~ ରାମକୃଷ୍ଣ ନନ୍ଦ ~

ଲେଖା: ଅମୃତେଶ ଖଟୁଆ ଓ ଦେଵ ତ୍ରିପାଠୀ

ଆହେ ଦୟାମୟ ବିଶ୍ଵବିହାରୀ ।
ଘେନ ଦୟାବହି ମୋ’ର ଗୁହାରି।
ଜଳ, ସ୍ଥଳ, ବନ, ଗିରି, ଆକାଶ,
ତୁମ ଲୀଳା ସବୁଠାରେ ପ୍ରକାଶ।

ଇଏ କେବଳ ଭକ୍ତିକବିତାଟିଏ ତ ନ ଥିଲା, ଥିଲା ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ ଭାବପ୍ରବଣତା, ଶିଶୁକିଶୋରଙ୍କ ପାଇଁ ଏକ ଉଛ୍ୱସିତ ସ୍ପନ୍ଦିତ ବିଭୂବନ୍ଦନା ! କେବଳ ଓଡ଼ିଆଙ୍କୁ ଛୁଇଁ ନ ଥିଲା ! ଛୁଇଁଥିଲା ଓଡ଼ିଆଙ୍କୁ ପ୍ରାଣଭରି ଭଲପାଉଥିବା ମହାତ୍ମାଗାନ୍ଧୀଙ୍କୁ ! ସେ ମଧ୍ୟ ବୋଲାଉଥିଲେ ଏଇ ମହାର୍ଘ ପ୍ରାର୍ଥନାକୁ ! ସାବରମତୀ ଆଶ୍ରମରେ ! ସେଇ କାଳଜୟୀ ରଚନାର ସ୍ରଷ୍ଟା ଥିଲେ ପଣ୍ଡିତ ରାମକୃଷ୍ଣ ନନ୍ଦ – ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁସାହିତ୍ୟକ, ଗୀତିକାର ଓ ପ୍ରକାଶକ ।


ରେଭେନ୍‌ସା କଲେଜିଏଟ୍‌ ସ୍କୁଲ୍‌ରେ ପଢ଼ିବା ବେଳେ ବିଦ୍ୟାଳୟର ପତ୍ରିକା ‘ଚନ୍ଦ୍ରିକା’ରେ ପ୍ରକାଶିତ କବିତାରୁ ସାହିତ୍ୟ ସାଧକ ଭାବେ ଜୀବନ ଆରମ୍ଭ କରିଥିଲେ ରାମକୃଷ୍ଣ । ତଦାନୀନ୍ତନ ସମୟରୁ ନେଇ ଚଳନ୍ତି ଯୁଗଧର୍ମରେ ତାଙ୍କର ଶିଶୁ ସାହିତ୍ୟ ପ୍ରତି ଅବିରତ ଅବଦାନ ଯେ ସତତ ମହନୀୟ ହୋଇ ଆସିଛି, ସେଥିରେ ତିଳେ ମାତ୍ର ବିଶେଷୋକ୍ତି ପ୍ରଦାନ ନ କରିଲେ ମଧ୍ୟ ତାଙ୍କର ମହନୀୟତାରୁ ବାରିତ ହୁଏ । ଗୁରୁ ଜୟଦେବ ମିଶ୍ରଙ୍କ ବହୁମୁଖୀ ପ୍ରତିଭାରୁ ସେ ଅନେକତ୍ର ପ୍ରଭାବିତ ହୋଇ ରାମକୃଷ୍ଣଙ୍କୁ ଚିତ୍ରାଙ୍କନ ଓ ସଂଗୀତରେ ନିପୁଣ କରି ସାରିଥିଲେ।

ପୁନଶ୍ଚ କୈଶୋର ବୟସରେ ଗାନ୍ଧୀ ଓ ଗୋପବନ୍ଧୁଙ୍କ ଦ୍ବାରା ଅନୁପ୍ରାଣିତ ତଥା ଅସହଯୋଗ ଆନ୍ଦୋଳନର ବହ୍ନିମାନ ପ୍ରଜ୍ଜ୍ବଳନ ଦ୍ଵାରା ଆକର୍ଷିତ ହେବା ସହ ତତ୍କାଳୀନ ଉପାଧି ବର୍ଜନ ସମୟରେ ଜାତୀୟକବି ବୀରକିଶୋର ଦାସଙ୍କ “ମୋହନବଂଶୀ” ପଢି ନିଜର ସୃଜନୀ ଆରମ୍ଭ କରିଥିଲେ ଦେଶାତ୍ମବୋଧକ କବିତା ସହ । ଆଉ ସେ ସମସ୍ତ ତାଙ୍କ ଶେଷ ଜୀବନ ପର୍ଯ୍ୟନ୍ତ ମୁଖସ୍ଥ ଥିଲା।


ପୁନଃ ୧୯୩୩ ମସିହାରେ ସେ “ଆହେ ଦୟାମୟ ବିଶ୍ଵବିହାରୀ” ରଚନା କରିଥିଲେ, ସମାନ ବର୍ଷ ବାରିପଦାରେ ବନ୍ୟାକ୍ଳିଷ୍ଟ ଲୋକଙ୍କୁ “ନାରାୟଣ ସମିତି” ପକ୍ଷରୁ ସାହାଯ୍ୟ ପ୍ରଦାନ ନିମନ୍ତେ ସେ ଗୋଟିଏ ଗୀତ ଲେଖିଥିଲେ, “ଦେଶ ଲାଗି ଆଜି ତୁମରି ଦୁଆରେ ଭିକ୍ଷା ମାଗୁଅଛୁ ଆସି .  . .” । ଏଇ ଗୀତଟି ଶୁଣି ଅଗଣିତ ଦାତାଗଣଙ୍କ ହୃଦୟ ବିଗଳିତ ହୋଇପଡିଲା ଓ ମୁକ୍ତହସ୍ତରେ ଅନୁଦାନ ମିଳିଲା ଯାହା ଫଳରେ ଦୁର୍ଗତଙ୍କ ସାହାଯ୍ୟ ସଫଳଗାମୀ ହୁଏ। 

ଓଡ଼ିଆ ଶିଶୁ ସାହିତ୍ୟର ବିକାଶ ପାଇଁ ସର୍ବପ୍ରଥମେ ଉଦ୍ୟମ କରିଥିବା ସାହିତ୍ୟିକଙ୍କ ମଧ୍ୟରେ ଅନ୍ୟତମ ଏବ˚ ଏ ଦିଗରେ ଜୀବନବ୍ୟାପୀ ସାଧନା କରିଥିବା ପଣ୍ଡିତ ରାମକୃଷ୍ଣ ନନ୍ଦ ପ୍ରତିଷ୍ଠା କରିଥିଲେ ସଂସାର ଶିଶୁପତ୍ରିକା । ତଳ ତେଲଙ୍ଗା ବଜାରରେ ଜମି କିଣି ଗୃହନିର୍ମାଣ କରି ଏବଂ ପାରିଜାତ ଓ ପରବର୍ତ୍ତୀ ସମୟରେ ସଂସାର ନାମକ ଛାପାଖାନା ସ୍ଥାପନା ସହିତ ପୁସ୍ତକ ପ୍ରକାଶନ କରାଇ ସେ ନିଜର ସାହିତ୍ୟପ୍ରୀତିର ପରିଚୟ ଦେଇଛନ୍ତି। ପାଠ୍ୟପୁସ୍ତକର ଅଭାବ ଅନୁଭବ କରି ସେ ରଚିଥିଲେ ‘ସାହିତ୍ୟ ସୋପାନ’ ଓ ‘ସାହିତ୍ୟ ବୋଧ’ ପୁସ୍ତକ ।


‘ଝୁମୁକା’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତ ପଣ୍ଡିତ ରାମକୃଷ୍ଣ ରଚିଯାଇଛନ୍ତି ‘ସୁବର୍ଣ୍ଣ ସେଓ’, ‘ମରଣ ଦୋଳି’, ‘ସାଗର କନ୍ୟା’, ‘ସୁନା ପାହାଚ’, ‘ରତ୍ନ ପାଖୁଡ଼ା’, ‘ଅଦେଖା ବଣର ଫୁଲ’, ‘ତୁଳସୀ ଦାସ’, ‘ପ୍ରତିଧ୍ବନି’, ‘ସଂଗ୍ରାମ ଓ ସାଧନା’, ‘ବିଜ୍ଞାନ କୁହୁକ’, ‘ପ୍ରକୃତିର ଗଳ୍ପପୁରୀ’, ‘ଆମ ବଣଜଙ୍ଗଲ କଥା’, ‘ଲେଖନୀର ପାଠଶାଳା’, ‘ଅଦେଖା ବଣର ଫୁଲ’  ପରି କେତେ କେତେ ସାହିତ୍ୟ ! ନିଜ ଜୀବନର ଅଭିଜ୍ଞତା ଓ ପରୀକ୍ଷା ନିରୀକ୍ଷା କୁ ନେଇ ଲେଖିଛନ୍ତି ଆତ୍ମଚରିତ ‘ଜୀବନ ତରଙ୍ଗ’ ।

କଟକ ଜିଲ୍ଲା ଗୋବିନ୍ଦପୁର ଅନ୍ତ୍ରର୍ଗତ ବାଇରୋଇଠାରେ ୧୯୦୬ ମସିହା ଫେବୃଆରୀ ୧୫ ତାରିଖରେ ଜନ୍ମଗ୍ରହଣ ଏବଂ ୧୯୯୪ ମସିହା ଅକ୍ଟୋବର ୨୮ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ଏଇ ସାହିତ୍ୟସାଧକ । 

© Amritesh Khatua

Ramakrushna Nanda Dev Tripathy Ahe Dayamaya

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago