ଲେଖା: ଦେଵ ତ୍ରିପାଠୀ

ଚଷାପୁଅର ଚାଷବାସ ସହ ଯୋଡି ହୋଇ ରହିଛି ଶଗଡ଼ । ଓଡ଼ିଆଙ୍କ ଗ୍ରାମ୍ୟ ଜୀବନରେ ପରିବହନକୁ ସୁଗମ କରାଇଥାଏ ଶଗଡ଼ । ଶଗଡଗାଡିର କଥା କହିଲେ ମନକୁ ଆସିଯାଏ ‘ମାଗୁଣିର ଶଗଡ’ ଗଳ୍ପର ମାର୍ମିକ ସ୍ବାଦ କିମ୍ବା ‘ରୂପା ଶଗଡ଼ିରେ ସୁନା କନିଆଁ’ର ଭାବ । ପିଲାବେଳେ ଆମ ଭିତରୁ ଅନେକ ରଚନା ଲେଖିଥିବେ ‘ଶଗଡର ଆତ୍ମକାହାଣୀ’ । ଆଜିର 5G ଇଣ୍ଟରନେଟ ଯୁଗରେ ଯେଉଁଠି ସଭିଏଁ ‘ସ୍ପିଡ’ ପାଇଁ ପାଗଳ, ସେକ୍ଷଣରେ ଶଗଡ ଅପାଙ୍କ୍ତେୟ ଓ ଲୁପ୍ତ, ଲୁପ୍ତ ମଧ୍ୟ ଶଗଡ଼ଚକ ଗଢଣର ଗୁମର ଆଉ କାରିଗରୀ । ତଥାପି ଅନ୍ତରଙ୍ଗ କଳିଙ୍ଗର ଏ ପ୍ରଚେଷ୍ଟା ସେଇ ଶଗଡଚକର ଗାଥା ଗାଇବା ପାଇଁ ।

ଦିନ ଥିଲା, ଚୁଡ଼ା ଗ୍ରାମର ପଚାଶରୁ ଅଧିକ ପରିବାର ଦୁଇଶହ ବର୍ଷରୁ ଅଧିକ କାଳ ଧରି ବଂଶାନୁକ୍ରମେ ଶଗଡ଼ଚକ ଗଢିଆସୁଥିଲେ । ଖୁରଧାରୁ ନୟାଗଡ଼ ଯିବା ରାସ୍ତାରେ ବୋଲଗଡ଼ ଓ ସୁନାଖଳା ମଝିରେ ଥିବା ଏଇ ଗାଁର ଖଣ୍ଡାୟତ, ତନ୍ତୀ ଓ ମୁସଲମାନ ପରିବାର ଏଇ ଶଗଡ଼ଚକ ଗଢିବାର ନିଆରା ପରମ୍ପରାକୁ ବଜାୟ ରଖିଆସିଥିଲେ । ଏକଦା ଏଇ ଗାଁର ଶଗଡ଼ଚକ ଶିଳ୍ପୀକୂଳ କଟକ, ଗଞ୍ଜାମ, ପିପିଲି, ପୁରୀ, ନିମାପଡା, ଖୋର୍ଦ୍ଧା, ବ୍ରହ୍ମଗିରି ଇତ୍ୟାଦି କେତେ ସ୍ଥାନର ଶଗଡଚକର ଚାହିଦା ପୂରଣ କରିପାରୁଥିଲେ ।

ଉତ୍ତମ ଶଗଡ଼ଚକ ଗଢଣ ପାଇଁ ପ୍ରାଧାନ୍ୟ ଦିଆଯାଉଥିବା ଶାଳୁଆ ଓ ବାନ୍ଧତା କାଠକୁ ଭଲ ଭାବରେ ଖରାରେ ଶୁଖାଇ କାଠଗଡକୁ କାଟି ଦିଆଯାଏ ଏବଂ କଟାକାଠକୁ ରନ୍ଦା ମାରି ଚିକ୍କଣ କରାଯାଇଥାଏ । ଶଗଡ଼ଚକର ମଝିରେ ଥିବା ଗୋଲାକାର ଅଂଶ ‘ତୁମ୍ବା’, ତୁମ୍ବାକୁ ସଂଯୋଗ କରୁଥିବା ୧୨ଗୋଟି କାଠ ‘ଅର’ ଏବଂ ଛ’ଟି ପହି ଇତ୍ୟାଦି ପ୍ରସ୍ତୁତ କରାଯାଏ । ଏସମସ୍ତ ଅଂଶକୁ ନାଲ ଦ୍ଵାରା ମଜଭୁତ କରାଯାଏ । ପ୍ରାୟତଃ ନଭେମ୍ବର ମାସରେ ଗଢାଯାଉଥିବା ଏଇ ଶଗଡ଼ଚକ ତିଆରି କରିବା ପରେ ଏହାକୁ ଶଗଡର ଶରୀରରେ ଯୋଡିବା ପାଇଁ ନିର୍ଦ୍ଦିଷ୍ଟ ଗରାଖଙ୍କ ପାଖକୁ ପଠଇଦିଆଯାଏ ।

ତେବେ ଉତ୍ତମମାନର କାଠର ଅଭାବ, ନୂତନ ପିଢୀର ଏଇ କୌଳିକ ବୃତ୍ତି ପ୍ରତି ଆଦର ଓ ସମ୍ମାନର ଅଭାବ ସର୍ବୋପରି ଯନ୍ତ୍ରଯୁଗରେ ସମ୍ପୂର୍ଣ୍ଣ ରୂପେ ଚାହିଦା ହରାଇଦେବା କାରଣରୁ ଏହି କୁଟୀରଶିଳ୍ପ ଆଜି ମୃତ । ଶିଳ୍ପୀ କୂଳରେ ଶଗଡ଼ଚକ ଗଢଣର ପ୍ରେରଣା ଆଜି ଲୁପ୍ତ । ଆଜି ନା ମାଗୁଣି ତା’ ଶଗଡ ନେଇ ବେପାର କରିବାକୁ ଯାଉଛି ନା ଶଗଡ଼ଗାଡ଼ିରେ ବୋହୂଟିଏ ଶାଶୁଘରକୁ ଯାଉଛି । ଶଗଡ଼ଗାଡ଼ି ସହିତ ଶଗଡ଼ଚକର ଏଇ ଶିଳ୍ପ ଆଜି ପୋକଖିଆ କାଠ ପରି ଅଲୋଡା ହୋଇଯାଇଛି ।

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago