ଲେଖା: ବନ୍ଧନ ଦଳାଇ
ଭାଦ୍ରବ ପୂର୍ଣ୍ଣିମାର ସଞ୍ଜ ନଇଁ ଆସିବ ସୂରୁଜ ଦେବତା ମା’ କୋଡକୁ ଯିବା ପରେ ପରେ । ସମୟ ସମୟରେ ମେଘମୁକ୍ତ ଥିବ ଆକାଶ, ପୁଣି ବେଳେ ବେଳେ ଖଣ୍ଡି ଖଣ୍ଡି ବାଦଲ ଆସି ଢାଙ୍କିଦେଉଥିବେ ଚନ୍ଦ୍ରମାଙ୍କୁ । ଛାଇଆଲୁଅର ଖେଳ ମଧ୍ୟରେ ସଂଧ୍ୟା ହେଉଥିବ ମନୋରମ, ସ୍ନିଗ୍ଧ, ଶୀତଳ । ଗୋରୁଗୁହାଳରେ ଗାଈବଳଦଙ୍କୁ ଖାଇବାକୁ ଦେଇ, ସଞ୍ଜବତୀ ବୃନ୍ଦାବତୀଙ୍କ ପାଖରେ ଥୋଇ ଦେଇ ଉତ୍କଳ ପଲ୍ଲୀର ଯେମିତି ଏକ ନୂଆ ଜୀବନ ଆରମ୍ଭ ହୋଇ ଯିବ ଅଳ୍ପକ୍ଷଣ ମଧ୍ୟରେ । ଅଧିକାଂଶ ଗାଁ ମୁଣ୍ଡରେ, ମଝିରେ ଥିବା ‘ଭାଗବତ ଟୁଙ୍ଗି’ ମୁହାଁ ହେଉଥିବେ, ଧାଇଁ ଆସୁଥିବେ ପୁରୁଷ ଓ ମହିଳା ହାତରେ ନଡ଼ିଆ, କଦଳୀ, କାକୁଡ଼ି, ନୂଆ ଚୁଡ଼ାର ପସରା ନେଇ ‘ଭାଗବତ ଗୋସାଇଁ’ଙ୍କ ପାଖରେ ପହଞ୍ଚାଇବାକୁ । ସଂଖ୍ୟା ବଢୁଥିବ । କିଛି ସମୟ ପରେ ଭାସି ଆସିବ ପୂଜକ ନନାଙ୍କ କଣ୍ଠରୁ —
“ନମଇଁ ନୃସିଂହ ଚରଣ ।
ଅନାଦି ପରମ କାରଣ ।
ଯା ବିନୁ ଆଦି ମଧ୍ୟ ଅନ୍ତ ।
ବିଚାରେ ନ ଘଟେ ଜଗତ ।
+ + + +
ସେ କୃଷ୍ଣପାଦ ହୃଦେ ଧରି ।
ପ୍ରବନ୍ଧେ ଗୀତ ନାଦ କରି ।
ଅଶେଷ ଜନଙ୍କର ହିତ ।
କହଇ ଦାସ ଜଗନ୍ନାଥ ।”
ଭାଗବତ ଜନ୍ମ । ଉତ୍କଳୀୟ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଦିନ ପୂଜା । କଥିତ ଅଛି ଯେ, ଏହି ଇନ୍ଦୁ ପୂର୍ଣିମା ଦିନ ଅତିବଡ଼ି ଜଗନ୍ନାଥ ଦାସ (Atibadi Jagannath Das) ଆରମ୍ଭ କରିଥିଲେ ଭାଗବତ ରଚନା।
ଏକଦା ଜଗନ୍ନାଥ ଦାସ ରାତିରେ ଘୋର ନିଦ୍ରାରେ ଶୋଇଥିବା ବେଳେ ପ୍ରଭୁ ଶ୍ରୀଜଗନ୍ନାଥ ସ୍ୱପ୍ନାଦେଶ ମାଧ୍ୟମରେ କହିଲେ, ହେ ଦାସେ! ଏ ସଂସାର ବାରିଧିରୁ ମୁକ୍ତି ପାଇବାକୁ ହେଲେ, ଏକମାତ୍ର ପଥ ହେଉଛି ଭଗବତ୍ ପ୍ରାପ୍ତି। ଏହାକୁ ଏକାଗ୍ରତାର ସହ ପାଳନ କର। ଯାହା ଫଳରେ ତୁମେ ଓଡିଆରେ ଭାଗବତ ଲେଖିପାରିବ। ତୁମେ ମୁକ୍ତି ପାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଏହି ପବିତ୍ର ଧାରାରେ ଅନୁପ୍ରାଣିତ କରିପାରିବ। କବି ଲେଖିଛନ୍ତି:
‘ତୁ ନିଶ୍ଚେ ପବିତ୍ର ହୋଇବୁ।
ଅଶେଷ ପ୍ରାଣୀଙ୍କୁ ତରିବୁ ।।
ଶ୍ରୀ ଭାଗବତ ଶୁଣି କର୍ଣ୍ଣେ।
ପବିତ୍ର ହେବେ ପ୍ରାଣୀଜନେ’।।
ପ୍ରଭୁଙ୍କ ଠାରୁ ଆଜ୍ଞା ପାଇ ଭକ୍ତ ଜଗନ୍ନାଥ ଦାସ ଗଭୀର ଦୁଃଖ ଓ ଚିନ୍ତାରେ ପଡିଲେ । ଏତେବଡ ମହତ ଓ ଧାର୍ମିକ ଶାସ୍ତ୍ର ମୁଁ କିପରି ଲେଖିବି? ଯାହାକୁ ମହାନ୍ ମୁନି ମାନେ ଲେଖିବାକୁ ସମର୍ଥ ହୋଇ ପାରିନାହାଁନ୍ତି ଏହି କଥା ଭାବି ଭାବି ଜଗନ୍ନାଥ ଦାସ ଭାଙ୍ଗି ପଡିଲେ ସିନା, କିନ୍ତୁ ଲେଖିବାକୁ ସମର୍ଥ ହୋଇପାରିଲେ ନାହିଁ ପୁନର୍ବାର ଭଗବାନ ସ୍ୱପ୍ନାଦେଶ ମାଧ୍ୟମରେ ଜଗନ୍ନାଥ ଦାସଙ୍କୁ କହିଲେ, ହେ ଦାସେ, ଭୟ ନକରି ସାହସର ସହିତ ଭାଗବତ ଲେଖା ଆରମ୍ଭ କର। ମୁଁ ତୁମ ହୃଦୟରେ ରହି ଯାହା କହିବି ତୁମେ ତାହା ଲେଖିବ। ହଠାତ୍ କବିଙ୍କର ନିଦ ଭାଙ୍ଗିଗଲା। ଭାବ ବିହ୍ୱଳରେ କିଂକର୍ତ୍ତବ୍ୟବିମୂଢ ପରି କିପରି ଲେଖିବେ, କିଛି ଭାବିପାରିଲେ ନାହିଁ । ଏପରି ଭାବିବା ସମୟରେ ତାଙ୍କ ଶରୀର ଶତସିଂହର ବଳ ଜାଗ୍ରତ ହୋଇଗଲା। ତାଙ୍କ ମନଟି ଲେଖିବା ପାଇଁ ଉତଫୁଲ୍ଲ ହେବା ସଙ୍ଗେ ସଙ୍ଗେ ଶତଗୁଣର ଆଗ୍ରହ ଓ ଉସ୍ଚାହ ହୃଦୟ ମନ୍ଦିରରେ ଜାଗ୍ରତ ହୋଇଥିଲା।
ଅପାର କରୁଣାର ସାଗର ଶ୍ରୀ ଜଗନ୍ନାଥଙ୍କୁ ନିଜର ଶରୀରଟି ଅର୍ପଣ କରି ଓଡିଆ ଭାଗବତ ଲେଖା ଆରମ୍ଭ କରିଥିଲେ, ଯାହା ଫଳରେ ସେ ଅନୁଭବ କଲେ ସତେ ଯେପରି ସ୍ୱୟଂ ଭଗବାନ ତାଙ୍କ କଣ୍ଠରେ ବିଜେ ହୋଇ ଡାକୁଛନ୍ତି। ଏହିପରି ଦିନପରେ ଦିନ ଅଧ୍ୟାୟକୁ ଅଧ୍ୟାୟ ଲେଖିଚାଲନ୍ତି । କିନ୍ତୁ ଯେଉଁଦିନ ସେ ଯାହା ଲେଖନ୍ତି, ତାହାକୁ ସୁମଧୁର ସ୍ୱରରେ ପାଠକରି ଶ୍ରୋତାମାନଙ୍କୁ ଶୁଣାଇଥାଆନ୍ତି। ତାହଥିଲା ଭକ୍ତିରସ ଓ ଭାବରେ ପରିପୂର୍ଣ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା, ଅପୂର୍ବ ମହିମା ଓ ରାଧାଙ୍କ ସହ ପ୍ରେମଲୀଳାଠାରୁ ଆରମ୍ଭ କରି ସମଗ୍ର ଜୀବନ ସଂଗ୍ରାମ
ଏହିପବିତ୍ର ଧର୍ମ ସସମ୍ବନ୍ଧୀୟ ରସାମୃତ କବିତାକୁ ଶୁଣିବାକୁ ପ୍ରତି ହିନ୍ଦୁ ଓଡ଼ିଆ କାନ ଡେରିଥାଏ। ତା’ର ‘ଗୀତା’ ହିଁ ଭାଗବତ । ମୃତ୍ୟୁବେଳେ ଭାଗବତ ଶ୍ରବଣରେ ମୋକ୍ଷ ପ୍ରାପ୍ତ ହୋଇଥାଏ, ହରିଚରଣରେ ଲୀନ ହୋଇଥାଏ ଆତ୍ମା। ଏହାହିଁ ଉତ୍କଳବାସିଙ୍କର ବିଶ୍ୱାସ ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

23 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago