ଲେଖା: ଦେଵ ତ୍ରିପାଠୀ

ଉନ୍ନବିଂଶ ଶତକର ଶେଷାର୍ଦ୍ଧରେ ଭାରତୀୟ ପୁନର୍ଜାଗରଣର ପରିଣାମ ସ୍ବରୂପ ଦେଶବ୍ୟାପୀ ଯେଉଁ ଇତିହାସ ସଚେତନତା ଦେଖାଯାଇଥିଲା, ତାହା ଓଡ଼ିଆ ନାଟ୍ୟକାର ମାନଙ୍କୁ ପ୍ରଭାବିତ କରିବା ସ୍ବାଭାବିକ । ଏ ସମୟରେ ଆଗଙ୍ଗାଗୋଦାବରୀ ବିସ୍ମୃତ ଶସ୍ୟଶ୍ୟାମଳା-ପରିପୁଷ୍ଟ ଉତ୍କଳର ପରାଧୀନତା ଓ ଭାଗ୍ୟ ବିପର୍ଯ୍ୟୟକୁ ଉପଲବ୍ଧି କରି ପାରିଥିଲେ ସେମାନେ । ଏଣୁ ଓଡ଼ିଆ ନାଟକ ରଚନାର ପ୍ରାରମ୍ଭ କାଳରେ ନାଟ୍ୟକାରମାନେ ଚାହୁଁ ଥିଲେ ପ୍ରାଚୀନ ଅତୀତର ଗୌରବକୁ ଚିତ୍ରଣକରି ହୃତଗୌରବ ଓ ଅଧଃପତିତ ଉତ୍କଳୀୟମାନଙ୍କ ପ୍ରାଣରେ ପୁନଶ୍ଚ ଆତ୍ମବିଶ୍ବାସ ଓ ସମ୍ମାନ ବୋଧ ଜାଗ୍ରତ କରାଇବାକୁ । ସେଥିପାଇଁ ଜାତୀୟବାଦୀ ନାଟ୍ୟକାରଗଣ ଓଡ଼ିଶାର ଗୌରବ ପ୍ରଖ୍ୟାପନ ନିମନ୍ତେ ଦିଗବିଜୟୀ ଖାରବେଳ, ସମ୍ରାଟ କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ପ୍ରଭୃତି ଉତ୍କଳ ଯଶସ୍ବୀ ରାଜାମହାରାଜାଙ୍କ ଜୀବନଚରିତକୁ ବିଷୟବସ୍ତୁ ରୂପେ ନିର୍ବାଚିତ କରିଥିଲେ ।

ସେହିପରି ନବଜାଗରଣର ନାଟ୍ୟକାର ଥିଲେ ରାମଶଙ୍କର ରାୟ । କବି, ଔିପନାସିକ, ନାଟ୍ୟକାର, ପ୍ରାବନ୍ଧିକ, ସାହିତ୍ୟସମୀକ୍ଷକ, ସମାଜସେବକ ରାମଶଙ୍କର ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ମଧ୍ୟ ଆଧୁନିକ ନାଟକ ରଚନା ହିଁ ତାଙ୍କୁ ଆଣି ଦେଇଥିଲା ଖ୍ୟାତି ଓ ପ୍ରଶସ୍ତି । ଆଧୁନିକ ଓଡ଼ିଆ ରଙ୍ଗମଞ୍ଚର ଜନକ ରାମଶଙ୍କରଙ୍କର ପ୍ରଥମ ନାଟକ କାଞ୍ଚିକାବେରୀର ରୋମାଞ୍ଚକର କାହାଣୀ ଯୁଗ ଯୁଗ ଧରି ଉତ୍କଳୀୟମାନଙ୍କର ଜନମାନସକୁ ଆକୃଷ୍ଟ କରି ଆସିଛି ।

ରାମଶଙ୍କରଙ୍କ ଶ୍ରେଷ୍ଠ କୃତି କାଞ୍ଚିକାବେରୀ ବହୁ କାଳ ଧରି ପରବର୍ତ୍ତୀ ଓଡ଼ିଆ ନାଟ୍ୟକାର ମାନଙ୍କ ପାଇଁ ଥିଲା ମଞ୍ଚୋପଯୋଗୀ ନାଟକର ଆଦର୍ଶ । ଏହି ମହାନ ନାଟକ ଦର୍ଶକ ମାନଙ୍କ ମଧ୍ୟରେ ସ୍ବଦେଶ ପ୍ରେମ ଓ ଜାତୀୟ ଚେତନାକୁ ଉଦ୍ଦୀପ୍ତ କରାଇବା ସଙ୍ଗେ ସଙ୍ଗେ ନାଟ୍ୟକାରଙ୍କ ସମ୍ମାନ ଓ ଜନପ୍ରିୟତା ବୃଦ୍ଧି କରାଇଥିଲା ।

ପୁରୁଷୋତ୍ତମଦେବ ନାଟକରେ ଓଡ଼ିଆ ଜାତିର ଚଳନ୍ତି ବିଷ୍ଣୁ ଗଜପତି ଠାକୁରରାଜାଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରଭୁ ବଳଭଦ୍ର ଜଗନ୍ନାଥ କଳାଘୋଡା ଧଳାଘୋଡା ଚଢି କାଞ୍ଚିଯାତ୍ରା କରିଥିବା କିମ୍ବଦନ୍ତୀ ମୂଳକ ପ୍ରସଙ୍ଗ ଜନସାଧାରଣଙ୍କ ଆଧ୍ୟାତ୍ମିକ ଆବେଗକୁ ପରିତୃପ୍ତ କରିଥିଲା ।

ବିଷମୋଦକ, ଯୁଗଧର୍ମ, କାଞ୍ଚନମାଳି, ଲୀଳାବତୀ ପରି ସାମାଜିକ ନାଟକ ଗୁଡ଼ିକ ରେ ଦେଖିବାକୁ ମିଳେ ଜାତିପ୍ରଥା, ନିଶାନିବାରଣ, କୁସଂସ୍କାର ବିରୋଧରେ ଦୁର୍ବାର ସଂଗ୍ରାମ । ରାମବନବାସ, ରାମାଭିଷେକ, କଂସବଧଚୈତନ୍ୟଲୀଳା ପରି ପୌରାଣିକ ନାଟକଗୁଡିକରେ ଦେଖିବାକୁ ମିଳେ ଧର୍ମୀୟ ଚେତନାର ହୃଦୟଗ୍ରାହୀ ଚିତ୍ର । ବୁଢାବର, କଳିକାଳ ପରି ପ୍ରହସନ ଗୁଡ଼ିକରେ ସେ ଆଙ୍କିଛନ୍ତି ସମାଜର ବିଭିନ୍ନ ବର୍ଗର ଲୋକଙ୍କର ଚାରିତ୍ରିକ ସ୍ଖଳନର ସ୍ପଷ୍ଟଚିତ୍ର ।

ରାମଶଙ୍କରଙ୍କ ନାଟକଗୁଡିକରେ ସମକାଳୀନ ସମାଜର ବହୁବିଧ ସମସ୍ୟା, ରୀତିନୀତି, କୁସଂସ୍କାର, ସ୍ୱାର୍ଥପରତା, କ୍ଷମତାଲିପ୍ସା ଇତ୍ୟାଦିର ବିଷୟବସ୍ତୁ ପରିଲକ୍ଷିତ । ମଣିଷର ସ୍ଥିତି ଦୃଷ୍ଟିରୁ ମଙ୍ଗଳକର ନ ଥିବା ଚିଜଗୁଡିକ ପ୍ରତି ତୀବ୍ର ସମାଲୋଚନା ତଥା ସାମାଜିକ ସଂସ୍କାର ଲକ୍ଷ୍ୟରେ ରଚିତ ତାଙ୍କର ମହାନ ନାଟ୍ୟକୃତିଗୁଡିକ ନିମନ୍ତେ ସମାଲୋଚକ ମାନେ ତାଙ୍କୁ ଓଡ଼ିଆନାଟକର ସେକ୍ସପିୟର ଭାବେ ଅଭିହିତ କରିଥାନ୍ତି ।

କବି ଭାବରେ ମଧ୍ୟ ଅଜସ୍ର ଯଶର ଅଧିକାରୀ ରାମଶଙ୍କର ରାୟ ତରୁଣ ବୟସରେ ରଚିଥିବା ପ୍ରେମତରୀ ଗାଥାକାବ୍ୟକୁ ଲୋକେ ଇଂରାଜୀ କବି ଗୋଲ୍ଡସ୍ମିଥଙ୍କ ରଚନା ସହ ତୁଳନା କରିବାକୁ ପଛାନ୍ତି ନାହିଁ ।

ବହି ଆକାରରେ ଛପା ନ ଯାଇଥିଲେ ମଧ୍ୟ ରାମଶଙ୍କର ହିଁ ରଚିଥିଲେ ଓଡ଼ିଆଭାଷାର ପ୍ରଥମ ଉପନ୍ୟାସ ସୈାଦାମିନୀ । ପରବର୍ତ୍ତୀ ବିବାସିନୀ ଉପନ୍ୟାସରେ ଫୁଟିଉଠିଛି ମରହଟ୍ଟା ଶାସନର ଅତ୍ୟାଚାର, ପ୍ରଜାପୀଡନ ଓ ତତ୍କାଳୀନ ଦୁର୍ଭିକ୍ଷର ଛାୟା ।

ଆମ ଦେଶର ମହାନ ବେଦିକ ସଂସ୍କୃତି, ପରମ୍ପରା, ଧର୍ମ, ଐତିହ୍ୟ ସଫଳରୂପେ ପ୍ରତିଧ୍ଵନିତ ହୁଏ ରାମଶଙ୍କରଙ୍କର ଉଚ୍ଚକୋଟୀର ପ୍ରବନ୍ଧଗୁଡିକରେ । ସାହିତ୍ୟସମୀକ୍ଷକ ଓ ଭ୍ରମଣକାହାଣୀ ଲେଖକ ଭାବେ ସେ ସାଉଁଟିଛନ୍ତି ଅସୀମିତ ଯଶଖ୍ୟାତି ।

ଓଡ଼ିଶାମାଟିରେ ଅଦ୍ଭୁତପୂର୍ବ ସାଂସ୍କୃତିକ ବିପ୍ଳବ ସୃଷ୍ଟି କରିଥିବା ଏହି ଯୁଗପୁରୁଷଙ୍କୁ ତତ୍କାଳୀନ ଗୁଣଗ୍ରାହୀ ବ୍ରିଟିଶ ସରକାର ସମ୍ମାନିତ କରିଥିଲେ ରାୟବାହାଦୁର ଉପାଧିରେ, ମାତ୍ର ଓଡ଼ିଆ ନାଟକକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଏହି ମହାନ ନାଟ୍ୟକାରଙ୍କୁ ଆଜିର ଓଡ଼ିଆଏ ବା କ’ଣ ଦେଇପାରିଛନ୍ତି ! ନା ସମ୍ମାନ ନା ଉପଯୁକ୍ତ ସ୍ମୃତିଚାରଣ !

କଟକ ନିକଟସ୍ଥ ଅସୁରେଶ୍ୱର ଗ୍ରାମରେ ୧୮୫୭ ମସିହା ଜୁନ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ଆଧୁନିକ ଓଡ଼ିଆ ରଙ୍ଗମଞ୍ଚର ଜନକ ଏଇ ମହାନ ସ୍ରଷ୍ଟା ରାମଶଙ୍କର ରାୟ।

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago