ଲେଖା: ନିରଞ୍ଜନ ସାହୁ
~ ଭଞ୍ଜ ପରିକ୍ରମା: ବହୁ ମତ, ସହସ୍ର ସମ୍ମତ, ସାମାନ୍ୟ ବିଦ୍ୱେଷ ~
“ପୁରା କବିନାଂ ଗଣନା ପ୍ରସଙ୍ଗେ,
କନିଷ୍ଠିକାଧିଷ୍ଠିତ କାଳିଦାସଃ,
ଅଦ୍ୟପି ତତ୍ତୁଲ୍ୟ କବେର ଭାବାତ୍,
ଅନାମିକା ସାର୍ଥବତୀ ବଭୁବ ।”
କୌଣସି କାବ୍ୟମର୍ମଜ୍ଞ ସମାଲୋଚକ ସଂସ୍କୃତ କବିମାନଙ୍କର ମୂଲ୍ୟାଙ୍କନ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ କାଳିଦାସଙ୍କୁ ଶ୍ରେଷ୍ଠ କବି ଆସନରେ ବସାଇଛନ୍ତି ଏବଂ ତାହାଙ୍କର ପ୍ରତିସ୍ଫର୍ଦ୍ଧୀ କବିମାନଙ୍କର ଅସ୍ତିତ୍ଵକୁ ପୂରାପୁରି ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଏ ଉକ୍ତିଟି କାଳିଦାସଙ୍କ ପ୍ରତି ଯେତିକି ପ୍ରଯୁଜ୍ୟ, ଆମ ଓଡ଼ିଆ ସାହିତ୍ୟର ଉଜ୍ଜଳ କୀର୍ତ୍ତିସ୍ତମ୍ଭ ଧ୍ରୁବତାରା ସଦୃଶ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି କୌଣସି ପ୍ରକାରର ପ୍ରଶସ୍ତି ଗୁଣରେ କମ୍ ନୁହେଁ । ଉପେନ୍ଦ୍ର ଭଞ୍ଜଙ୍କ ପରି ସେହି ଆସନରେ ଅଧିଷ୍ଠିତ ହେବା ପାଇଁ ଆଉ କେହି କବି ଆସ୍ଫର୍ଦ୍ଧା କରି ନାହାନ୍ତି ଏ ଯାବତ । ପୁନଶ୍ଚ; ଯେତେବେଳେ ଏହି କଥାରେ ବହୁ ସମ୍ମତି ଭଞ୍ଜପ୍ରେମୀମାନଙ୍କର, ସେତେବେଳେ ବିଦ୍ୱେଷ ଭାବପୋଷଣ ବାଦ ଦେବା ବି କଷ୍ଟକର । ଏହି ଦୁଇ ପ୍ରକାର ସମ୍ମତି ଓ ଅସମ୍ମତିର ଏକ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପାଇଁ ଆମର ଏହି ଉପସ୍ଥାପନା ଆମର ‘ଅନ୍ତରଙ୍ଗ କଳିଙ୍ଗ’ ୱେବସାଇଟରେ । ଏଥିରେ ବୈଷମ୍ୟ ନାହିଁ, ଅସହିଷ୍ଣୁତା ନାହିଁ, ଆକ୍ଷେପ ନାହିଁ, କିନ୍ତୁ ସାହିତ୍ୟ ସମାଲୋଚନାର ମନ୍ଥନ ମାତ୍ର !
ଭାରତବର୍ଷର କିଛି ବିଦ୍ୱାନ ସମାଲୋଚକ, ଓଡ଼ିଆ ସାହିତ୍ୟର ବରିଷ୍ଠ କବି ଓ ଲେଖକମାନଙ୍କ ପ୍ରଶସ୍ତିବାଣୀ ସହିତ ଭଞ୍ଜ ସାହିତ୍ୟ ସମ୍ପର୍କୀତ ମନର ଭାବନାର କ୍ଷୁଦ୍ର ଉପୋଦଘାତ ମାଧ୍ୟମରେ କବିକୁଳଚନ୍ଦ୍ର ଉପଇନ୍ଦ୍ର ଭଞ୍ଜଙ୍କ ଉପରେ ଆଧାରିତ ଏକ ସ୍ବତନ୍ତ୍ର ଉପସ୍ଥାପନା:
ପ୍ରାତଃସ୍ମରଣୀୟ ଅସାଧାରଣ ବିଦ୍ୱାନ ଜନ୍ ବିମସ୍ ଯାହାଙ୍କର ପାରଦର୍ଶିତା ଏଗାରଟି ଭାଷାରେ ରହିଥିଲା । ଭାରତବର୍ଷର ବିଜ୍ଞ ପାଠକମାନଙ୍କୁ ଜଣାଇବାକୁ ଯାଇ କହନ୍ତି :– “From the Subarnarekha all down coast to Puri, the ordinary Oriya is spoken with hardly any perceptible differences. ××× It is said by the Oriyas themselves that the language is spoken in its purity in the hill state of Ghumusur, the birth place of the first national Poet, Upendra Vhanja. As however, Ghumusur is very far to the South, closely adjourning areas peopled by Dravidians and Kols, this assertion seems rather doubtful.”
ଆଉ କିଛି ମତ ଦିଅନ୍ତି ଜନ୍ ବିମସ୍ ସାହେବ —
“Looked at from the purely linguistic side, there is no doubt that Oriya has ample proof of its individuality. The Poems of Upendra Vhanja and his contemporaries are written in language which hardly differs in a single or inflection from the vernacular of today and every word or which is distinctly intelligible to the meanest labourer. ×× At a period when Oriya was a fixed and settled language. Bengali did not exist. The inhabitants of Bengal spoke a vast variety of corrupt forms of Eastern Hindi. It is not till quite ancient times that we find anything that can be with propriety called the Bengali language.**”
ଆସନ୍ତୁ ଜନ୍ ବିମସ୍ ସାହେବଙ୍କର ଏହି ଉକ୍ତିକୁ ଟିକିଏ ଧ୍ୟାନ ଦେବା । ତାହା ହେଉଛି, ଭଞ୍ଜଙ୍କ ବେଳକୁ ଓଡ଼ିଆ ଭାଷାର ସ୍ତର ଅତ୍ୟନ୍ତ ଉନ୍ନତ ଥିଲା ଏବଂ ଯାହା ମନେ ହୁଏ ତାଙ୍କ ପରେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟରେ ସେହି ଧାରା ଅପରିବର୍ତ୍ତିତ ରହିଛି। ଏଥିପାଇଁ ଓଡ଼ିଆ ଭାଷା ନିଶ୍ଚିତ ଭାବେ ଅନ୍ୟ ଭାରତୀୟ ଭାଷା ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଵୀକୃତ । ଜଣେ ସ୍ଵନାମଧନ୍ୟ ଭାଷାତତ୍ତ୍ଵବିଦ ଭଞ୍ଜଙ୍କୁ କେନ୍ଦ୍ର କରି ଏହି ମନ୍ତବ୍ୟ ଦେଇଥିବାରୁ ଆମେ କେହି ଏଥିରେ ଅସମ୍ମତ ହେବା କି ?
♦ ବ୍ୟାସକବି ଫକୀରମୋହନଙ୍କ ଉକ୍ତି:
ଭାରତୀୟ ସାହିତ୍ୟରେ ଜଣେ ବିଶିଷ୍ଟ କଥାକାର ଭାବରେ ପରିଚିତ ଫକୀରମୋହନ ! ପ୍ରଥମ କ୍ଷୁଦ୍ରଗଳ୍ପ #ଲଛମନିଆ ସିନା ଆମର ଦୁର୍ଭାଗ୍ୟକୁ ଲୋକଲୋଚନକୁ ଆସି ପାରିଲା ନାହିଁ; ତଥାପି ବହୁ ସମାଲୋଚକ ତାଙ୍କୁ ପ୍ରଥମ କ୍ଷୁଦ୍ରଗାଳ୍ପିକ ଭାବେ ଗ୍ରହଣ କରିଥାନ୍ତି । ଆଉ ଓଡ଼ିଆ ସାହିତ୍ୟରେ ? ସେ ତ ସର୍ବଜନପୂଜ୍ୟ । ବଡ଼ ଆନ୍ତରିକତାର ସହ ଲକ୍ଷ୍ୟ କରୁଥିଲେ ଆମ ଭାଷାର ଦୁର୍ଦ୍ଦଶା । ସେହି ଘଡ଼ିସନ୍ଧି ମୂହୁର୍ତ୍ତରେ ତାଙ୍କ ରଚିତ ଏକ କବିତା ଉପରେ ଟିକେ ଦୃଷ୍ଟି ଦେବା ଆସନ୍ତୁ — “ନିଶୀଥ ସମୟେ ସ୍ଵପ୍ନଯୋଗେ ବୀଣାପାଣି,
ବୋଇଲେ ଉପେନ୍ଦ୍ର ଭଞ୍ଜେ ଶୁଣ ବତ୍ସ ବାଣୀ ।
ଘେନ ବାପା କୃପା କରି ଦେଉଛୁ ଏ ବର,
ଉତ୍କଳ ମଣ୍ଡଳେ ହେବୁ ଯଶସ୍ଵୀ ଆମର ।
କର ଦେଶେ ରାମଚନ୍ଦ୍ର ମହିମା ପ୍ରଚାର,
ଉଦ୍ଧର ଆପଣେ; କର ଦେଶକୁ ଉଦ୍ଧାର ।
ଗ୍ରାମେ ଗ୍ରାମେ ଲୋକମାନେ ତୋ ପ୍ରେମ ସଙ୍ଗୀତ,
ଗାଉନ୍ତୁ ଆନନ୍ଦ ମନେ ହୋଇ ବିମୋହିତ ।
ଚାହିଁ ଦେଖ କି ହୋଇଛି ତୋର ମାତୃଭାଷା,
କେବଳ କରିଛି ପୁତ୍ର ! ତୋତେ ମୁହିଁ ଆଶା ।”
(କେବଳ ଉପେନ୍ଦ୍ର ! ହଁ କେବଳ ଉପେନ୍ଦ୍ର !)
ଅପ୍ରତିଦ୍ଵନ୍ଦୀ କଥାସମ୍ରାଟ, ଉତ୍କଳ ସାହିତ୍ୟର ପିତାମହ ଭୀଷ୍ମ ଫକୀରମୋହନ କାହିଁକି ଏଭଳି କହିଲେ, “କେବଳ ଉପେନ୍ଦ୍ର !” ଆସନ୍ତୁ ଥରେ ଚିନ୍ତା କରିବା ତାଙ୍କ ଦୃଷ୍ଟିରେ ଉପେନ୍ଦ୍ର ଭଞ୍ଜ କ’ଣ ?
♦ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର:
ଏମିତି କିଏ ସାହିତ୍ୟ ପ୍ରେମୀ ଅଛନ୍ତି ଆମ ଓଡ଼ିଶାରେ, ଯିଏ କି ନ ଜାଣନ୍ତି ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କୁ ? ସେ ପରା ଆମ ସାହିତ୍ୟରେ ଦ୍ଵିତୀୟ ଉପେନ୍ଦ୍ର ! ସେହି ମହାନ କବି ତାଙ୍କର ମହାକାବ୍ୟ ‘ବିଦଗ୍ଧ ଚିନ୍ତାମଣି‘ରେ ଏମିତି କିଛି ଲେଖି ପକାଇଲେ: “ଉପଇନ୍ଦ୍ର ପଦ ଅଭିମନ୍ୟୁ ମନୁ,
ଉପେକ୍ଷିତ ନୋହିବ ତ ଦିନୁ ଦିନୁ ।”
ମହାକବି ଅଭିମନ୍ୟୁ ପଦେ ପଦେ ଉପେନ୍ଦ୍ରଙ୍କୁ ମନେ ପକାଇଛନ୍ତି, ଅନୁସରଣ କରିଛନ୍ତି ମଧ୍ୟ ! ସେଥିପାଇଁ ତ ଉପେନ୍ଦ୍ର କାବ୍ୟ ସମୂହ ଆମ ସାହିତ୍ୟରେ #ପ୍ରତାନିନୀ ସଦୃଶ ! ‘ଲାବଣ୍ୟବତୀ‘ର ଏକାଦଶ ଛାନ୍ଦ ଓ ଅଭିମନ୍ୟୁ କୃତ ବିଦଗ୍ଧ ଚିନ୍ତାମଣି କାବ୍ୟର ତ୍ରିଂଶ ଛାନ୍ଦ ଟିକେ ଦେଖିବା ହୁଅନ୍ତୁ ସାହିତ୍ୟରୁ ରସ ଆସ୍ଵାଦନ କରୁଥିବା ବିଜ୍ଞ ପାଠକେ ! ଓଡ଼ିଆ କାବ୍ୟ ସାହିତ୍ୟର ପାରମ୍ପରିକ ପ୍ରବାହର ପ୍ରବଳ ତରଙ୍ଗ ଭଙ୍ଗ କରିଥିବା ରାଧାନାଥ ରାୟ ! ରୀତିଯୁଗ ଶେଷାନ୍ତେ ଆବିର୍ଭୂତ ମହାକବି ରାଧାନାଥ ରାୟ ! ସେ କୁଆଡ଼େ ଥିଲେ ଭଞ୍ଜବିରୋଧୀ ! ତେବେ ଏହି ପଦଟି କାହାର ?
“ପୂଜିଲେ ଯେସନ ମଜ୍ଜି ନିରଜନେ,
ତୋ ମଧୁର ରୂପ ମଧୁ ଆସ୍ଵାଦନେ ।
ଭାଗ୍ୟବାନ ବେନି ବାଣୀଙ୍କ କୁମର,
କବି ବଳଦେବ ଭଞ୍ଜ ବୀରବର ।
କାହିଁ ସେହି, କାହିଁ ମୁହିଁ ଅକିଞ୍ଚନ,
ଦେଖୁଥିଲି ସିନା ଜାଗ୍ରତ ସ୍ଵପନ !”
(ଚିଲିକା)
ଏଇଠି ରହିଗଲେନି ରାଧାନାଥ ! ବଙ୍ଗୀୟ କବି ବନ୍ଧୁ ତଥା ତାଙ୍କର ମାର୍ଗଦର୍ଶକ ଭୁଦେବ ମୁଖୋପାଧ୍ୟାୟ ମହୋଦୟଙ୍କୁ ଭଞ୍ଜଙ୍କ ବିଷୟରେ ଅବଗତ କରାଇ ବାଧ୍ୟ କଲେ ଭଞ୍ଜ ସାହିତ୍ୟ ପଢ଼ିବାକୁ, ନିଜେ ଗାଇ ଶୁଣାଇଲେ ବୈଦେହୀଶ ବିଳାସ । (ଭୁଦେବ ମୁଖୋପାଧ୍ୟାୟ ନଥିଲେ ରାଧାନାଥ ଆମର ହୋଇ ରହି ନଥାନ୍ତେ, ହୋଇଥାନ୍ତେ ବଙ୍ଗଳା ସାହିତ୍ୟର) ଏବେ ଟିକେ ଆସନ୍ତୁ ଦେଖିବା ଜଣେ ପଡୋଶୀ ବିଶିଷ୍ଟ କବି କ’ଣ କହୁଛନ୍ତି ରାଧାନାଥଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଭଞ୍ଜୀୟ କାବ୍ୟ ଉପରେ —
“ନୀଳକଣ୍ଠାତ୍ମଜ କମକାୟ ଶକ୍ତିଧର,
ତ୍ରିଦଶ ବଲେରଶୂର ସେନାନୀ ହଇୟେ,
ବହୁ କଷ୍ଟ ସହ୍ୟ କରି ରଣ ଘୋରତର,
ପାଇଲା ଅକ୍ଷୟ ଯଶଃ ତାରକେ ବଧିୟେ ।
ହେ ନୀଳକଣ୍ଠ ନନ୍ଦନ ନୃପକୁଳ ଧନ !
ତୁମି ଓ ତେମନି ଶୂର ! ସୁକବି ମଣ୍ଡଲେ,
ହୟେ ଅଗ୍ରଗଣ୍ୟ କବି ନିଜ ବାହୁବଲେ ।
ନାଶିଲା ଉତ୍କଳ ନିନ୍ଦା ଉତ୍କଳ ଭୂଷଣ ।
ଧନ୍ୟ ରାଜକବି ତୁମି ! ଜନମ ସୁକ୍ଷଣେ,
ଗ୍ରହନିଲା ଏ ପ୍ରଦେଶେ ହେ କବୀନ୍ଦ୍ରମଣି ।
ସୁଯଶସ୍ଵୀ ସୁସମୟେ ସରସ ଲେଖନୀ,
ଧରିଲା ଉପେନ୍ଦ୍ର ! ମରି ଯେ ଚାରୁଭୂଷଣେ ।
ସାଜାୟେଛ ବୈଦେହୀଶେ ହେ କବିରତନ,
ତୋମା ବିନା ସାଧ୍ୟ କାର ସାଜାୟ ଏମନ ।”
ଏହାର କିଛି ଦିନ ପରେ, ଭୁଦେବ ମୁଖୋପାଧ୍ୟାୟ ଭଞ୍ଜଙ୍କ କାବ୍ୟସମୂହ ମଧ୍ୟରେ ହଜି ଯାଇଥିଲେ ଏବଂ ରାଧାନାଥ ରାୟଙ୍କୁ କୃତଜ୍ଞତା ଜଣାଇବା ଲୋଭ ସମ୍ବରଣ କରି ପାରିନଥିଲେ, ଯାହା ପ୍ରତିଫଳିତ ହେଲା ବଙ୍ଗଳାର ଏଜୁକେସନ ଗେଜେଟରେ —
“ସେଇଦିନ ପ୍ରିୟବର ମମ ସନ୍ନିଧାନେ,
ବସିୟା ଅଗାଧ ସୁଖେ
ହରଷିତ ସ୍ମିତମୁଖେ
ଉପେନ୍ଦ୍ର ଭଞ୍ଜେର ସେଇ କବିତା ସୁନ୍ଦର
ଶୁନାୟେ ମୋହିଆଛିଲ ଆମାର ଅନ୍ତର ।”
ଏତିକିରେ ସରିନାହିଁ ରାଧାନାଥ ରାୟଙ୍କ ଶ୍ରଦ୍ଧାଞ୍ଜଳି ! ଏକ ଅନାଲୋଚିତ କିନ୍ତୁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ! ସାହିତ୍ୟଭୂଷଣ ଶଶୀଭୂଷଣ ରାୟ ୧୯୫୩ ମସିହାରେ #କଳିଙ୍ଗ #ଭାରତୀ ଆୟୋଜିତ ଭଞ୍ଜ ଜୟନ୍ତୀରେ କ’ଣ କହିଥିଲେ ? “ପରିଶେଷରେ ଏହି ସ୍ଥବିର ବୃଦ୍ଧ ତାହାର ପରମାରାଧ୍ୟ ପିତୃଦେବ ୰କବିବର ରାଧାନାଥଙ୍କ ମୁଖନିସୃତ ଦୁଇ ତିନି ଧାଡ଼ି ଏଠାରେ ଉଦ୍ଧୃତ କରୁଅଛି। ଅର୍ଦ୍ଧ ଶତାବ୍ଦୀ ପୂର୍ବେ ଅର୍ଥାତ୍ ୧୯୦୩ ସାଲରେ #ଉତ୍କଳ #ସମ୍ମିଳନୀରେ ଦଣ୍ଡାୟମାନ ହୋଇ ରାଧାନାଥ କହିଥିଲେ: “ଜାତୀୟ ଜୀବନର ସାହିତ୍ୟର ମୂଲ୍ୟ କିପରି ଉଚ୍ଚ, ତାହା ଆପଣମାନେ ସୁବିଦିତ ଅଛନ୍ତି । କଳ୍ପନାରେ ଭାରତରୁ ମହାଭାରତକୁ ବାହାର କରି ଦିଅନ୍ତୁ, ଭାରତ କେମନ୍ତ ବିକଳାଙ୍ଗ ହୋଇଯିବ ! ଉପେନ୍ଦ୍ର ଭଞ୍ଜ ଆମମାନଙ୍କ ଭଳି ଜଣେ ସାମାନ୍ୟ ମଣିଷ ଥିଲେ; ମାତ୍ର କଳ୍ପନାରେ ଉତ୍କଳରୁ ତାହାଙ୍କୁ ବାହାର କରି ଦିଅନ୍ତୁ । ଉତ୍କଳ କେମନ୍ତ ବିକଳାଙ୍ଗ ହୋଇଯିବ !!” (ଅପୂର୍ବ ଶ୍ରଦ୍ଧାଞ୍ଜଳି) ତାହେଲେ ରାଧାନାଥ ରାୟ କ’ଣ ଭଞ୍ଜବିରୋଧୀ ଥିଲେ କି ?? ♦ ନନ୍ଦକିଶୋର ବଳ
ସେ କ’ଣ କବିକୁଳ ଗୁରୁ ଉପେନ୍ଦ୍ର ଭଞ୍ଜ !
ପଲ୍ଲବିତ ଯାହାଙ୍କ କାବ୍ୟ ପଲ୍ଲୀର ଚିତ୍ର ଆଙ୍କିବାରେ, ସେ ଓଡ଼ିଆ ସାହିତ୍ୟରେ ଆଉ କେହି ନୁହନ୍ତି, କେବଳ ନନ୍ଦକିଶୋର ବଳ ! ସେ ଉଗ୍ର ଜାତୀୟବାଦୀ ମଧ୍ୟ ! ଓଡ଼ିଆ ସାହିତ୍ୟର ଏହି ଉଜ୍ଜ୍ୱଳ ନକ୍ଷତ୍ର ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ତାଙ୍କ କବିତାକୁ ଟିକେ ଦୃଷ୍ଟି ଦେବା ବିଧେୟ — “ସୁପଣ୍ଡିତ ହେ ଉପେନ୍ଦ୍ର ଭଞ୍ଜ ବୀରବର !
କବିକୁଳପତି ତୁମ୍ଭେ ଅଟ ଉତ୍କଳର ।
ରାଜସିଂହାସନ ସୁଖ ତେଜି ମହାମନା !
କଲ କେତେ କେତେ କାବ୍ୟ, ସଙ୍ଗୀତ ରଚନା ।
ତୁମ୍ଭ ଘେନି ମାତୃଭାଷା ସାହିତ୍ୟ ଶାଳିନୀ
ତୁମ୍ଭ ଯୋଗୁଁ ମାତୃଭାଷା ଆଜି ଏ ମାନିନୀ ।
କ୍ଷୁଦ୍ର ରାଜ୍ୟ ସୁଖ ତେଜି ପଣ୍ଡିତ ମହାନ,
ଉତ୍କଳ ଭାଷାକୁ ଦେଇଗଲ ଜୀବଦାନ ।
ହୋଇଥାନ୍ତ ସିନା କ୍ଷୁଦ୍ର-ଖଣ୍ଡ ନରେଶ୍ଵର,
ସମଗ୍ର ଉତ୍କଳେ ଆଜି ରାଜତ୍ଵ ତୁମ୍ଭର ।
ଗଞ୍ଜାମ ସମ୍ବଲପୁର ଓଡ଼ିଶା ଦେଶର,
ପ୍ରତି ଗୃହେ ପାଉଅଛ ପୂଜା କବିବର ।
ଗଙ୍ଗା ଗୋଦାବରୀ ସିନ୍ଧୁ-ରେବା ବନ୍ଦ୍ୟ କବି,
ଉତ୍କଳ ସାହିତ୍ୟାକାଶେ ଚିର ଦୀପ୍ତ ରବି ।
ଭାରତୀ-ନିକୁଞ୍ଜ ସୁତରୁଣ ପିକବର,
ସାହିତ୍ୟାକାଶରେ ଫୁଲ୍ଲ ସୁରଭି ପୁଷ୍କର ।
ଦେଖ ଦେଖ ଦିବ୍ୟ ମାତୃଭୂମି ପ୍ରିୟ କବି,
ଉତ୍କଳ-ଜନନୀ ଦୀନହୀନ ମୁଖ ଛବି ।
ଜନ୍ମ ଯହିଁ ନେଲ ଭାଷା ନିମନ୍ତେ ଜୀବିତ,
ଉତ୍କଳରୁ ହୋଇଅଛି ତାହା ବିତାଡ଼ିତ ।”
(କାବ୍ୟ “ଜନ୍ମଭୂମି”)
ଗୋଟିଏ ମାତ୍ର କବିତା ଲେଖି ଶେଷ କରି ନାହାନ୍ତି ନନ୍ଦକିଶୋର ବଳ ଉପେନ୍ଦ୍ର ଭଞ୍ଜଙ୍କ ମୂଲ୍ୟାଙ୍କନ ! ‘ଉତ୍କଳ ମଙ୍ଗଳ ଗୀତ’ କବିତାର ଏହି ପଦ ଉପରେ ଟିକିଏ ଦୃଷ୍ଟି ଦେବା —
“ବାଣୀ ବରପୁତ୍ର ଉପେନ୍ଦ୍ର କବି,
ସାହିତ୍ୟ ଗଗନେ ପ୍ରଦୀପ୍ତ ରବି,
ଦୀନକୃଷ୍ଣ ଅଭିମନ୍ୟୁ ସାମନ୍ତ,
କବିସୂର୍ଯ୍ୟ ବିଶି ସଖା ଅନନ୍ତ,
ବାଣୀ-ବନରେ ବିହାର,
କରି ମାତୃକଣ୍ଠେ ଲମ୍ବାଇଣ ଗଲେ,
କବିତା କୁସୁମ ହାର ।”
♦ ପ୍ରକୃତି କବିଙ୍କର ନିଆରା ବନ୍ଦନା !
ସେ ଓଡ଼ିଆ ସାହିତ୍ୟର ପ୍ରକୃତିକବି, ରସିକ ମଣିଷ, ନହେଲେ ପ୍ରକୃତିକୁ ଭଲ ପାଇବେ କିମିତି ? ସେ ରଙ୍ଗାଜୀବ ଗଙ୍ଗାଧର ! କେତେ ରସିକ ପଣିଆରେ ଲେଖି ପକାଇଲେ ମ ! କଥାଟି ଏହିପରି – “ଚନ୍ଦ୍ର ରଜନୀ । ଦୁଇ ବନ୍ଧୁ ଉପଭୋଗ କରୁଛନ୍ତି ମନ ଖୋଲା ହୃଦୟରେ ଜ୍ୟୋତ୍ସ୍ନା ବିଚ୍ଛୁରିତ ରାତ୍ରୀରେ ନୀରବ ନିଶ୍ଚଳ ନିର୍ମଳ ଚନ୍ଦ୍ର ରଜନୀ ! ଅତି ପ୍ରସନ୍ନ ଚିତ୍ତରେ ଗାଇ ଗାଇ ଚାଲିଛନ୍ତି ଗୋଟିଏ ପୁରାତନ କବିତା । ଭାରି ମନଲୋଭା କବିତା ! କିନ୍ତୁ ଯୌବନର ଉଦ୍ଦାମତା ମଧ୍ୟରେ କବିତାଟି ହୋଇ ଉଠୁଛି ଆହୁରି ହାସ୍ୟୋଦ୍ଦୀପକ — “ନିର୍ମଳ ଚନ୍ଦ୍ରମଣ୍ଡଳ ଶରଦେ ବିରାଜି
ଦିଶେ ଯଥା ଦର୍ପକ ଦର୍ପଣ ଥିଲେ ମାଜି
ଚାହିଁ କୁମର କାତର
ଲେଖି ଆରମ୍ଭିଲା ବସି ବିନୟ ପତର”
ଯୁବ ସୁଲଭ ଉଦ୍ଦାମତା ମଧ୍ୟରେ କବିତାଟି କେତେ ଖଣ୍ଡ ବିଖଣ୍ଡିତ ହୋଇଯାଇଛି ଦୁଇବନ୍ଧୁଙ୍କ ଗାଇବା ସମୟରେ !
“ନିର୍ମଳ ଚନ୍ଦ୍ରମଣ୍ଡଳ ଶରଦେ ବିରାଜି”
ଚନ୍ଦ୍ରେ ଚାହିଁ ମୁଦେ ଗାଏ କେ ରସିକବର,
“ଦିଶେ ଯଥା ଦର୍ପକ ଦର୍ପଣ ଥିଲେ ମାଜି,”
ଗାଏ ତାର ପଛେ ଗୁଣି ପ୍ରିୟ ସହଚର ।
“ଚାହିଁ କୁମର କାତର” ବୋଲଇ ପ୍ରଥମ,
ଦ୍ଵିତୀୟ ରସିକ କରି ସୁଲଳିତ ସ୍ଵର
ଉଚ୍ଚାରେ ଚତୁର୍ଥ ପାଦ ଗାଇ ମନୋରମ ,
“ଲେଖି ଆରମ୍ଭିଲା ବସି ବିନୟ ପତର ।”
ବୁଲନ୍ତି ଯୁବକ ଯୁଗ ସୁଧାଂଶୁ କିରଣେ,
ଭଞ୍ଜ କବି ବିରଚିତ ପଦ କରି ମନେ ।”
ଚନ୍ଦ୍ର ବିଧୌତ କୌଣସି ଏକ ରାତ୍ରିରେ ଆମର ପ୍ରକୃତି କବି ଗଙ୍ଗାଧର ମେହେର ଅତି ନିକଟରୁ ଲକ୍ଷ୍ୟ କରି ଗୋଟିଏ ପଲ୍ଲୀ ଜୀବନରେ ଆନନ୍ଦ ଉପଭୋଗ କରିବାକୁ ରାସ୍ତାକୁ ବାହାରି ଆସିଥିବା ଦୁଇ ବନ୍ଧୁଙ୍କର ଆମୋଦ ଦାୟକ ଭ୍ରମଣର କଥା ଅତି ନିଖୁଣ ଭାବରେ ଚିତ୍ରିତ କରିଛନ୍ତି ଯହିଁରେ ଏହା ସମ୍ପୂର୍ଣ୍ଣ ଭାବେ ପ୍ରତୀୟମାନ ହେଉଛି ଯେ, ଉପେନ୍ଦ୍ର ଭଞ୍ଜ ସମଗ୍ର ଓଡ଼ିଶାର ଲୋକ ମାନଙ୍କ ହୃଦୟରେ ବିରାଜମାନ କରିଛନ୍ତି । (ଏକ ସୁନ୍ଦର କବିତା ମଧ୍ୟରେ ଭଞ୍ଜଙ୍କ ପ୍ରତି ସୁନ୍ଦର ଶ୍ରଦ୍ଧାଞ୍ଜଳି !)
ରଙ୍ଗାଜୀବ ଗଙ୍ଗାଧର ଆଉ କ’ଣ କହିଲେଣି ଏଠାରେ, ଉତ୍କଳ ଲକ୍ଷ୍ମୀଙ୍କ ମୁହଁରେ —
“× × ×
ବିମାନ ମସ୍ତକେ ଲେଖା ହୋଇଅଛି
ବିରଳ ବୃହତ ବର୍ଣ୍ଣେ,
ଲିପିମାଳା କିବା ଗଢ଼ା ହୋଇଅଛି
ବିଶୁଦ୍ଧ ଖନିଜ ସ୍ଵର୍ଣ୍ଣେ ।
‘ଜଗନ୍ନାଥ ଦାସ’ ‘ବଳରାମ ଦାସ’
କରଣ କୃଷ୍ଣଚରଣ,
ନାମ ଦେଖି ତହିଁ ଆନନ୍ଦେ ପ୍ରଫୁଲ୍ଲ
ହେଲା ମୋ ନୟନ ମନ ।
ପୁଣି ପାଠ କରି ‘ରାଜା କୃଷ୍ଣସିଂହ’
ମୁନୀନ୍ଦ୍ର ‘ସାରଳା ଦାସ’
‘ଦୀନବନ୍ଧୁ ଦାସ’ ‘ଉପଇନ୍ଦ୍ର ଭଞ୍ଜ’
ନାମ ହେଲା ସୁପ୍ରକାଶ । “
(ଉତ୍କଳ ଲକ୍ଷ୍ମୀ)
ଆମ ଓଡ଼ିଆ ସାହିତ୍ୟରେ ଉପେନ୍ଦ୍ର ଭଞ୍ଜ କାବ୍ୟ ସମୂହ ଏକ ପ୍ରତାନିନୀ ସଦୃଶ ! ସେଥିପାଇଁ ଭଞ୍ଜଙ୍କ ପରବର୍ତ୍ତୀ କବିଗଣ ତାଙ୍କ କାବ୍ୟାଦର୍ଶରେ ବହୁଳ ଭାବେ ପ୍ରଭାବିତ । ଓଡ଼ିଆ ସାହିତ୍ୟର ଇତିହାସ ଲେଖୁଥିବା ଐତିହାସିକ ହୁଅନ୍ତୁ, ସମାଲୋଚକ ହୁଅନ୍ତୁ, ସାହିତ୍ୟାକାଶରେ ନକ୍ଷତ୍ର ସଦୃଶ ପ୍ରତୀୟମାନ ହେଉଥିବା କବି ବୃନ୍ଦ ହୁଅନ୍ତୁ ଅଥବା ଓଡ଼ିଆ ସାହିତ୍ୟ ସଂସ୍କୃତିର ବାର୍ତ୍ତାବହ ପାଲା ଗାୟକ ଜଣେ ହୁଅନ୍ତୁ, ସମସ୍ତେ କିଛି ନା କିଛି ଭଞ୍ଜ ସାହିତ୍ୟକୁ ସ୍ପର୍ଶ କରି ନିଜସ୍ଵ ମତାମତ ଦେବାରେ କାର୍ପଣ୍ୟ ମନୋଭାବ ପୋଷଣ କରିନାହାନ୍ତି । ଏଇଥିରୁ ଭଞ୍ଜଙ୍କ ସାର୍ବଜନୀନତା ସହଜେ ଅନୁମେୟ ହୋଇଥାଏ । ରାଧାନାଥ ଯୁଗ ପରବର୍ତ୍ତୀ ଅଥବା ଆଧୁନିକ ଯୁଗର କବି, ସମାଲୋଚକ, ପ୍ରାବନ୍ଧିକ, ଆଲୋଚକ ଏଥିରୁ ବାଦ୍ ଯିବେ କିପରି ?
♦ ଜଣେ ସ୍ଵାଭିମାନୀ ଓଡିଆଙ୍କ ମତ
ସେହି ଓଡ଼ିଆ ଯିଏ ସ୍ଵାର୍ଥକୁ ତ୍ୟାଗ କରି ଜାତି ନନ୍ଦିଘୋଷ ଚଳାଇନେବା ପାଇଁ ଯାହାଙ୍କର ଥିଲା ଆହ୍ଵାନ । ଏକ ଛିନ୍ନମସ୍ତା ମାଁ କୁ ଦେଖି ବ୍ୟଥିତ ପ୍ରାଣ ତାଙ୍କର ଖୋଜି ବୁଲୁଥିଲା ଓଡ଼ିଶା ଓ ଓଡ଼ିଆଙ୍କ ଏକତ୍ରିକରଣ । ସେ ହିଁ ଏକମାତ୍ର ଓଡ଼ିଆ, ଜାତୀୟଗୌରବ ମଧୁସୂଦନ ଦାସ ! କବି ନୁହନ୍ତି, ଲେଖକ ନୁହନ୍ତି ମାତ୍ର ଉତ୍କଳଖଣ୍ଡର ସର୍ବଶ୍ରେଷ୍ଠ ଜନନାୟକ । ବ୍ୟଥିତ ପ୍ରାଣର ସେ ଉଦଘୋଷଣ ଟିକେ ଶୁଣନ୍ତୁ ତ ! “ଉତ୍କଳ ଜନନୀ ମୃତ୍ୟୁ ଶଯ୍ୟାରେ ପଡ଼ିଛନ୍ତି । ଉପେନ୍ଦ୍ର ଭଞ୍ଜଙ୍କ ମନ୍ତ୍ରରେ କଣ୍ଠ ଫିଟିବ ।” “ଉତ୍କଳମାତାର ମୁଣ୍ଡ ଏକ ସ୍ଥାନରେ, ହାତ ଏକ ସ୍ଥାନରେ, ପାଦ ଏକ ସ୍ଥାନରେ ପଡ଼ି ରହିଛି । ଏହି ଅବସ୍ଥାକୁ କେହି ସୁସ୍ଥ ଅବସ୍ଥା କହି ନପାରେ । ଉପେନ୍ଦ୍ର ଭଞ୍ଜ ପରି ମସ୍ତକ ଗଞ୍ଜାମରେ ଉତ୍କଳମାତାଙ୍କ ଗଣ୍ଡିରୁ ବିଚ୍ଛିନ୍ନ ହୋଇ ପଡ଼ି ରହିଛି !”
ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ଆଉ କି ଭାଷାରେ ହୋଇ ପାରେ ଶ୍ରଦ୍ଧାଞ୍ଜଳି ! ଏହି ତ କବିସମ୍ରାଟଙ୍କ ପ୍ରତି ଉତ୍କଳର ମୁକୁଟବିହୀନସମ୍ରାଟଙ୍କ ଅନ୍ତରର ଅଭିବ୍ୟକ୍ତି !
ଓଡ଼ିଶାର ଜାତୀୟ ଜୀବନର ଦୀନତା ଓ ହୀନତା ଅବଲୋକନ କରି ହୃଦୟ ତନ୍ତ୍ରୀରେ ସୃଷ୍ଟି ହେଉଥିବା କରୁଣ ମୂର୍ଚ୍ଛନା ଥିଲା ଗୋଟିଏ ଦରଦୀ ମଣିଷର ! ସେଇ ମଣିଷ ନଥିଲେ ଖାଲି ଜଣେ ଓଡ଼ିଆ; କିନ୍ତୁ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ବହୁ ବିଦିତ ଜନନେତାଙ୍କ ସକାଶେ ଉଦାହରଣ, ପୁନଶ୍ଚ ବିଶ୍ଵ ପ୍ରେମର ମିଳନ ଚିତ୍ରର ଜଣେ ରୂପକାର ! କବିସମ୍ରାଟଙ୍କ ମୂଲ୍ୟାଙ୍କନ କରିବାକୁ ଯାଇ କ’ଣ କହିଲେ ସେ ?
“ହେ କବିଶେଖର ଭଞ୍ଜ ବୀରବର
କୋଟି ଉତ୍କଳ ସନ୍ତାନେ,
ଆଜି ନବଯୁଗେ ଧନ୍ୟ ଧନ୍ୟବାଦ
କରୁଛନ୍ତି ତୁମ୍ଭ ନାମେ ।
କାଳ ବଳିଆର ଆଣଇ ସଂସ୍କାର
ନବ ରୁଚି ନବ ଜ୍ଞାନ,
କିନ୍ତୁ ବୈଦେହୀଶ ବିଳାସ ପାଇବ
କାଳେ କାଳେ ଉଚ୍ଚ ସ୍ଥାନ ।
ସୃଜିଣ ସ୍ଵ-ହସ୍ତେ ଓଡି଼ଆଙ୍କ ଭାଷା
ଗଢ଼ିଛ ଓଡ଼ିଆ ଜାତି,
ତବ ଜନ୍ମସ୍ଥାନ ଓଡି଼ଶାରୁ ଆନ
ଭାବିଲେ ବିଦରେ ଛାତି ।”
(ଅବକାଶ ଚିନ୍ତା)
ଓଡ଼ିଆ ସାହିତ୍ୟାକାଶରେ ବିସ୍ତୀର୍ଣ୍ଣ କାୟା ବିସ୍ତାର କରିଥିବା ଉପେନ୍ଦ୍ର ସତରେ ଆଚ୍ଛାଦିତ କରି ଦେଇଥିଲେ ପ୍ରତି ଓଡ଼ିଆ ହୃଦୟକୁ । ସେଥିପାଇଁ ତ ଭାରତମଣି ଭାବପ୍ରବଣ ହୋଇ ଗାଇ ଶୁଣାଇଲେ —
” ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ
ପଥେ ପାନ୍ଥ ହୃଷ୍ଟମନା ,
ବିଲେ ଗାଏ ଚଷା ଅନ୍ତଃପୁରେ ଯୋଷା
ନୃତ୍ୟ ରଙ୍ଗେ ବାରାଙ୍ଗନା ।”
ଓଡ଼ିଆ ସାହିତ୍ୟରେ ଏ ଯାବତ ସର୍ବାଧିକ ପୁସ୍ତକ ରଚୟିତା ଚିନ୍ତାମଣି ମହାନ୍ତି, #କବିଶେଖରଚିନ୍ତାମଣି ମହାନ୍ତି । ଏମିତି କିଛି ବିଷୟ ନାହିଁ ଯାହା ଉପରେ କବିଶେଖର କଲମ ଚଳାଇ ନାହାଁନ୍ତି ! ତାଙ୍କର #ଘୁମୁସର#କାବ୍ୟ ତ ସହଜେ ଭାସ୍ଵର ମଣ୍ଡିତ ! ନିଜର ଶ୍ରଦ୍ଧା ଓ ସମ୍ମାନ ଉପେନ୍ଦ୍ରଙ୍କ ପ୍ରତି ଏହି ଭାବରେ ପ୍ରସ୍ଫୁଟିତ: “ଉତ୍କଳ-ସାହିତ୍ୟ-କଳ୍ପଦ୍ରୁମ ମଞ୍ଜ,
କବିକୁଳ-ଟୀକା ଉପଇନ୍ଦ୍ର ଭଞ୍ଜ ।
ବଞ୍ଚିଥାନ୍ତେ ଯେବେ ଭଞ୍ଜ ମହାକବି,
ଗ୍ରହନ୍ତି ମୁଁ ତାଙ୍କ ସେବକ ପଦବୀ ।
ଲେଖକ ହେବାକୁ କାହିଁ ମୋ ଭରସା,
ମୋ ପକ୍ଷରେ ସିନା ତାହା ଲୋକହସା ।
ଲେଖନ ପତର ଶ୍ରୀକରେ ବଢ଼ାଇ,
ଦେଇ ମୁଁ କରନ୍ତି ସଗର୍ବେ ବଡ଼ାଇ ।
‘ବାଣୀ-ବରପୁତ୍ର ପରିଚାର’ ପଦ,
ହୋଇଥାନ୍ତା ମୋର ଗୌରବ-ସମ୍ପଦ ।
ପାଦ ମୂଳେ ବସି ହୋଇ ଉଲ୍ଲସିତ,
ଶୁଣୁଥାନ୍ତି ତାଙ୍କ ଲଳିତ ସଙ୍ଗୀତ ।
ସଧୀରେ ମଞ୍ଚାଳି କବି ପୁଣ୍ୟ ପାଦ,
ପୂର୍ଣ୍ଣ କରନ୍ତି ମୋ ଅନ୍ତରର ସାଦ ।
ହାୟରେ ଏ ମୋର ତୁଚ୍ଛା ମନୋରଥ,
ଫେରିବ ତ ନାହିଁ ସେ କରୁଣା ରଥ ।
କାହିଁ ଭଞ୍ଜ , କାହିଁ ମୁହିଁ ଅକିଞ୍ଚନ,
ଦେଖୁଛି ମୁଁ ବ୍ୟର୍ଥ କଳ୍ପନା ସ୍ଵପନ ।”
ଏକାଧାରରେ ଶିକ୍ଷାବିତ, ସମାଜସେବୀ, ସଙ୍ଗଠକ, ରାଜନୈତିକ ନେତା, ସୁସାହିତ୍ୟିକ ପଣ୍ଡିତ ଗୋଦାବରୀଶ ମିଶ୍ର ଓଡି଼ଆଙ୍କ ଘରେ ଘରେ ପରିଚିତ। ତାଙ୍କର ସାବଲୀଳ ଛନ୍ଦ କବିତା ମାନଙ୍କରେ ଉତ୍କଳର ଚିତ୍ର ଚିତ୍ରିତ । ତାଙ୍କ ରଚିତ ‘ଉପେନ୍ଦ୍ର ଭଞ୍ଜ’ କବିତାକୁ ଟିକେ ପଢ଼ିବା ସହ ଅନୁଧ୍ୟାନ କରିବା ଆସନ୍ତୁ :—
“ପ୍ରକୃତି-କୁସୁମ ଉଦ୍ୟାନୁଁ ଯତ୍ନେ ଆହରି ଫୁଲ,
ଦେବୀ ସରସ୍ଵତୀ ପୟରେ କଲେ ସେନେହ ଠୁଳ ।
ସରସ୍ଵତୀ ଦତ୍ତ ଲେଖନୀ ମୂନେ ଲେଖିଲେ ଚିତ୍ର,
ସେ ଚିତ୍ର ହୋଇଛି ଉତ୍କଳେ ଆଜି ଅତି ବିଚିତ୍ର ।
କେତେ ଯେ ଇଚ୍ଛନ୍ତି ଧରିବେ ସେହି ଲେଖନୀ କରେ
ଚିତ୍ରି ରଖିଯିବେ ଜଗତ-ଗାଥା ଅବନୀ ତଳେ ।
ସେ ଇଚ୍ଛା କେହି ତ ପୂରଣ ପାରି ନାହାନ୍ତି କରି,
ଜଣୁ ଜଣ ସାରା ଉତ୍କଳେ କେତେ ଲେଖନୀ ଧରି ।”
ଆଧୁନିକ ଓଡ଼ିଶାରେ ବହୁଦର୍ଶିତାର ପ୍ରତୀକ ପଣ୍ଡିତ ନୀଳକଣ୍ଠ । ଅସାଧାରଣ ପାଣ୍ଡିତ୍ୟ, ବିଦବତ୍ତା ଏବଂ ବିଲକ୍ଷଣ ଦୃଷ୍ଟିକୋଣ ! ଅତି ନିରପେକ୍ଷ ଭାବରେ ମତ ବ୍ୟକ୍ତ କରିଛନ୍ତି ପଣ୍ଡିତ ମହାଶୟ: “କବିଙ୍କର ସ୍ଵାଭାବିକ ଚିତ୍ରଣରେ ଭାଷାର ଏ ସବୁ ନୈସର୍ଗିକତା ଦେଖିଲେ ମନେହୁଏ ସରଳସୁବୋଧ ଓଡି଼ଆରେ ଚିନ୍ତା କରିବା କବିଙ୍କର ପ୍ରକୃତି; କିନ୍ତୁ ସେ ଯେଉଁ ‘କୋବିଦ’ ମାନଙ୍କ ଉଦ୍ଦେଶ୍ୟରେ କାବ୍ୟ ଲେଖୁଥିଲେ, ସେମାନଙ୍କ ମର୍ଯ୍ୟାଦା ଓ ପାଣ୍ଡିତ୍ୟର ଉପଯୋଗୀ କରିବା ନିମନ୍ତେ ବାଧ୍ୟ ହୋଇ କବି ତାଙ୍କୁ ନାରିକେଳ ସଦୃଶ କରିଅଛନ୍ତି ।” ନୀଳକଣ୍ଠଙ୍କ ଅନ୍ତରରେ ଆହୁରି ମଧ୍ୟ ଥିଲା, “ଉପେନ୍ଦ୍ର ଭଞ୍ଜ ଲୋକ ସାଧାରଣଙ୍କ ଭାଷାରେ କାବ୍ୟ ଲେଖିନାହାନ୍ତି । ତାଙ୍କ କାବ୍ୟରେ ଲଙ୍ଗଳ ହସ୍ତ ଚଷାର ବର୍ଣ୍ଣନା ନାହିଁ । ବଢ଼େଇ କାଠ କରତୁ ନାହିଁ, ଗଉଡ଼଼ ଗୋଠରେ ବେଣୁ ବଜାଉ ନାହିଁ, ଦରିଦ୍ର ପଲ୍ଲୀକୁମାରୀ ବିଲରେ ଧାନସୀସା ଗୋଟାଉ ନାହିଁ । କନ୍ଧବିବାହ ନାହିଁ, ସାନ୍ତାଳୀ ନାଚ ନାହିଁ, ଭୂୟାଁ ଧାଙ୍ଗଡ଼ମାନଙ୍କର ରୀତିରେ ଏକତ୍ର ବାସ ନାହିଁ, ପଲ୍ଲୀଦମ୍ପତିଙ୍କ ଆଳାପ ନାହିଁ, ପ୍ରେମ ନାହିଁ, କଳହ ନାହିଁ । ସ୍ଥୂଳରେ ଲୋକ ସାଧାରଣଙ୍କ ଜୀବନ କ୍ରିୟା, ଭାବ-ବିକାଶ, ହୃଦୟର ଗତି, ଚିନ୍ତାସ୍ଫୁରଣ, ଆକାଙକ୍ଷା, ଆସକ୍ତି, ଅଭିପ୍ରାୟ ପ୍ରଭୃତିର ସ୍ଥାନ ଭଞ୍ଜୀୟ କାବ୍ୟରେ ନାହିଁ କହିଲେ ଚଳେ । କିନ୍ତୁ ଭଞ୍ଜ ଉତ୍କଳର ସର୍ବତ୍ର ଆଦୃତ ଓ ଉତ୍କଳ କବି ଓ ସାହିତ୍ୟିକ କୁଳର ସର୍ବଦା ନମସ୍ୟ ।”
ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ ! କବି, ଚିକିତ୍ସକ, ସମାଜସେବୀ, ଦେଶପ୍ରେମୀ । ଏକ ହୁତାଶମୟ ଜୀବନର ସହଯାତ୍ରୀ ! ଅର୍ଚ୍ଚନା କାବ୍ୟରେ ଉତ୍କଳ ବନ୍ଦନା । ସେଥିରୁ ଭଞ୍ଜେ ବାଦ ଯିବେ କେମିତି ? ତାଙ୍କର ପାଦବନ୍ଦନା ପାଇଁ କବି ଯେ ଅପେକ୍ଷାରତା ! “ତାଳତମାଳ ତାଳିନୀଳା,
ଶତତଟିନୀ ପୂତସଲିଳା ।
କାବ୍ୟକୁଞ୍ଜ କଳକୋକିଳା,
ପୂଜିତପାଦ ଭଞ୍ଜ ଶାରଳା ।
ଶୁଭଗୀତ ସୁଧା ସ୍ୟନ୍ଦିନୀ,
ବିଶ୍ଵବନ୍ଦନ ଚିତ୍ତନନ୍ଦନ ନୟନହ୍ଲାଦିନୀ ।”
♦ ସତ୍ୟଦ୍ରଷ୍ଟା ବିପ୍ଳବୀ କବି ଗୋଦାବରୀଶ
ଓଡ଼ିଆ ସାହିତ୍ୟରେ ସ୍ଵତନ୍ତ୍ର ସ୍ଥାନରେ ସ୍ଵୀକୃତ କବି ଗୋଦାବରୀଶ ମହାପାତ୍ର ! ସତ୍ୟନିଷ୍ଠ ବ୍ୟକ୍ତି ଭାବରେ ସର୍ବ ପୂଜ୍ୟ ଗୋଦାବରୀଶ ! ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ଅପୂର୍ବ ଶ୍ରଦ୍ଧାଞ୍ଜଳି :—- “କେତେ ଯୁଗ ପରେ ଆଜି ବାଣପୁରେ ହେ କବିବର,
ତବ ପରିମଳ ମଙ୍ଗଳ ବେଦୀ ତରୁଣ ଦଳ ।
ଚୂତବନ ନଳ ନବୀନ ବଉଳ
ପରାଗେ ପୂଜି,
ଉତ୍କଳେ ଯିବେ ଶତେକ ଭଞ୍ଜ ଆବର ସୃଜି ।
ଆବର ଜାଗିବ ଏ ବନେ ଲାଗିବ ବାଣୀ ଚରଣ,
ନବ ବିଧାତାର ଶୁଭ ବାଣୀ ତାରେ ମାତିବ ମନ ।”
କେତେ ଆଶାବାଦୀ ଆମ ବିପ୍ଳବୀ କବି ଗୋଦାବରୀଶ ! ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିଭା ପୂଜା ହେବା ଫଳରେ ଆହୁରି ବହୁ ସଂଖ୍ୟକ କବି ଜନ୍ମ ହେବେ ଏଇ ଭୂଖଣ୍ଡରେ ! ଏଇ ତ ପୂଜ୍ୟପୂଜା !!
କୃତଜ୍ଞତାପୂର୍ବକ ତଥ୍ୟ ଆହରଣ: ଉପେନ୍ଦ୍ର ଭଞ୍ଜ ଗ୍ରନ୍ଥାବଳୀ, ରାଧାନାଥ ଗ୍ରନ୍ଥାବଳୀ, ଫକୀରମୋହନଙ୍କ ଅବସର ବାସରେ, ଗଙ୍ଗାଧର ଗ୍ରନ୍ଥାବଳୀ, ନନ୍ଦକିଶୋର ଗ୍ରନ୍ଥାବଳୀ, କଳିଙ୍ଗ ଭାରତୀ ପ୍ରକାଶିତ ଭଞ୍ଜପ୍ରଭା, ଗୌରୀ କୁମାର ବ୍ରହ୍ମାଙ୍କ ଆଲୋଚନା, ବିଭିନ୍ନ ସମାଲୋଚକମାନଙ୍କ ଓଡ଼ିଆ ସାହିତ୍ୟର ଇତିହାସ
View Comments
ଉପେନ୍ଦ୍ର ଭଞ୍ଜ ସମଗ୍ର ଦେଶରେ ଏକ ପ୍ରମୁଖ ପରିଚୟ ସୃଷ୍ଟି କରିପାରିଛନ୍ତି ତାଙ୍କ ସାହିତ୍ୟ ରଚନା ପାଇଁ ?
ସନ୍ଦେହ ନାହିଁ