ଲେଖା: ଅମ୍ରିତେଶ ଖଟୁଆ
ଏପ୍ରିଲ ୧, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ଜନ୍ମଦିନ। ହେଲେ ଆଉ ଜଣେ ମହୀୟାନ ବୈଜ୍ଞାନିକ, ଯିଏକି ଓଡ଼ିଆ ମାଟିରୁ ବିଶ୍ଵସ୍ତରକୁ ନିଜ ଅଭୂତପୂର୍ବ ବୈଜ୍ଞାନିକ ସିଦ୍ଧାନ୍ତ ବଳରେ ଜ୍ଞାନର ଅନୁପମ ଶ୍ରେଣୀକୁ ଆରୋହଣ କରି ନିଜ ବିଦବତ୍ତାର ପରିଚୟ ଦେଇଥିଲେ। ଏଇ ମହାନ ଦିବସଟି ମଧ୍ୟ ଡଃ ପ୍ରାଣକୃଷ୍ଣ ପରିଜାଙ୍କ ଜନ୍ମଦିନ।
ସାଧାରଣତଃ, ବର୍ତ୍ତମାନ ଯୁଗରେ ରାଜନୀତି ମଧ୍ୟରେ ବୈଜ୍ଞାନିକମାନଙ୍କ ପରି ବ୍ୟକ୍ତିବିଶେଷଙ୍କ ଅଂଶଗ୍ରହଣ ଖୁବ ନ୍ୟୂନ। ହେଲେ, ଆମ ଓଡିଶାର ପ୍ରଥମ ନିର୍ବାଚନୀ ଇତିହାସରେ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା କୌଣସି ମନୋନୀତ ସଭ୍ଯ ଅଥବା ରାଜନୈତିକ ଦଳର ପୃଷ୍ଠପୋଷକତା କରି ନିର୍ବାଚିତ ନ ହୋଇ ବରଂ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ନିର୍ଦ୍ଦଳୀୟ ନିର୍ବାଚିତ ହୋଇଥିଲେ।
ପ୍ରାଣକୃଷ୍ଣ ପରିଜା ଏପ୍ରିଲ ୧, ୧୮୮୧ ମସିହାରେ କଟକର ବାଲିକୁଦା ସ୍ଥିତ ଇଚ୍ଛାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବାଲିକୁଦା ମଧ୍ୟ-ଇଂରାଜୀ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଶେଷକରି, ସେ ୧୯୦୪ ମସିହାରେ କଟକର ରେଭେନ୍ସା କଲିଜିଏଟ ସ୍କୁଲରେ ନାମ ଲେଖାଇଥିଲେ । ସ୍କୁଲ ଯିବା ପାଇଁ, ବହୁ ସମୟରେ ତାଙ୍କୁ ବାଲିକୁଦାରୁ କଟକ, ୩୬ ମାଇଲ ବାଟ, ଚାଲି ଚାଲି ଯିବାକୁ ପଡୁଥିଲା । ସେ ରେଭେନ୍ସା କଲିଜିଏଟ ସ୍କୁଲରୁ ମାଟ୍ରିକ ଓ ରେଭେନ୍ସା ମହାବିଦ୍ୟାଳୟରୁ କୃତିତ୍ୱର ସହ ଆଇ.ଏସ୍. ସି. ପାସକରିଥିଲେ । ୧୯୧୩ ମସିହାରେ ସେ କଲିକତାର ପ୍ରେସିଡେନ୍ସି ମହାବିଦ୍ୟାଳୟରୁ ଗଣିତରେ ଅନର୍ସ ସହ ବି.ଏସ୍.ସି. ପାସ କରିଥିଲେ ଓ ଛାତ୍ରବୃତ୍ତି ପାଇ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ଅଧ୍ୟୟନ କରିବା ପାଇଁ ୧୯୧୪ ମସିହାରେ ଇଂଲଣ୍ଡ ଯାତ୍ରା କରିଥିଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ, ସେ ପ୍ରଥମ ଭାରତୀୟ ଭାବରେ ଫ୍ରାଙ୍କସ୍ଫର୍ଟ ଛାତ୍ରବୃତ୍ତି ପାଇବାର ଗୌରବ ଅର୍ଜନ କରିଥିଲେ । ୧୯୪୩ ମସିହାରେ ପ୍ରତିଷ୍ଠିତ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ପଦ ମଣ୍ଡନ କରିଥିଲେ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା। ସ୍ଵାଧୀନୋତ୍ତର ପ୍ରଥମ ବିଧାନସଭା ନିର୍ବାଚନ ୧୯୫୧ ମସିହା ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇ ୧୯୫୨ ଜାନୁଆରୀ ୨୪ ତାରିଖରେ ଶେଷ ହୋଇଥିଲା। ଏହା ଥିଲା ଦେଶର ପ୍ରଥମ ସାମ୍ଵିଧାନିକ ସାଧାରଣ ନିର୍ବାଚନ। ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟ, ସୋସିଆଲିଷ୍ଟ ପାର୍ଟି, ଗଣତନ୍ତ୍ର ପରିଷଦ ଓ ଫରୱାର୍ଡ ବ୍ଲକ୍ ପ୍ରମୁଖ ପ୍ରତିଦ୍ବନ୍ଦ୍ଵିତା କରିଥିଲେ। କିନ୍ତୁ , ଅନେକ ସ୍ଵାଧୀନଚେତା ରାଜନେତା ଏ ଭିତରୁ କୌଣସି ଦଳର ଟିକେଟ ନନେଇ ନିର୍ଦ୍ଦଳୀୟ ଭାବରେ ପ୍ରତିଦ୍ଵନ୍ଦ୍ଵିତା କରିବାରୁ ପସନ୍ଦ କରିଥିଲେ, ଯାହାଙ୍କ ମଧ୍ୟରେ ଥିଲେ ବୈଜ୍ଞାନିକ ତଥା ଶିକ୍ଷାବିତ୍ ପ୍ରାଣକୃଷ୍ଣ ପରିଜା। ବାଲିକୁଦା ନିର୍ବାଚନ ମଣ୍ଡଳୀରେ ୧୯୫୨ ମସିହାରେ ଏକ ତ୍ରିମୁଖୀ ପ୍ରତିଯୋଗିତା ହେଉଥାଏ। ପ୍ରାଣକୃଷ୍ଣ ପରିଜାଙ୍କ ବିପକ୍ଷରେ ଥାଆନ୍ତି କଂଗ୍ରେସର ଟାଣୁଆ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସାଧାରଣ ସଂପାଦକ ଭାଗୀରଥି ମହାପାତ୍ର। ତାଙ୍କର ପତ୍ନୀ ସରଳା ଦେବୀ ୧୯୩୭ ମସିହାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଟକ ସହର ନିର୍ବାଚନମଣ୍ଡଳୀରୁ ମହିଳା ସଭ୍ୟ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତା’ ଛଡ଼ା ତୃତୀୟ ପ୍ରାର୍ଥୀ ସୋସିଆଲିଷ୍ଟ ପାର୍ଟିର ବସନ୍ତ କୁମାର ସାହୁଙ୍କ ସହ ମଧ୍ୟ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ହେଉଥାଏ। ତଥାପି ମଧ୍ୟ ନିର୍ବାଚନ ଶେଷ ବେଳକୁ ପ୍ରାଣକୃଷ୍ଣ ପରିଜା ୩୫୫ ଖଣ୍ଡ ଭୋଟ ବ୍ୟବଧାନରେ ଭାଗୀରଥି ମହାପାତ୍ରଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ। ବସନ୍ତ ସାହୁ ପାଇଥିଲେ ୫୪୭୦ ଖଣ୍ଡ ଭୋଟ୍ ( ତୃତୀୟ ସ୍ଥାନ ପାଇ )। ୧୯୫୨ ନିର୍ବାଚନରେ ବିଧାନସଭାରେ ୧୪୦ଟି ଆସନ ମଧ୍ୟରୁ କଂଗ୍ରେସ ୬୭ଟି ଆସନ ଜିଣିଥିଲା ବେଳେ ଗଣତନ୍ତ୍ର ପରିଷଦ ୩୧ଟି ତଥା ୨୪ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେମାନଙ୍କ ଭିତରୁ ୭ଜଣଙ୍କର ସମର୍ଥନ ନେଇ କଂଗ୍ରେସ ଦଳ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ସରକାର ଗଠନ କଲା। ଏହା ପୂର୍ବରୁ ପ୍ରାଣକୃଷ୍ଣ ପରିଜା ୧୯୪୫ ମସିହାରୁ ୧୯୪୮ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଦ୍ଵାରା ନୂତନ ହୋଇ ଗଠିତ ହୋଇଥିବା କୃଷି ବିଭାଗର ପ୍ରଥମ ନିର୍ଦ୍ଦେଶକ ରୂପେ ନିଯୁକ୍ତ ହୋଇ କୃଷିକ୍ଷେତ୍ରରେ ଅନେକ ବହୁମୁଖୀ ଉନ୍ନତି ଆଣିପାରିଥିଲେ। ୧୯୫୨ ମସିହାରୁ ୧୯୫୫ ମସିହା ପର୍ଯ୍ୟନ୍ତ ପ୍ରଫେସର ପରିଜା ବାଲିକୁଦା ନିର୍ବାଚନମଣ୍ଡଳୀରୁ ନିର୍ଦ୍ଦଳୀୟ ବ୍ୟକ୍ତି ରୂପେ ନିର୍ବାଚିତ ହୋଇଥିଲେ।
ବିଧାନସଭାରେ ସେ କଟକ ସହରର ଉନ୍ନତି ପାଇଁ ଗୋଟିଏ ବେସରକାରୀ ବିଲ୍ ଉପସ୍ଥାପନ କରି ଏହି ସର୍ବପୁରାତନ ସହରର ଯଥୋଚିତ ଉନ୍ନତିକଳ୍ପେ ଧ୍ୟାନ ପ୍ରଦାନ କରିଥିଲେ। ଏଥି ସହ ନିଜ ନିର୍ବାଚନୀ ବ୍ୟୟକୁ ତତ୍କାଳୀନ ନିୟମାନୁସାରେ ୭ ହଜାର ଟଙ୍କାରୁ କମ୍ ରଖି ସେ ସମଗ୍ର ଭାରତବର୍ଷରେ ବେଶ ପ୍ରଶସ୍ତି ଲାଭ କରିବାର ସହ ଓଡ଼ିଶା ସରକାରଙ୍କ ଦ୍ଵାରା ଗଠିତ ନିଶା ନିବାରଣ କମିଟିରେ ପ୍ରଫେସର ପରିଜା ଅଧ୍ୟକ୍ଷ ରୂପେ କାର୍ଯ୍ୟ କରି ବହୁ ଉପାଦେୟ ଓ ମୂଲ୍ୟବାନ ଗଠନମୂଳକ ପରାମର୍ଶ ପ୍ରଦାନ କରୁଥିଲେ। ୧୯୫୫ରେ ଭାରତ ସରକାରଙ୍କ ଦ୍ଵାରା ପଦ୍ମଭୂଷଣ ଉପାଧି ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା।