ଲେଖା: ଶିଶିର ସାହୁ ମନୋଜ

ଏଇ ମିଶି ଶବ୍ଦଟି କେବେ ଥିଲା ମାନକ, ଆଜି କିନ୍ତୁ ଆଞ୍ଚଳିକ !

ପ୍ରାଚୀନ ଓଡ଼ିଆ ଭାଷାରେ ‛ଏଵଂ’ ସ୍ଥାନରେ ଆଗେ ଵ୍ୟଵହାର ହେଉଥିଲା ‛ମିଶି’ ଶବ୍ଦ । ସମ୍ଭଵତଃ ଦୁଇଗୋଟି ଵାକ୍ଯକୁ ଏକାଠି ମିଶା ଯାଉଥିଵା ହେତୁ ‛ମିଶା’ ଶବ୍ଦର ଆନରୂପ ‛ମିଶି’ ହିଁ ଏଠାରେ ‛ଏଵଂ’ ଭଳି ଏକ ଅଵ୍ଯୟ ଭାଵେ ଵ୍ଯଵହାର ହୋଇଅଛି ।

“କୁନ୍ଦ କର୍ଵୀର ଛୁରିଅନା,
ମିଶି ନାଗେଶ୍ଵର ଦୟଣା ।”
(ଭୂପତି, ପ୍ରେମ ପଞ୍ଚାମୃତ)

ମାନକ ଓଡ଼ିଆ ଵା ବହିଭାଷାରେ ଦୁଇଟି ଶବ୍ଦକୁ ଯୋଡା଼ଯିଵା ସମୟରେ ‛ଓ’ ତଥା ଦୁଇଗୋଟି ଖଣ୍ଡ ଵାକ୍ଯକୁ ‛ଏଵଂ’ ଵ୍ଯଵହାର ପୂର୍ଵକ ସଂଯୁକ୍ତ କରାଯାଏ ।

ତଥା ଓ ମଧ୍ୟ ଶବ୍ଦ ମଧ୍ୟ ଏଇ କ୍ଷେତ୍ରରେ ସମାନ କାର୍ଯ୍ୟ କରିଥାଏ । ‛ଓ’ ଅଵ୍ଯୟ ଶବ୍ଦ ପୁଣି ଅଞ୍ଚଳ ତଥା ଵାକ୍ଯ ଭେଦରେ ‛ଉ’ ତଥା ‛ଆଉ’ ଇତ୍ୟାଦି ହୋଇ ଵ୍ଯଵହାର ହେଉଥିଵା ଦେଖାଯାଏ ।

ତେଵେ ଓଡ଼ିଆ ଭାଷାରେ ଆଜି ବି କେତେକ ଅଞ୍ଚଳରେ ମିଶି ସହିତ ସାମଞ୍ଜସ୍ୟ ଥିଵା ଅଵ୍ଯୟ ଶବ୍ଦ ଵ୍ଯଵହାର ହେଉଥିଵା କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ । ଉଦାହରଣ ସ୍ଵରୂପ:

୧. ଗଞ୍ଜାମରେ ମିଶାରୁ ଶବ୍ଦ ଏକ ଅଵ୍ଯୟ ଶବ୍ଦ ଭାଵେ ମଧ୍ୟ ଓ ସହିତ ଅର୍ଥରେ ଵ୍ଯଵହାର ହୋଇଥାଏ ।

୨. ଗଜପତିରେ ମିଶା ଶବ୍ଦ ମଧ୍ୟ ଅର୍ଥରେ ଵ୍ଯଵହାର ହୋଇଥାଏ ।

୩. କନ୍ଧମାଳ ଓ ଝାରସୁଗୁଡ଼ାରେ ମିଶେ ଶବ୍ଦ ଆଜି ବି ମଧ୍ୟ ଅର୍ଥରେ ଏକ ଅଵ୍ଯୟ ଶବ୍ଦ ଭାଵରେ ପ୍ରୟୋଗ ହୁଏ ।

ଆମ ଭାଷାରେ ମଧ୍ୟ ଶବ୍ଦର ବି ଏଵଂ ଅର୍ଥରେ ଵ୍ଯଵହାର ରହିଛି ତେଵେ କେଵଳ କେତେକ ଵିଶେଷ ଵାକ୍ଯଗଠନ କାଳରେ ପ୍ରୟୋଗ ହୁଏ । ଯେମିତିକି ଫକୀରମୋହନ ସେନାପତି ଛମାଣ ଆଠଗୁଣ୍ଠରେ ‛ଏଵଂ’ ଅର୍ଥରେ ‛ମଧ୍ୟ’ ଶବ୍ଦର ଵ୍ଯଵହାର କରିଅଛନ୍ତି,

“ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ୟ ମହାଜନ।”
(ଫକୀରମୋହନ, ଛମାଣ ଆଠଗୁଣ୍ଠ।)

ତେବେ ଓଡ଼ିଆ ଭାଷାରେ ମଧ୍ୟ ଶବ୍ଦର ଅପିଚ, ପୁନଶ୍ଚ, ଆହୁରି ଓ କିନ୍ତୁ ଇତ୍ୟାଦି ଅର୍ଥରେ ମଧ୍ୟ ଵ୍ଯଵହାର ରହିଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ।

ଏକଦା ଓଡ଼ିଆ ଭାଷାରେ ମିଶି ଶବ୍ଦ ବହୁପ୍ରଚଳିତ ଥିଲା ଫଳରେ ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କଥିତ ଭାଷାରେ ଏ ଶବ୍ଦ ସାମାନ୍ୟ ପରିଵର୍ତ୍ତିତ ଅର୍ଥ ଓ ରୂପରେ ଆଜି ବି ଚଳୁଅଛି । ତେଵେ ଆଧୁନିକ ମାନକ ଓଡ଼ିଆ ଭାଷାରେ ‛ଏଵଂ’ ଶବ୍ଦର ବହୁଳ ଵ୍ଯଵହାର ଯୋଗୁଁ ‛ମିଶି’ ଶବ୍ଦର ଵ୍ଯଵହାର ହଟିଯାଇଛି,ଏଵଂ ଶବ୍ଦ ସର୍ଵଭାରତୀୟ ସ୍ଥରରେ ବହୁପ୍ରଚଳିତ ଥିଵାରୁ ଏହା ଓଡ଼ିଆ ଭାଷାରେ ମଧ୍ୟ ଲୋକପ୍ରିୟ ହୋଇଛି  ଓ ଉପକୂଳର କଥିତ ଶୈଳୀରେ ଏବୁଁ ହୋଇ ମଧ୍ୟ ଏହା ଚଳୁଥିଵାର ଦେଖାଯାଏ ।

ଓଡ଼ିଆ ଭଳି ସଂସ୍କୃତରେ ମଧ୍ୟ ଚିଦ୍, ତୁ, ଉତ୍ ଓ ଚ ଇତ୍ୟାଦି ଶବ୍ଦ  and ଅର୍ଥରେ ପ୍ରୟୋଗ ହୋଇଥାଏ ।

© ଶବ୍ଦଭେଦ

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

6 days ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 week ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 weeks ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 weeks ago