ଲେଖା: ବନ୍ଧନ ଦଳେଇ
~ ବାହୁଡ଼ା ଯାତ୍ରା ଓ ସୁନାବେଶ ~
ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ମହାପ୍ରଭୁ ରଥରେ ଗୁଣ୍ଡିଚାଘରୁ ବଡ଼ଦେଉଳକୁ ଫେରିବେ, ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ଯାତ୍ରା ଅବା #ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି –
“ନବମ୍ୟା ବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ ।
ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା” ॥
ମହାପ୍ରଭୁଙ୍କ #ନବଦିନାତ୍ମକ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ବିବେଚନା କରାଯାଏ । #ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ବାସ ଦ୍ଵିତୀୟ ଅଙ୍ଗ ଏବଂ ବାହୁଡା଼ ଯାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ । ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା଼ ଯାତ୍ରା ଅବସରରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ଵମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ଵାସ କରାଯାଏ ।
ଆଷାଢ ଶୁକ୍ଳ #ଏକାଦଶୀ ତିଥି (ବାହୁଡ଼ା ଦଶମୀ ପରଦିନ) ରେ ରଥ ଉପରେ ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା କାଳିଆ ଠାକୁର ମହଣ ମହଣ ସୁନା ଅଳଙ୍କାର ଓ ସୁନାର ଆୟୁଧ ଧାରଣ କରିଥାନ୍ତି I #ନବକୋଟି #କର୍ଣ୍ଣାଟ #କଳବର୍ଗେଶ୍ୱର #ଗଜପତି #କପିଳେନ୍ଦ୍ର ଦେବଙ୍କ ଦାକ୍ଷିଣାତ୍ୟ ବିଜୟରୁ ତତ୍କାଳୀନ କଳିଙ୍ଗକୁ ଆସିଥିଲା ବହୁମାତ୍ରାରେ ସୁନା (ଲୋକମୁଖରେ ଦଶ ଶଗଡ଼ ଭର୍ତ୍ତି) I କଳିଙ୍ଗାଧୀପତିଙ୍କ ଗାରିମାକୁ ଦର୍ଶାଇବା ପାଇଁ ହିଁ ତିନି ଠାକୁର ଧାରଣ କରିଥାନ୍ତି ଏହି ଆକର୍ଷଣୀୟ #ସୁନାବେଶ ବା #ବଡ଼ଚଢାଉ ବେଶ I
#ବିଜୟା ଦଶମୀ, #ପୌଷ ପୂର୍ଣ୍ଣମୀ, #ଦୋଳ ପୂର୍ଣ୍ଣମୀ ଓ #କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ତିନି ଦିଅଁ ସୁନାବେଶରେ ସଜ୍ଜିତ ହେଉଥିଲେ ହେଁ, ଭାବାବେଗୀ ଭକ୍ତଗଣ, ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ଥାଇ ମହାପ୍ରଭୂଙ୍କର ମନଲୋଭା ସୁନାବେଶ ଦର୍ଶନ କରିବାର ଲୋଭ ସମ୍ବରଣ କରିପାରନ୍ତି ନାହିଁ I
“ବରଷକ ବାରମାସ ଲୋ ବଉଳ
ଦେଖ ନୂଆ ନୂଆ ବେଶ
ଆଷାଢ ମାସରେ ଏକାଦଶୀ ଦିନ
ପ୍ରଭୁଙ୍କର ସୁନାବେଶ”
© ବନ୍ଧନ ଦଳେଇ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago