ଲେଖା: ଶ୍ରୀପୁରୁଷୋତ୍ତମ

କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ରାଧାଦାମୋଦର ବେଶ ହୋଇଥାଏ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ବା ବାଳଭୋଗ ନାମରେ ପରିଚିତ। ସକାଳଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦି, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି, ପଇଡ଼ ଆଦି ଭୋଗ ହୋଇଥାଏ। ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଂକୀର୍ତ୍ତନ ହୋଇଥାଏ।


ଏହି ବାଳଭୋଗ ସମ୍ପର୍କରେ ଏକ ଜନଶ୍ରୁତି ରହିଛି, ଏକଦା ତଳୁଚ୍ଛ ନାରାୟଣ ମହାପାତ୍ର ନାମରେ ଜଣେ ସେବକ କାର୍ତ୍ତିକ ମାସରେ ମଧ୍ୟାହ୍ନଧୂପ ଶେଷରେ ଦେବଦାସୀ ପାଇଁ ଏକ ଫୁଲଗୁଣାଟି ମଇଲମ ସାରି ନେଇ ଯାଇଥିଲେ। ସେହି ସମୟରେ ରାଜକର୍ମଚାରୀ ଖବର ଦେଲେ, ଗଜପତି ମହାରାଜ ସନ୍ଧ୍ୟା ଆଳତି ସମୟରେ ଶ୍ରୀମନ୍ଦିରକୁ ବିଜେ କରିବେ । ଗଜପତିଙ୍କ ବିଜେ ସମୟରେ ଗଜପତିଙ୍କୁ ଗୁଣା ଦେବା ବିଧି ଅଛି, ଏହା ଭାବି ତଳୁଚ୍ଛଙ୍କ ଭାଳେଣି ପଡିଲା। ସେ କାଳ ବିଳମ୍ଭ ନ କରି ଉକ୍ତ ଗୁଣାଟିକୁ ଦେବଦାସୀଙ୍କ ପାଖରୁ ଆଣି ଗଜପତିଙ୍କ ତାଟରେ ରଖିଦେଲେ ଓ ତାଟ ଗଜପତିଙ୍କ ସହ ଶ୍ରୀନଅରକୁ ପଠାଇ ଦିଆଗଲା। ଶ୍ରୀନଅରରେ ରାଣୀ ଦେଖିଲେ ସେହି ଗୁଣାରେ ଏକ ଲମ୍ବା କେଶ (ବାଳ) ଲାଗି ରହିଛି। ରାଣୀ ଏହା ଗଜପତିଙ୍କୁ ଜଣାଇଲେ। ଗଜପତି ଏହା ଶୁଣି ତୁରନ୍ତ ତଳୁଚ୍ଛଙ୍କୁ ଡକାଇଲେ। ତଳୁଚ୍ଛଙ୍କୁ ପଚାରିବାରୁ ଡରିମରି ତାଙ୍କ ପାଟିରୁ ବାହାରି ପଡ଼ିଲା “ମଣିମା ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ କେଶ ଅଛି”। ଏହା ଶୁଣି ଗଜପତି ଜାଣିଲେ ତଳୁଚ୍ଛ ମିଥ୍ୟା କହିଛନ୍ତି। ତେଣୁ ସେ ଆଦେଶ ଦେଲେ କି ଆସନ୍ତାକାଲି ଧୂପ ସମୟରେ ସେ ଉପସ୍ଥିତ ରହି ତ୍ରିମୁଣ୍ଡିରେ କେଶ ଦେଖିବେ।

ତଳୁଚ୍ଛ ନାରାୟଣ ମହାପାତ୍ର ବିଷାଦଗ୍ରସ୍ତ ହୋଇ ମହାପ୍ରଭୁଙ୍କ ନିକଟରେ ଶରଣାଗତ ହେଲେ ଓ ନିଜର କର୍ମ ନିମନ୍ତେ ଅନୁତାପ କରିବା ସହ ପ୍ରାର୍ଥନା ମଧ୍ୟ କଲେ ।
“ଭଲା ଜଗନ୍ନାଥଙ୍କ କଥା ଥାଉ।
ଆମ୍ଭ ଜାତି ଜୀବନ ପଛେ ଯାଉ ।।
ଆଉ ପ୍ରଭୁ ପଣ କେତେ ବେଳେକୁ।
ଯାହା ନୋହେଲା ଏମନ୍ତ କାଳକୁ।।
କେହି ଡାକନ୍ତି ରଖ ନାରାୟଣ ।
ଆହେ ନୃପତି ମାନ ଉଦ୍ଧାରଣ ।।
କେହୁ ବୋଲେ ଗଜେନ୍ଦ୍ର ମୋକ୍ଷଦାତା।
ରଖ ଶ୍ରୀ ଜଗନ୍ନାଥ ଫେଡ଼ି ଚିନ୍ତା ।।”
ପ୍ରାର୍ଥନା କରି ତଳୁଚ୍ଛ ସେହି ଦିନ ରାତ୍ରୀରେ ନିଦ୍ରା ଯାଆନ୍ତେ ୩ ଘଡି ବେଳକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସ୍ୱପ୍ନରେ କହିଲେ,
“ଆଜ୍ଞାଦେଲେ ହୋ ଭାଲୁଛ କାହିଁକି।
ଆମ୍ଭ ତ୍ରିମୁଣ୍ଡିରେ ବାଳ ନାହିଁକି ।।
ଚୂଳ ଯଶୋଦା ବନ୍ଧୁଥିଲେ କାହିଁ ।
ଯେବେ ଆମ୍ଭ ତ୍ରିମୁଣ୍ଡିରେ ବାଳ ନାହିଁ।।
କଉଶଲ୍ୟା କେଉଁ ବାଳ ବାନ୍ଧିଲେ ।
କେଉଁ ରୂପେ ଗଭାମାନ ଖଞ୍ଜିଲେ ।।
ତୁମ୍ଭେ ଜାଣୁ ଜାଣୁ ବଣା ହେଉଛ ।
ଏହା ବିଚାରି ଧଉର୍ଯ୍ୟ ନୋହୁଛ ।।
ରାଜା ବାଳକୁ କରିଛି କଟାଳ ।
କାଲି ସକାଳୁ ଦେଖଇବ ବାଳ।।। “

ଏହା ସ୍ୱପ୍ନ ଦେଖି ତଳୁଚ୍ଛ ଉଠିବସିଲେ, ମହାପ୍ରଭୁଙ୍କୁ ନମସ୍କାର କରି ନିଜ ନିତ୍ୟକର୍ମ ସାରି ଦେଉଳକୁ ବାହାରିଲେ ସେବା ପୂଜା କରିବା ଲାଗି।  ତତ୍ପର ଦିନ ଅବକାଶ ନୀତି ବଢି ମହାପ୍ରଭୁଙ୍କ ରାଧାଦାମୋଦର ବେଶ ହେଲା । ଏଣେ ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ବାଳ ଦେଖି ସମସ୍ତେ ଆଛମ୍ଭିତ । ସକାଳଧୂପ ବଢ଼ିଲା ପରେ ଗଜପତି ଆସି ବଡ଼ଦେଉଳରେ ପହଞ୍ଚିଲେ ତଳୁଚ୍ଛଙ୍କ ମିଥ୍ୟାକୁ ପରୀକ୍ଷା କରିବା ଲାଗି। ଏହି ସମୟରେ ତଳୁଚ୍ଛ ଆସି ଗଜପତିଙ୍କୁ ଗର୍ଭଗୃହ ମଧ୍ୟକୁ ନେଇଗଲେ ଓ ତାଙ୍କୁ ତ୍ରିମୁଣ୍ଡିରେ ବାଳ ଦେଖାଇଲେ। ଗଜପତି ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ବାଳ ଦେଖି ଆଶ୍ଚର୍ଯ୍ୟ ହେଲେ ତେବେ ତାଙ୍କୁ ସନ୍ଦେହ ହୋଇଥିଲା ତେଣୁ ସେ କିଛି ବାଳକୁ ଓପାଡି ଦେଇଥିଲେ । ତତକ୍ଷଣାତ ସେହି ସ୍ଥାନରୁ ରୁଧିର ବୋହିବାକୁ ଲାଗିଥିଲା। ଏହା ଦେଖି ଗଜପତି ମହାରାଜା ମହାପ୍ରଭୁଙ୍କ ନିକଟରେ ଭୁଲ ମାଗିଥିଲେ ।

“ଧରି ତ୍ରିମୁଣ୍ଡି ଠାରୁ ସେ ଚିକୁର ।
ଟେକି ଦିଅନ୍ତେ କର୍କଶି ଉପର।।
ତତ କ୍ଷଣେ ରୁଧିର ଜର ଜର ।
ବହି ପଡିଲା ଶ୍ରୀମୁଖ ମଣ୍ଡଳ।।
ଯେହ୍ନେ କଳା ମେଘରୁ ରଙ୍ଗଜଳ ।
ବହି ପଡିଲା ଶ୍ରୀମୁଖ ମଣ୍ଡଳ।।
ଦେଖି ନୃପତିର ଜ୍ଞାନ ବୁଡ଼ିଲା ।
କାଟିଦେଲା ବୃକ୍ଷ ପ୍ରାୟ ପଡିଲା।।
ପଡି ଶିରେ ତାଡ଼ଇ ବେନି ପାଣି।
ବାବୁ କି ଅପ୍ରାଧ  କଲି ନଜାଣି।
କ୍ରୋଧେ ବୋବାଳି ପାଡି ଥରହର।
ଏବେ କେମନ୍ତେ ରହିବ ରୁଧିର। “


ଭକ୍ତ ନିମନ୍ତେ ମହାପ୍ରଭୁଙ୍କ ଏହି ଅଦ୍ଭୁତ ବାଳଭୋଗ ବା ବାଳଧୂପ ବା ଲୀଳାକୁ ମନେ ରଖିବାକୁ ଯାଇ ସେହି ଦିନ ଠାରୁ ବାଳଧୂପର ପ୍ରଚଳନ ହେଲା ଯାହା ସକାଳଧୂପ ପରେ ହୋଇଥାଏ। ସକାଳ ଧୂପ ସମୟରେ ଷୋଡଶ ଉପଚାରରେ ମଣୋହି ହେଲା ପରେ ପୂଜାପଣ୍ଡା ସେମିତି ସିଂହାସନ ଉପରେ ବସିଥାନ୍ତି । ତଳେ ମହାପ୍ରସାଦ ଉଠି ପାଣି ପଡିଲା ପରେ ବାଳଭୋଗ ପଞ୍ଚ ଉପଚାରରେ  ଅନୁଷ୍ଠିତ ହୋଇଥାଏ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago