ଲେଖା: ସନ୍ତୋଷ ପଟ୍ଟନାୟକ

୧୮୩୬ ମସିହାରେ ଘୁମୁସରର (ଗଞ୍ଜାମ) ରାଜା ଥିଲେ ଧନଞ୍ଜୟ ଭଞ୍ଜ ଏବଂ ତାଙ୍କର ପ୍ରଧାନ ସେନାପତି ଥିଲେ ଦୋହରା ବିଷୋୟୀ। ଧନଞ୍ଜୟ ଭଞ୍ଜ ଇଂରେଜମାନଙ୍କୁ ରାଜସ୍ୱ ପୈଠ ନ କରିବାରୁ ତାଙ୍କୁ ଗାଦିଚ୍ୟୁତ କରିଦିଆଗଲା, ସେତେବେଳେ ଇଂରେଜମାନଙ୍କ ବିରୋଧରେ ଏକ ବିପ୍ଳବ ଆରମ୍ଭ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଦୋହରା ବିଷୋୟୀ ।

ଘୁମୁସର ବିଦ୍ରୋହ (୧୮୧୫-୧୮୫୬)ଏକ ଆଦିବାସୀ କନ୍ଧ ଜନଜାତିର ବିଦ୍ରୋହ ।ଏହା ଓଡ଼ିଶା ଇତିହାସର ଏକ ଗୁରୁତ୍ୱପୂର୍ଣ ଘଟଣା । ଏହି ଆନ୍ଦୋଳନ କେବଳ ରାଜନୈତିକ ଓ ସାମରିକ କାରଣଦ୍ୱାରା ଆବଦ୍ଧ ନୁହେଁ ବରଂ ସାମଜିକ, ଅର୍ଥନୈତିକ, ପ୍ରଶାସନିକ ଓ ଧର୍ମୀୟ କାରଣ ଯୋଗୁଁ ମଧ୍ୟ ସଂଘଟିତ ହୋଇଥିଲା । ଇଁରେଜ ସରକାରଙ୍କ ବିରୋଧରେ ଘୁମୁସର ବିଦ୍ରୋହକୁ ନେତୃତ୍ୱ ନେବାରେ ଯେଉଁ କେତେକ ଦେଶପ୍ରେମୀ ନିଜ ଜୀବନକୁ ଉତ୍ସର୍ଗ କରି ଅମର ହୋଇଛନ୍ତି ତନ୍ମଧ୍ୟରୁ କମଳଲୋଚନ ଦୋରା ବିଷୋୟୀ, ଦୋହରା ବିଷୋୟୀ ଓ ଚକରା ବିଷୋୟୀ (Chakara Bishoyi) ଅନ୍ୟତମ ।

ଘୁମୁସର ବିଦ୍ରୋହ ମୁଣ୍ଡ ଟେକିବାର କେତୋଟି ମୁଖ୍ୟ କାରଣ ମଧ୍ୟରେ ରାଜନୈତିକ କାରଣ ଅନ୍ୟତମ । ଇଂରେଜମାନେ ଏହି ଅଞ୍ଚଳ ଦଖଲ କଲା ପରେ ଜମିଦାରମାନଙ୍କ ଠାରୁ ଯଥେଷ୍ଟ ଖଜଣା ଆଦାୟ କରିବା ଅଭିପ୍ରାୟ ପୋଷୋଣ କଲେ । ପ୍ରତ୍ୟେକ ଜମିଦାର ଇଂରେଜମାନଙ୍କ ଆର୍ଥିକ ଶୋଷଣ ନୀତିରେ ଅଣନିଶ୍ୱାସୀ ହୋଇ ଯାଇଥିଲେ । ସେମାନଙ୍କର ଉତ୍ତରାଧିକାରୀଗଣ ନିଜର ସ୍ୱତ୍ତ୍ୱ, ମର୍ଯ୍ୟାଦା ଓ ସମ୍ମାନ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ । କିନ୍ତୁ ସମସ୍ତ କ୍ଷେତ୍ରରେ ଇଂରେଜମାନଙ୍କ ହସ୍ତକ୍ଷେପ ଓ ଚକ୍ରାନ୍ତ ଯୋଗୁଁ ଲୋକମାନେ ସେମାନଙ୍କୁ ଅବିଶ୍ୱାସ କଲେ, ଆଦିବାସୀମାନେ ସେମାନଙ୍କର ସ୍ୱାଧୀନତା, ସ୍ୱାତନ୍ତ୍ର୍ୟ ଓ ଧର୍ମ ବିଶ୍ୱାସ ଉପରେ ହସ୍ତକ୍ଷେପ ଯୋଗୁଁ ବିଦ୍ରୋହୀ ହୋଇଉଠିଲେ । ଇଂରେଜମାନଙ୍କ ଖଜଣା ବୃଦ୍ଧି ବ୍ୟବସ୍ଥା ଯୋଗୁଁ ଅଧିକାଂଶ ଜମିଦାର ନିଜର ସୁରକ୍ଷା ପାଇଁ ଅତି ଅଳ୍ପ ଅର୍ଥ ରଖି ଆଦାୟର ଦୁଇ-ତୃତୀୟାଂଶ ଖଜଣା ବାବଦକୁ ଦେଉଥିଲେ ।

ଘୁମୁସର ଜମିଦାରୀକୁ ୧୮୩୬ ମସିହାରେ ଇଂରେଜ ସାମ୍ରାଜ୍ୟ ସହ ମିଶ୍ରଣ କରାଗଲା ।ଏହି ଜମିଦାରୀରେ ଭଞ୍ଜ ରାଜଙ୍କ ପୁନଃ ପ୍ରତିଷ୍ଠାର କୌଣସି ସଂକେତ ନ ଦେଖାଯିବା ଯୋଗୁଁ ଜନ ଅସନ୍ତୋଷ ଇଂରେଜମାନଙ୍କ ବିରୋଦ୍ଧରେ ପ୍ରବଳରୁ ପ୍ରବଳତର ହେଲା ।

ଖ୍ରୀଷ୍ଟିୟାନ୍‌ ପାଦ୍ରୀମାନଙ୍କ କାର୍ଯ୍ୟକଳାପ ଫଳରେ ଅନେକ ଆଦିବାସୀଙ୍କ ଧର୍ମାନ୍ତରୀକରଣ ଘୋଷଣା ସରଳ ବିଶ୍ୱାସୀ ସ୍ଥାନୀୟ ଆଦିବାସୀମାନଙ୍କ ମଧ୍ୟରେ ତୀବ୍ର ଅଲୋଡନ ସୃଷ୍ଟି କଲା । ତେଣୁ ସେମାନେ ଧର୍ମବିଶ୍ୱାସକୁ ବଜାୟ ରଖିବା ପାଇଁ ବିଦ୍ରୋହର ପନ୍ଥା ଅବଲମ୍ବନ କରିଥିଲେ ।

କମଳଲୋଚନ ଦୋରା ବିଷୋୟୀଙ୍କ ନେତୃତ୍ୱରେ ଘୁମୁସର ବିଦ୍ରୋହ (୧୮୧୫-୧୮୩୭) କମଳଲୋଚନ ଥିଲେ ଘୁମୁସର ଜମିଦାରୀର ଦୋରା ଅଥବା ମୁଖ୍ୟ ବିଷୋୟୀ ବା ଅଧିକାରୀ । ସେ ମଧ୍ୟ ମାଳୁଆ କନ୍ଧ ଅଞ୍ଚଳର ମୁଖ୍ୟ ଥିଲେ । ସେ ଘୁମୁସର ରାଜ୍ୟର ସେନାଧ୍ୟକ୍ଷ ମଧ୍ୟ ଥିଲେ । ସେ ଧନଞ୍ଜୟ ଭଞ୍ଜଙ୍କଦ୍ୱାରା କନ୍ଧମାନଙ୍କ ମୁଖ୍ୟ ରୂପେ ନିଯୁକ୍ତି ପାଇଥିଲେ ।

ପିତା ରାମ ବିଷୋୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚକରା ବିଷୋୟୀ ଇଂରେଜ ବିରୋଧୀ ପ୍ରସିଦ୍ଧ କନ୍ଧନେତା ଭାବରେ ପରିଚିତ ହେଲେ । ସେ ଘୁମୁସର ଅଞ୍ଚଳ ଛାଡି ଅନୁଗୁଳ ଅଞ୍ଚଳରେ ଗୋପନରେ ରହୁଥିଲେ । ୧୮୪୪ ମସିହାରେ ସେ ବୌଦର କନ୍ଧନେତା ବୀର କହଁରଙ୍କ ଠାରୁ ନିମନ୍ତ୍ରଣ ପାଇ କନ୍ଧ ବିଦ୍ରୋହରେ ଯୋଗଦେଲେ । ବୀର କହଁର ଚକରା ବିଷୋୟୀଙ୍କ ପ୍ରଧାନ ସହାୟକ ଓ ଆନୁଗୁଳର ରାଜା ସୋମନାଥ ସିଂହ ତାଙ୍କର ପୃଷ୍ଠପୋଷକ ଥିଲେ ।

ଓଡ଼ିଶା ଇତିହାସରେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଖ୍ୟାତ ଏହି ଚକରା ବିଷୋୟୀ, ଘୁମୁସୁରରେ ୧୮୨୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଫିରିଙ୍ଗି ବିରୋଧରେ ଦେଶପାଇଁ ଲଢ଼ି ଜୀବନ ଦେଇଥିବା ଜଣେ କନ୍ଧ ବରପୁତ୍ର ।

୧୮୨୩ ମସିହା ପୌଷ ମାସ ଶାମ୍ବଦଶମୀ ଦିନ ଘୁମୁସର ଗାଁର ରାମ ସିଂହଙ୍କର କୋଳମଣ୍ଡନ କରିଥିଲେ ଏହି ମହାନ ସ୍ବାଧୀନତା ସଂଗ୍ରାମୀ । ରାମ ସିଂହ ବିଷୋୟୀ ଗାଁ ଲୋକମାନଙ୍କୁ ଓ ଆଖ ପାଖ ଗାଁର ମୁଖିଆମାନଙ୍କୁ ଡାକି ଭୋଜିଭାତ କରି ଖାଇବାକୁ ଦେଇଥିଲେ ଏବଂ ସେଦିନ ପିଲାଟିର ନାଁ ଚକରା ଦିଆଯାଇଥିଲା ।

ଚକରାଙ୍କର ପିତାଙ୍କ ବିଷୟରେ ବିଭିନ୍ନ ଗବେଷକ ବିଭିନ୍ନ ମତ ଦେଇଛନ୍ତି । ଗବେଷକ ଅନନ୍ତ ପଦ୍ମନାଭ ପଟ୍ଟନାୟକ ଦୋହରା ବିଷୋୟୀଙ୍କୁ ଚକରାଙ୍କର ପିତା ବୋଲି କ‌ହିଥିଲେ ।

ଚକରା ବିଷୋୟୀ ପିଲାଟି ଦିନରୁ ସ୍ୱାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କର ବାଲ୍ୟ ଜୀବନ ନିଘଞ୍ଚ ଅରଣ୍ୟ ଭିତରେ କେତେ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ମଧ୍ୟରେ କଟିଥିଲା । ତାରକା ନାମ୍ନୀ ବାଳିକା ଥିଲା ସେମାନଙ୍କ ମଧ୍ୟରେ ଅନ୍ୟତମ । ପରବର୍ତ୍ତୀ ସମୟରେ କୈଶୋର ପ୍ରାପ୍ତି ପରେ ସେ ତାରକାଙ୍କୁ ବିବାହ କରିଥିଲେ ।

କନ୍ଧମାନଙ୍କ ଭିତରେ ନାନାଦି ଉପଜାତି ରହିଥାନ୍ତି । ସେମାନଙ୍କ ଭିତରେ “କୁଇ” ଓ “କୁବି” ପ୍ରଧାନ । ଏହି ଆଦିବାସୀମାନେ ଓଡ଼ିଶାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ଇତିହାସରେ ଯେଉଁ କେତେଜଣ ଆଦିବାସୀ ନେତା ଦେଶ ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ ଭିତରୁ ଚକରା ବିଷୋୟୀ ଓ ଦୋହରା ବିଷୋୟୀ ଅନ୍ୟତମ ।

କଳାହାଣ୍ଡି ମେରିଆ ବଳିର ସୁଯୋଗ ନେଇ “କନ୍ଧମେଳି” ଜରିଆରେ ଚକରା ବିଷୋୟୀ ଲୋକଙ୍କୁ ଫିରିଙ୍ଗିମାନଙ୍କ ବିରୋଧରେ ମତାଇ ଆନ୍ଦୋଳନ କରିଥିଲେ ଓ ବିଦେଶୀମାନଙ୍କ ହାତରେ ଧରାପଡ଼ି ପ୍ରାଣ ଦେଇଥିଲେ ।

ଚକରା ବିଷୋୟୀ ବ୍ରିଟିଶ ସରକାରଙ୍କ ବିରୋଧରେ ୧୮୪୨ରୁ ୧୮୫୬ ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି ସଂଗ୍ରାମ କରିଥିଲେ । ତାଙ୍କର ଏହି ସଂଗ୍ରାମ ସମଗ୍ର ଭାରତ ବର୍ଷରେ ବିପ୍ଳବର ବ‌ହ୍ନି ଜଳାଇଥିଲା । ଫଳରେ ୧୮୫୭ର ସିପାହୀ ବିଦ୍ରୋହର ସୂତ୍ରପାତ ହେଲା । ଚକରାଙ୍କର ଗରିଲା ଯୁଦ୍ଧରେ ବ୍ରିଟିଶସେନା ସମ୍ମୁଖୀନ ହୋଇ ନପାରି ତାଙ୍କୁ ସନ୍ଧି କରିବାକୁ ଅନେକ ପ୍ରଲୋଭନ ଦେଖାଇଥିଲା, ମାତ୍ର ସେତେବେଳେ ସେ ପ୍ରତ୍ୟୁତ୍ତର ରଖିଥିଲେ, “ମୁଁ ଆଉ କିଛି ଚାହେଁନା, ମୁଁ ଚାହେଁ ମୋର ଜନ୍ମମାଟିର ମୁକ୍ତି ।”

ଚକରାଙ୍କୁ ଧରିବା ପାଇଁ ଭାରତର ତ‌ତ୍କାଳୀନ ବଡ଼ଲାଟ ଡ଼େଲହାଉସୀ ମାନ୍ଦ୍ରାଜ ପ୍ରେସିଡ଼େନ୍‌ସିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତ୍ୟୁତ୍ତରରେ ଇଷ୍ଟଇଣ୍ଡିଆ କମ୍ପାନୀର ବୋର୍ଡ଼ ଅଫ୍‌ କଣ୍ଟ୍ରୋଲର ପ୍ରେସିଡ଼େଣ୍ଟଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ, “ଚକରା ବିଷୋୟୀ ହେଉଛନ୍ତି ଜଣେ ଦୁଃସାହସୀ ବିଦ୍ରୋହୀ । ତାଙ୍କୁ ଧରିବା ପାଇଁ ପର୍ବତ କନ୍ଦରରୁ ଉପତ୍ୟକା ପର୍ଯ୍ୟନ୍ତ ଖୋଜା ଚାଲିଛି । ହେଲେ ତାଙ୍କର ସନ୍ଧାନ ପାଇବା କଷ୍ଟକର ହୋଇପଡ଼ିଛି । ତଥାପି ତାଙ୍କୁ ଓ ତାଙ୍କର ଅନୁଗାମୀମାନଙ୍କୁ ଦିନେ ନା ଦିନେ ଧରାଯିବ ।”

ଦୁଃଖ ଓ ପରିତାପର ବିଷୟ ଇଁରେଜ ଶାସନ ଭଳି ଆଜି ମଧ୍ୟ ଗଞ୍ଜାମ ତଥା ଓଡ଼ିଶା, ଶାସକର ଚକ୍ରବିହ୍ବରେ ପେଶି ହେଇଚାଲିଛି ଚକରା ବିଷୋୟୀ ପରି ମୁକ୍ତିପାଗଳ ମୁକ୍ତିଯୋଦ୍ଧାଙ୍କ ପ୍ରେରଣା ପ୍ରତିଟି ଓଡ଼ିଆର ହୃଦୟରେ ସ୍ପନ୍ଦନଶୀଳ ହେଉ, ଏହା ହିଁ କାମନା । 

Spread the love
admin

View Comments

  • ଜୟ ହିନ୍ଦ୍ ।

    ??????????????
    ????????????????????????????
    ⚘⚘⚘⚘⚘⚘⚘⚘⚘⚘⚘⚘⚘⚘

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

10 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago