ଲେଖା: ଦେଵ ତ୍ରିପାଠୀ

ତୁମ ମାଟି ଦେହ ଗ୍ରାସିଛି ଶ୍ମଶାନ,
ମାତ୍ର ଯଶୋଦେହେ ତୁମେ ଆୟୁଷ୍ମାନ ।”

କେତେ ବଡ଼ କଥା କହିଛନ୍ତି କବିବର !

ଗଙ୍ଗଶିଉଳି ଫୁଲ । ସଞ୍ଜରେ ଫୁଟେ, ସକାଳକୁ ଝଡ଼ିଯାଏ । କିନ୍ତୁ ରୂପରେ, ରସରେ, ବାସରେ ବିହ୍ଵଳିତ କରେ ସଭିଙ୍କୁ ! ସେ ଫୁଲର କଳ୍ପନାରେ ବି ଅନୁଭୂତ ହୁଏ ସେ ବାସ, ମନ ଚହଲିଯାଏ !

ଥିଲା ଗୋଟିଏ ଗଙ୍ଗଶିଉଳି ଫୁଲ । ସେମିତି ବାସ ଚହଟାଇଥିଲା, ନିଜ ତ୍ୟାଗର, ଉତ୍ସର୍ଗର,  ଦେଶପ୍ରେମର, ଭାଷାପ୍ରେମର, ଜାତୀୟତାବୋଧର, ସ୍ବାଭିମାନର ! ନିଷ୍ଠାପର ମାନବବାଦୀଟିଏ ହୋଇ ସେ କେତେ ଭଲ ପାଉଥିଲା ଏ ଜାତିକୁ ! ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେ କେତେ ତ୍ୟାଗ ନ କରିଛି ସତେ ! ପୁଣ୍ୟ ଜନ୍ମମାଟି ପୁଣ୍ୟ ଭାଷା ମା’ ପାଇଁ ଲଢ଼ି ଲଢ଼ି ଦିନେ ଝାଉଁଳି ପଡ଼ିଲା ସେ !

୨୬ ବର୍ଷର କଅଁଳ ଜୀବନ ! ମାତ୍ର ନିଜର ଦୁର୍ବାର ଇଛାଶକ୍ତି, କାର୍ଯ୍ୟକୁଶଳତା, ନିଃସ୍ଵାର୍ଥପର ସେବା, ମାଟି ମା’ ପ୍ରତି ପ୍ରଗାଢ ପ୍ରେମ ଯୋଗୁଁ ସେ ଓଡ଼ିଆଙ୍କ ପାଇଁ ବଳିଗଲା ପ୍ରେରଣା !

ସମ୍ବଲପୁର ସମେତ ବିଶାଳ ପଶ୍ଚିମାଞ୍ଚଳର ଜନତାଙ୍କ ମଧ୍ୟରେ ଜାତିର ଉନ୍ମେଷ ପାଇଁ ଜାତୀୟ ଜୀବନର ପ୍ରାଣପ୍ରତିଷ୍ଠା ପାଇଁ ଚିର ଉତ୍ସର୍ଗୀକୃତ ସେଇ ସାଧକ ଜଣକ ଥିଲେ କର୍ମଵୀର ବୈକୁଣ୍ଠନାଥ ପୂଜାରୀ

ସମ୍ବଲପୁର ସହରର ଜମିଦାର ପରିବାରରେ ଜନ୍ମିତ ବୈକୁଣ୍ଠନାଥ ଏକାଧାରରେ ରସାୟନ ଶାସ୍ତ୍ର ଓ ଓକିଲାତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହିତ ସେ ବନିପାରିଥିଲେ ସେଠାକାର ପ୍ରଥମ ସିଭିଲିଆନ୍ । ରାଜଶକ୍ତି ପ୍ରତି ଅନୁରକ୍ତ ପିତାଙ୍କ ନିର୍ଦ୍ଦେଶ ରକ୍ଷାକରି ସେ ଯୋଗଦେଇଥିଲେ ଡେପୁଟି କଲେକ୍ଟର ପଦବୀରେ ।

ସେ ବେଳରେ ଇଂରେଜ ସରକାର ମଧ୍ୟପ୍ରଦେଶୀ କର୍ମଚାରୀଙ୍କ ଚକ୍ରାନ୍ତରେ ସମ୍ବଲପୁର ଅଞ୍ଚଳରୁ ଓଡ଼ିଭାଷାକୁ ହଟାଇ ଲଦି ଦେଇଥାନ୍ତି ହିନ୍ଦୀଭାଷାକୁ !

ପ୍ରଶାସନିକ ଦୁନିଆର ବହଳ ଚଉହଦୀ ଭେଦି ତାଙ୍କ ମନପ୍ରାଣକୁ ଭେଦୁଥିଲା ବିକଳ ଡାକ ! ଏଇ ମାଟିର ଡ଼ାକ, ମାଟିମା’ର ଡାକ ! ତାଙ୍କ କାନରେ ବାଜୁଥିଲା ଭାଷାଜନନୀର ବିକଳ କାନ୍ଦଣା । ବିଦେଶୀ ହିନ୍ଦୀଭାଷାର ପ୍ରଚଣ୍ଡ ଆଘାତରେ କ୍ଷତାକ୍ତ ଜନନୀର ଯନ୍ତ୍ରଣାକୁ ଅନୁଭବ କରୁଥିଲେ ମର୍ମେ ମର୍ମେ ।

ବିଦେଶୀ ସରକାରର ତାଡନା ଓ ବିଦେଶୀ ଧର୍ମର ଚାବୁକମାଡରେ ଲହୁଲୁହାଣ ନିଜ ମାଟିର ସନ୍ତାନଗଣ । ବ୍ୟଥା ଜର୍ଜରିତ ବୈକୁଣ୍ଠ, କଟା ଘା’ରେ ଚୂନ ଦେଲା ପରି ! ଯଦି ମାଟିମା’ ନ ରହେ, ଯଦି ହତ ହୁଏ ଏଇ ମାଟିର ଭାଷା, ତେବେ କି ହେବ ଏ ସରକାରୀ ପଦବୀ, କି ହେବ ଏ ପଦବୀର ଦାମ୍ଭୀକତା !

ବିବେକର ପ୍ରଚଣ୍ଡ ତାଡ଼ନାରେ ସେ ଯୁବକ ବୈକୁଣ୍ଠନାଥ ପୂଜାରୀ ପ୍ରଶାସନିକ ଦୁନିଆରୁ ଗୋଡ଼ କାଢିଲେ ଦେଶମାତୃକା ପାଇଁ, ମାଟିର ସମ୍ମାନ ପାଇଁ, ଭାଷାର ସୁରକ୍ଷା ପାଇଁ, ଆଧିକାରିକ ନିର୍ଦ୍ଦେଶ ପାଇଁ ଉଦ୍ଦିଷ୍ଟ ହାତ ସେଦିନ ଧରିଲା ଅଖଣ୍ଡ ମସୀ ।

ଜୀବନରେ ଲକ୍ଷ୍ୟ ହୋଇଗଲା ସୁନିର୍ଦ୍ଦିଷ୍ଟ !
ଓଡ଼ିଆ ଭାଷାର ସୁରକ୍ଷା !
ଓଡ଼ିଆ ! ଓଡ଼ିଆ ! ଓଡ଼ିଆ !
ଓଡ଼ିଶା ମାଟିର ଓଡିଆ !
ଓଡ଼ିଆ ଜାତିର ଭାଷା ଓଡ଼ିଆ !

ଦିନ ନାହିଁ, ରାତି ନାହିଁ, ଖିଆପିଆ ଶୋଇବା ସାତସପନ ! ଚାଲିଛନ୍ତି ବୈକୁଣ୍ଠନାଥ କେବେ ଶଗଡଗାଡିରେ କେବେ ପୁଣି ଘୋଡାପିଠିରେ ! ତାଙ୍କୁ ଧାଇଁବାକୁ ହେବ ! ଗାଁ ଗାଁ ସହର ସହର ବୁଲୁଛନ୍ତି ବୈକୁଣ୍ଠ, ଜଗାଉଛନ୍ତି ଘୁମାଇ ପଡିଥିବା ଜନତାଙ୍କୁ ।

ଏଇ ଉତ୍କଳ ଆମରି ମା’ !
ଏଇ ଆମରି ଜନ୍ମଭୂମି !
ଆମ ମା’ର ଭାଷା ଆଜି ହୀନିମାନ !
ଥରେ ଭାବିଦେଖ, ଏ ମାଟିରୁ ମାଟିର ଭାଷାକୁ ଯଦି କିଏ ଛଡ଼ାଇ ନିଏ ତେବେ କି ମୁହଁ ଦେଖାଇବ ମା’କୁ ତମର ?
ଦେଖିପାରିବ କି ତମେ ମା’ର ଝାଉଁଳା ମୁହଁ ?
ସହିପାରିବ କି ମା’ ଆଖିରେ ଲୁହ ଦେଖି ?
ମା’ର ଭାଷା ଯଦି ନ ରହେ କାହାକୁ ଆଉ ଡାକିବ ମା’ ବୋଲି ?

ତାଙ୍କ କାତର ସ୍ବରର ଏ ଭାଷଣ ଓ ଲୁହ ଛଳଛଳ କଣ୍ଠରେ ଉତ୍କଳ ଜନନୀଙ୍କ ଏପରି ଦୁଃଖ ଭାବବିହ୍ୱଳ ନ କରିଛି କେତେ କେତେ ଲୋକଙ୍କୁ !

ଭାଷା ପାଇଁ କେତେ ନ କାନ୍ଦିଛନ୍ତି ସେ !

ତାଙ୍କ ଲୁହରେ ତରଳିଛି ଜନତା, ତାଙ୍କ ଭାଷାପ୍ରେମ ଆଗରେ ହାର ମାନିଛି ଧୂର୍ତ୍ତ ମଧ୍ୟପ୍ରଦେଶୀଗଣ, ତାଙ୍କ ନିଷ୍ଠା ପାଖରେ ମୁଣ୍ଡ ନୁଆଇଁଛି ଦୁର୍ଦ୍ଧର୍ଷ ବ୍ରିଟିଶ ସରକାର !

କେବଳ ସମ୍ବଲପୁର ଏବଂ ଆଖପାଖ ଅଞ୍ଚଳରେ ଓଡ଼ିଆ ଭାଷା ସଗର୍ବେ ଠିଆହୋଇନି, ଫୁଲଝର, ରାୟପୁର ଆଦି କେତେ ଓଡିଆଷାଷାଭାଷୀ ଅଞ୍ଚଳରେ ମାନ୍ୟତା ପାଇଛି ଆମ ଓଡ଼ିଆ ଭାଷା !

ସତେ ଯେପରି ଏତେ ସଫଳତା ସାଉଁଟିବାର ସୁଖ ଦେଖିବା ତାଙ୍କ ଭାଗ୍ୟରେ ନ ଥିଲା ! ବ୍ରିଟିଶ ସରକାରଙ୍କ ଘୋଷଣା ପରେ ବି କିଛି ସ୍ଥାନୀୟ ଲୋକଙ୍କର ମନରୁ ଯାଇ ନ ଥିଲା ପରଦେଶୀ ହିନ୍ଦିଭାଷାପ୍ରୀତି !

୧୯୦୩ ମସିହା । ଅକ୍ଟୋବର ୧୫ ତାରିଖ । ଓଡ଼ିଆଙ୍କ ହାତରେ ଓଡ଼ିଆ ଭାଷାର ଅପମାନ ଦେଖି ମାନସିକ ଆଘାତରେ ଟଳି ପଡ଼ିଥିଲେ କର୍ମଵୀର ବୈକୁଣ୍ଠନାଥ ପୂଜାରୀ । ଦୀର୍ଘ ଦିନର ଅଖିଆ ଅପିଆ ଥାଇ ଯକ୍ଷ୍ମାରୋଗରୁ ଧୀରେ ଧୀରେ ମୁକୁଳି ଆସୁଥିଲେ ସେ !

ବୋଧହୁଏ ଉତ୍କଳଜନନୀ ତାଙ୍କ ପ୍ରିୟ ସନ୍ତାନକୁ କୋଳେଇ ନେବା ପାଇଁ ବ୍ୟଗ୍ରଥିଲେ ! ଆମେ ଓଡ଼ିଆମାନେ ବୋଧହୁଏ ବୈକୁଣ୍ଠନାଥଙ୍କ ତ୍ୟାଗ, ତିତିକ୍ଷାକୁ ଭୁଲି ଯିବାକୁ ତତ୍ପର ଥିଲୁ ! ଆଜି ମନେପଡେ ଉତ୍କଳମଣିଙ୍କ କଥା ପଦିଏ:
“ମାନବ ଜନମ ହୁଅଇ ସଫଳ,
ଏ ମହାଦୀକ୍ଷା କି ବୁଝିବ ଉତ୍କଳ !”

ଏ ଜାତିର ଅବଜ୍ଞା ପାଇଁ ଅନ୍ତରଙ୍ଗ କଳିଙ୍ଗର ଏତିକି ପ୍ରାର୍ଥନା ସେ ଯୁଗପୁରୁଷଙ୍କୁ, ଏ ଅଜ୍ଞାନ ଜାତିକୁ କ୍ଷମାକର . .

Spread the love
admin

View Comments

  • ଓଡ଼ିଆ ଭାଷା କୁ ହତ୍ୟା କରିବା ପାଇଁ ଯେତେବେଳେ ଯୋଜନା ଚାଲିଥିଲା, ପଶ୍ଚିମରେ ହିନ୍ଦୀ,ଉତ୍ତର ପୂର୍ବରେ ବଙ୍ଗଳା ଓ ଦକ୍ଷିଣରେ ତେଲୁଗୁ ଭାଷା ଯେପରି ଭାବେ ଓଡ଼ିଶାର ନିରୀହ ଜନତାଙ୍କ ଉପରେ ଚକ୍ରାନ୍ତ କରି ଲଦି ଦେବାକୁ ପ୍ରତିଯୋଗିତା ଚାଲିଥିଲା,ସେତିକି ବେଳେ ଭାଷା ପ୍ରେମୀ,ଉତ୍କଳ ପ୍ରେମୀ ବୈକୁଣ୍ଠନାଥ ପୂଜାରୀଙ୍କ ପରି କେତେଜଣ ତ୍ରାଣ କର୍ତ୍ତା ସାଜି ଆମ ଭାଷାକୁ ଭୁ ଲୁଣ୍ଠିତ ହେବାରୁ ରକ୍ଷା କରିଥିଲେ। ଅଳ୍ପାୟୁଷ ବୈକୁଣ୍ଠନାଥ ପୂଜାରୀଙ୍କ ଅବଦାନ ଏ ଜାତି ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ତାଙ୍କର ଜନ୍ମତିଥିରେ ସଶ୍ରଦ୍ଧ ପ୍ରଣାମ।

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago