ଲେଖା: ଦେଵ ତ୍ରିପାଠୀ

ସତ୍ୟବାଦୀର ସପ୍ତସଖା ସ୍ଵରାଜ୍ୟ ମାଜିଷ୍ଟ୍ରେଟ ପଣ୍ଡିତ କୃପାସିନ୍ଧୁ ହୋତା !

୧୯୩୧ ସାଲ । ହୋଟେଲ କଳାଭଵନ । ପୁରୀ ।

ହୋଟେଲ ମାଲିକ ଜଗନ୍ନାଥ ମହାନ୍ତି । ସ୍ବାଧୀନଚେତା ମଣିଷ – ତେଣୁ ଗାନ୍ଧୀ କଂଗ୍ରେସ ବାଲାଙ୍କ ସଙ୍ଗେ ସମ୍ପର୍କ ଥିବାରୁ ହୋଟେଲ ଟି ଥିଲା କଂଗ୍ରେସ କର୍ମୀଙ୍କ ମିଳନପୀଠ ।

ସେପଟେ ହୋଟେଲର ମଧ୍ୟ ଭାଗରେ ବସି ବ୍ରିଟିଶ ଶିକ୍ଷକ ପଣ୍ଡିତ ଆୟାର ଚା’ର ମଜା ନେଉ ନେଉ ଚାରିପାଞ୍ଚଟି ସିଗାରେଟ ଶେଷ କରିସାରିଲେଣି । ଇଂରାଜୀ ଓ ଗଣିତରେ ପଣ୍ଡିତ ଭାବେ ପୁରୀ ସହରରେ ନାଁ ଡାକ । ତେବେ ତାଙ୍କୁ ଲକ୍ଷ୍ୟ କରି ଖଦଡ଼ ପିନ୍ଧା କଂଗ୍ରେସ କର୍ମୀ ଜଣେ ଗୁରୁଗମ୍ଭୀର ସ୍ବରରେ ଗର୍ଜି ଉଠିଲେ: “ମିଃ ଆୟାର୍, ମୁଁ କଂଗ୍ରେସ କର୍ମୀ ସତ, କିନ୍ତୁ ଲୋକେ ମୋତେ ଏ ଜିଲ୍ଲାର ସ୍ଵରାଜ୍ୟ ମାଜିଷ୍ଟ୍ରେଟ ବୋଲି କହିଥା’ନ୍ତି ! ମୁଁ ଆଦେଶ ଦେଉଛି ତୁମେ ସିଗାରେଟ ଛାଡ, ନଚେତ ଏ ଅଞ୍ଚଳ ଛାଡ଼ । ସିଗାରେଟ ଟାଣି ଟାଣି ତୁମେ ପିଲାଙ୍କୁ ପାଠ ପଢାଇ ସେମାନଙ୍କୁ ନଷ୍ଟ କରୁଥିବ ନିଶ୍ଚୟ ।”

ଜଗନ୍ନାଥଙ୍କ ଠାରୁ ସ୍ଵରାଜ୍ୟ ମାଜିଷ୍ଟ୍ରେଟଙ୍କ ପରିଚୟ ପାଇବା କ୍ଷଣି ପଣ୍ଡିତ ଆୟାର୍ ସିଗାରେଟ୍ ଟିକୁ ଫିଙ୍ଗିଦେଇ ବିନୀତ ପ୍ରଣାମ କରି କ୍ଷମା ପ୍ରାର୍ଥନା କରି ସବୁଦିନ ପାଇଁ ସିଗାରେଟ ଛାଡିଦେବାର ପ୍ରତିଜ୍ଞା କଲେ । ସେଇ ସ୍ଵରାଜ୍ୟ ମାଜିଷ୍ଟ୍ରେଟ ଥିଲେ ପଣ୍ଡିତ କୃପାସିନ୍ଧୁ ହୋତା – ଜନମୁଖରେ ପରିଚିତ ହୋତା ମହାଶୟ ।

ହୋତାଙ୍କ ବ୍ୟକ୍ତିତ୍ଵରେ ପ୍ରସ୍ଫୁଟିତ ଥିଲା ଭାରତମଣି ଗୋପବନ୍ଧୁଙ୍କ ଆଦର୍ଶ, ପଣ୍ଡିତ ନୀଳକଣ୍ଠଙ୍କ ପରି ବିଜ୍ଞତା, ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ପରି ପ୍ରଜ୍ଞା, ଆଚାର୍ଯ୍ୟ ହରିହରଙ୍କ ପରି ବଳିଷ୍ଠ ନେତୃତ୍ବ ଓ ପଣ୍ଡିତ ଗୋଦାବରୀଶଙ୍କ ପରି ଆର୍ଷ । ସତ୍ୟବାଦୀର ଏହି ପଞ୍ଚସନ୍ଥଙ୍କ ସହ ସେ ଏବଂ ପଣ୍ଡିତ ଅନନ୍ତ ମିଶ୍ର ମିଶି ଜୀବନରେ ବଜ୍ର ଶପଥ ନେଇଥିଲେ, ଦେଶମାତୃକାର ସେବାରେ ଜୀବନକୁ ଉତ୍ସର୍ଗ କରିବା ପାଇଁ, ବନିଯାଇଥିଲେ ସତ୍ୟବାଦୀର ସପ୍ତସଖା, ଉତ୍କଳ ମାଟିର ମହନୀୟ ସପ୍ତର୍ଷି !

ଆଦ୍ୟ କୈଶୋରର କଅଁଳ କାନ୍ଧରେ ମା’ଛେଉଣ୍ଡ କୃପାସିନ୍ଧୁ ବୋହି ନେଇଥିଲେ ପାଞ୍ଚ ଭାଇଭଉଣୀଙ୍କ ଲାଳନପାଳନର ଭାର । ଜୀବନର କଷଟିପଥରେ ଉତୁରି ସେ ପାଇଥିଲେ ପ୍ରଚୁର ଆତ୍ମପ୍ରତ୍ୟୟ । ଶିକ୍ଷକତା ଓ ଦେଶ ମିଶ୍ରଣ କାର୍ଯ୍ୟରୁ ଆଗେଇ ଯାଇ ଶେଷରେ ଗାନ୍ଧୀ ମହାତ୍ମାଙ୍କ ପଟ୍ଟଶିଷ୍ୟ ପାଲଟି ସେ ଜୀବନକୁ ଉତ୍ସର୍ଗ କରିଥିଲେ ସ୍ବାଧୀନତା ସଂଗ୍ରାମରେ ।

ଗୋପବନ୍ଧୁ ଓ ନୀଳକଣ୍ଠଙ୍କ ପଦାଙ୍କ ଅନୁସରଣ କରି ବନବିଦ୍ୟାଳୟର ଶିକ୍ଷକତା ବ୍ୟତୀତ ସୂତାକଟା, ସ୍ବଦେଶପ୍ରୀତି, ଗାନ୍ଧୀବିଚାର, ସମବାୟ, ନାରୀଶିକ୍ଷା, କୁସଂସ୍କାର ଲୋପ ବାବଦରେ ଗାଁ ମାନଙ୍କରେ ସଚେତନତା ସୃଷ୍ଟି ତଥା ଗ୍ରାମ ସଂଗଠନ, ସମବାୟ ସମିତି ଗଠନ ଇତ୍ୟାଦି ବାବଦରେ ଲୋକଙ୍କୁ ଜାଗ୍ରତ କରାଉଥିଲେ ପଣ୍ଡିତ କୃପାସିନ୍ଧୁ ହୋତା । ଡେଲାଙ୍ଗ ମାଟିରେ ଗାନ୍ଧୀଙ୍କ ପ୍ରତୀକ ଭାବେ ସେ ପ୍ରଜ୍ବଳିତ କରାଇଥିଲେ ସଂଗ୍ରାମର ସ୍ଫୁଲିଙ୍ଗ । ଗୋପବନ୍ଧୁଙ୍କ ଅନୁପସ୍ଥିତିରେ ଦୁର୍ବିପାକପ୍ରପୀଡିତ ଜନତାର ସେବା ପାଇଁ ସଦାତତ୍ପର ଥିଲେ ହୋତା ମହାଶୟ । ସମଗ୍ର ପୁରୀ ଜିଲ୍ଲାରେ ବ୍ରିଟିଶ ବିରୋଧୀ ତୀବ୍ର ସଂଗ୍ରାମ, ସ୍ବାଧୀନତା ଆନ୍ଦୋଳନ, ଗ୍ରାମ୍ୟ ସଂଗଠନର ସେ ଥିଲେ ପ୍ରମୁଖ ମନ୍ତ୍ରଦାତା । ଓଡିଶା ମାଟିରେ ‘ଗ୍ରାମକୁ ଚାଲ’ ଡାକରାକୁ ସଫଳ କରିବାରେ ସେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ସ୍ପଷ୍ଟବାଦିତା, ନିର୍ଭୀକତା, କଠୋର ଶୃଙ୍ଖଳା ଥିଲା କୃପାସିନ୍ଧୁଙ୍କ ଜୀବନ ଓ ବ୍ୟକ୍ତିତ୍ଵର ବୈଶିଷ୍ଟ୍ୟ । ନିଜ ଉପରେ ଥିଲା ଅସୀମ ଭରସା, ଦୃଢ ମନୋବଳ ଓ ଅସୀମ ଧୈର୍ଯ୍ୟ ପାଇଁ ସେ ଉଭୟ ଗୋପବନ୍ଧୁ ଓ ନୀଳକଣ୍ଠଙ୍କର ଅତୀବ ପ୍ରିୟ । ସତ୍ୟବାଦୀର ଏଇ ଅନନ୍ୟ ଋଷିପ୍ରତିମ ଦେବାତ୍ମାଙ୍କର ଜୀବନ ଥିଲା ସେବା ଓ ସାଧନାର କୁଟୀର ।

ଆଜୀବନ ଦୃଢ଼ ମନୋବଳ ଓ ଆତ୍ମପ୍ରତ୍ୟୟର ସହ ଜୀଇଁଥିବା ପଣ୍ଡିତ କୃପାସିନ୍ଧୁ ହୋତା କିନ୍ତୁ ସହ୍ୟ କରିପାରି ନ ଥିଲେ ସ୍ଵାଧୀନୋତ୍ତର ଭାରତରେ ଭାରତମାତା ପ୍ରତି ଅବମାନନା । ସେ ପ୍ରଚଣ୍ଡ ଆଘାତ ତାଙ୍କୁ ଏ ଜଗତରୁ ସ୍ବର୍ଗଧାମକୁ ନେଇଗଲା ।

୧୮୮୪ ମସିହା କୁମାର ପୂର୍ଣିମା ଦିବସରେ ଜନ୍ମିତ ସେଇ ମହାମନିଷୀ ସତ୍ୟବାଦୀର ସପ୍ତସଖା ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ପାଦପଦ୍ମରେ ଅନ୍ତରଙ୍ଗ କଳିଙ୍ଗର କୋଟି କୋଟି ଦଣ୍ଡବତ ।

#ପୂଜ୍ୟପୂଜା

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago