ଲେଖା: ଦେବ ତ୍ରିପାଠୀ

“ଘୃଣା, ବିଦ୍ୱେଷ, ଈର୍ଷା ଦେଇ ମୋତେ ସେଇ ଋଣ ପରିଶୋଧ କରିବାକୁ ପଡିଲା ଇନିସପେକ୍ଟର . . !” ବହୁଚର୍ଚ୍ଚିତ ଅଶାନ୍ତଗ୍ରହ ନାଟକର ନାୟକ ପିତୃପରିଚୟ ହୀନ ହେମନ୍ତ ଏପରି ଛାତିଥରା ସଂଳାପ ଅବା ‘ତିମିରତୀର୍ଥ’ରେ କୁମାର ସାହେଵ, ‘ଜନନୀ’ରେ ପାଗଳା ସୁବାସର ପାଗଳାମି ଅବା ‘ଡ଼ାକବଙ୍ଗଳା’ର ବିବେକ ଚରିତ୍ରର ହୃଦୟଛୁଆଁ ଅଭିନୟ ଯିଏ ଦେଖିଛି ସେ ହିଁ ପରଖିପାରିଛି ସେଇ କଳାକାର ଓଡ଼ିଆ ମଞ୍ଚର ସିଂହରାଜାକୁ !

ଆଜି ତିନିକୋଣିଆ ବଗିଚାର ସେ ଅନ୍ନପୂର୍ଣ୍ଣା-ବି ରଙ୍ଗମଞ୍ଚ ଭଗ୍ନସ୍ତୁପ ଭିତରେ କାନଡେରିଲେ ଶୁଭେ ସେଇ ତଲ୍ଲୀନ ତନ୍ଦ୍ରାବିଭୋର ସେଇ ସିଂହରାଜାର ଗୁରୁଗମ୍ଭୀର କଣ୍ଠର ସଂଳାପ ! ସେହି ଐତିହାସିକ ଭୂମିରେ  ଅନୁଭବ କରିହୁଏ ତା’ର ସାଧନାର ସଂକଳ୍ପ, ଆହୁରି ମଧ୍ୟ ସେଠି ଅନୁଭବ କରିହୁଏ କଳାକାର ନିର୍ମାଣର ପ୍ରେରଣାର ଅସ୍ତଗାମୀ କରୁଣ ଦୃଶ୍ୟାବଳୀକୁ ।

ଆଜ୍ଞା ହଁ, ସେ ସିଂହ କେବଳ ମଞ୍ଚ ଗଢ଼ି ନ ଥିଲା, ସେ ଦର୍ଶକଙ୍କୁ ମଞ୍ଚ ଆଡ଼କୁ ମୁହାଁଇ ପାରିଥିଲା, ସେ ରଚିଥିଲା ରଙ୍ଗମଞ୍ଚର ଇତିହାସ; ଜୀବନ ଉତ୍ସର୍ଗ କରିଦେଇଥିଲା ମଞ୍ଚ ପାଇଁ, କଳା ପାଇଁ; ଗଢ଼ି ଥିଲା କେତେ କେତେ କଳାକାର, ଶିଖାଇଥିଲା ବଞ୍ଚିବାର ଅବଲମ୍ବନ ! କଳା ପାଇଁ, ମଞ୍ଚ ପାଇଁ ସେ ଜୀବନର ସବୁକିଛି ଦେଖାଦେଲା, ମାତ୍ର ପାଇଛି କ’ଣ ?

ପେସାରେ ସେ ଥିଲେ ଇଞ୍ଜିନିୟର, ହେଲେ ଅଭିନୟର ପୂଜାରୀ ହେବା ପାଇଁ ଅଭିନେତାଟିଏ ହେବା ପାଇଁ ଯାହାର ଜନ୍ମ ସେ କି ବାନ୍ଧି ହୋଇ ରହି ପାରିଥାନ୍ତା ଘଷାପିଟା ଇଞ୍ଜିନିୟରିଂ ଚାକରି ଭିତରେ ! ଅଭିନୟର ମୋହ ଆଉ ବିବେକର ତାଗଡା ନିର୍ଦ୍ଦେଶରେ ସେ ଫେରିଥିଲେ ଜନ୍ମମାଟି କଟକକୁ।

କଟକରେ ବିଭିନ୍ନ ନାଟ୍ୟସଂସ୍ଥା ସହିତ ଜଡିତହୋଇ ସେ ଅଭିନୟ ଆରମ୍ଭ କରି ୧୯୪୦ ମସିହାରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓଡ଼ିଶା ଥିଏଟର୍ସ ନାମରେ ଏକ ନାଟ୍ୟସଂସ୍ଥା ପ୍ରତିଷ୍ଠା କରି ବହୁ ନାଟକରେ ଅଭିନୟ କରିଥିଲେ ଓ ପରେ ପରେ ଅନ୍ନପୂର୍ଣ୍ଣା ବି ରଙ୍ଗମଞ୍ଚ ପ୍ରତିଷ୍ଠା କରାଇ ପ୍ରାୟ ତିନି ଦଶନ୍ଧି ଧରି ଏହି ନାଟ୍ୟସଂସ୍ଥା ସହ ଜଡ଼ିତ ରହି; ନାଟ୍ୟଜୀବନରେ ପ୍ରାୟ ୧୫୦ରୁ ଅଧିକ ନାଟକରେ ଅଭିନୟ ଓ ପ୍ରାୟ ୨୦୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ ସେ ବନିଯାଇଥିଲେ ଏକ କିମ୍ବଦନ୍ତୀ; ଉଦାତ୍ତ କଣ୍ଠସ୍ୱର, ନିଖୁଣ ଅଭିନୟ ଯୋଗେ କଳାପ୍ରେମୀ ଓଡ଼ିଆ ଦର୍ଶକମାନଙ୍କ ହୃଦୟରେ ନିଜ ପାଇଁ ସୃଷ୍ଟି କରିପାରିଥିଲେ ଏକ ସ୍ବତନ୍ତ୍ର ପରିଚୟ। ସେ ହେଉଛନ୍ତି ‘ବାଵି’ ଓରଫ ସାମୁଏଲ ସାହୁ ।

କେବଳ ନାଟକ ନୁହେଁ, ୧୯୪୯ ମସିହାରେ “ଶ୍ରୀଜଗନ୍ନାଥ” ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ରଖି “ହାକିମବାବୁ”, “ଶୀତରାତି”, “ତଅପୋଇ“, “ସୁନାସଂସାର”, “ଅଭିମାନ”, “ଅନୁତାପ”, “ଯାଯାବର”, “ଘର ବାହୁଡ଼ା”, “ସଂସାର”, “ବନ୍ଧନ”, “କିଏ କାହାର”, “ଭାଇଭାଉଜ”, “ଅଭିନେତ୍ରୀ”, “ସାଧନା”, “ଜୀବନସାଥୀ”, “ମାଣିକଯୋଡ଼ି”, “ସୂର୍ଯ୍ୟମୁଖୀ”, “ଲକ୍ଷ୍ମୀ”, “ଜୟଦେବ”, “ଶ୍ରୀଲୋକନାଥ”, “ଭାଇ ଭାଇ” ପରି ୨୦ରୁ ଅଧିକ କ୍ଲାସିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ସେ ଛାଡି ଯାଇଛନ୍ତି ଏକ ସ୍ବତନ୍ତ୍ର ଛାପ ।

ରାଷ୍ଟ୍ରପତି ସମ୍ମାନ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ସହିତ ଓଡ଼ିଆ କଥାଚିତ୍ର ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଜୟଦେବ ପୁରସ୍କାରରେ ମଣ୍ଡିତ ସାମୁଏଲ କଳାପ୍ରେମୀ ଓଡିଆଙ୍କ ପାଇଁ ଆଜି ଚିରସ୍ମରଣୀୟ ହୋଇଯାଇଛନ୍ତି ।

କଳା ପାଇଁ ସମର୍ପିତ ଓଡ଼ିଆ ନାଟ୍ୟଜଗତର ମୁକୁଟବିହୀନ ଏଇ ସମ୍ରାଟ ସାମୁଏଲ ସାହୁ ଥିଲେ ପ୍ରଚାରବିମୁଖ ! କଳା ପାଇଁ ଜୀବନରେ ସବୁ କିଛି ତ୍ୟାଗ କରିଥିଲେ ମଧ୍ୟ ପ୍ରତିବଦଳରେ କିଛି ନ ପାଇବାର ଅନୁଶୋଚନା ନ ଥିଲା ଏଇ ସ୍ବାଭିମାନୀ କଳାକାରଙ୍କର ! ଜଙ୍ଗଲର ସିଂହ ନିଜର ପାଦଚିହ୍ନ ଲାଞ୍ଜରେ ପୋତିଦେଇ ଯାଏ ! ଓଡ଼ିଆ ନାଟ୍ୟଜଗତର ଏଇ ସିଂହ ମଧ୍ୟ ଶେଷ ଯାଏଁ ଜୀଇଁଥିଲେ ସିଂହର ବିକ୍ରମ ପରି ଦୀପ୍ତିମାନ ହୋଇ !

Spread the love
admin

View Comments

  • ଓଡ଼ିଆ କଥାଚିତ୍ର ଜଗତର ଅଦ୍ୱିତୀୟ ପ୍ରତିଭା ସାମୁଏଲ୍ ସାହୁ,ଯେ କି ବାବି ନାମରେ ପରିଚିତ । ପ୍ରତିଷ୍ଠିତ କଳାକାର। ଇଂଜିନିୟର ହେବା ଅପେକ୍ଷା କଳା ର ନିଶା ଯେ କେତେ ଗଭୀର , ସେ ହିଁ ଶ୍ରେଷ୍ଠ ଉଦାହରଣ ।

  • ଓଡ଼ିଆ ଅଭିନୟ ଜଗତର ମୁକୁଟ ବିହୀନ ସମ୍ରାଟ

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago