ଲେଖା: ଦେଵ ତ୍ରିପାଠୀ

ତ୍ରୟୋଦଶ ଶତାବ୍ଦୀର କଥା ।

ବଙ୍ଗର ନବାବ ଗିୟାସୁଦ୍ଦିନ୍ ଖିଲିଜିକୁ ଦମନ କରିବା ଲକ୍ଷ୍ୟ ନେଇ ସୈନ୍ୟବଳ ସହ ଆଗେଇଲେ ଓଡ଼ିଶାର ବୀରାଧିବୀରବର ବୀରଶ୍ରୀ ଗଜପତି ତୃତୀୟ ଅନଙ୍ଗଭୀମ ଦେବ ! ଜଳପଥରେ ଆଗେଇବା ପୂର୍ବରୁ ଠାକୁରାଣୀଙ୍କ ଆଶୀର୍ବାଦ ନେବାକୁ ଭୁଲି ନଥିଲେ ଗଜପତି ! ସେଇ ଐତିହାସିକ ବିଜୟ ଯେ ଠାକୁରାଣୀଙ୍କ ଆଶୀର୍ବାଦ-ସମ୍ଭୁତ, ଏ ଧାରଣା ଜନଜୀବନରେ ବଦ୍ଧମୂଳ ହୋଇରହିଛି ସେବେଠାରୁ ! ସେଇ ଠାକୁରାଣୀ ଆମର ଆଧୁନିକ ବନ୍ଦର ଧାମରାର ଇଷ୍ଟଦେବୀ ମା’ ଧାମରାଈ ।

                                                       (ମା’ ଧାମରାଈ ମନ୍ଦିର)

ଭଦ୍ରକ ନଗରୀରୁ ୮୫ କି.ମି. ଦୂରରେ ଚାନ୍ଦବାଲି ବ୍ଲକରେ ପବିତ୍ର ବୈତରଣୀ ଓ ବ୍ରାହ୍ମଣୀ ନଦୀର ମିଳିତ ସ୍ରୋତର ମୁହାଁଣରେ ସ୍ଥାପିତ ମା’ ଧାମରାଈଙ୍କ ମନ୍ଦିର । ନଦୀପାର୍ଶ୍ଵର ବିଶାଳ ମନ୍ଦିରରେ ସାଗରଦୁଲଣୀ ମା’ ଲକ୍ଷ୍ମୀଙ୍କ ଭଗ୍ନୀଭାବେ ବିରାଜିତା ମା’ ଧାମରାଈ ଧାମରାର ଧୀବର ସମ୍ପ୍ରଦାୟଙ୍କ ସହିତ ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ଜୀବନରେ ପ୍ରଭାବ ବିସ୍ତାର କରିଛନ୍ତି ।

ବିଶ୍ୱାସ ରହିଛି, ପ୍ରତ୍ୟେକ ଧୀବରଙ୍କ ନଉକାରେ ବିରାଜିଥା’ନ୍ତି ମା’ ଧାମରାଈ ! ଅତଳ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ଧୀବରମାନଙ୍କୁ ବିପଦ ଆପଦରେ ସାହା ହୋଇଥା’ନ୍ତି ମା’ ! ଭାବାବିଷ୍ଟ ଧୀବରମାନେ ସେଥିପାଇଁ ଭକ୍ତିଭରେ ଗାଇଥା’ନ୍ତି:

“ଧାମରାଈ ମା’ ଧାମରାଈ
ବସିଅଛୁ ବୈତରଣୀ କୂଳେ ବାନା ଉଡ଼ାଇ,
ମୋ ବିପଦଆପଦେ ସାହା ସବୁ ଲୋ ତୁହି
ତୋତେ ସୁମରଣା କରି ଡ଼ଙ୍ଗା ନେଇଯାଏ ବାହି,
ମଝି ଦରିଆ ଭିତରେ ଝଡ଼ବତାସରେ
ଛାଇ ପରି ଥିବୁ ରହି ଲୋ ମା’ ଧାମରାଈ ।।”

(ମା’ ଧାମରାଈ)

ସେଇ ଠାକୁରାଣୀଙ୍କ କୃପାରୁ ସେଦିନର ବୈତରଣୀ ନଦୀକୂଳରେ ଏକ ନିପଟ ଗାଁ ଆଜି ପରିଚିତ ହୋଇଛି ବନ୍ଦରନଗରୀ ଭାବେ ! ମା’ଙ୍କ ଆଶୀର୍ବାଦରୁ ଏଠାକାର ଦରିଦ୍ର ଧୀବରମାନଙ୍କର ହୋଇପାରିଛି ଆର୍ଥିକ ପ୍ରଗତି, ପ୍ରାଚୀନ ଧାମରା ମାଛଧରା ବନ୍ଦରଟିର ଶ୍ରୀବୃଦ୍ଧି ଘଟି ଆଜି ଦେଶର ଏକ ପ୍ରମୁଖ ବନ୍ଦରଭାବେ ରାଜ୍ୟକୁ କରିପାରିଛି ଗର୍ବିତ ଓ ଗୌରବାନ୍ଵିତ !

କହିବା ବାହୁଲ୍ୟ, ଓଡ଼ିଶାର ବନ୍ଦର ଓ ବାଣିଜ୍ୟ ପାଇଁ ଯେଉଁ ଦେବୀଙ୍କର ଏତେ ନାଁ ଡ଼ାକ, ସେ ଦେବୀଙ୍କର ସମ୍ପୃକ୍ତି ରହିଛି ଉତ୍କଳୀୟ ନୌବାଣିଜ୍ୟ ସହିତ । କିମ୍ବଦନ୍ତୀ କହେ, କଳିଙ୍ଗର ସାଧବମାନଙ୍କ ହାତରେ ହିଁ ସୁଦୂର ସିହଂଳଦେଶରୁ ମା’ ଆସିଛନ୍ତି ଏ ଭୂଖଣ୍ଡକୁ !

ଜନଶ୍ରୁତି କହେ, କଳିଙ୍ଗ ସାଗର କୂଳରେ ସାତଭାୟା (ଏବର କେନ୍ଦ୍ରାପଡ଼ା ଜିଲ୍ଲା) ଗ୍ରାମରେ ଏକଦା ପୂଜା ପାଉଥିଲେ ସପ୍ତମାତୃକା ଦେବୀ ‘ସପ୍ତବରାହୀ’ । ତେବେ ସର୍ବଦା କଳହରେ ମାତି ରହୁଥିବା ସାତ ଭଉଣୀଙ୍କ ମଧ୍ୟରେ ଦିନେ କଳହ ସୀମା ଟପେ, ଏବଂ ପାଞ୍ଚଭଉଣୀ ମିଶି ଅନ୍ୟ ଦୁଇ ଭଉଣୀଙ୍କୁ ସମୁଦ୍ର ଗର୍ଭକୁ ଠେଲିଦିଅନ୍ତି ! ସମୁଦ୍ରରେ ଭାସିଭାସି ଧାମରା ମୁହାଣରେ ପହଞ୍ଚିଥିବା ଦୁଇ ଭଉଣୀ ଥିଲେ ମା’ ଧାମରାଈ ଓ ମା’ ମଙ୍ଗଳା । ସେଇଦିନୁ ଧାମରାରେ ପୂଜା ପାଇଆସୁଛନ୍ତି ଏ ଦୁଇ ଠାକୁରାଣୀ, ସାତଭାୟାରେ ପୂଜା ପାଉଛନ୍ତି ପାଞ୍ଚଭଉଣୀ ପଞ୍ଚୁବରାହୀ ଭାବେ ! ଆଜି ମଧ୍ୟ ସାତଭାୟାର ପଞ୍ଚୁବରାହୀ ମନ୍ଦିରରେ ଶୋଭିତ ସାତଟି ଆସନ ମଧ୍ୟରୁ ଦୁଇଟି ରିକ୍ତ !

                                                                                           (ପଞ୍ଚୁବରାହୀ)

ତେବେ ସାତଭାୟାରୁ ଭାସି ଆସିଥିବା ଦୁଇ ଭଉଣୀ ବୈତରଣୀ ନଦୀ ଗର୍ଭରେ ଲୀନ ହୋଇଥିଲେ ! ‘ଧାମରାଈ ଜୋର’ରେ ଧୀବରମାନଙ୍କ ଜାଲରେ ମିଳିଥିଲେ ଦୁଇ ଭଉଣୀ । କେବଳ ବିଧବା ଧୀବରୁଣୀମାନେ ପୂଜା କରିପାରିବେ ବୋଲି ଆଦେଶ ଥିଲା ମା’ ଧାମରାଈଙ୍କର ! ‘ସଖି’ ଓ ‘ମଖୀ’ ନାମ୍ନୀ ଧୀବରୁଣୀଦ୍ଵୟଙ୍କ ଦ୍ଵାରା ପ୍ରଥମେ ପୂଜିତ ହୋଇଥିବା ଧାମରାଈ ଆଜି ପର୍ଯ୍ୟନ୍ତ ଧୀବର ସମ୍ପ୍ରଦାୟର ବିଧବାଙ୍କ ହାତରେ ପୂଜା ପାଇଆସୁଛନ୍ତି !ଧୀବରମାନଙ୍କ ଉପାସ୍ୟ ଠାକୁରାଣୀ ମା’ ଧାମରାଈଙ୍କୁ ସବୁବର୍ଗର ଲୋକ ସୁଖଦୁଃଖରେ ଲୋଡ଼ନ୍ତି ନିଶ୍ଚୟ ! ଧାମରା ଏବଂ ଆଖପାଖ ଅଞ୍ଚଳର ଚଷାଭାଇଏ ନିଜର ପ୍ରଥମ ଅମଳକୁ ସଅଁପି ଦିଅନ୍ତି ମା’ଙ୍କୁ !

୧୯୮୫ ମସିହାରେ କନିକାର ରାଜା ରବୀନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ହାତରେ ପାବନକ୍ଷେତ୍ର ଧାମରାରେ ମା’ଙ୍କ ଭବ୍ୟ ଦେଉଳର ନିର୍ମାଣ ଆରମ୍ଭ ହୋଇ ୧୯୯୬ ମସିହାରେ ଶେଷ ହୋଇଥିଲା । ୧୯୯୮ ମସିହାରେ ରାଜାଙ୍କ ଦ୍ଵାରା ରତ୍ନବେଦୀ ସ୍ଥାପନା ପରେ ଦେଉଳକୁ ବିଜେ ହୋଇଥିଲେ ଠାକୁରାଣୀ ।

ତଥ୍ୟ ଆହରଣ: ଗୋନାସିକା ନନ୍ଦିନୀ ବୈତରଣୀ, ଡ଼ଃ ରଞ୍ଜନ ପ୍ରଧାନ;
ଭଦ୍ରକର ଦେବାଦେବୀ ପୀଠ, ସମ୍ପାଦନା: ରୁଦ୍ରମାଧବ ବାରିକ, ଭଦ୍ରକ

Images: PRAGATIBADI & Sheshadeba Biswal
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago