ଲେଖା: ଉତ୍ପଳ ପତି
ରଜମଉଜ ! ରଜପର୍ବର ନିଆରା ମଉଜ ! ରଜ ମୁଖ୍ୟତଃ ୩ ଦିନ ପାଳିତ ହେବା ସହ ପ୍ରଥମ ରଜର ପୂର୍ବଦିନ ଓ ଶେଷରଜର ପରଦିନ ମଧ୍ୟ ଏହି ପର୍ବ ପାଳିତ ହୋଇଥାଏ। ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜପର୍ବ। ରଜମଉଜ କେବଳ ଏହି ସ୍ବତନ୍ତ୍ର ଜିନିଷଗୁଡ଼ିକ ପାଇଁ।
~ ଅସଲି ରଜମଉଜ ନୂଆ ସଜବାଜ ~
“ପାଚିଲା ଭଇଁଚ କୋଳି,
ବେକରେ ନାଇଚି ଗଜରା ମାଳି . .
ବେକରେ ନାଇଚି ଗଜରା ମାଳିଲୋ . .
ଝୁଲାଅ ରଜର ଦୋଳି ”
ରଜର ଅର୍ଥ ସମସ୍ତଙ୍କ ପାଇଁ ସଜବାଜର ପର୍ବ ! ମଉଜର ପର୍ବ ! ପହିଲିରଜର ପୂର୍ବଦିନ ଅର୍ଥାତ ସଜବାଜ ଦିନଠାରୁ ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଝିଅମାନେ ସାଙ୍ଗ ହୋଇ ଏକାଠି ବୁଲି ଆନନ୍ଦ ନେବା ସହ ପରସ୍ପର ଘରକୁ ଯାଇ ପୋଡ଼ପିଠା, ରଜପାନ ଖାଇ ଦୋଳି ଖେଳିବାର ଅନୁଭୂତି ନିଆରା।
“ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ।।
ଆସିଛି ରଜ ଲୋ, ଘେନି ନୂଆ ସଜବାଜ।।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ।।
ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା” ।।
ଝିଅମାନେ ସଜବାଜରେ ପୂର୍ବରୁ କେଶ ଗୁଚ୍ଛକୁ ଇଠା (ଆଜିକାଲି ବିଭିନ୍ନ ପ୍ରକାରର ସାମ୍ପୁ, ସାବୁନରେ ସଫା କରୁଛନ୍ତି) ଫଳରେ ପରିଷ୍କାର କରନ୍ତି। ମହିଳାମାନେ ପୁରୁଣା ଗହଣା ଓ ଅଳଙ୍କାର ମଜନ୍ତି। ହଳଦୀ ମୁଖା ନିରିମାଖୀ କୁଆଁରୀ ଝିଅମାନେ ଭଳି ଭଳିକି ନୂଆ ପୋଷାକ ପିନ୍ଧି, ମୁଣ୍ଡରେ ଚନ୍ଦନ ଟିପା ଓ କୁଙ୍କୁମ, ନଖରେ ନେଲପଲିସ, ପାଦରେ ଅଳତା ପିନ୍ଧି ନିଜକୁ ସଜେଇବାରେ ବ୍ୟସ୍ତ ରୁହନ୍ତି। ଖାଲି ଝିଅମାନେ ନୁହନ୍ତି ସ୍ତ୍ରୀଲୋକମାନେ ମଧ୍ୟ ପାଦରେ ଆଳତା, ନୂଆଶାଢ଼ି ଓ ଗହଣାରେ ନିଜକୁ ସଜେଇବାରେ ଭୁଲିନଥାନ୍ତି।
ରଜମଉଜ ତ ଏଇଠୁ ଆରମ୍ଭ !
~ କଦଳୀପାଟୁକା ବା ଗୁଆପତ୍ର ଖୋଳପାରେ କଠଉ ~
ଏହି ଦିନ ପୃଥିବୀକୁ ଉତ୍ତପ୍ତ ମନେକରି ଧରିତ୍ରୀ ମା’କୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି। ପତ୍ର/ ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି। (ଅବଶ୍ୟ ଆଜିକାଲି ଏହାର ବିଧିପ୍ରାୟ ବହୁତ କମି ଯାଇଛି। ବଦଳରେ ଚପଲ ପିନ୍ଧନ୍ତି) ଯୁବତୀ ଝିଅମାନେ ଖାଲି ପାଦରେ ଭୂଇଁରେ ନ ଚାଲି କଦଳୀପାଟୁକା ବା ଗୁଆଖୋଳକୁ ପାଦରେ ପିନ୍ଧନ୍ତି ଏହି ସମୟରେ ଝିଅବୋହୁମାନେ ଘର ଭିତରେ ଦରି/ପାଲ ବିଛାଇ ଦେଇଥାନ୍ତି।
~ ରଜରେ ପୋଡ଼ପିଠା ~
ଏହି ଦିନ ପୋଡ଼ପିଠା, ଚକୁଳିପିଠା ଆଦି ଖିଆ ଯାଇଥାଏ। ପୋଡ଼ପିଠା ନ ଥିଲେ ରଜମଉଜ ଅଧା ! ଓଡ଼ିଆଙ୍କ ଘରେ ଏହି ପିଠା ପରମ୍ପରା ଅତି ପୁରୁଣା। ବିଶେଷ କରି ରଜ ସମୟରେ ଏହାର କିଛି ସ୍ୱତନ୍ତ୍ର ମହକ ଥାଏ। ରଜରେ ପୋଡ଼ପିଠାର ଗୁରୁତ୍ବ ବେଶୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୋଡ଼ପିଠା ଅତି ପ୍ରିୟ ବୋଲି ଲକ୍ଷ୍ମୀପୁରାଣରେ ବର୍ଣ୍ଣିତ। ବର୍ଷକ ଭିତରେ କେବେ ହେଉ କି ନହେଉ ରଜରେ କିନ୍ତୁ ପୋଡ଼ପିଠା ପ୍ରତି ଓଡ଼ିଆ ଘରେ ହୁଏ। ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଏହି ସମୟରେ ଚାଉଳ ଚୁନା ସହିତ ଅନ୍ୟାନ୍ୟ ସାମଗ୍ରୀକୁ ମିଶାଇ ପ୍ରସ୍ତୁତ ହୁଏ ସ୍ଵତନ୍ତ୍ର ପୋଡ଼ପିଠା। ପୋଡ଼ ପିଠା ପ୍ରସ୍ତୁତ କରିବାକୁ ବହୁତ ସମୟ ଲାଗିଥାଏ। ଗାଁରେ ଆଗ କାଳରେ ପୋଡ଼ ପିଠା ବିଶେଷ କରି ଚୁଲିରେ କରାଯାଏ। ଏବେ ପ୍ରେସର କୁକର ଓ ମାଇକ୍ରୋ ଓଭନରେ ବି ତିଆରି ହୋଇ ପାରୁଛି। ଏହି ପିଠାକୁ ରଜର ପୂର୍ବରାତିରୁ ପ୍ରସ୍ତୁତ କରି ରଖାଯାଏ। ସକାଳୁ ପୋଡ଼ପିଠା କଟାଯାଏ। ଗରମ ଗରମ ଡାଲମା ସହିତ ପ୍ରାୟ ଲୋକେ ଏହାକୁ ଖାଆନ୍ତି। ସୁଜି ପୋଡ଼ ପିଠା, ଛେନା ପୋଡ଼ ପିଠା, ମଇଦା ପୋଡ଼ପିଠା ଆଦି ବିଭିନ୍ନ ପ୍ରକାରରେ ତିଆରି ମଧ୍ୟ ହୋଇଥାଏ। ଅଗାଧୁଆ ରହି କେତେ ପ୍ରକାରର ଖାଦ୍ୟ ମହିଳାମାନେ ଖାଆନ୍ତି ନାହିଁ। ଏହି ସମୟରେ ଭାତରୁ ଅଧିକ ଅମ୍ଳରସ ସୃଷ୍ଟି ହେଉଥିବାରୁ ତା’ ବଦଳରେ ମୁଖ୍ୟ ଖାଦ୍ୟ ଭାବେ ପୋଡ଼ପିଠା ଓ ଫଳମୂଳ ଖାଇଥାନ୍ତି।
~ ଖାସୀମାଉଁସ ~
ଏଇ ସମୟରେ ଗାଁ ପୋଖରୀରେ ମାଛ ଧରା ହୋଇ ଭୋଗ ଲାଗେ। ଗାଁ ମୁଣ୍ଡରେ ଛେଳି କଟାଯାଏ। ଶାଳପତ୍ରରେ ସମସ୍ତଙ୍କ ଘର ଲାଗି ମାଂସ ଭାଗ ପଠାଯାଏ। ଲୋକେ କେବଳ ଏଇ ରଜ ସମୟକୁ ଖାସୀ କଟା ଲାଗି ଚାହିଁ ବସିଥାନ୍ତି । ଖାସୀମାଉଁସ ନ ହେଲେ ରଜମଉଜ ଫିକା ପଡ଼ିଯାଏ ! ଆଜି କାଲି ବଜାରରେ ଏସବୁ ମୁକ୍ତ ଭାବେ ମିଳୁଥିବାରୁ ରଜ ସମୟରେ ମାଂସ ଦୋକାନରେ ବହୁତ ଭିଡ଼ ହୁଏ। ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀ ଏହାର ଦର ଆକାଶ ଛୁଆଁ କରି ଦେଇଥାନ୍ତି।
~ ରଜପାନ ~
ରଜପାନ ଏହି ପର୍ବର ଆଉ ଏକ ବିଶେଷ ପରମ୍ପରା। ପାରସ୍ପରିକ ସମ୍ପର୍କ, ସ୍ନେହ, ଶ୍ରଦ୍ଧା ଓ ପ୍ରୀତିର ପ୍ରତୀକ ଭାବରେ ରଜପାନର ଦିଆନିଆ ହୋଇଥାଏ। ରଜପାନ ପାଟିରେ ନ ପଡ଼ିଲେ ଆଉ କି ରଜମଉଜ ! ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଚୁର ପରିମାଣରେ ପାନ ଚାଷ ହେଉଥିବା ଏବଂ ଏହା ସେବନ କରିବା ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇ ଥିବାରୁ ରଜ ଅବସରରେ ସ୍ବତନ୍ତ୍ର ପାନର ଚାହିଦା ଅନ୍ୟ ଦିନ ତୁଳନାରେ ଢେର ଅଧିକ ହୋଇଥାଏ। ସହରରେ ବିଭିନ୍ନ ଫ୍ଲେଭରର ପାନ ନାନାଦି ମଜାଦାର ନାମରେ ଉପଲବ୍ଧ ହେଲାଣି। ଯଥା ଦିଲଖୁସ, ଦିଲବାହାର, ଦିଲ ଦିବାନା, ରାଜୱାଡ଼ି, ବଣ୍ଟି ବବଲୀ, ଘୁଙ୍ଗୁରୁ, ମାୱା, ଡାଏଟ ପାନ, ଫାୟାର ପାନ, ଦବଙ୍ଗ ପାନ ଆଦି। ଏହା ଛଡା ଫ୍ଲେଭର ପାନ ମଧ୍ୟରେ ଷ୍ଟ୍ରବେରୀ, ଚକୋଲେଟ, ପାଇନ ଆପଲ, ବଟର ସ୍କ୍ରଚ, ଆପଲ, ଅରେଞ୍ଜ, ମ୍ୟାଙ୍ଗୋ, କେଶର ଏବଂ ଲିଚି ଫ୍ଲେଭରରେ ମିଳୁଛି ଯାହାର ଦାମ ୨୦ ଟଙ୍କାରୁ ଆରମ୍ଭ କରି ୪୦୦ ଟଙ୍କା ପର୍ଯ୍ୟନ୍ତ ଅଛି। ଏହି ପାନରେ ସ୍ବତନ୍ତ୍ର ମିକ୍ସ, ରିମଝିମ, ହଲଚଲ, ସମ ସୁପାରୀ, ଜିଲତାନ, ନଡ଼ିଆ, ମିକ୍ସ, ମଧୁରୀ, ପ୍ରଭୃତି ମସଲା ସହ ସଜାଇବା ପାଇଁ ଚେରୀ ବ୍ୟବହୃତ ହେଉଛି। ରଜ ପାଇଁ ସ୍ବତନ୍ତ୍ର ଗିଫ୍ଟ ପ୍ୟାକିଂ ମଧ୍ୟ ଉପଲବ୍ଧ ହେଉଛି ଯାହାକୁ ଗ୍ରାହକମାନେ ପରସ୍ପରକୁ ଉପହାର ଆକାରରେ ଦେଇ ପାରିବେ।
~ ହାତ ପଚାଇବା ~
ରଜରେ ହାତ ପଚାଇବା ଝିଅ ବୋହୁମାନେ ଜମାରୁ ଭୁଲନ୍ତି ନାହିଁ। ରଜ ସଜବାଜରେ ହାତ ପଚାଇବା ମୁଖ୍ୟ ଆକର୍ଷଣ ପାଲଟେ। ମଞ୍ଜୁଆତି ପତ୍ରରେ ହାତ ପଚାଇ ଥାନ୍ତି ଝିଅବୋହୂଏ ! ଆଜିକାଲି ଆଉ ଏଇ ହାତ ପଚାଇବା ଦେଖିବାକୁ ମିଳୁନି ! ଏହାର ସ୍ଥାନ ନେଇଛି ଅଣଓଡ଼ିଆ ଶୈଳୀ ମେହେନ୍ଦି ! ସମୟ ଅଭାବରୁ ବଜାରରେ ମିଳୁଥିବା ରେଡିମେଡ଼ ମେହେନ୍ଦି ହିଁ ଅଧିକ କାମରେ ଆସୁଛି। ବିଭିନ୍ନ ମଲମାନଙ୍କରେ ପେଶାଦାର ମେହେନ୍ଦି ଡିଜାଇନରମାନେ ଏସବୁ କାମକୁ ସହଜ କରିଦିଅନ୍ତି। ଆଉ କେତେଜଣ ପେଶାଦାର ଭାବେ ପାରମ୍ପରିକ ମେହେନ୍ଦି ତିଆରି କରି ଆଖି ପିଛୁଳାକେ ସୁନ୍ଦର ସୁନ୍ଦର ଡିଜାଇନ ହାତରେ ଲଗାଇ ଦେଉଛନ୍ତି। ସେମାନେ ୨୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥାନ୍ତି। ରଜ ଉତ୍ସବ ପାଳନ କରୁଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ମେହେନ୍ଦି ପ୍ରତିଯୋଗିତା ହୁଏ।
~ ରଜ ଆସର ଓ ରଜମଉଜ ~
ଦିନରେ ରଜ ଖଟି ଜମେ। ପଦ୍ୟାନ୍ତଠୁ ଆରମ୍ବ କରି ନାନାଦି କଥା ଆଲୋଚନା ହୁଏ। ଝୋଟିଅଙ୍କା, ପିଠାତିଆରି ଶିଖା, ହାତ ପଚାଇବା ଆଦି ବଡ଼ମାନେ ସାନକୁ ଶିଖାଇଥାନ୍ତି। ଅନେକ ସ୍ଥାନରେ ଏ ସବୁକୁ ନେଇ ପ୍ରତିଯୋଗିତା ମାନ ହୁଏ। ସଂଧ୍ୟାରେ ପାରମ୍ପାରିକ ପାଲା, ସୁଭଦ୍ରା ପରିଣୟ, ପ୍ରହଲ୍ଲାଦ ନାଟକ, ନାଗାନାଚ, ରାବଣନାଚ, କାଳୀନୃତ୍ୟ ପ୍ରଭୃତି ଆୟୋଜନ ହୁଏ। ରଜ ଦୋଳି ଗୀତରେ କଳାକାରମାନେ ନୃତ୍ୟ ପରିବେଷଣ କରନ୍ତି। ଝିଅଙ୍କ ପୁଚି, ଲୁଡୁ, ଦଉଡିଡିଆଁ, କଉଡ଼ିଖେଳ ଓ ଗାଁ ଦାଣ୍ଡରେ ପୁଅ ପିଲାମାନେ ତାସ, ପଶା ଓ ଲୁଡୁ, କବାଡି/ବାଗୁଡି ଓ ଚେସ ଖେଳି ମଜା ଉଠେଇ ଥାଆନ୍ତି। ଏ ପର୍ବରେ ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି, ଫେରି ଆସିଥାନ୍ତି ଘରକୁ। ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହସ କୌତୁକକ ଆସର ଭୁଲାଇ ଦିଏ କର୍ମମୟ ଜୀବନର ଅବସାଦ।
~ ବସୁମତୀ ସ୍ନାନ ~
ବସୁମତୀ ମାତା ତିନି ଦିନ ଧରି ଅସ୍ପୃଶ୍ୟ ରହିବାପରେ ଚତୁର୍ଥ ଦିନ ସ୍ନାନ କରି ଶୁଦ୍ଧ ହୁଅନ୍ତି, ଏହି ଦିନକୁ ‘ବସୁମତୀ ସ୍ନାନ’ କୁହାଯାଏ। ଅନେକ ଏହାକୁ ‘ଲକ୍ଷ୍ମୀଗାଧୁଆ’ ଭାବେ ପାଳନ କରିଥାନ୍ତି। ଭୂମିଦହନ ବା ଶେଷ ରଜର ପରବର୍ତ୍ତୀ ଦିନ ହେଉଛି ବସୁମତୀ ସ୍ନାନ। ପ୍ରତ୍ୟୁଷରେ ନିତ୍ୟକର୍ମ ସାରି ଗୃହିଣୀମାନେ ଗୃହ ସମ୍ମୁଖରେ ଶିଳପୁଆଟିଏ ରଖି ସିନ୍ଦୂର ଲଗାଇ କ୍ଷୀର ଓ ଜଳ ଢାଳି ସ୍ନାନ କରାଇଥାନ୍ତି। ଏହିଦିନ ଗ୍ରାମଦେବୀଙ୍କ ନିକଟକୁ ପ୍ରତ୍ୟେକ ଘରୁ ମାଜଣା ପାଇଁ କଳାଶାଢ଼ି, ସିନ୍ଦୂର, ଶଙ୍ଖା, ଚୁଆ ଆଦି ପଠାଯାଏ। ଦେବୀଙ୍କ ମାଜଣା ପରେ ସେଠାରେ ଖେଚୁଡ଼ି ଭୋଗ ଅର୍ପଣ କରାଯାଏ। ଏହାପରେ ହଳ, ଲଙ୍ଗଳ, ଯୁଆଳି ଓ ବଳଦଙ୍କୁ ପୂଜା କରାଯାଏ। ରଜର ଶେଷ ଦିନରେ ଠାକୁରାଣୀ ଗାଧୁଆରେ କାଠ ପିଢା ଉପରେ ଶିଳପୁଆ, ଲଙ୍ଗଳ, ଲୁହା ଓ ବିଭିନ୍ନ ଉପକରଣ ରଖି ତା ଉପରେ ହଳଦୀ ପାଣି ଢାଳନ୍ତି। ଭୋଗ ରାଗ ସହ ବସୁମତୀ ସ୍ନାନ କରାନ୍ତି। ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି।
~ ରଜଦୋଳି ~
ରଜ ଆସିଲେ ମନରେ ଭରିଯାଏ ଉତ୍କଣ୍ଠା। ଖେଳିବାରେ, ବୁଲିବାରେ କାହାର ଆକଟ ନଥାଏ। ତୋଟାର କେଉଁ ଗଛରେ ଦୋଳି ବନ୍ଧା ହେବ ପୁଅମାନେ ଆଗୁଆ ନିର୍ଣ୍ଣୟ କରି ରଖିଥାଆନ୍ତି। ରଜ ପୂର୍ବରୁ ସେ ଗଛ ମୂଳକୁ ସଫା କରିବା, ବାଉଁଶ କାଟିବା, ପିଢ଼ା ବା ପଟା ଯୋଗାଡ଼ ପାଇଁ ସଭିଙ୍କ ମନରେ ଉତ୍ସାହ ଦେଖିବାକୁ ମିଳେ। ଦଉଡି ଦୋଳି, ବାଉଁଶ ଦୋଳି ଓ ପଟାଦୋଳି ଓଡ଼ିଶାର ଗାଁମାନଙ୍କରେ ଅଧିକାଂଶ ଦେଖାଯାଏ। ପହିଲିରଜ ଦିନ ଦୋଳିକୁ ଫୁଲରେ ସଜାଯାଏ। ଦୋଳିରେ କିଏ କେତେ ଉପରକୁ ଉଠି ପାରିବ ତାକୁ ନେଇ ପ୍ରତିଯୋଗିତା ହୁଏ। ଯଦିଓ ରଜ ବିଶେଷ କରି ଝିଅମାନଙ୍କ ପର୍ବ ବୋଲି କୁହାଯାଏ, ହେଲେ ସେ ସମୟରେ ନା ଝିଅ ନା ପୁଅ କିଛି ବାଛ ବିଚାର ନଥାଏ ସମସ୍ତେ ଦୋଳିର ମଜା ନିଅନ୍ତି। ଅସଲ ରଜମଉଜ ଥାଏ ଏଇ ଦୋଳିଖେଳରେ ! ସହରୀ ସଭ୍ୟତାରେ ଦୋଳି ଲଗାଇବାକୁ ଉପଯୁକ୍ତ ଗଛ ଖଣ୍ଡିଏ ନାହିଁ କି ଖେଳିବାକୁ ଆମ୍ବ ତୋଟା ନାହିଁ। ଏବେ ପାରମ୍ପରିକ ଦୋଳିର ରୂପ ବଦଳି ସହରରେ ମେଳାମାନଙ୍କରେ ରାମଦୋଳି, ଚକ୍ରୀ/ଚରଖି ଦୋଳିର ରୂପ ନେଇଛି। ଆଜିର ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକଙ୍କ ଘରେ ବେତରେ ତିଆରି ଦୋଳି ସବୁଦିନିଆ ଭାବେ ଲୋକପ୍ରିୟ ହୋଇ ପାରିଛି।
~ ରଜଦୋଳି ଗୀତ ~
ରଜମଉଜ ଦୁଇଗୁଣା ହୋଇଯାଏ ‘ରଜଦୋଳି ଗୀତ’ରେ ! ଯାହା ଗାଁଗହଳିରେ ଜନ୍ମ ହୋଇ ପୁରୁଷ ପୁରୁଷ ଧରି ଲୋକ ମୁଖରେ ବୋଲାଯାଇ ଆସୁଛି। ରଜଦୋଳି ଗୀତ କହେ ଗାଁ’ମାଟିର କଥା, ଓଡ଼ିଶାର ପାଣିପବନର କଥା, ଆଉ ଖାଣ୍ଟି ଓଡ଼ିଆପଣିଆର କଥା। ବାପ ଘର ଛାଡ଼ି ଶାଶୁଘରକୁ ଆସିବା ବେଳର ଅପାସୋରା ଅନୁଭୂତିକୁ ମନେ ପକାଇ ବାହାଘର ବେଳର ବାହୁନା କାନ୍ଦଣାଗୀତ ଗାଇ ନିଜେ କାନ୍ଦିବା ସହ ଅନ୍ୟମାନଙ୍କୁ କନ୍ଦେଇଥାନ୍ତି। ନଣନ୍ଦ ଭାଉଜଙ୍କ ଟାହିଟାପରା ଶୁଣିବାକୁ ଭାରି ମଜାଲାଗେ। ଗାଁରେ ଝିଅ ଭୁଆଷୁଣୀ ମାନେ ଦଳ ବାନ୍ଧି ନାନା ପ୍ରକାରର ଦୋଳିଗୀତ ବୋଲନ୍ତି ସେହି ବୋଲା ଯାଉଥିବା ଗୀତକୁ ସବାରୀ ବା ଛଟକି କୁହାଯାଏ। ଏହି ଗୀତ ମାଧ୍ୟମରେ ଫୁଟି ଉଠେ ପରସ୍ପର ମଧ୍ୟରେ ଥିବା ସ୍ନେହଶ୍ରଦ୍ଧା, ଟାହିଟାପରା, ମାନଅଭିମାନ, ଭାବପୀରତି ସବୁ କିଛି।
“ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ ।
ଆସିଛି ରଜ ଲୋ,
ଘେନି ନୂଆ ସଜବାଜ” ।।
~ ଝୋଟିଚିତା ~
ରଜ ପୂର୍ବରୁ ପରିବାରର ଗୃହିଣୀମାନେ ଖୁବ ବ୍ୟସ୍ତ ରହି ଘର ଅଗଣା ଲିପା ପୋଛା, ଧୁଆଧୋଇ ଗାଧୁଆପାଧୁଆ କାମ ସମାପନ କରି ଝୋଟିଚିତା ଅଙ୍କନ କରିଥାନ୍ତି। ଝିଅମାନଙ୍କ ପାଇଁ ଏହି କଳା ଶିଖିବାର ଏକ ଅବସର।
~ ବାଗୁଡ଼ି ବା କବାଡ଼ିଖେଳ ~
ରଜରେ କେବଳ ଝିଅ ନୁହଁନ୍ତି ପୁରୁଷ ମାନେ ମଧ୍ୟ ରଜମଉଜ କରନ୍ତି। ଗାଁ’ ନଈବାଲିରେ ବାଗୁଡିଖେଳ ଦେଖିବାକୁ ମିଳେ। ସାହି ସାହି ମଧ୍ୟରେ ବା ଗାଁ ଗାଁ ମଧ୍ୟରେ ଖେଳ ପ୍ରତିଯୋଗିତା ଚାଲେ। ଏଥିରେ ବାଜି ମଧ୍ୟ ଲାଗେ। ଦେଖିବାକୁ ବହୁତ ଲୋକ ରୁଣ୍ଡ ହୁଅନ୍ତି।
ପ୍ରଥମ ରଜ ଓ ଶେଷ ରଜ ଦିନ ଘରେଘରେ କଦଳୀ, ପଣସ, ଆମ୍ବ, ତାଳ, କେନ୍ଦୁ, ଲିଚୁ, ଜାମୁକୋଳି ଆଦି ଖରାଦିନିଆ ଫଳମୂଳ ବିଭିନ୍ନ ପ୍ରକାର ପିଠା ଓ ମିଷ୍ଟାନ୍ନ, ଦୁଗ୍ଧଜାତ ପଦାର୍ଥରୁ ପ୍ରସ୍ତୁତ ଖାଦ୍ୟର ବ୍ୟବସ୍ଥା କରାଯାଇ ଥାଏ। ରଜ ସମୟରେ ଢୋଲ, ମହୁରୀ ଓ ମାଦଳରେ ଗାଁ ଦାଣ୍ଡ ଉଛୁଳି ଉଠେ। ପୃଥିବୀର ମାତୃତ୍ଵ କାମନା କରି ସୃଷ୍ଟିର ଜୟ ଗୀତଗାନ କରେ କୃଷକ। ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଆଣେ ରଜପର୍ବ। ଦୋଳିରେ ଦୋଳିରେ ଛୁଟେ- କୁଆଁରୀଙ୍କ ରଜଗୀତର ଲହରା ସ୍ଵର। ପୋଡପିଠା ଖାଇ ପୁଅମାନଙ୍କ ତାସ ବାଗୁଡି ଖେଳ, ଆଉ ଝିଅ ମାନଙ୍କ ଗାଁ ବୁଲା, ଅଳତା ଲଗା ସହ ରଜ ପାନ ଖାଇ ଓଠ ରଙ୍ଗେଇବାର ରଜପର୍ବ ଏକ ଭିନ୍ନ ମଉକା। ଇଏ ହେଉଚି ଉତ୍କଣ୍ଠାର ରଜ ପରିବେଶ।
ଅନନ୍ୟ ପର୍ବ ଇୟେ ଓଡ଼ିଆର ! ଅନନ୍ୟ ଏଇ ରଜମଉଜ !