ଲେଖା: ଶ୍ରୀକାନ୍ତ ସିଂହ

ଗଙ୍ଗବଂଶୀୟ ଶାସନ କାଳରେ ଓଡ଼ିଶାରେ ଅନେକ ଗୁଡ଼ିଏ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିରମାନ ନିର୍ମିତ ହୋଇଥିଲା l ପ୍ରାୟତଃ ଏହି ମନ୍ଦିରଗୁଡ଼ିକ ପୂର୍ଵ ଓଡ଼ିଶାର ଦୟା, ଭାର୍ଗବୀ, କୁଶଭଦ୍ରା ଓ ପୁଣ୍ୟତୋୟା ପ୍ରାଚୀନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା l ସେଥି ମଧ୍ୟରୁ ଅନେକ ଆଜି ଭାଙ୍ଗି ରୁଜି ଯାଇଥିଲେ ବି ଆଉ କିଛି ଏବେ ବି ସଗର୍ବେ ଦଣ୍ଡାୟମାନ l ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ କାକୁଡ଼ିଆ ଗ୍ରାମରେ ଥିବା ଗୋପୀନାଥ ମନ୍ଦିର ସେଥିମଧ୍ୟରୁ ଅନ୍ୟତମ l

ପିପିଲି ଠାରୁ ଜଟଣୀ ଯିବା ବାଟରେ ପ୍ରାୟ ସାତ କିଲୋମିଟର ଦୂରରେ, ଦୟା ନଦୀର ପୂର୍ଵ ତଟରେ ଥିବା କାକୁଡ଼ିଆ ଗ୍ରାମରେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଗୋପୀନାଥ ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏକ ସୁନ୍ଦର ମନ୍ଦିର, ଯାହାକି ଭୁବନେଶ୍ୱରର ରାଜାରାଣୀ ମନ୍ଦିର ପରି ସୁକ୍ଷ୍ମ କାରୁକାର୍ଯ୍ୟରେ ପରିପୂର୍ଣ୍ଣ l



କେତେକ ଐତିହାସିକଙ୍କ ମତରେ ଏହି ମନ୍ଦିରଟି ତ୍ରୟୋଦଶ ଶତାବ୍ଦୀରେ ନରସିଂହଦେବ ଦ୍ଵିତୀୟଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା, ମାତ୍ର କେହି କେହି ମତ ଦିଅନ୍ତି ଯେ, ଏହି ଅନନ୍ୟ କାରୁକାର୍ଯ୍ୟ ବିମଣ୍ଡିତ ମନ୍ଦିରଟି ସ୍ୱୟଂ ଚୋଡ଼ଗଙ୍ଗ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମାଣ ହୋଇଥିଲା l ପରମ ବୈଷ୍ଣବ ଚୋଡ଼ଗଙ୍ଗ ଦେବ ବୈଷ୍ଣବ ଗୁରୁ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ଗୋପୀନାଥ ମନ୍ଦିରଟି ଏକାଦଶ ଶତାବ୍ଦୀରେ ନିର୍ମାଣ କରାଇଥିବାର ସ୍ଥାନୀୟ ଲୋକଙ୍କ ଧାରଣା ରହିଛି l


ପଞ୍ଚରଥ ଶୈଳୀର ଏହି ପୂର୍ବାଭିମୁଖୀ ରେଖ ଦେଉଳଟି ସମ୍ପୂର୍ଣ୍ଣ ବଉଳମାଳ ପଥରରେ ନିର୍ମିତ ହୋଇଛି l ମନ୍ଦିରର ସ୍ୱରୂପ ରୂପେ ସୁକ୍ଷ୍ମ କାରୁକାର୍ଯ୍ୟ ଖଚିତ ମୁଖ୍ୟ ଦେଉଳ ବା ବିମାନଟି ଯାହା ଦଣ୍ଡାୟମାନ l ଏହାର ଜଗମୋହନ ଓ ନାଟମଣ୍ଡପ ଆଦି ନାହିଁ l କୁହାଯାଏ ଶ୍ରୀମନ୍ଦିର ଆକ୍ରମଣ ସମୟରେ ତକି ଖାଁର କ୍ରୁର ଦୃଷ୍ଟି ଏହି ମନ୍ଦିର ଉପରେ ପଡ଼ିଥିଲା ଏବଂ ଯିବା ବାଟରେ ସେ ମନ୍ଦିରର ନାଟ ମଣ୍ଡପ ଓ ଜଗମୋହନକୁ ଭାଙ୍ଗି ଦେଇଥିଲା ଆଉ ମନ୍ଦିର ଗାତ୍ରରେ ଥିବା ଶିଳାଲେଖଟି ମଧ୍ୟ ସେ ସମୟରେ ଧ୍ବଂସ ପାଇଥିଲା l ହେଲେ ଗୋପୀନାଥଙ୍କ ପାବନ ମୂର୍ତ୍ତିକୁ ତା’ର ଆକ୍ରମଣରୁ ବଞ୍ଚାଇବାକୁ ଯାଇ ଗ୍ରାମବାସୀମାନେ ଅନ୍ୟତ୍ର ସ୍ଥାନାନ୍ତର କରିନେଇଥିଲେ l ଏହି ମୂର୍ତ୍ତିଟି ଏବେ ସାକ୍ଷୀଗୋପାଳ ନିକଟରେ କୌଣସି ଏକ ମନ୍ଦିରରେ ପୂଜା ପାଉଛନ୍ତି l


ମାତ୍ର କେହି କେହି କୁହନ୍ତି ଗର୍ଭଗୃହରେ ପ୍ରତିଷ୍ଠିତ ମୁଖ୍ୟ ଦେବତା ଗୋପୀନାଥଙ୍କ ସହ ତିନି ପାର୍ଶ୍ୱରେ ଥିବା ପାର୍ଶ୍ଵଦେବତା ଯଥା ବରାହ, ନୃସିଂହ ଓ ବାମନଙ୍କ ମୂଳ ବିଗ୍ରହ ଗୁଡ଼ିକ କୌଣସି ସମୟରେ ଚୋରି ହୋଇଯାଇଥିଲା l ଆଉ ସେହି ସ୍ଥାନରେ ଗର୍ଭ ଗୃହରେ ଏବେ ରାଧାକୃଷ୍ଣଙ୍କ ଧାତୁ ନିର୍ମିତ ଯୁଗଳ ମୂର୍ତ୍ତି ପୂଜା ପାଉଥିବାବେଳେ ଦକ୍ଷିଣ ଭାଗରେ ପାର୍ଶ୍ଵଦେବତା ରୂପେ ଚତୁର୍ଭୁଜ ବରାହ ମୂର୍ତ୍ତି ପ୍ରତିଷ୍ଠିତ l

ବରାହଙ୍କ ଭଗବାନଙ୍କ ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଶୋଭା ପାଉଛି l ଠିକ ସେହିପରି ପଶ୍ଚିମ ଭାଗରେ ନୃସିଂହ ଭଗବାନଙ୍କ ଚତୁର୍ଭୁଜ ମୂର୍ତ୍ତି ପୂଜା ପାଉଛନ୍ତି l ଉପର ଦୁଇ ହାତରେ ନୃସିଂହ ଭଗବାନ ଶଙ୍ଖ ଓ ଚକ୍ର ଧାରଣ କରିଥିବାବେଳେ ନିମ୍ନ ଦୁଇ ହାତରେ ହିରଣ୍ୟକଶ୍ୟପର ବକ୍ଷ ବିଦାରଣ କରୁଛନ୍ତି l ସେହିଭଳି ମନ୍ଦିରର ଉତ୍ତର ପାର୍ଶ୍ୱରେ ପାର୍ଶ୍ଵଦେବତା ରୂପେ ତ୍ରିବିକ୍ରମ ବାମନ ଦେବତାଙ୍କ ମୂର୍ତ୍ତି ପୂଜା ପାଉଛନ୍ତି l ଉଭୟ ହସ୍ତରେ ଛତା ଓ ଗଦା ଧାରଣ ପୂର୍ବକ ତ୍ରିପାଦରେ ତ୍ରିଭୁବନକୁ ଧାରଣ କରିଥିବା ରୂପକୁ ନିହାଣ ମୁନରେ ଉତ୍କୀର୍ଣ୍ଣ କରାଯାଇଛି l


ମୁଖ୍ୟ ଦେଉଳର ମନ୍ଦିର ଗାତ୍ରରେ ପାର୍ଶ୍ଵ ଦେବତାମାନେ ସ୍ଥାନିତ ନ ହୋଇ ମନ୍ଦିରକୁ ଲାଗି ତିନିଗୋଟି ପୀଢ଼ ଶୈଳୀର ଛୋଟ ମନ୍ଦିରରେ ଏହି ମୂର୍ତ୍ତିଗୁଡ଼ିକ ପୂଜା ପାଉଛନ୍ତି l ମୁଖ୍ୟ ଦେଉଳପରି ମନ୍ଦିର ସଂଲଗ୍ନ ଏହି ତିନିଗୋଟି ମନ୍ଦିରର କାରୁକାର୍ଯ୍ୟ ମଧ୍ୟ ଦେଖିଲା ଭଳି l ସ୍ତମ୍ଭ ଗୁଡ଼ିକରେ ଲତାପତ୍ର ଆଦି ସହିତ ଚମତ୍କାର ଜାଲିଯୁକ୍ତ କାମ ଦେଖିବାକୁ ମିଳେ l


ଆଜକୁ ଆଠଶହ ନ’ଶହ ବର୍ଷ ପୂର୍ବେ ଆଧୁନିକ ଯନ୍ତ୍ରପାତି ବିନା, କେବଳ ପାରମ୍ପରିକ ଯନ୍ତ୍ରପାତିର ଉପଯୋଗରେ ଏତେ ସୁନ୍ଦର କମକୂଟ, କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ନିର୍ମାଣ ଯେକୌଣସି ଦର୍ଶକ ମନରେ ସହସ୍ର ପ୍ରଶ୍ନବାଚୀ ସୃଷ୍ଟି କରେ l ମନ୍ଦିରର ମୂଳ ପିଣ୍ଡି ହେଉ ବା ମଧ୍ୟଭାଗ ଗଣ୍ଡି ହେଉ ଏମିତିକି ମସ୍ତକ ବା ମୁଣ୍ଡି ପର୍ଯ୍ୟନ୍ତ ସବୁଠି ନିହାଣ ମୁନର ଚମତ୍କାର କାରିଗରୀ ଦେଖିବାକୁ ମିଳେ l

ସେ ସମୟର ସେହି କାରିଗରମାନେ ଆଜି ନାହାନ୍ତି ସତ, ମାତ୍ର ତାଙ୍କ କୀର୍ତ୍ତି ଓ କୃତି ଆଜିବି ଜୀବନ୍ତ ଓ ପ୍ରାଣବନ୍ତ l ଏଣୁ ସୁଯୋଗ ପାଇଲେ କଳିଙ୍ଗ ସ୍ଥାପତ୍ୟ କଳାର ଏହି ଶ୍ରେଷ୍ଠ ନମୁନାକୁ ଥରେ ଦେଖି ଆସନ୍ତୁ l 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago