ଲେଖା: ଶ୍ରୀକାନ୍ତ ସିଂହ
~ ରାମେଶ୍ୱର ମନ୍ଦିର ~
ପୌରାଣିକ କଥାବସ୍ତୁ ଅନୁଯାୟୀ ତ୍ରେତୟା ଯୁଗରେ ରାବଣ ନିହତ ହେବା ପରେ ଭଗବାନ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଈ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଥାନ୍ତି l ଏହି ସମୟରେ ବୈଦେହୀଙ୍କ ମନରେ ରୁଦ୍ର ଆରାଧନା ନିମନ୍ତେ ଜିଜ୍ଞାସା ଜାତ ହୁଏ l ଲଙ୍କାଗଡ଼ର ଅଶୋକ ବାଟିକାରେ ଥିବାବେଳେ ଅକଥନୀୟ ମାନସିକ ଯାତନା ସହ୍ୟକରିଛନ୍ତି ସୀତା ଏଣୁ ରୁଦ୍ର ଆରାଧନା କରି ବିଭୁକୃପା ଲାଭ କରିବା ପାଇଁ ତାଙ୍କ ମନରେ ଅହେତୁକ ଇଚ୍ଛା ଜାଗ୍ରତ ହେଲା l
ଭଗବାନ ଶ୍ରୀରାମଚନ୍ଦ୍ର ଜାନକୀଙ୍କ ରୁଦ୍ରାରାଧନାର ଇଚ୍ଛା ପୂର୍ତ୍ତି ନିମନ୍ତେ ଏହି ଅଞ୍ଚଳରେ କିଛି ସମୟ ଅବସ୍ଥାନ କରି, ଦେବୀ ସୀତାଙ୍କ ପାଇଁ ଶିବଲିଙ୍ଗଟିଏ ସ୍ଥାପନା କରି ପ୍ରାଣ ପ୍ରତିଷ୍ଠା କଲେ ଆଉ ମାତା ଜାନକୀ ଶିବଙ୍କୁ ପୂଜା କରି ମାନସିକ ଶାନ୍ତି ଲାଭ କରିଥିଲେ l କାଳକ୍ରମେ, ଶ୍ରୀରାମଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠିତ ଏହି ଶିବଲିଙ୍ଗଟି ରାମେଶ୍ୱର ଓ ମନ୍ଦିରର ନାମ ରାମେଶ୍ୱର ମନ୍ଦିର ନାମରେ ପରିଚିତ ହେଲେ l
ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ବର୍ତ୍ତମାନର ଏହି ପୂର୍ବାଭିମୁଖୀ ରାମେଶ୍ୱର ମନ୍ଦିର ଏକ ପ୍ରାଚୀନ ମନ୍ଦିର l ସୋମବଂଶୀ ଶାସକଙ୍କ ଦ୍ୱାରା ପ୍ରାୟ ନବମ ବା ଦଶମ ଶତାବ୍ଦୀରେ ନିର୍ମାଣ ହୋଇଥିବା ଅନୁମାନ l ସୁନ୍ଦର କାରୁକାର୍ଯ୍ୟରେ ପୂର୍ଣ୍ଣ ଏହି ରେଖ ଦେଉଳଟି ଏକ ଉଚ୍ଚ ପିଣ୍ଡି ଉପରେ ନିର୍ମାଣ ହୋଇଛି l ଅନ୍ୟାନ୍ୟ ମନ୍ଦିର ପରି ଏହି ଦେଉଳର ବାହ୍ୟ ପାର୍ଶ୍ଵ ଗାତ୍ରରେ ପାର୍ଶ୍ଵ ଦେବଦେବୀଙ୍କ ମୂର୍ତ୍ତି ରୂପେ ପାର୍ବତୀ, ଗଣେଶ ଓ କାର୍ତ୍ତିକେୟଙ୍କ କମନୀୟ ପ୍ରତିମା ଦେଖିବାକୁ ମିଳେ l ମନ୍ଦିର ଗର୍ଭଗୃହରେ କଳା ମୁଗୁନି ପଥରରେ ନିର୍ମିତ ଶିବଲିଙ୍ଗ ବିରାଜମାନ କରିଛନ୍ତି l
ଏ ମନ୍ଦିରର ଆଉ ଏକ ବିଶେଷତ୍ୱ ହେଲା ଏହାର ଜଗମୋହନଟି ମୁଖ୍ୟ ବିମାନ ସଂଲଗ୍ନ ନୁହେଁ l ମୁଖ୍ୟ ବିମାନ ଠାରୁ କିଛି ଦୂରରେ ସ୍ୱତନ୍ତ୍ର ଭାବେ ନିର୍ମାଣ ହୋଇଛି l ବୋଧହୁଏ ଏହା ମନ୍ଦିର ନିର୍ମାଣର ପରବର୍ତ୍ତୀ ସମୟରେ ନିର୍ମାଣ ହୋଇଥିବ l ଏହି ରାମେଶ୍ୱର ମନ୍ଦିର ପରିସରଟି ଖୁବ୍ ପରିଷ୍କାର ପରିଛନ୍ନ l ପରିସରରେ ଏକ ସରୋବର ସହିତ ସୁନ୍ଦର ବଗିଚାଟିଏ ବି ରହିଛି l
ରାସ୍ତାର ଅପର ପାର୍ଶ୍ୱରେ ଆଉ ତିନୋଟି ପ୍ରାଚୀନ ମନ୍ଦିର ରହିଛି l ସେ ଗୁଡ଼ିକ ହେଲେ ଲକ୍ଷ୍ମଣେଶ୍ୱର, ଭାରତେଶ୍ୱର ଓ ଶତ୍ରୁଘ୍ନେଶ୍ୱର l ସମୟର କରାଳ ଆଘାତରେ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟ ଆଜି ଅବଲୁପ୍ତ l ଏହି ତିନୋଟି ମନ୍ଦିରର ଗର୍ଭଗୃହରେ ତିନୋଟି ଶିବଲିଙ୍ଗ ପ୍ରାଣ ପ୍ରତିଷ୍ଠିତ l
ରାମେଶ୍ୱର ମନ୍ଦିର ସହିତ ପ୍ରଭୁ ଲିଙ୍ଗରାଜଙ୍କ ଘନିଷ୍ଠ ସମ୍ପର୍କ ରହିଛି l କୁହାଯାଏ, ଏ ମନ୍ଦିର ହେଉଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଉସୀମା ମନ୍ଦିର l ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ପଡ଼ୁଥିବା ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶ୍ରୀଚନ୍ଦ୍ରଶେଖରଙ୍କ ସହିତ ଶ୍ରୀବାସୁଦେବ ଓ ରୁକ୍ମଣୀଙ୍କ ପ୍ରତିମା ସୁସଜ୍ଜିତ ରୁକୁଣା ରଥରେ ବିରାଜମାନକରି ଏହି ରାମେଶ୍ୱର ମନ୍ଦିରକୁ ଆଗମନ କରନ୍ତି l ଏଠାରେ ଚାରିଦିନ ଅବସ୍ଥାନ କରି ପୁଣି ଲିଙ୍ଗରାଜ ମନ୍ଦିରକୁ ପ୍ରସ୍ଥାନ କରନ୍ତି l
ପ୍ରତ୍ୟେକ ବର୍ଷ ଅଶୋକାଷ୍ଟମୀ ସମୟରେ ରାମେଶ୍ୱର ମନ୍ଦିର ପୁଷ୍ପ ଓ ଆଲୋକମାଳାରେ ସୁସଜ୍ଜିତ ହୋଇ ପ୍ରବଳ ଜନସମାଗମ ହେବା ସହ ଚଳଚଞ୍ଚଳ ହୋଇଉଠେ l ଲିଙ୍ଗରାଜ ଓ ରାମେଶ୍ୱରଙ୍କ ରୀତିନୀତିରେ ଅନେକ ସାମଞ୍ଜସ୍ୟ ଥିବା କଥା ପୂଜକ ଯାହା କୁହନ୍ତି l
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago