| ଲେଖା: ଶିଶିର ସାହୁ ମନୋଜ ଆଜି ଭାରତଵର୍ଷରେ City ପାଇଁ ଵୈଦେଶିକ “ସହର” ଶବ୍ଦଟେ (ନଗର) ଆସି ବହୁପ୍ରଚଳିତ ହେଲାଣି । ପ୍ରାଚୀନ ଵୈଦିକକାଳରେ କିନ୍ତୁ ନଗର/ସହର ଓ ଗାଆଁ ଭେଦ ନଥିଲା ତେଣୁ ମାନବ ଆପଣା ଜନଵସତିକୁ ସାଧାରଣତଃ ଜନପଦ କହୁଥିଲା । ସମୟ ସହିତ ଗାଆଁ ନଗରର ଭେଦ ଉତ୍ପନ୍ନ ହେଲା । ଏମିତି ହେବାର ମୁଖ୍ୟ କାରଣ ଥିଲା ରାଜତନ୍ତ୍ର ଓ ରାଜାଙ୍କ ନିଵାସ ନିକଟସ୍ଥ ଜନପଦର ଭଵ୍ୟତା ଯୋଗୁଁ ତାହାର ଗ୍ରାମଠାରୁ ଭିନ୍ନତା ! ନଗରରେ ଵିଶାଳ ସୁନ୍ଦର ଅଟ୍ଟାଳିକା ଓ ଭଵନ ମାନ ନିର୍ମାଣ ଯୋଗୁଁ ଜନପଦ ଗୁଡିକ ଏବେ ଗ୍ରାମ ଓ ନଗର ଭାବେ ଦୁଇଭାଗରେ ଵିଭକ୍ତ ହୋଇଯାଇଥିଲା । ଗ୍ରାମରେ ଵାସକରୁଥିବା ଲୋକେ “ଗ୍ରାମଵାସୀ” ଓ “ଗ୍ରାମୀଣ” ଆଦି ବୋଲାଇଲା ବେଳେ ନଗରଵାସୀଙ୍କ ପାଇଁ “ନଗର” ସହିତ “ଇକ” ଯୁକ୍ତ ହୋଇ “ନାଗରିକ” ନାମ ପ୍ରଚଳିତ ହେଲା । ଲୋକେ ତତ୍ପରେ ସବୁ ସୁବିଧା ଅସୁବିଧାରେ ନଗର ଅଭିମୁଖେ ଯାତ୍ରା କରିବାକୁ ଲାଗିଲେ । ରାଜାଙ୍କୁ ଦୁଃଖ ଜଣେଇବାକୁ ହେଉ କି ରାଜସମ୍ମାନ ଲାଭ ଲାଳସାରେ ହେଉ କିମ୍ବା ଵିଶିଷ୍ଟ ପଦାର୍ଥ ପାଇବା ଇଛା ଧରି ଗାଆଁର ଲୋକଟି ସେଇଦିନଠୁଁ ଆଜିଯାଏଁ ନିରନ୍ତର ସହରକୁ ଧାଇଁବାରେ ଲାଗିଛି । ତେବେ ନଗରରେ ଆଶା ପୂରଣ ହେଉ କି ନ ହେଉ ଆପଣା ଜନ୍ମଭୂମି ଗ୍ରାମପ୍ରାନ୍ତରକୁ କେବେ ନା କେବେ ତ ଫେରିବାକୁ ହିଁ ପଡି଼ଥାଏ ! ଗ୍ରାମ ଶବ୍ଦର ନିରୁକ୍ତି ଭେଦ ମଧ୍ଯ ସେଇକଥା କହେ ! ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗ୍ରାମ ଶବ୍ଦର ତିନୋଟି ନିରୁକ୍ତି ଭେଦ ଉଲ୍ଲେଖ ହୋଇଛି; ★୧. ଗ୍ରାମ୍ ଧାତୁ; ଣିଚ୍ ଗ୍ରାମୀ ଧାତୁ (ଆମନ୍ତ୍ରିତ ହେବା, ଡକା ହେବା) + ଅ [ଯେଉଁଠାକୁ ଲୋକେ ଆମନ୍ତ୍ରିତ ହେଉଥିଲେ; ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମାନସିକ ଶାନ୍ତି ପାଇଁ କାରଣ ନଗରର କୋଳାହଳରେ ଏ ଉଭୟ ତତ୍ଵ ମିଳେନାହିଁ]★୨. ଗମ୍ ଧାତୁ (ଯିବା) +ଅ (ନିପାତନ) [ଗାଆଁରୁ ନଗର ଅଭିମୁଖେ ବାହାରି ପଡି଼ଥିବା ଲୋକଟି ଦିନେ ନା ଦିନେ ନଗରରୁ ଗାଆଁକୁ ଫେରିଯିବାକୁ ବାହାରି ପଡେ଼, ଏହା ହିଁ ହୋଇଥାଏ ହେଉଅଛି ମଧ୍ୟ] ★୩. ଗ୍ରସ୍ ଧାତୁ + ମନ୍ + ଅ (ନିପାତନ) ଗ୍ରସ୍ ଧାତୁ ଦେଇ ଗ୍ରାମ ଶବ୍ଦର ନିରୁକ୍ତି ଵ୍ୟାଖ୍ୟା ପଛରେ ଏକ ସୁକ୍ଷ୍ମ ଭେଦ ଅଛି । ପ୍ରକୃତରେ ଗ୍ରସ୍ ଧାତୁ ଶବ୍ଦର ଅର୍ଥଗୁଡ଼ିକ ମଧ୍ୟରେ ସମୁଚୟ-ଏକୀକୃତ ହେବାର ଭାବ ରହିଛି, ଯେମିତି କି, ବହୁତ ସମ୍ଭବ ପରଵର୍ତ୍ତୀ କାଳରେ ଏହି ଗ୍ରାମ ଶବ୍ଦର ଗ୍ରସଧାତୁରୁ ପ୍ରାପ୍ତ ଯୁଦ୍ଧ ବାବଦ ଅର୍ଥ ଆଧାରରେ ଗ୍ରାମ୍ ଧାତୁ ପରିପ୍ରକାଶ ଲାଭ କରିଛି ଏବଂ ତହିଁରୁ ସଂଗ୍ରାମ (ସମ୍ + ଗ୍ରାମ୍ ଧାତୁ + ଭାବ.ଅ) ଭଳି ଶବ୍ଦ ସୃଷ୍ଟି କରି ତାହାକୁ ଯୁଦ୍ଧ ଅର୍ଥରେ ଵ୍ୟଵହାର କରାଯାଇଛି । ନଗରର ଲୋକେ ସେତେ ଯୁଦ୍ଧ କରୁନଥିଲେ ସେମାନେ ରାଜାଙ୍କ ଲୋକ ଥିଲେ, ସେମାନଙ୍କ ପାଇଁ ଗ୍ରାମର କୃଷକ ଓ ଶ୍ରମିକ ଆଦିଙ୍କୁ ସୈନିକ ହୋଇ ଯୁଦ୍ଧ କ୍ଷେତ୍ରରେ ଲଢିବାକୁ ପଡୁ଼ଥିଲା । କିନ୍ତୁ ଯେତେବେଳେ ସେ ସୈନ୍ୟସାମନ୍ତ ମଧ୍ଯ ଶତ୍ରୁସେନା ଦ୍ଵାରା ପରାସ୍ତ ହୋଇଯାଉଥିଲେ ସେତେବେଳେ ନଗରଵାସୀଙ୍କୁ ଶତ୍ରୁପକ୍ଷ ଆଡୁ଼ ଅନେକ ଅତ୍ୟାଚାର ଓ ଯାତନା ଭୋଗ କରିବାକୁ ହେଉଥିଲା ! ଆଜିର ଆଧୁନିକ ସହରମାନଙ୍କରେ ପ୍ରକୃତ ରଜା ତ ନାହାନ୍ତି, କିନ୍ତୁ ରଜାଙ୍କ ପରି ଵୈଭଵଶାଳୀ ଲୋକ ବହୁତ ଅଛନ୍ତି । ସେମାନେ ଧନିକ ଵ୍ୟାପାରୀ ପ୍ରସିଦ୍ଧ ଲୋକ ଅଟନ୍ତି, ତାଙ୍କର ଗୁଡାଏ କମ୍ପାନୀ ଥାଏ । ତହିଁରେ ଗାଆଁର ଲୋକଙ୍କୁ ଖଟେଇ ବହୁତ ଲାଭ ପାଇ ଅଳ୍ପ ଧନ ଦେଇଥାନ୍ତି । ମୋଟ ଉପରେ ଆଧୁନିକ ଯୁଗରେ ତଥାକଥିତ ଵାସ୍ତୁଵାଦୀ ଵିକାଶ ପାଇଁ ବି ଗ୍ରାମଵାସୀ ହିଁ ସର୍ଵାଧିକ ଜୀଵନଯୁଦ୍ଧ ଲଢିଥାନ୍ତି । ନଗରର ଲୋକେ ସେତେ ଯୁଦ୍ଧ କରୁନଥିଲେ, ତେଣୁ ନଗର ଶବ୍ଦରେ ଯୁଦ୍ଧ ଓ ସଂଗ୍ରାମ ଆଦି ଅତିଵାଦୀ ତତ୍ଵ ଗୁଡ଼ିକ ସ୍ଥାନ ପାଇନାହିଁ । ସେଇଥି ଯୋଗୁଁ ନଗର ଶବ୍ଦର ନିରୁକ୍ତି ଗ୍ରାମ ଶବ୍ଦ ଅପେକ୍ଷା ଭିନ୍ନ ଅର୍ଥ ଆଡ଼କୁ ଆମ୍ଭମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । ପୁଣି ଅର୍ଥାତ୍ ଯେ ଗତି କରେ ନାହିଁ ସେ ନଗ ଅଟେ ! (ସୂର୍ଯ୍ୟ ଅପେକ୍ଷାକୃତ ସ୍ଥିର ଓ ପୃଥିବୀ ତହିଁର ଚତୁଃପାର୍ଶ୍ଵରେ ପରିକ୍ରମା କରିଥାଏ ବୋଲି ସୂର୍ଯ୍ୟଙ୍କୁ ଅଚଳ ଭାବେ ଏହି ଶବ୍ଦର ସୂର୍ଯ୍ୟ ଅର୍ଥ ହୋଇଥାଇପାରେ ?) ଚାଲନ୍ତୁ ନଗ ଶବ୍ଦର ଚାରୋଟି ଅର୍ଥକୁ ଧରି ନଗର ଶବ୍ଦର ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା, ଦେଖିବା କଣ୍ ମିଳୁଛି . . →ନଗ ଶବ୍ଦର ଗୋଟାଏ ଅର୍ଥ ବୃକ୍ଷ ତେବେ ଆଜିର ଅଧିକାଂଶ ସହର ବୃକ୍ଷହୀନ କହିଲେ ଅତ୍ୟୁକ୍ତି ହେବନାହିଁ ! ତେବେ ଏଠାରେ ର ଶବ୍ଦର ବିଶେଷ୍ୟ ଅର୍ଥ ଯଥା ଅଗ୍ନି, ଉତ୍ତାପ ଓ ଦାହନ ଆଦିର ପ୍ରୟୋଗ ପୂର୍ଵକ ଏମିତି ବ୍ୟାଖ୍ୟା କରାଯାଇପାରିବ ଯେ, ଯେଉଁଠି ବୃକ୍ଷ ଗୁଡିକୁ କାଟି ଅଗ୍ନିରେ ଜାଳିଦିଆଯାଇଛି, ଯେଉଁଠି ବୃକ୍ଷ ଅଭାବରେ ଉତ୍ତାପ ବୃଦ୍ଧି ଯୋଗୁଁ ମାନବ ଆଦିଙ୍କ ଶରୀର ଦାହନ ହେବା ସୁଦ୍ଧା ଅସମ୍ଭବ ନୁହେଁ ତାହା ନଗର ଅଟେ । →ନଗ ଶବ୍ଦର ପର୍ଵତ ଅର୍ଥ ଆଧାରରେ ପ୍ରହରାଜଙ୍କ ବ୍ୟାଖ୍ୟା ଅନେକାଂଶରେ ଯୁକ୍ତିଯୁକ୍ତ ! ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନଗର ଶବ୍ଦ ତଳେ କୁହାଯାଇଛି–ପର୍ଵତାକାର ଅଟ୍ଟାଳିକାମାନ ଯେଉଁଠି ଦୃଷ୍ଟିଗୋଚର ହୁଏ ତାହା ନଗର ଖ୍ୟାତ ହୁଏ । →ଆଉ ସର୍ପ ଓ ସହର ତ ପରସ୍ପରର ଶତୃ କହିଲେ ମିଥ୍ୟା ହେବନି । ପାଦହୀନ ଏ ଜୀଵଟି ସହର ମାନଙ୍କରେ ମଣିଷ ହାତରୁ ବଞ୍ଚି ଗଲେ ବି ଗାଡ଼ିଚକା ତଳେ ଚପାଖାଇ ମରିଯିବା ଅସମ୍ଭବ ନୁହେଁ । ସହରରେ ତାକୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ବି ମିଳୁନଥିବ । କିନ୍ତୁ ସହର ମାନଙ୍କରେ ସର୍ପିଳ ମନୁଷ୍ୟ ବହୁତ ଥାଆନ୍ତି ଆଉ ସାପ ମାନଙ୍କ ଠାରୁ ସେମାନେ ସହସ୍ରାଧିକ ଗୁଣ ଅଧିକ ଵିଷାକ୍ତ ! ତେଣୁ ସହଜ ଶବ୍ଦରେ କହିଲେ ନଗ ଵା ସର୍ପରୂପି ଖଳ ଦୂର୍ଜନ ଯେଉଁଠି ଗଣ୍ଡା ଗଣ୍ଡା ଥାଆନ୍ତି ତାହା ଯଥାର୍ଥରେ ନଗର । →ନଗ ଶବ୍ଦର ସୂର୍ଯ୍ୟ ଅର୍ଥର ବ୍ୟାଖ୍ୟା ଅତି ସହଜ କାରଣ ଉପରେ କୁହାଯାଇଛି ଯେ ଏଠାରେ (ନଗ) ବୃକ୍ଷକୁ (ର) ଅଗ୍ନିରେ ଜଳେଇ ଦେଇ ବୃକ୍ଷହୀନ କରିଦେଲା ପରେ (ନଗ) ସୂର୍ଯ୍ୟର (ର) ଉତ୍ତାପ ପ୍ରଖର ହୋଇଥାଏ, ଫଳରେ ଗ୍ରୀଷ୍ମକାଳ ଆଗମନ ମାତ୍ରେ ଶହ ଶହ ପ୍ରାଣୀ ଅଂଶୁଘାତ ଯୋଗୁଁ ମରିଥାନ୍ତି । ତେବେ ସେ ଯାହା ହେଉ ନା କାହିଁକି, ଆଜିର ସହରରେ ଉଚ୍ଚ ଉଚ୍ଚ ଅଟ୍ଟାଳିକା ମାନ ସୂର୍ଯ୍ୟକୁ ବି ଲୁଚେଇ ଦେବାର ଅଦ୍ଭୂତପୂର୍ବ କାର୍ଯ୍ୟ କରିସାରିଛନ୍ତି । ସେମିତି ବି ସହର ମାନଙ୍କରେ ସୂର୍ଯ୍ୟ, ଚନ୍ଦ୍ର ଓ ତାରା ମାନଙ୍କୁ ନ ଦେଖିବାର ପରମ୍ପରା ରହିଛି । ସହରରେ ସେଇଥିପାଇଁ ଲୋକେ ମାନବଙ୍କ ମଧ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ତାରକା ଖୋଜିଥାନ୍ତି ଵା ସେଭଳି ଲୋକଙ୍କୁ ଏମନ୍ତ ଉପାଧିରେ ଭୁଷିତ କରିଥାନ୍ତି । ଏଠାରେ କହିରଖେ ସହର ଶବ୍ଦଟି ମଧ୍ଯ ନଗର ଶବ୍ଦଠାରୁ ସେତେ ଭିନ୍ନ ନୁହେଁ । ଉଭୟ ଭାରୋପୀୟ ଶବ୍ଦ ଅଟନ୍ତି । [tek-]=> [xšáyati]=> [xšaça]=> [šahr]=> ସହର କ୍ଷତ୍ର ଶବ୍ଦର ନିରୁକ୍ତି: ଅର୍ଥାତ୍ ଯେଉଁଠି (ଯୁଦ୍ଧାଦି) ବିପଦରୁ ରକ୍ଷା ମିଳିଯାଏ, ଯେଉଁଠି କ୍ଷତ୍ରପାଳ ଵା ରାଜା ନିଵାସ କରନ୍ତି ତାହା ନିଶ୍ଚିତ ସହର ପଦବାଚ୍ୟ ହେଉଥିଲା ।ଆଜି ସମୟ ସହିତ ମନୁଷ୍ୟ ସମାଜରେ ଅଦ୍ଭୁତପୂର୍ବ ପରିଵର୍ତ୍ତନ ହୋଇଛି ସତ ହେଲେ ମନୁଷ୍ୟ ଜାତିର ଇତିହାସ ଲୁଚିରହିଛି ଏଇମିତି କିଛି ଶବ୍ଦ ଗୁଡ଼ିକରେ ! © ଶିଶିର ସାହୁ ମନୋଜ | |
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…
'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…
ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…
~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…
~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…
~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…