ଲେଖା: ଦେଵ ତ୍ରିପାଠୀ

“ଗଦାକ୍ଷେତ୍ରଞ୍ଚ ବିରଜାମେକାମ୍ରଂ ଚକ୍ର ସଜ୍ଞକମ୍,
କୋଣାର୍କଂ ପଦ୍ମକ୍ଷେତ୍ରଞ୍ଚ ଶଙ୍ଖକ୍ଷେତ୍ରଂ ନୀଳାଚଳମ୍ II”

ଭଗବାନ ମହାବିଷ୍ଣୁଙ୍କର ଚତୁର୍ଭୁଜରେ ଶୋଭାପାଏ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ । ‘ବାମଦେବ ସଂହିତା’ ଅନୁଯାୟୀ, ପୁରୁଷୋତ୍ତମ କ୍ଷେତ୍ର ନୀଳାଚଳ ପୁରୀକୁ ଭଗବାନଙ୍କ ଆୟୁଧ ଶଙ୍ଖ ସହ ସଂପୃକ୍ତ କରାଯାଇ ଶଙ୍ଖକ୍ଷେତ୍ର, ଏକାମ୍ରନଗରକୁ ଚକ୍ର ସହ ସଂଯୁକ୍ତ କରାଇ ଏହାକୁ ଚକ୍ରକ୍ଷେତ୍ର, ଗଦା ସହିତ ସଂଯୁକ୍ତ ହୋଇ ବିରଜା ତୀର୍ଥଟି ଗଦାକ୍ଷେତ୍ର ଏବଂ ପଦ୍ମ ସହିତ ସଂଯୁକ୍ତ ହୋଇ ଅର୍କକ୍ଷେତ୍ର କୋଣାର୍କ ପଦ୍ମକ୍ଷେତ୍ର ନାମରେ ପରିଚିତ ।

ଅନ୍ୟ ଏକ ପୁରାଣ ମତାନୁଯାୟୀ, ଗୟାସୁରର ମୃତ୍ୟୁରେ ଭଗବାନ ବିଷ୍ଣୁ ଅତିଶୟ ଆନନ୍ଦରେ ନୃତ୍ୟ କରନ୍ତେ ଶ୍ରୀହସ୍ତରୁ ଆୟୁଧମାନ ହୋଇଥିଲେ ଭୂପତିତ । ଚାରୋଟି ଆୟୁଧ ମଧ୍ୟରୁ ଗଦାଟି ପରମ ପାବନତୀର୍ଥ ବିରଜାକ୍ଷେତ୍ର ବା ବିରଜାପୀଠ ଯାଜପୁରରେ ପଡ଼ିଥିବାରୁ ଏଇ କ୍ଷେତ୍ର ଗଦାକ୍ଷେତ୍ର ଭାବେ ପରିଚିତ ହେଲା ।

ଏହି ଐତିହାସିକ ସମୃଦ୍ଧ ଯାଜପୁର ନଗରୀ ବୈତରଣୀକ୍ଷେତ୍ର ଭାବେ ମଧ୍ୟ ପରିଚିତ । ଗଙ୍ଗାଠାରୁ ପ୍ରାଚୀନ ବୋଲି ବିଶ୍ୱାସ କରାଯାଉଥିବା ଏବଂ ଗଙ୍ଗା ପରି ପରମ ପବିତ୍ର ତଥା ମହାଭାରତ ଯୁଗର ପ୍ରାଚୀନ ମନ୍ଦାକିନୀ ନଦୀର ଶାଖା ନଦୀ ସପ୍ତରେଖା ବା ବୈତରଣୀ ନଦୀ ଏ କ୍ଷେତ୍ରର ଶୋଭାବର୍ଦ୍ଧନ କରିଥାନ୍ତି । ମା’ ବୈତରଣୀଙ୍କ କମନୀୟ ତଥା ବହୁ ପ୍ରାଚୀନ ମୂର୍ତ୍ତି ପୂଜା ପାଇଆସୁଛନ୍ତି ଏଠାର ଦଶାଶ୍ବମେଧ ଘାଟରେ ।

ଏଇ ପବିତ୍ର ନଦୀର ଜଳରେ ଯୁଧିଷ୍ଠିର ବ୍ରହ୍ମା ଓ ଦେବଗଣଙ୍କ ଗହଣରେ ଯଜ୍ଞ କରିଥିଲେ ବୋଲି କିମ୍ବଦନ୍ତୀ କହେ । ମହାଭାରତ ଯୁଦ୍ଧ ଉପରାନ୍ତେ ସମସ୍ତ ହତ୍ୟା ଦୋଷ ଛଡାଇବା ପାଇଁ ସ୍ନାନ କରିଥିଲେ ଏଇ ବୈତରଣୀ ନଦୀରେ । ଦଶାଶ୍ବମେଧ ଯଜ୍ଞ ସମାପନ କରି ବ୍ରହ୍ମା ହିଁ ସ୍ଥାପନା କରିଥିଲେ ଏଠାରେ ମା’ ବିରଜାଙ୍କୁ, ଆମନ୍ତ୍ରିଥିଲେ ଦେବୀଗଙ୍ଗାଙ୍କୁ । ଗଙ୍ଗାଙ୍କ ଅଂଶ ଭାବେ ଜାତ ହୋଇଥିବାରୁ ହିଁ ବୈତରଣୀ ଏତେ ପବିତ୍ର । ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମାଙ୍କ ତପଃ ବଳେ ଦେବୀ ବିରଜା ଏ କ୍ଷେତ୍ରରେ ବୈଦିକ ଦେବୀରେ ରୂପାନ୍ତରିତ ହେଲେ ଏବଂ ବ୍ରହ୍ମଦେଵ ତାଙ୍କୁ ଗାୟତ୍ରୀ ମନ୍ତ୍ରରେ ଉପାସନା କରି ଶ୍ରେଷ୍ଠ ବୈଦିକଦେବୀ ସ୍ବରୂପରେ ମହିମା ମଣ୍ଡିତ କଲେ । ସେଥିପାଇଁ ବ୍ରହ୍ମତନ୍ତ୍ର କହେ:
“ମାଘଦର୍ଶେ ସମୁଦ୍ଭୂତା ରବିକୋଟି ସମପ୍ରଭା
ମାଧବର୍କ୍ଷେତ ମଧ୍ୟାହ୍ନେ ବିରଜା ସା ସନାତନୀ
ଗାୟତ୍ରୀ ମନ୍ତ୍ର ରାଜେନ ତସ୍ୟା ପୂଜାଂ ସମାଚରେତ୍ ।”

ମାଘମାସ ତ୍ରିବେଣୀ ଅମାବାସ୍ୟା ଦିନ ଏହି ଯଜ୍ଞ ସଂପନ୍ନ ହୋଇଥିଲା। ତେଣୁ ଏହି ପୁଣ୍ୟତିଥି ମା’ ବିରଜାଙ୍କ ସ୍ୱନକ୍ଷତ୍ର ତିଥୁ ରୂପେ ଖ୍ୟାତ। ଏହି ଯଜ୍ଞାନୁଷ୍ଠାନ ନିମିତ୍ତ ବିରଜାପୀଠ ଯଜ୍ଞପୁରୀ ନାମରେ ପରିଚିତ ହେଲା।

ବୈଦିକ ଯୁଗ ପରେ ପୁରାଣଯୁଗ ସମୟକୁ ବିରଜାପୀଠ ପ୍ରସିଦ୍ଧ ତନ୍ତ୍ରପୀଠ ରୂପେ ଖ୍ୟାତ ହୋଇଥିଲା। ସଂସ୍କୃତ ମହାଭାରତରେ ଏହି ପୀଠର ପ୍ରସିଦ୍ଧି ରହିଛି। ଏତଦ୍ ଭିନ୍ନ ବ୍ରହ୍ମପୁରାଣ, ବାୟୁପୁରାଣ ଓ ବ୍ରହ୍ମାଣ୍ଡ ପୁରାଣ ପ୍ରଭୃତିରେ ବିରଜାପୀଠର ପ୍ରଶସ୍ତି ରହିଛି। ଏହି ପୁରାଣ ଯୁଗରେ ହିଁ ଶକ୍ତିପୀଠ ସହିତ ଦକ୍ଷଯଜ୍ଞ ଉପାଖ୍ୟାନ ଜଡ଼ିତ ହୋଇ ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ସେସବୁ ଶାସ୍ତ୍ର ଅନୁଯାୟୀ ସତୀଙ୍କ ଅଂଶ ଯେଉଁ ଯେଉଁ ସ୍ଥାନରେ ପଡ଼ିଲା ତାହା ଶକ୍ତିପୀଠ ହେଲା। ଶାସ୍ତ୍ରସମୂହରେ ଏତାଦୃଶ ୫୧ଟି ପୀଠ ଓ ୨୬ଟି ଉପପୀଠର ମହିମାବର୍ଣ୍ଣିତ। ମହାପୀଠ ନିରୂପଣ ତନ୍ତ୍ର ଅନୁଯାୟୀ ୫୧ଟି ପୀଠ ମଧ୍ୟରେ ବିରଜାପୀଠ ଅନ୍ୟତମ। ଏଠାରେ ସତୀଙ୍କର ନାଭି ପଡ଼ିଥିବା କଥା ଉଲ୍ଲେଖ ରହିଛି।
“ନାଭି ପୀଠେ ମହାଦେବୀ ବିରଜା ବିରଜପ୍ରଦା,
ବୈତରଣୀ ତଟେ ଦଦ୍ୟାତ୍ ପିଣ୍ଡଂ ପିତୃଗଣାଂସ୍ତଥା
ଯଜ୍ଞ ନଗ୍ରାତ୍ ସମାରଭ୍ୟ ଯାବତ୍ ତୀର୍ଥ ମହୋଦଧିଂ
କୌଳ ଭୂମିରିତି ଖ୍ୟାତୁ ସର୍ବସିଦ୍ଧ ପ୍ରଦାୟକଃ” ।।

ଏହି ତନ୍ତ୍ରରାଧ୍ୟଦେବୀ ନାଭି ପୀଠ ବା କେନ୍ଦ୍ରସ୍ଥଳରେ ବିରାଜମାନ ରହି ତନ୍ତ୍ରର କେନ୍ଦ୍ରବିନ୍ଦୁ ସ୍ବରୂପ ପ୍ରତୀୟମାନ ହେଲେ। ୫୧ ଗୋଟି ତନ୍ତ୍ରପୀଠର ମଧ୍ୟସ୍ଥଳରେ ବିରଜା ଯନ୍ତାରୂଢ଼ ରହି ପ୍ରଥମ ମହାଶକ୍ତି ଏବଂ ତାଙ୍କ ଶକ୍ତିଙ୍କ ରକ୍ଷକ ଭାବରେ ବିଜୟ ବା ବରାହ ବିରାଜିତ ହେଲେ। ସେଥିପାଇଁ କୁହାଯାଇଛି,
“ଉତ୍କଳେ ନାଭିଦେଶ ବିରଜାକ୍ଷେତ୍ର ମୁଚ୍ୟତେ,
ବିରଜା ସା ମହାଦେବୀ ବିଜୟସ୍ତତ୍ର ଭୈରବ”।।

ଅନ୍ୟାନ୍ୟ ତନ୍ତ୍ର ପୀଠରେ ଶକ୍ତିଙ୍କ ରକ୍ଷକ ଭାବରେ ଶିବ ବିଭିନ୍ନ ନାମରେ ବିରାଜମାନ ଥିଲେ ହେଁ ବିଶ୍ବର ପ୍ରଥମ ତନ୍ତ୍ରପୀଠରେ ବିରଜାଙ୍କ ରକ୍ଷକ ଭାବେ ବିଷ୍ଣୁବରାହ ନାମରେ ବିରାଜମାନ ହେଲେ। ଏହାଦ୍ଵାରା ଶୈବ ଓ ଶାକ୍ତ ତନ୍ତ୍ର ସହିତ ବୈଷ୍ଣବ ତନ୍ତ୍ରର ମହାମିଳନ ସଂଘଟିତ ହେଲା। ପରବର୍ତ୍ତୀ କାଳରେ କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଦୀନେଶଚନ୍ଦ୍ର ସରକାର ପ୍ରାଚୀନ ଶାସ୍ତ୍ରୋଦ୍ଧାର ପୂର୍ବକ ଉଲ୍ଲେଖ କରିଛନ୍ତି,
“ମାନସେ ଦକ୍ଷହସ୍ତୋ ମେ ଦେବୀ ଦାକ୍ଷାୟଣୀ ହରଃ
ବିରଜାଚୋତ୍କଳେ ଖ୍ୟାତା ନାଭିର୍ମେ ଜୟଭୈରବଃ” ।।

ପବିତ୍ର ସ୍ୱନକ୍ଷତ୍ରରେ ଦେବୀ ବିରଜାଙ୍କୁ ଗାୟତ୍ରୀ ମନ୍ତ୍ରରେ ପୂଜା କରାହେଉଥିଲେ ହେଁ ବନଦୁର୍ଗା ମନ୍ତ୍ରରେ ନିତ୍ୟପୂଜା କରାଯାଏ।
“ବିରଜା ମା ମହାଦେବୀ ପରଂବ୍ରହ୍ମ ସ୍ଵରୂପିଣୀ
ଗାୟତ୍ରୀ ବେଦମାତା ଚ ଶବ୍ଦବ୍ରହ୍ମ ସ୍ଵରୂପିଣୀ”।।
ବେଦର ପରମତତ୍ତ୍ୱ ଓ ପରମମନ୍ତ୍ରକୁ ସେ ତନ୍ତ୍ର ରୂପରେ ବିସ୍ତାର କରି ତନ୍ତ୍ର ଧର୍ମ, ସଂସ୍କୃତି ଏବଂ ଦର୍ଶନରେ ଅନନ୍ୟ ଓ ଅନବଦ୍ୟା।

ବିରଜାପୀଠରେ ବୈତରଣୀ ନଦୀତଟରେ ଅବସ୍ଥିତ ବାରୁଣୀତୀର୍ଥ, ଗୋକର୍ଣ୍ଣତୀର୍ଥ, କପିଳତୀର୍ଥ, ସୋମତୀର୍ଥ, ସଚ୍ଚିତୀର୍ଥ ପରି କେତେ କେତେ ପୌରାଣିକ ତୀର୍ଥ । ପରଂବ୍ରହ୍ମ ନାରାୟଣ ଏଠାରେ ଦ୍ଵାଦଶମାଧବ ଭାବେ ପୂଜିତ । ସାତଭଉଣୀ ବା ସପ୍ତମାତୃକା, ସିଦ୍ଧଗଣେଷ, ବରାହ, ଶ୍ରୀଜଗନ୍ନାଥ ଆଦି ଦେବଗଣଙ୍କ ଉପସ୍ଥିତି ଏ ପୀଠର ଗୁରୁତ୍ୱ ବଢ଼ାଇଛି ।

ଯାଜପୁରର ହର ଓ ବରାହ ତୀର୍ଥ ମଧ୍ୟବର୍ତ୍ତୀ ସ୍ଥାନରେ ଚୈତ୍ରମାସ କୃଷ୍ଣପକ୍ଷ ତ୍ରୟୋଦଶ ତିଥିରେ ଯଦି କେହି ଏହି ଗଙ୍ଗାରୂପୀ ବୈତରଣୀରେ ସ୍ନାନ କରନ୍ତି, ତେବେ ଶତସୂର୍ଯ୍ୟ ଦର୍ଶନର ଫଳ ମିଳେ ବୋଲି ବିଶ୍ଵାସ ରହିଛି । ଏହାକୁ ବାରୁଣୀଯୋଗ କୁହାଯାଏ ।

ଗରୁଡ଼ପୁରାଣ, ପଦ୍ମପୁରାଣ, ବ୍ରହ୍ମାଣ୍ଡ ପୁରାଣ, ବାୟୁପୁରାଣ, କପିଳ ସଂହିତା, ବ୍ୟାସଙ୍କ ମହାଭାରତ, ଶାରଳା ଦାସଙ୍କ ଓଡ଼ିଆ ମହାଭାରତ, ଅବଧୂତ ଗୀତା, ବିରଜାକ୍ଷେତ୍ର ମାହାତ୍ମ୍ୟ ଇତ୍ୟାଦି ଏହି କ୍ଷେତ୍ରର ମାହାତ୍ମ୍ୟ ଗାନରେ ହୋଇଛନ୍ତି ପ୍ରଶଂସାମୁଖର । ଅଥର୍ବ ବେଦରେ ମଧ୍ୟ ଦେବୀ ବିରଜାଙ୍କ ନାମ ପରିଦୃଷ୍ଟ । (ଆମ ଓଡ଼ିଶା ମଧ୍ୟ ଅଥର୍ବ ବେଦର ଆଦିଭୂମି, ଅଥର୍ବ ବେଦର ବହୁଳାଂଶ ଓଡିଶାରୁ ଉଦ୍ଧୃତ ।)

କ୍ଷେତ୍ରେଶ୍ୱରୀ ବିରଜାଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ସମୟରେ ବିରଜା, ବିରଜାକ୍ଷେତ୍ର, ବିରଜାପୀଠ, ବିରଜାନଗର, ବିରଜାମଣ୍ଡଳ ଆଦି ନାମକରଣ କରାଯାଇଛି । ଏଇ ମହାକ୍ଷେତ୍ରରେ ପିତୃପୁରୁଷଙ୍କ ମୁକ୍ତି ଓ ତୃପ୍ତିର ବିଧାନ ଥିବାରୁ ଏହା ମଧ୍ୟ ପିତୃତୀର୍ଥର ମାନ୍ୟତା ଲଭିଛି । ପିତୃତୀର୍ଥରୁ ଏହାର ନାମ କାଳକ୍ରମେ ନାଭିଗୟା ହୋଇଛି । ପରବର୍ତ୍ତୀ ସମୟରେ ଯାଜପୁର ଅବିମୁକ୍ତକ୍ଷେତ୍ର, ବ୍ରହ୍ମକ୍ଷେତ୍ର, ଗଣପତିକ୍ଷେତ୍ର ଭାବେ ନାମିତ ହୋଇଛି ।

ସୋମବଂଶୀ ସମ୍ରାଟ ଯଯାତି କେଶରୀଙ୍କ ନାମାନୁସାରେ ଏହି କ୍ଷେତ୍ରାଧିରାଜ ଯାଜପୁର ଏକଦା ଯଯାତିନଗର ବା ଯାଯନଗ୍ର ଭାବେ ପରିଚିତ ଥିଲା ।

ଆଧାର: ‘ଓଡ଼ିଶାର ତନ୍ତ୍ରଧାରା’, ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର

Images: Arobinda Mohanty and Social Media

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago