୍ଡଳୀୟ ପର୍ଣ୍ଣମୋଚି, ମିଶ୍ରପାର୍ବତୀୟ ପର୍ଣ୍ଣମୋଚି, ଅର୍ଦ୍ଧଚିରହରିତ ଜଙ୍ଗଲ ସହ ସୁଦୀର୍ଘ ଶାଳଜଙ୍ଗଲ, ନୈସର୍ଗିକ ଶୋଭା ସହ ଚିତ୍ତସମ୍ମୋହକ ଜଳପ୍ରପାତ ଚିରସ୍ଥାୟୀ ନିରବଚ୍ଛିନ୍ନ ଝରଣା, ମନୋମୁଗ୍ଧକର ସବୁଜିମା, ତୁଷାରଆନତ ନଭଶ୍ଚୁମ୍ଭୀ ପାର୍ବତୀୟ ଚୂଡା, ନିରୀହ ନିରବ ଜଙ୍ଗଲୀଫୁଲ, ବହୁ ବୃକ୍ଷରାଜି ତୃଣଲତା ସହ ପଶୁପକ୍ଷୀ ସରୀସୃପ ଆଦିଙ୍କ ସମାବେଶ ଏଇ ମହାନ ପ୍ରାକୃତିକକ୍ଷେତ୍ର ଦର୍ଶକ, ପର୍ଯ୍ୟଟକ, ଗବେଷକ, ଦାର୍ଶନିକ, କବି, ଅନୁସନ୍ଧିତ୍ସୁ ବ୍ୟକ୍ତିଙ୍କୁ ଯୋଗାଇ ଆସୁଥିଲା ମନୋଜ୍ଞ ଓ ଭାବୋଦ୍ଦୀପକ ପରିବେଶ ।

ଆଜି କିନ୍ତୁ ଶିମିଳିପାଳ ଏକ ସ୍ମୃତି ବିଜଡ଼ିତ ଅରଣ୍ୟ ମାତ୍ର ! ଗତ କେଇ ଦଶନ୍ଧି ମଧ୍ୟରେ ଅଖଣ୍ଡ ଶିକାର, ବନ୍ୟସମ୍ପଦର ଚୋରାକାରବାର, ବିଧ୍ୱସ୍ତ ଜୈବବିବିଧତା ପାଇଁ ସୌନ୍ଦର୍ଯ୍ୟ ହରାଇଛି ଶିମିଳିପାଳ । ଶିମିଳିପାଳ କୋଳର ସେ ମଣିଷମାନେ ବି ଜୀଉଁଛନ୍ତି ଭୋକର ତାଡ଼ନାରେ, କେବେ ଖ୍ରୀଷ୍ଟିଆନ ଧର୍ମାନ୍ତରକାରୀଙ୍କ ଅତ୍ୟାଚାର ତ କେବେ ପୁଣି ଆୟୁର୍ବେଦିକ ଔଷଧ କମ୍ପାନୀ ‘ଦଲାଲ’ଙ୍କ ନାଲିଆଖିରେ !

ଭଗ୍ନ ଶରୀରେ ସନ୍ତାନର ଦୁଃଖ ଲାଘବ ନ କରିପାରିବାର ଗ୍ଳାନି ଓ କ୍ଷୋଭରେ ଲୁହ ଝରାଉଛି ଶିମିଳିପାଳ !

ହଁ, ବାସ୍ତବରେ ଶିମିଳିପାଳର ଦୁର୍ବିସହ ଅଧ୍ୟାୟ ଆରମ୍ଭ ହୁଏ ୧୯୦୬ ମସିହାରେ, ଟାଟା-ବାଦାମପାହାଡ ରେଳଲାଇନ ପାଇଁ ମୟୁରଭଞ୍ଜର ମହାରାଜା ଯେତେବେଳେ କଲିକତି କମ୍ପାନୀକୁ ଜଙ୍ଗଲ କାଟିବାକୁ ଅନୁମତି ଦେଇଦିଅନ୍ତି ୪୦ ବର୍ଷ ପାଇଁ !

ସେଦିନୁଁ ସୁନ୍ଦରୀ ଶିମିଳିପାଳ ଜୀର୍ଣ୍ଣ, ଶୀର୍ଣ୍ଣ ଆଉ ରୁଗ୍ଣ !

Image Courtesy: Bhubaneswar Travels Agency

Spread the love
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago