ଲେଖା: ଶ୍ରୀକାନ୍ତ ସିଂହ
~ ପାତାଳୀ ଗରୁଡ଼ ମନ୍ଦିର ~
ହିନ୍ଦୁ ଧର୍ମଶାସ୍ତ୍ରରେ ଶୌର୍ଯ୍ୟ, ବୀର୍ଯ୍ୟ, ତେଜ, ପରାକ୍ରମ, ଶକ୍ତି ଓ ସାମର୍ଥ୍ୟର ପ୍ରତୀକ ରୂପେ ପକ୍ଷୀରାଜ ଗରୁଡ଼ଙ୍କୁ ଚିତ୍ରଣ କରାଯାଇଛି l ଭଗବାନ ବିଷ୍ଣୁଙ୍କ ବାହାନ ଯେ କି ନିଜ ମା’ଙ୍କୁ ଅଗ୍ରଜ ଅରୁଣଙ୍କ ଅଭିଶାପ ତଥା କଦ୍ରୁଙ୍କ ଦାସତ୍ୱରୁ ମୁକ୍ତ କରିବା ପାଇଁ ଦେବତାଙ୍କ ସହ ଲଢ଼ିଥିବା କଥା ଉଲ୍ଲେଖ ରହିଛି l
ପୁରାଣ ଅନୁସାରେ ସତ୍ୟଯୁଗରେ ଦକ୍ଷ ପ୍ରଜାପତି ନିଜର ଦୁଇ କନ୍ୟା କଦ୍ରୁ ଓ ବିନତାଙ୍କୁ କଶ୍ୟପ ଋଷିଙ୍କ ସହିତ ବିବାହ ଦେଇଥିଲେ l ଋଷି କଶ୍ୟପ ଏକଦା ନିଜର ଦୁଇ ପତ୍ନୀଙ୍କ ଉପରେ ପ୍ରୀତ ହୋଇ ବର ମାଗିବାକୁ କୁହନ୍ତେ, କଦ୍ରୁ ସହସ୍ରନାଗ ପୁତ୍ରଙ୍କ ଜନନୀ ହେବା ପାଇଁ ଓ ବିନତା କଦ୍ରୁଙ୍କ ପୁତ୍ରଙ୍କ ଠାରୁ ଶକ୍ତିଶାଳୀ ଓ ପରାକ୍ରମୀ ଦୁଇଟି ପୁତ୍ରର ଜନନୀ ହେବା ପାଇଁ ଇଚ୍ଛା ବ୍ୟକ୍ତ କଲେ l
କଶ୍ୟପ ଋଷିଙ୍କ ଆଶୀର୍ବାଦରୁ କଦ୍ରୁ ଦେଇଥିବା ଅଣ୍ଡାରୁ ଏକ ସହସ୍ରନାଗ ପୁତ୍ର ଜନ୍ମ ହେଲେ, ମାତ୍ର ବିନତା ଦେଇଥିବା ଅଣ୍ଡାରୁ ସନ୍ତାନ ଜନ୍ମ ହେବା ବିଳମ୍ବ ହେବାରୁ ବିନତା ଅଧୀର ହୋଇ ଗୋଟିଏ ଅଣ୍ଡାକୁ ଭାଙ୍ଗି ଦେଇଥିଲେ ଆଉ ସେଥିରୁ ଅର୍ଦ୍ଧ ବିକଶିତ ଅରୁଣ ଜନ୍ମ ଲାଭ କଲେ l ଅର୍ଦ୍ଧବିକଶିତ ହୋଇ ଜନ୍ମ ହେବା ଓ ଜନ୍ମବେଳେ କଷ୍ଟ ପାଇଥିବାରୁ ଅରୁଣ ମାତା ବିନତାଙ୍କୁ କଦ୍ରୁଙ୍କର ଦାସୀ ହେବାକୁ ଅଭିଶାପ ଦେଇ ଆକାଶ ମାର୍ଗରେ ଉଡ଼ିଯାଇଥିଲେ l ପରବର୍ତ୍ତୀ ସମୟରେ ଅରୁଣ ସୂର୍ଯ୍ୟଙ୍କ ସାରଥୀ ପଦରେ ଆସୀନ ହୋଇଥିଲେ l
ଅନ୍ୟ ଗୋଟିଏ ଅଣ୍ଡାରୁ ଉପଯୁକ୍ତ ସମୟରେ ପୂର୍ଣ୍ଣ ବିକଶିତ ଗରୁଡ଼ ଜନ୍ମ ଲାଭ କଲେ l ଜନ୍ମରୁ ଗରୁଡ଼ ତେଜସ୍ୱୀ, କାନ୍ତିଯୁକ୍ତ ଓ ପରାକ୍ରମୀ ଥିଲେ l କଦ୍ରୁଙ୍କ ସହସ୍ରପୁତ୍ରଙ୍କୁ ପରାସ୍ତ କରିବା ସହ ଜନନୀ ବିନତାଙ୍କୁ ଶାପମୁକ୍ତ କରିଥିଲେ l ପରମ ବିଷ୍ଣୁ ଭକ୍ତ ଗରୁଡ଼, ପିତା କଶ୍ୟପଙ୍କ ଆଶୀର୍ବାଦ ଓ ବରଦ ପ୍ରାପ୍ତ ହୋଇ ଦେବତାଙ୍କୁ ପରାସ୍ତ କରି ସ୍ବର୍ଗରୁ ଅମୃତକଳସ ଆଣିବାରେ ସମର୍ଥ ହୋଇଥିଲେ l
ଅମୃତ କଳସ ଧରି ସ୍ବର୍ଗରୁ ଫେରିବା ବାଟରେ ଭଗବାନ ବିଷ୍ଣୁଙ୍କ ଆବିର୍ଭାବ ଘଟିଲା ଏବଂ ଗରୁଡ଼ଙ୍କ ତୀକ୍ଷ୍ଣ ବୁଦ୍ଧି, ତେଜ ଓ ପରାକ୍ରମରେ ପ୍ରୀତ ହୋଇ ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ ବର ମାଗିବାକୁ କୁହନ୍ତେ, ଗରୁଡ଼ ଭଗବାନଙ୍କ ଶରଣାପନ୍ନ ହୋଇ, ମୋତେ ସବୁଦିନ ପାଇଁ ଆପଣଙ୍କ ଧ୍ବଜାରେ ସ୍ଥାନ ଦେବା ସହ ଅଜୟ ଅମର କରନ୍ତୁ ଓ ଆପଣଙ୍କ ବାହାନ ହେବା ପାଇଁ ସୁଯୋଗ ପ୍ରଦାନ କରନ୍ତୁ ବୋଲି ବର ମାଗିନେଲେ l ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରୁ ଗରୁଡ଼ ଅଜୟ ଅମର ହୋଇ ରହିଲେ, ବିଷ୍ଣୁଙ୍କ ଧ୍ବଜାରେ ସ୍ଥାନ ପାଇବା ସହିତ ବିଷ୍ଣୁଙ୍କ ବାହାନ ହେଲେ l
(ବର୍ତ୍ତମାନର ଜଗନ୍ନାଥ ମନ୍ଦିର)
ଏହା ଥିଲା ପକ୍ଷୀରାଜ ଗରୁଡ଼ଙ୍କ ଜନ୍ମ ବୃତାନ୍ତ ତଥା ତାଙ୍କ ବିଷୟରେ ସମ୍ୟକ ସୂଚନା l କେବଳ ଭାରତବର୍ଷ ନୁହେଁ, ନେପାଳ, ଇଣ୍ଡୋନେସିଆ, ବର୍ମା, କାମ୍ବୋଡ଼ିଆ, ଥାଇଲ୍ୟାଣ୍ଡ, ଭିଏତନାମ ଓ ଜାପାନ ଆଦି ବିଭିନ୍ନ ଦେଶରେ ଗରୁଡ଼ଙ୍କୁ ଶୌର୍ଯ୍ୟ, ଶକ୍ତି ଓ ପରାକ୍ରମର ପ୍ରତୀକ ରୂପେ ଚିତ୍ରଣ କରାଯାଏ l
ଏଠାରେ ପକ୍ଷୀରାଜ ଗରୁଡ଼ଙ୍କ ସମ୍ପର୍କରେ ଆଲୋଚନା କରିବାର ଅର୍ଥ ହେଲା କଟକ ସହର ଠାରୁ ମାତ୍ର ସତେଇଶ କିଲୋମିଟର ଦୂର ଓଡ଼ସିଂହ ଗ୍ରାମରେ ରହିଛି ଗରୁଡ଼ଙ୍କ ଏକ ପ୍ରାଚୀନ ମନ୍ଦିର l ଓଡ଼ିଶାରେ ଏହା ଏକମାତ୍ର ମନ୍ଦିର ଯେଉଁଠି ପକ୍ଷୀରାଜ ଗରୁଡ଼ ମୁଖ୍ୟ ଦେବତା ରୂପେ ପୂଜା ପାଆନ୍ତି l ଏହି ମନ୍ଦିରଟି “ପାତାଳୀ ଗରୁଡ଼ ମନ୍ଦିର” ବୋଲି ସ୍ଥାନୀୟ ଅଞ୍ଚରେ ପରିଚିତ l
(ପାତାଳୀ ଗରୁଡ଼ ମୂର୍ତ୍ତି)
(ସ୍ତମ୍ଭ ଉପରେ ବିରାଜମାନ ଗରୁଡ଼ ମୂର୍ତ୍ତି)
କଟକରୁ ସାଲେପୁର ଯିବା ବାଟରେ ଖରାଖିଆ ମହାଦେବଙ୍କ ନିକଟରୁ ଗୋଟେ ସଳଖ ରାସ୍ତା ପଡ଼ିଛି ଓଡ଼ସିଂହ ଗ୍ରାମକୁ ଆଉ ସେଇ ଗ୍ରାମରେ ରହିଛି ସହସ୍ରବର୍ଷ ପ୍ରାଚୀନ ପାତାଳୀ ଗରୁଡ଼ ମନ୍ଦିର l ଏହି ମନ୍ଦିରରେ ମୁଖ୍ୟ ଦେବତା ରୂପେ ଗରୁଡ଼ପୂଜା ପାଉଥିବାବେଳେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ପ୍ରତିମା ମଧ୍ୟ ମନ୍ଦିର ପରିସରରେ ରହିଛି l
(ଚତୁର୍ଦ୍ଧା ମୂରତି)
ଅତୀତକୁ ଅତି ନିକଟରୁ ଦେଖିବାର ଆକାଂକ୍ଷା ନେଇ ଏକ ଅଳସୀ ଶୀତୁଆ ସକାଳରେ ପହଞ୍ଚି ଯାଇଥିଲି ଓଡ଼ସିଂହର ପ୍ରାଚୀନ ପାତାଳୀ ଗରୁଡ଼ ମନ୍ଦିର ଠାରେ l ମାତ୍ର ସକାଳର ପୂଜା ସାରି, ମନ୍ଦିରରେ ତାଲା ଦେଇ ପୁରୋହିତ ଫେରିଯାଇଥିଲେ ଗୃହକୁ l ବହୁ ପଚରା ପଚିରି କରି, ପୂଜକଙ୍କ ଘରେ ପହଞ୍ଚି, ଗରୁଡ଼ ନନାଙ୍କୁ ମୋ ବାଇକ୍ ପଛରେ ବସାଇ ପାଛୋଟି ଆଣିଥିଲି ମନ୍ଦିର ନିକଟକୁ l
(ମନ୍ଦିର ପୂଜକ ଗରୁଡ଼ ନନା)
(ମୁକୁନ୍ଦ ଦେବ ତୃତୀୟଙ୍କ ଦ୍ୱାରା ପ୍ରଦତ୍ତ କାଠ କବାଟ)
ମୁକୁନ୍ଦ ଦେବଙ୍କ ପ୍ରଦତ୍ତ ପ୍ରାଚୀନ କାଠ କବାଟ ଖୋଲି ମନ୍ଦିର ପରିସରରେ ପ୍ରବେଶ କଲାବେଳେ ଆଖିରେ ମୋ ଲୁହ ଜକେଇ ଆସିଥିଲା l ଚାରିଆଡ଼େ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ ବିକ୍ଷିପ୍ତ ହୋଇ ପଡ଼ିଛି, ଆଉ ଆମ ପୂର୍ବପୁରୁଷଙ୍କ କ୍ଲିବତ୍ୱ ଓ ନପୁଂସକତାକୁ ହାତ ଠାରି ତାଳି ମାରି ଉପହାସ କରୁଛି l ପୂଜକଙ୍କ କହିବା ଅନୁସାରେ କେଉଁ ପ୍ରାଚୀନ କାଳରୁ ଅର୍ଥାତ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟରୁ ଏଠାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ଥିଲା l
(ସ୍ନାନ ମଣ୍ଡପ)
ସମୟର ସଙ୍ଘାତରେ ସେଇ ମନ୍ଦିରଟି ମୁସଲମାନ ଶାସକ ତକି ଖାଁ ଦ୍ୱାରା ଭଙ୍ଗାଯାଇ ମାଟିରେ ମିଶେଇ ଦିଆ ଯାଇଥିଲା l ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନଷ୍ଟ କଲା ପରେ ବିଧର୍ମୀ ସୈନ୍ୟମାନେ ଗରୁଡ଼ ସ୍ତମ୍ଭକୁ ଭାଙ୍ଗିବାକୁ ଉଦ୍ୟମ କରନ୍ତେ ଗରୁଡ଼ସ୍ତମ୍ଭରୁ ରୁଧିର ସ୍ରାବ ହେବାକୁ ଲାଗିଲା l ସ୍ତମ୍ଭରୁ ରକ୍ତ ବାହାରିବା ଦେଖି ଭୟବିତ ହୋଇ ବିଧର୍ମୀମାନେ ଗରୁଡ଼ ସ୍ତମ୍ଭକୁ ଆଉ ନ ଭାଙ୍ଗି ଛାଡ଼ି ଚାଲି ଯାଇଥିଲେ l
(ଗର୍ଭଗୃହର ଛାତ)
(ଗର୍ଭଗୃହରେ ଥିବା କଳାକୃତି)
ପାତାଳୀ ଗରୁଡ଼ ସ୍ତମ୍ଭର ନିମ୍ନ ଭାଗରେ କଟା ଦାଗ ଏବେ ବି ଦୃଷ୍ଟି ଗୋଚର ହୁଏ l ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅବର୍ତ୍ତମାନରେ ସେଇ ଭଗ୍ନ ମନ୍ଦିରର ଗର୍ଭଗୃହରେ ଏବେ ମୁଖ୍ୟ ଦେବତା ରୂପେ ଗରୁଡ଼ ପୂଜା ପାଉଛନ୍ତି l ମନ୍ଦିର ଚତୁଃପାର୍ଶ୍ୱରେ ଏବେ ସୁଦ୍ଧା ଥିବା ସୁଉଚ୍ଚ ପ୍ରାଚୀନ ମେଘନାଦ ପ୍ରାଚୀରକୁ ଦେଖିଲେ ଯେ କେହି ପ୍ରାଚୀନ ଜଗନ୍ନାଥ ମନ୍ଦିରର ଭଵ୍ୟତା ବିଷୟରେ କଳ୍ପନା କରିପାରିବ l ସେଇ ପ୍ରାଚୀର ଉପରେ ସ୍ନାନ ମଣ୍ଡପଟି ଅତି ଦୟନୀୟ ଅବସ୍ଥାରେ ରହିଛି l
(ପ୍ରାଚେରୀର ଅଂଶ ବିଶେଷ)
(ସୁଡ଼ଙ୍ଗର ପ୍ରବେଶ ଦ୍ୱାର)
ପୂଜକଙ୍କ କହିବାନୁସାରେ ପ୍ରାଚୀର ନିମ୍ନଭାଗରେ ଏକ ସୁଡ଼ଙ୍ଗ ରହିଛି ମାତ୍ର ବାହ୍ୟପାର୍ଶ୍ୱରେ ବିଭିନ୍ନ ନିର୍ମାଣ ଯୋଗୁ ଏବେ ତାହାର ପଥ ଅବରୋଧ ହୋଇ ଗଲାଣି l ଚାରିଆଡ଼େ ବିକ୍ଷିପ୍ତ ହୋଇ ପଡ଼ିଥିବା ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପାଷାଣ ନିର୍ମାଣକୁ ଦେଖିଲେ ଦୁଃଖ ଲାଗେ l ମନ୍ଦିରର ଅତୀତ ଗୌରବ ଜାଣ ଧୂଳିସାତ ହୋଇଛି l
(ବିକ୍ଷିପ୍ତ ପାଷାଣ କଳାକୃତି)
ସବର୍ଣ୍ଣ ଅସବର୍ଣ୍ଣ, ଅସ୍ପୃଶ୍ୟ, ଚଣ୍ଡାଳ, ଶୁଦ୍ର ଆଦି ହିନ୍ଦୁ ଧର୍ମରେ ଥିବା ହୀନ ଘୃଣ୍ୟ ଜାତିବାଦର ସୁଯୋଗ ନେଇ ଆଫଗାନ ପଠାଣମାନେ ଆମ ହିନ୍ଦୁ ଭାଈମାନଙ୍କୁ ଅସ୍ତ୍ରବଳ ଓ ଅର୍ଥ ବଳରେ ଧର୍ମାନ୍ତରିତ କରି ସେହିମାନଙ୍କ ସହଯୋଗରେ ସହସ୍ର ମଠ ଓ ମନ୍ଦିରକୁ ଭାଙ୍ଗିରୁଜି ଧୂଳିସାତ କରିଯାଇଛନ୍ତି l ତଥାପି ଆମେ ସଚେତନ ହୋଇ ନାହୁଁ, ସେହି ହୀନଜାତି ପ୍ରଥାରେ ଏବେ ବି ଘାଣ୍ଟି ଚକଟି ହେଉଛୁ l
(ଜଗନ୍ନାଥ ମନ୍ଦିର)
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

7 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago