ଲେଖା: ନିରଞ୍ଜନ ସାହୁ
୧୯୩୪ ମସିହାରେ ଆରମ୍ଭ ହେଲା ଗାନ୍ଧିଜୀଙ୍କ ପଦଯାତ୍ରା ଓଡ଼ିଶାର ପୁରୀରୁ । ପୁରୀରୁ କାଜିପାଟଣା ଆସିବା ରାସ୍ତାରେ ତେଲେଙ୍ଗାପେଣ୍ଠରେ ରହିଲେ ବାପୁ । ରହଣିର ସବୁ ବ୍ୟବସ୍ଥା କରୁଥିଲେ ମା’ ରମାଦେବୀ ଓ ତାଙ୍କର ଜଣେ ସହକର୍ମୀ ।
ଟିକେ ଅବସର ପାଇଲେ ଗାନ୍ଧିଜୀଙ୍କୁ କିଛି ପ୍ରଶ୍ନ କରିବାକୁ ମନସ୍ଥ କଲେ ରମାଦେବୀଙ୍କ ସହକର୍ମୀ ଜଣକ । ଏଥିପାଇଁ ବାପୁଜୀଙ୍କ ମତ ଲୋଡ଼ିବାରୁ, ସେ ଖୁସିରେ ହଁ ଭରିଲେ । ମହାଶୟଙ୍କ ପ୍ରଶ୍ନ ଥିଲା ଏହିପରି — “କର୍ମୀମାନଙ୍କର ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥା ଅନ୍ୟ ପ୍ରଦେଶରେ ଥିବା କୌଣସି ସଂସ୍ଥାରେ କରିବା ଏବଂ ଯେଉଁ ପିଲା ଉପଯୁକ୍ତ ବିବେଚିତ ହେବେ ସେମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ବିଦେଶକୁ ପଠାଇବା ବିଷୟରେ ଆପଣଙ୍କ ମତ କ’ଣ ?”
ଗାନ୍ଧିଜୀ ଉତ୍ତରରେ କହିଲେ – “ଭଗବାନ ଯେ ମା’ କୋଳରେ ସନ୍ତାନ ଦେଇଛନ୍ତି, ପିଲାଙ୍କୁ ଲାଳନପାଳନ କରିବା ପାଇଁ ଏବଂ ବାପା ମା’ ଉଭୟଙ୍କର ଜୀବନକୁ ସଂଯତ କରିବା ପାଇଁ । ବାପା ମା’ଙ୍କର ସଂଯତ ଜୀବନ ପିଲାଙ୍କୁ ଭଲମଣିଷ କରି ଗଢ଼ିବାରେ ବହୁତ ସାହାଯ୍ୟ କରେ । ବାହାରେ ପିଲା ପଢ଼ିଲେ ତାହାର ଶୃଙ୍ଖଳା ଜ୍ଞାନ ବଢ଼ିପାରେ, କିନ୍ତୁ ସଂଯତ ଜୀବନର ପ୍ରଭାବ ପଡ଼ିବ ନାହିଁ । ପିଲାର ପ୍ରଥମେ ନିଜ ମାତୃଭାଷା ଉପରେ ଦଖଲ ଆସିବା ଚାହି । ପିଲା ନିଜ ପରିବାରରେ ଥିବା ଭଲ ସଂସ୍କାରରେ ଅଭ୍ୟସ୍ତ ହେବା ଦରକାର । ସେ ନିଜ ଦେଶର ଇତିହାସ, ଭୂଗୋଳ, ସାହିତ୍ୟ ଆଦିର ଭଲ ଜ୍ଞାନ ଲାଭ କରିବ । ତା’ପରେ ବାହାରକୁ ଗଲେ ଭଲ । ଜମୁନାଲାଲ୍ ବଜାଜ ପ୍ରଭୃତି କେତେଜଣ ତାଙ୍କ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବିଦେଶକୁ ପଠାଇବାକୁ ଇଛା କରି ମୋର ପରାମର୍ଶ ମାଗିବାରୁ ମୁଁ ତାଙ୍କୁ ଏହି କଥା କହି ସେଥିରୁ ନିବର୍ତ୍ତାଇଲି ।”
ସେଦିନର ପ୍ରଶ୍ନକର୍ତ୍ତା ଥିଲେ ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ ତ୍ୟାଗ ଓ ଅମ୍ଳାନ ବ୍ୟକ୍ତିତ୍ଵର ସ୍ମରଣୀୟ ମଣିଷ ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିହାରୀ । ସେ ସମୟରେ ସ୍ଵାଧୀନତା ସଂଗ୍ରାମୀ ପରିଚିତ ଓ ଜନସାଧାରଣରେ ପରିଚିତ ଥିଲେ ପଣ୍ଡିତେ ବୋଲି । ୧୮୮୩ ମସିହା ଜାନୁଆରୀ ୨୧ ତାରିଖରେ ଜନ୍ମିତ ପଣ୍ଡିତ ମହାଶୟ ଧନ, ମୋହକୁ ତୁଚ୍ଛ କରି ଦେଶମାତୃକାର ମୁକ୍ତି ସଂଗ୍ରାମରେ ଯେଭଳି ନିଜକୁ ଉତ୍ସର୍ଗ କରିଥିଲେ ତା’ର ପଟାନ୍ତର ନାହିଁ । ବାପା କାଳିନ୍ଦୀ ଚରଣ ପଢ଼ିହାରୀ ଥିଲେ ନିଜ ଗାଁ ଜୟବଡ଼ (ଜଗତସିଂହପୁର) ଅଞ୍ଚଳରେ ଶ୍ରୀ ଜଗନ୍ନାଥ ମନ୍ଦିର ସେବକ ଓ ଗଜପତି ମୁକୁନ୍ଦ ଦେବଙ୍କ ରାଜସଭାରେ ଜଣେ ପଣ୍ଡିତ, ମାତା ପାଟଦେଇ ଜଣେ ସାଧାରଣ ଗୃହିଣୀ ।
~ ଆଦର୍ଶ ଶିକ୍ଷକ ପ୍ରାଣକୃଷ୍ଣ ପଢ଼ିହାରୀ ~
ବାଳକ ପ୍ରାଣକୃଷ୍ଣ ବାଲ୍ୟଶିକ୍ଷା ଶେଷ ପରେ ସଂସ୍କୃତ ଟୋଲରେ ପାଠ ପଢିଥିଲେ । ସେଠାରୁ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହେବା ପରେ ଯୋଗଦେଇଥିଲେ ଜଗତସିଂହପୁର ଟ୍ରେନିଂ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ । ଛାତ୍ରବତ୍ସଳ ଶିକ୍ଷକ ଥିଲେ ସେ । ସେହି ସମୟରେ ଏଲିମେଣ୍ଟାରୀ ଟ୍ରେନିଂ ସ୍କୁଲର ସୁନାମ ଚାରିଆଡ଼େ ବ୍ୟାପି ଯାଇଥିଲା । ବିଭିନ୍ନ ସମୟରେ ସ୍କୁଲ ପରିଦର୍ଶନରେ ଆସୁଥିବା ପରିଦର୍ଶକ ମାନଙ୍କର ଉଚ୍ଚ ପ୍ରଶଂସା ପାଉଥିଲେ ପଣ୍ଡିତ ମହାଶୟ । ସମୟକ୍ରମେ ଖ୍ୟାତନାମା ଶିକ୍ଷକ ଭକ୍ତକବି ମଧୁସୂଦନ, ଚନ୍ଦ୍ରମୋହନ ମହାରଣା ଓ ସେ ସମୟର ପରିଦର୍ଶକ ରାଧାନାଥ ରାୟ, ନନ୍ଦକିଶୋର ବଳ ଇତ୍ୟାଦିଙ୍କ ସାନିଧ୍ୟ ଓ ପ୍ରେରଣା ପାଇଥିଲେ । ଉତ୍କଳପ୍ରାଣ କର୍ମବୀର ଗୌରୀଶଙ୍କର, ବ୍ୟାସକବି ଫକୀରମୋହନଙ୍କ ବହୁ ପ୍ରଭାବିତ ହୋଇ ଥିଲେ ମଧ୍ୟ ।
~ ସଂଗ୍ରାମୀ ପ୍ରାଣକୃଷ୍ଣ ପଢ଼ିହାରୀ ~
ଶିକ୍ଷକତା ସମୟରେ ଦେଶପ୍ରେମର ବୀଜବପନ ହୋଇଥିଲା ପଣ୍ଡିତ ମହାଶୟଙ୍କ ହୃଦୟରେ । ଏ ପଟେ ବହୁ ଖ୍ୟାତନାମା ଶିକ୍ଷାବିତ୍, ଦେଶସେବକ ମାନଙ୍କ ସହ ମିଶିବାର ସୌଭାଗ୍ୟ ପାଇଥିବା ଓ ପ୍ରଭାବିତ ହେତୁ ଦେଶମାତୃକାର ସେବା କରିବା ପାଇଁ ଆଗେଇ ଆସିଥିଲେ ସେ । ସେତେବେଳେ ୧୯୨୧ ର ଅସହଯୋଗ ଆନ୍ଦୋଳନ । ମହାତ୍ମା ଗାନ୍ଧୀଙ୍କ ଆହ୍ଵାନରେ ଅନେକ ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ ଯୋଗଦେଉଥାନ୍ତି । ଏହି ସଂସ୍କାରଧର୍ମୀ ମଣିଷଙ୍କର କାମରେ ବା ମନ ଲାଗିବ କେମିତି ? ତେଣୁ ଇସ୍ତଫା ଦେଇଦେଲେ । ଏହି ସମୟରେ ଗାନ୍ଧୀମଣିଷ ଗୋପବନ୍ଧୁ ଚୌଧୁରୀ ଡେପୁଟି ମାଜିଷ୍ଟ୍ରେଟ ଚାକିରି ତ୍ୟାଗ କରି ଅସହଯୋଗ ଆନ୍ଦୋଳନରେ ସାମିଲ ହେଉଥାନ୍ତି । ପୁଣି ସେହି ଅଞ୍ଚଳର ଜମିଦାର ଭାଗିରଥି ମହାପାତ୍ର, ଗୋପବନ୍ଧୁ ଚୌଧୁରୀଙ୍କ ସାନଭାଇ ନବକୃଷ୍ଣ ଚୌଧୁରୀ ଯୋଗ ଦେଇସାରିଥାନ୍ତି ସ୍ଵାଧୀନତା ସଂଗ୍ରାମରେ । ଏତିକି ବେଳକୁ ଚାକିରି ଛାଡ଼ି ଏହି ଆନ୍ଦୋଳନରେ ସାମିଲ୍ ହୋଇଗଲେ ପ୍ରାଣକୃଷ୍ଣ ପଢି଼ହାରୀ । ଗାଁ ଗାଁ ବୁଲି ଅସହଯୋଗର ବାର୍ତ୍ତା ପ୍ରଚାର କଲେ ଏବଂ ଶେଷରେ ଜେଲ୍ ଗଲେ ।
୧୯୩୦ର ଲବଣ ସତ୍ୟାଗ୍ରହ । ଏଥିରେ ସାମିଲ ହୋଇ ଅନ୍ୟାନ୍ୟ ପ୍ରମୁଖ ନେତା ଓ କର୍ମୀମାନଙ୍କ ସହ ଯୋଗଦେଲେ ଓ କାରାବରଣ କଲେ। ୧୯୩୪ ମସିହାରେ ଗାନ୍ଧୀଜୀଙ୍କ ପଦଯାତ୍ରା ବେଳେ ରମାଦେବୀ ଓ ସ୍ଵାଧୀନତା ସଂଗ୍ରାମର ଅଗ୍ରଣୀ ନେତୃବୃନ୍ଦଙ୍କ ସହ ପ୍ରାଣକୃଷ୍ଣ ପଢ଼ିହାରୀ ମହାଶୟ ମହାତ୍ମାଙ୍କ ପାଖେ ପାଖେ ରହି ଏହି ପଦଯାତ୍ରାକୁ ମଧ୍ୟ ଆଗେଇ ନେଇଥିଲେ ।
୧୯୪୦ ମସିହା ଥିଲା ତାଙ୍କ ପାଇଁ କର୍ମମୁଖର ବର୍ଷଟିଏ । ସେ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଭାବରେ ମନୋନୀତ ହେଲେ । ବହୁ ପରିଶ୍ରମ କରି ସଂଗଠନର ଦାୟିତ୍ଵ, ଖଦୀ ଆନ୍ଦୋଳନ, କୁସଂସ୍କାର ବିଲୋପ, ଅସ୍ପୃଶ୍ୟତା ନିବାରଣ ଇତ୍ୟାଦି କାମଗୁଡିକ ସୁଚାରୁରୂପେ କରୁଥିଲେ । ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ତାଙ୍କର ସକ୍ରିୟ ଭୂମିକା ଆଜି ମଧ୍ୟ ସ୍ମରଣୀୟ । ୧୯୨୧ରୁ ୧୯୪୭ ମଧ୍ୟରେ ସେ ମୋଟ ୯ ଥର ଜେଲ୍ ଯାଇଥିଲେ ।
~ ସର୍ବତ୍ୟାଗୀ ପ୍ରାଣକୃଷ୍ଣ ପଢ଼ିହାରୀ ~
ପଣ୍ଡିତ ପ୍ରାଣକୃଷ୍ଣ ପଢି଼ହାରୀ ଥିଲେ ନିଃସ୍ଵାର୍ଥପର । ସମର୍ପିତ ଥିଲେ ଦେଶମାତୃକାର ସେବା କରିବା ପାଇଁ। ସେ ତାଙ୍କ ପରିବାରକୁ ମଧ୍ୟ ଗଢ଼ିଥିଲେ ସେହିପରି । ତାଙ୍କରି ଆଦର୍ଶରେ ପରିବାରର ସମସ୍ତେ ଅର୍ଥାତ ପୁଅ, ବୋହୂ, ସ୍ତ୍ରୀ, ଅନ୍ୟ ସଦସ୍ୟ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ।
ଗୁଣମଣି ହୋଇଥିଲେ ତାଙ୍କ ସହଧର୍ମିଣୀ । ବ୍ରାହ୍ମଣ ଘର ରକ୍ଷଣଶୀଳ ପରିବାରର ବୋହୂ ହୋଇଥିଲେ ମଧ୍ୟ ସ୍ଵାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ହରିଜନ ସେବା, ସୂତାକଟା, ଖଦୀ ବୁଣିବା ଇତ୍ୟାଦି ସେ ଆପଣେଇ ନେଇଥିଲେ । କୌଣସି ପଦପଦବୀ ଆଶା ନଥିଲା ଏହି ପରିବାରର । ଓଡ଼ିଶା ଭୂଖଣ୍ଡରେ ବୋଧେ ଏଭଳି ପରିବାର ହାତଗଣତି ହୋଇପାରନ୍ତି, ଯେଉଁ ପରିବାର ସର୍ବସ୍ବ ତ୍ୟାଗ କରି କୌଣସି କ୍ଷମତା, ନାଁ ଆଶା ନ ରଖି ସ୍ଵାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ, ଦେଶମାତୃକା ପାଇଁ ଉତ୍ସର୍ଗ କରିଦେଇଥିଲେ ନିଜକୁ !
~ ଶିକ୍ଷା ମନ୍ଦିର ଅଳକାଶ୍ରମ ~
୧୯୦୯ ମସିହାରେ ପ୍ରତିଷ୍ଠିତ ହେଲା ସତ୍ୟବାଦୀ ବନବିଦ୍ୟାଳୟ ସାକ୍ଷୀଗୋପାଳ ଠାରେ । ଜାତୀୟ ବିଦ୍ୟାଳୟ ମାନ୍ୟତା ମିଳିଲା । ମଣିଷ ଗଢ଼ିବା କାରଖାନା ବୋଲି ବିଦିତ ହେଲା । ଏହାର ତେର ବର୍ଷ ପରେ ସେହିପରି ଆଉ ଏକ ବିଦ୍ୟାଳୟ ପରିକଳ୍ପନା କଲେ ଗୋପବନ୍ଧୁ ଚୌଧୁରୀ, ଚାଟରା ଗ୍ରାମର (ଜଗତସିଂହପୁର ) ଜମିଦାର ଭଗୀରଥ ମହାପାତ୍ରଙ୍କ ପିତା ଏବଂ ସ୍ଵାଧୀନତା ସଂଗ୍ରାମୀ ନିମାଇଁ ଚରଣ ପଟ୍ଟନାୟକ । ଅଳକା ନଦୀ କୂଳରେ ଥିବା ଜମିକୁ ଦାନ କରିଦେଲେ ଗୋପବନ୍ଧୁ ଚୌଧୁରୀଙ୍କ ନାମରେ । ସାବରମତୀ ଆଶ୍ରମ ଓ ବରେଇ ଆଶ୍ରମ ପରେ ଅଳକାଶ୍ରମ ଥିଲା ଭାରତବର୍ଷର ମୁକ୍ତିସଂଗ୍ରାମର ଅନ୍ୟତମ ପ୍ରମୁଖ କ୍ଷେତ୍ର । ୧୯୨୨ ମସିହା ଶ୍ରୀପଞ୍ଚମୀ ଦିନ ପ୍ରତିଷ୍ଠିତ ହେଲା ଅଳକାଶ୍ରମ ଏବଂ ଉଦଘାଟିତ ହେଲା ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଦ୍ଵାରା । କଂଗ୍ରେସ କର୍ମୀମାନେ ଏଠାରେ ସୂତାକଟା, ଖଦୀ ବୁଣିବା ତାଲିମ ନେଲେ । ନୈତିକ ମୂଲ୍ୟଯୁକ୍ତ ଶିକ୍ଷା ସହ ଅନ୍ୟାନ୍ୟ ସୃଜନାତ୍ମକ କାର୍ଯ୍ୟ ସମ୍ବନ୍ଧରେ ଶିକ୍ଷା ଦିଆଗଲା । ଆଶ୍ରମ ପରିଚାଳନା ଦାୟିତ୍ବ ନେଲେ ପଣ୍ଡିତ ପ୍ରାଣକୃଷ୍ଣ ପଢି଼ହାରୀ । ପ୍ରତ୍ୟହ ଘର ଘର, ଗାଁକୁ ଗାଁ ବୁଲି ମୁଷ୍ଟିଭିକ୍ଷା କରି ଆଶ୍ରମ ଚଳାଉଥିଲେ ପଢିହାରୀ ମହାଶୟ । କେତେ ତ୍ୟାଗ ବା ଆଉ ହୋଇପାରେ ?
~ ଦୁର୍ଦ୍ଦିନର ବନ୍ଧୁ, ଲୋକବନ୍ଧୁ ପଣ୍ଡିତେ ପ୍ରାଣକୃଷ୍ଣ ପଢ଼ିହାରୀ ~
୧୯୫୫ ମସିହା । ମହାନଦୀରେ ଦଳେଇ ଘାଇ । ଜଳମଗ୍ନ ହୋଇଗଲା ଜଗତସିଂହପୁର ଜିଲ୍ଲାର ସବୁ କିଛି ଅଞ୍ଚଳ । ବନ୍ୟା ଛଡ଼ାଇ ନେଲା କେତେ ଲୋକଙ୍କୁ । ଗୃହଶୂନ୍ୟ ହୋଇଗଲା ଅନେକ ଗାଁ । ଖାଦ୍ୟର ଘୋର ଅଭାବ । ଗୋମହିଷାଦି ପଶୁ ଭାସିଗଲେ । ଗମନାଗମନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲା। ସରକାର ରିଲିଫ ଯୋଗାଇଦେବା ନିମନ୍ତେ କିଛି କିଛି ବ୍ୟବସ୍ଥା କରିଥିଲେ ଅବଶ୍ୟ । ତେବେ ଏହି ଦୁଃସମୟରେ ଜଣେ ବାସ୍ତରୀ ବର୍ଷୀୟ ଯୁବକ ଉଭା ହେଲେ ଲୋକ ମାନଙ୍କ ପାଖରେ । ଚୂଡା଼ ଚାଉଳ ଧରି ଗାଁକୁ ଗାଁ ବୁଲି ଲୋକଙ୍କୁ ଖୁଆଇଲେ । ସରକାର ରିଲିଫ କାର୍ଯ୍ୟ ତ୍ବରାନ୍ବିତ ଓ ତଦାରଖ କରିବା ପାଇଁ ପଣ୍ଡିତ ପ୍ରାଣକୃଷ୍ଣ ପଢି଼ହାରୀଙ୍କ ଉପରେ ଦାୟିତ୍ଵ ଦେଲେ । ଅତୀତରେ ଯିଏ ସମଗ୍ର ପରିବାରକୁ ଦେଶ ସ୍ଵାଧୀନତା ପାଇଁ ସମର୍ପି ଦେଇଥିଲେ, ସେହି ପଢ଼ିହାରୀ ମହାଶୟଙ୍କ ପରିବାର ଲୋକେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନା କରି ବାପାଙ୍କ ନାମକୁ ଆହୁରି ଉଜ୍ଜ୍ୱଳ କରିଦେଲେ । ସେ ଥିଲେ ପ୍ରକୃତରେ ନିଃସ୍ଵାର୍ଥପର ସେବକ ।
~ ଉତ୍କଳୀୟଙ୍କ ସ୍ମୃତି ଅର୍ଘ୍ୟ ~
ଆଜୀବନ ଗାନ୍ଧୀ ମହାତ୍ମାଙ୍କ ଆଦର୍ଶରେ ବ୍ରତୀ, ନିଃସ୍ଵାର୍ଥପର ମଣିଷ, ସର୍ବତ୍ୟାଗୀ, ସଂଗ୍ରାମୀ, ଶିକ୍ଷକ, ଜନସେବକ, ଦେଶପ୍ରେମୀ, ଆଦର୍ଶବାଦୀ ପୁରୁଷ ପଣ୍ଡିତ ପ୍ରାଣକୃଷ୍ଣ ପଢି଼ହାରୀଙ୍କ ମୃତ୍ୟୁ ଥିଲା ଅତ୍ୟନ୍ତ ବେଦନା ଦାୟକ । ସେଦିନ ୧୯୫୮ ମସିହା ଅଗଷ୍ଟ ମାସ ୦୮ ତାରିଖର ମଧ୍ୟାହ୍ନ । ଐତିହାସିକ ପୀଠ ସ୍ଵରାଜ ଆଶ୍ରମରୁ ମିଟିଂ ସାରି ଫେରୁଥିଲେ ନିଜ ବସାଘରକୁ । ରାସ୍ତାରେ ଚୌଧୁରୀ ବଜାର । ହଠାତ୍ ଗୋଟିଏ କୋଠାର ସାମ୍ନା ଅଂଶ ଭାଙ୍ଗି ଅଜାଡ଼ି ହୋଇ ପଡ଼ିଲା ତାଙ୍କ ଉପରେ । ସବୁ କିଛି ଶେଷ ହୋଇଗଲା ସେଇଠି । ହଜାର ହଜାର ଲୋକ ଜମା ହୋଇଗଲେ ଶେଷ ଦର୍ଶନ ପାଇଁ ।
କଟକ ସହରର ମଧ୍ୟ ଭାଗରେ ଗୌରୀଶଙ୍କର ପାର୍କ ନିକଟରେ ସ୍ଥାପିତ ହେଲା ଏକ ବୃହତ୍ ପାଠାଗାର । ନାଁ ରହିଲା ପଢ଼ିହାରୀ ପାଠାଗାର । ଶିକ୍ଷକତା କରିଥିବା ଜୟବଡ଼ ପ୍ରାଇମେରୀ ବିଦ୍ୟାଳୟ ନାମିତ ହେଲା ତାଙ୍କରି ନାମରେ । ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ କଲେ ଜନସାଧାରଣ । ଏପଟେ ଅଳକାଶ୍ରମ ସ୍ମୃତି ଭବନ ସରକାରଙ୍କ ଦ୍ଵାରା ତିଆରି ହୋଇ ଲୋକାର୍ପିତ ହେଲା ।
ଆଧାର: ମା’ ରମାଦେବୀ ଚୌଧୁରୀଙ୍କ ଆତ୍ମଜୀବନୀ ‘ଜୀବନ ପଥେ’; ‘ଆମେ ଓଡ଼ିଆ’, ନୃସିଂହ ଚରଣ ସାହୁ; ପଢ଼ିହାରୀ ପାଠାଗାର, କଟକ
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…
View Comments
ସର୍ବତ୍ୟାଗୀ ମହାପୁରୁଷ ଥିଲେ ପ୍ରାଣକୃଷ୍ଣ ପଢିହାରି ମହୋଦୟ । ସେଭଳି ପୁଅଟିଏ ପାଇ ଉତ୍କଳ ଜନନୀ ଧନ୍ୟ ।