ଲେଖା: ଶିଶିର ସାହୁ ମନୋଜ

~ ବାଙ୍କୀରାଣୀ ଶୁକଦେଇଙ୍କ ବୀରତ୍ୱ ଗାଥା ~

ବହୁ ବର୍ଷ ତଳର କଥା . .

ପୂର୍ବ ଓଡ଼ିଶାର ବାଙ୍କୀ ଓ ଖୋର୍ଦ୍ଧା ପରସ୍ପରର ପଡୋଶୀ ରାଜ୍ୟ । ସୀମାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବହୁକାଳରୁ ବିବାଦ ହେଉଥାଏ । ବାଙ୍କୀ ରାଜ୍ୟଟି ଖୋର୍ଦ୍ଧା ଅପେକ୍ଷା ଆକାରରେ ତଥା ଧନଧାନ୍ୟରେ ବହୁ ପଛରେ କିନ୍ତୁ ସେ ରାଜ୍ୟରେ ସେତେବେଳେ ଜଣେ ଦକ୍ଷ ରାଜା ଶାସନ କରୁଥାଆନ୍ତି ତାଙ୍କ ନାମ ଧନଞ୍ଜୟ ।

ଧନଞ୍ଜୟ ଭଳି ଶକ୍ତିଶାଳୀ ରାଜାର ବଳ ପରାକ୍ରମ ବିଷୟରେ କଳିଙ୍ଗଟା ଯାକର ଲୋକ ଜାଣିଥିଲେ ଠିକ୍ ସେଇଭଳି ବାଙ୍କୀରାଣୀ ଶୁକଦେଈ ବି ଜଣେ ବୀରା ରମଣୀ ବୋଲି ରାଜ୍ୟସାରା ଲୋକଙ୍କୁ ଜଣା ଥିଲା ।

ଏଇମିତିରେ ଦିନେ ଖୋର୍ଦ୍ଧା ରାଜା ବାଙ୍କୀ ରାଜ୍ୟର କିଛି ସୀମାନ୍ତ ଅଞ୍ଚଳରେ ଜବରଦଖଲ କରି ସେଠାରେ ସୈନିକ ମୁତୟନ କରିଦେଲେ । ବାଙ୍କୀ ରାଜା ଧନଞ୍ଜୟଙ୍କୁ ଏ ଖବର ମିଳିଲାରୁ ସେ ସସୈନ୍ୟ ସୀମାନ୍ତ ଅଞ୍ଚଳକୁ ଚାଲିଲେ । ତହୁଁ ବାଙ୍କୀ ଓ ଖୋର୍ଦ୍ଧା ରାଜ୍ୟ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା ! ଅନେକ ଦିନ ଧରି ଯୁଦ୍ଧ ଲାଗିରହିଲା !

ଶେଷରେ ସେ ଯୁଦ୍ଧରେ ବାଙ୍କୀ ରାଜା ଧନଞ୍ଜୟ ଶହୀଦ ହେଲେ ଏବଂ ତାଙ୍କ ସୈନ୍ୟ ସାମନ୍ତ ମଧ୍ୟରୁ ଅଧିକାଂଶ ବନ୍ଦୀ ହେଲେ !

ବାଙ୍କୀରାଣୀ ଶୁକଦେଈ ତାଙ୍କ ପତି ନିହତ ହେବା ଖବର ଶୁଣି କିଛି କ୍ଷଣ ପାଇଁ ସ୍ଥାଣୁ ଭଳି ବସିଗଲେ !

ତା ପରେ ସେ ଉଠିଲେ ! ନିଜ ଖଣ୍ଡା ଧରି ଏକ ଆପାତକାଳୀନ ସଭାର ଆୟୋଜନ କରିବାକୁ ଆଦେଶ ଦେଲେ ! ସଭାର ଆୟୋଜନ କରାଗଲା । ସଭାରେ ବାଙ୍କୀ ରାଜ୍ୟର ସେନାପତି ଖୋର୍ଦ୍ଧା ରାଜ୍ୟକୁ ଅପହୃତ ଭୂଭାଗ ଦେଇ ତାଙ୍କର ଆଉ ବିରୋଧ ନକରି ଚୁପ ରହିବାକୁ ପରାମର୍ଶ ଦେଲେ । ତାଙ୍କ କହିବାର ଥିଲା ଯେ ବାଙ୍କୀର ରାଜକୁମାର ଦୟାନିଧି ଯେହେତୁ ଏବେ କୈଶୋର ଏବଂ ରାଜ୍ୟ ରାଜାବିହୀନ ତେଣୁ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଖୋର୍ଦ୍ଧା ରାଜାଙ୍କର ବିରୋଧରେ ପୁଣି ଯୁଗରେ ଘୋଷଣା ଭୂଲ ପଦକ୍ଷେପ ହୋଇବ !

ସେନାପତିଙ୍କ କଥା ଶୁଣି ରାଣୀ ଆସନରୁ ଉଠିଆସି କହିଲେ, “ଏ ଦେଶର ପ୍ରଥମ ଖଣ୍ଡାୟତ ସ୍ବୟଂ ଜଗନ୍ନାଥ ଓ ତାଙ୍କ ଉତ୍ତାରୁ ରାଜା ହେଉଛନ୍ତି ଦ୍ବିତୀୟ ଖଣ୍ଡାୟତ । ରାଜାଙ୍କ ପରେ ତାଙ୍କ ରାଜ୍ୟର ସମସ୍ତ ଯୋଦ୍ଧା ଖଣ୍ଡାୟତ ଆଉ ଖଣ୍ଡାୟତ ମାନେ ଯୁଦ୍ଧ କରିବାରୁ କେବେ ପଶ୍ଚ୍ୟାତପଦ ହୁଅନ୍ତି ନାହିଁ । ମୁଁ ଶୁକଦେଈ ଜଣେ କ୍ଷତ୍ରିୟା ରମଣୀ ମୋ ଦେହର କ୍ଷତ୍ରିୟ ରକ୍ତ ‘ଭୀରୁ ଭଳି ଚୂପ ରହିଯିବାକୁ’ ପସନ୍ଦ କରୁନାହିଁ । ରାଜ୍ୟର ଏ ଭୟାବହ ପରିସ୍ଥିତିରେ ଡରିମରି ଲୁଚିଯିବା ଠାରୁ କାହିଁ ଅଧିକ ଶ୍ରେୟସ୍କର ହେବ ଯୁଦ୍ଧ ଭୂମିରେ ଶତୃହାତରେ ନିହତ ହେବା ।

ମୋ ରାଜ୍ୟର ଅପମାନକୁ ମୁଁ ସହ୍ୟ କରିପାରିବି ନାହିଁ ! ତେଣୁ କେହି ମୋ ପଛରେ ଆସୁ କି ନ ଆସୁ ମୁଁ ଯୁଦ୍ଧ କରିବାକୁ ଯାଉଅଛି ! ନିଜ ରାଜ୍ୟର ଅପମାନ ପ୍ରତିଶୋଧ ନେବାକୁ ଇଚ୍ଛା ଥିଲେ ମୋ ସହ ଆସ, ନହେଲେ ସ୍ତ୍ରୀ ହାତରୁ ଖଡୁ କଙ୍କଣ ନେଇ ପିନ୍ଧି ଘରେ ବସି ରୁହ !”

ବାଙ୍କୀରାଣୀ ଶୁକଦେଇଙ୍କ ଉଦବୋଧନରେ ରାଜ୍ୟର ଅନେକ ଯୁବକ ଯୋଦ୍ଧା ଆସି ବାଙ୍କୀ ସେନାରେ ଯୋଗ ଦେଲେ । ଏଣେ ରାଣୀ ବଡମ୍ବା ରାଜ୍ୟକୁ ସୈନ୍ୟ ସହାୟତା ମାଗି ସଫଳ ହୋଇ ଏକ ମିଳିତ ସେନା ଏକାଠି କରି ଖୋର୍ଦ୍ଧା ସହ ଯୁଦ୍ଧ କରିବାକୁ ବାହାରିଲେ !

ଏପଟେ ଖୋର୍ଦ୍ଧାରାଜା ନିଜ ବିଜୟ ଉତ୍ସବ ପାଳନ କରୁଥାନ୍ତି । ସେ ବାଙ୍କୀରାଣୀ ଶୁକଦେଈଙ୍କର ଯୁଦ୍ଧ ଡାକରା କଥା ଜାଣି ଆଶ୍ଚର୍ଯ୍ୟ ହେଲେ । ତହୁଁ ପରେ ଖୋର୍ଦ୍ଧା ରାଜା ନିଜେ ଯୁଦ୍ଧକୁ ନଯାଇ ନିଜ ସେନାପତିଙ୍କୁ ସୈନ୍ୟ ସହ ଯୁଦ୍ଧ କରିବାକୁ ପଠେଇଲେ । ମାତ୍ର ଉତ୍ସାହୀ ବାଙ୍କୀ ସେନା ଯୁଦ୍ଧ କ୍ଷେତ୍ରରେ ଖୋର୍ଦ୍ଧା ସେନାପତିଙ୍କୁ ପରାଜିତ ଓ ନିହତ କଲେ ! ଏଣେ ବଡ଼ମ୍ବାର ସେନା ଖୋର୍ଦ୍ଧା ଉପରେ ଆତର୍କିତ ଆକ୍ରମଣ କରି ରାଜାଙ୍କୁ ତାଙ୍କରି ରାଜ୍ୟରେ ବନ୍ଦୀ କଲେ ! 

ଖୋର୍ଦ୍ଧା ରାଜା ଜାଣିଲେ ତାଙ୍କ ଜୀବନର ଆଜି ଶେଷ ଦିନ ! ବନ୍ଦୀ ଖୋର୍ଦ୍ଧା ରାଜାଙ୍କୁ ବାଙ୍କୀରାଣୀ ଶୁକଦେଈଙ୍କ ସମ୍ମୁଖରେ ଉପସ୍ଥିତ କରାଗଲା ! 

ଖୋର୍ଦ୍ଧା ରାଜାଙ୍କୁ ଶୃଙ୍ଖଳବନ୍ଧ ଦେଖି ତାଙ୍କୁ ତୁରନ୍ତ ସସମ୍ମାନ ମୁକ୍ତ କରି ଦେବାକୁ ରାଣୀ ଆଦେଶ ଦେଲେ !

ଖୋର୍ଦ୍ଧା ରାଜାଙ୍କୁ ବିଶ୍ବାସ ହେଉନଥାଏ !

ଶୃଙ୍ଖଳରୁ ମୁକ୍ତ ହେବାପରେ ରାଜା ସମ୍ଭ୍ରମତାର ସହ ରାଣୀଙ୍କ ପ୍ରତି କହିଲେ, “ହେ ରାଣୀ, ଆପଣ ଏଭଳି ଏକ ଆଦେଶ ଦେବେ ବୋଲି କେଭେ ବି ଆଶା କରିନଥିଲି । ନିଜ ଶତ୍ରୁ ପ୍ରତି ଆପଣଙ୍କର ଏତାଦୃଶ ଦୟା ଦେଖି ମୁଁ ଆଶ୍ଚର୍ଯ୍ୟ ନ ହୋଇ ରହିପାରୁନାହିଁ !”

ରାଣୀ ଏକଥା ଶୁଣି ବୋଇଲେ, “ରାଜନ୍ ଆପଣ ମୋର ଆଦରଣୀୟ ଯେହେତୁ ବୟୋଜ୍ୟେଷ୍ଠ ! ହେ ରାଜା ! ପତି ବିୟୋଗରେ ମୁଁ ଯେଉଁ ଆନ୍ତରିକ ଦୁଃଖ ଭୋଗ କରୁଅଛି, ଚାହୁଁନାହିଁ ଯେ ଖୋର୍ଦ୍ଧାରାଣୀ ବି ତତୋଧିକ ଦୁଃଖଭୋଗ କରନ୍ତୁ । ମୁଁ ଓ ଅନ୍ୟ ସୈନିକ ମାନେ ବାଙ୍କୀ ରାଜ୍ୟର ସମ୍ମାନ ପାଇଁ ଏହି ଯୁଦ୍ଧ କରୁଥିଲେ !”

ଖୋର୍ଦ୍ଧା ରାଜା ବାଙ୍କୀରାଣୀ ଶୁକଦେଈଙ୍କର କଥାରେ ପ୍ରଭାବିତ ହୋଇ ତାଙ୍କର ଯଥାସାଧ୍ୟ ସତ୍କାର କରି ଖୋର୍ଦ୍ଧା ରାଜ୍ୟ ଅଧିନସ୍ଥ କୁଶପଲା ପ୍ରଗଣାକୁ ବାଙ୍କୀ ରାଜ୍ୟକୁ ଉଭୟରାଜ୍ୟ ମଧ୍ୟରେ ମୈତ୍ରୀ ସମ୍ପର୍କର ସନ୍ତକ ସ୍ବରୂପ ପ୍ରଦାନ କଲେ । ରାଣୀଙ୍କୁ କୃତଜ୍ଞତା ଦେବା ସହ ଖୋର୍ଦ୍ଧା ରାଜା ତାଙ୍କ ଉପସ୍ଥିତିରେ ଘୋଷଣା କଲେ ଯେ ଭବିଷ୍ୟତରେ ଆଉ କେବେ ବି ଉଭୟ ରାଜ୍ୟ ମଧ୍ୟରେ ଯୁଦ୍ଧ ହେବନାହିଁ ! ତାହା ହିଁ ହେଲା । 

କିଛି ଦିନ ପରେ ଖୋର୍ଦ୍ଧାରାଜା ବାଙ୍କୀରାଜ୍ୟ ତଥା ବାଙ୍କୀରାଣୀ ଶୁକଦେଈଙ୍କ ସମ୍ମାନାର୍ଥେ ଏକ ପ୍ରସ୍ତର ପ୍ରାଚୀର ନିର୍ମାଣ କରାଇଲେ ଯାହା ଆଜି ବି ଉଭୟରାଜ୍ୟର ପ୍ରାଚୀନ ସୀମାନ୍ତରେ ବିଦ୍ୟମାନ ଅଛି ! 

ବାଙ୍କୀରାଣୀ ଶୁକଦେଈଙ୍କ ବିଷୟରେ ପସିଦ୍ଧ ଉତ୍କଳୀୟ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ କହିଯାଇଛନ୍ତି, 
“ବାଙ୍କୀରାଣୀ ଶୁକଦେଇ ରୂପ ଗୁଣରେ ବୈଦେହୀ,
ସାହସ ପଣରେ ରମଣୀଗଣରେ ଆପଣ ଉପମା ସେହି ପାରନ୍ତି ହୋଇ !”

ଖୋର୍ଦ୍ଧା ରାଜାଗଣ 
(୧) ୬ଷ୍ଟ ଗଜପତି ପ୍ରଥମ ଦିବ୍ୟ ସିଂହଦେବ ୧୬୬୮-୧୬୧୫
(୨)୮ମ ଗଜପତି ଦିବ୍ୟସିଂହ ଦେବ୨୭୨୦-୧୭୨୭
(୩) ୧୨ଶ ୨ୟ ମୁକୁନ୍ଦ ଦେବ
   ବାଙ୍କୀର ବିରୁଦ୍ଧରେ ଯୁଦ୍ଧ କରି ଥିଲେ ।

ବାଙ୍କୀରାଣୀ ଶୁକଦେଈ ଖୋର୍ଦ୍ଧା ରାଜାଙ୍କୁ  କହିଥିବା କଥାକୁ ଜନୈକ ଉତ୍କଳୀୟ କବି ଏହିଭଳି ଲେଖିଛନ୍ତି, 

“ପତି ବିନା ମୁକୁତି ଦଉଛି ଆଜି,
ଖୋରଧା ରାଣୀ ଏପରି ହେବେ
ପ୍ରତିଶୋଧ ମୋର ପୂର୍ଣ୍ଣ ହେଲାଣି,
ଆହେରାଜା ତୁମେ ମୁକ୍ତ ଏବେ ।।”

(ଜଣେ ବିଧବା ଓଡ଼ିଆ ବୀରାଙ୍ଗନାର ଅତି ଉଚ୍ଚ ମାନସିକତାର ପରିଚୟ)

(ଐତିହାସିକ ତଥ୍ୟ: ଶ୍ରୀମାନ୍ କାର୍ତ୍ତିକ ପରିଚ୍ଛା, କିମ୍ବଦନ୍ତୀଟି folktales of Orissa ପୁସ୍ତକରୁ ସଂଗୃହିତ)

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago