ଲେଖା: ଶିଶିର ସାହୁ ମନୋଜ
~ ମା’ ମଙ୍ଗଳା: ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ~
ଆମ କଳିଙ୍ଗୋଡ୍ରତ୍କଳରେ ନୌଵାଣିଜ୍ୟ ପରମ୍ପରାର ଅଧିଷ୍ଠାତ୍ରୀ ମା’ ମଙ୍ଗଳା । କଳିଙ୍ଗ ଦେଶର ସାଧଵମାନେ ବୋଇତ ଦେଇ ଯାତ୍ରା ଆରମ୍ଭ କରିଵା ସମୟରେ ମା’ ମଙ୍ଗଳାକୁ ସ୍ମରଣ କରୁଥିଲେ ତାଙ୍କର ଆରାଧନା କରୁଥିଲେ ।
ଗୋପୀନାଥ ଦାସ ତାଙ୍କ “ଖୁଦୁରୁକୁଣୀ” ପଦ୍ୟରେ ସାଧଵମାନେ କିପରି ମା’ ମଙ୍ଗଳାଙ୍କୁ ସୁମରଣା କରନ୍ତି ତହିଁର ଵର୍ଣ୍ଣନା କରିଛନ୍ତି
“ଜୟଗୋ ଜୟ ଗୋ ମଙ୍ଗଳା
ଉଦ୍ଧାର ବୁଡ଼ିବାର ଭେଳା ।
ସଂକଟ ତାରିଣୀ ମଙ୍ଗଳା
ଉଦ୍ଧାର ବୁଡ଼ିବାର ଭେଳା ।”
ମଙ୍ଗ୍ ଧାତୁର ଅର୍ଥ ଗମନ କରିଵା ଵା ଯିଵା । ନୌକାର ମୁଣ୍ଡ ଵା ନୌକାର କର୍ଣ୍ଣ ତଥା ଜାହାଜର ପାର୍ଶ୍ବ (ଆପ୍ଟେ)କୁ ମଙ୍ଗ କୁହାଯାଏ । ଡଙ୍ଗାର ଆଗ ପାଖର ମଙ୍ଗକୁ ଆଗମଙ୍ଗ ଓ ପଛପାଖର ମଙ୍ଗକୁ ପଛମଙ୍ଗ କହନ୍ତି । ଯେମିତି ମଙ୍ଗ ଵିନା ବୋଇତରେ ଆତଯାତ କରିଵା ଅସମ୍ଭଵ ସେହିପରି ମଙ୍ଗ୍ ଧାତୁରୁ ନିଷ୍ପନ୍ନ ମଙ୍ଗଳା ନାମରେ ନାମିତ ମା’ ମଙ୍ଗଳାଙ୍କ ସ୍ମରଣ ଵିନା ଜଳଯାତ୍ରା ମଧ୍ୟ ନିତାନ୍ତ ଵିପଦପୂର୍ଣ୍ଣ ବୋଲି ପ୍ରାଚୀନ କାଳରୁ ଏ ଦେଶରେ ଲୋକଵିଶ୍ଵାସ ପ୍ରଚଳିତ । କଳିଙ୍ଗୋଡ୍ରତ୍କଳର ନୌଵାଣିଜ୍ୟ ଯୁଗରେ ବୋଇତର ମଙ୍ଗ ଉପରେ ମା’ ମଙ୍ଗଳାଙ୍କୁ ସ୍ଥାପନ କରାଯାଉଥିଲା । କାର୍ତ୍ତିକ ପୂର୍ଣ୍ଣିମା ପରେ ମାର୍ଗଶିର ମାସରେ ଗମନ କରି ଭାଦ୍ରବ ମାସରେ ସାଧବମାନେ ନୌବାଣିଜ୍ୟ ସାରି ଵିଦେଶରୁ ସ୍ଵଦେଶକୁ ଲେଉଟି ଆସୁଥିଲେ । ସାଧଵମାନଙ୍କର ଶୁଭ ପ୍ରତ୍ୟାଵର୍ତ୍ତନ ଲାଗି କୁମାରୀମାନେ ଭାଦ୍ରବ ମାସରେ ମଙ୍ଗଳମୟୀ ମା’ ମଙ୍ଗଳାଙ୍କୁ ଆରାଧନା କରୁଥିଲେ ଯାହା ଆଜି ମଧ୍ୟ “ଖୁଦୁରୁକୁଣୀ ଓଷା” ନାମରେ ପାଳିତ ହୋଇଥାଏ ।
ପାର୍ଵତୀ, ଦୁର୍ଗା ଓ ସରସ୍ବତୀ ଠାକୁରାଣୀଙ୍କ ମୂର୍ତ୍ତିକୁ ମଙ୍ଗଳା କୁହାଯାଏ । ପତିଵ୍ରତା ସ୍ତ୍ରୀ, ଧଳା ଓ ନୀଳ ଦୁବ ତଥା ହଳଦୀକୁ ମଧ୍ୟ ମଙ୍ଗଳା କୁହାଯାଏ ।‌ ଓଡ଼ିଶାର ଅଧିଷ୍ଠାତ୍ରୀ ଦେଵୀ ହେଉଛନ୍ତି ମା’ ମଙ୍ଗଳା । ତାଙ୍କୁ ଏଠାକାର ଅଧିକାଂଶ ଗ୍ରାମରେ ଗ୍ରାମ୍ୟ ଦେଵୀ ରୂପେ ଆରାଧନା କରାଯାଏ । କାକଟପୁରରେ ସେହି ମା’ଙ୍କର ପ୍ରସିଦ୍ଧ ମନ୍ଦିର ଵିଦ୍ୟମାନ ।
ଓଡ଼ିଶାର ଲୋକେ ନୌଵାଣିଜ୍ୟ କରୁଥିଲେ ଫଳରେ ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ମା’ ମଙ୍ଗଳାଙ୍କର ଦେଵସ୍ଥାନ ଓଡ଼ିଶାର ପ୍ରାୟ ଅଧିକାଂଶ ଅଞ୍ଚଳରେ ଦେଖାଯାଏ । ମା’ ମଙ୍ଗଳାଙ୍କୁ ସ୍ମରଣ ଵିନା ନୌଯାତ୍ରା କରିଵାକୁ ଅଶୁଭ ମନେ କରାଯାଉଥିଲା ‌ ।
ଶ୍ରୀଧର ଧୀଵରଙ୍କ ‘ଖୁଲଣା ସୁନ୍ଦରୀ’ ଗୀତିକାଵ୍ୟରେ ଏହି ଲୋକଵିଶ୍ଵାସ ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି । ସାଧଵ ଧନେଶ୍ବର ନୌଵାଣିଜ୍ୟ ଯାତ୍ରା ଆରମ୍ଭ ପୂର୍ଵରୁ ମା’ ମଙ୍ଗଳାଙ୍କ ପରିଵର୍ତ୍ତେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିଥିଵାରୁ ପରେ କେମିତି ବହୁ ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ଏଵଂ ଧନେଶ୍ଵର ସାଧଵ ପ୍ରତି ମା’ ମଙ୍ଗଳାଙ୍କର ତିରସ୍କାରକୁ ଶ୍ରୀଧର ଧୀଵର ‘ଖୁଲଣା ସୁନ୍ଦରୀ’ରେ ଏପରି ଉଲ୍ଲେଖ କରିଛନ୍ତି …
“ଧନେଶ୍ବର ତୁ କି ବାତୁଳ ହେଲୁ କି
ମତେ ଛାଡ଼ି ତୁ ଅନ୍ୟକୁ ଭଜିଲୁ ।
ସେ କାଳିଆ ବଡ଼ ଦେଉଳେ ବସି
ଭୋଗ ଖାଉଥାଏ ହୋଇଣ ଖୁସି ।
ଦେଖିବି ସେ ତୋତେ ରଖେ କେମିତି
ମୁହିଁ ମା’ ତୋତେ କହେ ଏତିକି । ”
ସ୍ପଷ୍ଟ ହୁଏ ମା’ ମଙ୍ଗଳା ନୌଵାଣିଜ୍ୟ ପରମ୍ପରାର ଇଷ୍ଟ ଦେଵୀ ଫଳତଃ ଏ ଦେଶରେ ଆଗେ ନୌଯାତ୍ରା ପୂର୍ଵରୁ ଜୟ ଜଗନ୍ନାଥର ଜୟଘୋଷ ନୁହେଁ ଵରଂ ମାତା ମଙ୍ଗଳାଙ୍କୁ ସ୍ମରଣ କରାଯାଉଥିଲା । ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଆଜକୁ ଶତ ଶତ ଵର୍ଷ ପୂର୍ଵେ ଏହି ମାର୍ଗଶିର ମାସରେ ମା’ ମଙ୍ଗଳାଙ୍କୁ ସ୍ମରଣ ଓ ପୂଜା କରି ବୋଇତ ନେଇ ନୌଵାଣିଜ୍ୟ ହେତୁକ ସାଗରପାରି ଦେଶମାନଙ୍କୁ ଗମନ କରୁଥିଲେ ।‌
ଯୁଗ ପରେ ଯୁଗ ବିତି ଯାଇଛି କଳିଙ୍ଗ ଦେଶର ସେ ସୁଵର୍ଣ୍ଣଯୁଗ ମଧ୍ୟ ଅପସରି ଯାଇଛି କିନ୍ତୁ ଓଡ଼ିଆ ଜାତି ପ୍ରାୟତଃ ସ୍ଵାଭିମାନହୀନ ହୋଇ ସୁଦ୍ଧା ତା ଜାତୀୟ ଠାକୁରାଣୀ ମା’ ମଙ୍ଗଳାଙ୍କର ଆଜି ବି ଆରାଧନା କରିଚାଲିଛି । ସେଇ ମାଆମାଟି ଅଛି, ମହୋଦଧି ଓ ମା’ ମଙ୍ଗଳା ଅଛନ୍ତି କିନ୍ତୁ ୪୦୦ ଵର୍ଷର ପରାଧୀନତା ଯୋଗୁଁ ଓଡ଼ିଆ ଜାତିର ସ୍ଵାଭିମାନ ହ୍ରାସ ହେତୁକ ଏ ଜାତି ସୁନାରୁ କ୍ରମଶଃ ମାଟି ହୋଇ ହୋଇ ଗଲାଣି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago