ଲେଖା: ଅକ୍ଷୟ ଓଝା

ପରମ ଶାସ୍ତ୍ର ଭାଗବତ।
ଅଭ୍ୟାସ କରୁଥିବ ନିତ୍ୟ।।
ଆଗ କାଳରେ ପ୍ରତ୍ୟେକ ଗାଆଁରେ ଭାଗବତ ଟୁଙ୍ଗି ଥିଲା । ସଞ୍ଜ ନଇଁ ଆସିଲେ ଗାଆଁର ଝିଅ ବୋହୂମାନେ ଦୀପଟିଏ ଜାଳି ଦେଉଥିଲେ ଭାଗବତ ଘରେ । ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିଟିଏ କିମ୍ବା ତ୍ରୀମୂର୍ତ୍ତି ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ପାଖରେ ଓଡ଼ିଆ ରାମାୟଣ ଓଡିଆ ଭାଗବତ ଆଦି ନାନା ପୁରାଣ ଆଲୋଚନା ହେଉଥିଲା ଏହି ଟୁଙ୍ଗୀରେ । ବିଗ୍ରହ ମୂର୍ତ୍ତି ସହିତ ଏହି ଗ୍ରନ୍ଥ ମାନଙ୍କର ବି ପୂଜା ହେଉଥିଲା ।
      
ଜାତି, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଏଇ ଭାଗବତ ଟୁଙ୍ଗି ଥିଲା ଉପାସନାର ଘର । ସୂର୍ଯ୍ୟ ନଇଁଲେ ଗ୍ରାମ୍ୟବଧୂ ଏଠି ଦୀପ ଜାଳୁଥିଲେ । ପିଲାଏ ଘଣ୍ଟ ମୃଦଙ୍ଗ ଝାଞ୍ଜ, କରତାଳ ବଜେଇ କୀର୍ତ୍ତନ କରୁଥିଲେ । ଏହା ପରେ ପୁରାଣ ପଣ୍ଡା ଆସି ଭାଗବତ ଟୁଙ୍ଗି (ଗାଦି) ରେ ପହଞ୍ଚୁଥିଲେ । ପୁରା ଗାଆଁ ଗୋଟାକ ଏକତ୍ରିତ ହୋଇ ଯାଉଥିଲେ ।


ଚଉପଦୀ ଉପରେ ପୁରାଣ ବହି । ଆଗରେ ଜ୍ୱଳନ୍ତ ଦୀପଟିଏ । ତାଳପତ୍ର ଚଟ ଉପରେ ଉପବିଷ୍ଟ ପଣ୍ଡିତେ ମହାରାଜ । ଆଗରେ ଶ୍ରୋତା ଆବାଳବୃଦ୍ଧବନିତା । ପଣ୍ଡିତେ ଜଗନ୍ନାଥଙ୍କୁ ମୁଣ୍ଡିଆଟିଏ ମାରି ଆରମ୍ଭ କରୁଥିଲେ ତାଙ୍କ ସୁଲଳିତ କଣ୍ଠରେ ଭାଗବତ କଥା ମହିମାଗାନ । ଗରୀବ, ଧନୀ, ପିଲାଛୁଆ, ବୁଢ଼ାବୁଢ଼ୀ, ଶାଶୁବୋହୂ ନିର୍ବିଶେଷରେ ଭାଗବତ ଟୁଙ୍ଗି ଆଗରେ ଭିଡ଼ ଲାଗୁଥିଲା ।ପଣ୍ଡିତେ ପୁରାଣ ପାଠ ଆରମ୍ଭ କରୁଥିଲେ ସଙ୍ଗୀତ ସ୍ଵରରେ । ଲମ୍ବା ଲୟରେ . .
“ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ।
ପଦ ଗଲୁଛି କମରନ୍ଦ।।
ସେ ମକରନ୍ଦ ପାନ କରି।
ହେଳେ ତରିଲେ ବ୍ରଜ ନାରୀ।।
ସେ ବ୍ରଜନରୀଙ୍କ ପୟରେ।
ମନ ମୋ ରହୁ ନିରନ୍ତରେ।।
ମନ ମୋ ନିରନ୍ତରେ ଥାଉ।
ହା କୃଷ୍ଣ ବୋଲି ଜୀବ ଯାଉ।।”ପଣ୍ଡିତଙ୍କ କଣ୍ଠସ୍ଵରରେ ଗାଆଁର ସଞ୍ଜ ମୁଖରିତ ହେଇଯାଉଥିଲା । ଶ୍ରୋତାମାନେ ମନ୍ତ୍ର ମୁଗ୍ଧ ହୋଇ ଯାଉଥିଲେ । ଗୁଣୁଗୁଣୁ ସ୍ଵରରେ ସ୍ୱଳ୍ପ କରତାଳି ସହିତ ଗାୟନ ବି କରୁଥିଲେ । ଧାର୍ମିକ ଭାବଧାରାରେ ବାନ୍ଧି ହେଇ ଯାଉଥିଲା ଭାଗବତ ଟୁଙ୍ଗି। ଗାଆଁର ସବୁବର୍ଗର ଲୋକେ ଆସି ଉପସ୍ଥିତି ଦେଉଥିଲେ ।

ଭାଗବତ ଟୁଙ୍ଗିରେ ପଣ୍ଡିତେ ଶ୍ଳୋକ ବିଶ୍ଳେଷଣ କରିବା ସହିତ ଭିନ୍ନ ଭିନ୍ନ ସାମାଜିକ ସଂସ୍କାର, ପାରିବାରିକ ଶିକ୍ଷା ପ୍ରଦାନ କରୁଥିଲେ । ପରିବାର ମୁଖିଆର ଧର୍ମ, ଶାଶୁଧର୍ମ ଓ ବୋହୂଧର୍ମ ପିଲାମାନଙ୍କୁ ସଂସ୍କାର, ଦିନଚର୍ଯା, ଶୁଭମଙ୍ଗଳ କାର୍ଯ୍ୟର ଶୁଭବେଳ ଇତ୍ୟାଦି ସାମାଜିକ ଚର୍ଚ୍ଚା ହେଉଥିଲା । ଏହି ଠାରୁ ଲୋକମାନେ ଶିକ୍ଷା ଗ୍ରହଣ କରୁଥିଲେ ଓ ସମାଜରେ ଶୃଙ୍ଖଳା ଥିଲା । ପିତାମାତା ଗୁରୁ ଗୁରୁଜନଙ୍କ ପ୍ରତି ପ୍ରଗାଢ ସମ୍ମାନ ଥିଲା ।

ପଣ୍ଡିତେ ସଙ୍ଗୀତ ମାଧ୍ୟମରେ ବେଳେବେଳେ କଥା ମାଧ୍ୟମରେ ଶ୍ରୋତାଙ୍କୁ ମନ ମୁଗ୍ଧ କରୁଥିଲେ । ଯେ କେହି ହେଉ ତେଣିକି ସେ ବୁଝି ପାରୁ ନ ପାରୁ ସଞ୍ଜକୁ ରୁଣ୍ଡ ହେଉଥିଲେ । ଏକ ଧାର୍ମିକ ସନ୍ତୁଷ୍ଟି ଥିଲା ।


ପାଠୁଆ, ଅପାଠୁଆ, ଯୁବକ, ବୃଦ୍ଧ ନିର୍ବିଶେଷରେ ଏହି ଭାଗବତ ଟୁଙ୍ଗି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଥିଲା । ଭାଗବତ ବଢ଼ା, ଭାଗବତ ସପ୍ତା ଆଦି ଅନେକ ଉତ୍ସବ ଗାଆଁର ଲୋକେ ସମବେତ ହୋଇ ଏହି ପରିସରରେ ପାଳନ କରୁଥିଲେ । ଜଙ୍ଘରେ ଜଙ୍ଘ ପକାଇ ପ୍ରସାଦ ସେବନ କରୁଥିଲେ । ସମନ୍ୱୟ ଚେତନାର ବାର୍ତ୍ତାବହ ଏହି ଭାଗବତ ଟୁଙ୍ଗି ସମସ୍ତଙ୍କୁ ଏକ କରି ରଖିବାର ସବୁଠୁ ପ୍ରଭାବଶାଳୀ ସୂତ୍ର ଥିଲା । ତେଣୁ ସମାଜ ବହୁ ଶୃଙ୍ଖଳିତ ଥିଲା । ଏହା ଛଡା ଗାଆଁର ସମସ୍ତଙ୍କୁ ଏଇଠୁ ନୈତିକ ଶିକ୍ଷା ମିଳୁଥିଲା । ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଯାପନର ଗୁରୁମନ୍ତ୍ର ଏମାନେ ଏଇଠୁ ଶିଖୁଥିଲେ । ପୁରାଣ ଶାସ୍ତ୍ର ଚର୍ଚ୍ଚା ମାଧ୍ୟମରେ ସମାଜ ଶୃଙ୍ଖଳିତ ରହୁଥିଲା ।ଭାଗବତ ଟୁଙ୍ଗିର ଦାୟିତ୍ୱ ନେଉଥିଲେ ବାନପ୍ରସ୍ଥାଶ୍ରୟୀ ପ୍ରୌଢ଼ ମାନେ । ଏହାର ରକ୍ଷଣାବେକ୍ଷଣ ପାଇଁ ଅବଶ୍ୟକ ଅର୍ଥ ସାମଗ୍ରୀ ତଥା ଶ୍ରମ ପ୍ରତ୍ୟେକ ଗ୍ରାମବାସୀ ସ୍ଵେଚ୍ଛାରେ ପ୍ରଦାନ କରୁଥିଲେ ।ଭାଗବତ ପଢ଼ା ବ୍ୟତୀତ ଏଠାରେ ରାତ୍ରୀ ବେଳକୁ କେହି ପଥ ଚାରୀ ପହଞ୍ଚିଲେ ତାଙ୍କର ବିଶ୍ରାମସ୍ଥଳ ଏଇଠି ହେଉଥିଲା ଓ ଗ୍ରାମବାସୀଙ୍କ ଦ୍ବାରା ଭୋଜନ ବ୍ୟବସ୍ଥା କରାଯାଉଥିଲା ।

ସାଧୁସନ୍ଥ, ନାଗସାଧୁ, ଜଗନ୍ନାଥଙ୍କ ପୂଜାପଣ୍ଡା, ଜାନୁଘଣ୍ଟିଆ, ମଙ୍ଗଳ ଘଣ୍ଟିଆ, ଚକୁଳିଆ ପଣ୍ଡା କେହି ବି ଆସିଲେ ତାଙ୍କର ରହିବା ଖାଇବା ବ୍ୟବସ୍ଥା ଗ୍ରାମବାସୀମାନେ ଏଇଠି କରୁଥିଲେ । ଅତିଥି ସତ୍କାରକୁ ଦେବତା ସତ୍କାର ବୋଲି ଗ୍ରାମବାସୀ ଜ୍ଞାନ କରୁଥିଲେ ।

ବିବାହବ୍ରତ ଆଦି ସାମାଜିକ କାର୍ଯ୍ୟରେ ଭାଗ ନେବା ପାଇଁ ଆସୁଥିବା କୁଣିଆ ବନ୍ଧୁ ପାଇଁ ଯଦି କୌଣସି ଗ୍ରାମବାସୀର ଘରେ ଜାଗା ନିଅଣ୍ଟ ପଡୁଥିଲା ସେମାନେ ଏଇଠି ବିଶ୍ରାମ କରୁଥିଲେ ।


ଗାଁକୁ ପାଲା ଦାସକାଠିଆ ଆଦି ଲୋକନୃତ୍ୟ ଶିଳ୍ପୀ  ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣକାରୀ ଦଳ ଆସିଲେ ସେମାନେ ମଧ୍ୟ ଏଠାରେ ଅବସ୍ଥାନ କରୁଥିଲେ ।ଧୀରେ ଧୀରେ ଦିନବେଳେ ଚାଟଶାଳୀ ଶିକ୍ଷା ଆରମ୍ଭ ହେଲା ଭାଗବତ ଟୁଙ୍ଗିରେ । ଅବଧାନ ପରମ୍ପରାର ଆରମ୍ଭ ହୋଇଥିଲା ଏହି ଭାଗବତ ଟୁଙ୍ଗିରୁ । ଗାଆଁର ଶିଶୁମାନଙ୍କର ପ୍ରଥମ ଶିକ୍ଷା ଏଇଠୁ ଆରମ୍ଭ ହୁଏ ।ଗାଆଁରେ କେତେବେଳେ କାହା କାହା ଭିତରେ ମତାନ୍ତର କିମ୍ବା ମନାନ୍ତର କଳି ଝଗଡ଼ା ହେଲେ ଏହି ଭାଗବତ ଟୁଙ୍ଗୀରେ ବସି ଗାଆଁର ମୁଖିଆ ଭଦ୍ରଲୋକେ ନ୍ୟାୟନିଶାପ କରି କଥା ମେଣ୍ଟାଇ ଦେଉଥିଲେ । ପଞ୍ଚ ପରମେଶ୍ବରଙ୍କର ଏହି ନିଷ୍ପତ୍ତିକୁ ଗାଁର ଲୋକେ ମାନୁଥିଲେ । ଏଥିପାଇଁ ସେମାନଙ୍କୁ କୋର୍ଟ କଚେରୀର ଦ୍ୱାରସ୍ଥ ହେଇ ହୀନିମାନ ହେବାକୁ ପଡୁ ନ ଥିଲା ।

ଆଜି ଏହି ପରମ୍ପରାର ଅବସାନ ଘଟିଛି । ପାଶ୍ଚାତ୍ୟ ଚକ୍ରାନ୍ତ୍ରରେ ହିନ୍ଦୁଧର୍ମର ଅବସାନ ଘଟୁଛି। ଜନ୍ମୋତ୍ସବରେ ପୂଜାବିଧି ଯାଗାରେ ଏବେ କେକ୍ କାଟି ମହାମବତୀ ଜଳେଇ ପାଳନ କଲେଣି । ସନାତନ ହିନ୍ଦୁଧର୍ମର ବିଶ୍ୱାସ ପାଶ୍ଚାତ୍ୟ ଚକ୍ରାନ୍ତରେ ଅନ୍ଧବିଶ୍ବାସରେ ପରିଣତ ହେଇଗଲାଣି । ଧର୍ମଧାରଣା ରୋଗାକ୍ରାନ୍ତ ହେଲାଣି ।


ଏବେ ଆମ ଶିକ୍ଷା ବ୍ୟବସ୍ଥା ଖିଷ୍ଟିୟାନଙ୍କ ହାତରେ , ମନୋରଞ୍ଜନ ନଗ୍ନ ସିନେମା ବାଲାଙ୍କ ହାତରେ । ପିତାମାତା ବୃଦ୍ଧାଶ୍ରମରେ ରହିଲେଣି । ତେଣୁ ଭାଗବତ ଟୁଙ୍ଗିର ତତ୍ତ୍ଵକୁ କୁସଂସ୍କାର କହି ସମାପ୍ତ କରି ଦିଆଗଲାଣି ।ପୁରୀର ସାତ ଲହରୀ ମଠରେ ଷୋଢ଼ଶ ଶତାବ୍ଦୀର ପ୍ରାରମ୍ଭରେ ଏହି ଭାଗବତ ଟୁଙ୍ଗି ପ୍ରଥମେ ଆତ୍ମପ୍ରକାଶ କରିଥିଲା ଓ କାଳ କ୍ରମେ ସମଗ୍ର ଓଡ଼ିଶାରେ ଗଢି ଉଠିଥିଲା । ଆଜି ଭାଗବତ ଟୁଙ୍ଗି ନାହିଁ ଗାଆଁରେ । ଗାଆଁର ବିପଥଗାମୀ ଯୁବକ ମଦମାଂସରେ ସଜ୍ଜିତ ରହୁଛନ୍ତି । ଇଂରାଜୀ ପଢୁଆ ଯୁବପୀଢ଼ି ନିଜ ଧର୍ମକୁ ତାଛଲ୍ୟ କରୁଛି । ପରିବାରରେ ଶାନ୍ତି ନାହିଁ । ଗ୍ରାମରେ ଶୃଙ୍ଖଳା ନାହିଁ । ଶିକ୍ଷାରେ ସଂସ୍କାର ନାହିଁ । ଶିକ୍ଷାର ଅର୍ଥ କେବଳ ଧନ ଉପାର୍ଜନ ହେଇ ଗଲାଣି । ତେଣୁ ଭାଗବତ ଟୁଙ୍ଗିର ଆବଶ୍ୟକତାକୁ ହିନ୍ଦୁ ସମାଜ ବୁଝି ବି ଅବୁଝା ହେଇଗଲାଣି ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago