ଲେଖା: ଶିଶିର ସାହୁ ମନୋଜ

ପୁତ୍ର ଶବ୍ଦ ସହ ଓଡ଼ିଆ ପୁଅ ଓ ପୋ ଶବ୍ଦ ସମଦ୍ଧୃତ । ସାଧାରଣତଃ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋ ଶବ୍ଦଟି ପୁଅ ଅର୍ଥରେ ଵ୍ଯଵହୃତ ହୋଇଥାଏ, କିନ୍ତୁ ଆଜିକାଲି ବେଟା ଶବ୍ଦ ସ୍ଥାନୀୟ ଲୋକ ବହୁତ ଵ୍ଯଵହାର କଲେଣି । ପୋ ଶବ୍ଦକୁ ନେଇ ଅନେକ ସମ୍ଵଲପୁରୀ ପ୍ରଵଚନ ରହିଛି ! ଉଦାହରଣ ସ୍ଵରୂପ:
“ବାପ ଦୋହରି ପୋ ପୁଝାରି
ଗଣ୍ଡି ମୁଣ୍ଡି ସବୁ ତୁମରି”
ଏହାର ଅନ୍ୟ ଅର୍ଥଟି ବଂଶଧର ଅଟେ ।

ପ୍ରାଚୀନ କାଳରେ ଏହି ଶବ୍ଦଟି ଓଡ଼ିଶାର ପୂର୍ଵାଞ୍ଚଳରେ ପୋଅ ହୋଇ ଚଳୁଥିଵାର ଏଠାକାର ପୁରାତନ ସାହିତ୍ୟରୁ ଜଣାଯାଏ ।

ଉଦାହରଣ ସ୍ଵରୂପ: ଗୁରୁଭକ୍ତି ଗୀତାରେ କଵି ଲେଖିଛନ୍ତି, “କଳଙ୍କୀ ଵିହାର କର ତୁମ୍ଭେ ବାରପୋଅ” ।

ଏଠାରେ ବାରପୋଅ ଶବ୍ଦରେ ଥିଵା ପୋଅ ଶବ୍ଦର ଅର୍ଥ ପୁଅ ଅଟଇ । ସେଇଭଳି ଆଉ କେତେକ ଅଞ୍ଚଳରେ ପୋଇ ଶବ୍ଦଟି ମଧ୍ୟ ପୁତ୍ର ଅର୍ଥରେ ଵ୍ଯଵହୃତ ହେଉଥିଵାର ପୁରୁଣା ସାହିତ୍ଯରେ ଵ୍ଯଵହାରରୁ ଜଣାଯାଏ ! ଯେମିତିକି,
“କାଳେ ଅରଣ୍ଯକୁ କରେ ପଳାୟନ
ଅଵା ରୋଷେ ପୋଇ ଆରମ୍ଭଇ ଋଣ।
(ଅଜୟଚନ୍ଦ୍ର ଶେଷବନ୍ଦୀ)

କେଉଁଠି କେଉଁଠି ପୋଇ ଶବ୍ଦ ଝିଅ ଵା କନ୍ୟା ଅର୍ଥରେ ମଧ୍ୟ ପ୍ରୟୋଗ ହେଉଥିଲା । ସମ୍ଭଵତଃ ଏହାର ସର୍ଵୋତ୍ତମ ପ୍ରମାଣ ଭାଵେ “ତଅପୋଇ” ନାମକୁ  ଉଲ୍ଲେଖ କରାଯାଇପାରେ । ତଅପୋଇ ଶବ୍ଦରେ ତଅ ଶବ୍ଦଟି ସପ୍ତ ଶବ୍ଦର ଓଡ଼ିଆ ସମଦ୍ଧୃତ ରୂପ ହୋଇଥିଵା ସମ୍ଭଵ ସେଇଭଳି ପୋଇର ଅର୍ଥ କନ୍ୟା ଅଟେ । ସାତ ପୁଅ ପରେ ଜନ୍ମିଥିଵାରୁ ଏହି କନ୍ଯାଟିର ନାମ ତଅପୋଇ ରଖା ଯାଇଥାଇପାରେ ।

ସେହିପରି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପୁତ୍ର ଶବ୍ଦ ସହିତ ସମଦ୍ଧୃତ ପୁତା ଶବ୍ଦର ପୁଅ ଅର୍ଥରେ ବହୁଳ ଵ୍ଯଵହାର ହୋଇଥିଵା ଦୃଷ୍ଟିଗୋଚର ହୋଇଥାଏ । ଉଦାହରଣ ସ୍ଵରୂପ:

● ପୁତ୍ର ଵଚନ ଶୁଣି ପିତା,
ବୋଇଲେ ଶୁଣ ଆରେ ପୁତା।
(ନିର୍ଗୁଣାନାହାତ୍ମ୍ଯ)

● ହସି ପଶେ ଉଇଁ ନ ଦିଶେ
ଦକ୍ଷିଣ ମେଘ ଉତ୍ତରେ ଆସେ
ସଜ ଗୋଵରରେ ଅଂଶାଇ ବସେ
ତେବେରେ ପୁତା ନିଶ୍ଚେଁ ଵରଷେ
(ଡାକଵଚନ)

● ପୂର୍ଵେ ଅଦ୍ରାଵଳୀ ପଶ୍ଚିମେ ରୋଇ
ନାଥ ବୋଲେ ପୁତାରେ ନିଶ୍ଚେ ଯିଵ ଧୋଇ।
(ଡାକଵଚନ)

● ବାଡ଼ି ଠୁକୁ ଠୁକୁ କାନ ନୁଡୁକା ବାଟେ
ଦ୍ବିଜଵର ଦେଖିଵ ଏକା ।
ପାଆକେ କୁମ୍ଭାର କୋଶକେ ତେଲି
ଡାକ ବୋଲେ ପୁତା ନ ଯିବୁ ପେଲି ।
(ଡାକଵଚନ)

● ଦିନକୁ ମଳାମଳା ରାତିକି ନିର୍ମଳା
ଡାକ ବୋଲେ ପୁତାରେ ରାଜ୍ଯ ଛାଡ଼ି ପଳା ।

● ତନ୍ତୀ ପୁତା !
ଖାଏ ମାଲ ଚୋରାଏ ସୂତା !
(ଢଗ)

● ଶୁଣ ଶୁଣ ପୁତା ଲୋଇରେ
ପିମ୍ପୁଡ଼ି ହାଦେ ବାଟ କଢ଼ାଇ,
ଅଦୃଷ୍ଟ ଅଶ୍ରୁତ ପୁତା ନ ପାଇ ଥାନ୍ତିଂ ହୋଇଂ ।
ଯେବେ ସେ ତ୍ରିଗୁଣେ ଯତନ ହୋଇବାକ ଦେହି
ନାସିକା ଦ୍ୱାରେ ଯେବେ ଛଞ୍ଚତ ପାରିବାଇଂ ।
ବେତ ବସେ ବନ୍ଦୀ ହୋଇବ ହାଥୀ ବାଡ଼ି
ବିଝଂଗିରି ଚରଇ ପୁତା ଶୂନ୍ୟଗିରି ସ୍ଥିତି
ଯାହାକଇ ଚିହ୍ନିଲେ ପିଣ୍ତ ହୋଇବ ମୁକ୍ଷ ମୁକତି ।
(ଚର୍ଯ୍ୟାଗୀତି)

● “ଲାଲ ଟହଟହ ପାତଲଘଟାଁ,
ଧାନ ମିରଚା ନୁନେ,
ଚିଟକି ଚିଟକି ଖାଏମା ପୁତା,
ବାସି ପଖାଳର ସାଙ୍ଗେ ।

ଓଡ଼ିଶାର ଆଉ କେତେକ ଅଞ୍ଚଳରେ ପୁଅ ଵା ପୁତ୍ର ଶବ୍ଦର ଭିନ୍ନ ଭିନ୍ନ ରୂପ ଚଳୁଅଛି । ମୟୂରଭଞ୍ଜରେ ପୁଅମାନଙ୍କୁ “ପଅ” ତଥା ସମ୍ଵଲପୁର ଓ ସୁଵର୍ଣ୍ଣପୁରର କେତେକ ଅଞ୍ଚଳରେ “ପୁଓ” କୁହାଯାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ । ସେଇଭଳି ବୌଦ୍ଧ ଜିଲ୍ଲାରେ “ପୁଝି” ଶବ୍ଦର ଅର୍ଥ ପୁଅ ଝିଅ ବୋଲି ଏହି ଶବ୍ଦକୋଷରେ ଉଲ୍ଲେଖ ରହିଛି ।

ସେଇଭଳି ଓଡ଼ିଶାରେ ପୁଅମାନଙ୍କୁ ବାପାମାଆ ସ୍ନେହରେ ବାପ, ଧନ, ଵା ଓ ବାବୁ ଇତ୍ୟାଦି ସମ୍ବୋଧନ କଲାଵେଳେ ଝିଅମାନଙ୍କୁ ମାଆ ଡାକୁଥିଵାର ମଧ୍ୟ ଦୃଶ୍ଯ ହୋଇଥାଏ ।

© ଶବ୍ଦଭେଦ
Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

11 hours ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 day ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

2 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

2 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago