ଲେଖା: ଦେଵ ତ୍ରିପାଠୀ
ଉନ୍ନବିଂଶ ଶତକର ଶେଷାର୍ଦ୍ଧରେ ଭାରତୀୟ ପୁନର୍ଜାଗରଣର ପରିଣାମ ସ୍ବରୂପ ଦେଶବ୍ୟାପୀ ଯେଉଁ ଇତିହାସ ସଚେତନତା ଦେଖାଯାଇଥିଲା, ତାହା ଓଡ଼ିଆ ନାଟ୍ୟକାର ମାନଙ୍କୁ ପ୍ରଭାବିତ କରିବା ସ୍ବାଭାବିକ । ଏ ସମୟରେ ଆଗଙ୍ଗାଗୋଦାବରୀ ବିସ୍ମୃତ ଶସ୍ୟଶ୍ୟାମଳା-ପରିପୁଷ୍ଟ ଉତ୍କଳର ପରାଧୀନତା ଓ ଭାଗ୍ୟ ବିପର୍ଯ୍ୟୟକୁ ଉପଲବ୍ଧି କରି ପାରିଥିଲେ ସେମାନେ । ଏଣୁ ଓଡ଼ିଆ ନାଟକ ରଚନାର ପ୍ରାରମ୍ଭ କାଳରେ ନାଟ୍ୟକାରମାନେ ଚାହୁଁ ଥିଲେ ପ୍ରାଚୀନ ଅତୀତର ଗୌରବକୁ ଚିତ୍ରଣକରି ହୃତଗୌରବ ଓ ଅଧଃପତିତ ଉତ୍କଳୀୟମାନଙ୍କ ପ୍ରାଣରେ ପୁନଶ୍ଚ ଆତ୍ମବିଶ୍ବାସ ଓ ସମ୍ମାନ ବୋଧ ଜାଗ୍ରତ କରାଇବାକୁ । ସେଥିପାଇଁ ଜାତୀୟବାଦୀ ନାଟ୍ୟକାରଗଣ ଓଡ଼ିଶାର ଗୌରବ ପ୍ରଖ୍ୟାପନ ନିମନ୍ତେ ଦିଗବିଜୟୀ ଖାରବେଳ, ସମ୍ରାଟ କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ପ୍ରଭୃତି ଉତ୍କଳ ଯଶସ୍ବୀ ରାଜାମହାରାଜାଙ୍କ ଜୀବନଚରିତକୁ ବିଷୟବସ୍ତୁ ରୂପେ ନିର୍ବାଚିତ କରିଥିଲେ ।
ସେହିପରି ନବଜାଗରଣର ନାଟ୍ୟକାର ଥିଲେ ରାମଶଙ୍କର ରାୟ । କବି, ଔିପନାସିକ, ନାଟ୍ୟକାର, ପ୍ରାବନ୍ଧିକ, ସାହିତ୍ୟସମୀକ୍ଷକ, ସମାଜସେବକ ରାମଶଙ୍କର ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ମଧ୍ୟ ଆଧୁନିକ ନାଟକ ରଚନା ହିଁ ତାଙ୍କୁ ଆଣି ଦେଇଥିଲା ଖ୍ୟାତି ଓ ପ୍ରଶସ୍ତି । ଆଧୁନିକ ଓଡ଼ିଆ ରଙ୍ଗମଞ୍ଚର ଜନକ ରାମଶଙ୍କରଙ୍କର ପ୍ରଥମ ନାଟକ କାଞ୍ଚିକାବେରୀର ରୋମାଞ୍ଚକର କାହାଣୀ ଯୁଗ ଯୁଗ ଧରି ଉତ୍କଳୀୟମାନଙ୍କର ଜନମାନସକୁ ଆକୃଷ୍ଟ କରି ଆସିଛି ।
ରାମଶଙ୍କରଙ୍କ ଶ୍ରେଷ୍ଠ କୃତି କାଞ୍ଚିକାବେରୀ ବହୁ କାଳ ଧରି ପରବର୍ତ୍ତୀ ଓଡ଼ିଆ ନାଟ୍ୟକାର ମାନଙ୍କ ପାଇଁ ଥିଲା ମଞ୍ଚୋପଯୋଗୀ ନାଟକର ଆଦର୍ଶ । ଏହି ମହାନ ନାଟକ ଦର୍ଶକ ମାନଙ୍କ ମଧ୍ୟରେ ସ୍ବଦେଶ ପ୍ରେମ ଓ ଜାତୀୟ ଚେତନାକୁ ଉଦ୍ଦୀପ୍ତ କରାଇବା ସଙ୍ଗେ ସଙ୍ଗେ ନାଟ୍ୟକାରଙ୍କ ସମ୍ମାନ ଓ ଜନପ୍ରିୟତା ବୃଦ୍ଧି କରାଇଥିଲା ।
ପୁରୁଷୋତ୍ତମଦେବ ନାଟକରେ ଓଡ଼ିଆ ଜାତିର ଚଳନ୍ତି ବିଷ୍ଣୁ ଗଜପତି ଠାକୁରରାଜାଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରଭୁ ବଳଭଦ୍ର ଜଗନ୍ନାଥ କଳାଘୋଡା ଧଳାଘୋଡା ଚଢି କାଞ୍ଚିଯାତ୍ରା କରିଥିବା କିମ୍ବଦନ୍ତୀ ମୂଳକ ପ୍ରସଙ୍ଗ ଜନସାଧାରଣଙ୍କ ଆଧ୍ୟାତ୍ମିକ ଆବେଗକୁ ପରିତୃପ୍ତ କରିଥିଲା ।
ବିଷମୋଦକ, ଯୁଗଧର୍ମ, କାଞ୍ଚନମାଳି, ଲୀଳାବତୀ ପରି ସାମାଜିକ ନାଟକ ଗୁଡ଼ିକ ରେ ଦେଖିବାକୁ ମିଳେ ଜାତିପ୍ରଥା, ନିଶାନିବାରଣ, କୁସଂସ୍କାର ବିରୋଧରେ ଦୁର୍ବାର ସଂଗ୍ରାମ । ରାମବନବାସ, ରାମାଭିଷେକ, କଂସବଧ ଓ ଚୈତନ୍ୟଲୀଳା ପରି ପୌରାଣିକ ନାଟକଗୁଡିକରେ ଦେଖିବାକୁ ମିଳେ ଧର୍ମୀୟ ଚେତନାର ହୃଦୟଗ୍ରାହୀ ଚିତ୍ର । ବୁଢାବର, କଳିକାଳ ପରି ପ୍ରହସନ ଗୁଡ଼ିକରେ ସେ ଆଙ୍କିଛନ୍ତି ସମାଜର ବିଭିନ୍ନ ବର୍ଗର ଲୋକଙ୍କର ଚାରିତ୍ରିକ ସ୍ଖଳନର ସ୍ପଷ୍ଟଚିତ୍ର ।
ରାମଶଙ୍କରଙ୍କ ନାଟକଗୁଡିକରେ ସମକାଳୀନ ସମାଜର ବହୁବିଧ ସମସ୍ୟା, ରୀତିନୀତି, କୁସଂସ୍କାର, ସ୍ୱାର୍ଥପରତା, କ୍ଷମତାଲିପ୍ସା ଇତ୍ୟାଦିର ବିଷୟବସ୍ତୁ ପରିଲକ୍ଷିତ । ମଣିଷର ସ୍ଥିତି ଦୃଷ୍ଟିରୁ ମଙ୍ଗଳକର ନ ଥିବା ଚିଜଗୁଡିକ ପ୍ରତି ତୀବ୍ର ସମାଲୋଚନା ତଥା ସାମାଜିକ ସଂସ୍କାର ଲକ୍ଷ୍ୟରେ ରଚିତ ତାଙ୍କର ମହାନ ନାଟ୍ୟକୃତିଗୁଡିକ ନିମନ୍ତେ ସମାଲୋଚକ ମାନେ ତାଙ୍କୁ ଓଡ଼ିଆନାଟକର ସେକ୍ସପିୟର ଭାବେ ଅଭିହିତ କରିଥାନ୍ତି ।
କବି ଭାବରେ ମଧ୍ୟ ଅଜସ୍ର ଯଶର ଅଧିକାରୀ ରାମଶଙ୍କର ରାୟ ତରୁଣ ବୟସରେ ରଚିଥିବା ପ୍ରେମତରୀ ଗାଥାକାବ୍ୟକୁ ଲୋକେ ଇଂରାଜୀ କବି ଗୋଲ୍ଡସ୍ମିଥଙ୍କ ରଚନା ସହ ତୁଳନା କରିବାକୁ ପଛାନ୍ତି ନାହିଁ ।
ବହି ଆକାରରେ ଛପା ନ ଯାଇଥିଲେ ମଧ୍ୟ ରାମଶଙ୍କର ହିଁ ରଚିଥିଲେ ଓଡ଼ିଆଭାଷାର ପ୍ରଥମ ଉପନ୍ୟାସ ସୈାଦାମିନୀ । ପରବର୍ତ୍ତୀ ବିବାସିନୀ ଉପନ୍ୟାସରେ ଫୁଟିଉଠିଛି ମରହଟ୍ଟା ଶାସନର ଅତ୍ୟାଚାର, ପ୍ରଜାପୀଡନ ଓ ତତ୍କାଳୀନ ଦୁର୍ଭିକ୍ଷର ଛାୟା ।
ଆମ ଦେଶର ମହାନ ବେଦିକ ସଂସ୍କୃତି, ପରମ୍ପରା, ଧର୍ମ, ଐତିହ୍ୟ ସଫଳରୂପେ ପ୍ରତିଧ୍ଵନିତ ହୁଏ ରାମଶଙ୍କରଙ୍କର ଉଚ୍ଚକୋଟୀର ପ୍ରବନ୍ଧଗୁଡିକରେ । ସାହିତ୍ୟସମୀକ୍ଷକ ଓ ଭ୍ରମଣକାହାଣୀ ଲେଖକ ଭାବେ ସେ ସାଉଁଟିଛନ୍ତି ଅସୀମିତ ଯଶଖ୍ୟାତି ।
ଓଡ଼ିଶାମାଟିରେ ଅଦ୍ଭୁତପୂର୍ବ ସାଂସ୍କୃତିକ ବିପ୍ଳବ ସୃଷ୍ଟି କରିଥିବା ଏହି ଯୁଗପୁରୁଷଙ୍କୁ ତତ୍କାଳୀନ ଗୁଣଗ୍ରାହୀ ବ୍ରିଟିଶ ସରକାର ସମ୍ମାନିତ କରିଥିଲେ ରାୟବାହାଦୁର ଉପାଧିରେ, ମାତ୍ର ଓଡ଼ିଆ ନାଟକକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଏହି ମହାନ ନାଟ୍ୟକାରଙ୍କୁ ଆଜିର ଓଡ଼ିଆଏ ବା କ’ଣ ଦେଇପାରିଛନ୍ତି ! ନା ସମ୍ମାନ ନା ଉପଯୁକ୍ତ ସ୍ମୃତିଚାରଣ !
କଟକ ନିକଟସ୍ଥ ଅସୁରେଶ୍ୱର ଗ୍ରାମରେ ୧୮୫୭ ମସିହା ଜୁନ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ଆଧୁନିକ ଓଡ଼ିଆ ରଙ୍ଗମଞ୍ଚର ଜନକ ଏଇ ମହାନ ସ୍ରଷ୍ଟା ରାମଶଙ୍କର ରାୟ।
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…