ଉପସ୍ଥାପନା: ତରୁଣ କୁମାର ରଥ

ଦୀର୍ଘ ସାତ ଦଶନ୍ଧିରୁ ଉର୍ଦ୍ଧ୍ବ କାଳ ଧରି ନିରବିଛିନ୍ନଭାବେ ଲେଖନୀ ଚାଳନା କରି ଓଡ଼ିଆ ଭାଷା ସାହିତ୍ୟକୁ  ସମୃଦ୍ଧ କରିଥିବା ଜଣେ ସ୍ପର୍ଦ୍ଧିତ ବ୍ୟକ୍ତିତ୍ବ ଯୁଗସ୍ରଷ୍ଟା ଯଶସ୍ୱୀ କବି ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ । 1903 ମସିହା ସେପ୍ଟେମ୍ବର 10 ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ନିକଟବର୍ତ୍ତୀ ମୁରାରିପୁର ଗ୍ରାମରେ କବିଙ୍କର ଜନ୍ମ । 1994 ମସିହା ଡିସେମ୍ବର 23 ତାରିଖ ତିରୋଧାନ ।

ଜଣେ ଆଦର୍ଶ ଶିକ୍ଷକ, ଔପନ୍ୟାସିକ, କାବ୍ୟକାର, ଗୀତିକାର ଏବଂ ସର୍ବୋପରି ଜଣେ ସଫଳ ଶିଶୁସାହିତ୍ୟ ସ୍ରଷ୍ଟା ଭାବେ ସୁପରିଚିତ ।ବିଂଶ ଶତାବ୍ଦୀର ପ୍ରଥମ ଓ ମଧ୍ୟ ଭାଗରେ ପ୍ରକାଶିତ ସହକାର, ଜହ୍ନମାମୁଁ, ମୁକୁର, ମୋ ଦେଶ, ଝଙ୍କାର, ମନପବନ ଆଦି ପତ୍ରିକା ଗୁଡିକରେ କବିଙ୍କର ଲେଖା ପ୍ରକାଶିତ ହୋଇ କବିଙ୍କୁ ଓଡ଼ିଆ ଭାଷା ସାହିତ୍ୟରେ ଏକ ସ୍ୱତନ୍ତ୍ର ଆସନ ଅଳଙ୍କୃତ କରିବାରେ ପ୍ରେରଣା ଏବଂ ଉତ୍ସାହ ଯୋଗାଇଥିଲା ।

କବିଙ୍କ ଆତ୍ମଜୀବନୀ “ଗୋଟାଏ କଲମ ଟୋପାଏ କାଳି” କେବଳ ଆତ୍ମ- ଚରିତ ନୁହେଁ, ବରଂ ତତ୍କାଳୀନ ସାମାଜିକ ଇତିହାସ ପୃଷ୍ଠଭୂମିର ଦସ୍ତାବିଜ କହିଲେ ଅତିଉକ୍ତି ହେବନାହିଁ । କବିଙ୍କର ସମଗ୍ର କୃତିକୁ ନେଇ 1969ରେ ପ୍ରକାଶ ପାଏ “ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଗ୍ରନ୍ଥାବଳୀ”
ପ୍ରଥମ ଭାଗ- ଶିଶୁ ସାହିତ୍ୟ
ଦ୍ଵିତୀୟ ଭାଗ- ପଲ୍ଲୀ ଓ ବିଦଗ୍ଧ ସାହିତ୍ୟ
ତୃତୀୟ ଭାଗ-ଉପନ୍ୟାସ ।

ମାଟି, ପାଣି, ପବନ, ବୃକ୍ଷଲତା, ବଣପାହାଡ଼, ପଶୁପକ୍ଷୀ, କୀଟପତଙ୍ଗ, ଖଣିଜ ସମ୍ପଦ, ଓଡ଼ିଶାର ପର୍ବ ପର୍ବାଣୀ, ଲୋକକଥା, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ତଥା ମାଟି ମା’ର ସଂସ୍କୃତିକୁ ସରଳ ଏବଂ ବୋଧଗମ୍ୟ ଶବ୍ଦ ମାଧ୍ୟମରେ ଶିଶୁମାନଙ୍କ ସହ ଏକ ସମ୍ପର୍କର ସେତୁ ବାନ୍ଧିଛନ୍ତି କବି ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ  । ଦେଶଭକ୍ତି ଏବଂ ଜାତୀୟତାରେ ଉଦବୁଦ୍ଧ ହେବା ପାଇଁ ଯଥାସାଧ୍ୟ ପ୍ରୟାସ କରିଛନ୍ତି । ମାଟିକୁ ମା’ ବୋଲି ସମ୍ବୋଧନ କରି କବିପ୍ରାଣ ଗାଇଉଠିଛି,
“ମାଟି ବୋଲି ଯିଏ କହିବ କହୁରେ ମା’ ଟି ତୁ ମୋର ଜନମଭୂଇଁ
ବୀର ଗୌରବେ ଯଶ ସୌରଭେ ଗଗନ ପବନ ଯାଇଛୁ ଛୁଇଁ ।”

ଏକ ଶାନ୍ତିପ୍ରିୟ ଅମୃତମୟ ଭାରତଦେଶ ଗଢିବାକୁ ଶିଶୁମାନଙ୍କ ମଧ୍ୟରେ ସ୍ବପ୍ନ ଦେଖିଛନ୍ତି କବି . . 
“ଆମେ ଭାରତ ଦେଶର ଶିଶୁ,
ଆମେ ଅମୃତ ଆଣି ବିଷୁ
ଆମେ ଦୁନିଆକୁ ଦେବୁ କୋଳ କରି ନେବୁ
ବୁଦ୍ଧ, ଆଲ୍ଲା, ଯୀଶୁ ।”

ବିଶ୍ବଯୁଦ୍ଧର ଭୟଭୟତାକୁ ଲକ୍ଷକରି କବି ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି ଅଗ୍ରଦୂତ କବିତାରେ . .
“ଜାଳି ନେତ୍ରେ ଜ୍ବଳନ୍ତ ବିଦ୍ୟୁତ
ଆସ ଅଗ୍ରଦୂତ,
ନାହିଁ ଜଣେ ବିଶ୍ୱେ ବିଶ୍ୱବାଦୀ
ଅମୃତରେ ଆଣିବ ଉଦବୋଧି ।”

1970 ମସିହା ପରର କବିତା ଛନ୍ଦହୀନ ହୋଇଥିବା ବେଳେ ପ୍ରକୃତ ପକ୍ଷରେ ଛନ୍ଦ, ଯତିପାତ ଏବଂ ଉପଧା ମିଳନର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ ଉପେନ୍ଦ୍ରଙ୍କର କବିତାରେ । କବିଙ୍କ ଲିଖିତ “ଯାତ୍ରୀକ” ପୁସ୍ତକଟି ଭ୍ରମଣ ବୃତ୍ତାନ୍ତ ହୋଇଥିବାବେଳେ “ଡିଣ୍ଡିମ” ପୁସ୍ତକଟି ବ୍ୟଙ୍ଗକବିତାରେ ଭରପୁର । ବ୍ୟଙ୍ଗକବିତା “ମୁଁ ନିପ୍ରା ସ୍କୁଲ ମାଷ୍ଟର” ବିଂଶ ଶତାବ୍ଦୀର ପ୍ରଥମ ଭାଗର ଶିକ୍ଷକମାନଙ୍କର ଦୁଃଖଦୁର୍ଦ୍ଦଶାକୁ ଉତ୍ଥାପନ କରି ଥିବାରୁ ତତ୍କାଳୀନ ସ୍କୁଲ ଇନ୍ସପେକ୍ଟରଙ୍କ ଦ୍ୱାରା ଭର୍ତ୍ସିତ ହୋଇଛନ୍ତି ।

କବିଙ୍କ  ରଚିତ “ଶିଶୁତୋଷ ରାମାୟଣ”  ସଂଗୀତା ମହାପାତ୍ର ଏବେକାର ଶ୍ରୀମତୀ ସଂଗୀତା ଗୋସାଇଁ ଏବଂ କାଦମ୍ବିନୀ ଚୌଧୁରୀଙ୍କ କଣ୍ଠରେ ଆକାଶବାଣୀ କେନ୍ଦ୍ର ମାନଙ୍କରୁ  ବହୁବାର ପ୍ରଚାରିତ ହୋଇଆସିଛି । କବିଙ୍କର ଭକ୍ତି ରସାମୃତ ଭଜନ “ହେ ମୋର ଅନ୍ତର୍ଯ୍ୟାମୀ “ଏବେବି ଲୋକାଦୃତ ।

ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ରଚନା ଗୁଡ଼ିକ ଓଡ଼ିଆ ଶିଶୁ ସାହିତ୍ୟ ସମ୍ଭାରକୁ ଯେପରି ସମୃଦ୍ଧ କରିଛି, ସେହିପରି ତାଙ୍କ ଅନ୍ୟାନ୍ୟ ରଚନା ଗୁଡିକ ମଧ୍ୟ ପାଠକମାନଙ୍କୁ ମୁଗ୍ଧ କରିପାରିଛି। ଉପେନ୍ଦ୍ର ଗ୍ରନ୍ଥାବଳୀର ଦ୍ଵିତୀୟ ଭାଗର ପୁସ୍ତକଗୁଡିକୁ ଅନୁଧ୍ୟାନ କଲେ ବିଦଗ୍ଧ କବିର ସତ୍ତା ମିଳିଥାଏ । ବିରହ, ମିଳନ, ବିଚ୍ଛେଦର ପରିପ୍ରକାଶର ଉତ୍ତରଣ ଦେଖିବାକୁ ମିଳେ ‘ପ୍ରେୟସୀ’ ଓ ‘ଶ୍ରେୟସୀ’ ପୁସ୍ତକରେ । ‘ପ୍ରିୟତମା’ କବିତାରେ-
“ଆସିଗଲ ଯେବେ ବଧୂ ଗୌରବେ
ଅଜଣା  ପାନ୍ଥଶାଳା,
ଚିର ଇପ୍ସିତା ନବପୁଷ୍ପିତା ବାଳା ,
ମଧୁର ଯାମିନୀ ମଧୁରେ ଉଠିଲା ହସି
ଶ୍ଲଥ ବନ୍ଧନ କବରୀ ପଡିଲା ଖସି ।

ଯୌବନଭାରେ ହୃଦୟ ଦୁଆରେ
ପ୍ରୀତି ମୋତି କଲ ଜମା,
ଜାଣିଲି ଗୋ ରାଣୀ ଧ୍ରୁବ ନିଶ୍ଚିତ
ତୁମେ ମୋର ପ୍ରିୟତମା ।।”

‘ନିଭୃତେ’ କବିତାରେ
“ପ୍ରିୟ ବୋଲି ଥରେ ଭାଷ ଗୋ ପ୍ରେୟସୀ
ଆକାଶ କୁସୁମ ହାତେ ଆସୁ,
କଟି କିଙ୍କିଣି କୁଟେ ଭାଷୁ ।”

‘ପ୍ରେମାମୃତ’ ପୁସ୍ତକରେ ଲିଖିତ ସମସ୍ତ କବିତା ମଧ୍ୟଯୁଗୀୟ ବୈଷ୍ଣବ ସାହିତ୍ୟର ସ୍ଵାକ୍ଷର ବହନକରେ । ଏଥିରେ ରାଧାକୃଷ୍ଣଙ୍କର ପ୍ରେମାନୁରାଗକୁ ଜୀବନ୍ତ ଭାବେ କବି ତୋଳି ଧରିଛନ୍ତି କବି . .
‘କଳିନ୍ଦଜା କୂଳ ତମାଳ ମାଳିଆ
ତଳେ ଏ କାଳିଆ କିଏ ଗୋ
ତାଳେ ତାଳେ ନାଚି କଳାପ ଚୁଳ
କୂଳବତୀ କୁଳ ମୋହେଗୋ ।”

‘ଶ୍ୟାମସୁନ୍ଦର ବିନା କାହିଁ ମୋ ଗତି’ କବିତାରେ . .
“ଅଜନ୍ମ ଶ୍ୟାମ ପ୍ରେମ ଗଡ ବନ୍ଦିନୀ
ବ୍ରଜମଣ୍ଡନା ବୃଷଭାନୁ ନନ୍ଦିନୀ,
ଭାସନ୍ତି ବିଶାଖାରେ ବିକଳେ ଅତି
ଶ୍ୟାମସୁନ୍ଦର ବିନା କାହିଁ ମୋ ଗତି ।”

କବିଙ୍କର ଆବେଗଧର୍ମୀ ରଚନାଗୁଡିକ ବାସ୍ତଵମୁଖୀ ସମାଜଧର୍ମୀ ହୋଇ ଥିବାରୁ କବିଙ୍କୁ ଏକ ସ୍ଵତନ୍ତ୍ର ଆସନରେ ଅଧିଷ୍ଠିତ କରି ପାରିଛି । ଜୀବନର ପରିଣତ ବୟସରେ ପ୍ରକାଶ ପାଇଛି ଦୁଇ ଖଣ୍ଡ ବହି, ‘ପଲ୍ଲୀପୁଷ୍ପ’ 1978ରେ ଏବଂ ‘ଧୂସର ସନ୍ଧ୍ୟା’ 1980 ମସିହାରେ । ପଲ୍ଲୀପୁଷ୍ପର କେତେକ କବିତା ଗ୍ରାମାଞ୍ଚଳର ସୌନ୍ଦର୍ଯ୍ୟ ବଖାଣୁ ଥିବା ବେଳେ ଆଉ କେତେକ କବିତାରେ କବି ପଲ୍ଲୀରେ ବସବାସ କରୁଥିବା ଲୋକମାନଙ୍କ ଦୁଃଖସୁଖ, ଦୁର୍ଦ୍ଦଶା, ଯନ୍ତ୍ରଣାଦାୟକ ଜୀବନର ଅବବୋଧକୁ ଗଭୀରଭାବେ ଅନ୍ୱେଷଣ କରିଛନ୍ତି କବି । ଏହି ପୂସ୍ତକରେ ପଲ୍ଲିକବି କବିତାରେ କବି ନିଜର ଅସ୍ତିତ୍ବକୁ ଖୋଜିଛନ୍ତି ଏବଂ କିଛି ସମୟ ଲେଖନୀ ଅଟକିଯାଇଛି . .
“ବୁଦ୍ଧିଆ ପରା ତୁମେ କବିତା ଲେଖ ବସି/
ପେଟ ନା ପାଠ ଆଗ ଏତକ ନାଁହ କଷି?”

‘ଧୁସରସନ୍ଧ୍ୟା’ ପୁସ୍ତକଟି ଆଟୋପହିନ ଆତ୍ମଦହନର ପରିଭାଷା, ସ୍ଵକୀୟ ଅନୁଭୂତି ଓ ବେଦନାବିଧୁର କଣ୍ଠ ସ୍ଵରର ପ୍ରତିଫଳନ । ‘ଦୁଇଟି ସ୍ରୋତ’ କବିତାରେ . .
“ହୃଦୟ ଯେବେ ହୃଦୟ ଲୋଡ଼େ ତା ପାଇଁ ଆଉ ପ୍ରଶ୍ନ କାହିଁ?
ସାଗର ଯେବେ ପ୍ରଶ୍ନ ବାଢେ ତଟିନୀ ତାର କେଉଁଠି କେତେ?
ଜାଗ୍ରତ ସେ ଯାତ୍ରୀକ ସେ ଜାତକେ ତାର ସ୍ୱପ୍ନ ନାହିଁ,
ସ୍ୱପ୍ନ ଖାଲି ସେଇଠି ସିନା ତନ୍ଦ୍ରାଳସ ଯେଉଁଠି ଯେତେ।”

‘ଚିତ୍ରା’ ଏବଂ ‘ନିଶାରାକ୍ଷସୀ’  କବିଙ୍କର ଦୁଇଟି କାବ୍ୟଗ୍ରନ୍ଥ । “ଭୀଷଣ ଷଡ଼ଯନ୍ତ୍ର” ଡିକ୍ଟେଟିଭ୍ ଉପନ୍ୟାସ ହୋଇଥିଵା ବେଳେ “ମହାପ୍ରସାଦ”“ହେଡ ମାଷ୍ଟର” ସାମାଜିକ ଉପନ୍ୟାସ । ତତ୍କାଳୀନ ସାମାଜିକ ଅବ୍ୟବସ୍ଥାର ଦୃଢ଼ ପ୍ରତିବାଦର ସ୍ବର ପ୍ରତିଫଳିତ ହୋଇଛି ଉପନ୍ୟାସର ଚରିତ୍ରଗୁଡିକରେ । ଜୀବନର ଶେଷ  ପାହାଚ ପରିବାର ଜଂଜାଳବୋଝ ଓ ଅର୍ଥାଭାବ ଗଭୀରଭାବେ ଗ୍ରାସ କରିଥିଲେ ମଧ୍ୟ ଲେଖନୀ ଚାଳନାରୁ ନିବୃତ୍ତ କରିପାରିନାହିଁ କବିଙ୍କୁ । ନୈରାଶ୍ୟ ଯନ୍ତ୍ରଣା ଜର୍ଜରିତ, କ୍ଷୋଭରେ ଆଉଟୁ ପାଉଟୁ ହେଉଥିବା କବିତା ମୃତ୍ୟୁପଥର କୀୟଦଂଶ-
“ପାନ୍ଥ ମୁହିଁ ମୃତ୍ୟୁ ପଥେ ଆଜି ମୃତ୍ୟୁଯାତ୍ରୀ
ଚୌଦିଗେ ଘେରିଛି ମୋର ଘୋର କାଳରାତ୍ରି
ଜଡ଼ତା କଣ୍ଟକ ଫୁଟେ କମ୍ପିତ ବିଗ୍ରହେ
ନୈରାଶ୍ୟ ଆଵିଳ ସ୍ରୋତ ଖରତର ବହେ ।”

ଆସହେ ମରଣ କବିତାରେ . .
“ଆସହେ ମରଣ ଏ ଜୀଵନେ ଥରେ
ଵକ୍ଷେ ଧରେ
ପରିତୃପ୍ତିର ପରମ ବାସନା
ପୂର୍ଣ କରେ ।”
ମୃତ୍ୟୁ ପରେ ମଣିଷର ସ୍ଥିତି କେଉଁଠି? ଅଜ୍ଞାତ ପରପାରେ କବିତାରେ-
“ଅଜ୍ଞାତ ପରପାରେ
ମୋତେ ଧରିବ ଆଦରେ ସେ କେଉଁ ଧରଣୀ
ସୁଜ୍ଞାତ କରବାରେ
ନତୁବା ଏଥର ପାହିବ ରାତି,
ପ୍ରଭାତେ ଆସିବେ ପରାଣ ସାଥୀ
ସଂଚରି ଯିବ ଚରଣ ଜ୍ୟୋତି
ଅମୃତ ଶତ ଧାରେ
ଅଜ୍ଞାତ ପରପାରେ ।”

କବିଙ୍କର ସମଗ୍ର ଲେଖାର ପାଠକୀୟ ଆଦୃତିରୁ ନିର୍ଗତ ପଵିତ୍ର ଅଶ୍ରୁ ତାଙ୍କପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । “ମୋ ପାଇଁ କାନ୍ଦିବ କିଏ?” କବିତାରେ . .
“(ମୋ ପାଇଁ କାନ୍ଦିବ କିଏ?)
ପ୍ରଶ୍ନେ  ଯେଵେ ଉତ୍ତର କେ ଦିଏ-
‘ପ୍ରେମିକା ପ୍ରେୟସୀ,’
ଭାବୁଛି ମୁଁ , ନିଶ୍ଚିତରେ ଆସିଯିବ ମସୀ ।
* * * * *
‘ତେବେ ଆଉ କିଏ?
ଆ°ଶିକ ସ୍ଵୀକୃତି ନେଇ ବହୁ ଦେଖାଦିଏ
ଗୋଟିଏ  ସମ୍ପୂର୍ଣ୍ଣ-
ମିଳିବା ସହଜ ନୁହେଁ; ସବୁତକ ଚୂର୍ଣ୍ଣ ।
ତେବେ ସମ୍ଭବତଃ
କୃତିର ଉତ୍କର୍ଷ ନେଇ ଯେତେ ଯା’ ଉଦ୍ଗତ
ସଵୁର ସମଷ୍ଟି
ମନୋମତ ପୂତ ଅଶ୍ରୁ କରିପାରେ ବୃଷ୍ଟି ।

କବିଙ୍କ ନଜରରେ ଯାହା କିଛି ସାମ୍ନାରେ ଦୃଷ୍ଟିଗୋଚର ହୋଇଛି ତାକୁ କବିତା ରୂପ ଦେବାରେ କବି ଯେ ସିଦ୍ଧହସ୍ତ ତାହା ତାଙ୍କ ସାମଗ୍ରିକ ସୃଷ୍ଟି ସମ୍ଭାରରୁ ବାରି ହୋଇ ପଡେ ।

ଜୀବନକାଳରେ ଏକ ସ୍କୁଲ ପ୍ରତିଷ୍ଠା କରିଛନ୍ତି । ନିଖିଳ ଏସିଆ ଲେଖକ ସମ୍ମିଳନୀ ଏବଂ ନିଖିଳ ଭାରତ ଲେଖକ ସମ୍ମିଳନୀରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରିଛନ୍ତି । ଶିଶୁ ସମାଚାର ଖବରକାଗଜର ମୁଖ୍ୟ ସମ୍ପାଦକ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି ।

ସାଧନାର ସ୍ୱୀକୃତି ସ୍ବରୂପ 1954ରେ ‘ଘଣ୍ଟିଘାଗୁଡି’ ପୁସ୍ତକ ପାଇଁ ରାଷ୍ଟ୍ରପତି ପୁରସ୍କାର, 1965ରେ ‘ପିଲାଙ୍କ ପଶୁପକ୍ଷୀ ପୁରାଣ’ ପାଇଁ ଭାରତ ସରକାରଙ୍କ ଜାତୀୟ ପୁରସ୍କାର ଲାଭ କରିଛନ୍ତି । କୃତି ଶିକ୍ଷକ ରୂପେ ରାଜ୍ୟପାଳ ପୁରସ୍କାର ପାଇଛନ୍ତି । ବେଙ୍ଗ ବାହାଦୂର, ଚିତ୍ରା ଏବଂ ନିଶାରାକ୍ଷସୀ  ପୁସ୍ତକ ପାଇଁ ଓଡ଼ିଶା ସରକାର ପୁରସ୍କୃତ କରିଛନ୍ତି ।ଓଡ଼ିଶାର ବହୁ ଅନୁଷ୍ଠାନ ସମ୍ମାନିତ, ସମ୍ବର୍ଦ୍ଧିତ କରିଛନ୍ତି । ଓଡିଶା ଶିଶୁସାହିତ୍ୟ ପରିଷଦ, ସମ୍ବଲପୁର କବିଙ୍କୁ ଉତ୍କଳଚନ୍ଦ୍ର ଉପାଧିରେ ଭୂଷିତ କରିଛନ୍ତି ।

କବିର ମୃତ୍ୟୁ ନାହିଁ । ଯୁଗସ୍ରଷ୍ଟା, ଯୁଗଚେତନାର ପ୍ରତୀକ ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ  କେବଳ ଜଣେ ଶିଶୁସାହିତ୍ୟିକ ନୁହଁନ୍ତି, ବରଂ ତାଙ୍କୁ ଜଣେ ଯୁଗ କବି କହିଲେ ଅତ୍ୟୁକ୍ତି ହେବନାହିଁ । ସାଵଲିଳ, ଵୋଧଗମ୍ୟ ଶବ୍ଦ ଶିଳାଖଣ୍ଡରେ ଓଡ଼ିଆ ଭାଷାସାହିତ୍ୟର ଯେଉଁ କୋଣାର୍କ ନିଜ ହାତରେ ଗଢି ତୋଳିଛନ୍ତି, ତାହା ଯେ ଚିରଦିନ ପାଇଁ ଜାଜ୍ବଲ୍ୟମାନ ହେଉଥିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

ମୂଳ ଆଲେଖ୍ୟ: ବ୍ରଜରାଜ ତ୍ରିପାଠୀ

Spread the love
admin

View Comments

  • କଥାରେ ଅଛି , ଉପେନ୍ଦ୍ର ଭଞ୍ଜ ଲେଖିଲେ ବଡ଼ ଙ୍କ ପାଇଁ , ଆଉ ଉପେନ୍ଦ୍ର ତ୍ରିପାଠୀ ଲେଖିଲେ ଶିଶୁଙ୍କ ପାଇଁ । ସେ କବିତା ଲେଖିବା ବେଳେ କୁଆଡେ଼ ଶିଶୁ ହୋଇ ଯାଆନ୍ତି ବୋଲି ଗୋଟାଏ ଅଧେ ଆଲୋଚନାରେ ଶୁଣିଛି ।

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago