ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଓଡ଼ିଶାର ସବୁ ଅଞ୍ଚଳରେ କିଛି ନା କିଛି ସ୍ବତନ୍ତ୍ର ଢ଼ଗ ଚଳୁଅଛି ଯାହା ସେହି ଅଞ୍ଚଳ ମଧ୍ଯରେ ସୀମିତ ରହିଯାଇଥାଏ ! ଆମ ଗ୍ରାମ ପଞ୍ଚାୟତ କନ୍ତିଓ ପୁଟସାହିରେ ମଧ୍ଯ ସେହିପରି ଏକ ଢ଼ଗ ଚଳୁଅଛି, ଯେପରି କି, “ଭଲ ନା ଭାଲିଆତଇଳା” ।
ଯେତେବେଳେ ବ୍ଯକ୍ତିବିଶେଷ ବା କୌଣସି ବସ୍ତୁ ଭଲ ନ ହୋଇ ବି କେହି ତାକୁ ଭଲ କହେ ସେତେବେଳେ ଆମ ଗାଁର ଲୋକ ଏଇ ପଦକ କହନ୍ତି, ‘ଭଲ ନା ଭାଲିଆତଇଳା ?’
କିନ୍ତୁ ଭାଲିଆତଇଳା କଅଣ ?
ଆମ କନ୍ତିଓ ଗ୍ରାମର ସବୁଠାରୁ ବଡ଼ ସାହି ହେଉଛି ଏହି ଭାଲିଆତଇଳା ସାହି ! ବାରମ୍ବାର ବନ୍ଯାରେ କ୍ଷତିଗ୍ରସ୍ତ ହେବା ଯୋଗୁଁ ୧୯୬୦ ପରେ ବ୍ରାହ୍ମଣୀନଦୀ କୂଳରେ ଥିବା ପୁରୁଣା କନ୍ତିଓ ବା ତଳକନ୍ତିଓରୁ ଆମ ଗାଁ ଲୋକେ ଏକ ଦେଢ଼ କିମି ପଶ୍ଚିମକୁ ଉଠି ଆସିଥିଲେ ! ସେମାନେ ପ୍ରଥମେ ନୂଆସାହି ତା’ ପରେ ଭାଲିଆତଇଳା, ଗୁଡ଼ିସାହି ଓ ଭୈରଙ୍ଗସାହି (ଭୈରବୀସାହିର ପରିବୃତ ରୂପ) ଆଦିରେ ରହିବାକୁ ଲାଗିଲେ ! ଜନବସତି ଗଢ଼ି ଉଠିବା ଆଗରୁ ଏହି ଭାଲିଆତଇଳା ଶାଳ, ଗମ୍ଭାରୀ, ମହୁଲ, କେନ୍ଦୁ ଓ ବିଶେଷତଃ ଭାଲିଆ ଗଛର ନଟା ବା ବଣ ଥିଲା ! ଲୋକେ କ୍ରମେ ଏହାର କେତେକ ଭାଗକୁ ମଶାଣି ଭଳି ବ୍ଯବହାର କରିବା ଆରମ୍ଭ କଲେ ଏବଂ ସର୍ବଶେଷରେ ଆଜି ଏଠି ଏକ ବଡ଼ ସାହି ଗଢ଼ି ଉଠିଛି ! ମନୁଷ୍ଯଙ୍କ ଆଗମନ ଯୋଗୁଁ ଆଜି ଏଠି ଗୋଟିଏ ବି ଭାଲିଆଗଛ ବଞ୍ଚିଯାଇନାହିଁ ! ହଁ କେଉଁଠି କେଉଁଠି ଆଜି ବି ହଣାଯାଇଥିବା କେନ୍ଦୁ ଗଛ ଆଉଥରେ ବଡ଼ ହେବାକୁ ଚେଷ୍ଟା କରୁଥିଲେ ହେଁ ନିର୍ଦ୍ଦୟୀ ମାନବ ତାକୁ ଅନ୍ଧବିଶ୍ବାସ ତଥା ଆପଣା ସ୍ବାର୍ଥପାଇଁ ବଢ଼ିବାକୁ ଦେଉନି !
ତେବେ ଢଗକୁ ଦେଖି ମନରେ ପ୍ରଶ୍ନ ଉଠୁଛି, ଏଠାରେ ଭାଲିଆତଇଳା ଶବ୍ଦ କାହିଁକି ବ୍ଯବହାର ହୋଇଥିବ ?
ଯେମିତିକି ଏହାର ଇତିହାସ ରହିଛି, ଏହା ଏକ ମରାଖଣ୍ଡି (ମଶାଣି, ଯେଉଁଠି କଟା ବାଳ, ଭଙ୍ଗା କାଚ ଓ ଭଙ୍ଗା ହାଣ୍ଡି ଇତ୍ଯାଦି ପକାଯାଏ) ଭଳି ଏ ଭୂମିକୁ ଆଗେ ହୀନ ବା ନିମ୍ନ ମନେ କରାଯାଉଥିଲା ! ଭୂତ ଭୟ ଓ ଭାଲିଆ ଫଳ ଯୋଗୁଁ ଘାଆ ହେବା ଭୟରେ ଲୋକେ ଏଠାକୁ ବିଶେଷ ଆସୁନଥିଲେ !
ପୁଣି ଭାଲିଆତଇଳା ନାଁରେ ତଇଳା ଶବ୍ଦର ଅର୍ଥକୁ ବିଚାର କରାଯାଉ ! ଓଡ଼ିଆ ଭାଷାରେ ତଇଳା ବା ତଇଲା ଶବ୍ଦର ନିମ୍ନୋକ୍ତ ଅର୍ଥ ରହିଛି:
୧. ଉଚ୍ଚଜମି
୨. ତଉଲିଆ
୩. ବିରଙ୍ଗା ଭୂମି; ଜଙ୍ଗଲ ପୋଡ଼ି ଚାଷ କରାଯାଉଥିବା ଭୂମି
୪. ଜଙ୍ଗଲ କଟାଯାଇ ଆବାଦ କରାଯାଇଥିବା ଭୂମି
୫. ଚାଷ ହେଉନଥିବା ଅନୁର୍ବର ଚାଷ ଅନୁପଯୁକ୍ତ ଭୂମି
ଇତ୍ଯାଦି
ତେଣୁ ଭାଲିଆତଇଳା ଏକ ସମୟରେ ଆମ ଗ୍ରାମବାସୀଙ୍କ ଦୃଷ୍ଟିରେ ଏକ ହୀନ, ନିମ୍ନ ଓ ଅନୁପଯୁକ୍ତ ଭୟପ୍ରଦ ସ୍ଥାନ ଥିବାରୁ ଏବଂ ପରେ ଆବଶ୍ଯକ ପଡ଼ିଲାରୁ ଏହି ଉଚ୍ଚଭୂମିରୁ ଜଙ୍ଗଲ କଟାଯାଇ ଏହାକୁ ଆବାଦ୍ କରାଯାଇଥିବାରୁ ଏହାକୁ ଏପରି ନାମ ଦିଆଯାଇଥିଲା !
ଯେତେବେଳେ ଏ ନାମ ଆମ ଗାଁ ଲୋକଙ୍କ ପାଇଁ ଅନାବଶ୍ଯକ ଥିଲା ସେତେବେଳେ ହୁଏତ ଏହି ‘ଭଲ ନା ଭାଲିଆତଇଳା’ ଢଗଟି ଚଳିବା ଆରମ୍ଭ ହୋଇଥିବ !
~ ଆମ ଭାଷାରେ ତଇଳା ଭଳି କିଛି ଶବ୍ଦ ~
୧. ତର୍ଲା – ଶାଳଛତ୍ର, ନିମ୍ନଭୂମି
୨. ତଲ – ତଳ, ଭୂମି,ନିମ୍ନ
୩. ତଲି – ତଳ, ତଳ ଅଞ୍ଚଳ, ତଳେ, ଧାନ ଚାରାଗଛ
୪. ତଳିଆ – ତଳେ ଥିବା ସ୍ଥାନ, ଖାଲଜମି, ତଳି ଉତାରିବା ସ୍ଥାନ
୫. ତଉଲ – ଜଙ୍ଗଲ ମଧ୍ଯସ୍ଥ ଗ୍ରାମ (ଜଙ୍ଗଲ କଟାଯାଇ ଗଢ଼ାଯାଇଥିବା ଜନଜାତୀୟ ଗାଁ
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…