ଲେଖା: ସୁଚେତା ପ୍ରଧାନ
କଥାରେ ଅଛି ଦୀର୍ଘ ଜୀବନ ସ୍ମରଣୀୟ ହୁଏନା ସ୍ମରଣୀୟ ଜୀବନ ହିଁ ଦୀର୍ଘ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଓଡିଶାର ଜଣେ ପ୍ରତିଭାଦୀପ୍ତ ବ୍ୟକ୍ତି ଥିଲେ ଭଗବତୀ ଚରଣ ପାଣିଗ୍ରାହୀ, ଯିଏ କି ଓଡିଆ ସାହିତ୍ୟର ସୁପରିଚିତ ସବୁଜ ଯୁଗର କବି ‘ମାଟିର ମଣିଷ’ର ଲେଖକ କାଳିନ୍ଦି ଚରଣ ପାଣିଗ୍ରାହୀଙ୍କ ଅନୁଜ।
ପୁରୀ ଜିଲ୍ଲା ବିଶ୍ବନାଥପୂର ଶାସନରେ ଫେବୃଆରୀ ୧, ୧୯୦୮ ମସିହାରେ ତାଙ୍କର ଜନ୍ମ। ପିତା ଥିଲେ ସ୍ବପ୍ନେଶ୍ବର ପାଣିଗ୍ରାହୀ। ତାଙ୍କର ଜୀବନକାଳ ସ୍ବଳ୍ପ ଥିଲା। ୧୯୪୩ ମସିହା ଅକ୍ଟୋବର ୨୩ ତାରିଖରେ ସେ ସଂସାର ତ୍ୟାଗ କରିଥିଲେ। ମାତ୍ର ଏହି ୩୫ ବର୍ଷ ଜୀବନ କାଳ ମଧ୍ୟରେ ଭଗବତୀ ଚରଣ ପାଣିଗ୍ରାହୀ ଜଣେ ସ୍ବାଧୀନତା ସଂଗ୍ରାମୀ, ସାମ୍ୟବାଦୀ ନେତା, ସମ୍ପାଦକଲେଖକ ଭାବରେ ପ୍ରତିଟି କ୍ଷେତ୍ରରେ ନିଜର ଦୃପ୍ତ ପଦଚିହ୍ନ ଆଙ୍କି ଦେଇ ଯାଇଛନ୍ତି, ଯାହା ଓଡିଶାର ମୂଲ୍ୟବାନ ସମ୍ପଦ।
ଓଡିଆ ସାହିତ୍ୟରେ ସାମ୍ୟବାଦୀ ଚେତନାର ଆଦ୍ୟ ବାର୍ତ୍ତାବହ ଭଗବତୀ ଚରଣ ପାଣିଗ୍ରାହୀ। ୧୯୩୬ରେ ଓଡିଶାରେ ଗଠିତ କମ୍ୟୁନିଷ୍ଟ ସେଲର ପ୍ରଥମ ସଂପାଦକ ଥିଲେ ଭଗବତୀ ଚରଣ ପାଣିଗ୍ରାହୀ। ଏକ ଶ୍ରେଣୀହୀନ ସମାଜ ଗଠନ ତାଙ୍କ ଜୀବନର ଲକ୍ଷ୍ୟ ଥିଲା।
ସାହିତ୍ୟକୁ ସାମାଜିକ ପରିବର୍ତ୍ତନର ଅସ୍ତ୍ର କରି ସେ ‘ନବଯୁଗ ସାହିତ୍ୟ ସଂସଦ’ ନାମକ ଏକ ଅନୁଷ୍ଠାନ ଗଠନ କରି ଏହାର ମୁଖପତ୍ର ରୂପେ ‘ଆଧୁନିକ’ ନାମରେ ଏକ ପତ୍ରିକା ପ୍ରକାଶ କରିଥିଲେ। ଏହି ପତ୍ରିକା ମାଧ୍ୟମରେ ସେ ସାମ୍ୟବାଦୀ ଚେତନାର ଏକ ନବୀନ ଲେଖକ ଗୋଷ୍ଠି ସୃଷ୍ଟି କରିଥିଲେ। ସାହିତ୍ୟ କ୍ଷେତ୍ରରେ ଭଗବତୀ ଚରଣ ପାଣିଗ୍ରାହୀ ଯେଉଁ ପରିବର୍ତ୍ତନର ସୂତ୍ରପାତ କଲେ ତାହା ପ୍ରଗତିବାଦୀ ଯୁଗ ନାମରେ ପରିଚିତ ହେଲା। ସେ କହୁଥିଲେ ଆରାମ ଚେୟାରରେ ବସି ଆରାମରେ ପଢିଲା ଭଳି ଲେଖାର ସ୍ଥାନ ‘ଆଧୁନିକ’ ପତ୍ରିକାରେ ନାହିଁ।
ବ୍ୟାସକବିଙ୍କ ଠାରୁ ଆରମ୍ଭ କରି ଆଧୁନିକ ଯୁଗଯାଏ ଓଡିଆ ସାହିତ୍ୟରେ ଅଗଣିତ ଗଳ୍ପ ଲେଖା ହୋଇଛି। ମାତ୍ର ଯେଉଁ କେତୋଟି କାଳଜୟୀ ଗଳ୍ପ ପାଠକର ଅବଚେତନ ମନରେ ଗଭୀର ରେଖାପାତ କରି କାଳର ପ୍ରତିମା ପରି ଚିରଭାସ୍ବର ରହିଛି ତାମଧ୍ୟରେ ଭଗବତୀଙ୍କ ଗଳ୍ପ ନିଶ୍ଚୟ ରହିଛି ଓ ରହିଥିବ ମଧ୍ୟ। ବିଶେଷତଃ ତାଙ୍କର ଯୁଗାନ୍ତକାରୀ ସାମ୍ୟବାଦୀ ଚେତନାର ଗଳ୍ପ ‘ଶୀକାର’ ଏକ ଅନବଦ୍ୟ ସୃଷ୍ଟି। ସ୍ବଳ୍ପ ଜୀବନକାଳ ମଧ୍ୟରେ ଚିତ୍ତବିସ୍ଫୋରକ ଭାଷାରେ ସମୃଦ୍ଧ ମାତ୍ର ବାରଟି ଗଳ୍ପ ସେ ଲେଖିଥିଲେ। ସେଗୁଡିକ ହେଲା ଜଙ୍ଗଲୀ, ଶିକାର, ସ୍ବୀକାରୋକ୍ତି, ବଞ୍ଚିତ, ମିଶ୍ରଙ୍କ କୋପ, ଝଡ, ଜୀବନର ସମାଧି, ହାତୁଡି ଓ ଦାଆ ଇତ୍ୟାଦି।
ଭଗବତୀଙ୍କ ଶିକାର ଗଳ୍ପଟି ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୃଣାଳସେନ୍’ଙ୍କ ଦ୍ବାରା ମୃଗୟା ନାମରେ ନାମିତ ଚଳଚ୍ଚିତ୍ରରେ ପ୍ରତିବେଦିତ ହୋଇ ଅଗଣିତ ଦର୍ଶକଙ୍କୁ ମୋହମୁଗ୍ଧ କରିଛି।
ଉତ୍କଳମଣିଙ୍କ ଭାଷାରେ:
“ଲିଭୁ ସେ କ୍ଷଣକେ ତଥାପି ଏ ଲୋକେ ରହେ ତା ଆଦର ଯଶ,
କି ଲାଭ ତହିଁରେ ରହେ ଯେ ମହୀରେ କୁହୁଳି ସହସ୍ର ବର୍ଷ ।”
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago