ଲେଖା: ଅମ୍ବରୀଶ ମଙ୍ଗରାଜ

ସେ ବର୍ଷ ଭୀଷଣ ଖରା, ସକାଳିଆ ସ୍କୁଲ ହେଉଥାଏ ଆମର । ଦେହ ହାତ ଝାଞ୍ଜିରେ ପୋଡ଼ି ଯାଉଥାଏ, ସ୍କୁଲ ସାରି ପୋଖରୀ ଦଉଡିଛି ଗାଧେଇବା ପାଇଁ ମୁଁ । ଭାଇ ବାଟରେ ଦେଖା ହେଇ ବରାଦ ଦେଲା ନାହାକ ଘର ତୋଟାରୁ ଆମ୍ବ ଆଣିବୁ, ଆଜି ପଖାଳ ଟେ ହବ । ଆମ୍ବ, ରସୁଣ, କଞ୍ଚାଲଙ୍କା ମିଶେଇକି ଛୋଟ ହେମଦସ୍ତାରେ ଛେଚା ହୋଇ ପାଗଟେ ହବ ।

କୋଚିଆଝର କାଲୁଆ ପାଣିରେ ଗାଧୋଇ ଓଉଗଛରୁ ଡେଇଁଲା ବେଳେ ମନ କିନ୍ତୁ ଥାଏ ପଖାଳକଂସାରେ, ପାଟିରେ ଲାଳର ସମୁଦ୍ର ଖାଲି ଭଉଁରୀ ଖାଉଥାଏ ଯେମିତି । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଆମ୍ବ ଝଡ଼େଇକି ଗାମୁଛାରେ ବାନ୍ଧିକି ଘରକୁ ଆଣିଛି ତ ଗାଳିର ବର୍ଷଣ ଚାଲିଲା ମୋ ଉପରେ, ବୋଉ ଗୋସିମା ଯୁଦ୍ଧ ଘୋଷଣା କରିଦେଲେ ମୋ ବିରୁଦ୍ଧରେ । ଦିଅଁଭୋଗ ଖାଇନାହାନ୍ତି ତୁ ଆମ୍ବ ପାରିଲୁ କାଇଁକି ପୁଣି ଆଣିଛୁ ଖାଇବୁ!!! ମୋ ଅପରାଧରେ ସହାଭାଗୀ ଭାଇ ପୁରା ଭଦ୍ରଲୋକ ଭଳି ହସୁଥାଏ, ଆଉ ଅଭାଗା ମୁଁ କଚେରୀ ଅଗଣାରେ ମୁଦାଲା ଭଳି ଦଣ୍ଡାୟମାନ ।

ମୋର ମନେ ପଡିଗଲା ଦୋଳ ଆସୁଛି, ହଁ ଦୋଳଯାତ୍ରା ! ମହାପ୍ରଭୁ ଘର ଘର ବୁଲିବେ, ଭୋଗ ଖାଇବେ ! ଆଖପାଖ ଗାଁରେ ଏକମାତ୍ର ଦୋଳମେଳଣ ଆମ ଗାଁ ମୁଣ୍ଡମୁହାଁଣରେ ! ଘର, ବାଡ଼ି, ତୋଟା, ବଗିଚା ସବୁ ଗଛର ଆମ୍ବ ସବୁ ପ୍ରଥମେ ଲାଗି ହେବ ମହାଦେବଙ୍କ ପାଖରେ ପରେ ଯାଇ ଯିଏ ଖାଇବ । ଦୋଳଯାତ କଥା ଶୁଣିବା ମାତ୍ରେକେ ମୋ ମନ ଗଗନପବନରେ ଉଡିବାକୁ ଲାଗିଲା ।

ଜମାଣ ରାତିର ମଉଜ କଥା କହିଲେ ନ ସରେ ! ପୁନେଇଁ ଜହ୍ନକୁ ମସ୍ତକରେ ଧାରଣ କରି ସ୍ୱୟଂ ଚନ୍ଦ୍ରଶେଖର ରାତିର ଅନ୍ଧକାରକୁ ଚିରି ମହାପ୍ରଭୁ ଝଲସୁଥିବେ, ଗାଁରେ ବାରିକ ସେବକ ସଂସ୍କୃତିର ମଶାଲ ଅଗ୍ନିକୁ ଧରି ପ୍ରଭୁଙ୍କୁ ବାଟ କଢ଼େଇ ନେଉଥିବ ! ସୁସଜ୍ଜିତ ବିମାନର ଦିଅଁ ଆସୁଥିବେ କାନ୍ଧିଆଳିଙ୍କ ମଜଭୁତ କାନ୍ଧରେ ନାଚି ନାଚି ହଲି ହଲି . . !


ରକମ ରକମର ଆତସବାଜି, ରଙ୍ଗବେରଙ୍ଗର ଲାଇଟ ସବୁ ରାତିର ନିରବତାରେ ଚଞ୍ଚଳତା ଭରି ଦେଉଥିବ | ଗାଁର କୀର୍ତ୍ତନୀଆ ଆତ୍ମବିଭୋର ହୋଇ ଭଜନ ପରିବେଷଣ କରୁଥିବେ ଘୋଡାନାଚ, ଷଣ୍ଢଲଢେଇ ସାଙ୍ଗକୁ ଚାଙ୍ଗୁଡ଼ି ବାଜା, ମୃଦଙ୍ଗ, ମାଦଳର ଅପୂର୍ବ ଶବ୍ଦଧ୍ଵନୀ ପ୍ରତିଟି ଆତ୍ମାକୁ ଝଙ୍କୃତ କରି ଦେଉଥିବ ! ଗାଁରେ ସମସ୍ତେ ବ୍ୟସ୍ତ, ଦିଅଁ ଘରକୁ ଆସିବେ ଭୋଗ ଖାଇବେ ! ଗୋବର ଲିପା ହୋଇ ଗାଁ ଦାଣ୍ଡ ସଜେଇ ହୋଇଛନ୍ତି ଗ୍ରାମଦେବତାଙ୍କ ଅପେକ୍ଷାରେ . . !

ନାନା ରଙ୍ଗର ମୁରୁଜରେ ଭୋଗସ୍ଥାନ ସଜା ଯାଇଥିବ, ପୂଜକ ଭାଇନା ଆସି ଘଣ୍ଟି ବଜେଇ ପାଣି ଛଡେଇ ଭୋଗ କରିବେ ! ଆଉ ତା’ ପରେ ଆରମ୍ଭ ହୋଇଯିବ ଆମର ଅହୋରତ୍ର ଭୋଜ ! ମହାଦେବଙ୍କ ସାଙ୍ଗରେ ହରି (ମଦନମୋହନ/ରାଧାମାଧବ) ବି ଆସିବେ ମାନବ ଚକ୍ଷୁକୁ ପ୍ଲାବିତ କରିବା ପାଇଁ !

ଏତେ ସବୁ କଥା ଭାବି ମନ ମୋର ପବନଘୋଡ଼ା ସାଜୁଥାଏ ! ସବୁଠାରୁ ମଜା ହେଲା ଗାଁ ଦୋଳମେଳଣ ସମୟରେ ସଭିଙ୍କ କୁଣିଆଁ ମୈତ୍ରଙ୍କ ସମାଗମ ହୋଇଯାଏ ! ଆମକୁ ବର୍ଷଯାକ ଗାଉଁଲି କହି ଚିଡ଼ଉଥିବା ମାମୁଁଘର ଓ ମାଉସୀ ସବୁ ଆସି ହାଜର ହେଇଯା’ନ୍ତି ଦୋଳ ସମୟରେ, ମତେ ଭାରି ଆଶ୍ଚର୍ଯ୍ୟ ଲାଗେ ଆଉ ଖୁସି ବି ! ଗାଁର ଗୋଧୂଳି, ଫଗୁର ଫଗୁଣର ଆକର୍ଷଣ ସତରେ ଯାଦୁଗରୀ, ସେ କଥା ବୁଝିବା ବୟସ ବୋଧେ ମୋର ହୋଇ ନଥାଏ ।


ଜମାଣ ସରୁ ସରୁ ଭୋର ହେଇଯାଏ, ପ୍ରଭୁ ଗ୍ରାମେଶ୍ବର ଦୋଳମେଳଣ ପଡ଼ିଆରେ ନିଜ ଆସ୍ଥାନରେ ବସିଯାନ୍ତି ନିଜ ବଡ଼ଭାଇ ଶ୍ରୀ ମୃଗେଶ୍ୱରଙ୍କ ବାଟକୁ ଚାହିଁ ପାହାନ୍ତିଆ ଖରା ପଡ଼ୁ ପଡ଼ୁ ଦୋଳମେଳଣ ପଡ଼ିଆ ବଜାରର ଭ୍ରମ ସୃଷ୍ଟି କରେ, ନାନାଦି ପ୍ରକାରର ଦୋକାନୀ ସବୁ ପାଲ ଟାଣି ନିଜର ବାଣିଜ୍ୟ ପସରା ମେଲେଇ ଦିଅନ୍ତି ! କଟୁରୀ, କୋଦାଳ, ଧାନ କଟା ଦା’, ବେଲଣା କାଠି, ଆମ୍ବୁଲ, ଆଚାର, ମୁଗ, ବିରି, କୁଲା, ବାଉଁଶିଆ, କପ ପ୍ଲେଟ, ବେଲୁଣି, ବିଞ୍ଚଣା, ମଶିଣା ଆଦି ଘରକରଣା ଜିଣିଷର କ୍ଷୁଦ୍ର ମାତ୍ର ଅତି ଆପଣାର ବଜାର | ମାଲପୁଆ, ଦହିବରା, ଚାଟ, ଗୁପଚୁପ, ବମ୍ବେଇ ଲଡ଼ୁ, ଝାଲମୁଢି଼ ଭଳି ନାନାଦି ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ! ଦୋଳ ଆସିଲେ ଭଲ ଆୟ ହେଇଯାଏ କିନ୍ତୁ ଘରକୁ ଯିଏ ଆସନ୍ତି ମାମୁଁ, ମାଇଁ, ମାଉସୀ, ପିଇସୀ, ବଡ଼ବୋଉ, ଖୁଡ଼ି ସବୁ ହାତରେ ପଇସା ଖୁଞ୍ଜି ଦେଇ ଯାଆନ୍ତି ! ଏତେ ଟଙ୍କା ପାଖରେ ଦେଖିଲେ ଅମ୍ବାନୀ ଆଦାନୀ ବି ଲାଜେଇ ଯିବେ !

ଉପର ବେଳା ଅପେରା ପାର୍ଟି ଆସିଯିବେ, ରାତିରେ ଯାତ ଜମିବ, ଚାହୁଁ ଚାହୁଁ ଦୁଇ ଦିନ ସରିଯାଏ ଜଣାପଡ଼େନି । ଦୋଳମେଳଣ ସକାଳୁ ଆଖ ପାଖ ସବୁ ଗାଁର ଶ୍ରଦ୍ଧାଳୁ ଆସି ହରିହରଙ୍କ ଉପରେ ଫଗୁ ପକାଇ ନିଜକୁ କୃତ୍ୟ କୃତ୍ୟ କରନ୍ତି !

ସପ୍ତବର୍ଣ୍ଣର ଆସ୍ତରଣରେ ଯେମିତି ହରିହର ଝଲସି ପଡନ୍ତି ଭକ୍ତମାନଙ୍କ ପାଇଁ ! ଖଞ୍ଜଣୀ, ଝାଞ୍ଜ, ଗିନି, ଖୋଳ ମାଡ଼ରେ ଦଶ ଦିଗ ପ୍ରକମ୍ପିତ ହୋଇ ଉଠେ ! ଯଜ୍ଞ ଚାଲୁଥାଏ, ଗାଁର ସବୁ ବୟୋଜ୍ୟଷ୍ଠ ଯଜ୍ଞରେ ସାମିଲ ହୁଅନ୍ତି ।


ମେଳଣର ସବୁଠୁ ବଡ ଆକର୍ଷଣ ଥାଏ ଦିଅଁଙ୍କ ଭୋଗ ଆଟିକା, ନାଗାନାଚ, ଚଇତିଘୋଡ଼ା ନାଚ ! କଳାରଙ୍ଗର ଆଟିକାରେ ଓଡ଼ିଶା ପ୍ରସିଦ୍ଧ ଆମ ଗାଁ କୋରାଖଇ, ଖୁସି ଶାକର, କଞ୍ଚାଆମ୍ବ, ଲିଆ, ଉଖୁଡା, ମୁଗ, ରାଶିଲଡ଼ୁ, ଚଣାଲଡ଼ୁ, ଚୂଡ଼ାଘଷା, ଧନୁମୁଆଁ ଆଦି ନାନାଦି ରକମର ଭୋଗରାଗ ! ସ୍କୁଲରେ ସେଦିନ ଅଘୋଷିତ ଛୁଟି, ଦିଦି ସାରେ ଗାଁରେ ଦୋଳମେଳଣ କଥା ଜାଣି ପିଲାଙ୍କୁ ଛାଡିବାକୁ ବାଧ୍ୟ । ବହି ବସ୍ତାନି ଟାକୁ ଘର ପିଣ୍ଡାରେ ଫୋଫାଡ଼ି ଦେଇ ସବୁ ରପ୍ତାନୀ ହେବୁ ମେଳଣ ପଡିଆକୁ . . !

ଗାଁର ଶେଷମୁଣ୍ଡରେ ମହାଦେବଙ୍କ ମନ୍ଦିର, ମନ୍ଦିର ସାମନାରେ ମେଳଣ ପଡିଆ, ପଡିଆକୁ ଜଗିଛନ୍ତି ନଭଶ୍ଚମ୍ଭି ତିନି ତିନୋଟି ବଟବୃକ୍ଷ, ମନ୍ଦିର ସମୁଖରେ ଶନିଦେବଙ୍କ ଆସ୍ଥାନରେ ବିଶାଳ ଅଶ୍ୱତଥର ସଜ ସଜ ପତ୍ରସବୁ ପବନରେ ନୃତ୍ୟରତ ! ସଦ୍ୟ ଗ୍ରୀଷ୍ମର ଝାଞ୍ଜିକୁ ପ୍ରଶମିତ କରିବାକୁ ତିନି ଦିଗରୁ ମକରହତା, ଚନ୍ଦନ ପୋଖରୀ, କୋଚିଆଝରରୁ ଶୀତଳ ପବନ ବହି ଆସୁଥିବ ! ଯଜ୍ଞ ଚାଲିଥିବ ! ଅବିର ଇନ୍ଦ୍ରଧନୁର ରଙ୍ଗସମ ଉଡ଼ୁଥୁବ ! ନୀଳ ଆକାଶ ଭକ୍ତର ଫଗୁରେ ସପ୍ତବର୍ଣ୍ଣି ପାଲଟିଯାଇ ହରିହରଙ୍କୁ ପ୍ରଣତି ଜଣାଉଥିବ ଯେମିତି !


ହରିହରଙ୍କ ପବିତ୍ର ଶ୍ରୀଅଙ୍ଗରେ ଅବିର ବୋଳି ଗାଁର ସବୁ ବର୍ଗର ଲୋକ ଆତ୍ମତୃପ୍ତି ଅନୁଭବ କରୁଥିବେ, ବୃଦ୍ଧବୃଦ୍ଧାଙ୍କ ଆଖିରୁ ଆନନ୍ଦାଶ୍ରୁ ଝରି ପଡୁଥୁବ ! ମେଳଣ ଯଜ୍ଞ ସରିବା ପରେ ଉଠିବେ ସବୁ ବିମାନ, ରତ୍ନବେଦୀ ଚାରିପାଖେ ହେବ ପରିକ୍ରମା । ଅବିରର  ଅବିଶ୍ରାନ୍ତ ବର୍ଷାରେ କାହାକୁ ଚିହ୍ନିବା କଷ୍ଟ ହୋଇ ପଡୁଥୁବ, ଅସହ୍ୟ ତାତିରେ ମଧ୍ୟ କାନ୍ଧିଆଳିଙ୍କ ମୁଖମଣ୍ଡଳରେ ସାମାନ୍ୟ କ୍ଲାନ୍ତି ନଥିବ ଥିବ କେବଳ ପରମ ପ୍ରଶାନ୍ତି !

ଦୋଳମେଳଣ ପଡିଆରେ ହରିହରଙ୍କ ଭେଟ ସମୟର ଅନୁଭୂତିକୁ ଶବ୍ଦରେ ପ୍ରକାଶ କରିବା କଷ୍ଟସାଧ୍ୟ, ସେ ଈଶ୍ବରୀୟ ଆଧ୍ୟାତ୍ମିକ ଭାବନାକୁ କେବଳ ଉପସ୍ଥିତିରେ ଅନୁଭବ କରିହୁଏ, ଅବିରର ପ୍ରତିଟି ରେଣୁର ପରଶରେ ଅପୂର୍ବ ଶାନ୍ତିର ଆଭାସ ମିଳେ, ଆତ୍ମା ସହ ପରମାତ୍ମାଙ୍କ ମିଳନର ପର୍ବ ଆମ ଦୋଳପର୍ବ ମେଳଣ ପଡ଼ିଆରୁ ଶୋଭାଯାତ୍ରା ବାହାରିବ ଗାଁ ଭିତର ମଣ୍ଡପ ଯାଏଁ !

ଗାଁ ଦାଣ୍ଡରେ ଭଳିକି ଭଳି ନୂଆ ଶାଢ଼ୀ ସବୁ ପରା ଯାଇଥିବ, ଠାକୁର ଆସିବା ପାଇଁ, ଏତେ ଗହଳି ଯେ ସୋରିଷ ପକେଇବାକୁ ଜାଗା ନଥିବ, ଆମ ପୁରୁଣାଘର ପିଣ୍ଡାରେ ଗାଁ’ର ଆବାଳବୃଦ୍ଧବନିତା ଅପେକ୍ଷାରେ ଥିବେ ହରିହରଙ୍କର, ଦୂରରୁ ଦିଶି ଯାଉଥିବେ ମହାପ୍ରଭୁ !


ଦଳପତିଙ୍କ ଆଗମନରେ ବାୟୁମଣ୍ଡଳ ରଙ୍ଗେଇ ହେଇଯାଇଥିବ ! ସୈନ୍ୟସାମନ୍ତ ଧରି ଆସିବେ ପ୍ରଭୁ ହର ହର ମହାଦେବ, ଆନନ୍ଦେ ଏକବାର ହରିବୋଲ ଶ୍ରୀଧ୍ୱନିରେ ଗାଁ ଦାଣ୍ଡ ଉଛୁଳି ପଡ଼ୁଥୁବ ! କାନ୍ଧିଆଳି ନିଜ କାନ୍ଧରେ ପ୍ରଭୁଙ୍କୁ ଦିବ୍ୟାକାଶରେ ନଚେଇ ନଚେଇ ନେଇ ଯାଉଥିବେ ତାଙ୍କ ଆସ୍ଥାନକୁ, ଆମ ଗାଁ ଦୋଳମେଳଣ ପରେ ପ୍ରଭୁ ବାହାରିବେ ହରିରାଜପୁର ମେଳଣକୁ . . !

ପୁଣି ଅପେକ୍ଷାରେ ରହିବି ଆର ବର୍ଷକୁ, ଫଗୁର ଫଗୁଣକୁ, କୋଇଲିର କୁହୁ୍ତାନକୁ, ଆମ୍ବବଉଳର ସୁଗନ୍ଧକୁ, ହରିହରଙ୍କ ଭବ୍ୟ ଭେଟକୁ . . ! ସହରୀ ସଭ୍ୟତାର ଅନ୍ଧଗଳିରେ ମୋ ଗାଁର ଗାଉଁଲି ସୁଗନ୍ଧ ଏମିତି ଅନନ୍ତ କାଳ ପାଇଁ ବିଛୁରିତ ହୋଇ ପାରନ୍ତା କି ! ! 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago