ଲେଖା: ଦେଵ ତ୍ରିପାଠୀ
ଭବିଷ୍ୟବାଣୀ କ୍ଷେତ୍ରରେ ନଷ୍ଟ୍ରାଡମସଙ୍କ ସ୍ଥାନ ବହୁ ଉଚ୍ଚରେ, ତାଙ୍କର ବାଣୀ ମାନ ବହୁସଂଖ୍ୟାରେ ସତ୍ୟ ପ୍ରମାଣିତ ହେବାର ପ୍ରବାଦ ଅଛି । ସେହିପରି ଆମ ରାଜ୍ୟରେ କଥାକଥାରେ ଦୃଷ୍ଟାନ୍ତ ଦିଆଯାଏ ମାଳିକାର । ସେହି ମାଳିକାର ସ୍ରଷ୍ଟା ଭାବେ ଦେବାଂଶୀ ସନ୍ଥ, ସିଦ୍ଧପୁରୁଷ ଅଚ୍ୟୁତାନନ୍ଦଙ୍କ ନାମ ସୁବିଦିତ । ଓଡ଼ିଆ ସାହିତ୍ୟ ଜଗତରେ ପଞ୍ଚସଖା ନାମରେ ଯେଉଁ ସାରସ୍ଵତ ସାଧକ ଓ ସ୍ରଷ୍ଟା ସୁଖ୍ୟାତ ତନ୍ମଧ୍ୟରେ ଅନ୍ୟତମ ହେଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ।
ସେଇ ମହାନ ସାଧକଙ୍କ ସାଧନା ପୀଠ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନେମାଳ ଗ୍ରାମ ଆଜି ପଦ୍ମବନ କ୍ଷେତ୍ର ନାମରେ ବିଶ୍ୱବିଦିତ । ନିଆରା ସଂସ୍କୃତି ଏବଂ ଆଗତଅନାଗତ ଭବିଷ୍ୟର ବାଣୀ ବଖାଣୁଥିବା ମାଳିକା ପାଇଁ ଏ ପୀଠ ଆଜି ବହୁଧାଚର୍ଚ୍ଚିତ ।
କଳିଯୁଗର କୁପ୍ରଭାବ ଓ ଦୁଃଖ ଯନ୍ତ୍ରଣା ଆଦିରୁ ମୁକ୍ତି ପାଇବାର ପଥ ଦେଖାଇଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ । ଏ ନିମନ୍ତେ ଉପଯୁକ୍ତ ତଥା ଶ୍ରେଷ୍ଠସ୍ଥାନ ଏହି ପଦ୍ମବନ ନେମାଳରେ ସ୍ବୟଂ ମହାଲକ୍ଷ୍ମୀ ବଟପାଦପର ଅଗ୍ରଭାଗରେ ବିରାଜିତ । ଅତଏବ ମହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ ବିଶ୍ରାମସ୍ଥଳୀ ହେତୁ ଏହା ଶ୍ରୀକ୍ଷେତ୍ର ତୁଲ୍ୟ, ଏହା ଅନ୍ୟ ଏକ ଶ୍ରୀକ୍ଷେତ୍ର । ଏଥିପାଇଁ ପ୍ରବାଦଟିଏ ମଧ୍ୟ ରହିଛି:
“ଯେଉଁ ଜଗନ୍ନାଥ ମୂରତି ନୀଳାଚଳରେ ସ୍ଥିତ,
ସେହି ଜଗନ୍ନାଥ ମୁରତି ପଦ୍ମବନରେ ଉଦିତ ।”
ଏହି ପଦ୍ମବନରେ ଭକ୍ତ ନିଜର ଦୁଃଖଶୋକ, ରୋଗଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ନିର୍ମଳ ମନ ଓ ନିଷ୍ଠାର ସହିତ ଶରଣାପନ୍ନ ହେଲେ ସମସ୍ତ ପାପତାପ ଧୋଇଯାଏ, ଅଭିଳାଷ ପୂର୍ଣ୍ଣ ହେବା ସହିତ ଆତ୍ମା ମୁକ୍ତିଲାଭ ଏବଂ ଭଗବତପ୍ରାପ୍ତି ହୁଏ ବୋଲି ଜନଶ୍ରୁତି ରହିଛି ।
ନିଜର ଅନ୍ତିମ ସମୟ ଉପସ୍ଥିତ ବୋଲି ହୃଦୟଙ୍ଗମ କରି, ମହାପ୍ରଭୁଙ୍କ ନିକଟରେ, ଶ୍ରୀଅଙ୍ଗରେ ଲୀନ ହେବାର ଅନ୍ତିମ ଅଭିଳାଷ ପ୍ରକାଶ କରିଥିଲେ ଅଚ୍ୟୁତାନନ୍ଦ । ଭକ୍ତବତ୍ସଳ ଭଗବାନ ମଧ୍ୟ ଭକ୍ତର ଅଭିଳାଷ ପୂରଣର ପ୍ରତିଶ୍ରୁତି ଦେଇଥିଲେ, ଦିବସ ଧାର୍ଯ୍ୟ ରହିଥିଲା ଜ୍ୟେଷ୍ଠ ପୂର୍ଣ୍ଣିମାର ପବିତ୍ର ତିଥିକୁ ।
ସେ ପବିତ୍ର ସ୍ନାନପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଉଭା ହୋଇଥିଲେ ପଦ୍ମବନ କ୍ଷେତ୍ରରେ । ସେ ପବିତ୍ର ପୀଠରେ ଇନ୍ଦ୍ରଦେବ ସୃଷ୍ଟି କରୁଥିଲେ ଘଡ଼ଘଡ଼ିର ନାଦ, ଜାଳୁଥିଲେ ବିଜୁଳିର ଅପୂର୍ବ ରୋଷଣି, ବିଞ୍ଚୁଥିଲେ ପବନର ଆଲଟ ଚାମର, ସିଞ୍ଚୁଥିଲେ ବର୍ଷାରାଶି, ସାଦରରେ ଗ୍ରହଣ କରିଥିଲେ ଅମୃତମଣୋହି (କୋଠଭୋଗ) ମହାପ୍ରଭୁ । ସେପରି ଏକ ପବିତ୍ର ଓ ମାହାର୍ଘ ମୁହୂର୍ତ୍ତରେ ମ‌ହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲୀନ ହୋଇଥିଲେ ମହାପୁରୁଷ ଅଚ୍ୟୁତାନନ୍ଦ । ସେହିଦିନ ଠାରୁ ପ୍ରତିବର୍ଷ ଜ୍ୟେଷ୍ଠପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରରୁ ଆସି ସୂକ୍ଷ୍ମ ଭାବେ ଆବିର୍ଭୁତ ହୁଅନ୍ତି ନେମାଳ ପୀଠରେ ମହାପ୍ରଭୁ, ଭାବାବେଗରେ ମଣ୍ଡିତ କରାନ୍ତି ଲକ୍ଷ ଲକ୍ଷ ଭକ୍ତଜନଙ୍କୁ ।
ଧନ୍ୟ ସେ ମହାପୁରୁଷ !
ଧନ୍ୟ ତାଙ୍କ ଅପାର ଭକ୍ତି !
ଧନ୍ୟ ସେ ଭଗବାନ, ଭକ୍ତ ପାଇଁ ଯିଏ ଶ୍ରୀକ୍ଷେତ୍ର ଛାଡ଼ି ପଦ୍ମବନ କ୍ଷେତ୍ରରେ ବିରାଜ କରିପାରେ, କେବଳ ଭକ୍ତର ଅଭିଳାଷ ପୂରଣ ପାଇଁ ।
ଜୟ ଅଚ୍ୟୁତାନନ୍ଦ I
ଜୟ ଜଗନ୍ନାଥ II
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

7 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago