ଲେଖା: ଅମୃତେଶ ଖଟୁଆ
~ ମନମୋହନ ମହାପାତ୍ର ~
ଜୀବନ ସ୍ଵତଃ ଚଳମାନ । ଏହାର ପ୍ରଚ୍ଛନ୍ନ ସୃଜନଶିଳ୍ପୀର କଳାତ୍ମକ ନିଦର୍ଶନରେ ବିଧିବଶ ଯେଉଁ ଚିତ୍ରଣର ସମୀଚୀନ ସୂତ୍ରପାତ ପୂର୍ବତଃ ଘଟସୂତ୍ର ହୋଇ ବିହିତ ପ୍ରସଙ୍ଗକ୍ରମେ ଆନୁକୂଲ୍ୟ ଘେନି ରହିଥାଏ, ତାହା ଯେପରି ଏହାକୁ ସାର୍ଥକତା ପ୍ରତି ନିଶ୍ଚିତଭାବ ପ୍ରଦାନ କରିବ । ଓଡ଼ିଆ ଜନମାନସର ଛବିଳ ସୌନ୍ଦର୍ଯ୍ୟ ଏହାର ସମଗ୍ର ନୈସର୍ଗିକ ଲୋକସଂସ୍କୃତିର ପ୍ରଚ୍ଛାୟାରେ ଯେତିକି ଜଣା, ବିଶ୍ଵ ମଞ୍ଚାୟିତ ସର୍ବକାଳରେ ଓ ଯୁଗସନ୍ଧିରେ ବିଦିତ ସେହିପରି ଏକ ସାର୍ଥକତା ।
ଗଳିତ ଲୁହଘର୍ମର ହିସାବ ନିକାଶ କରୁ ଯେଉଁ ବେଗି ବେଗି ଭୁଲ୍ ବଶତଃ ଧୃଷ୍ଟତା ଘଟିଯାଏ, ବୋଧେ ଅନ୍ତରାତ୍ମାକୁ ତାହା ବିବଶ ଓ ବାଧ୍ୟ କରିଦିଏ ଆତ୍ମପରିଚୟକୁ ଜିଜୀବିଷାର କେବଳ ସ୍ଵପ୍ନ ନ ଦେଖେଇ, ଏକ କଳ୍ପନାପ୍ରସୂତ ଅଥଚ ସମ୍ଭାବ୍ୟ ସଚରାଚରରେ ନିତ୍ୟ ପ୍ରତିଫଳନ କରେଇବା ଲାଗି । ଅବ୍ଯବସ୍ଥିତ ଜୀବନର ଚାଳମଥାନ ଆଉ ଅସୂର୍ଯ୍ୟଂପଶ୍ୟା ନୁହେଁ କିମ୍ବା ନିରନ୍ନ ଉଦର କେବଳ ବୃତ୍ତିଗତ ଅଭ୍ୟର୍ଥନାରେ ଆସକ୍ତ ହୁଏନି । ତାହା ଲାଗି ମଧ୍ୟ ସକଳ ବାଞ୍ଛା ଓ ପରିଚିତି ଚଳମାନରେ ଅକ୍ଷୁଣ୍ଣ ସାର୍ଥକତା ଲାଗି ।
ଚଳଚ୍ଚିତ୍ର ଜୀବନ ଓ ଚଳନ୍ତି ସମୟର ନିୟାମକରେ ଯୁଗର ଅସଂଖ୍ୟ ଅଭିସାରୀମାନଙ୍କ ମଧ୍ୟରେ ଏହା ଫୁଟି କଳିବାକୁ ଚାହେଁ । ବୃନ୍ତଛିନ୍ନର ବି ଯେ ଆତ୍ମାଭିମାନ ରହିଅଛି ଓ ଅସ୍ମିତା ଲାଗି ତାହାର ପୂର୍ବାପର ସମସ୍ତ ତଦପେକ୍ଷା କେତେ ସଂଘର୍ଷ ଓ ପରିଚିତିରେ ଯୁଝି ଅଛନ୍ତି, ତାହାରି ଅଭିବ୍ୟଞ୍ଜନା ସମ୍ମୁଖୀନ କରିବାକୁ ଅନିମେଷରେ ଯାଚଜ୍ଞା କରେ ସମୟ ଓ ଏହାର ଗତାନୁଗତିକ ପଥଚାରୀମାନେ । ଓଡ଼ିଆ ଚଳଚ୍ଚିତ୍ର ଏକ ଜୀବନଧାରା ଭାବେ ଯେଉଁ ସ୍ଵର୍ଣ୍ଣିମ ଯୁଗସନ୍ଧି ରଚନା କରିଥିଲା, ତାହା ଆଜି ମଧ୍ୟ ଅପାସୋରା ।
ଲୋକସଂସ୍କୃତିର ପ୍ରଚ୍ଛାୟାରେ ଏହାର ଆଭିମୁଖ୍ୟ ଯେଉଁ କ୍ରମବିକାଶଶୀଳ ଉନ୍ନତି ଲାଗି ବ୍ୟବସ୍ଥିତ ଓ ସମୃଦ୍ଧିସାପେକ୍ଷ ରହେ, ୧୯୩୬ ମସିହାରେ #ମୋହନ_ସୁନ୍ଦର_ଦେବ_ଗୋସ୍ଵାମୀଙ୍କ ସଯତ୍ନମନସ୍କ ପ୍ରଚେଷ୍ଟାସମ୍ଭୂତ ‘#ସୀତାବିବାହ‘ ଏହାର ଉଦୟଲଗ୍ନ । ଉପର୍ଯ୍ୟୁକ୍ତ ସାରଣୀରେ ‘ଲଳିତା’, ‘ଶ୍ରୀଜଗନ୍ନାଥ‘ ମାଧ୍ୟମରେ #କବିଚନ୍ଦ୍ର #କାଳୀଚରଣ ପଟ୍ଟନାୟକଙ୍କ ଲୋକସଂଗୀତର ରୁଚିବର୍ଦ୍ଧକ ଶୈଳୀର ସମ୍ପ୍ରସାରଣ ଚର୍ଚ୍ଚାଗତ ରହି ଆସେ । ଆଉ ଏହି ଉପୋଦ୍ଘାତ ଲୋକଜୀବନୀକୁ ଖୋରାକ ଦିଏ । ୧୯୫୧ ମସିହାରେ ସପ୍ତଶଯ୍ୟା ମାଧ୍ୟମରେ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ପଦପାତରେ ଲୋକସ୍ଵରର ଲାସ୍ୟରତା ଲହଁସାଉଥିବା ଲଳିତ ସୁରଭିର ସ୍ଵଗତୋକ୍ତି ବଳେ ପରବର୍ତ୍ତୀ ସମୟରେ ହେବାକୁ ଯାଉଥିବା କୌଣସି ଏକ ଲୌକିକ ପ୍ରବର୍ତ୍ତନ ଲାଗି ଗ୍ରାସାଚ୍ଛାଦନ ସଦୃଶ ବଳବତ୍ତର ରହେ । ପରମ୍ପରାନୁଗତ ଅଭିସନ୍ଧି କଳ୍ପେ ୧୯୭୩ରେ ‘ଘରସଂସାର’, ୧୯୭୪ର ‘ମନ ଆକାଶ’ ଓ ‘ଶାସ୍ତି’, ‘ଅମଡାବାଟ’, ‘କନକଲତା’, ‘ତୁଣ୍ଡ ବାଇଦ’, ‘ଚିଲିକା ତୀରେ’ ପ୍ରଭୃତି ଜନଜୀବନକୁ ଆହୁରି ପ୍ରମୁଖ ଭାବେ ଚିତ୍ରିତ କରେ । ସାରସ୍ଵତ ଶ୍ରୀବୃଦ୍ଧିର ସଜାଗ ସମ୍ଭାର ସହିତ ସିକ୍ତ ଜନଜୀବନର ବ୍ୟକ୍ତିକେନ୍ଦ୍ରୀ ସତ୍ତାମାନଙ୍କ ଗୌଣମନ୍ୟ ଭୂମିକାର ଉନ୍ମୋଚନ ଲାଗି ପିଚ୍ଛିଳ ସଂଘର୍ଷର ମନନରେ ଆର୍ତ୍ତ ହୃଦୟମାନଙ୍କୁ ନଶ୍ଵରତାରେ ସୁଅ ମୁହଁର ପତ୍ର ନ କରି ୧୯୮୦ ପରବର୍ତ୍ତୀ ଓଡ଼ିଆ ଚଳଚ୍ଚିତ୍ର ଦ୍ଵାରା ପ୍ରବର୍ତ୍ତିତ ହୁଏ “ଆର୍ଟ୍ ସିନେମା”ର ଗୁଞ୍ଜରଣ । ସ୍ତୂପୀକୃତ ଜନଜୀବନର ସ୍ଥୂଳ ମାଟିକାନ୍ଥ ଘେରା ଜୀବନ ଦେଇ ଯେ ଅବରୁଦ୍ଧ ସତ୍ତାରୁ କ୍ଷୀୟମାଣ ଅସ୍ମିତାର ଉଦ୍ଧାର ହୁଏ, ତାହାର ନିଦର୍ଶନ ସମଗ୍ର ଆମ୍ଭମାନଙ୍କ ଲାଗି ଯୁଗୋପଯୋଗୀ ।
ଏହି କଳାତ୍ମକ ଚଳଚ୍ଚିତ୍ର ନିର୍ମାଣ ପୃଷ୍ଠପଟ୍ଟରେ ଥିବା “ନବ୍ୟତରଙ୍ଗ” ପ୍ରବର୍ତ୍ତନ ବକ୍ଷ୍ୟମାଣ ବିଷୟକର୍ତ୍ତୃକ ଆଲୋଚନାକାଳୀନ ଉପପାଦ୍ୟ ଯାହା ବିଶ୍ଵ ଚଳଚ୍ଚିତ୍ର ଇତିହାସ ଦ୍ଵାରା ଅନେକାଂଶରେ ଅନୁପ୍ରାଣିତ । ୧୯୫୦ରେ ଫରାସୀ ଚଳଚ୍ଚିତ୍ର ଜଗତରେ ଯୁଦ୍ଧୋତ୍ତର ସମାଜକୁ ସାଂସ୍କୃତିକ ସଚେତନତାକୁ ଭିତ୍ତି ଦେବା ପରେ ୧୯୬୭ ମସିହାରେ ପ୍ରଖ୍ୟାତ ଔପନ୍ୟାସିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’ର ଚଳଚ୍ଚିତ୍ର ରୂପାୟନ କରି ବଙ୍ଗଳା ନିର୍ଦ୍ଦେଶକ ମୃଣାଳ ସେନ୍ ଓଡିଶାରେ ଏହି ଧାରା ଆରମ୍ଭ କରିଲେ । ନବ୍ୟ ବାସ୍ତବବାଦୀ ଚିନ୍ତାଧାରାରେ ଓଡିଶାର ତତ୍କାଳୀନ ସମାଜର ନିପୀଡିତ ମଣିଷ, ଅବହେଳିତ ତଥା ବୈଷମ୍ୟର ସମ୍ମୁଖୀନ ହୋଇ ନିର୍ବିତ୍ତ ଜଗତରେ ଅସ୍ତିତ୍ଵର ସାର୍ଥକତାରେ ‘#ମାଟିର_ମଣିଷ‘ ସେହି ପରି ଏକ ଚଳଚ୍ଚିତ୍ର ରୂପେ ନିର୍ଯ୍ୟାସ । ଷାଠିଏ ଦଶନ୍ଧିର ଅଭିନିବିଷ୍ଟ ଅବଲୀଳାକ୍ରମେ ବାସ୍ତବିକ ମନୋଭୂମିର ଆଳପନା ବିନ୍ଯସ୍ତ ସମ୍ପୃକ୍ତ ଏକାନ୍ନବର୍ତ୍ତୀ କୁଟୁମ୍ଵର ବରଜୁ ଓ ଛକଡି ନାମଧେୟ ଦୁଇ ଚାରିତ୍ରିକ ବୈଶିଷ୍ଟ୍ୟ ସମାଜରେ ଯେଉଁ ଭଳି ପ୍ରତୀକିତ, ସେମାନଙ୍କ ପ୍ରତୀକୀ ବ୍ୟକ୍ତିବାଦ ଅପେକ୍ଷା ମାଟିର ଭଲ ପାଇବାକୁ ନିବିଡ଼ କରିବା ଲକ୍ଷ୍ୟ । ତଦାନୀନ୍ତନ ସମୟର ଉପେନ୍ଦ୍ର କିଶୋର ଦାସଙ୍କ #ମଲାଜହ୍ନ ଉପନ୍ୟାସର ଚଳଚ୍ଚିତ୍ର ମଧ୍ୟ କଦବାକ୍ବଚିତ୍ ଆଲୋଚିତ ଯେ ଏହା ଏକଦା ଓସ୍କାର ଲାଗି ସୁଦ୍ଧା ମନୋନୀତ ହେବାକୁ ଯୋଗ୍ୟ ଥିଲା ! ସେହି ସମୟରେ ଗ୍ଲୋରିଆ ମହାନ୍ତି, ଗୌର ପ୍ରସାଦ, ଶରତ ପୂଜାରୀ, ରତିକାନ୍ତ ଓ ପ୍ରମୋଦ ଗ୍ଳୋରିଆ, ଝରଣା ଦାସ, ମଣିମାଳା ଦେବୀଙ୍କ ଭଳି ଅଭିନୟକାରୀ ବ୍ୟକ୍ତିବିଶେଷଙ୍କୁ ଘରର ଦରଜା ଦେହଳୀ ଲଙ୍ଘି ନବୀନ ଆତ୍ମପ୍ରତ୍ୟୟ ଦ୍ଵାରା ସମ୍ପନ୍ନ କରାଏ। ଆମ୍ଭର ପୂର୍ବବତ ଉପୋଦ୍ଘାତ କ୍ରମେ ଆଲୋଚ୍ୟ ବିଷୟହେତୁକ ବ୍ୟକ୍ତିତ୍ଵଙ୍କର ପ୍ରଶସ୍ତ ପଟ୍ଟଭୂମିରେ ଜୀବନୀର ଛଟା ପକାଇଲା ସମୟରେ ଆଲୋକପାତ ହୁଅନ୍ତି ଜଣେ ମହାନୁଭବୀ ଚଳଚ୍ଚିତ୍ର ନିର୍ଦ୍ଦେଶକ । ନାମାନୁରୂପ ବୌଦ୍ଧିକ ଜଗତ ବହିର୍ଭୂତ ସମାଜର ରୂପାୟନକୁ ସେ କରିଛନ୍ତି ଉଚ୍ଚାଙ୍ଗ ଓ ସ୍ନିଗ୍ଧତର । ୧୯୬୦ ମସିହା ପରବର୍ତ୍ତୀ ଲବ୍ଧପ୍ରତିଷ୍ଠ ଚଳଚ୍ଚିତ୍ରର ଚଳନ୍ତିକାରେ ଚିରନ୍ତନ ଚରିତ୍ର ସମଗ୍ରଙ୍କୁ ଗଢିତୋଳି ଥିବା ମହାରାଷ୍ଟ୍ରର ପୁଣେ ଠାରେ “ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅନୁଷ୍ଠାନ” (ଏଫ୍.ଟି. ଆଇ.ଆଇ)ର ଅବଦାନ ଦୃଷ୍ଟିଗୋଚର ହୁଏ ।
ଏହି ଅନୁଷ୍ଠାନରେ ଆନ୍ତଃଶାସ୍ତ୍ରୀୟତା (Intertextuality), ସଂରଚନାବାଦ (Structuralism) ଓ ନବ୍ୟ ବାସ୍ତବବାଦୀ (Neo-Realistic) ଧାରଣମାନ ଏହାର ମୂଳଦୁଆରୁ ହିଁ ସଂଗଠିତ । ଏହି ଅନୁଷ୍ଠାନରୁ କୃତୀତ୍ଵ ସାବ୍ୟସ୍ତ କରିଥିବା ବହୁସଂଖ୍ୟକ ଭାରତୀୟ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ଓଡ଼ିଆଙ୍କ ପ୍ରତ୍ୟୟ ମଧ୍ୟ ଅନୁରୂପ ସଫଳତା ଲାଭ କରେ । ଜୀବନର ‘ମାୟା ମିରିଗ’ ପଛେ ଅନୁଧାବନ କରି କରି ଏକ ‘କ୍ଳାନ୍ତ ଅପରାହ୍ଣ’ରେ ଉପନୀତ ହୋଇଥିଲେ ମନମୋହନ ମହାପାତ୍ର !
ହେଲେ ଏ କ୍ଳାନ୍ତିରେ ନଥିଲା ସ୍ଵେଦମୟ ଶରୀର ! ଓଡ଼ିଆ ଜନଜୀବନର ହାଡେ ହାଡେ ମୁକ୍ତାଫୁଲ ଫୁଟାଇବାରେ ତାଙ୍କର ସେହିପରି ଏକାଧିକ ‘ଶୀତରାତି’ ଅତିବାହିତ କେତେ ‘ନୀରବ ଝଡ଼’ ର ‘କିଛି ସ୍ମୃତି, କିଛି ଅନୁଭୂତି’କୁ ସାଉଁଳେଇବାରେ ! ଆଉ ସେ ସମଗ୍ର ସମ୍ଵଳ କରି କେତେ ଅଶ୍ରୁ, କେତେ ଅପଳାପ ମହଳ ପଡି ଯାଉଥିବାର ସୀତ୍କାରରେ ଉହୁଙ୍କି ଉଠିଲା ବେଳକୁ ଏଠି ସେ ପୁଣି ପାଇଯାଇ ଅଛନ୍ତି ଅନାମଧେୟ ଅଥଚ ସୁନ୍ଦର ଏକ ‘ଭିଜା ମାଟିର ସ୍ଵର୍ଗ’ !
୧୯୫୧ ମସିହା ନଭେମ୍ବର ୧୦ ତାରିଖ । ଖୋର୍ଦ୍ଧାଭୂଇଁର ସବୁଜ ପ୍ରଶସ୍ତି ଓ ପର୍ଣ୍ଣଗହଳ ଦେଇ ନବପଲ୍ଲବର ମର୍ମ ସଞ୍ଚାର କରିଥିଲେ ମନମୋହନ ମହାପାତ୍ର। ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ କୃତୀତ୍ଵର ସହିତ ସ୍ନାତକ ସମାପନ କରି ତାଙ୍କ ସାକ୍ଷାତକାର ହୁଏ ତାଙ୍କ ସମଧର୍ମା #ନୀରଦ_ମହାପାତ୍ରଙ୍କ ସହିତ । ଉଭୟ ଚରିତ୍ରକାରଙ୍କ ଅନ୍ତୁଡିର ଅନଳ ଦିହୁଡିର ନିଆଁ ଭାବରେ ଏହି ପୁଣେରୁ ବଳ ପାଇ ମାତ୍ର ନିରାଟ ଓଡ଼ିଆ ନିଚୋଳ ମଧ୍ୟରେ ଅବହିତ ହେଲା । ସ୍ନାତକାନ୍ତେ ଲକ୍ଷ୍ୟ ପଥ ଅଦୂରଗୃହୀତ ଓ ନିତାନ୍ତ ଅସପତ୍ନ ପ୍ରତିଷ୍ଠା କାଳରେ ପଥିକୃତ । ପୁଣେରୁ ତିନିବର୍ଷର ଚଳଚ୍ଚିତ୍ର ନିର୍ମାଣ ଧାରାର ପାଠ୍ୟକ୍ରମରେ ସ୍ଵର୍ଣ୍ଣପଦକ ପାଇ ୧୯୭୬ ମସିହାରେ ନିଜର ପ୍ରଥମ ଚଳଚ୍ଚିତ୍ର ‘ଶୀତରାତି’ର ନିର୍ମାଣ କରିଥିଲେ ମନମୋହନ ମହାପାତ୍ର। ହେଲେ ସଦ୍ୟତମ ଯୁଗର ବିଜାତୀୟ ଚଳଚ୍ଚିତ୍ରମାନଙ୍କ ବ୍ୟତିକ୍ରମରେ ମନମୋହନ ମହାପାତ୍ରଙ୍କ ଚଳଚ୍ଚିତ୍ରର ହିଆରେ ବସବାସ କରୁଥିଲେ ଯୌଥ କୁଟୁମ୍ଵୀକୁ ନାନା ଜିଜୀବିଷାର ପରିମଳରେ ରଖିଥିବା ଓଡ଼ିଆ ଗ୍ରାମର ବଣଯୂଈ ।
ସାମାଜିକ ନିର୍ଯ୍ୟାସ ଓ ଏହାର ସାଂସ୍କୃତିକ ନିଃସର୍ଗ ଏକ ନିଶ୍ଚିତ ଅସୁଲଭ ଦ୍ଵୈତଭୂମି । ସେମାନଙ୍କ ମଧ୍ୟରେ ଥିବା ମଧ୍ୟବିତ୍ତ ତଥା ଅନୁରାଗହୀନ ପରିସ୍ଥିତିର ବ୍ୟକ୍ତିମାନଙ୍କ ଲାଗି ଯେଉଁ ବୃତ୍ତାନ୍ତର ଅବଧାରଣା କେତେ କପୋଳକଳ୍ପନା ମଧ୍ୟରେ ଆବଦ୍ଧ ରହିଆସୁ ଥିଲା, ତାହାର ରୂପାୟନ ‘ଶୀତ ରାତି’ ଚଳଚ୍ଚିତ୍ରରୁ ନେଇ ‘ଭିଜା ମାଟିର ସ୍ଵର୍ଗ’ ଆବାଳବୃଦ୍ଧବନିତାଙ୍କୁ ଚକିତ କରେ। ସମାନ୍ତରାଳ ଚଳଚ୍ଚିତ୍ର ନିର୍ମାଣ କେବଳ ପୁରସ୍କାରବହୁଳ ଓ ସନନ୍ଦସର୍ବସ୍ଵ ହେଇ ରହିଯାଉଥିବା ବେଳେ ଏହାକୁ ବାସ୍ତବିକ ସଫଳତା ଦେବାରେ ଦକ୍ଷ ଓ କ୍ଷମ ଥିଲେ ମନମୋହନ ମହାପାତ୍ର ।
୧୯୭୦ ଦଶନ୍ଧିର ମଧ୍ୟବର୍ତ୍ତୀ ସମୟରେ ଯେତେବେଳେ ତାଙ୍କର ପୁଣେରୁ ତିନିବର୍ଷିଆ ସ୍ନାତକ ସମାପନ କରନ୍ତି, ସେତେବେଳେ ବଲିଉଡର ପ୍ରଖ୍ୟାତ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଓ ବଙ୍ଗଳା ନିର୍ଦ୍ଦେଶକ ମୃଣାଳ ସେନ ତାଙ୍କ ସମଧର୍ମା ରହି ଆସିଥିଲେ । ଏକଦା ମିଥୁନ ଚକ୍ରବର୍ତ୍ତୀ ତାଙ୍କୁ ଛାତ୍ରାବାସରେ ରହଣି ବେଳେ ଜଣେଇଲେ ଯେ ସେ ମୁମ୍ଵାଇରେ ଚଳଚ୍ଚିତ୍ର ନିର୍ମାଣ ଲାଗି ପ୍ରଭୂତ ସୁଯୋଗ ରହିଛି । ମାଟିପ୍ରିୟ ମନମୋହନଙ୍କର ମନନ କେବଳ ଥିଲା ଓଡିଶା ପାଇଁ !
ଏକ ସାକ୍ଷାତକାର ଦ୍ଵାରା ବ୍ୟାବସାୟିକ ଅଗ୍ରଗତିର ଦ୍ଵନ୍ଦ୍ଵକୁ ପୂର୍ଣ୍ଣତଃ ତ୍ୟାଗ କରି ସ୍ଵଗତୋକ୍ତି ଭଣି କହିଥିଲେ, “ମୁଁ ଏଠାରେ କାମ କରିପାରିବି ନାହିଁ । ମୋର ମୂଳ ମୋ ମାଟିରେ । ଏମିତିରେ ମଧ୍ୟ ଏଠାରେ ଚଳଚ୍ଚିତ୍ରର ପ୍ରଚ୍ଛଦ ଚିତ୍ତାକର୍ଷକ ନୁହେଁ ଓ ମୋର ମୋ ରାଜ୍ୟ ବାହାରେ କାମ କରିବାର ସ୍ପୃହା ନାହିଁ । ମୋତେ ମିଥୁନ କହିଥିଲେ ୨୦୦୬ ମସିହାରେ ମଧ୍ୟ କହିଥିଲେ ହେଲେ ସର୍ବାଦୌ ମୁଁ ଏଠି ଖୁସି ଅଛି ।”
ଦୀର୍ଘ ଏଗାର ବର୍ଷର ମହାର୍ଘ ଯାତ୍ରା ଅନିମେଷରେ ଚଳଚ୍ଚିତ୍ର ଜଗତ ମଧ୍ୟରେ ଉନ୍ମେଷ ସୃଷ୍ଟି କରିଦିଏ । ‘ଶୀତରାତି’ (୧୯୮୨), ‘ନୀରବ ଝଡ଼’ (୧୯୮୪), ‘କ୍ଳାନ୍ତ ଅପରାହ୍ଣ’ (୧୯୮୫), ‘ମଝିପାହାଚ’ (୧୯୮୭), ‘ନିଷିଦ୍ଧ ସ୍ବପ୍ନ’ (୧୯୮୮), ‘ତ୍ରିସନ୍ଧ୍ୟା’ (୧୯୮୬), ‘କିଛି ସ୍ମୃତି କିଛି ଅନୁଭୂତି’ (୧୯୮୮), ‘ଅଗ୍ନିବୀଣା’ (୧୯୯୧), ‘ଭିନ୍ନ ସମୟ’ (୧୯୯୩), ‘ମୁହୂର୍ତ୍ତ’ (୨୦୦୨) ଓ ‘ଭିଜା ମାଟିର ସ୍ବର୍ଗ’ ପ୍ରଭୃତି ଦ୍ଵାରା କାଳଜୟୀ ଚଳଚ୍ଚିତ୍ରକୁ ଲୋକଗୋଚର କରାଇ ପାରିଥିଲେ ମନମୋହନ ମହାପାତ୍ର । ଆଉ ‘ଶୀତରାତି’ ପୁଣି ଶ୍ରେଷ୍ଠ ପ୍ରଦର୍ଶିତ ଚଳଚ୍ଚିତ୍ର ରୂପେ ପ୍ରଥମ କରି ଜାତୀୟ ପୁରସ୍କାର ପାଏ ।
କେବଳ ଏତିକି ନୁହେଁ ସମ୍ପୂର୍ଣ୍ଣ ଭାରତବର୍ଷରେ ଏହାର ପ୍ରସିଦ୍ଧି କ୍ରମବିକଶିତ ହୁଏ । ଏଥି ସହିତ ଓଡିଆ ଚଳଚ୍ଚିତ୍ର ଜଗତକୁ ଭୂସ୍ଵର୍ଗର ପରିଣତିକ୍ରମେ ‘ଶୀତ ରାତି’ ସର୍ବପ୍ରଥମରେ ୧୯୮୩ ମସିହାରେ ସମ୍ମାନାସ୍ପଦ ‘ଇଣ୍ଡିଆନ ପାନୋରାମା’ ବିଭାଗରେ ମନୋନୀତ ହୋଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୁଏ । ଅନୁରୂପତଃ ୧୯୮୫, ୧୯୮୬ ଓ ୧୯୮୮ ମସିହାରେ ଯଥାକ୍ରମେ ‘ନୀରବ ଝଡ଼’ , ‘କ୍ଳାନ୍ତ ଅପରାହ୍ଣ’ ଏବଂ ‘ମଝି ପାହାଚ’ ପ୍ରଦର୍ଶିତ ହୁଏ । ଆମ୍ଭର ପୂର୍ବ ଉତ୍ଥାପିତ ‘ନବ୍ୟତରଙ୍ଗ’ ଚଳଚ୍ଚିତ୍ର ପ୍ରବର୍ତ୍ତନର ଏହା ଥିଲା ଓଡିଆ ଚଳଚ୍ଚିତ୍ରରେ ପ୍ରଥମ ସୋପାନ !
ବଙ୍ଗଳାର ବିଖ୍ୟାତ ସତ୍ୟଜିତ୍ ରାୟଙ୍କ ପରି ସାମାଜିକ ଦୁରବସ୍ଥାର ଅନୁଶୀଳନଗତ ପ୍ରତିଚ୍ଛବି ଯେ କେତେ ଗର୍ହିତ ଓ ନାନାପ୍ରକାରର ଅନ୍ତର୍ଦ୍ଵନ୍ଦ୍ଵ ଦେଇ ଗତି କରେ, ତାହାର ପ୍ରଚ୍ଛନ୍ନ ଅଭିଜ୍ଞତା ଓ ବୋଧ ପ୍ରଣାଳୀର ସୂତ୍ରରେ ଏ ସମସ୍ତ ବିଶ୍ଳେଷିତ । ମହାପାତ୍ରଙ୍କର ଏହି ସବୁ ମଧ୍ୟରେ ଏକ ସ୍ଵାତନ୍ତ୍ର୍ୟ ଯାହା ଆମ୍ଭମାନଙ୍କ ଦୃଷ୍ଟିଦିଗନ୍ତରେ ଆପାତତଃ ପ୍ରଣିଧାନର ଦାବି କର୍ତ୍ତବ୍ୟ କରାଇଥାଏ, ତାହା ହେଉଛି ଉଦ୍ଭଟ ସଂଗୀତମାନଙ୍କ ନିବେଶ ତାଙ୍କ ଚଳଚ୍ଚିତ୍ରରେ ଅନ୍ତର୍ହିତ ।
ଜନଜୀବନର ଗାୟନରେ ଯାହାର ଆକ୍ଷରିକ ଅର୍ଥ ଏତେ ହୃଦ୍ୟ, ସେ କିବା ରସିକଙ୍କ ମାଦକ ଭାଜନ ହେବାରେ ପ୍ରଗଲ୍ଭ ଆସ୍ପର୍ଦ୍ଧା ରଖିପାରନ୍ତା ? ସେଥିପାଇଁ ତ ଗୀତିଶୂନ୍ୟ ପ୍ରଚ୍ଛଦରେ ବି ନବୀନ ତରଙ୍ଗର ଅତନ୍ଦ୍ର ଅନାବରଣରେ ଏହା ଦୀର୍ଘବର୍ଷ ଧରି କୃତ୍ରିମତା ଓ ବ୍ୟାବସାୟିକ ଆବିଳତାରୁ ଦୂରୀଭୂତ ରହିଆସିଛି । ଦୃଷ୍ଟାନ୍ତମତେ, ‘ଶୀତରାତି’ର ଦୁଇ ଚରିତ୍ର ଧନୀ କୁଟୁମ୍ଵୀ ପ୍ରଣବ ଓ ଗରିବ ଝିଅ ଅରୁଣାଙ୍କ ପ୍ରେମାନୁରାଗ ମଧ୍ୟରେ ଥିବା ଦୁଇ ପରିବାରର ଶ୍ରେଣୀ ପାର୍ଥକ୍ୟ ମଧ୍ୟ କ୍ଷିପ୍ତ । ପ୍ରେମିକତା ମଧ୍ୟରେ ସୃଷ୍ଟ କାରୁଣ୍ୟ କୌଣସି କବିତାର ବିରହ ହେଇନି କି କୌଣସି ଚିରାଚରିତ ଦୁଃଖିତର ଚିନ୍ତାରେ ସମାହିତ ହୋଇ ରହିନାହିଁ । ଏହାର ପୃଷ୍ଠଭୂମିରେ ଥିବା ପାରିବାରିକ ପାର୍ଥକ୍ୟ ଦେଖି ଅରୁଣା ପରି ସମାଜରେ ଥିବା ଅସଂଖ୍ୟ ଅଲ୍ୟଳିମାନେ ଯେଉଁ ମାନେ ଯୌବନକୁ କୌଣସି ତଫାତ୍ ଓ ନିଃସଙ୍ଗତାର ଅର୍ଗଳିରେ ନିଜର ଅସ୍ତିତ୍ଵକୁ ସାବ୍ୟସ୍ତ କରିବାକୁ ଅହରହ ଦୁର୍ଦ୍ଦଶା ଲଭନ୍ତି, ସେମାନଙ୍କ ସାମାଜିକ ମର୍ମ ଅବଗାହନ କରିହୁଏ ।
ସେହି ସମୟରେ ଉଚ୍ଚକୋଟୀର ପରିବେଶ ମଧ୍ୟରେ ପ୍ରକୃତିର କୋଳ ମଣ୍ଡନ କରି କେଉଁ ସୀମା ପାରି ରେଳଧାରଣା ପାଖର ସୁଷମାକୁ ଆଦର କରି ଏହି କାହାଣୀମାନଙ୍କ ପ୍ରଯୋଜନା ଆଉ କୌଣସି ମହିମାରେ ଊଣା ରହେନା । ସେହିପରି ଭାବରେ ‘ନୀରବଝଡ଼’ରେ ଝିଅ ଫୁଲର ଅନ୍ୟ କେଉଁ ଏକ ପୁଅ ସାଥୀରେ ସମ୍ପର୍କ ଥିବାର ଜାଣିପାରି ମୂଲ ଖଟୁଥିବା ଚଷା ଭ୍ରମର ଜମିଦାରଙ୍କୁ ସୁଦ୍ଧା ହେୟ କରନ୍ତି । ଯା ଫଳରେ ତାଙ୍କୁ ଜରିମାନା ଦେଇ ଗାଁ ଛାଡିବାକୁ ଥାଏ । ହେଲେ ଭିଟାମାଟି ପ୍ରତି ମାନବିକ ଦୃଷ୍ଟିଭଙ୍ଗୀର ନିଚ୍ଛକତା ଭ୍ରମରଠାରେ ଦୃଶ୍ୟାୟିତ ।
ଏଥିରେ ଥିଲେ ହେମନ୍ତ ଦାସ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଚର୍ଚ୍ଚିତ ନାୟକଠୁ ଊର୍ଦ୍ଧ୍ବତର ଜଣେ ସମସମ୍ବେଦୀ ମଣିଷ । ‘କ୍ଳାନ୍ତ ଅପରାହ୍ଣ’ ରେ ଗୋଟିଏ କୁଟୁମ୍ଵର ତିନିଜଣ ଅଭିଆଡୀ ଦୁହିତାଙ୍କର ମଧ୍ୟବିତ୍ତ ଚଳଣିକୁ ପରବର୍ତ୍ତୀ ସମୟରେ ସାମାଜିକ ପରିସଂସ୍ଥାରେ ବିବାହ ଓ ସମକାଳରେ ବୃତ୍ତିକୁ ସୁସମଞ୍ଜସ ରଖିବା ତାଙ୍କ ଲାଗି ଏକ ସମସ୍ୟାମୂଳକ ପରିସ୍ଥିତିର ରୂପ ନିଏ। ‘ମଝିପାହାଚ’ ରେ ଜଣେ ସଂସ୍କାରଧର୍ମୀ କବି ନିଜ ପରିବାରର ଦାଉରେ ସ୍ଵଲିଖିତ ଯୌତୁକ ବିରୋଧୀ କବିତା ଆଲୋକବତୀରେ ଜାଳିଦିଏ । (‘ନୀରବ ଝଡ଼’ – ୧୯୮୪, ହେମନ୍ତ ଦାସ)
ସାମଗ୍ରିକ ଭାବରେ ଚଳଚ୍ଚିତ୍ରର ସ୍ଵକୀୟତା (Originality)କୁ ନିରାଟ ଭାବରେ ପ୍ରତିବିମ୍ଵିତ କରିବାରେ ଶୀର୍ଷକ ଅନୁରୂପ ପ୍ରତିଷ୍ଠା ଓ ସାର୍ଥକତା ମନମୋହନ ମହାପାତ୍ରଙ୍କ ବ୍ୟକ୍ତିତ୍ଵକୁ ମଧ୍ୟ ଅବଗତ କରାଇଥାଏ । ନିର୍ମୂଳୀ ଲତାର କୁଞ୍ଜସଦୃଶ ସ୍ଵପ୍ନର ହାନ୍ଦୋଳରେ ପୁଣି ଚିତ୍ରିତ ଚରିତ୍ରମାନଙ୍କ ଚିତ୍ରଶାଳାରେ ‘କିଛି ସ୍ମୃତି, କିଛି ଅନୁଭୂତି’, ‘ଭିନ୍ନ ସମୟ’ ସହ ପରିଶେଷରେ ‘ଭିଜାମାଟିର ସ୍ଵର୍ଗ’ ଯେଉଁ ରୂପରେ ଆଧୁନିକ ସମାଜର ଅଭିଜାତ ଘେନି ବିଦ୍ରୂପକୁ ଦର୍ଶାଏ, ତାହା ମନମୋହନଙ୍କ ‘ବହୁମୁଖୀନତା’ ନିଶ୍ଚିତ ରୂପରେ ।
ଆବେଗର ସମୟ ବ୍ୟବଧାନ ନଥାଏ, ସମ୍ପର୍କରେ ଢେଉ ମାଡ ହେବା ହେଲେ ତାହା ମସୃଣ ହେବା ଅଥବା ଭଗ୍ନ ଯିବା କିମ୍ବା ମାଟିରେ ରକ୍ତ ନିଗାଡି ଆପଣାର ତନୁତନିମାକୁ ଆଶା, ସ୍ବପ୍ନ ତଥା ସକରୁଣ ବାସ୍ତବତାରେ ପ୍ରତୀକିତ କରାଯାଏ । ଏହି ଭିତରେ ଆମ୍ଭମାନଙ୍କ ଏକାନ୍ତ ପରିଲକ୍ଷିତ ଯେ ମନମୋହନ ମହାପାତ୍ରଙ୍କ ଗ୍ରାମୀଣ ଛବିରେ ବ୍ୟାପୃତ ଆମ୍ଭର ମୂଳତଃ କେନ୍ଦ୍ରୀଭୂତ ସତ୍ତା କିପରି ଭାବେ ସମୟର ସହ ଅମେଳ ଓ ଖାପଛଡା ହେବାରେ ଦିଶିଥାଏ ।
ଆଚ୍ଛନ୍ନ କରିବାରେ ତାଙ୍କର ସିଦ୍ଧହସ୍ତତା ନିତାନ୍ତ ସ୍ମରଣୀୟ। ‘ଅନ୍ଧଦିଗନ୍ତ’ରେ ଶଙ୍କର ନାମଧେୟ ଏକ ଚଷାପୁଅଟି ନିରନ୍ନ ଉପାସ ରହି ଜମିଦାର ଦ୍ଵାରା ନିପୀଡିତ । ଏହି ମଧ୍ୟରେ ନିଜ ପ୍ରଥମ ପତ୍ନୀକୁ ଅଜଣା ରୋଗରେ ହରେଇ ସହରରୁ ବିବାହିତା ସ୍ତ୍ରୀକୁ ବାହା ହେଇ ଆଣେ । ଅଥଚ ବନ୍ଧ୍ୟା ହେବା ଅପବାଦରେ ଗାଁ ପଞ୍ଚାୟତର ଚକ୍ଷୁଶୂଳ ହୁଅନ୍ତି । ମାତ୍ର ଶଙ୍କରଙ୍କ ଭିଟାମାଟିକୁ ଜମିଦାରଙ୍କ ଚକ୍ରାନ୍ତ କବଳରୁ ମୁକୁଳେଇ ପୂର୍ବସୂରୀଙ୍କ ସ୍ଵାଭିମାନ ପ୍ରତି ଦୁର୍ବାର ଓ ସମ୍ଵେଦନଶୀଳ।
ଏହିପରି ଭାବରେ ନିର୍ବିତ୍ତ, ମଧ୍ୟବିତ୍ତ ଓ ସାମାଜିକ ତଥା ସଂସ୍କୃତି ଦ୍ଵାହିରେ ବୈଷମ୍ୟର ସମ୍ମୁଖୀନ ହେବା ଭିତରେ ମଣିଷର ଭାବ, ଭାବନା ଓ ଏହାର ମୂଳପତ୍ତନ କେତେ ରୂପ ଓ ସ୍ପର୍ଶର ସଂସର୍ଗ ଦ୍ଵାରା କ୍ରିୟାଶୀଳ ହୁଏ, ତାହା ତାଙ୍କ ଚଳଚ୍ଚିତ୍ରର ପ୍ରଗାଢ ଆଙ୍ଗିକ । ଏସି ପରି ଚଳଚ୍ଚିତ୍ର ନିର୍ମାଣରେ ଜଣେ ଅନବରତ ଓ ସକ୍ରିୟତାର ମାତ୍ରା ତାହାଙ୍କ ଠାବରେ ଉତ୍କୃଷ୍ଟ । ଚଳଚିତ୍ର ମଧ୍ୟାନ୍ତରରେ ଯଦିଓ କାହାରି ଅସୁସ୍ଥତା ପଡେ, ତାହାକୁ ସହାୟକ ହେବା ଲାଗି ମଧ୍ୟ ମନମୋହନ ମହାପାତ୍ରଙ୍କ ଚରିତ୍ର ବରେଣ୍ୟ।
ନିଜ ସମୟର ନବାଗତ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ ଭୂୟସୀ ପ୍ରେରଣାର ଉତ୍ସ ମନମୋହନ ମହାପାତ୍ର । ସେ ଥିଲେ ଅନେକ ସମବୟସ୍କଙ୍କ ଆଦରଣୀୟ ‘ମୁନ୍ନା’ ଭାଇ । ତାହାଙ୍କର ଅଙ୍ଗାଙ୍ଗୀ ତତ୍ତ୍ଵାବଧାନରେ ନୂତନ ଶୈଳୀର ନିର୍ଦ୍ଦେଶନାର ଦକ୍ଷ ଓ ସଚ୍ଚୋଟ ଦୃଷ୍ଟାନ୍ତ ଦେଖିବାକୁ ପାଇହୁଏ । ଆଉ ପିଢିଗତ ବ୍ଯବଧାନ ତାହାଙ୍କର ପ୍ରତିଫଳିତ ହୁଏ ଶେଷ ଥର ଶ୍ରେଷ୍ଠ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ‘ଭିଜା ମାଟିର ସ୍ଵର୍ଗ’ ମାଧ୍ୟମରେ ।
୨୦୨୦ ମସିହାରେ ମଧ୍ୟ ଭୁବନେଶ୍ବର ଠାରେ ଅନୁଷ୍ଠିତ “ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ୍ ଭୁବନେଶ୍ୱର” (ଆଇ.ଏଫ୍.ଏଫ୍.ବି)ରେ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜେ । ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ବୟସ୍କ ରଘୁ ଚରିତ୍ରରେ ଅବତୀର୍ଣ୍ଣ ହୋଇ ଯେତେ ବେଳେ ବାଙ୍ଗାଲୋରରେ ବସା କରିଥିବା ପୁଅ ଅରୁ, ଯିଏକି ଅସ୍ଥାୟୀ ଚାକିରି କରୁଛି, ସିଏ କାଳକ୍ରମେ ନିଜର ଅନେକ ସ୍ଵପ୍ନକୁ ବିପର୍ଯ୍ୟସ୍ତ ଦେଖିବା ସହିତ ରଘୁଙ୍କର ମଧ୍ୟ ଶେଷକୁ କରୁଣ ଅବସାନ ଘଟେ ।
ଯଥାର୍ଥତଃ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ‘ନବ୍ୟତରଙ୍ଗ’ର ଜନକ ଭାବରେ ଅଭିହିତ କରିବା ସାର୍ଥକନାମା । ଏତଦ୍ ବ୍ୟତୀତ ନିଖୁଣ ପୃଷ୍ଠଭୂମି, ନିପୁଣ ଆଲୋକ ସମ୍ପାତକୁ ସମୟୋପଯୋଗୀ ନିର୍ଦ୍ଦେଶନାର ସମନ୍ଵୟରେ ଗୋଟିଏ ଉଚ୍ଚାଙ୍ଗ ଚଳଚ୍ଚିତ୍ରର ସକଳ ଉପପାଦ୍ୟ ଅନୁଭୂତିସିଦ୍ଧ ହୋଇଅଛନ୍ତି । ଏପରିକି ହିନ୍ଦୀ ଚଳଚ୍ଚିତ୍ର ‘Bits and Pieces’ ସହିତ କୋଣାର୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର ତାଙ୍କର ଆନ୍ତର୍ଜାତିକ ଖ୍ୟାତିକୁ ସବୁ ସମୟରେ ସୁଦୃଢ ରଖିଆସିଛି ।
ଆୟୁସୂର୍ଯ୍ୟର ଅସ୍ତାୟମାନ ଗୋଧୂଳି ପ୍ରତି ଦୃଷ୍ଟିପାତ ନ ରଖି ମନମୋହନ ମହାପାତ୍ର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସକ୍ରିୟ ରହୁଥିଲେ। ଉତ୍କଳ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନାସ୍ପଦ ଡକ୍ଟରେଟ ଡିଗ୍ରୀ (୨୦୧୭) ସହିତ ୨୦୦୧ ମସିହାରେ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ସମ୍ମାନ’ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ । ୧୯୯୩ ମସିହାରୁ ୨୦୦୩ ମସିହା ପର୍ଯ୍ୟନ୍ତ ତାଙ୍କ ନିର୍ଦ୍ଦେଶନାରେ ଦୂରଦର୍ଶନର ଓଡ଼ିଆ ଓ ହିନ୍ଦୀ ପ୍ରସାରଣର ସ୍ଥାନ ଆଜି ବି ଦୁରପନେୟ ।
ହେଲେ ହୃଦପିଣ୍ଡରେ ବାରମ୍ବାର ଯନ୍ତ୍ରଣାକ୍ତ ସମୟ ଦେଖା ଦେବା ସହିତ ବୃକ୍କ ସମସ୍ୟା ହେତୁ ୧୩ ଜାନୁଆରୀ ୨୦୨୦ ମସିହାରେ ଏହି କାଳଜୟୀ ସ୍ଵର୍ଣ୍ଣଯୁଗର ଅଭିସନ୍ଧିକାରଙ୍କ ଦେହାବସାନ ଘଟି ଦୁଃଖାପ୍ଳୁତ କରିଦେଲା ସମଗ୍ର ଓଡିଆ ଜନଜୀବନର ଆଦର୍ଶବନ୍ତ ଚଳଚ୍ଚିତ୍ର ଜଗତକୁ । କେତେ ନବ୍ୟତରଙ୍ଗରେ ସାର୍ଥକନାମା ଜନଜୀବନର ଗାଥା ଗାୟନ କରୁଥିବା ସମାଜର ପ୍ରତିଟି ହୃଦୟ କଥା ବଖାଣୁଥିଲେ ମନମୋହନ ମହାପାତ୍ର ।
© ମୋ ପ୍ରିୟତମ ପାଥେୟର ସରଣୀ: ଅମୃତେଶ ଖଟୁଆ