ଲେଖା: ଅମୃତେଶ ଖଟୁଆ
~ ଉପକଣ୍ଠର କଟକ: ପୁରୁଷୋତ୍ତମପୁର ~
ମେଘସୁନ୍ଦର ଶ୍ରାବଣର ଘନଭୂରୁ ତଳେ ଅଳସ ଭାଙ୍ଗିଲାଣି ଭୋଦୁଅର ସକାଳ । ପ୍ରକୃତିସ୍ଥ ପ୍ରଭାତରେ ସଜାଗ ପ୍ରଶାନ୍ତିକୁ ପାଥେୟ କରି ନିରନ୍ତର ଶାନ୍ତିକାମୀ ମଣିଷ ଓ କଲ୍ୟାଣକାମୀ ଜୀବଜଗତର ଚେତନାରେ ଅଫୁରନ୍ତ ଉଚ୍ଛ୍ଵାସର ଆବାହନ । ସକାଳର ପୂର୍ବସ୍ମୃତିରେ ଗତରାତିରୁ ହିଁ ସେହି ଅପେକ୍ଷାରତ ମୁହୂର୍ତ୍ତ ପ୍ରତି ସମସ୍ତ କୌତୂହଳ ନିତାନ୍ତ ଏକୀଭୂତ ହେଲାଣି । ସୌର ସୃଷ୍ଟିର ନିଥରକୋଣରେ ଅନିମେଷରେ ଉଠିଯିବ ପ୍ରିୟ ପୃଥିବୀ । ତାର କେଉଁ କନ୍ଦିରେ ହାତ ପାପୁଲି ଧରି ଚେଇଁବ ଆପଣାର ଉତ୍କଳ ।
କାନ୍ତିକୁସୁମିତ ସୁଖମୟ ଜୀବନରେଖାରେ ଡମ୍ଵରୁମଧ୍ୟମା ପ୍ରକୃତି ଦ୍ଵାରା ପ୍ରସାରିତ ସବୁଜ ମେଖଳାରେ ଉପୁଜାଇଚି ପ୍ରଗାଢ ସୌନ୍ଦର୍ଯ୍ୟର ପିପାସା । ସୌନ୍ଦର୍ଯ୍ୟରୂପୀ ଆସବପିପାସୁ ଉତ୍କଳବାସୀ ଅକ୍ଳେଶରେ ତହିଁରୁ ଆହରଣ କରୁଛନ୍ତି ଗୌରବର ଉତ୍ସ । ବନଭୂମିର ଦିଗନ୍ତବିସ୍ତୃତ କୋଳରେ ଆଦିମ ଜନଜାତିର କଥାରୁ ଆରମ୍ଭ କରି ଯବନରୂପୀ ଦାବଦହନକୁ ପ୍ରଶମିତ କରିଥିବା ବୀରକେଶରୀ ଗଜପତି ରାଜ୍ୟର ଉପାଖ୍ୟାନରେ ଏହି ଆପଣାର ଉତ୍କଳ ସାଜିଥିଲା ସମଗ୍ର ଭାରତବର୍ଷରେ ଅନ୍ୟତମ ସାର୍ବଭୌମ ଗୌରବ । ଉତ୍କଳୀୟତାର ଆଦର୍ଶରେ ଏଠି ଉଠିଲା ସମାଜ ଓ ସଂସ୍କୃତି ।
ପାଞ୍ଚ ପ୍ରାଣର ଅସ୍ମିତାର ପଚିଶ ପ୍ରକୃତିକୁ ପଣ କରି ନୂତନ ସମ୍ଭାବନାର ଐତିହ୍ୟ ଭିତରେ ଉନ୍ମୀଳିତ ହେଲା ବୀରନେତ୍ର । ଏହାର ସୌମ୍ୟ ଗ୍ରହୀତାଗଣ ଦେଶମାତୃକାର ଜୈତ୍ରଗୀତି ଗାୟନ କରି ତୁଙ୍ଗ ବୀରପୁରୁଷ ଓ ବୀରାଙ୍ଗନା ଭାବରେ କେତେ ବଂଶଧରମାନଙ୍କ ଆଖି ଆଗରେ ଆଜି ଦୀର୍ଣ୍ଣ ଦିଶୁଥିବା ମୃତ୍ତିକାର ରୂପଜୀବୀ ଭାବେ ମୂର୍ତ୍ତିମନ୍ତ ହୋଇ ରହିଛନ୍ତି । ମହୋଦଧିର ପ୍ରଗଲ୍ଭ ପାରାବାର ଜନନୀଙ୍କ ପଦଧୌତ ପବିତ୍ରତାକୁ ମଣିଷ ପାଇଁ ଏହାର ରାଶିରାଶି ବାଲୁକାସ୍ତୂପର ଆବରଣ ତଳେ ଶୀତେଇକିନା ପୁହାଇ ରଖିଛି ।
ଅଦୂରବର୍ତ୍ତୀ ନୀଳଗିରି ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜର ଅନନ୍ତ ପ୍ରସାରଣଶୀଳ ବଳିଆର ବାହୁକୁ ଭକ୍ତଜନଙ୍କୁ ଆବୋରିବା ପାଇଁ ଟାକି ବସିଛନ୍ତି ଦୁଇ ଚକାନୟନରେ । ତାଙ୍କ ଚକାନୟନ ସହ ନିଜ ଚର୍ମଚକ୍ଷୁ ମିଳିତ କରି ଜନପ୍ରାଣୀ ନିଜକୁ କରିଛନ୍ତି ବୀର, ମହାପୁରୁଷ ଓ ସାଧାରଣ ମଣିଷ ପରି ଯୋଗଜନ୍ମାଙ୍କ ଗହଣରେ ଅମାୟିକ ଦୀପ୍ତି ଯାହାକୁ ତୋଳି ଗୃହାଙ୍ଗନର ସଞ୍ଜବତୀ ସ୍ଵରୂପ ବଂଶସୂତ୍ରରେ ପ୍ରତ୍ୟହ ଉଦ୍ଦୀପିତ ରହୁଛି ପୁରୁଷ ପୁରୁଷ ଧରି । ଦୃଷ୍ଟିସ୍ନିଗ୍ଧ ପାଠକରୂପୀ ପଥିକଙ୍କ ଆଖିରେ ପଡେ ନାନା ଊର୍ଜ୍ଜ୍ଵସଳ ଇତିହାସ ଓ ତହିଁରେ ପ୍ରତିଥର ଗୋଟିଏ ଜାତିର ଅଭ୍ୟୁଦୟ ।
ଯୁଗାବଧି ଅନୁସନ୍ଧିତ୍ସାର ନୂତନ ଅଭିସନ୍ଧିରେ ଆମ ଐତିହ୍ୟ ପ୍ରାଣ ଗୌରବମୟ ଆବେଶରେ ଉଚ୍ଚକିତ ହେବାକୁ ନିୟମିତ ଉଦ୍ୟତ ହୁଏ । ସୁକୁମାର ସକାଳର ଉଚ୍ଛ୍ଵାସକୁ ପାଥେୟ କରି ଆମ ଐତିହ୍ୟ ଅନୁସନ୍ଧିତ୍ସାର ଏହି ପର୍ଯ୍ୟାୟ ଥିଲା ଅନୁରୂପ ଉଦ୍ୟମର ଅଭୀପ୍ସା । ୨୧ ଅଗଷ୍ଟର ସେହିଦିନ ରବିବାର ସକାଳ ଥିଲା । ଛୁଞ୍ଚପାଣି ଛିଟିକିବା ଭଳି ସହାସ୍ୟ ବିଚ୍ଛୁରିତ ପ୍ରଭାତୀ ସୂର୍ଯ୍ୟକିରଣରେ ଉତ୍ଥିତ ହେଲାରୁ କଟକ ଅଭିମୁଖେ ଯେ ଯିବାର ଥାଏ ବୋଲି ମନେପଡେ । ସକାଳର ସମସ୍ତ ପାଇଟିପତ୍ର ଯଥାବିଧି ଗତରାତିରୁ ସଜ କରି ରଖିଥାଏ । କେବଳ ପରିଧାନ ଗଳେଇ ଯିବା କଥା ।
ଆମ ଛକରୁ ବସ୍ ଧରି ସିଧା କଟକ ଅଭିମୁଖେ ଯାତ୍ରା ଆରମ୍ଭ କଲି । ବସ୍ ରେ ଯିବା ଆଗହୁଁ କେତେକ ଐତିହ୍ୟ ସ୍ଥାନ ମଧ୍ୟ ପଡିବ । ବାରଙ୍ଗ, ଚୂଡଙ୍ଗଗଡ ଓ ତ୍ରିଶୂଳିଆ ପ୍ରଭୃତି ରାସ୍ତାକଡରେ ଦିଶି ଯାଉଥାଏ । ଆକାଶର ନୀଳ ଚହଟିବା ବେଳକୁ ଚୂଡଙ୍ଗଗଡର ଅନୁଚ୍ଚ ଶୈଳଶ୍ରେଣୀ ଗନ୍ତବ୍ୟ ସମୟରେ ଊଣାଧିକେ ଦୂରରୁ ଆକୃଷ୍ଟ କରାଉଥିଲେ । ବାରଙ୍ଗ ଅତିକ୍ରମ କରି ତ୍ରିଶୂଳିଆ ଟପିଲା ପରେ କାଠଯୋଡି ନଦୀ ଉପରେ ନିର୍ମିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସେତୁ ଦ୍ଵାରା ଶିଶୁଭବନ ଛକରେ ପହଞ୍ଚିଗଲି । ସେଠାରୁ କିଛି କ୍ଷଣ କାଠଯୋଡି ତୀରରେ ଅତିବାହିତ କରି ବଡ଼ଭାଇ ଶ୍ରୀକାନ୍ତ ସିଂହଙ୍କ ସହିତ ଆରମ୍ଭ କଲୁ ଐତିହ୍ୟ ଯାତ୍ରା ।
ବିହଗବର୍ଗ ଡେଣା ଝାଡିଦେଲା ଭଳି ଖଣ୍ଡ ଖଣ୍ଡ ଭସାମେଘ ଉହାଡରେ ନିର୍ମଳ ସକାଳ ଊର୍ଦ୍ଧ୍ଵସ୍ଥିତ ନୀଳିମାରେ ଭାସି ଯାଉଥାଏ । ଏପଟେ ରାସ୍ତା କଡକୁ ଦୃଶ୍ୟମାନ ବନ୍ୟାପ୍ଳାବିତ କାଠଯୋଡିର ବେଗବାନ୍ ସୁଅ ଆଗେଇ ଚାଲିଛି ଓ ତା ସହ ଆଗୁଁସାର ଆମେ ଦୁହେଁ ଐତିହ୍ୟ ଅଭିମୁଖେ । ଉଦ୍ଭିଦଜନିତ ଛାୟାଘନ ଶୀତଳତା ମଧ୍ୟରେ କ୍ରମଶଃ ସ୍ପର୍ଶ କରି ଯାଉଥିବା ବାୟୁର ଧୀର ନିଃସ୍ଵନ କଳେବରକୁ ନିଥର କରି ସହରର ପ୍ରାଚୀନତା ଭିତରେ ଝଙ୍କାରିତ ଅନୁଭବକୁ ଉଧେଇବାରେ ସହାୟ ହେଉଥାଏ । କଟକ ଓ ଭୁବନେଶ୍ୱର ଦ୍ଵୈତନଗରୀ ରୂପେ ବିଦିତ ହେବା ବେଳକୁ ମୋ ଜନ୍ମ ସମୟରୁ ଦୁଇ ନଗର ମୋ ସହ ଜଡିତ ।
ସମ୍ପର୍କର ସୂତ୍ର ରୂପେ କୁହାଯାଇପାରେ ଅଥବା ଅଗତ୍ୟା ପରିସ୍ଥିତି ଦ୍ଵାରା ଏହାର ପର୍ଯ୍ୟଟନରେ ଆହୂତ ହୋଇଥିବା ଜଛେ ଶିଶୁ ବର୍ତ୍ତମାନ ତରୁଣ ହୋଇସାରିଲାଣି । ପ୍ରକୃତି ! ତୁମ୍ଭ ନିକଟରେ ଅଗଣନ ଭାବୁକଜନ ଉନ୍ନତ ମସ୍ତକରେ ଥିବା ନିଜର ଦମ୍ଭଜ୍ଞାନକୁ ଯେଉଁ ଭଳି ଅବନତ କରିଦେଇ ବିନମ୍ର ଜ୍ଞାନର ସଂହତି ପ୍ରତି ସ୍ଵୀକୃତି ଜଣାଉଛନ୍ତି, ତୋ ଗହଣରେ କଟକର ପଥପ୍ରାନ୍ତରର ନାନାବିଧ ଗୁଳ୍ମରାଶି ଓ ତରୁଲତା ସମାକୁଳ ସବୁଜିମାର ବିନୟଭାବରେ ମୁଁ ଆତ୍ମସ୍ଥ । ତଦନୁଯାୟୀ ମୋ ଚେତନା ଶକ୍ତି ସେହିପରି ଲୀଳା ସ୍ଵରୂପରେ ନିଜକୁ ଅଂଶୀଦାର ସଜେଇ ଦେଇ ମୁଗ୍ଧ ହୁଏ ସେଇ ସୌଭାଗ୍ୟ ପାଇ ।
କାରଣ ମୁଁ ଜାଣେ, ତୋର ନିଷ୍ଠାପର ଆସକ୍ତିରେ ମୁଁ ଅଭିପ୍ରେତ ହୋଇ ଯେ ଆଜି ମୋ ମାଟିର ଐତିହ୍ୟ ପ୍ରତି ଉନ୍ମୁଖ ହୁଏ, ତାହା କହିହୁଏ ଅବିସମ୍ଵାଦିତ । ସ୍ଵଭାବ-ସହଚର ସହରର ଅନ୍ନପ୍ରାଶନରେ ଯଦିଚ ମୋର ପାଳନ କିନ୍ତୁ କମନୀୟ ବାଲ୍ୟବୟସରୁ ସୁଦ୍ଧା ଦୁସ୍ତର ନଗରପ୍ରାଣର ସ୍ପର୍ଶରେ ମୁଁ ଯେ ତିଳେ ହେଁ ବିଚ୍ୟୁତ ଅବା ବିଚଳିତ ନୁହେଁ, ଏହା ହିଁ ମୋ ମାଟିର ଅସ୍ମିତା । ଅପରିମେୟ ଜ୍ଞାନରେ ଜିଜ୍ଞାସୁ-ସୁଲଭ ସର୍ବାଦୌ ଓଡିଆ ମାଟିର ସ୍ଵର୍ଗୀୟ ବାସନାରେ ଲୁବ୍ଧ ହେବାକୁ ହିଁ ଶ୍ରେୟସ୍କର ମନେ କରି ଆସିଛି । ନୁଆଣିଆ ଚାଳ ଉପରେ ଭବିଷ୍ୟତ ସବୁଥର ଗହମ ସ୍ଵପ୍ନସଜ୍ଜା ଭିତରୁ ସୂର୍ଯ୍ୟ ହେଇ ବାସ୍ତବିକ ଉଜ୍ଜୀବିତ ହୋଇ ଉଠେ, ତାହା ହିଁ ମୋ ମାଟିରେ ପ୍ରତ୍ୟେକ ଉଦୟଲଗ୍ନର ବାର୍ତ୍ତା ।
ଇତି ମଧ୍ୟରେ ମହାନଦୀର ସୁବିସ୍ତୀର୍ଣ୍ଣ ବାଲୁକା ସ୍ତୂପୀକୃତ କୂଳ ଆଡେ ହେଇ ରିଙ୍ଗ୍ ରୋଡର ବିସର୍ପିଳ ପଥ ଅତିକ୍ରମ କରିଗଲୁ । ସେଠାରୁ ବାଉନ ବଜାର ତେପନ ଗଳିର ସହର କଟକ ଅନ୍ତର୍ଗତ ହୋଇ ଯୋବ୍ରା ବାଟ ଘେନି ନିମପୁର-ଜଗତପୁର ରାସ୍ତାରେ ବାହାରିଲୁ । ଖଣ୍ଡେ ଦୂରକୁ ନିମପୁର ଦେଇ ଗଲାବେଳେ ପଡିବ ୧୮ଶ ଶତାବ୍ଦୀରେ ନିର୍ମିତ କୃଷ୍ଣେଶ୍ଵର ମହାଦେବଙ୍କ ମନ୍ଦିର । ଲୋକବିଶ୍ଵାସରେ ଶୁଣାଯାଏ ଯେ କୁଷ୍ଠାକ୍ରାନ୍ତ ବ୍ୟକ୍ତି ଏଠାରେ ଦେବାର୍ଚ୍ଚନା କରି ନିରନ୍ତର ଆଶୁ ଆରୋଗ୍ୟ ଲାଭ କରିଛନ୍ତି । ସେଠାକୁ ଛାଡିଦେଲେ କେବଳ ଯାହା ଧୂଳିଧୂସରିତ ବଡ଼ ଓସ୍ତ ଓ ବରଗଛମାନଙ୍କ ଓହଳ ପାରିରେ ପ୍ରାକ୍ତନ ଘରଦ୍ୱାରର ଅବଶେଷ ଇତସ୍ତତଃ ଅନେଇ ହୁଏ ।
ଅପର କେତେକ ସ୍ଥାନରେ ପଡିଆ ଓ ମର୍କତମଣି ପରି ଗୋଟାପଣେ ସବୁଜ ବେହରଣ ମାଡି ବସିଛି ସହରର ଏହି ଏକାନ୍ତ ଅଞ୍ଚଳରେ । ପଥପ୍ରାନ୍ତରେ ଅତିକ୍ରମ କରି ସେଠାରୁ ସିଧାସଳଖ ପହଞ୍ଚିଲୁ ଜଗତପୁର ଯେଉଁଠି ଗନ୍ତବ୍ୟ ୧୯ କିଲୋମିଟର ଦୂର ଉପକଣ୍ଠ ଅନ୍ତରାଳରେ କୀର୍ତ୍ତିତ ରହିଆସିଛି । ଜଗତପୁରଟା ଶିଳ୍ପ ଓ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ଭାବରେ ଖ୍ୟାତ । ଖରାରେ ତରାରେ ନାନା ଜାତିର ମଣିଷଙ୍କ ପସରା ଓ ବେଉସାର ଆସର । ଅନତିବୃହତ୍ କୋଠାବାଡି ରାସ୍ତାର ଦୁଇପାର୍ଶ୍ଵରେ ଧାନବିଲର ହିଡ ଉପରେ ଉଠିଥିବା ଘାସ ପରି ଧାଡି ଧାଡିକୁ ଲମ୍ଵିଛନ୍ତି । କାହାର ଈଷତ୍ ସବୁଜବର୍ଣ୍ଣର ଦୋକାନକୁ କେଉଁଠି ଲୁହାର ଗ୍ରିଲ୍ ଓ ଛଡ ତିଆରି ଆଧୁନିକ କମାରଶାଳା ।
ମୋର କଷି ବୟସ । ତାରୁଣ୍ୟର ବିନୀତ ଆଧିପତ୍ୟକୁ ଉପଲବ୍ଧି କଲାବେଳେ ଐତିହ୍ୟ ପ୍ରତି ଅନୁସନ୍ଧିତ୍ସା ତୀବ୍ରତର ହୋଇସାରିଛି । ଏହା ପୂର୍ବରୁ ସେଭଳି କୌଣସି ଘଟସୂତ୍ର ହୋଇନଥାଏ । ଉଦୟରାଗର ଅରୁଣିମା ସହିତ ସନ୍ଧ୍ୟାର ସଞ୍ଜବତୀ ଭିତରେ ଶୈଶବର ଆଢୁଆଳରେ ଏହି ବ୍ୟକ୍ତିତ୍ଵଟି ରହି ଯାଇଥିଲା । ଏଥର ଜଣାପଡୁଛି ଯେ ଥରେ ଯେଉଁ ଆହ୍ଵାନ ତାବ୍’ଦା କରିଦିଏ କାନଦୁଇକୁ ନିଜ ଉଦ୍ଦାମ ସ୍ଵରରେ, ତାହାର ପରିଣତିରେ ଉପବିଷ୍ଟ ନ ହେବା ଯାଏଁ ଥୟ ନାହିଁ । ମନ ଭିତରେ ସେହିପରି ଅଥୟ କୌତୂହଳର ଆବେଗ ଦାନା ବାନ୍ଧୁଥିଲା ବେଳେ ଗନ୍ତବ୍ୟ ଯେପରି ପାଖେଇ ଆସିଲାଣି । ବଡ଼ଭାଇ ସାମୟିକ ଦ୍ରୁତ କଲେ ଗାଡିର ବେଗ ।
ଜଗତପୁର ଅତିକ୍ରମ କରିସାରିଲୁଣି । ଏହିଠାରୁ ଆରମ୍ଭ ହେଉଥିବା କଟକ-ଚାନ୍ଦବାଲି ରାସ୍ତାରେ ପଡିବ ପ୍ରଥମେ ଗୁଞ୍ଜରପୁର । ସେଠାରେ କାଁ ଭାଁ ବଜାରର ପରିପାଟୀ ଦେଖିହୁଏ ମାତ୍ର ଦ୍ଵିତଳ ଘରଗୁଡିକ ସହିତ ସମାନ ଉଚ୍ଚତାର ଛୋଟ ଛୋଟ କଳ ଓ କାରଖାନା ଅବସ୍ଥିତ ରହିଛନ୍ତି । ଗୁଞ୍ଜରପୁର ପରେ ଆସୁଥିବା ପୀର ବଜାର, ଚମ୍ପତି, ଭୈରପୁର, ଅନନ୍ତପୁର ଓ ପଦ୍ମପୁର ଦେଇ ପ୍ରଶସ୍ତ ରାସ୍ତାଟି ସିଧାସଳଖ ରହିଲାଣି ପାଗାଛକ ଓ ସତ୍ୟଭାମାପୁର ଅଭିମୁଖେ । ସହରର ଉପକଣ୍ଠ ଟପି ଗ୍ରାମ ପଡାମାନଙ୍କ ଆଡିକି ଆମେ ଯେହେତୁ ଗଲୁଣି, ତେଣିକି ଗାଁର ପରିପାଟୀ କ୍ରମଶଃ ଅନୁଭୂତ ହେଇ ଆସିଲାଣି । ସୂର୍ଯ୍ୟ ଏପର୍ଯ୍ୟନ୍ତ ମୁଣ୍ଡ ଉପରକୁ ଆସି ନଥିଲେ ମଧ୍ୟ ତାହାଙ୍କ ତାତି ମୁଣ୍ଡକୁ ଛୁଇଁଲାଣି ।
ବଡ଼ ନରମ ଓ ଅଭ୍ୟାଗତପ୍ରିୟ ଲୋକମାନଙ୍କୁ ନେଇ ଏହି ଉପକଣ୍ଠର ସମଗ୍ର ଆଦର୍ଶ କେନ୍ଦ୍ରୀଭୂତ । ସହରଟି ତ୍ରିକୋଣଭୂମିରେ ଅବସ୍ଥିତ ରହୁଥିବା ବେଳେ ଉତ୍ତର ଦିଗରେ ମହାନଦୀ ଓ ଦକ୍ଷିଣ ଦିଗରେ ମହାନଦୀର ପ୍ରଥମ ଶାଖା ନଦୀ କାଠଯୋଡି ଘେରାଉ ଆକାରରେ ବେଢି ରହିଛନ୍ତି । ତ୍ରିକୋଣାକୃତିର କଟକର ଭୂମିରେଖା ଯେତେବେଳେ ଏହିଭଳି ଦୁଇନଦୀର ଅବସ୍ଥାନ ଯୋଗୁଁ ପରିବେଷ୍ଟିତ, ଅତଏବ ନଗରୀର ଉତ୍କୃଷ୍ଟ ଜଳ ସରବରାହ ବ୍ଯବସ୍ଥା ଥିବାର ଦେଖାଯାଏ । ତେଣୁ ସୁରମ୍ଯ ଗିରିମାଳାର ସ୍ଥିରଦୃଷ୍ଟିରେ ଗୋଟିଏ ଆଦର୍ଶ ରାଜଧାନୀର ପ୍ରାକ୍ତନ ଦୃଶ୍ୟରାଜିକୁ ଅବଲୋକନ କରିବା ସମ୍ଭବପର ହୁଏ ।
କଟକରୁ ଜଗତପୁର ଅତିକ୍ରମ କରିଲା ବେଳେ ସହରର ଦକ୍ଷିଣ, ପଶ୍ଚିମ ଓ ଉତ୍ତରପାର୍ଶ୍ଵର ଚକ୍ରବାଳରେଖା ଅନ୍ତରାଳରେ ବିଲବନର ହରିତ ଶୋଭାରାଜି ଭୂଗୋଳ ଓ ଇତିହାସ – ଉଭୟର ଉତ୍କର୍ଷକୁ ଧାରଣ କରିରଖିଛି । ବଡ଼ଭାଇଙ୍କ ସହ ଏତେବେଳକୁ ପାଗା ଛକ ପାଖରେ ପହଞ୍ଚି ସିଧାସଳଖ ସତ୍ଯଭାମାପୁର ରାସ୍ତାରେ ଅଗ୍ରସର ହେଲୁ । ଶାଖାପ୍ରାଂଶୁଳ ଗଛମାନଙ୍କ ଆସ୍ତରଣ ଦ୍ଵାରା ଛାୟା ସଜ୍ଜିତ ପଥପ୍ରାନ୍ତର ଟପିଲେ ଉପକଣ୍ଠରେ ଧାନବିଲର ଆସର । ଏହା ପାଗା ଛକ ସଂଲଗ୍ନ ବଜାର ଆଡ଼େ ଘୁମନ୍ତ ଗତିରେ ଧସି ପଶୁଥିବା ଗନ୍ତବ୍ୟପଥର ଦିଓଟି ପଟେ ପୋଖରୀ ହୁଡା, ଊର୍ବର ମାଟିର ଡିହ, ଅନୁଚ୍ଚ ଗାଁ ମନ୍ଦିର ସହିତ ଗୁଣ୍ଠେ ଜମି ଭିତରେ ଚାଳମଥାନର ଜୀବନ ।
ଇତି ମଧ୍ୟରେ କେତେ ବାଟ ଗଲା ପରେ ବଡ଼ଭାଇଙ୍କୁ ବାମ ପଟେ ପ୍ରଥମେ ପଡୁଥିବା ଗାଁ ଆଡକୁ ଇଙ୍ଗିତ କରେ । ଗାଁର ନାମ ପୁରୁଷୋତ୍ତମପୁର । କଟକ ସହରର ଉପକଣ୍ଠରେ ଉତ୍ତରପୂର୍ବ କୋଣକୁ ଉକ୍ତ ଗାଁ ବିଦ୍ୟମାନ । ଅନତିଦୂରେ ପୂର୍ବରୁ ଥିଲା ବିରୂପା ନଦୀ ଯାହା କ୍ରମଶଃ ଗାଁର ପରିସର ବୃଦ୍ଧି ଘଟିବା ସହିତ ଉପକଣ୍ଠର ଦାଢକୁ ଘୁଞ୍ଚିଯାଇଛି । ଯୋବ୍ରାର ଅପର ବାମପାର୍ଶ୍ଵରୁ ମହାନଦୀର ଶାଖା ନଦୀସ୍ଵରୂପ ବିରୂପା ଜନ୍ମ ଲାଭ କରେ । କଟକର ପଶ୍ଚିମପ୍ରାନ୍ତକୁ ପର୍ବତ ଓ ମୁଣ୍ଡିଆଗୁଡିକ ଯେଉଁ ଭଳି ପରିପୂର୍ଣ୍ଣ, ଏହାର ପୂର୍ବଦିଗରେ ବହୁଗୁଡିଏ ନଦୀ ସମଷ୍ଟିବଦ୍ଧ ରହିଛନ୍ତି । ସେଥିପାଇଁ ପୂର୍ବାଞ୍ଚଳରେ କଟକ ସ୍ଥଳପଥକୁ ଉଭୟ ପ୍ରାଶାସନିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଶ୍ରେଷ୍ଠତା ଦେଇଥିଲା ।
୧୯୦୩ ମସିହା ଯାଏଁ କଟକ ପୌରପାଳିକାର ସୀମା ୪.୩ ବର୍ଗ ମାଇଲ୍ ରହିଥିଲା । କାଳକ୍ରମେ କଟକର ସୀମା ଉତ୍ତରରେ ବିରୂପା କୂଳଠାରୁ ଦକ୍ଷିଣ ବିରୂପା ପୋଲ ପର୍ଯ୍ୟନ୍ତ ଏବଂ ପୂର୍ବରୁ ଧାନ ଗବେଷଣା କେନ୍ଦ୍ରଠାରୁ ପଶ୍ଚିମରେ ନରାଜ ପର୍ଯ୍ୟନ୍ତ ବଢି ଯାଇଛି । ପୁରାଣପ୍ରସିଦ୍ଧ ମହାନଦୀ ଓ କାଠଯୋଡି, ପାଇକା, ବିରୂପା ଓ ଚିତ୍ରୋତ୍ପଳା କଟକରେ ଏହାର ଶାଖାନଦୀ ରୂପେ ବହି ଯାଉଛନ୍ତି । ପୁନରାୟ ଏ ସମସ୍ତ ଶାଖାନଦୀଙ୍କ ଛୋଟ ଛୋଟ ଧାରା ଅସମତଳ ଉଚ୍ଚ ଭୂଖଣ୍ଡର ସ୍ପର୍ଶରେ ଆସି ସୃଷ୍ଟି ହେଉଛନ୍ତି । ମାନବ ଶିବିରଗୁଡିକର ପରିପାଟୀଠୁ ଅପେକ୍ଷାକୃତ ଉତ୍କୃଷ୍ଟ ଏହିପରି ନୈସର୍ଗିକ ପରିବେଷ୍ଟନୀରେ ପଞ୍ଚ କଟକର ସ୍ଥାପନା ପର୍ଯ୍ୟାପ୍ତ ସାମରିକ ଓ ରାଜନୈତିକ ପରାକାଷ୍ଠା ପ୍ରଦାନ କରେ ।
ଇତିହାସରେ ସ୍ଥାନୀତ ଅନ୍ୟତର ଜାଗା ପ୍ରମାଣେ ପୁରୁଷୋତ୍ତମପୁର ଅପେକ୍ଷାକୃତ ଖ୍ୟାତନାମା ହୋଇନାହିଁ । ଏହାର ଉଲ୍ଲେଖ କେବଳ ‘ଚୟନୀ(ଚଇନି) ଚକଡା’ରେ ହିଁ ଥିବାର ସ୍ପଷ୍ଟ ପ୍ରମାଣ ରହିଛି । ମାର୍ତ୍ତଣ୍ଡକୁଳସମ୍ଭୂତ ଗଜପତି ପୁରୁଷୋତ୍ତମ ଦେବଙ୍କ ସମୟରେ ତାଙ୍କ ଅଭିଯାନର ସ୍ମୃତିତୀର୍ଥ ରୂପେ ଅବସ୍ଥିତ ଉକ୍ତ ପୁରୁଷୋତ୍ତମପୁର ଗାଁ ଆଜି ଊଣାଧିକେ ସେହି ଅତୀତର ଜ୍ଞାତସାରରେ ଥିବାର ପ୍ରତିବିମ୍ବିତ ହୋଇପାରେ । ଗ୍ରାମୀଣ ପରିଚର୍ଯ୍ୟା ସମ୍ଭବତଃ କୃଷି ଓ ପନିପରିବା ଚାଷ ପ୍ରଭୃତିରେ ଲିପ୍ତ ବୋଲି ଧାରଣା ଜନ୍ମେ । ଗ୍ରାମର ପ୍ରବେଶମାର୍ଗରେ ଦୋଛକିଟେ ସୃଷ୍ଟି କରାଯାଇଛି ଯାହାର ମଧ୍ୟଭାଗକୁ ସୁରେନ୍ଦ୍ର ମହାନ୍ତିଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି । ସେଠାରୁ ଦି ପଟେ ଗାଁକୁ ରାସ୍ତା । ପୋଥିଗ୍ରଥିତ ତଥ୍ୟ ଅନୁଯାୟୀ ପୁରୁଷୋତ୍ତମ ଦେବଙ୍କ ଚତୁର୍ଥ ବର୍ଷ ରାଜତ୍ଵ ବେଳେ ତାଙ୍କର ନଅଗୋଟି ରାଣୀ ଥିଲେ, ଯେଉଁମାନଙ୍କ ନାମରେ ନଅଗୋଟି ଶାସନ ବସାଇଥିଲେ । ସୁରେନ୍ଦ୍ର ମହାନ୍ତିଙ୍କ ମତରେ ତାଙ୍କ ଦ୍ଵାରା ସ୍ଥାପିତ ମହାନଦୀର ଉତ୍ତର ତୀରରେ ଗୁଡିଏ ଜନବସତି ପରିବେଷ୍ଟିତ ଗ୍ରାମମାନଙ୍କ ସହିତ ଅଗଣିତ ପୁଷ୍କରିଣୀ ଖୋଳାଇଥିଲେ ଓ ଦେବମନ୍ଦିର ନିର୍ମାଣ କରିଥିଲେ । ପୁରୁଷୋତ୍ତମପୁର ଗ୍ରାମ ତନ୍ମଧ୍ୟରେ ଅନ୍ୟତମ । ବଡ଼ଭାଇ ଶ୍ରୀକାନ୍ତ ସିଂହଙ୍କ ଗାଁର କେତେକ ପରିଚୟ ପ୍ରଦାନ ଉଦ୍ଦିଷ୍ଟ ବ୍ୟକ୍ତିମାନଙ୍କ ସନ୍ଧାନରେ ଦଣ୍ଡେ ରହିଲା ବେଳେ ସେଠି ଜଣେ ପ୍ରୌଢ ବ୍ୟବସାୟୀଙ୍କର ଦୋକାନ । ଗତାନୁଗତିକ ପାଗା ହାଟଠାରୁ ଅନତିଦୂରରେ ସେ ନିଜର ତେଜରାତି ବେଉସା କରନ୍ତି ।
ଆମେ ତାଙ୍କ ନିକଟକୁ ଯାଇ ଗାଁ ବାଟ ବିଷୟରେ ଜିଜ୍ଞାସା କରିଲୁ । ଖବରକାଗଜ ପଢୁଥିବା ଅବସ୍ଥାରୁ ଧ୍ୟାନ ଭାଙ୍ଗି ଆମ ଆଡକୁ ସେ ଚାହିଁଲେ । ତାଙ୍କର ଈଷତ୍ କୃଷ୍ଣାଭ ମୁହଁର ସ୍ଵେଦନିବୃତ୍ତ ଭ୍ରୂକୁଟିକୁ ଟେକି ପଚାରିଲେ, “କାହାଠି କାମ ଥିଲା କି ? ଆପଣମାନେ ସହରରୁ ଆସିଛନ୍ତି ତେବେ . . ।” ଆମେ କଟକ ଓ ଭୁବନେଶ୍ଵରରୁ ଯଥାକ୍ରମେ ଆସିଅଛୁ ବୋଲି ଜଣେଇଲା ଅନ୍ତେ ସେ ମୁଣ୍ଡ ଟୁଙ୍ଗାରନ୍ତି । ଉପନୀତ ପାନ୍ଥଦ୍ଵୟଙ୍କ ଜିଜ୍ଞାସାରୁ ତାଙ୍କ ଗାଁ ଅତୀତ ବିଷୟରେ ସେ ସାମୟିକ ଉଦ୍’ବେଳିତ ହେଲେ । “ଆପଣ ବୋଧହୁଏ ମିଡିଆ ବାଲା ହୋଇଥାଇ ପାରନ୍ତି, ତେବେ ମୋତେ ଆଜ୍ଞା ଏତେ କିଛି ପଶିବାର ନାହିଁ . . . ଗାଁଟି ପୁରୁଣାକାଳର । ଭିତରକୁ ଗଲେ ବିଲବାଡି ଆଉ ଗାଁ ।”
ତେବେ ଉଦ୍’ବେଳର ଅଭିପ୍ରାୟକୁ ନିରାକୁଳ ଆଖିରେ ଜଡେଇ ଗାଁର ଚିରପରିଚିତ ରାସ୍ତା ଆଡକୁ ଚାହିଁଲେ । ଦୃଷ୍ଟି ସମ୍ମୁଖୀନ ଏକ ଜୀର୍ଣ୍ଣ ବଖରାକୁ ଦର୍ଶାଇ କହିଲେ, “ପୂର୍ବେ ଏହି ବଖରାରେ ସୁରେନ୍ଦ୍ର ମହାନ୍ତିଙ୍କ ବୋଉ ରହୁଥିଲେ । ଅନେକ ଥର ସେ ଏଇଠି ଆସନ୍ତି ଆଉ ଗାଁ ଦିଅଁଙ୍କ ପାଖରେ ଭୋଗ ଅର୍ପଣ କରି ଫେରି ଯାଆନ୍ତି ।” ଜୀର୍ଣ୍ଣ ବଖରାଟି ବରଗଛର ଓହଳ ତଳକୁ ଅଳେଇଗଦା ଭଳି ମନେହୁଏ । ସେଠୁ ରାସ୍ତା ଟିକିଏ ବଙ୍କିଲେ ନାକସଳଖ ରାସ୍ତା ଗାଁ ମନ୍ଦିର ଆଡକୁ ମୁହାଁଇଛି । ଦୋକାନୀ ଆଜ୍ଞା ଆମ ସହ ଯଥେଷ୍ଟ ଅବଧି ସୁରେନ୍ଦ୍ର ମହାନ୍ତିଙ୍କ ପୂର୍ବସ୍ମୃତିକୁ ଆଲୋଚନା କ୍ରମରେ ବରାବର ଉଜ୍ଜାଗ୍ରତ କରୁଥିଲେ ।
କଥାରେ ତାଙ୍କର ଥିଲା ରାଜନୀତିର ଆଦର୍ଶ ପ୍ରତି ପ୍ରଶ୍ନସଙ୍କୁଳ ବାର୍ତ୍ତା ଓ ଲେଖକଙ୍କ ଜନ୍ମସ୍ଥଳ ପ୍ରତି ଅବଦାନର ବ୍ୟାଖ୍ୟା । ଲେଖକପ୍ରବର ଥିଲେ ରାଜନୀତିଜ୍ଞ ମଧ୍ୟ – ତାହାଙ୍କ ରାଜନୈତିକ ଜୀବନ ସମ୍ପର୍କରେ କହିଲା ବେଳେ ବସ୍ତୁତଃ ସେ ଫେରି ଆସୁଥିଲେ ନିଜ ଗାଁକୁ । ନିଜ ଗ୍ରାମର ଏତେବର୍ଷର ଅଖ୍ୟାତି ତାଙ୍କୁ ଉଦ୍ୟତ କରୁଥିଲା ଫେରି ଆସିବାକୁ ସ୍ମୃତିତୀର୍ଥରୁ । ମୋର ନତମୁଖ ଆଡେ ଡେରି ସେ କହିଲେ, “ମୁଁ ଜାଣେ ତାଙ୍କ ପରିବାର ବିଷୟରେ । ଜଣେ ବଡ଼ ଲେଖକ ଓ ପ୍ରସିଦ୍ଧ ରାଜନୀତିଜ୍ଞ ସମଗ୍ର ଓଡିଶାରେ । ମାତ୍ର, କାହିଁ ମଧୁବାବୁ ଓ ସୁର ମହାନ୍ତି ? ତମେ ସଂସଦରେ ବସ ଅବା କ୍ଷମତାରେ ରୁହ, ଲେଖକର ପନ୍ଥା ସୁଦ୍ଧା ଅବଲମ୍ବନ କର . . . “ମାତ୍ର, ବାବୁ ତମକୁ ମିଛ ମୋତେ ସତ – ଯେ ପର୍ଯ୍ୟନ୍ତ ଜଣେ ମାତୃଭୂମିର ଅକ୍ଷର ମଡେଇ ପରିଣତ ମୁହୂର୍ତ୍ତରେ ପାସୋରିଛି, ତାକୁ କେବେ ହେଲେ ଗଣିବନି ମହାପୁରୁଷ ଭାବରେ ।” ଉଦ୍’ବେଳରେ ଅଗତ୍ୟା ପ୍ରଶାନ୍ତି ଆସିବାରୁ ସେ ଥମି ଆସିଲେ । ଅଥଚ ଆମ ମନରେ ତାଙ୍କର ଦୃପ୍ତ ଅଭିବ୍ୟକ୍ତି ଅଚିରେ ରେଖାପାତ କରେ । ସେଥିପାଇଁ ବୋଧହୁଏ ସାଧାରଣ ଲୋକର ଅନ୍ତରାଳରେ ସଂଗୋପିତ ଏହିପରି ନିଭୃତ ଉଦ୍’ବେଳନର ଆତ୍ମପ୍ରକାଶକୁ ଆବିଷ୍କାର କରିବାରେ କେତେ ଯୁଗର ଆବେଦନ ରହିଛି ତାହା ଅନାଦିକାଳର ଇତିହାସକୁ ସାକ୍ଷୀ ରହିଆସିଛି । ବଡ଼ଭାଇ ଓ ଆମେ ତାଙ୍କ ପାଖରୁ ବିଦାୟ ନେଇ ଚାଲିଲୁ ଗାଁ ଭିତରକୁ ।
ରାସ୍ତାର ବାମପାର୍ଶ୍ଵକୁ ଚାହିଁଲେ ସବୁଜ ଧାନର ପ୍ରଶସ୍ତ କ୍ଷେତ୍ର । ସୂର୍ଯ୍ୟଙ୍କ ଆଲୋକଛଟାରେ ତାଙ୍କ ହରିତ ପରିପାଟୀ ଅଧିକ ଜ୍ୟୋତିଷ୍ମାନ୍ ଦିଶୁଥିଲେ । ହିଡ ପାଚେରୀ ଦିଶନ୍ତି ନାହିଁ, ଛୋଟ ଛୋଟ ଅବବାହିକା ଭଳି ପାଣିର ସୁଅ ବିଲ ଦେହରେ ତିନ୍ତି ଦେଉଛନ୍ତି ମାଟି । ବର୍ଷା ଅନ୍ତରେ ଲତାକାମ ଭର୍ତ୍ତି ହୋଇଥାନ୍ତି ନଡିଆ, ଖଜୁରି, ତାଳ, ବର, ନିମ୍ଵ, ତେନ୍ତୁଳି ଆଉ ବିଲ ଆରପାରି ଗୁଡିଏ ମାତୁରା ଗଛ । ଗାଁ ଭିତରକୁ ଗଛଗୁଡିକ ଲତା ଯୋଗୁଁ ପାଖାପାଖି ବନ୍ଧେଇ ହେଇପଡିଛନ୍ତି । ହାତେ ଓସାର ଗଣ୍ଡିକୁ ଲଟେଇ ଆରପଟ ପୃଥୁକାୟ ଗଛର ଡାଳକୁ ପର୍ଣ୍ଣବହୁଳ ଶାଖାରେ ଯୋଖି ଦେଇଛନ୍ତି । ତୋରଣ ଭଳି ଗାଁ ମୁଣ୍ଡ ପର୍ଯ୍ୟନ୍ତ ବ୍ୟାପିଥିବା ଗଛମାନଙ୍କ ସମଷ୍ଟିକୁ ଅତିକ୍ରମ କଲେ ଗାଁ ମନ୍ଦିର ।
ବଡ଼ଭାଇଙ୍କ ସହ ସେଠାରେ ପହଞ୍ଚି ମନ୍ଦିର ଠାରେ ପରିଦର୍ଶନ କରି ଦିଅଁଙ୍କୁ ଦର୍ଶନ କଲୁ । ରାସ୍ତାକୁ ଲାଗିକି କାମନାନିଧି ମହାଦେବଙ୍କ ମନ୍ଦିର ଓ ତାଙ୍କୁ ମୁହଁ କରି ସମ୍ମୁଖରେ ଗାଁ ଦେବତୀଙ୍କ କ୍ଷୁଦ୍ର ମନ୍ଦିର । କାମନାନିଧି ମହାଦେବଙ୍କ ମନ୍ଦିର ବୋଧହୁଏ ଜୀର୍ଣ୍ଣସଂସ୍କାର କରି ଗଢାଯାଇଥିବା ପ୍ରାଚୀନ ଦେଉଳର ଭିତ୍ତି ଉପରେ ବର୍ତ୍ତମାନର ମନ୍ଦିର । ମନ୍ଦିର ଅନ୍ତର୍ଗତ ଜଗମୋହନ ସଦୃଶ ପରିସରରେ ରହିଛି ପ୍ରମାଣସ୍ଵରୂପ ଦେଉଳର ପ୍ରାଚୀନ ଦଧିନଉତି ଯାହା ଉପରେ ବାହନ ବୃଷଭ ସମାସୀନ । ସେ ମଧ୍ୟ ପୁରୁଣା ଜଣାପଡୁଥାନ୍ତି । ମୁଗୁନି ଦେହରେ ଅମସୃଣ ଦଧିନଉତି ସାଙ୍ଗକୁ ବୃଷଭଙ୍କ ବିଗ୍ରହ ପୁନଃ ସଂସ୍ଥାପିତ ହୋଇ ଥାଏ । ଦିଅଁ ଚନ୍ଦ୍ରଶିଳା (ଗର୍ଭଗୃହର ପାହାଚ ସଦୃଶ ପତ୍ତନ) ରୁ ଠିକ୍ ତଳେ ଦର୍ଶନ ଦେଲେ ।
ଛୋଟ ପିଢା ଭଳି ଦିଶୁଥିବା ବର୍ତ୍ତୁଳାକାର ଯୋନିପୀଠ ଉପରେ ଲିଙ୍ଗ ଅଧିଷ୍ଠିତ । ସମ୍ମୁଖସ୍ଥ ଗ୍ରାମଦେବତୀଙ୍କ ମନ୍ଦିର ଭିତରେ ଅଧିଷ୍ଠିତା ଦେବୀ ହେଉଛନ୍ତି କାଳିକେଇ ଠାକୁରାଣୀ । ତାଙ୍କ ସମ୍ମୁଖୀନ ଦେଉଳ ମଧ୍ୟ ଉତ୍ତରମୁଖୀ କାଳୀଙ୍କ ଅଧିଷ୍ଠିତ ପ୍ରାଙ୍ଗଣ । ଭିତରେ ଥିବା ଦେବୀ ବିଗ୍ରହ ପ୍ରାୟତଃ କ୍ଷୁଣ୍ଣ ଓ ମୁଖ ଗୋଟିକ ସିନ୍ଦୂରାବୃତ । ତାଙ୍କ ଅବୟବ ବସନାବୃତ ହେତୁ ଚିହ୍ନିବା ସାଧ୍ୟ ନଥିଲା । ଉତ୍ତରମୁଖୀ କାଳିକେଇ ବିଗ୍ରହ ବୀଭତ୍ସ କାନ୍ତିରେ ଅବଗୁଣ୍ଠିତା ଦେବୀ । ଦେବୀ ଉଗ୍ରମୁଖା ଏବଂ ଦକ୍ଷିଣ ହସ୍ତରେ ଖଡ୍ଗ ରହିଛି । ତିନିଗୋଟି ଦେଉଳଙ୍କୁ ଦେଖି ଆସିବା ବେଳେ ଆମେ ଫେରୁ ସେହି ବୃକ୍ଷଲତା ସମାକୁଳ ତୋରଣ ଦ୍ଵାରା ସଜ୍ଜୀକୃତ ବାଟରେ ।
ଆଜି ସୁରେନ୍ଦ୍ର ମହାନ୍ତିଙ୍କ ପୂର୍ବ ପୈତୃକ କୋଠା ନାହିଁ । ଗାଁ ଦେବତୀଙ୍କ ମନ୍ଦିର ପଛ ଆଡକୁ ପଲ୍ଲବିତ ବାଉଁଶ ଖୁଆଡ ଅନ୍ତରାଳରେ ଗୋଟିଏ ଦୁଇଟି ବାଡି ରହିଛି । ସେଠୁ କେତେ ହାତ ଅଗ୍ରସର ହେଇଗଲେ ସବୁଜ ଉହାଡ ଭିତରେ କ୍ଷୁଦ୍ର ଘର ଖଣ୍ଡିଏ । ଓଡିଆ ସାହିତ୍ୟର ଯଶସ୍ଵୀ ବାଙ୍ମୟ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କ ଘରବାଡି । ସେଠି ରହୁଥିଲେ ତାଙ୍କ ଭ୍ରାତୃଦମ୍ପତ୍ତି । ବୋହୂ ପ୍ରମୋଦ ମହାନ୍ତି ଓ ପୁତୁରା ପ୍ରମୋଦ ମହାନ୍ତିଙ୍କ ସମେତ ମୁଷ୍ଟିମେୟ ବଂଶଧରଙ୍କ ସହ ବସବାସ କରୁଛନ୍ତି । ସୁରେନ୍ଦ୍ର ମହାନ୍ତିଙ୍କ କୁଟୁମ୍ଵ ସହରରେ ବସା କରି ରହିଛନ୍ତି । ତଥାପି ସେ ସ୍ରଷ୍ଟାଙ୍କ ସାବଲୀଳ ପରିଚିତିରେ ନ୍ୟୂନତମ ହ୍ରାସ ପରିଲକ୍ଷିତ ନ ହୁଏ ।
ଅବର୍ତ୍ତମାନରେ ତାଙ୍କର କୀଟଦ୍ରଂଷ୍ଟ ଅତୀତ ଲୋକାଳୟ ଅଦୂରରେ ଏଠି କ୍ଷୁଣ୍ଣ ହେବାରୁ ବଞ୍ଚିରହିଛି । ଜାତିର ଅନ୍ତଃକରଣରେ ଲବ୍ଧପ୍ରତିଷ୍ଠ ଓଡିଆ ଭାଷା ଓ ଅସ୍ମିତାର ଗୌରବକୁ ଜୀବଦ୍ଦଶାରେ ନିରନ୍ତର ଜୀବନ୍ୟାସ ଦେଇଥିବା ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ୧୯୨୨ ମସିହା ଜୁନ୍ ମାସ ୨୧ ତାରିଖରେ । ଏହି ଗ୍ରାମରେ ତାଙ୍କର ଜନ୍ମ ସମୟ ଆଷାଢର କୃଷ୍ଣପକ୍ଷ ରଜନୀ । ସେ କୁହନ୍ତି ନିଜ ଆତ୍ମଜୀବନୀ ‘ପଥ ଓ ପୃଥିବୀ’ର ଉପକ୍ରମ ପୃଷ୍ଠାରେ : “ସେଦିନ କୁଆଡେ ଥିଲା ଆଷାଢ କୃଷ୍ଣପକ୍ଷ ରାତି । ମେଘବୋଳା ଆକାଶରୁ ଝିପିଝିପି ବର୍ଷା ହେଉଥିଲା । ସେଥିପାଇଁ ବୋଧହୁଏ ମେଘରାତି ମୋର ସବୁଠାରୁ ପ୍ରିୟ । ମୋର ଜନ୍ମ ହୋଇଥିଲା, ଏଇପରି ଏକ ଅଶରୀରୀ ଆତଙ୍କ ଭିତରେ . . କିଆ ଗୋହିରିରେ ବ୍ରହ୍ମରାକ୍ଷସ ଓ ଡାଆଣୀମାନଙ୍କର ଭୟ, ରାତିରେ କାଳିକେଇଙ୍କୁ ଘେନି ଆତଙ୍କ ଆଉ ଘରେ ତ ନିତ୍ୟ ମାଡର ଆଶଙ୍କା ଲାଗି ରହିଥିଲା । ମୁଁ ପିଲା ଦିନୁ ଯେ ସତ୍ତାଦ୍ରୋହୀ ହୋଇଛି, ତାର ମୂଳକାରଣ ବୋଧହୁଏ ଏଇଠାରେ ।”
ସାହିତ୍ୟ ରଚୟିତା ହେବା ପୃଷ୍ଠଭୂମିରେ ଜଣେ ସାମାଜିକ ମଣିଷର ପାରିପାର୍ଶ୍ବିକ ପ୍ରଭାବରୁ ବଞ୍ଚିତ ନୁହେଁ । ଏହି ପ୍ରଭାବ ବଳରେ ସଚେତନ ମନର କ୍ରିୟାକଳାପ ଉନ୍ମୁଖ ହେଉଥାଏ । ସାଲେପୁର ଥାନା ଅନ୍ତର୍ଗତ ସ୍ଵୀୟ ଜନ୍ମସ୍ଥାନ ପୁରୁଷୋତ୍ତମପୁର କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମପୀଠରୁ ଅନତିଦୂରେ ଦକ୍ଷିଣ ପଶ୍ଚିମ କୋଣକୁ ପଡିବ । ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ତହସିଲଦାରଙ୍କ ଘରେ । ଦିନ ଥିଲା ତହସିଲଦାର ଘର ନାଁରେ ଏହାର ପଥର ଚଟାଣ ଓ ପାହାଚ ଆଭିଜାତ୍ୟର ଅଂଶ ଥିଲା । ଲେଖକଙ୍କ ଜନ୍ମବେଳକୁ ତାହାର ଚିହ୍ନ ନିଃଶେଷିତ ସ୍ଥାନରେ କେବଳ ତହସିଲଦାରଙ୍କ ଘର ବୋଲି ପରିଚୟ । ଆଜି ମଧ୍ୟ ସେଠି ସେ ଗୁଞ୍ଜରଣ ନିଷ୍ପ୍ରଭ ଅଥଚ ସ୍ମୃତିରେ ରହିଛି ସେହି କୀର୍ତ୍ତି ସୈକତରାଶି । ଜ୍ୟେଷ୍ଠ ପିତାମହ ଗୋପୀନାଥ ମହାନ୍ତି ଜଣେ ସଂସ୍କୃତଜ୍ଞ ଭାବରେ ଗାଁଯାକ ମାନ ଅର୍ଜନ କରିଥିଲେ । ପିତୃବ୍ୟ ବ୍ରଜବନ୍ଧୁ ମହାନ୍ତି ଜଣେ ନାଟ୍ୟାଚାର୍ଯ୍ୟ ଥିଲେ ଏବଂ ଏହିପରି ବଂଶ ଲତାର ବିସ୍ତାର ଅନୁଶୀଳନ କରାଯାଏ, ତେବେ ପୁରୁଷୋତ୍ତମପୁର ଭିତର ସେହି କୋଠା ଅନ୍ତରାଳରେ ପୂର୍ବପୁରୁଷମାନଙ୍କ ବାଙ୍ମୟ କୀର୍ତ୍ତି ଉଜ୍ଜୀବିତ ହେବାର ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଦିନ ଥିଲା ତାଙ୍କ ଗାଁ ଦାଣ୍ଡରେ ଭାଗବତ ଘରର ଆସର ସହିତ ପୁରାଣ ଚର୍ଚ୍ଚା ଅନୁକ୍ଷଣ ଶୁଭିବ । ଗୋବରଲିପା ମାଟିପିଣ୍ଡା ଓ ମଧୁମାଳତୀର ବହୁବର୍ଣ୍ଣିଳ ଗନ୍ଧବହର ପ୍ରସାରଣରେ ମିଳେଇ ଯାଉଥିବ ଗୋସି ବାପ ଅମଳରୁ ସଂଗୃହୀତ ପୋଥିପତ୍ରର ଚିହ୍ନା ଗନ୍ଧ । ପ୍ରାକୃତିକ ନିଃସର୍ଗ ଲୀଳାର ଉପନିବେଶରେ ଉଦାର ଚରିତ୍ରବତ୍ତାର ସୃଷ୍ଟି ଏଠି ସମ୍ଭବ ।
ପୁରୁଷୋତ୍ତମପୁର ଗାଁଟି ଇତିହାସର ଯଶୋଗ୍ରନ୍ଥରେ ଗୌଣ ସ୍ଥାନ ଗ୍ରହଣ କରେ ବୋଲି ଲେଖକ ଆତ୍ମଜୀବନୀରେ କହିଛନ୍ତି । ପୂର୍ବରୁ ଆଲୋଚିତ ‘ଚକଡା ପୋଥି’ ର ବିସ୍ତୃତ ତଥ୍ୟରେ ଗଜପତି ପୁରୁଷୋତ୍ତମ ଦେବଙ୍କ ସ୍ଥାପିତ ନଅଗୋଟି ଶାସନ ରହିଛି । ପୁରୁଷୋତ୍ତମପୁର ସ୍ଵୟଂ ପୁରୁଷୋତ୍ତମ ଦେବଙ୍କ ଦ୍ଵାରା ସ୍ଥାପିତ । ପ୍ରତିଷ୍ଠାତାମାନଙ୍କ ନାମ ଅନୁସାରେ ଗାଁ ଗୁଡିକ ପୁରୁଷୋତ୍ତମପୁର, ପାଟପୁର, ସିଂହମାପୁର, ପଦ୍ମପୁର, ରୋଦନାପୁର, ବିଶ୍ଵନାଥପୁର, ଶଉରୀ, ଶାରଦା, ଭାତପଡା, ଗଙ୍ଗାପୁର ଓ ଗୋପୀନାଥପୁର ଭାବରେ ସେ କାଳର ସ୍ମୃତି ବହନ କରନ୍ତି । ସମସ୍ତ ଗ୍ରାମମାନଙ୍କରେ ପୁରାକାଳରୁ ଯେଉଁ ସବୁ ଅବଶେଷ ମିଳିସାରିଛି, ଜୀବନ୍ତ ପ୍ରତ୍ନତାତ୍ତ୍ଵିକ ଭଣ୍ଡାର । ତଥ୍ୟପୁଷ୍ଟ ପୋଥିକୁ ନିରେଖିବା ହେଉ ।
ଗଜପତି ପୁରୁଷୋତ୍ତମ ଦେବ ସିଂହାସନାରୂଢ ହେବା ପରେ ଛଅ ଶହ ଭାଗ କରି ଯେଉଁ ଶାସନ ବସେଇଥିଲେ ତାହା ‘ପ୍ରସନ୍ନ ପୁରୁଷୋତ୍ତମପୁର’ ବା ‘ପୁରୁଷୋତ୍ତମପୁର’ ରୂପେ ବିଦିତ ହୋଇଛି । ଗଜପତି ଶାସନର ଏହା ଅନ୍ୟତର ଦିଗରୂପେ ଓଡିଶାର କେତେକ ବୃହତ୍ତର ଶାସନ ବ୍ୟବସ୍ଥା ଥିଲା । ଶାସନକର୍ତ୍ତା ରୂପେ ମହାରାଜାଙ୍କ ଅଧୀନ ସାମନ୍ତ ଓ ମହାପ୍ରଧାନୀ ପ୍ରଭୃତି ଶାସନରେ ବିକ୍ରେନ୍ଦୀକୃତ ମଣ୍ଡଳରେ ନିଯୁକ୍ତି ଲାଭ କରିଛନ୍ତି । ଏମାନେ ଯେ କେବଳ ନ୍ୟୂନତମ ଦାୟିତ୍ଵ ରୂପରେ ଶାସନ ଭାର ବ୍ୟତୀତ ଦେଶର ରାଜାଙ୍କ ଲାଗି କେତେକ ଯୁଦ୍ଧନିପୁଣ ଶାସକ ସହାୟ ହେଲେ ଶାସନ ଖଞ୍ଜା ଲାଭ କରୁଥିଲେ । ‘ଚକଡା ପୋଥି’ରେ ଏହି କଥା ମଧ୍ୟ ପରିଲକ୍ଷିତ କରିହବ ଯେଉଁଠି କ୍ଷୁଦ୍ର ଗ୍ରାମ ସମଷ୍ଟିରେ ଗଠନ ହେବ ।
ପୋଥି କହେ ପୁରୁଷୋତ୍ତମ ଜାତିସ୍ମର ଥିଲେ । ସେ ନିଜେ ମନ୍ତ୍ରୀଙ୍କୁ ଡକାଇ କହିଛନ୍ତି ଯେ ମୋର ରାଜା ହେବା ବ୍ୟତୀତ ତିନିଗୋଟି ବାଞ୍ଛା ପୂର୍ବଜନ୍ମର ପରିକଳ୍ପନା ଥିଲା । ପ୍ରଥମ ଆଜ୍ଞାସ୍ଵରୂପ ଛଅଖଣ୍ଡି ଶାସନ ବସାଇଲେ । ତ୍ରିବିକ୍ରମ ରାଜଗୁରୁଙ୍କ ସହିତ କୋଠକରଣ ପଦ୍ମନାଭ ପଟ୍ଟନାୟକ ଓ ରାୟଗୁରୁଙ୍କ ଜ୍ଵାଇଁ ସମନ୍ଵିତ ପରିଯୋଜନା କରି ମହାନଦୀର ଉତ୍ତର ତୀରକୁ ଚିହ୍ନଟ କରିଥିଲେ ଶାସନ ବସାଇବା ଲାଗି । ଏହି ଚିହ୍ନଟ କରିବାର ପୃଷ୍ଠଭୂମି ଆମ୍ଭେ ଆଲୋଚନା କରିଅଛେ କଟକର ଭୌଗୋଳିକ ପରିଧିକୁ ପ୍ରସଙ୍ଗ କରିଲା ବେଳେ । ପାଟରାଣୀ ଶ୍ରୀୟା ଦେଈଙ୍କ ଦ୍ଵାରା ପୁରୁଷୋତ୍ତମପୁରର ପୂର୍ବଦିଗକୁ ଦଧିବାମନ ମନ୍ଦିର ନିର୍ମାଣ କରାଗଲା ଓ ୫୪ ଖଣ୍ଡ ବ୍ରାହ୍ମଣ ଶାସନ ବସିଲା ।
ସ୍ଵନାମପ୍ରସିଦ୍ଧ ଦଧିବାମନ ମନ୍ଦିର ବର୍ତ୍ତମାନ ଅସୁରେଶ୍ଵର ଗ୍ରାମରେ ଅବସ୍ଥିତ ଏବଂ ସେଠାରେ ଥିବା ଗରୁଡସ୍ତମ୍ଭ ଅଧୋଦେଶରେ ସୁନ୍ଦର କାରୁଶିଳ୍ପ ସଂଶ୍ଳିଷ୍ଟ ସ୍ଥାପତ୍ୟକଳା ଦୃଶ୍ୟ ହୁଏ । କିମ୍ବଦନ୍ତୀ ରୂପରେ ଜଣାଯାଏ ଯେ କାଞ୍ଚି ଅଭିଯାନରେ ଅଗ୍ରସର ହେଉଥିବା ପୁରୁଷୋତ୍ତମ ଦେବ ମାଣିକପାଟଣାଠାରେ ଯେତେବେଳେ ମାଣିକ ଗଉଡୁଣୀ ଠାରୁ ଦହି ପାଇଥିଲେ, ସେଠି ଦହି ଭାଣ୍ଡରେ ଜଗନ୍ନାଥଙ୍କୁ ବାମନ ରୂପରେ ଦର୍ଶନ ପାଇଥିଲେ । ସେହି ମତରେ ଦଧିବାମନ ଉପାସନାର ପ୍ରଚଳନ ହୁଏ ବୋଲି ଅନୁମାନ କରାଯାଇଛି । ତଦନୁରୂପେ, ସିଂହମାପୁର ଶାସନ ମଧ୍ୟ ସେ ବସାଇଲେ ଯାହାର ପ୍ରତିବେଶୀ ଗ୍ରାମ ଅତୋଡା ଠାରେ କନକେଶ୍ଵର ଶିବ ମନ୍ଦିର ମଧ୍ୟରେ ପ୍ରାଚୀନ ଦେବବିଗ୍ରହ ରହିଥିବା ଜଣାଯାଏ ।
ରାଣୀ ପଦ୍ମାଦେଈ ସେହି ରୂପେ ବୟାଳିଶ ଭାଗ କରି ଶାସନ ସ୍ଥାପନ କରାଇବା ଉତ୍ତାରୁ ପଦ୍ମପୁର (Padmapur) ନାମ ହୋଇଥିଲା । ଏହି ଗାଁ ବର୍ତ୍ତମାନ ଚମ୍ପତି ଓ ଭୈରପୁର ଅତିକ୍ରମ କଲେ ଦିଶିବ । ଗ୍ରାମୀଣ ପରିବେଶ ପ୍ରାୟତଃ ଭିତରକୁ ରହିଗଲାଣି । ବଡ଼ଭାଇଙ୍କ ସହିତ ଫେରିଲା ବାଟରେ ଏଇଠି ଆମର ସନ୍ଧ୍ୟା ଅବ୍ୟବହିତ ପୂର୍ବରୁ ଖାଦ୍ୟପେୟ ପାଇଁ ରହଣି କାଳରେ ଯାହା ଦର୍ଶନ ହୋଇଥିଲା, ସ୍ଥାନଟି ସଂସାରରୁ ଖୁବ୍ ନିରାଡମ୍ଵର ରହିଛି । ପଦାପଡିଆ ଆଗକୁ ଆଉ କାଁ ଭାଁ ରାସ୍ତା କଡରେ ସ୍ତମ୍ଭାକାରରେ ଠିଆ ହୋଇଥିବା ଛାୟାନିବିଡ ବୃକ୍ଷରାଜି । ପଦ୍ମପୁର ‘ଓଡିଶାର ଶିବକାଶୀ’ ରୂପେ ପ୍ରଥିତଯଶା ରହିଆସିଛି ।
ତାମିଲନାଡୁର ପ୍ରଖ୍ୟାତ ବାଣ ପ୍ରସ୍ତୁତିକାରୀ ସହର ଶିବକାଶୀ ଭଳି ଏଠାରେ ବାଣ ନିର୍ମାଣର ଇତିହାସ ଶତେକ ବର୍ଷ ତଳୁ ଅବ୍ୟାହତ ରହିଛି । ସ୍ଥାନଟି ବର୍ତ୍ତମାନ ମୁସଲମାନ ଧର୍ମୀୟ ଲୋକମାନଙ୍କ ଦ୍ଵାରା ଗରିଷ୍ଠ ସଂଖ୍ୟା ଦର୍ଶାଏ ଓ ଜନୈକ ଇସମାଇଲ୍ ଖାଁଙ୍କ ଦ୍ଵାରା ଏଠାରେ ବାଣ ତିଆରି ପରମ୍ପରାର ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଅଧିବାସୀ କହନ୍ତି । ହିନ୍ଦୁ ଓ ମୁସଲମାନ ଧର୍ମ ସମ୍ପ୍ରଦାୟର ୨୫୦୦ ରୁ ଊର୍ଦ୍ଧ୍ଵ କୁଟୁମ୍ଵ ଏଠାରେ ଦୀପାବଳୀର ଅବ୍ୟବହିତ ପୂର୍ବରୁ ଦୁଇମାସ ଅବଧି ବାଣ ପ୍ରସ୍ତୁତ କରିଥାଆନ୍ତି, ଯାହା ସମଗ୍ର ଓଡିଶାରେ ଏକ ଅନନ୍ୟ ଦୃଷ୍ଟାନ୍ତ ରୂପେ ବିବେଚିତ କରାଯାଇପାରେ । ଓଡିଶା ସରକାରଙ୍କ ଦ୍ଵାରା କୌଣସି ବିଶେଷ ମାନ୍ୟତା ଏଯାବତ ପାଇନାହିଁ ।
ଇତିବୃତ୍ତର କରାଳଝଞ୍ଜାରେ ପରାଙ୍’ମୁଖ ସହର ଠାରୁ ବୈମାତୃକ ଐତିହ୍ୟର ଦୂରତା ବୃଦ୍ଧି ପାଇଛି । ବୃଦ୍ଧି ପାଇଛି ଅଭ୍ୟାଗତପ୍ରିୟ ମଣିଷ ପ୍ରତି ସୌହାର୍ଦ୍ଦ୍ୟ । ମନେ ପଡନ୍ତି ପୁରୁଷୋତ୍ତମପୁର ଗ୍ରାମର ସେହି ବ୍ୟବସାୟୀ ଆଜ୍ଞାଙ୍କ ଭଳି ପୂର୍ବସୂରୀ, ଯିଏ ସାଧାରଣ ମଣିଷର ଗହଣରେ ପୃଥିବୀକୁ ହାର କରି ସବୁଜ ପ୍ରସ୍ଥରେ କରିଛନ୍ତି ନିରନ୍ତର ଚିରଯୌବନା ! ପ୍ରଗଲ୍ଭ ଶ୍ରଦ୍ଧାରେ ଦିଅଁ ଦେବତାଙ୍କ ଠାରେ ଖଡ୍ଗହସ୍ତ ନୃପତିଙ୍କ ଉତ୍ତୋଳିତ ଶିର ପାଦପର ଶୀତଳଛାୟା ପରି ଅବନତ ହୋଇ କୀର୍ତ୍ତିକୁ ପାନ୍ଥଜନ ଅନୁକୂଳ କରିଛି । ଅନ୍ତତଃ ଆଜି ରହିଛି ପୁରୁଷୋତ୍ତମ ଦେବଙ୍କ କାଞ୍ଚିରୁ ଆନୀତ ସେହି ପ୍ରସିଦ୍ଧ ତନ୍ତ୍ରୋପବିଷ୍ଟ ଲକ୍ଷ୍ମୀନୃସିଂହଙ୍କ ରମ୍ୟ ବିଗ୍ରହ । ପୂର୍ବଖଣ୍ଡି (ପୂର୍ବକଚ୍ଛ) ଠାରେ ସେ ଆଣି ତାଙ୍କୁ ସ୍ଥାପିଥିଲେ ।
ନୃସିଂହଙ୍କ ଦେଉଳ ଭଗ୍ନ । କେତେକାଂଶରେ ତାଙ୍କ ପୂର୍ବ ଜୀର୍ଣ୍ଣାବଶେଷ ଦଣ୍ଡାୟମାନ ଥାଇ ମନ୍ଦିରର ପୃଷ୍ଠପଟ୍ଟ ମଣ୍ଡିଅଛି । କାଞ୍ଚିରେ ଅଧିଷ୍ଠିତ ଲକ୍ଷ୍ମୀନୃସିଂହଙ୍କୁ ଆଣିବା ଲାଗି ଜାତିସ୍ମର ପୁରୁଷୋତ୍ତମଙ୍କର ହେତୁ ଉଦୟ ଘଟିବାରୁ ସେ ପ୍ରଥମେ ପଦ୍ମାବତୀଙ୍କୁ ବନ୍ଦିନୀ ଭାବରେ ଆଣିବା ବେଳେ ଲକ୍ଷ୍ମୀନୃସିଂହଙ୍କ ଠାରେ ଗଲେ । ଲକ୍ଷ୍ମୀନୃସିଂହଙ୍କ ଠାରେ ପ୍ରହ୍ଲାଦକଥିତ ନୃସିଂହ କବଚ ପଢି ନିଜର ପୂର୍ବକଳ୍ପନାକୁ ଉଜ୍ଜୀବିତ କରାଇ କହିଲେ , “ଆର ଜନ୍ମରେ ତୋ ଛାମୁରେ ସେବାରେ ଥିଲି । ତୋ ଆଜ୍ଞାରେ ଏତେ ସରିକି ପ୍ରବେଶ ହୋଇଲି । ଏବେ ତୁମ୍ଭ ଦର୍ଶନ ମୃଛି (ମୂର୍ଚ୍ଛି) ପାରୁନାହିଁ । ପୂର୍ବ ଜନ୍ମରେ ଚିତ୍ତେ କଳ୍ପିତ କରିଥିଲି ଶାସନରେ ବିଜେ କରାଇବି ।”
(ମନ୍ଦିର ପରିସରରେ ଲେଖକ)
କାଞ୍ଚିର ଲକ୍ଷ୍ମୀନୃସିଂହଙ୍କ ପୂଜକ ଗୋବିନ୍ଦ ଦୀକ୍ଷିତଙ୍କୁ ସ୍ଵପ୍ନାଦେଶ କରିଥିଲେ ଦେବତା । ଦିଅଁ ପୁରୁଷୋତ୍ତମ ଦେବଙ୍କ ସହ ଶଗଡରେ ଆସିଲେ । ସେଠୁ ପୁରସ୍ତମ (ପୁରୁଷୋତ୍ତମ କ୍ଷେତ୍ର ପୁରୀ) ରେ ଉପଯୋଗୀ ସ୍ଥାନର ଅଭାବ ଦେଖି ରଜା ପଦ୍ମାବତୀଙ୍କ ସହ ରଥଯାତ୍ରା ଦିନ ବିବାହ ଉତ୍ତାରୁ ଲକ୍ଷ୍ମୀନୃସିଂହଙ୍କୁ ପୂର୍ବକଚ୍ଛଠାରେ ସ୍ଥାପନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଚକଡା ବସାଣ’ ପୋଥି ପୁରୁଷୋତ୍ତମପୁର ଠାରେ ରାଜାଙ୍କ ନଅରର ଉଲ୍ଲେଖ କରେ । ସମ୍ଭବତଃ ପ୍ରଶାସନର ରାଜନୈତିକ ଓ ସାମରିକ ଆନୁକୂଲ୍ୟ ପ୍ରତି ତାଙ୍କର ଦୃଷ୍ଟି ସ୍ନିଗ୍ଧ ପରିପାଟୀକୁ ଚିହ୍ନଟ କରିପାରିଥିଲା ସେଥିପାଇଁ ମହାନଦୀର ଏହି ଉତ୍ତର ଅଧିତ୍ୟକା ଆଜି ପର୍ଯ୍ୟନ୍ତ ସୁଯୋଗ୍ୟ ସ୍ଥଳ ସରବରାହର ଉତ୍ସ ହୋଇରହିଛି ।
ସତ୍ୟଭାମା ଦେଈଙ୍କ ଦ୍ଵାରା ପ୍ରତିଷ୍ଠିତ ସତ୍ୟଭାମାପୁରରେ ସୁଦ୍ଧା ଦଧିବାମନ ମନ୍ଦିର ଥିଲା ଓ ତାଙ୍କର ଦାକ୍ଷିଣ୍ୟର ଅବଶିଷ୍ଟ ସ୍ମୃତିଚାରଣ କରୁଛି । ‘ଚୈତନ୍ୟ ଚରିତାମୃତ’ରେ ସୁଦ୍ଧା ଉଲ୍ଲେଖ ରହିଛି ଯେ ଶ୍ରୀଚୈତନ୍ୟ ଗଙ୍ଗାସ୍ନାନ ସାରି ଗୌଡଦେଶରୁ ପ୍ରଥମେ ଓଡିଶା ଆଗମନ କଲା ବେଳେ ପୁରସ୍ତମ ଦର୍ଶନ ସାରି ଏହି ସତ୍ୟଭାମାପୁର ଠାରେ ରାତ୍ରିଯାପନ କରିଥିଲେ । ଜାତିକୁ ନୂତନ ସ୍ପନ୍ଦନ ଦେଇଥିବା ଏହି ଇତିହାସ ସରିନାହିଁ । ଅନାଲୋଚିତ ରୋଜାନାମଚା ଭିତରୁ ଯାହା ଦୃଷ୍ଟି ପଥାରୂଢ ହୁଏ ତାହା ମଧ୍ୟରୁ ସତ୍ୟଭାମାପୁର (Satyabhamapur) ଓ ପୁରୁଷୋତ୍ତମପୁର ଗ୍ରାମର ଇତିହାସ ବିଲକ୍ଷଣ ଭାବ ବିନିମୟର ସୂତ୍ରପାତ କରେ । ବଡ଼ଭାଇଙ୍କ ସହ ପୁରୁଷୋତ୍ତମପୁର ଅତିକ୍ରମ କରିସାରିଲୁଣି ଇତିମଧ୍ୟରେ । ପୂର୍ବପଟ ଆକାଶରେ ଶ୍ରାବଣ ଖରା ନିରଳସ ଭାବରେ ଧରାପୃଷ୍ଠରେ ପତିତ । ପରସ୍ପରଠାରୁ କେତେ ବାଟଘାଟ ଆସି ଯୋଡି ହେଇଛନ୍ତି ଗାଁର ପ୍ରାନ୍ତରରେ ଓ ପୁନରାୟ ହଜିଯାଉଛନ୍ତି ସ୍ବପ୍ନପ୍ରବଣ ହରିତ ସଂସାର ମଧ୍ୟକୁ । ସେତେବେଳେ ଦୂରଦିଗନ୍ତର ସମ୍ବନ୍ଧ କଳ୍ପନାବିଳାସୀର ଉନ୍ନିଦ୍ର ସ୍ଥିରତାକୁ ଦୃଷ୍ଟିରେ ନିବଦ୍ଧ କରେ । ଆସାରବିଦ୍ଧ ମୃତ୍ତିକାର ଚତୁଃପାର୍ଶ୍ବରେ ଆଲୋକିତ ସଂସାର, ଉଜ୍ଜ୍ଵଳ ଜନଜୀବନର ରଞ୍ଜିତ ଚରାଚର । ଆଗକୁ ରହିଛି ଅନ୍ୟ ଏକ ପାଟକ, ଯାହାର କ୍ଷୀଣତର ପ୍ରାଗୈତିହାସ ଗୌରବରେ ହୋଇଥିଲା ପୂର୍ଣ୍ଣଗର୍ଭା ।
© ପୁରୁଷୋତ୍ତମପୁର, ମୋ ପ୍ରିୟତମ ପାଥେୟର ସରଣୀ: ଅମୃତେଶ