ସୃଷ୍ଟି: ଜ୍ଞାନେନ୍ଦ୍ର କୁମାର ପଣ୍ଡା

ବ୍ୟାସକବି ଫକୀରମୋହନଙ୍କ ଉପରେ ଆମ ସମୟର ଯୁବକବି ଜ୍ଞାନେନ୍ଦ୍ରଙ୍କର ଏକ ଅନନ୍ୟ ପ୍ରତିବେଦନ ଏଇ କବିତା ‘ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ’ !

~ ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ ~

କେହି ଯଦି ସତରେ ବଞ୍ଚିଛ
ତେବେ ଥରେ ଆସ ଦେଖିବ
ସ୍ପଷ୍ଟ ଦିବାଲୋକର ଆକାଶ ତଳେ
ତଥାକଥିତ ଶିକ୍ଷିତଙ୍କ ବସ୍ତିରେ
ଓଡ଼ିଆ ଭାଷାର ଶ୍ଵାସରୁଦ୍ଧ ଛଟପଟ ଆତ୍ମା
କେମିତି ଆଜି ପାଣି ଟୋପାଏ ମାଗୁଛି . . !

ଦେଖ . . ଦେଖିଯାଅ
ଭୂମି ପରେ କେମିତି ଲୋଟୁଛି
ଧୂଳିଧୁସର ରକ୍ତ ଜୁଡୁବୁଡୁ ଦେହ ତା’ର . .
ଆସ ଥରୁଟିଏ ଦେଖିଯାଅ . . !

ଅଥଚ ଆତତାୟୀ କିଏ ?
. . .

ଅର୍ଦ୍ଧମୃତ ଓଡ଼ିଆ ଭାଷା
ତଳେ ପଡ଼ି କ୍ଷୀଣ ସ୍ୱରରେ କହୁଥିଲା
ମୋତେ ନ୍ୟାୟ ଦିଅ . . ମୋତେ ନ୍ୟାୟ ଦିଅ !

ଭିଡ଼ ଭିତରେ
ବଢ଼ି ଚାଲିଥିଲା ସଂଖ୍ୟାରେ
କ୍ରମଶଃ କାନ୍ତିଲାଲର ଚରିତ୍ର . . !

 

ଦଳଟିଏ ବିଦ୍ରୁପ କରି କହୁଥିଲେ . .
“ଓଡ଼ିଆ ଏକ୍ ଟା ସ୍ୱତନ୍ତ୍ର ଭାଷା ନୋୟ . . !”
ଅଛୁଆଁ ଏଇ ଓଡ଼ିଆ ଭାଷା, ତାକୁ ଲିଭାଇ ଦିଅ !
ତାକୁ ପୁଣି କି ନ୍ୟାୟ ଦରକାର !

ମୁହଁରେ ତୁଣ୍ଡି ମାରି ଦେଖୁଥିଲେ
ଭାଷା ପ୍ରଚାର ସମିତିର ନାମଧାରୀ ମିଛ ପୁରୋଧାଗଣ,
ପୁରସ୍କାର ନାମରେ କିଣି ଆଣିଥିବା ମାନପତ୍ରର ଚେକ୍ ଧାରୀ,
ଅନ୍ଧାରରେ ନିଜ ଭାଷାକୁ ବିକିଦେଇ ସକାଳେ ନିଜକୁ
ସାହିତ୍ୟର ନିସ୍ବ ପ୍ରଚାରକ ବୋଲାଉଥିବା କିଛି ପ୍ରତାରକ,
କୋର୍ଟ ପ୍ୟାଣ୍ଟ ପରିହିତ ଦଳେ ସାହିତ୍ୟ ପ୍ରକାଶକ,
ଏବଂ ଅନ୍ତରାଳରେ ଏ ସବୁ ଦେଖି
ହସିହସି ଗଡି ଯାଉଥିବା ଖୋଦ୍ ରାଜା ଓ ତାଙ୍କ
ଆନୁଗତ୍ୟର ପାରିଷଦ ବର୍ଗ !

ଶାଗୁଣା, ବିଲୁଆ ମଢ଼ ଖାଇବାରେ ଲାଳାୟିତ
ସେମାନଙ୍କ ଆଖିରେ କାହୁଁ ଆସିବ ଆବେଗ ??

ସମସ୍ତେ ଚୁପ୍ ଚାପ୍ !
ଆଶ୍ରାହୀନ ଓଡ଼ିଆ ଭାଷା ଭରସା ଟିକେ ନ’ପାଇ
ବେଶ୍ କରୁଣ ଦିଶୁଥିଲା !

ଭିଡ଼ ଭିତରୁ ଏତିକିବେଳେ ବାହାରି ଆସୁଥିଲେ
ଜଣେ ଜୀର୍ଣ୍ଣଶୀର୍ଣ୍ଣ ଶରୀର ଧାରୀ ଈଶ୍ବର !

ସେ ଈଶ୍ୱର କହିଉଠିଲେ . . . —–“ବନ୍ଦେ ଉତ୍କଳ ଜନନୀ . . “
ନା ସେ କହୁନ’ଥିଲେ ବରଂ ସେ ଗର୍ଜୁଥିଲେ . . .
ଯେମିତି ସେ ପଞ୍ଚଜନ୍ୟ ଶଙ୍ଖ ଫୁଙ୍କି
ଭାଷା ଯୁଧ୍ୟର ଆହ୍ୱାନ ଦେଉଥିଲେ . . !
ଓଃ . . . ସେ ସ୍ୱର କି ତୀବ୍ର, ବଜ୍ର ଓ ଗମ୍ଭୀର
ଯେଉଁ ସ୍ୱରରେ ଛତ୍ରଭଙ୍ଗ ଦେଉଥିଲେ
ଧୁର୍ତ୍ତ ଶାଗୁଣା ଓ ବିଲୁଆଙ୍କ ଦଳବଳ ।

ଯେମିତି ଈଶ୍ୱରଙ୍କୁ ଚିହ୍ନି ପକଉଥିଲା
ପାଖରେ ଉତ୍କଳ ଜନନୀର ପତାକା ଘୋଡ଼ି
ଥର ଥର କମ୍ପୁଥିବା ପାଗଳଟିଏ,
ପ୍ରଥମ କରି ଅପୁର୍ବ ଚମକ ଆଜି ଖେଳୁଥିଲା
ପାଗଳଟିର ଆଖିରେ . . .।

ସେ ସବୁ ଶକ୍ତି ସଞ୍ଚୟ କରି ଚିତ୍କାର କରି କହିଉଠୁଥିଲା…
—–“ଫକୀରମୋହନ ଆସିଗଲେ . . .” !
—–“ଫକୀରମୋହନ ଆସିଗଲେ . . .” !

ସେଇ ଜୀର୍ଣ୍ଣଶୀର୍ଣ୍ଣ ଈଶ୍ବରଙ୍କ କୋଳରେ
ବେଶ୍ ଶାନ୍ତି ଓ ଅଭୟରେ ନିଶ୍ୱାସ ମାରୁଥିଲା
ମୋ ମାଆ ଓଠର “ପ୍ରଥମ ଓ ଶେଷ ଭାଷା” ।

ପଥଧାରରେ ଶୋଇଥିବା ଅଜ୍ଞାତ ଚରିତ୍ର ସବୁ
ଅଣ୍ଟା ସଳଖି ଛିଡ଼ା ହେଉଥିଲେ . . .
ଧୀରେ ଧୀରେ ବଦଳି ଯାଉଥିଲା ସେମାନଙ୍କ ଚେହେରା
ସେମାନେ ଏଥର ଦିଶୁଥିଲେ ଜଣେ ଜଣେ . .

— ରାଧାନାଥ, — ମଧୁସୂଦନ, –ଗୌରୀଶଙ୍କର
ଓ ସେମାନଙ୍କ ଭଳି ଅନ୍ୟ ମାନେ . .

ସକାଳକୁ ସମ୍ବାଦପତ୍ରର ମୁଖ୍ୟ ପୃଷ୍ଠାରେ
ଚିତ୍ରିତ ହୋଇଥିଲା
“ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା” . .ର ପ୍ରମାଣପତ୍ର ।
ମୋ ଆଖିରେ ଉତୁରୁଥିଲା
ସେଇ ଈଶ୍ୱରମାନଙ୍କ ଆଖିର ଅବଶିଷ୍ଟ ଲୁହ . . !

ପଢୁପଢୁ ସେ ଲୁହରେ ଭିଜି ଯାଉଥିଲା
ସମ୍ବାଦପତ୍ରର ମୁଖ୍ୟ ପୃଷ୍ଠା,
ପାଖ ପଡ଼ୋଶୀ ଘରେ ନୂଆ ବିଦ୍ୟାର୍ଥୀଟିଏ
ଖଣ୍ଡି ଖଣ୍ଡି ଗଳାରେ ଘୋଷୁଥିଲା . .
       — “ଅରଣା ମଇଁଷି ରହିଛି ଅନାଇ
            ମଇଁଷିର ପାଖ ନ’ ଯାଅ ଦନାଇ . .”
                                     
©ଜ୍ଞାନେନ୍ଦ୍ର କୁମାର ପଣ୍ଡା 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago