ଲେଖା: ଶିଶିର ସାହୁ ମନୋଜ

ଦୂରଵର୍ତ୍ତୀ ଵାତ୍ଯାର କ୍ଷୀଣ ପ୍ରକୋପକୁ ଗଞ୍ଜାମ ଜିଲ୍ଲାର ଉପକୂଳଵର୍ତ୍ତୀ ଅଞ୍ଚଳରେ ଝଜ କୁହନ୍ତି । ସମ୍ଭଵତଃ ଏ ଶବ୍ଦଟି ଝଞ୍ଜା ଶବ୍ଦ ସହିତ ସମଦ୍ଧୃତ । ଝଜ ଏକ ଵିଶେଷ୍ଯ ଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ ଠିକ୍ ସେଇଭଳି ଝଞ୍ଜା ଶବ୍ଦ ବି ଏକ ଵିଶେଷ୍ଯ ଶବ୍ଦ ଅଟଇ ।

ଝଞ୍ଜା ଶବ୍ଦଟି ସାଧାରଣତଃ ଏକ ଝମ୍ ଝମ୍ ଝୁମ୍ ଝୁମ୍ ଇତ୍ୟାଦି ଧ୍ଵନ୍ଯାନୁକରଣ ଶବ୍ଦ ସହ ଜନ୍ ଧାତୁ ଯୁକ୍ତ କରାଯାଇ ସୃଷ୍ଟି ହୋଇଅଛି ।

ଏହାର ନିମ୍ନୋକ୍ତ ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି:

୧. ବତାସ; ଝଡ଼ି; ଝଡ଼; ତୋଫାନ
ଉଦାହରଣ: “ପରସ୍ପରେ ଦୁଇ ସେନାଏ ପୀଡ଼ା ପାଇ ଝଞ୍ଜାବଜା ଲଚିକା ପ୍ରୟୋଗ ଗଲେ ହୋଇ।”
(କୃଷ୍ଣସିଂହ, ମହାଭାରତ, ଶଲ୍ଯପର୍ଵ)
୨. ଝଡ଼ି ଵରଷା; ଝଡ଼ ସହିତ ବର୍ଷା
୩. ଘୋର ଵୃଷ୍ଟି
୪. ଵାତ୍ଯାର ଗର୍ଜନ
୫. ଟଙ୍କାର ଧ୍ବନି
୬. ତୃପ୍ତି
୭. ଝାଞ୍ଜ
୮. ଛୋଟ ଛୋଟ ବିନ୍ଦୁ ପାତ ସହ ଵର୍ଷା

ପ୍ରାୟତଃ ଦେଖାଯାଏ ଵାତ୍ଯା ଆସିଵା ଆଗରୁ ଛୋଟ ଛୋଟ ବିନ୍ଦୁପାତ ସହ ଵର୍ଷା ହୁଏ ଓ କ୍ଷୀଣରୁ ଧିରେ ଧିରେ ତୀଵ୍ର ଗର୍ଜନ ଶୁଣାଯାଇଥାଏ ।

ମତାନ୍ତରେ ଓଡ଼ିଆ ଝଜକା ଵା ଝଜକିଵା କ୍ରିୟା ଶବ୍ଦ ଶବ୍ଦ ସହିତ ଗଞ୍ଜାମ ଅଞ୍ଚଳର ଝଜ ଶବ୍ଦ ସମଦ୍ଧୃତ ହେଵା ମଧ୍ୟ ସମ୍ଭଵ ।

ଝଜକା ଶବ୍ଦର ନିମ୍ନୋକ୍ତ ଅର୍ଥ ରହିଛି:
ଵିଶେଷ୍ଯ:
୧. ଭୟଜନିତ କିଂକର୍ତ୍ତଵ୍ଯଵିମୂଢ଼ତା; ଛନକା; ଛାନିଆ; ହଠାତ୍ ଭୟ ଯୋଗୁଁ ଆବ୍ବାକାବ୍ବା ହେଵା
୨. ଧନ୍ଦାଳି ହେଵା ଅଵସ୍ଥା, ଧନ୍ଦକା
୩. ଆନଦ୍ଧ ଵାଦ୍ଯାଦିର ଅନୁଚ୍ଚ ଶବ୍ଦ

ଵିଶେଷଣ
୧. ଛାନିଆ
୨. କିଂକର୍ତ୍ତଵ୍ଯଵିମୂଢ଼
୩. କାର୍ଯ୍ୟଵ୍ଯସ୍ତ (Very busy)
 
ସେଇଭଳି ଓଡ଼ିଆ କ୍ରିୟା ଝଜକିଵା ଵା ଝଜକି ହେଵାର ମୁଖ୍ୟତଃ ତିନୋଟି ଅର୍ଥ ଅଛି:
୧. ଭୟରେ କିଂକର୍ତ୍ତଵ୍ଯଵିମୂଢ଼ ହେଵା ଵା ଛାନିଆ ହେଵା
୨. ଧନ୍ଦି ହେଵା; ଧନ୍ଦକି ହେଵା
୩. ଆନଦ୍ଧ ଵାଦ୍ଯାଦି ଅନୁଚ୍ଚ ଶବ୍ଦ କରିଵା

ଝଜକା ଓ ଝଜକିଵା ଶବ୍ଦରେ ଯେଉଁ କ୍ଷୀଣ ଅନୁଚ୍ଚ ଶବ୍ଦ କରିଵା ଅର୍ଥଟି ରହିଛି ତାହା ସମ୍ଭଵତଃ ପରେ ଦୂରଵର୍ତ୍ତୀ ଵାତ୍ଯାର କ୍ଷୀଣ ପ୍ରକୋପ ଅର୍ଥରେ ଵ୍ଯଵହାର ହୋଇଥାଇପାରେ ।

ଦୂରଵର୍ତ୍ତୀ ଵାତ୍ଯାର କ୍ଷୀଣ ପ୍ରକୋପ ପ୍ରଥମେ ଜଣାପଡେ଼ ଘୁ ଘୁ ସୁ ସୁ ଇତ୍ୟାଦି ଅନୁଚ୍ଚ ଶବ୍ଦରୁ କିନ୍ତୁ ଯଦି ଉକ୍ତ ଵାତ୍ଯା ନିକଟତର ହୁଏ ତେଵେ ସେହି ଶବ୍ଦ ଦୃତ ଓ ଉଚ୍ଚତର ହେଵାକୁ ଲାଗେ ।

ଆମ ଉପକୂଳାଞ୍ଚଳରେ ଵାତ୍ଯା ଯୋଗୁଁ ପ୍ରତିଵର୍ଷ ଲକ୍ଷ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୁଏ ଫଳରେ କୌଣସି ଵାତ୍ଯା ଆଗମନର ଆଭାସ ମିଳିଲେ ଛାନିଆଁ ହେଵା ସ୍ଵାଭାଵିକ କଥା । ତେଵେ ଉପକୂଳ ଓଡ଼ିଶାର ଲୋକଙ୍କ ସାହସ ଓ ଧୈର୍ଯ୍ୟଶକ୍ତି ଆଗରେ ମନର ଭୟ କ’ଣ ବଡ଼ ବଡ଼ ଵନ୍ଯା ଵାତ୍ଯା ବି ସହସ୍ରାଧିକ ଥର ହାର ମାନିଛି ।

ପୃଥିଵୀର ଏଇ କଳିଙ୍ଗୋତ୍କଳ ଭୂଖଣ୍ଡର ଲୋକେ ଏଥିପାଇଁ ସବୁଠାରୁ ସାହସୀ ହୋଇପାରିଛନ୍ତି । ମନୁଷ୍ୟ କିମ୍ବା ମନୁଷ୍ୟ ଜାତି ତ ଛାର, ସେମାନେ ଶତ ସିଂହର ସାହସ ବାନ୍ଧି ଵାତ୍ଯା ଵନ୍ଯା ସହିତ ମଧ୍ୟ ଯୁଝିଵାକୁ ପଛାଇନାହାନ୍ତି ।

ସେଇଥିପାଇଁ ତ ପ୍ରତିଵର୍ଷ ଏତେ ଵନ୍ଯା ଵାତ୍ଯା ହୋଇ ବି କୋଉ ଉପକୂଳିଆ କେଵେ ତା ଭିଟାମାଟି ଛାଡି଼ଦେଵା କଥା ଶୁଣାଯାଏ ନାହିଁ ।

“କଳିଙ୍ଗାଃ ସାହାସିକାଃ” ଆପ୍ତଵାକ୍ଯକୁ ସାର୍ଥକ କଲାଭଳି ଏହା ଏକ ସକାରାତ୍ମକ ଵିଷୟ ନୁହେଁ କି  ?

ମନେ ରଖିବାର କଥା, ଝଜ ଶବ୍ଦକୁ ଭୁଲରେ ଝଜା(ଧ୍ଵଜା) ଲେଖିଦେଲେ ଏହାର ଅର୍ଥ ଓଡ଼ିଆ ଭାଷାରେ ପତକା ହୋଇଯିଵ ଏଵଂ ଯଦି ଝଜି ଲେଖିଦିଆଯାଏ ତାହାର ଅର୍ଥ ହେଵ ଗାମୁଛା !

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago