~ ବୀରମିତ୍ରୋଦୟ ସିଂହଦେବ ~
ଲେଖା: ଅମୃତେଶ ଖଟୁଆ
“ଭୂଷଣ ପ୍ରଭାରେ ଦିଗ ଦୀପ୍ତ କରି,
ଯାଉଥିଲେ ସୁରେଶ୍ଵରୀ।
ନିରାଜନା କଲେ କରପଲ୍ଳବରେ,
ସୁବର୍ଣ୍ଣ ପ୍ରଦୀପ ଧରି।।”
ଗଙ୍ଗାଧର ମେହେର (ଉତ୍କଳଲକ୍ଷ୍ମୀ, ୧୯୧୪)
ସୋନପୁର ପ୍ରଥମେ ପାଟଣାରାଜ୍ୟ ଅଧୀନରେ ଥିଲା । ୧୫୬୦ରେ ସମ୍ୱଲପୁରର ରାଜା ମଧୁକର ରାୟ ଏହାକୁ ପାଟଣାରୁ ଅଲଗା କରିଦେଲେ । ଏହି ରାଜ୍ୟର ଆୟତନ ୯୦୬ ବର୍ଗମାଇଲ । ୨ଟି ସହର ଓ ୮୨୭ ଗ୍ରାମ ଏହି ରାଜ୍ୟର ଅନ୍ତର୍ଭୁକ୍ତ । ରାଜଧାନୀର ନାମ ସୋନପୁର । ଏହି ରାଜ୍ୟର ଅନ୍ୟତମ ମହାରାଜା ସାର୍‍ ବୀରମିତ୍ରୋଦୟ ସିଂହଦେବ ଥିଲେ ଅତ୍ୟନ୍ତ ସାହିତ୍ୟ ଓ ସଂସ୍କୃତିସମ୍ପନ୍ନ ତ‌ଥା ଉତ୍ତମ ପ୍ରଜାପାଳକ । ଯେତେବେଳେ ସମଗ୍ର ଓଡ଼ିଆ ଭାଷୀମାନଙ୍କ ଅସ୍ତିତ୍ବ ବଙ୍ଗଳୀଭାଷୀମାନଙ୍କ ଦ୍ଵାରା ଦଳିତ ହୋଇରହିଥିଲା, ସେତେବେଳେ ସୋନପୁରର ବୀରାଧିପ ବୀରମିତ୍ରୋଦୟ ସିଂହଦେବ ଥିଲେ ଓଡ଼ିଆ ଭାଷା ଆନ୍ଦୋଳନର ଜଣେ ପ୍ରତାପୀ ମହାରଥୀ। ସେ ଅଗଷ୍ଟ ୮, ୧୮୭୪ ମସିହାରେ ପିତା ପ୍ରତାପରୁଦ୍ରଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ। ମାତାଙ୍କ ନାମ ଥିଲା ଅମୂଲ୍ୟମଣି। ତାଙ୍କ ପିତାମହ ଥିଲେ ନୀଳାଦ୍ରି ସିଂହଦେବ ଓ ପ୍ରପିତାମହ ଥିଲେ ପୃଥ୍ଵୀରାଜ ସିଂହଦେବ। ତାଙ୍କ ପ୍ରପିତାମହ ଥିଲେ ଜଣେ ଧର୍ମପରାୟଣ ମହାରାଜା। ତାଙ୍କ ଭକ୍ତି ଓ ଅନୁରାଗ ଫଳରେ ତାଙ୍କ ଭିତରେ ଥିଲା ଅସରନ୍ତି ଭକ୍ତି ଓ ବୈରାଗୀ ଚେତନା। ଶାସନଭାର ନିର୍ବାହ କରୁଥିଲା ବେଳେ ମଧ୍ୟ ତାଙ୍କର ନିର୍ମଳ ଭାବ ଓ ସର୍ବୋପରି ଭକ୍ତି ଉଦିତ ଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି। ଶେଷରେ ସମସ୍ତ ଗ୍ରାମପାଟଣା ଜମିବାଡି ସମସ୍ତ ନିଜ ପୁତ୍ରକୁ ସମର୍ପିତ କରି ସେ ପୁରୀକୁ ଗମନ କରିଥିଲେ। ସେଠାରେ ତାଙ୍କର ଅବଶିଷ୍ଟ ଜୀବନ ଅତିବାହିତ ହୋଇଥିଲା। ତାଙ୍କ ଗୁଣୀ ପୁତ୍ର ନୀଳାଦ୍ରି ସିଂହଦେବ ମଧ୍ୟ ଥିଲେ ଅନୁରୂପ ଅନୁରାଗୀ ମହାରାଜା। ତାଙ୍କର ଯୋଗ୍ଯ ନାତି ଥିଲେ ବୀରମିତ୍ରୋଦୟ ସିଂହଦେବ।
ବୀରମିତ୍ରୋଦୟଙ୍କ ପିତା ଓ ଅନ୍ୟ ଜ୍ଞାତିଜନ ଶାସ୍ତ୍ର ଚର୍ଚ୍ଚାରେ ଲିପ୍ତ ରହୁଥିଲେ। ପ୍ରାୟତଃ ପୂର୍ବରାଜାମାନେ ରାଜ୍ୟ ଶାସନ ପ୍ରତି ଥିଲେ ବୀତସ୍ପୃହ। ବୀରମିତ୍ରୋଦୟ ସିଂହଦେବ କୌଣସି ଆନୁଷ୍ଠାନିକ ଶିକ୍ଷା ପାଇନଥିଲେ। ବିଦୂଷୀ ମାତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା ସହିତ ରାଜସଭାର ରାଜ-ପଣ୍ଡିତମାନଙ୍କ ମାଧ୍ୟମରେ ଧର୍ମଶାସ୍ତ୍ର ଓ ସଂସ୍କୃତ-ସାହିତ୍ୟ ପ୍ରତି ତାଙ୍କର ଅନୁରକ୍ତି ପ୍ରକଟିତ ହୁଏ। ମହାରାଜା ବୀରମିତ୍ରୋଦୟ ୧୯୦୨ ମସିହାରେ ପ୍ରତାପରୁଦ୍ର ଦେବଙ୍କ ନିଧନ ଅନ୍ତେ ରାଜା ହେବା ପରେ ବିବିଧ ସୂତ୍ରରୁ ପ୍ରଜାମାନଙ୍କ ଠାରୁ ରାଜସ୍ଵ ଆଦାୟ ସହ ସାହିତ୍ୟ, ସଂସ୍କୃତି, ଧର୍ମକାର୍ଯ୍ୟ ଲିପ୍ତ ରହିଥିଲେ। ଇଂରେଜ ଶାସନ ସମୟରେ ୧୯୩୭ ମସିହା ପର୍ଯ୍ୟନ୍ତ ସେ ଦାନଶୀଳ ତଥା ଅତ୍ୟନ୍ତ ବିଶ୍ଵସ୍ତ ମହାରାଜାର ମାନ୍ୟତା ସ୍ୱରୂପ ଇଂରେଜ ସରକାରଙ୍କଠାରୁ ନଅଟି ତୋପସଲାମି ପାଉଥିଲେ । ସେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସରକାରଙ୍କୁ ବିପୁଳ ପରିମାଣରେ ଚାଉଳ, ଅର୍ଥ ଓ ସୈନ୍ୟ ଯୋଗାଇଥିବାରୁ କେ.ସି.ଆଇ.ଇ ଉପାଧି ଲାଭ କରିିଥିଲେ । ତାଙ୍କର ମହାରାଣୀ ପାର୍ବତୀ ଦେବୀ ମଧ୍ୟ ‘ସି.ଆଇ.ଇ’ ଉପାଧି ଲାଭ କରିିଥିଲେ ।
ତାଙ୍କର ଧର୍ମପରାୟଣ ସ୍ଵଭାବ ଓ ସୁଶାସନ ଯୋଗୁଁ ପୁରୀ ମୁକ୍ତିମଣ୍ଡପ ସଭା ତାଙ୍କୁ ‘ଧର୍ମନିଧି’ ଓ ବଙ୍ଗଳାର ବଙ୍ଗୀୟ ସଂସ୍କୃତ ମହାମଣ୍ଡପ ତାଙ୍କୁ ‘ଜ୍ଞାନ ଗୁଣାକର’ ଉପାଧି ପ୍ରଦାନ କରିଥିଲେ । ଯେତେବେଳେ ତାଙ୍କ ପୂର୍ବସୂରୀମାନେ କୌଣସି ରାଜ୍ୟକୁ ଯାତ୍ରା କରିନଥିଲେ, ସେହି ମଧ୍ୟରେ ବ୍ୟତିକ୍ରମ କରି ୧୯୦୩ ମସିହାରେ ସେ ଦିଲ୍ଲୀ ଗସ୍ତରେ ଯାଇଥିଲେ। ଭାରତର ସମ୍ରାଟଙ୍କ କଲିକତା ଆଗମନ ସମୟରେ ତାଙ୍କୁ ଅଭିବାଦନ ଜଣାଇବାରେ ସମସ୍ତ ରାଜାମାନଙ୍କ ମଧ୍ୟରେ ପ୍ରଥମ ଥିଲେ। କଟକଠାରେ ସେ ଭାଇସରାୟଙ୍କ ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ ଯୋଗଦାନ କରିଥିଲେ। ୧୯୦୮ ମସିହାରେ କଲିକତା ଦରବାରରେ ଯେତେବେଳେ ତାଙ୍କୁ ମୁର୍ସିଦାବାଦର ନବାବ ଓ ବର୍ଦ୍ଧମାନର ମହାରାଜାଙ୍କଠାରୁ ଔପଚାରିକ ଭାବେ ମହାରାଜା ଉପାଧି ପ୍ରଦାନ କରାଯାଏ, ପରବର୍ତ୍ତୀ କାଳରେ ୧୯୨୧ ମସିହା ଜାନୁଆରୀ ମାସରେ ବଡ଼ଲାଟ ଚେମର୍ସ ଫୋର୍ଡ ଏହି ମହାରାଜା ଉପାଧିକୁ ଧାରଣଯୋଗ୍ଯ ବୋଲି ପ୍ରଦାନ କଲେ।
ସୋନପୁରର ରାଜା ଥିଲା ବେଳେ ଅନେକ ସଂସ୍କାରର ଶୁଭଲଗ୍ନ କରିଥିଲେ ବୀରମିତ୍ରୋଦୟ ସିଂହଦେବ। ପ୍ରଜାମାନଙ୍କ ସ୍ଵତ୍ତ୍ଵାସତ୍ତ୍ଵ ନିର୍ଣ୍ଣୟ ନିମିତ୍ତ ଭୂମିବିଧି ଆଇନ କରାଇଥିଲେ। ସୁଗମ ଯାତାୟାତ ପାଇଁ ରାସ୍ତାଘାଟ ନିର୍ମାଣ କରାଇଲେ। କୃଷିକ୍ଷେତ୍ରରେ ଅନେକ ସୁବିଧାପ୍ରଦ ବ୍ୟବସ୍ଥା କରିଲେ। ଦେୱାନ ପଦବୀ ଉଠାଇ ଦେଇ ସେହି ସ୍ଥାନରେ ୧୯୩୧ ମସିହାରେ ସେ ନିଜ ମନୋନୀତ ଓ ନିର୍ବାଚିତ ସଭ୍ୟମାନଙ୍କୁ ନେଇ ଏକ ବିଚାର ସମିତି ତାଙ୍କୁ ଦୈନିକ ରାଜକାର୍ଯ୍ୟରେ ସାହାଯ୍ୟ ପାଇଁ ଗଠନ କରିଥିଲେ। ଇଂରେଜ ଶାସନ ଅନୁକୃତ ଫୌଜଦାରୀ ଓ ଦେୱାନ କୋର୍ଟ ପ୍ରତିଷ୍ଠା କରାଇଥିଲେ। ୧୯୩୪ ମସିହାରେ ରାଜ୍ୟରେ ଗୋଟିଏ ହାଇକୋର୍ଟ ଓ ୧୯୩୬ ମସିହାରେ ହଜୁର କୋର୍ଟ ପାଇଁ ଘୋଷଣା କରିଥିଲେ। ତାଙ୍କ ପିତାଙ୍କ ସମୟର ଚାଳଛପର ଘର ସ୍ଥାନରେ ରାଜପ୍ରାସାଦ, ଡାକଘର ଓ ବିଶ୍ରାମାଗାରର ନିର୍ମାଣ କରାଇଲେ। ଏପରିକି ହିନ୍ଦୁ ତୀର୍ଥସ୍ଥାନ ବୃନ୍ଦାବନ ଓ ଗୟାରେ ମଧ୍ୟ ସେ ଯାତ୍ରୀମାନଙ୍କ ସୁବିଧା ପାଇଁ ଅନେକ ଅର୍ଥଦାନ କରିଛନ୍ତି। ଜୀର୍ଣ୍ଣାବସ୍ଥାରେ ଥିବା ପ୍ରାଚୀନ ମନ୍ଦିରମାନଙ୍କୁ ସେ ସଂସ୍କାରିତ କରି ପୁନଃ ର୍ନିମିତ କରିଥିଲେ। ହିନ୍ଦୁ ମନ୍ଦିରମାନଙ୍କ ଭିତରେ ଥିଲା ସୋମନାଥ ମନ୍ଦିର, ଗୋକର୍ଣ୍ଣେଶ୍ଵର ମନ୍ଦିର, ରାମଚନ୍ଦ୍ର ମନ୍ଦିର, ଖମ୍ବେଶ୍ଵରୀ ମନ୍ଦିର, ଭଗବତୀ, ଦୁର୍ଗା ମନ୍ଦିର ଇତ୍ୟାଦି। ଏପରିକି ନିଜ ପୁତ୍ର ସୋମଭୂଷଣ ଦେବଙ୍କ ସ୍ମୃତିରେ ପଞ୍ଚରଥ ମନ୍ଦିର ନିର୍ମାଣ କରାଇଥିଲେ। ଅନେକ ଦାତବ୍ଯ ସଂସ୍ଥାନକୁ ସାହାଯ୍ୟ କରିବା ସହ ୧୯୧୮-୧୯ ମସିହାରେ ଦୁର୍ଭିକ୍ଷ ପ୍ରପୀଡ଼ିତ ବଡ଼ମ୍ବା, ଆଠଗଡ଼, ତାଳଚେର ପ୍ରଭୃତି ରାଜ୍ୟମାନଙ୍କୁ ଚାଉଳ ଯୋଗାଇ ଦେଇଥିଲେ। ୧୯୩୩ ମସିହାରେ ସଂଘଟିତ ଭୀଷଣ ବନ୍ୟା ଓ ୧୯୩୪ ମସିହାରେ ସଂଘଟିତ ବିହାର ଭୂମିକମ୍ପ ପାଇଁ ସେ ଅନେକ ଅର୍ଥପ୍ରଦାନ କରିଥିଲେ।
ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରାଇବା କ୍ଷେତ୍ରରେ ତଥା ଦୁଷ୍ପ୍ରାପ୍ୟ ଓଡ଼ିଆ ପୁସ୍ତକର ପ୍ରକାଶନ ଦ୍ଵାରା ବୀରମିତ୍ରୋଦୟ ସିଂହଦେବ ଓଡ଼ିଆ ଭାଷା ଓ ସାହିତ୍ୟକୁ ଉଚ୍ଚମାନ୍ୟତା ପ୍ରଦାନ କରିଥିଲେ। ଓଡ଼ିଆ ଶିକ୍ଷା ଓ ସଂସ୍କୃତିର ପ୍ରସାରଣ ପାଇଁ ରାଜ୍ୟରେ ନାରୀଶିକ୍ଷା ଓ ଆଦିବାସୀମାନଙ୍କ ସାକ୍ଷରତା ପାଇଁ ଉଦ୍ୟମରତ ଥିଲେ। ରାୟପୁର ରାଜକୁମାର କଲେଜ, କଲିକତାର ଆଶୁତୋଷ କଲେଜ ଓ ସିଟି କଲେଜ, ଆଜମେର ମେୟୋ କଲେଜ, ବନାରସ ଆୟୁର୍ବେଦ କଲେଜ ପାଇଁ ସେ ଅର୍ଥପ୍ରଦାନ କରିଥିଲେ। ପାଟଣା ମିଉଜିମ୍, ପୁରୀ ସଂସ୍କୃତ କଲେଜ, ପୁରୀ ମୁକ୍ତିମଣ୍ଡପ ସଭା, ଧର୍ମବିପ୍ଳବ ବିଧ୍ଵଂସିନୀ ସଭା, ପୁରୀ କରଣ ସମାଜ, ବ୍ରହ୍ମପୁରର ଉତ୍କଳ ସମାଜ, କଲିକତା ସଂସ୍କୃତ ମହାମଣ୍ଡଳ, ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ବୈଦ୍ୟସଭା, ପାଟଣାର ନିଖିଳ ଭାରତ ପ୍ରାଚ୍ୟ ସମ୍ମିଳନୀ ପାଇଁ ତାଙ୍କର ବଦାନ୍ୟତା ସର୍ବଭାରତୀୟ ସ୍ତରରେ ପରିଚିତ ଥିଲା। ତାଙ୍କରି ଅନୂଦିତ ନାଟକ ‘ରତ୍ନାବଳୀ’ ହିଁ ଥିଲା ଓଡ଼ିଆ ସାହିତ୍ୟରେ ପ୍ରଥମ ଅନୁବାଦ ନାଟକ। ଏହା ଶ୍ରୀହର୍ଷ ଦେବଙ୍କ ମୂଳ ସଂସ୍କୃତ ନାଟକରୁ ଅନୂଦିତ ହୋଇ ୧୮୯୪ ମସିହାରେ ପ୍ରକାଶ ପାଇଥିଲା। ନାଟକଟି ଚାରି ଅଙ୍କ ବିଶିଷ୍ଟ, ଅଥଚ ଦୃଶ୍ୟ ବିଭାଜନ ପରିଲକ୍ଷିତ ହୋଇ ନାହିଁ। ପାରମ୍ପରିକ ସ୍ବଗତୋକ୍ତି, ନେପଥ୍ୟ, ନାନ୍ଦୀ ଇତ୍ଯାଦି ସାହାଯ୍ୟରେ ନାଟକଟି ଉପସ୍ଥାପିତ। ଅଭିନୟକୁ ସୁବିଧାପ୍ରଦ କରିବା ପାଇଁ ନାଟକ ଚଉପଦୀ ସଙ୍ଗୀତ ଶୈଳୀରେ ରୂପାନ୍ତରିତ ହୋଇ ଅଛି। କାଳିଦାସଙ୍କ ନାଟକ ‘ଅଭିଜ୍ଞାନ ଶାକୁନ୍ତଳମ୍’ର ଅନୁବାଦ ଥିଲା ତାଙ୍କର ଦ୍ଵିତୀୟ ଅନୁବାଦ। ଆକ୍ଷରିକ ଭାବେ ଅନୂଦିତ ଏହି ନାଟକ  ୧୮୯୯ ମସିହାରେ ପ୍ରକାଶିତ ହୋଇଥିଲା। ଏହା ଅନେକ ବାର ଅଭିନୀତ ହୋଇଥିଲା ସେତେବେଳେ।
ଭାରତ ବିଖ୍ୟାତ ବିଦ୍ଵାନ ଓ ତାଙ୍କ ରାଜସଭାକୁ ବିଦ୍ୟାଭୂଷଣ ଚିନ୍ତାମଣି ନନ୍ଦ, ବିଦ୍ୟାରତ୍ନ ଗୋପୀନାଥ ପାଣିଗ୍ରାହୀ, କୃପାସିନ୍ଧୁ ମିଶ୍ର ଜ୍ୟୋତିଷାଳଂକାର, ଆଦିତ୍ୟ ପ୍ରସାଦ ଗୁରୁ କାବ୍ୟତୀର୍ଥ, ପଣ୍ଡିତ ଦାମୋଦର ଶାସ୍ତ୍ରୀ ପ୍ରଭୃତି ବିଶିଷ୍ଟ ବିଦ୍ଵାନ୍ ମାନେ ତାଙ୍କ ରାଜସଭାର ଶୋଭାବର୍ଦ୍ଧନକାରୀ ଥିଲେ। ତାଙ୍କର ଐତିହାସିକ ରଚନା ମଧ୍ୟରେ ବିଜୟ ଚନ୍ଦ୍ର ମଜୁମଦାର, କୁମାର ଜନ୍ମୋତ୍ସବ, ଏକାଦଶୀ ଉଦଯାପନ, ସୋନପୁର ରାଜବଂଶାନୁଚରିତ ପ୍ରମୁଖ। କାବ୍ୟ, ନାଟକ, ଉପନ୍ୟାସ ମଧ୍ୟରେ ‘ଭଗ୍ନକଙ୍କଣ ନୀଳକୁନ୍ତଳ’, ସଙ୍ଗୀତ ଓ ଜଣାଣ, ଭ୍ରମଣ ରଚନା, କୃଷି, ଜ୍ୟୋତିଷ ଶାସ୍ତ୍ର ପ୍ରଭୃତି ସାହିତ୍ୟରେ ତାଙ୍କର ଅଭିନିବେଶ ଥିଲା। ‘ସ୍ତୋତ୍ର ତରଙ୍ଗିନୀ’(୧୮୯୩), ‘ସଙ୍ଗୀତ କୁସୁମାବଳୀ’(୧୯୦୦), ‘ଚନ୍ଦ୍ରପ୍ରଭା’(୧୯୦୨), ‘ବିକ୍ରମୋର୍ବଶୀ’(ଅନୂଦିତ ୧୯୧୦), ‘ସ୍ଵର୍ଣ୍ଣପୁର ବେଢ଼ା ପରିକ୍ରମା’(୧୯୧୦), ‘ଋତୁସଂହାର’(୧୯୧୫), ‘ଭଗ୍ନକଙ୍କଣ’(୧୯୨୦), ‘ନୈଷଧ ଚରିତ’(୧୯୨୩), ‘ଶ୍ଳୋକମଞ୍ଜରୀ’ (୧୯୨୪), ‘ଅନଙ୍ଗ ରଙ୍ଗିଣୀ’(୧୯୨୫), ‘ସଙ୍ଗୀତ ରତ୍ନହାର’(୧୯୨୫) ଇତ୍ୟାଦି ତାଙ୍କର ଅବିସ୍ମରଣୀୟ ସୃଷ୍ଟି ସବୁ।
ଏହି ମହାନୁଭବୀ ରାଜା ବୀରମିତ୍ରୋଦୟ ସିଂହଦେବ ୧୯୩୭ ମସିହା ଅପ୍ରେଲ ୩୦ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ। ଏହି ମହାନୁଭବୀ ରାଜାଙ୍କ ଅମରଗାଥାକୁ ସଦା ଅବିସ୍ମୃତ ରଖି ଆମର ପାଥେୟ କରିବା ନିତାନ୍ତ ଶିକ୍ଷା ହେଉ।
Biramitrodaya Singhadeba Amritesh Khatua
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago