ଲେଖା: ଦେଵ ତ୍ରିପାଠୀ

ରାଜଧାନୀ ଭୁବନେଶ୍ଵରର ସୁଦୂର ଉତ୍ତର ପଶ୍ଚିମ ଚନ୍ଦକା ଅଞ୍ଚଳରେ ପ୍ରବାହିତ ଛୋଟ ଛୋଟ ଝରଣା ମିଶି ‘ବଡଯୋର’ ନାଳ ନାମରେ ପରିଚିତ । ଏଇ ବଡଯୋର ଚନ୍ଦକାର ଯାମକା, ଡେରାଶ ଓ କଣ୍ଟାବାଡ ଅଞ୍ଚଳରେ ଉତ୍ପତ୍ତି ହୋଇ କୁଜିମହଲ, ଶିଖରଚଣ୍ଡୀ ଦେଇ ରଘୁନାଥପୁର ନିକଟରେ ‘ତଳଯୋର’ ସହିତ ମିଶିଛି । ପୁନଶ୍ଚ ଏହା ପଥରଗାଡିଆ, ପଟିଆ, ମଞ୍ଚେଶ୍ୱର ମଧ୍ୟ ଦେଇ ଏକ ନାଳ ରୂପରେ ଚିରପ୍ରବାହିତ ।

ଏହି ପ୍ରବାହ ଭୁବନେଶ୍ୱରର ଉତ୍ତର-ପଶ୍ଚିମ, ଉତ୍ତର, ଉତ୍ତର-ପୂର୍ବ, ପୂର୍ବ ଓ ଦକ୍ଷିଣ ଦିଗ ପ୍ରଦକ୍ଷିଣ କରିଛି । ଏହାର ବର୍ତ୍ତମାନର ନାମ ଗଙ୍ଗୁଆ ହୋଇଥିଲା ବେଳେ ଏକାମ୍ର ପୁରାଣରେ ଏହାର ନାମ ଗନ୍ଧବତୀ ବୋଲି ଉଲ୍ଲେଖ ଅଛି । ଉକ୍ତ ପୁରାଣର ଆଠଟି ଅଧ୍ୟାୟ ବ୍ୟାପୀ ଗନ୍ଧବତୀ କୂଳରେ ଏକ ଦେବାସୁର ମହାସମରର ବର୍ଣ୍ଣନା ରହିଛି । ଏହି ମହାସମରରେ ଶୈବାସୁର ଓ ବୌଦ୍ଧିକ ଅସୁର ମାନଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧରେ ଶୈବାସୁରମାନଙ୍କ ବିଜୟ ହେବା ସହିତ ମହାଦେବ ତ୍ରିଭୁବନେଶ୍ୱର ବା ଲିଙ୍ଗରାଜଙ୍କର ମହିମାଗାନ କରାଯାଇଛି ।

ଐତିହାସିକଙ୍କ ମତରେ ଏହି ଗନ୍ଧବତୀର ଉଭୟ କୂଳରେ ମୌର୍ଯ୍ୟ ସମ୍ରାଟ ଅଶୋକ ଧଉଳିଠାରେ ଶିଳାଲେଖ ଓ ଭାସ୍କରେଶ୍ୱରଠାରେ ଅଶୋକସ୍ତମ୍ଭ ପ୍ରତିଷ୍ଠା କରିଥିଲେ । ମହାସମର ପରେ ଭାସ୍କରେଶ୍ୱର ଠାରେ ପ୍ରତିଷ୍ଠିତ ଅଶୋକସ୍ତମ୍ଭକୁ ଭାଙ୍ଗି ଏକ ବିଶାଳକାୟ ଶିବଲିଙ୍ଗରେ ପରିଣତ କରି ମନ୍ଦିରଟିଏ ଗଢିଦିଆଗଲା । ନାମ ରଖାଗଲା ଭାସ୍କରେଶ୍ୱର । ବୋଧହୁଏ ଶୈବ ଓ ହିନ୍ଦୁ ଜାଗରଣର ଏଇ ପ୍ରତୀକ ସ୍ଵରୂପ ଲିଙ୍ଗରାଜଙ୍କ ରୁକୁଣାରଥ ଗଠିତ କରାଯାଇ ପ୍ରଭୁଙ୍କୁ ତାଙ୍କ ରାଜଦାଣ୍ଡରେ ପରିକ୍ରମା କରାଗଲା ।

ଇତିହାସ ଅନୁସାରେ ସମସ୍ତ ସଭ୍ୟତା ଓ ସଭ୍ୟତାକେନ୍ଦ୍ରର ମୂଳରେ ଥାଏ ଏକ ପ୍ରେରଣାଦାୟିନୀ ନଦୀ । ସେପରି ଗନ୍ଧବତୀ ଥିଲା କୁରୁରାଜ୍ୟ କଳିଙ୍ଗର ସିଞ୍ଚରିଣୀ ନଦୀ, ଯାହା କି ରାଜଧାନୀ ଥିଲା ‘ଉତ୍ତର ବାହିନୀ’ । ତେଣୁ ଉତ୍ତର ବାହିନୀ ଠାରେ ଗଢିଉଠିଥିଲା ପବିତ୍ର ଶକ୍ତି ପୀଠମାନ ଏବଂ ବ୍ରହ୍ମେଶ୍ୱରପାଟଣା ଠାରେ ଥିଲା ଏହର ନଦୀବନ୍ଦର । ସେଇ ପବିତ୍ର ସିଞ୍ଚରିଣୀ ନଦୀ ଗନ୍ଧବତୀ ଆଜିର ଆଜି ‘ଗଙ୍ଗୁଆ’ – ଭୁବନେଶ୍ୱର ସହରଯାକର ନର୍ଦମାପାଣିକୁ ପିଇ ପିଇ ଆଜି ରୋଗାକ୍ରାନ୍ତ, ମୃତବତ୍ ।

ଏହି ଗଙ୍ଗୁଆର ଉଭୟ ପାର୍ଶ୍ଵରେ, ସୁଦୂର ଉତ୍ତର-ପଶ୍ଚିମ ପାର୍ଶ୍ଵର ଉତ୍ତର କୂଳରେ ଅବସ୍ଥାପିତ ବରିମୁଣ୍ଡା ଗାଁର ଲକ୍ଷେଶ୍ୱର ଓ ତାଙ୍କର ଭବ୍ୟମୂର୍ତ୍ତି ଏବଂ ଅସାଧାରଣ ପାର୍ଶ୍ଵଦେବତା; ମଞ୍ଚେଶ୍ୱର ଗାଁ ରେ ମଞ୍ଚାସୀନ ‘ପ୍ରଭୁ ମଞ୍ଚେଶ୍ୱର’ । ଦକ୍ଷିଣ କୂଳରେ ଅଛନ୍ତି ଦେବୀ ଶିଖରଚଣ୍ଡୀ ଓ ପଳାଶୁଣୀ ଗାଁର ଦେବୀ ଖଣ୍ଡେଶ୍ୱରୀ । ପଳାଶୁଣିଠାରେ ଗନ୍ଧବତୀ ରାଜଧାନୀର ପୂର୍ବ ସୀମା ମଣ୍ଡନକରି ଦକ୍ଷିଣାଭିମୁଖୀ ହୋଇଛି ।

ପଶ୍ଚିମକୂଳରେ ମହାଦେବ ଚିନ୍ତାମଣିଶ୍ୱର, ଭାସ୍କରେଶ୍ୱର, ମେଘେଶ୍ୱର, ବ୍ରହ୍ମେଶ୍ୱର, ଇନ୍ଦ୍ରେଶ୍ୱର (ରାଜାରାଣୀ – ଯେଉଁଠାରେ ଜଗନ୍ନାଥଙ୍କ ଛୋଟ ପ୍ରତିମାଟିଏ ଅଛି), ଚକ୍ରେଶ୍ୱର ଓ ମା’ ଗୌରୀ ଅବସ୍ଥାପିତ ଥିବାବେଳେ ପୂର୍ବ କୂଳରେ ପଞ୍ଚୁପାଣ୍ଡବ ଗୁମ୍ଫା ଓ ଗୋକର୍ଣ୍ଣେଶ୍ୱର ମନ୍ଦିର ଅବସ୍ଥିତ ।

ପୁନଶ୍ଚ ପଶ୍ଚିମକୂଳକୁ ସୁମଣ୍ଡିତ କରିଛନ୍ତି ସର୍ବତେଶ୍ୱର, ଜଗାମହାବୀର, ମଧ୍ୟମେଶ୍ୱର (ବୃହତାକାର ଲିଙ୍ଗ) ଓ ଦେବୀ ଭୁଆସୁଣୀ । ଏହି ସ୍ଥାନର ପୂର୍ବ କୂଳରେ ଅବସ୍ଥିତ କଳିଙ୍ଗ ରାଜ୍ୟର ଐତିହାସିକ ଶିଶୁପାଳଗଡ଼ (ଖ୍ରୀ.ପୂ. ୪ର୍ଥ ଶତାବ୍ଦୀ) ଚତୁର୍ପାର୍ଶ୍ୱରେ ଥିବା ଦୁର୍ଭେଦ୍ୟ ଗଡ଼ଖାଇର ଭୂମିକାକୁ ଶହ ଶହ ବର୍ଷ ଧରି ନିର୍ବାହ କରି ପରେ ଗନ୍ଧବତୀ ଉତ୍ତର ପଶ୍ଚିମାଭିମୁଖୀ ହୋଇ ଏକାମ୍ରର ପ୍ରସିଦ୍ଧ ତର୍ପଣଘାଟ ସୂକ୍ଷ୍ମେଶ୍ୱର, ପ୍ରଭୁ କପିଳେଶ୍ୱରଙ୍କ ପାଦପଦ୍ମ ଧୋଇ ଚିଲିକାଭିମୁଖୀ ଥିଲା ।

ଏଇ ଗନ୍ଧବତୀର ଧାରେ ଧରେ ରହିଛି ଏକ ବିଶାଳ ନଦୀର ଛାପ । ମାତ୍ର ରାଜଧାନୀର ବିକୃତ କଙ୍କ୍ରିଟ ରାକ୍ଷସର ଆଁ ଭିତରେ ସେ ଆଜି ମୃତ ।

Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago