ଲେଖା: ଦେଵ ତ୍ରିପାଠୀ
ଚଷାପୁଅର ଚାଷବାସ ସହ ଯୋଡି ହୋଇ ରହିଛି ଶଗଡ଼ । ଓଡ଼ିଆଙ୍କ ଗ୍ରାମ୍ୟ ଜୀବନରେ ପରିବହନକୁ ସୁଗମ କରାଇଥାଏ ଶଗଡ଼ । ଶଗଡଗାଡିର କଥା କହିଲେ ମନକୁ ଆସିଯାଏ ‘ମାଗୁଣିର ଶଗଡ’ ଗଳ୍ପର ମାର୍ମିକ ସ୍ବାଦ କିମ୍ବା ‘ରୂପା ଶଗଡ଼ିରେ ସୁନା କନିଆଁ’ର ଭାବ । ପିଲାବେଳେ ଆମ ଭିତରୁ ଅନେକ ରଚନା ଲେଖିଥିବେ ‘ଶଗଡର ଆତ୍ମକାହାଣୀ’ । ଆଜିର 5G ଇଣ୍ଟରନେଟ ଯୁଗରେ ଯେଉଁଠି ସଭିଏଁ ‘ସ୍ପିଡ’ ପାଇଁ ପାଗଳ, ସେକ୍ଷଣରେ ଶଗଡ ଅପାଙ୍କ୍ତେୟ ଓ ଲୁପ୍ତ, ଲୁପ୍ତ ମଧ୍ୟ ଶଗଡ଼ଚକ ଗଢଣର ଗୁମର ଆଉ କାରିଗରୀ । ତଥାପି ଅନ୍ତରଙ୍ଗ କଳିଙ୍ଗର ଏ ପ୍ରଚେଷ୍ଟା ସେଇ ଶଗଡଚକର ଗାଥା ଗାଇବା ପାଇଁ ।
ଦିନ ଥିଲା, ଚୁଡ଼ା ଗ୍ରାମର ପଚାଶରୁ ଅଧିକ ପରିବାର ଦୁଇଶହ ବର୍ଷରୁ ଅଧିକ କାଳ ଧରି ବଂଶାନୁକ୍ରମେ ଶଗଡ଼ଚକ ଗଢିଆସୁଥିଲେ । ଖୁରଧାରୁ ନୟାଗଡ଼ ଯିବା ରାସ୍ତାରେ ବୋଲଗଡ଼ ଓ ସୁନାଖଳା ମଝିରେ ଥିବା ଏଇ ଗାଁର ଖଣ୍ଡାୟତ, ତନ୍ତୀ ଓ ମୁସଲମାନ ପରିବାର ଏଇ ଶଗଡ଼ଚକ ଗଢିବାର ନିଆରା ପରମ୍ପରାକୁ ବଜାୟ ରଖିଆସିଥିଲେ । ଏକଦା ଏଇ ଗାଁର ଶଗଡ଼ଚକ ଶିଳ୍ପୀକୂଳ କଟକ, ଗଞ୍ଜାମ, ପିପିଲି, ପୁରୀ, ନିମାପଡା, ଖୋର୍ଦ୍ଧା, ବ୍ରହ୍ମଗିରି ଇତ୍ୟାଦି କେତେ ସ୍ଥାନର ଶଗଡଚକର ଚାହିଦା ପୂରଣ କରିପାରୁଥିଲେ ।
ଉତ୍ତମ ଶଗଡ଼ଚକ ଗଢଣ ପାଇଁ ପ୍ରାଧାନ୍ୟ ଦିଆଯାଉଥିବା ଶାଳୁଆ ଓ ବାନ୍ଧତା କାଠକୁ ଭଲ ଭାବରେ ଖରାରେ ଶୁଖାଇ କାଠଗଡକୁ କାଟି ଦିଆଯାଏ ଏବଂ କଟାକାଠକୁ ରନ୍ଦା ମାରି ଚିକ୍କଣ କରାଯାଇଥାଏ । ଶଗଡ଼ଚକର ମଝିରେ ଥିବା ଗୋଲାକାର ଅଂଶ ‘ତୁମ୍ବା’, ତୁମ୍ବାକୁ ସଂଯୋଗ କରୁଥିବା ୧୨ଗୋଟି କାଠ ‘ଅର’ ଏବଂ ଛ’ଟି ପହି ଇତ୍ୟାଦି ପ୍ରସ୍ତୁତ କରାଯାଏ । ଏସମସ୍ତ ଅଂଶକୁ ନାଲ ଦ୍ଵାରା ମଜଭୁତ କରାଯାଏ । ପ୍ରାୟତଃ ନଭେମ୍ବର ମାସରେ ଗଢାଯାଉଥିବା ଏଇ ଶଗଡ଼ଚକ ତିଆରି କରିବା ପରେ ଏହାକୁ ଶଗଡର ଶରୀରରେ ଯୋଡିବା ପାଇଁ ନିର୍ଦ୍ଦିଷ୍ଟ ଗରାଖଙ୍କ ପାଖକୁ ପଠଇଦିଆଯାଏ ।
ତେବେ ଉତ୍ତମମାନର କାଠର ଅଭାବ, ନୂତନ ପିଢୀର ଏଇ କୌଳିକ ବୃତ୍ତି ପ୍ରତି ଆଦର ଓ ସମ୍ମାନର ଅଭାବ ସର୍ବୋପରି ଯନ୍ତ୍ରଯୁଗରେ ସମ୍ପୂର୍ଣ୍ଣ ରୂପେ ଚାହିଦା ହରାଇଦେବା କାରଣରୁ ଏହି କୁଟୀରଶିଳ୍ପ ଆଜି ମୃତ । ଶିଳ୍ପୀ କୂଳରେ ଶଗଡ଼ଚକ ଗଢଣର ପ୍ରେରଣା ଆଜି ଲୁପ୍ତ । ଆଜି ନା ମାଗୁଣି ତା’ ଶଗଡ ନେଇ ବେପାର କରିବାକୁ ଯାଉଛି ନା ଶଗଡ଼ଗାଡ଼ିରେ ବୋହୂଟିଏ ଶାଶୁଘରକୁ ଯାଉଛି । ଶଗଡ଼ଗାଡ଼ି ସହିତ ଶଗଡ଼ଚକର ଏଇ ଶିଳ୍ପ ଆଜି ପୋକଖିଆ କାଠ ପରି ଅଲୋଡା ହୋଇଯାଇଛି ।
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…