ଲେଖା: ଶିଶିର ସାହୁ ମନୋଜ

ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ମଣିମା ଶବ୍ଦର ପ୍ରୟୋଗ ହୋଇଥାଏ । ଏହି ମଣିମା ଶବ୍ଦର ମୂଳକୁ ନେଇ ଅନେକ ମତ ରହିଛି । ଯଥା:

ଆରଵୀ ମୂଳରୁ:
ଆରଵୀରେ ମୁନିମା ଶବ୍ଦରୁ ମୁନିବ ଶବ୍ଦ ଆସିଅଛି । ଏହି ଶବ୍ଦରୁ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧିତ ମଣିମା ଶବ୍ଦ ସୃଷ୍ଟି ହୋଇଥାଇପାରେ ।

ସଂସ୍କୃତ ମହିମା ଶବ୍ଦରୁ:
ଅନ୍ଯ ଏକ ମତାନୁସାରେ ସଂସ୍କୃତର ମହିମା ଶବ୍ଦର ଓଡ଼ିଆ ରୂପ ହେଉଛି ମଣିମା । ସଂସ୍କୃତ ମହିମା ଶବ୍ଦର ନିମ୍ନଲିଖିତ ଅର୍ଥରେ ଵ୍ଯଵହାର ରହିଛି, ଯଥା:
କ. ଉତ୍କର୍ଷ (Excellence)
ଖ. ମହତ୍ତ୍ବ (greatness)
ଗ. ଗୌରବ (Majesy; dignity)
ଘ. ମାହାତ୍ମ୍ଯ (Magnitude)
ଙ. ଐଶର୍ଯ୍ୟ (Grandeour)
ଚ. ଶକ୍ତି (Energy; power)
ଛ. ଉଚ୍ଚପଦବୀ (High exalted position) ଇତ୍ୟାଦି . .

ଭୂପତି, ରାଜା ଓ ଉଚ୍ଚପଦସ୍ଥ ଵ୍ଯକ୍ତିଙ୍କୁ  “Your Excellence” ଏଵଂ “Your Majesy” ଆଦି ସମ୍ବୋଧନ କରାଯାଏ । ବୋଧହୁଏ ଏହି ଆଧାରରେ ମହିମା ଶବ୍ଦର ଵ୍ଯଵହାର ହୋଇ ପରେ ତାହା ମଣିମା ଶବ୍ଦରେ ପରିଵର୍ତ୍ତିତ ହୋଇଥିଵ । ଜଣେ ଶକ୍ତିଶାଳୀ ଵ୍ଯକ୍ତି ଯାହାକୁ ବଡ଼ ବୋଲି ମାନ୍ଯ କରାଯାଏ ତା’ ପାଖରେ କିଛି ମହିମା ଥିଵା ନିହାତି ଆଵଶ୍ଯକ ଏଵଂ ଶ୍ରୀଜଗନ୍ନାଥଙ୍କ ପାଖରେ ସେ ସମସ୍ତ ରହିଥିଵାରୁ ହୁଏତ ସେ ମଣିମା ପଦଵାଚ୍ଯ ହେଉଅଛନ୍ତି ।

ଦେଶଜ ମହିମା ଶବ୍ଦରୁ:
ଓଡ଼ିଆ ଭାଷାରେ ମଧ୍ୟ ମହିମା ଶବ୍ଦର ଵିଶେଷ ଵ୍ଯଵହାର  ରହିଛି । ଯଥା:
କ. ମହତ୍ତ୍ବର ଚରମ ସୀମା
ଏହି ଵିଶେଷ ମହିମା ସାହାଯ୍ୟରେ ଜଗତରେ ସମୁଦାୟ ବସ୍ତୁ ପ୍ରକାଶିତ ହୋଇଅଛି । ସିଦ୍ଧଯୋଗୀମାନେ ଚରମ ଅବସ୍ଥା ପ୍ରାପ୍ତହେଲେ ସୁଖଦୁଃଖଵିହୀନ ଉକ୍ତ ମହିମାକୁ ପ୍ରାପ୍ତ ହୁଅନ୍ତି ।
ଖ. ମହାନ୍ ପୁରୁଷ; ସମସ୍ତଙ୍କର ପ୍ରଭୁ
ଗ. ମହିମାଧର୍ମ
ଓଡ଼ିଶାର ମହିମାଧର୍ମରେ ସର୍ଵଶକ୍ତିମାନ ଇଶ୍ଵରଙ୍କୁ ମହିମା କୁହାଯାଏ । ମହିମାଧର୍ମ ଅନୁସାରେ ସେ ଅନ୍ତଃକରଣ ପ୍ରବର୍ତ୍ତକ ଜ୍ଞାନଜ୍ଯୋତିଃ ସ୍ବରୂପ ଅନନ୍ତ ଈଶ୍ବର ଅଟନ୍ତି। ସକଳ ଇନ୍ଦ୍ରିୟ ତାଙ୍କର ସାହାଯ୍ୟରେ ପ୍ରକାଶିତ, କିନ୍ତୁ ସେ ସକଳ ଇନ୍ଦ୍ରିୟ ଵିଵର୍ଜିତ ପ୍ରଭୁ ଅଟନ୍ତି।

ସମ୍ଭଵତଃ ସମସ୍ତଙ୍କର ପ୍ରଭୁ ପରମପୁରୁଷ ‘ମହିମା’ଙ୍କ ନାମ ଅନୁସାରେ ଶ୍ରୀଜଗନ୍ନାଥଙ୍କୁ ପରଵର୍ତ୍ତୀକାଳରେ ମଣିମା କୁହାଯାଉଛି ।


ମଣିଵା କ୍ରିୟା ଶବ୍ଦରୁ :
ଓଡ଼ିଆ ଭାଷାରେ ପ୍ରଚଳିତ ମଣିଵା ଶବ୍ଦରୁ ମଧ୍ୟ ମଣିମା ଶବ୍ଦ ସୃଷ୍ଟି ହୋଇଥାଇପାରେ । ମଣିଵା କ୍ରିୟାଶବ୍ଦ ନିମ୍ନଲିଖିତ ଅର୍ଥରେ ପ୍ରୟୋଗ ହୋଇଥାଏ
କ. ଜାଣିଵା
ଖ. ବୁଝିଵା
ଗ. ବୋଧ କରିଵା
ଘ. ବିଚାର କରିଵା
ଙ. ବିଶ୍ବାସ କରିଵା
ଚ. ସ୍ବୀକୃତ ହେଵା(ମଙ୍ଗିବା)
ଛ. ମୁକାବିଲା କରିଵା; ପରୀକ୍ଷା କରିଵା
ଜ. ଅନୁମୋଦନ କରିଵା
ଝ. ସୁଖ ପାଇଵା; ଭଲ ପାଇଵା

ଯେଉଁ ସର୍ଵଶକ୍ତିମାନ ଈଶ୍ୱରଙ୍କୁ ଏ ଜାତି ସୁଖପାଏ, ଆଦର କରେ ! ଯେ ସର୍ଵଜନ ଈଶ୍ଵର ଭାଵେ ଅନୁମୋଦିତ, ସ୍ଵୀକୃତ ! ଯେ ଭକ୍ତଙ୍କୁ ଵାରମ୍ଵାର ପରୀକ୍ଷା କରନ୍ତି ! ଯେ ସର୍ବଜ୍ଞ ଓ ଵିଶ୍ଵାସ ବଳରେ ହିଁ ଯାହାଙ୍କୁ ଭକ୍ତି କରି ଜଣେ ଲଭିଥାଏ ସେ ହେଉଛନ୍ତି ଶ୍ରୀଜଗନ୍ନାଥ !

ମଣି ଶବ୍ଦରୁ:
ପୁରୀ କଟକ ଆଦି ଅଞ୍ଚଳରେ ମଣି ଶବ୍ଦଟି ସ୍ନେହ ଆଦର ତଥା ବେଳେ ବେଳେ ଵ୍ୟଙ୍ଗାର୍ଥେ ମଧ୍ଯ ଵ୍ୟଵହାର କରାଯାଇଥାଏ । ବହୁତ ସମ୍ଭଵ ଏହି ମଣି ଶବ୍ଦର ଅନ୍ଯ ଏକ ରୂପ ମଣିମା ଯାହା ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧିତ ହୋଇଥାଏ । ମଣି ଶବ୍ଦର ଵିଶେଷଣ ଅର୍ଥ ଶ୍ରେଷ୍ଠ ଅଟେ । କଵିସମ୍ରାଟ ଏହି ଅର୍ଥରେ ଵୈଦୈହୀଶ ଵିଳାସରେ ମଣି ଶବ୍ଦର ପ୍ରୟୋଗ କରିଛନ୍ତି
“ଵତ୍ସ୍ଯ ସ୍ବଚ୍ଛମଣି ମଣି—
ବଶୁଁ ପୁଣି ଆଣି ଆଣି,
ଶଙ୍କା ଦୂର ସେହି କ୍ଷଣି, ଲଙ୍କା ରାଜନ।

ମହିମ ଶବ୍ଦର ଓଡ଼ିଆ ରୂପ ମଣିମା:
ଆଜିକାଲି ରାଷ୍ଟ୍ରପତିଙ୍କୁ ମହାମହିମ ସମ୍ବୋଧନ କରାଯାଉଥିଵା ଦେଖାଯାଏ ତେଵେ ଏଭଳି ଵ୍ଯଵହାର ନୂତନ ନୁହେଁ । ଏହାର ସଂସ୍କୃତ ରୂପ ‘ମହତ୍ ମହିମନ୍’ । ହୁଏତ ମହିମା ଶବ୍ଦ ସହ ସମଦ୍ଧୃତ ଏହି ମହିମ ଵା ମହିମନ୍ ଶବ୍ଦଟି ଶ୍ରୀକ୍ଷେତ୍ରରେ ମଣିମାରେ ପରିଵର୍ତ୍ତିତ ହୋଇଥାଇପାରେ ।

ମିଣିପ ଶବ୍ଦ ସହ ସମଦ୍ଧୃତ ?
ସଂସ୍କୃତ ମନିଷ ଶବ୍ଦ ସହିତ ସମଦ୍ଧୃତ ଓଡ଼ିଆ ଶବ୍ଦ ମିଣିପର ଦୁଇଗୋଟି ଅର୍ଥ ରହିଛି, ଯଥା:
କ. ପୁରୁଷ
ଖ. ସ୍ବାମୀ

ଶ୍ରୀଜଗନ୍ନାଥଙ୍କୁ ପୁରୁଷୋତ୍ତମ କୁହାଯାଏ ପୁଣି ତାଙ୍କୁ ଜଗନ୍ନାଥ ସ୍ଵାମୀ ଭାଵରେ ମଧ୍ୟ ଅଭିହିତ କରାଯାଇଥାଏ । ତେଣୁ ସମ୍ଭଵତଃ ମିଣିପ ଶବ୍ଦ ସହ ସମଦ୍ଧୃତ କିମ୍ବା ଏ ଶବ୍ଦରୁ ପରିବୃତ୍ତ ମଣିମା ଶବ୍ଦଟି ଜଗତପତି ଓ ପୁରୁଷୋତ୍ତମ ଅର୍ଥରେ ଵ୍ଯଵହୃତ ହୋଇ ଆଜି ଚଳୁଥାଇପାରେ ।

ଓଡ଼ିଆ ସାହିତ୍ୟରେ ମଣିମା ଶବ୍ଦର ବହୁଳ ଵ୍ଯଵହାର ହୋଇଛି ।

ମଣିମା ଶବ୍ଦର ଵ୍ୟଵହାର ଦଶମରୁ ତେରଶହ ଶତାବ୍ଦୀ ମଧ୍ୟରେ ଲେଖା ହୋଇଥିଵା ସାରଳା (ସାରୋଳ) ମହାଭାରତରେ ମଧ୍ୟ ରହିଛି ଯେପରିକି,
“ଡାକୁଛନ୍ତି କୟେବାର ମଣିମା, ମଣିମା।”

✓କଵିସମ୍ରାଟଙ୍କ ସାହିତ୍ୟରେ ସହସ୍ରାଧିକ ଥର ମଣିମା ଶବ୍ଦର ଵ୍ୟଵହାର ହୋଇଅଛି,
“ବହୁତ ଦିହୁଡ଼ି, ଅନ୍ଧାର ଘଉଡ଼ି, ଶୂଭେ ମଣିମା ମଣିମା ସ୍ନନ ସେ ବୀଥିରେ ।”

✓ବ୍ରଜନାଥ ବଡ଼ଜେନାଙ୍କ ସମରତରଙ୍ଗରେ ମଣିମା ଶବ୍ଦର ଵ୍ଯଵହାର ରହିଛି,
“ଉଡ଼ୁଛନ୍ତି ୟା ଝଣ୍ଡା ବଇରଖ
ପୁଣି ବୋଲନ୍ତି ମଣିମା ଦେଖ”

✓କୃଷ୍ଣସିଂହ ମହାଭାରତରେ ମଣିମା ଶବ୍ଦର ଵ୍ଯଵହାର ଦୃଷ୍ଟିଗୋଚର ହୋଇଥାଏ,
“ଜୀବନ ଥିବାଯାକ ରଜାଙ୍କୁ ମଣିମା, ବୋଲୁଥାନ୍ତି ମଲେ ନ ଯାନ୍ତି ତାଙ୍କ ସୀମା।”

✓ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଜଣାଣର ଆରମ୍ଭ ହିଁ ମଣିମା ଶବ୍ଦରୁ ହୋଇଥାଏ,
“ମଣିମା ଶୁଣିମା ହେଉ ଗରିବ ଡାକ ।
ନିରକ୍ଷ ଜନକୁ ରଖ ପଙ୍କଜ ମୁଖ ।।”

✓ବନମାଳୀ ଦାସଙ୍କ ଜଣାଣରେ ମଧ୍ୟ ମଣିମା ଶବ୍ଦର ଵ୍ଯଵହାର ରହିଛି,
“ମଣିମା ହେ ଏତିକି ମାଗୁଣି ମୋର ।
ମରଣ କାଳରେ ଦରଶନ ଦେବ
କଳାମୁଖ କଳାକାର ।।”

ଓଡ଼ିଆ ଭାଷାରେ ଏଇ ମଣିମା ଶବ୍ଦର ବହୁଳ ଵ୍ଯଵହାର ଏହା ଏକ ଵୈଦେଶିକ ହେଵାର ମତକୁ ଦୃଢ଼ଭାଵେ ଖଣ୍ଡନ କରିଥାଏ। ସାରଳା ମହାଭାରତରେ ଏ ଶବ୍ଦର ଵ୍ଯଵହାର ଏହାର ପ୍ରାଚୀନତାକୁ ପ୍ରମାଣ କରିଦେଇଥାଏ ତେଵେ ଏ ଶବ୍ଦର ମୂଳ ଶବ୍ଦ ରୂପକୁ ନେଇ ଆହୁରି ଗଵେଷଣା ଆଵଶ୍ଯକ !

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago