ଲେଖା: ଅମ୍ବିକା ପଟ୍ଟନାୟକ

‌ଓଡ଼ିଆ ଜାତିର ମହା ବିପ୍ଲବୀ ବୀର ସୁରେନ୍ଦ୍ର ସାଏ l ୨୩ ଜାନୁଆରୀ ୧୮୦୯ରେ ଜନ୍ମିତ ସମ୍ବଲପୁର ରାଜ ସିଂହାସନର ଦାବୀଦାର ଏଇ ଚୌହାନ ଯୋଦ୍ଧାଙ୍କୁ ଇଂରେଜମାନେ ଅନ୍ୟାୟ ଭାବେ ବଞ୍ଚିତ କରିଥିଲେ l ପ୍ରତିବାଦରେ ଇଂରେଜ ରାଜଶକ୍ତି ବିରୁଦ୍ଧରେ ମାତ୍ର ୧୮ ବର୍ଷ ବୟସ ବେଳୁ ସଶସ୍ତ୍ର ବିଦ୍ରୋହ l ଅତୁଳନୀୟ ଏଇ ସଂଗଠକ ପୂର୍ଣ୍ଣ ସମର୍ଥନ ପାଇଥିଲେ ସ୍ଥାନୀୟ ଗୌନ୍ତିଆ, ଜମିଦାର ଓ ଜନସାଧାରଣଙ୍କ ଠାରୁ l ଏହା ତାଙ୍କ ଦୃଢ଼ ନେତୃତ୍ୱର ଫଳ ଥିଲା l
 
ଜୀବନର ଅର୍ଦ୍ଧାଧିକ ସମୟ କାରାଗାରରେ ବିତାଇଥିବା ଏହି ମହାନ ନେତା ବୀର ସୁରେନ୍ଦ୍ର ସାଏ ୧୮୫୭ର ବିଦ୍ରୋହ ସମୟରେ ଭାଗଲପୁର କାରାଗାର ଭାଙ୍ଗି ସମ୍ବଲପୁର ଫେରି ଆସିବା ଖବର ଶୁଣି ତତ୍କାଳୀନ ରାଜା ନାରାୟଣ ସାଏ ପଳାୟନ କଲେ, ଯେମିତି ନେପୋଲିୟନ ଏଲବl ଛାଡ଼ିବା ଖବର ଶୁଣି ଅଷ୍ଟାଦଶ ଲୁଇ ଫ୍ରାନ୍ସ ଛାଡି ଇଂଲଣ୍ତ ପଳେଇଥିଲେ l

ଭାରତରେ ତ ୧୮୫୭ର ବିଦ୍ରୋହ ବର୍ଷେ ମଧ୍ୟରେ ଶେଷ ହୋଇ ଗଲା ମାତ୍ର ସମ୍ବଲପୁର ଅଂଚଳରେ ୧୮୭୧ ପର୍ଯ୍ୟନ୍ତ ଚାଲିଥିଲା l ପାରମ୍ପରିକ ଧନୁତୀର, ପୁରୁଣା ଦାରୁଖୁନ୍ଦା ବନ୍ଧୁକ ନେଇ ପ୍ରାୟ ଅଶିକ୍ଷିତ ଅର୍ଦ୍ଧାହାରୀ ସୈନ୍ୟ ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଦେବ୍ରିଗଡ, ସିଂଘୋଡା ଘାଟି ପର୍ବତର ଦୁର୍ଗମ ଗିରି ଗୁମ୍ଫା ସବୁରୁ ଗରିଲା ଯୁଦ୍ଧ ଜାରି ରଖିଥିଲେ l ଏ ଅଭିଯାନ “ଉଲୁଗୁଲାନ” ନାମରେ ସୁପ୍ରସିଦ୍ଧ l ଗରିଲା ଯୁଦ୍ଧର ସଫଳ ପ୍ରୟୋଗ କରି ଶିବାଜୀ ଛତ୍ରପତି ମାତ୍ର ବୀର ସୁରେନ୍ଦ୍ର ସାଏ ଆଜି ଅଖ୍ୟାତ l ମନେ ଅଛି କବିବରଙ୍କ ଉକ୍ତି
“ଦେବୀ ବୀଣା ପାଣି କେଉଁ କର୍ମ ବଳେ
କରୁଣା ତୋହର ଉଣା ଏ ଉତ୍କଳେ 
***     ***     ***
କ୍ଷୁଦ୍ର ଶିପ୍ରା ଆଜି ବିଖ୍ୟାତ ଜଗତେ
ମହାନଦୀ ନାମ ରହିଲା ଗୁପତେ”

ବୀର ସୁରେନ୍ଦ୍ର ସାଏ କିନ୍ତୁ କମ୍ ମୂଲ୍ୟ ଦେଇ ନାହାଁନ୍ତି, ଉଜ୍ଜଳ ସାଏ, ଛବିଳ ସାଏ ପରି ସ୍ୱଜନ ହରେଇଛନ୍ତି, ଘେଁସ ଜମିଦାର ମାଧୋ ସିଂହ, ହଟେ ସିଂହ, କୁଞ୍ଜଳ ସିଂହ ପରି ସହଚର ହରେଇଛନ୍ତି, ମାତ୍ର ଆତ୍ମବିଶ୍ୱାସ ଅତୁଟ l ବିବଶ ଇମ୍ପେ ସନ୍ଧି କରିଛନ୍ତି ୧୮୬୧ ରେ, ପରାକ୍ରାନ୍ତ ଇଂରେଜର ଏପରି ସନ୍ଧି ସମ୍ଭବତଃ ପ୍ରଥମ l ମାତ୍ର ପରବର୍ତ୍ତୀ କମିଶନର କମ୍ବରଲେଜଙ୍କ କୂଟଚକ୍ରାନ୍ତ, ସବୁବେଳେ ଯାହା ହୁଏ, ବିଶ୍ୱାସଘାତକ ଦୟାନିଧି ମେହେର ସହାୟତାରେ ବନ୍ଦୀ ହେଲେ ବୀର ସୁରେନ୍ଦ୍ର ସାଏ l

ଲିଭିଗଲା ରାୟପୁର ଠାରୁ ସମ୍ବଲପୁର, ସିଂଭୂମି ବିସ୍ତୃତ କ୍ଷେତ୍ରର ବିଦ୍ରୋହର ଅଗ୍ନି ଶିଖା l ରିପୋର୍ଟ ଗଲା “ଏତେ ଦିନ ପରେ ସିପାହୀ ବିଦ୍ରୋହର ଅନ୍ତ ହେଲା” l ଛପନ ବର୍ଷୀୟ ଏଇ ମହାବିପ୍ଳବୀଙ୍କ ପ୍ରତି ତଥାପି ମଧ୍ୟ ଇଂରେଜମାନଙ୍କ ଭୟ ଥିଲା l ଏଣୁ ତତ୍କାଳୀନ ଭାରତର ସବୁଠାରୁ ସୁଦୃଢ ଦୁର୍ଗ ଅସୀରଗଡ଼ ମଧ୍ୟ ପ୍ରଦେଶ, ବନ୍ଦୀଙ୍କୁ ରଖାଗଲା l
 
୨୮ ଫେବୃଆରୀ ୧୮୮୪ ଦିନ ଏହି ମହାନାୟକଙ୍କ ତିରୋଧାନ ହୋଇ ଥିଲା ନିଜ ପ୍ରିୟ ମାତୃଭୂମି ଠାରୁ ଅନେକ ଦୂର ସେଇ ଅସୀରଗଡ଼ରେ l ସିଏବି ସେଇ ଭାବନା କରୁଥିବେ ଯାହା ଶେଷ ମୋଗଲ ସମ୍ରାଟ ବାହାଦୂର ଶାହା ଜାଫର ରେଙ୍ଗୁନରେ ବନ୍ଦୀ ହୋଇ କରୁଥିଲେ,
“କିତନା ବଦ ନାସିବ ହେ ଜାଫର ଦଫନ କେ ଲିୟେ
ଦୋ ଗଜ ଜମିନ ଭି ନା ମିଲି କୁଏ ୟାର ମେ”
(କିପରି ହତଭାଗ୍ୟ ଏ ଜାଫର, ଯା’ର କବର ପାଇଁ ଆକାଙ୍କ୍ଷିତ ଭୁମିରେ ଦୁଇ ଗଜ ଜାଗା ମଧ୍ୟ ନାହିଁ ।)
 
ବିଦ୍ୟାଳୟରେ ସମ୍ଭବତଃ ପଞ୍ଚମ ଶ୍ରେଣୀରେ ଏହି ମହାନାୟକଙ୍କ ଉପରେ ଏକ ଏକାଙ୍କିକା ଥିଲା l ତାର ଶେଷ ଧାଡ଼ି ଏଇପରି, “ହେ ମା’ ସୋମାଲାଇ ! ତୋର ଏ ଅଧମ ପୁତ୍ରକୁ କ୍ଷମା କରିଦେ” l ମା’ ସମଲେଇ ତାଙ୍କ ଶ୍ରେଷ୍ଠ ସନ୍ତାନଙ୍କୁ ଅଶେଷ ଆଶୀର୍ବାଦ ଦେଇ ନିଜ ପାଖରେ ରଖିଥିବେ ନିଶ୍ଚୟ l 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago