ଲେଖା: ଶିଶିର ସାହୁ ମନୋଜ
ଓଡ଼ିଶା ତଥା ଏହାର ଵିଚ୍ଛିନ୍ନାଞ୍ଚଳରେ ପିଜୁଳି ଫଳର ସହସ୍ରାଧିକ ନାମ ଚଳୁଅଛି । ପ୍ରତ୍ୟେକ ଜିଲ୍ଲାରେ ପିଜୁଳି ପାଇଁ  ଅନ୍ତତଃ ଦୁଇଗୋଟି ନାଆଁ ନିଶ୍ଚୟ ମିଳିଯାଏ । ଧରନ୍ତୁ ଆପଣ ସାରା ଓଡ଼ିଶା ଭ୍ରମଣରେ ବାହାରିଛନ୍ତି ତେଵେ ପ୍ରତ୍ୟେକ ଅଞ୍ଚଳର ଲୋକେ ଆପଣଙ୍କୁ ପିଜୁଳିକୁ ଭିନ୍ନ ଭିନ୍ନ ନାଆଁରେ ଜାଣିଥିଵାର ମିଳିଯିଵେ ।
ଵିଚ୍ଛିନ୍ନାଞ୍ଚଳ ଵସ୍ତରରୁ ଆପଣ ଓଡ଼ିଶା ଆଡକୁ ଚାଲିଲେ । ଏଇ ତ ପିଜୁଳି ପାଚିଵା କାଳ !  ସେଠାକାର ଭତ୍ରୀ ଲୋକେ ବଡ଼ ସରଳ ସେମାନେ ଆଦର ସହକାରେ ଆପଣଙ୍କୁ ବେଲାତି ଖାଆନ୍ତୁ କହି ପିଜୁଳି ଖାଇଵାକୁ ଦେଵେ !!!
କ୍ରମଶଃ ଓଡ଼ିଶା ସୀମାରେ ପଶିଲେ ପିଜୁଳି ଫଳର ଶୁଣାଯିଵ ମେଓଆ, ମେଉଆ, ମଇଆ, ମୟା, ମାୟା, ମେଗୁଆ,ମେଘୁଆ, ଜମ୍ରୁଖ୍, ବିଦୁର ଆଦି ଅନେକ ନାଆଁ !  ସୁନ୍ଦରଗଡ଼ରେ ତାମରସ ଓ ବଣାଇଁର ଲୋକେ ପିଜୁଳିକୁ ବଦାମ୍ କହୁଥିଵାର ଶୁଣିଵାକୁ ପାଇଵେ । ଦେଓଗଡ଼ରେ ଶୁଣିଵେ ‘ତମସ’ ନାଆଁ ପୁଣି ବାମଣ୍ଡାର ଗ୍ରାମାଞ୍ଚଳରେ ମଧ୍ୟ ତମରସ/ଟମରସ ବୋଲି ଆଉ ଏକ ନାମ ଶୁଣିଵାକୁ ପାଇଵେ । ବଲାଙ୍ଗୀରର କଥିତ ଓଡ଼ିଆରେ ପିଜୁଳିକୁ କେଉଁଠି କେଉଁଠି ବିହି, ପେରୁଆ, ପେରୁ ଆଦି ବି କହୁଥିଵା ଜାଣି ଆଚମ୍ବିତ ହେଵେ । ବୌଦ୍ଧ ଜିଲ୍ଲାର କେତେ ସ୍ଥାନରେ ମଧ୍ୟ ପିଜୁଳିକୁ ‘ମେଗୁଆ’ ହିଁ କହନ୍ତି । ଟିକିଏ ଉତ୍ତର ପୂର୍ଵକୁ ଆସିଲେ କେନ୍ଦୁଝରଗଡ଼ରେ ପିଜୁଳିକୁ ଲୋକେ ବଦାମ କହୁଥିଵାର ଶୁଣିଵାକୁ ମିଳିଥାଏ ପୁଣି ଆନନ୍ଦପୁର ଅଞ୍ଚଳର ଲୋକେ ପିଜୁଳିକୁ ‘ଦରଖିଆ‘ ମଧ୍ୟ କହିଥାନ୍ତି ।
ଆଉଟିକିଏ ଉତ୍ତର ଆଡ଼କୁ ଗଲେ ମୟୂରଭଞ୍ଜ ଅଞ୍ଚଳରେ ପିଜୁଳିକୁ ପେଡା଼ କୁହାଯାଉଥିଵା ଶୁଣିଵାକୁ ପାଇଵେ ପୁଣି ପଡୋ଼ଶୀ ସିଂହଭୂମି ଵିଚ୍ଛିନ୍ନାଞ୍ଚଳ ଆଡୁ଼ ପିଜୁଳିର ଆଉ ଏକ ନାଆଁ ସୋଇତାମ୍ବ ଶୁଣାଯିଵ ।
ମେଦିନୀପୁର ଵିଚ୍ଛିନ୍ନାଞ୍ଚଳକୁ ଗଲେ ସେଠିକାର ଲୋକେ ପିଜୁଳି ଦେଇ ଆପଣଙ୍କୁ ପେରହା ଖାଅନ୍ତୁ ବୋଲି କହିଵେ । ଯଦି ସିଆଡୁ଼ ବାଲେଶ୍ଵର ଆଡ଼କୁ ଫେରନ୍ତି ଆପଣଙ୍କୁ ପିଜୁଳି ଫଳର କ୍ରମଶଃ ପେହେଡ଼ା, ପେଡ଼ା, ପେଢ଼ା ଓ ପେଜୁର ଆଦି ନାଆଁ ମିଳିଵ । ପାଖ ଭଦ୍ରକ ଜିଲ୍ଲାରେ ବି ପିଜୁଳି ଫଳର  ପେହେଡା, ପେଏଡା, ପିଜୁରି, ବିଦୁଡି ଆଦି ନାମ ଦେଖି ଆପଣ ଆହୁରି ଵିସ୍ମିତ ହେଵେ। କଟକ ଆଡେ଼ ଆସିଲେ ଲୋକେ କଟକରେ ପିଜୁଳି, ପିଜୁଡ଼ି, କେଭୁଆ ଓ ବିଦୁଡ଼ୁ ମଧ୍ୟ କହୁଥିଵା ଶୁଣିଵାକୁ ପାଇଵେ । ଖୋର୍ଦ୍ଧା ଜିଲ୍ଲାରେ ଲୋକେ କହିଵେ ନିଅ ନିଅ ଚାଉଳିଆ, ବିଜୁଳିଟିଏ ଖାଅ ପଥଶ୍ରାନ୍ତ ଲାଘଵ ହେଵ । ପୁଣି ଯଦି ନୟାଗଡ଼ ଆଡେ଼ ଯିଵେ ଲୋକେ ଆପଣଙ୍କୁ ପିଜୁଳିର ଫୁଗୁଡି଼, ଜାମି, ଦାଳିଖିଆ, ଡାଳିଖିଆ ଆଦି ନାଆଁ ସବୁ ଶୁଣେଇଵେ ।
ହିନ୍ଦୋଳଗଡ଼ରେ ପଶିଲାଵେଳକୁ ପିଜୁଳିର ନାଆଁ ନେହୁଆ ହେଇଯାଇଥିଵ ପୁଣି ଢେଙ୍କାନାଳ ଗଡ଼ଜାତର ଲୋକେ ପିଜୁଳିକୁ ବିଜୁଳି କହୁଥିଵାର ଶୁଣିଲେ ଆପଣଙ୍କର ଵର୍ଷାରାଣୀ ଓ ଇର୍ମଦ କଥା ମନେ ପଡି଼ଯିଵ । ସେଇଭଳି ମଢି଼ ଵା ଆଧୁନିକ କାମାକ୍ଷାନଗରର ନିପଟ ମଫସଲିଆ ଗାଆଁରେ ଶୁଣାଯିଵ ପିଜୁଳିର ଲୋକପ୍ରିୟ ନାଆଁ ପିଆରା ।
ସେଠାରୁ ଆଗକୁ ଅନୁଗୋଳ ଆଡକୁ ଗଲେ ଲୋକେ ପିଜୁଳିର ପିଚୁଡ଼, ଲକାମ ଆଦି ନାଆଁ କହିଵେ ପୁଣି ଯଦି ଆପଣ ଗଞ୍ଜାମ, ଗଜପତି ଓ ଅଵିଭକ୍ତ କୋରାପୁଟ ଆଡ଼କୁ ଯାଆନ୍ତି ତେଵେ ସେ ଅଞ୍ଚଳରେ ପିଜୁଳିକୁ ଜାମୁ, ଜାମି, ଜାହ୍ମି, ଜାହ୍ମ, ଜାମ୍ବ,ନେଉଆ ଓ ପିଦୁରି ଆଦି ନାଆଁ ଦେଖି ଆଶ୍ଚର୍ଯ୍ୟାନ୍ଵିତ ହୋଇ ଭାଵିଵେ ଗୋଟିଏ ଫଳର  ଏତେ ନାଆଁ ?
କିନ୍ତୁ ଆପଣ କଣ୍ ଓଡ଼ିଶାର ସବୁ ଗାଆଁକୁ ଯାଇପାରିଵେ ? ଯଦି ଯାଇପାରନ୍ତେ ତ ପିଜୁଳିର ଆହୁରି ଶତାଧିକ ନାଆଁ ଦେଖି କେତେ ଅଭିଭୂତ ନ ହୁଅନ୍ତେ ସତେ !!!
ହେଲେ ଏ ତ ଭାରତଵର୍ଷର କେଵଳ ପୂର୍ଵାଞ୍ଚଳର କଥା ସାରା ଭାରତରେ ପିଜୁଳି ପାଇଁ ସହସ୍ର ସହସ୍ର ନାଆଁ ଚଳୁଅଛି । ଆଜି କଳିଙ୍ଗ ଦେଶଟା ସାରା ବୁଲି ବୁଲି କେତେ ନାଆଁରେ ପିଜୁଳି ଖାଇଲେଣି । ଆଉ ଦିନେ ଭାରତ ସାରା ବୁଲି ବୁଲି କି ପିଜୁଳି ଖାଇଵା ।
ଓଡ଼ିଶାଟା ବହୁତ ବଡ଼ ଆମେ କ’ଣ ସବୁ ଅଞ୍ଚଳ ବୁଲି ପାରିଥାନ୍ତୁ ? ଯେଉଁ ଅଞ୍ଚଳକୁ ଯାଇପାରିନାହୁଁ ସେଠିକା ଲୋକ ତାଙ୍କ ଅଞ୍ଚଳରେ ପିଜୁଳି ଫଳକୁ କ’ଣ କୁହନ୍ତି ଜଣାନ୍ତେ ବୋଲେ ବି ସେପଟରୁ ଗୋଟିଏ ପିଜୁଳି ମିଳିଲା ବୋଲି ଵିଚାର କରନ୍ତୁ !!!
© ଶବ୍ଦଭେଦ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago